ପୂଜାର ପ୍ରମୋଶନ
ପୂଜାର ପ୍ରମୋଶନ
==============
ସରୋଜ ବାବୁ ଘରର ସାନ ପୁଅ। ପାଠଶାଠ ଶେଷ କରି ସେକ୍ରେଟାରୀଏଟରେ ଚାକିରି କରିବା ବେଳକୁ ତାଙ୍କ ବଡ଼ ଭାଇ ଓ ମଝିଆଁ ଭାଇଙ୍କର ବୈବାହିକ ଜୀବନର ଯଥାକ୍ରମେ ଦଶବର୍ଷ ଓ ଆଠବର୍ଷ ବିତିଯାଇଥାଏ।ଦୁଇ ଭାଇଙ୍କର ପ୍ରତ୍ୟେକ ଦୁଇଟି କରି ଚାରୋଟି କନ୍ୟା ରତ୍ନ ଗୃହ ଉଜ୍ଜ୍ବଳ କରୁଥାନ୍ତିି। ବଡ଼ଭାଇ ରିତେଶ ଓ ମଝିଆଁ ସୁରେଶ ନୟାଗଡ଼ରେ ଚାକିରି କରୁଥିବାରୁ ଘରୁ ଯିବା ଆସିବା କରୁଥାନ୍ତି ।
ଝିଆରୀ ମାନଙ୍କୁ ବହୁତ୍ ଭଲ ପାଆନ୍ତି ସରୋଜ। ଅତି ସୁନ୍ଦର ଓ ଗୁଣର ହୋଇଥିଲେ ସେହି ଚାରୋଟି କନ୍ୟା। ଭୁବନେଶ୍ବରରୁ ଯେତେବେଳେ ସେ ପୈତୃକ ଗ୍ରାମ ଶରଣକୁଳ ଆସନ୍ତି ସବୁ ଝିଆରୀଙ୍କ ପାଇଁ କିଛି ନା କିଛି ମନଲାଖି ଜିନିଷ ଆଣିଥାନ୍ତି।ଝିଆରୀମାନେ 'କାକୁ'ଙ୍କୁ ଏମିତି ଭଲ ପାଆନ୍ତି ସତେ ଯେମିତି କାକୁ ସେମାନଙ୍କ ଜୀବନ।ସବୁ ଶନିବାର ରାତିକୁ ସେମାନେ ଅପେକ୍ଷା କରିଥାନ୍ତି କାକୁଙ୍କ ଉପହାର ସହିତ ଗେଲ ପାଇବା ପାଇଁ।ନିଦ ଲାଗିଲେ ମଧ୍ୟ ଆଖିରେ ପାଣି ମାରି ଢୁଳେଇ ଢାଳେଇ ବସି ରହନ୍ତି କାକୁଙ୍କ ଆଗମନ ପାଇଁ।
ସରୋଜ ବାବୁଙ୍କ ମାଆ ସୁହାସିନୀଙ୍କ ଆଖିରେ ସବୁବେଳେ ଲୁହ।ସେ ମହା ମନ ଦୁଃଖରେ ଥାଆନ୍ତି।ଘରେ ଚାରି ଚାରିଟା ଝିଅ ,ପାଣି ଦବାକୁ ବକଟେ ବି ନାତି ନାହିଁ। ନାତୁଣୀ ମାନଙ୍କୁ ଦେଖିଲେ ସେ ରାଗରେ ଫଣଫଣ ହୁଅନ୍ତି। ସରୋଜ ବାବୁ ସେମାନଙ୍କୁ ଗେଲ କରିବା ଦେଖି କହନ୍ତି ..ଓଃ ସରାଗ ଖାଲି ଛିଣ୍ଡି ପଡ଼ୁଚି, କାହିଁକି ଏ ଗୁଡାକୁ ମୁଣ୍ଡରେ ବସେଇଚୁ ସରୋଜ;କାଲି କି କାଲି ହାତରୁ ଦିହାତ ହୋଇ ପରଘରେ ଯାଇ ଅଇଁଠା ମାଜିବେ।ପୁଅ ବକଟେ ନାହିଁ ଯେ ଏଣେ କୁଳ ବୁଡିବାକୁ ବସିଲାଣି,ୟାଙ୍କର ଗେଲ ଉଛୁଳୁଚି।
ସରୋଜ ବାବୁ କହନ୍ତି... କାହିଁକି ଏମିତି ହଉଚୁ ବୋଉ ?ତୋ ନାଁ ସୁହାସିନୀ,ମନରୁ ସବୁ ଦୁଃଖ ଦୂର କରି ତୁ ସବୁବେଳେ ହସ ହସ ମୁହଁରେ ରହିବା କଥା। ପୁଅ ଆଉ ଝିଅ ଭିତରେ ପ୍ରଭେଦ କଣ।ଦେଖୁଛୁ ତ ଚାରୋଟି ଲକ୍ଷ୍ମୀଙ୍କ ଉପସ୍ଥିତିରେ କେମିତି ଘର ଆମର ପୂରି ଉଠୁଛି।ସୁହାସିନୀ କାନିରେ ଲୁହ ପୋଛୁ ପୋଛୁ କହନ୍ତି...କୋଉ ଜନ୍ମରେ ଆମେ କି ପାପ କରିଥିଲୁ କେଜାଣି ଆମ ପରେ ପିଣ୍ଡ ପାଣି ଦବାକୁ ଘରେ ଅଣ୍ଡିରା ପିଲାଟିଏ ନାହିଁ। ଆଜି କାଲି ଯେଉଁ ଯୈାତୁକ ଯୁଗ, ଝିଅମାନଙ୍କ ବାହାଘରରେ ମୋ ପୁଅମାନେ ତଳିତଳାନ୍ତ ହେବା ନିଶ୍ଚିତ।ଘରେ କଳାକନା ବୁଲିଯିବ।
ବଢଭାଇ ରିତେଶ କହନ୍ତି...ବୋଉ,ଆମେ ପିଣ୍ଡପାଣି ପାଇବୁନି ବୋଲି ତୁ କାହିଁକି ଏତେ ଚିନ୍ତା କରୁଛୁ ? ଆଜିକାଲି ଝିଅମାନେ ପରା କ୍ରିୟା ଧରିଲେଣି, ପିଣ୍ଡଦାନ କଲେଣି।ଆମେ ସମସ୍ତେ ଏକାଠି ଅଛୁ ବୋଲି ତତେ ଝିଅ ମାନଂକ ସଂଖ୍ୟା ଅଧିକ ଦେଖା ଯାଉଛି। ବାହାରେ ଚାକିରି କରିଥିଲେ ନିଜ ନିଜର ପରିବାର ନେଇ ରହିଥାନ୍ତୁ। ସେତେବେଳେ ଘରେ ଝିଅଙ୍କ ସଂଖ୍ୟା ଏମିତି ଆଖି ଦୃଶିଆ ହୁଅନ୍ତା ନାହିଁ।
ନାତିଟିଏ ପାଇଁ ତୋର କାହିଁକି ଏତେ ଚିନ୍ତା ? କାଲିକି କାଲି ସରୋଜ ବାହାହେଲେ ତାର ପୁଅ ନହେବ ବୋଲି କଣ ମାନେ ଅଛି? ସବୁବେଳେ ଏମିତି ଆଖିରୁ ଲୁହ ଝରାନି ବୋଉ। ଝିଅମାନଙ୍କୁ ସ୍ନେହ ଶ୍ରଦ୍ଧା ଦେଇ ବଢେଇଲେ ସିନା ସେମାନଙ୍କର ବ୍ୟକ୍ତିତ୍ବର ବିକାଶ ହେବ।କାଲିକି କାଲି ସେମାନେ ପାଠଶାଠ ପଢି ନିଜ ଗୋଡ଼ରେ ଠିଆ ହେବେ; ସେମାନଙ୍କ ବାହାଘର, ଜାନି ଯୌତୁକ ପାଇଁ ଏବେଠାରୁ ତୋର ଏତେ ଚିନ୍ତା କାହିଁକି ? ସେମାନେ ଚାକିରି ବାକିରି କରି ନିଜ କଥା ବୁଝିବେନି ?
ଅଳ୍ପଦିନରେ ସରୋଜ ବାବୁଙ୍କ ପାଳି ପଡ଼ିଲା।ନିଜ କର୍ମଭୂମି ସେକ୍ରେଟେରିଏଟ୍'ରେ ଚାକିରି କରୁଥିବା ଶୁଭ ଲକ୍ଷ୍ମୀଙ୍କ ସହିତ ସେ ପରିଣୟ ବନ୍ଧନରେ ବାନ୍ଧି ହୋଇଗଲେ। ଭୁବନେଶ୍ବରରେ ଚାରି ନମ୍ବର କଲୋନିରେ ରହି ମଧୁର ଦାମ୍ପତ୍ୟର ଅମୃତ ମଧୁ ପାନକରିବା ଅବସରରେ ପ୍ରଣୟ ପୁଷ୍ପରେ ଫଳ ଧରିବା ଆଭାସ ସେ ପାଇଲେ।ଶୁଭଲକ୍ଷ୍ମୀ ଅନ୍ତଃସତ୍ବା ହେବା ସମ୍ବାଦ ପାଇ ସୁହାସିନୀ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଲେ।ତାଙ୍କର ଦୃଢ ବିଶ୍ବାସ ଯେ ସରୋଜର ନିଶ୍ଚୟ ପୁଅଟିଏ ଜନ୍ମ ହେବ ଏବଂ ଘରର ଆଣ୍ଠୁକୁଡା ଦୋଷ କଟିବ। ଏଭଳି ଦୃଢ ବିଶ୍ବାସର ଆଧାର ସେ ନିଜେ ଜାଣିନଥିଲେ ମଧ୍ୟ
କିଛି ଗୋଟାଏ ଷଷ୍ଠ ଇନ୍ଦ୍ରିୟ (6th sense)ତାଙ୍କର ଏହି ଚିନ୍ତାଧାରାକୁ ପରିଚାଳିତ କରୁଥିଲା।
ନିଜେ ଭୁବନେଶ୍ବର ଆସି ବୋହୂ ପାଇଁ ସତ୍ୟନାରାୟଣ ପୂଜା ଠାରୁ ଆରମ୍ଭ କରି ଦୁଷ୍ଟ-ଗ୍ରହ ଶାନ୍ତି ପାଇଁ ସବୁପ୍ରକାର ପୂଜାପାଠ କରାଇଲେ। ଏଭଳି ଅନ୍ଧବିଶ୍ୱାସ ଜନିତ ପୂଜାପାଠକୁ ପ୍ରୋତ୍ସାହିତ କରିବାପାଇଁ ଭଣ୍ଡ ଜ୍ୟୋତିଷ ଓ ପୁରୋହିତ ମାନଙ୍କର ଅଭାବ ନାହିଁ।ବହୁ ଅର୍ଥ ବିନିଯୋଗରେ ଗୋଟିଏ ପୁତ୍ରେଷ୍ଟି ହୋମ ମଧ୍ୟ ସରୋଜ ବାବୁଙ୍କୁ କରିବାକୁ ପଡ଼ିଲା, କେବଳ ସୁହାସିନୀଙ୍କୁ ସନ୍ତୁଷ୍ଟ କରିବାପାଇଁ। ଜ୍ୟୋତିଷ ତଥା ପୁରୋହିତ ମହାଶୟ କହିଲେ... "ବାବୁଙ୍କର ନିଶ୍ଚିତ ଭାବରେ ପୁଅ ହେବ;ନହେଲେ ମୁଁ ପଇତା ଛିଣ୍ଡେଇ ପୁରୋହିତଗିରି ଛାଡିଦେବି।"
ତିନିମାସ ପୂର୍ବରୁ ପ୍ରସୂତି ଅବକାଶ (maternity leave) ନେଇ ଶୁଭଲକ୍ଷ୍ମୀ ଘରେ ରହିଲେ।ସୁହାସିନୀ ଗାଁ'ଘର ଛାଡି ଭୁବନେଶ୍ବରରେ ବଧୂ ସେବାରେ ଲାଗିପଡିଲେ କାରଣ ଘରକୁ ବଂଶ ରକ୍ଷାକାରୀ ନାତି ଆସିବ; ଏମିତି ସେମିତି କଥା ହେଇଚି ନା କଣ !
ଦିନେ ଏକାନ୍ତରେ ସରୋଜ ବାବୁ ଶୁଭଲକ୍ଷ୍ମୀଙ୍କୁ କହିଲେ..ନାତି ପାଇବ ବୋଲି ବୋଉର କେତେ ଆତ୍ମବିଶ୍ବାସ ! ଯଦି ନାତୁଣୀ ହୁଏ,କଣ ହବ ତା ଅବସ୍ଥା କିଏ ଜାଣେ ?
ଶୁଭଲକ୍ଷ୍ମୀ କହିଲେ...ବୋଉଙ୍କ କଥା ଛାଡ,ତୁମେ କଣ ଚାହୁଁଛ,ଝିଅ ନାଁ ପୁଅ? ହସ ରୋକି ନପାରି ସରୋଜ କହିଲେ.. ଲାଗୁଛି କାମଧେନୁ ଭଳି ଇଚ୍ଛା ପୂର୍ଣ୍ଣ କରିବା ଶକ୍ତି ତୁମର ମଧ୍ୟ ଅଛି। ଦେଖ ଶୁଭ ! ପୁଅ ବା ଝିଅ ହେବା ଆମ ହାତରେ ନାହିଁ, କିନ୍ତୁ ଝିଅଟିଏ ହେଲେ ମୁଁ ଖୁସି ହେବି।" ଶୁଭଲକ୍ଷ୍ମୀ କହିଲେ..ମୋର ମଧ୍ୟ ସେଇଆ ଇଚ୍ଛା।
କହିବା ବାହୁଲ୍ୟ ଶୁଭଲକ୍ଷ୍ମୀଙ୍କ କୋଳ ମଣ୍ଡନ କରି ଝିଅଟିଏ ହିଁ ଜନ୍ମ ନେଲା।ସରୋଜ ବାବୁଙ୍କ ଆନନ୍ଦ କହିଲେ ନସରେ।ସୁହାସିନୀ ଝିଅ ଜନ୍ମହେବା ଖବର ପାଇ ମୂର୍ଚ୍ଛିତା ହେଉ ହେଉ ନିଜକୁ ସମ୍ଭାଳି ନେଲେ। କିନ୍ତୁ ନବାଗତା କନ୍ୟାର ମୁଖ ଦର୍ଶନ କରିବା ପାଇଁ ଅପେକ୍ଷା ନକରି ସିଧା ଗାଁକୁ ଯାଉଥିବା ବସ୍'ରେ ଚଢିଲେ। ସରୋଜ ବାବୁ ଯେତେ ଚେଷ୍ଟା କଲେ ମଧ୍ୟ ସୁହାସିନୀ ଅଟକିଲେ ନାହିଁ ।
ଝିଅ 'ପୂଜା'ର ଏକୋଇଶିଆ ମହା ସମାରୋହରେ ପାଳନ କଲେ ସରୋଜ ଦମ୍ପତି। ଗାଁରୁ ବାପା,ଭାଇ ଭାଉଜ ଆସି ଏକୋଇଶିଆର ଖୁସି ମୁହୂର୍ତ୍ତରେ ଯୋଗ ଦେଲେ। କିନ୍ତୁ ସୁହାସିନୀ ଆସିଲେ ନାହିଁ।ଶାଶୂଙ୍କର ଏଭଳି ମନୋଭାବ ଶୁଭଲକ୍ଷ୍ମୀଙ୍କ ମନରେ ଗଭୀର ଦୁଃଖ ଦେଲା।ସେ ସରୋଜଙ୍କୁ କହିଲେ.. ମୁଁ ଆଉ ତୁମ ଘରର ଦୁଆର ବିଲକୁଲ୍ ମାଡିବି ନାହିଁ।
ଏଭିତରେ ବର୍ଷଟିଏ ବିତି ଯାଇଛି। ଦିନେ ହଠାତ୍ ବଡ଼ଭାଇ ରିତେଶ୍ ଆସି ସରୋଜଙ୍କ ଘରେ ପହଞ୍ଚିଲେ। କହିଲେ...ବୋଉର ଆଦେଶ ଅତି ଶୀଘ୍ର ଗାଆଁକୁ ଚାଲ। ଝିଅ 'ପୂଜା' ପାଇଁ ବୋଉ ମାଙ୍ଗଳିକ ସତ୍ୟନାରାୟଣ ଅନୁଷ୍ଠାନ ଆୟୋଜନ କରିଛି। କଥା କଣ କି କାଲି ସୁରେଶର ପୁଅଟିଏ ହେଇଚି।ଅପୁଆ ଘରକୁ ପୁଅ ଆସିଛି। ପୁରୋହିତଙ୍କ କହିବା କଥା ଝିଅ ପୂଜା ହିଁ ଭାଇକୁ ଆଣିଛି।ଆମ 'ପୂଜା' ସାଧାରଣ ଝିଅ ନୁହେଁ,ସେ ଆମ ଘରର ପ୍ରକୃତ ଲକ୍ଷ୍ମୀ ବୋଲି ବୋଉର ବିଶ୍ବାସ।
ସରୋଜ ହସ ରୋକି ପାରିଲେ ନାହିଁ, କହିଲେ..ଦେଖୁଛ ଶୁଭଲକ୍ଷ୍ମୀ ,ଆମ ପୂଜାର କେମିତି ଗୃହଲକ୍ଷ୍ମୀ ପଦକୁ ପ୍ରମୋଶନ ହୋଇଯାଇଛି।ଚାଲ ଗାଁକୁ ଯିବା,ଆଉ ଅଭିମାନ କରନାହିଁ।
ସରୋଜ ଦମ୍ପତି ଗାଁରେ ପହଞ୍ଚି ପୂଜା ପାଇଁ ହେଉଥିବା ବିପୁଳ ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ସୁହାସିନୀଙ୍କ ଗୋଡ଼ ତଳେ ପଡୁନଥାଏ। ପୂଜାକୁ କୋଳରେ ଧରି କେତେ ଥର ଯେ ତା ଗାଲରେ ଚୁମା ଆଙ୍କି ଦେଲେ ତାର ଠିକଣା ନାହିଁ।ଆଖିରୁ ଆନନ୍ଦର ଲୁହ ବହିଯାଉଥାଏ ଏବଂ କହୁଥାନ୍ତି...ମୋ ପୂଜା ଘରକୁ ଭାଇ ଆଣିଚି।ମୋ ପୂଜା ପରି କିଏ ହବ ?" ସେପଟେ ଏନ୍ତୁଡ଼ିଶାଳରେ ନବାଗତ ଭାଇର କୁଆଁ କୁଆଁ ରାବ ଶୁଣା ଯାଉଥାଏ।
ପୂଜା ପାଇଁ ପୂଜା ଚାଲିଥାଏ;ଏଣେ ଭଉଣୀ ମାନଙ୍କ ହାତକୁ ଫୁରୁସତ ନଥାଏ। ପୂଜାକୁ ଧରି ସେମାନେ ସାହିରେ ଘରେ ଘରେ ବୁଲି କହୁଥାନ୍ତି...ଦେଖ ଆମ ପୂଜାକୁ,ଇଏ ଆମ ଘରକୁ ଭାଇ ଆଣିଚି।
(©️ କୁଳମଣି ଷଡଙ୍ଗୀ)