Dinabandhu Mishra

Tragedy

4.5  

Dinabandhu Mishra

Tragedy

ନାକ କାନ୍ଦୁରୀ

ନାକ କାନ୍ଦୁରୀ

5 mins
407


ବୈଶାଖର ଉଦୁଉଦିଆ ଦ୍ୱିପ୍ରହରରେ ଦିଲ୍ଲୀ ନିଜାମୁଦ୍ଦିନ ଷ୍ଟେସନରୁ ସମ୍ବଲପୁର ଅଭିମୁଖେ ବାହାରିଲୁଁ। ସାଙ୍ଗରେ ବିଳାସିନୀ - ପିଲାଦିନରୁ ମାଁ ଛେଉଣ୍ଡ। ବୁଢିଟିଏ ହେଲାଣି, ହେଲେ ସବୁ କଥାରେ ମତେ ନ ଧରିଲେ ନ ଚଳେ। ସବୁ କଥାରେ ଭାଇନାର ଉପସ୍ଥିତି ତାର ଯେମିତି ନିହାତି ଦରକାର। ଯଦିଓ କେହି କାହାରିର ରକ୍ତ ସଂପର୍କୀୟ ତ ଦୂରର କଥା, ଏକା ଜାତିର ମଧ୍ୟ ନୋହୁଁ.... କିନ୍ତୁ ମାନବିକତା ତଥା ଏକ ଆବେଗପୂର୍ଣ୍ନ ସମ୍ବନ୍ଧ ପିଲାଟି ଦିନରୁ ତା'ସାଥିରେ ରହିଆସିଛି। ବୟସରେ ମୋ ଠାରୁ ପ୍ରାୟ ୧୦ ବର୍ଷ ସାନ, ହେଲେ ଚେହେରାରେ ମୋ ଠାରୁ ବହୁତ ବଡ଼ ଦେଖାଯାଏ। ସବୁଦିନର ଅଭାଗିନୀ ଟିଏ ସେ। ନିଜ ଝିଅକୁ ପାଠ ପଢ଼ାଇବା ପାଇଁ ବିଦେଶକୁ ବିଦାୟ ଦେବା ପାଇଁ ମୋତେ ଧରି ଆଣିଥିଲା ଏତେ ଦୂର।


ପିଲାଟି ବେଳରୁ ନାକ କାନ୍ଦୁରୀ । ସବୁ କଥାରେ ସକ ସକ କାନ୍ଦି ପକାଇବା ତା ଲକ୍ଷଣ। ପିଲାଦିନେ ସାହିର ଅନ୍ୟ ପିଲାମାନେ ଯେତେବେଳେ ତାକୁ ଚିଡାନ୍ତି, ଡରାନ୍ତି... ସେତେବେଳେ ତା ନାକ-ଆଖିରୁ ବାହାରି ପଡେ ଗଙ୍ଗା-ଯମୁନା-ସରସ୍ବତୀର ତ୍ରୀବେଣି ସଙ୍ଗମ। ଦଉଡି ଦଉଡ଼ି ପଳେଇ ଆସିବ ମୋ ପାଖକୁ। ଆଖି, ନାକ ସବୁ ବାଁ ହାତରେ ପୋଛି ପୁଣି ତା ଫ୍ରକ୍ ରେ ପୋଛି ପକାଇବ ଓ ଗୁହାରି ଯିବ ତାକୁ ଅନ୍ୟମାନେ ହଇରାଣ କରୁଥିବା କଥା। ମା' ମଧ୍ୟ ତାକୁ ଝିଅ ପରି ମାନୁଥିଲା, ତା' ଆଖି ଲୁହ ଦେଖି ସେ ମୋତେ ବାଧ୍ୟ କରିବ ତା'ସାଙ୍ଗରେ ଯାଇ ଅନ୍ୟକୁ ବାରଣ କରିବା ପାଇଁ। ମୋତେ ନେଇ ଝାନ୍ସି ରାଣୀ ପାଲଟି ଯାଉଥିଲା ସେ ଯେପରି। ଅତି ଦର୍ପରେ ସମସ୍ତଙ୍କୁ ମାଡ଼ି ବସୁଥିଲା। ଆଖିର ଲୁହ, ନାକର ସିଂଘାଣି ସବୁ ହଠାତ୍ ହୀରାକୁଦ ବନ୍ଧର ଗେଟ୍ ପଡ଼ିଗଲା ପରି ବନ୍ଦ ହୋଇ ଯାଉଥିଲା। ଦାନ୍ତଟି ମେଲା କରି ଦେଇ ସମସ୍ତଙ୍କୁ ଶୋଧି ପକାଉଥିଲା। ଭାଇନା ଥିଲେ ତା'ର ଯେମିତି ଶତ ସିଂହର ବଳ ବଢ଼ି ଯାଉଥିଲା।


ତା' ଦୁଃଖର ପରିଭାଷା ଆହୁରି ବଢି ଯାଇଥିଲା, ତା' ବାପା ପୂର୍ଣ୍ଣ ରିକ୍ସା ବାଲା ଯେଉଁଦିନ ପୁଣି ଗୋଟିଏ ନୂଆ ମାଁ ତା' ପାଇଁ ଧରି ଆଣିଥିଲା। ଷୋଡ଼ଶୀ ନୂଆଁ ଭୁଆସୁଣୀ ହାତରେ ଯେପରି ବିକ୍ରି ହୋଇଯାଇଥିଲା ପୂର୍ଣ୍ଣ। ମଦ ପିଇ ସବୁଦିନ ସନ୍ଧ୍ୟାରେ ମସଗୁଲ୍ ଥିବା ତା' ବାପା ଏଥର ମସଗୁଲ୍ ହୋଇଯାଇଥିଲା ନୂଆଁ କଞ୍ଚା ମାଂସର ସ୍ବାଦରେ। ପ୍ରତିଟି ରାତ୍ରୀ ବିଳାସିନୀ ପାଇଁ ହେଇଯାଉଥିଲା ଅନ୍ଧାରର ରାତ୍ରୀ। ବର୍ଷର ପ୍ରାୟ ଅଧିକାଂଶ ଦିନ ସେ ଆମ ଘରେ ରାତି କାଟୁଥିଲା। ଧିରେ ଧିରେ ତା' ନୂଆଁ ମାଁ ର ଦୈାରାତ୍ମ୍ୟ ମଧ୍ୟ ପ୍ରାରମ୍ଭ ହୋଇଯାଇଥିଲା ତା'ପ୍ରତି। ବିଳାସିନୀର ସ୍କୁଲ ଯିବା ତାକୁ ଯେପରି ଅସୂୟା ଲାଗୁଥିଲା। 'ପିଲା ଧରୁନୁ, ବାସନ ମାଜୁନୁ, ଖାଲି ପାଠ ପଢ଼ିବୁ! ହଇଲୋ, ମାଇପ ଜୀବନ ତ ଚୁଲିମୁଣ୍ଡକୁ.... ତୁ ପାଠ ପଢି କ'ଣ ତାଡି ପକାଇବୁ ? ପ୍ରଥମେ ପ୍ରଥମେ ପ୍ରତ୍ୟେକ ଦିନ କଥା କେଇପଦ ଶୁଣିଲା ପରେ ଆସି ଆମ ଘରେ କାନ୍ଦୁଥିଲା। କିନ୍ତୁ ଯେତେବେଳେ କଥା ସାଙ୍ଗରେ ତାଡନ ଆରମ୍ଭ ହୋଇଗଲା - ଏଇ ଭାଷା ସବୁଦିନ ପାଇଁ ଦେହସୁହା ହୋଇଗଲା ତାକୁ। କିନ୍ତୁ ପାଠ ପଢିବାର ଜିଦ୍ ମଧ୍ୟ ସେ ଛାଡି ନଥିଲା। ଆମ ଘରର ଆର୍ଥିକ ସହାୟତା - ତାକୁ ଅନେକାଂଶରେ ଦାବୀ ବୋଲି ମାନି ନେଇଥିଲା ସେ। ସବୁ କଥାରେ ଅଳି ଅର୍ଦ୍ଦଳି ସବୁ ଜୋର୍ ଦେଇ ଆମ ଉପରେ କଚାଡି ଦେଉଥିଲା। ମାଁ ଚାଲିଗଲା ପରେ ସେଇ ଦାବୀ ମୋ ଉପରେ ତା'ର ଯେମିତି ହକ୍ ହୋଇ ଯାଇଥିଲା। ଘରର ସବୁକଥା ବୁଝିବା ସଙ୍ଗେ ସଙ୍ଗେ ସେ ପାଲଟି ଯାଇଥିଲା ମୋ ପାଇଁ ଏକ ସାହାରାର ମେରୁଖୁଣ୍ଟ ଓ ମୁଁ ତା' ପାଇଁ ଆଶ୍ରାର ନିଚ୍ଛକ ପ୍ରତିଶ୍ରୁତି।


ମୁଁ ଯେଉଁଦିନ ଘର ଛାଡ଼ି ଚାକିରୀ କରିବା ପାଇଁ ଭୁବନେଶ୍ବର ବାହାରିବି ବୋଲି ଜାଣିଲା ସେଇଦିନ ଠୁ ପୁଣି ତା'ର କାନ୍ଦଣା ଆରମ୍ଭ ହୋଇଯାଇଥିଲା। ସେ କେଉଁଠି ରହିବ, କାହା ପାଖରେ ତା' ଦୁଃଖ ଗୁହାରିବ ଏମିତି ବାହୁନି ମାଁ ମରିବା ବେଳେ ଯେତେ କାନ୍ଦିନଥିଲା ସେତିକି କାନ୍ଦ ବାହାରି ଯାଇଥିଲା - ସତେ ଯେମିତି ମନେ ହେଉଥିଲା ପୂରାତନ ତ୍ରିବେଣୀ ସଂଗମରେ ଭରି ଯାଇଥିବା ସେଇ ପିଲାଦିନର ବିଳାସିନୀ ପୁଣି ତା' ଆଶ୍ରୟ ଖୋଜୁଛି। ଘରଟି ତା' ଭରସାରେ ଛାଡ଼ି ଦେଇ ମୁଁ ମଧ୍ୟ ନିଶ୍ଚିନ୍ତ ହୋଇଯାଇଥିଲି। ବାପ ମରି ଯାଇଥିଲା, ମାଁ ତାକୁ ଛାଡି ଅନ୍ୟ ଘଇତା ଧରି ଚାଲି ଯାଇଥିଲା। ହେଲେ ଭାଙ୍ଗି ପଡ଼ିନଥିଲା ବିଳାସିନୀ। ପାଠ ପଢିବା ମଧ୍ୟ ଛାଡି ନଥିଲା। ଘରଟିର ଗୋଟିଏ ଅଂଶକୁ ଭଡ଼ା ଦେଇ ଭଡ଼ା ପଇସାକୁ ନିଜ ପାଇଁ ଖର୍ଚ୍ଚ କରିବାକୁ କହିଥିଲି। ନିଜ ଘର ବୋଲି ଭାବି ମୋ ଘରଟିକୁ ସେ ସମ୍ଭାଳି ନେଇଥିଲା।


ପାଠ ପଢି ସାରିଲା ପରେ ପ୍ରାଇଭେଟ୍ ସ୍କୁଲରେ ଚାକିରୀ ଖଣ୍ଡିଏ ଆରମ୍ଭ କରିଥିଲା। ପ୍ରଥମ ଦିନର ଦରମା ପାଇଲା ପରେ ଚିଠିଟିଏ ଲେଖିଥିଲା ଅନେକ ସ୍ମୃତି ସବୁକୁ ଗୁନ୍ଥି ଦେଇ। ତା' ଆଖିର ଲୁହ ଚିଠିର କେଇ ଧାଡ଼ି ଲିଭାଇ ଦେଇଥିଲା...


ସଞ୍ଜୟକୁ ବାହା ହେବା ପୂର୍ବରୁ ମୋତେ ତା' ବିଷୟରେ ଜଣାଇବାକୁ ଭୁଲିନଥିଲା। ତା' ବାହାଘରର ସମସ୍ତ ଦାୟିତ୍ବ ନେବା ସହିତ ତା' କନ୍ୟାଦାନ ମଧ୍ୟ କରିବାକୁ ପଡ଼ିଥିଲା। ସ୍ତ୍ରୀ-ପ୍ରେମିକା ବ୍ୟତୀତ ସବୁ ନାରୀ ସଂପର୍କର ସ୍ବାଦ ମୁଁ ତା'ଠାରୁ ପାଇଥିଲି। ସବୁଦିନ ମୋତେ ବାହା ହେଇଯିବା ପାଇଁ ଖୁବ୍ ଜୋର୍ ଦେଉଥିଲା। ଏପରିକି ଡର୍ଜନେ ଖଣ୍ଡିଏ ଝିଅ ମଧ୍ୟ ମୋ ପାଇଁ ଦେଖିଥିଲା। ମୋ ନିଜ ମର୍ଜିରେ ବାହା ହୋଇ ମୁଁ ଯେତେବେଳେ ତାକୁ ସରପ୍ରାଇଜ ଦେବା ପାଇଁ ହଠାତ୍ ତା କ୍ବାଟରରେ ପହଞ୍ଚି ଗଲି, ସେ ହତବାକ୍ ହୋଇ ଯାଇଥିଲା ସେ ଦିନ। କିନ୍ତୁ ପରେ ପରେ ପୁଣି କାନ୍ଦିଥିଲା ନାକରେ ଲୁଗା କାନିକୁ ଯାକିଦେଇ। ତା'ର ଅଭିମାନର ଆଗ୍ନେୟଗିରି ସତେ ଯେମିତି ଫାଟି ପଡ଼ିଥିଲା....


ବହୁଦିନ ଧରି ତା'ର ଖୋଜଖବର ଆଉ ପାଇନଥିଲି । ହଠାତ୍ ଦିନେ ଟେଲିଗ୍ରାମ୍ ଆସିଲା.... 'ସଞ୍ଜୟ ଡେଡ୍ କମ୍ ଶୁନ୍'.... ମୁଁ ଆଉ ରହି ପାରିନଥିଲି। ମୁଁ, ସ୍ମୀତା ବାହାରି ପଡିଥିଲୁ ତା ଘର ଅଭିମୁଖେ। ଘରେ ପହଞ୍ଚି ମୁଁ ତାକୁ ଦେଖିଥିଲି ଏକ ସର୍ବସଂହା ରୂପରେ। ଆଖିରେ ତା'ର ଦମ୍ଭ ଯେମିତି ଭରି ରହିଥିଲା। ପୁଅଟି ସାନ ଥିବାରୁ ମୁଖାଗ୍ନି ଦେଇ ପାରିବନି ତେଣୁ କନ୍ୟା ନିହାରିକା ଦେଉ ବୋଲି ପୁଣି ଜିଦ୍ କରି ମୋତେ ଶାସ୍ତ୍ରର ବ୍ୟାକ୍ଷ୍ୟା କରିବାକୁ ଅନୁରୋଧ କରିଥିଲା। ମୁଁ ମଧ୍ୟ ରାଜି ହୋଇଥିଲି ତା'ର ମୁଖାଗ୍ନି ଦେବାରେ କୈାଣସି ବାଧା ନାହିଁ ବୋଲି । ସଞ୍ଜୟର ଅନ୍ତୈଷ୍ଟି କ୍ରିୟା ପରେ ତା'ର ଅସ୍ଥି ଧରି ମୁଁ, ନିହାରିକା ଓ ବିଳାସିନୀ ବାହାରିଥିଲୁ ପ୍ରୟାଗକୁ। ପୁଣି ଥରେ ଗଙ୍ଗାରେ ଅସ୍ଥି ବିସର୍ଜନ କଲା ବେଳକୁ ସଞ୍ଜୟ ଘରର ଶାସ୍ତ୍ରୀୟ ରୀତି ଅନୁସାରେ ମୁଣ୍ଡର ଚୁଟି କାଟିବା ଓ ଚୁଡ଼ି ଭାଙ୍ଗିବାକୁ ବିରୋଧ କରି କାନ୍ଦି କାନ୍ଦି ନୟାନ୍ତ ହୋଇଯାଇଥିଲା ବିଳାସିନୀ। ଯାହା ପାଇଁ ସେ ତା ଚୁଟି ସଜାଡୁଥିଲା, ଯାହା ପାଇଁ ସେ ରଙ୍ଗବେରଙ୍ଗ ଚୁଡ଼ି ପିନ୍ଧୁଥିଲା, ସେ ନାହିଁ ବୋଲି କାହିଁକି ଏସବୁ ବିସର୍ଜନ କରିବ? କାହିଁକି ତା' ସଞ୍ଜୟର ସୈାକକୁ ସେ ମାରିଦେବ? ଏହାହିଁ ଥିଲା ତା'ର ମୂଳ ପ୍ରଶ୍ନ। କିନ୍ତୁ ତା'ଆଖି ଲୁହର ମୂଲ୍ୟ କେହି ଯେମିତି ବୁଝିବାକୁ ନାରାଜ ଥିଲେ। ମୋର ଶାସ୍ତ୍ରୀୟ ପରିଭାଷା ମଧ୍ୟ ତାକୁ ସେଠି ରକ୍ଷା କରି ପାରିନଥିଲା।


ସନ୍ଧ୍ୟା ନଇଁ ଆସିଲାଣି। ଦିନର ପ୍ରବଳ ଗରମ ଭିତରେ - ବହି ପଢ଼ାରେ ସମୟଟି କେତେବେଳେ ଅତିବାହିତ ହୋଇଗଲା ଜଣା ପଡିଲାନି। ହଠାତ୍ ପୁରୀ ତରକାରୀ ନାଁ ରେ ଚମକି ପଡ଼ିଥିଲା ବିଳାସିନୀ। ପୁଅ ବିଳାସକୁ ପଚାରିଥିଲା... 'ପୁରୀ ଖାଇବୁ'? ବିଳାସ ମନା କରିଥିଲା। ସେଇଠୁ ଆରମ୍ଭ ହୋଇଯାଇଥିଲା ବିଳାସିନୀର କାନ୍ଦଣା। ଝିଅ ନିହାରୀକାର ସୈାକ କଥାକୁ ବିଚାର କରି ଆଖିର ଲୁହ ପୁଣି ବହି ଚାଲିଥିଲା ଝରଣାରୁ ଝର୍ ଝର୍ ହୋଇ ବହି ଯାଉଥିବା ସ୍ବଚ୍ଛ ଜଳରାଶି ପରି। ଝିଅର ପ୍ରତ୍ୟେକଟି ଚଳଣି ଓ ସୈାକକୁ ବଖାଣି ବଖାଣି କାନ୍ଦି ଚାଲିଥିଲା। ଟ୍ରେନ୍ ପହଞ୍ଚିଲା ଝାନ୍ସି ପାଖରେ। କିଛି ଖାଇବୁ କି ବୋଲି ପଚାରିଥିଲି। ନାହିଁ କଲା, କିନ୍ତୁ ଆଖି ଓ ନାକରୁ ବହି ଚାଲିଥିଲା ଗଙ୍ଗା-ଯମୁନା-ସରସ୍ବତୀର ଧାର। ବିଳାସିନୀର ସେଇ ପିଲାଦିନର ଚେହେରା ମୋ ଆଖି ଆଗରେ ପୁଣି ଭାଷି ଯାଇଥିଲା। ତାକୁ ବୁଝାଇ ସୁଝାଇ ରୁଟି ଦୁଇପଟ ଖାଇବାକୁ ଦେଇଥିଲି.... ତାକୁ ଧରି ସେ ଖାଇବି.... ରହ ଖାଇବି... କହି ସକ ସକ ହୋଇ ଗଡ଼ି ପଡ଼ିଥିଲା ତା ସିଟ୍ ରେ।


ସକାଳୁ... ନିଦ ଭାଙ୍ଗିଲା ବେଳକୁ ଦେଖିଲି ଅସ୍ବାଭାବିକ ଭାବରେ ଶୋଇ ରହିଛି ବିଳାସିନୀ। ମୋତେ କେମିତି ଅଡ଼ୁଆ ଲାଗିଲା। ତଥାପି ଟୟଲେଟ୍ କୁ ଗଲି। ଫେରି ଆସିଲା ପରେ ମଧ୍ୟ ଦେଖିଲି ତା'ର ସେଇ ଅସ୍ବାଭାବିକ ସ୍ଥିତି... ହାତ ଟା ତଳେ ଯେମିତି ଘୁଷୁରୁଛି ଓ ସେ ମୁହଁ ଉପରକୁ କରି ଚିତ୍ ହୋଇ ପଡ଼ିରହିଛି। ମୁଁ ତାକୁ ହଲେଇ ଉଠାଇବାକୁ ଚେଷ୍ଟା କଲି.... କିନ୍ତୁ ସବୁ ଯେମିତି ନିସ୍ତବ୍ଧ ହୋଇଯାଇଥିଲା..... ଏବଂ ଟ୍ରେନ୍ ଟି ଧକ୍କା ମାରି ବନ୍ଦ ହୋଇଯାଇଥିଲା।



Rate this content
Log in

Similar oriya story from Tragedy