ଫେରିଆସ ରମାକାନ୍ତ
ଫେରିଆସ ରମାକାନ୍ତ
କାନରେ ଝୁମୁକା ନାଇଥିଲା ବୋଲି ରମାକାନ୍ତ ତାକୁ ଡାକୁଥିଲା ଝୁମୁକୀ। କିନ୍ତୁ ତା ଭଲ ନାଆଁଟି ଥିଲା ଉମା। ତା ଭଲ ନାଆଁଟି କେମିତି ଉମା ହେଲା,ତାହା କିଛି ଗହନ କଥା ନୁହେଁ।ସେ ମାଆ ପେଟରେ ଥିଲାବେଳେ ତା' ମାଆ ଉମାଦେଈ ଠାକୁରାଣୀଙ୍କ ପାଖରେ ମଥା ନୁଆଇଁ କହିଥିଲେ...ମାଆଲୋ, ତୋ ମୁଣ୍ଡରେ ଲକ୍ଷେ ମନ୍ଦାର ଚଢ଼େଇଲା ପରେ ମୋ ବାଂଝ ଦୋଷ କଟିବାକୁ ଯାଉଛି; ଝିଅଟିଏ ହେଲେ ନାଁ ଦେବି ଉମା, ପୁଅଟିଏ ହେଲେ ଉମାକାନ୍ତ।
ଝୁମୁକୀ ବଡ଼ ହେଇ ଯେତେବେଳେ ଚମ୍ପା ଫୁଲ ଭଳି ବାସିଲା, ରମାକାନ୍ତ ସେ ବାସ୍ନାରେ ବିଭୋର ହୋଇ ତାକୁ ଭଲ ପାଇ ବସିଲା। ଝୁମୁକୀ ନାହିଁ ନାହିଁ କରୁକରୁ କେତେବେଳେ ଯେ ହଁ ଭରିଦେଲା ନିଜେ ଜାଣି ପାରିଲାନି।ଗାଁ ସ୍କୁଲରେ ଦୁଇଜଣଯାକ ଦଶମ ଶ୍ରେଣୀରେ ପାଠ ପଢୁଥିଲେ; ଦୁଇଜଣ ଯାକ ଫେଲ୍ ହେଲେ।ଫେଲ୍ ନୁହେଁ ତ ଆଉ କଣ? 'ଇ' ଗ୍ରେଡ଼ଟା କୋଉ ପାଶ୍'ରେ ଗଣା ହୁଏ ଯେ ?
ପରୀକ୍ଷା ଫଳ ବାହାରିବା ଦିନ ଦୁହେଁ ସଞ୍ଜବେଳେ ଉମାଦେଈ ଠାକୁରାଣୀଙ୍କ ମନ୍ଦିର ପଛପଟେ ବସି ମେଞ୍ଚେ କାନ୍ଦିଲେ।ଉମାଦେବୀ ଠାକୁରାଣୀଙ୍କ ଜାନୀ (ପୂଜାରୀ)ସେ ଦୁହିଁଙ୍କୁ ଆକ୍ଷେପ କରି ଦି'ଚାରିପଦ ବୋଲିବାଣୀ କଲେ ବି ନଶୁଣିଲାଭଳି ସେ ଦୁହେଁ ସେଇଠି ବସି ରହିଲେ।
ସଞ୍ଜ ଯାଇ ରାତି ଦିଘଡି ହେଲା। ସେଦିନ କେଉଁ ତିଥି ଥିଲା କେଜାଣି ଜହ୍ନହୀନ ଆକାଶରେ ମେଞ୍ଚା ମେଞ୍ଚା ତାରା ଖୁନ୍ଦି ହୋଇଥିଲେ। ରମାକାନ୍ତ କହିଲା...ଝୁମୁକୀ,ସତରେ ଲୋ ତୁ ମୋ ଯୋଗୁଁ ହିଁ ଫେଲ୍ ହେଇଗଲୁ।ରାଗିଚୁ ତୁ ମୋ ଉପରେ ?ଝୁମୁକୀ କହିଲା.. ଧେତ୍, ମୁଁ ମୋ ନିଜ ଦୋଷରୁ ଫେଲ୍ ହେଲି ,ତମର ସେଥିରେ ଭୁଲ୍ କଣ ? ମୁଁ ଯଦି ସେଇ ପ୍ରଶ୍ନ ତୁମକୁ ପଚାରେ ?ତୁମେ କଣ କହିବ ଯେ ମୋ ପାଇଁ ତୁମେ ଫେଲ୍ ହେଲ ? ଆମର ପାଠରେ ସେତିକି ଦଉଡ ଥିଲା।ଆମ ଘରେ କିଏ ପାଠୁଆ ଲୋକ ଅଛନ୍ତି ଯେ ଆମ ପାଖରେ ବସି, ପାଠ ପଢେଇ ଠିକ୍ ବାଟ ଦେଖେଇ ଥାଆନ୍ତେ ? ମୋ ବାପା ଛେଳି ଚରାଳି ଆଉ ତମ ବାପା ଗାଈ ଚରାଳି । ସେଇଟା ଆମ ଭାଗ୍ୟର ଦୋଷ।"
ରମାକାନ୍ତ କିଛି ସମୟ ନିରବ ରହି ପଚାରିଲା... ତୁ ମତେ କେତେ ଭଲ ପାଉଛୁ କହିଲୁ।ଝୁମୁକୀ ଆକାଶକୁ ଚାହିଁ କହିଲା... ଆକାଶକୁ ଚାହଁ ଆଉ ଗଣିକି କୁହ କେତେ ତାରା ସେଠାରେ ଅଛନ୍ତି।" ରମାକାନ୍ତ କହିଲା.. ଏଇଟା କଣ ଏତେ ସହଜ କଥା?ଲୋକେ କହନ୍ତି ପଠାଣି ସାଆନ୍ତେ ଆକାଶର ତାରା ଗଣିଥିଲେ।ସିଏ ବି କଣ ସବୁ ତାରା ଗଣି ପାରିଥିବେ ?
ଝୁମୁକୀ କହିଲା... ଠିକ୍ ଯେମିତି,ଆକାଶର ତାରାମାନଙ୍କୁ ଗଣିବା ଅସମ୍ଭବ ସେମିତି ତୁମ ପାଇଁ ମୋ ଭଲ ପାଇବା କଳନା କରିବା ଅସମ୍ଭବ।
ରମାକାନ୍ତ କହିଲା...ତୁ ଯଦି ସତରେ ମତେ ଏତେ ଭଲ ପାଉ,ତାହେଲେ ଚାଲ୍ ଗାଁ ଛାଡି ପଳେଇଵା। ଭୁବନେଶ୍ବରରେ ମୁଁ ରିକ୍ସା ଟାଣି ରୋଜଗାର କରିବି।ତୁ ବାବୁମାନଙ୍କ ଘରେ କାମ କରି ଦି'ପଇସା କମେଇବୁ।ଆମ ସଂସାର ସୁରୁଖୁରୁରେ ଚାଲିବ।"
ଝୁମୁକୀ କହିଲା.. ନାଁ ନାଁ, ମୁଁ ସେମିତି ତୁମ ସାଙ୍ଗରେ ଯାଇ ପାରିବି ନାହିଁ। ରିକ୍ସା ଟାଣିବା କାମ ମୋର ପସନ୍ଦ ନୁହେଁ।ତୁମେ କିଛି ଭଲ କାମ କରି ରୋଜଗାରିଆ ହେବା ପରେ ମୋ ବାପା ମାଆଙ୍କ ପାଖରେ ବାହାଘର ପ୍ରସ୍ତାବ ପକେଇବ।ଘରେ ସମସ୍ତଙ୍କ ଆଶୀର୍ବାଦ ନେଇ ମୁଁ ତୁମକୁ ବାହାହେବି। ତୁମ ସାଙ୍ଗରେ ଏମିତି ପଳାଇଲେ ମୋର ଓ ମୋ ପରିବାରର ଆତ୍ମ ସମ୍ମାନ ହାନି ହେବ।ଆମ ଭଳି ଗରିବ ମାନଙ୍କର ଆତ୍ମ ସମ୍ମାନ ହିଁ ବଡ଼ ସମ୍ପଦ।"
ରମାକାନ୍ତ ଗାଁ ଛାଡି ଚାଲିଗଲା।ସେ ଯିବା ପରେ ଅଳ୍ପଦିନ ଭିତରେ ଝୁମୁକୀର ବାପା ଟୁବୁରୀ ପାହାଡ ଉପରେ ଛେଳି ଚରାଉଥିବା ସମୟରେ ବଜ୍ରପାତରେ ସେପାରିକୁ ଚାଲିଗଲେ। ଝୁମୁକୀର ହସିଲା ଖେଳିଲା ସୁଖୀ ସଂସାର ଉପରେ ବଜ୍ରପାତ ହେଲା।
ଘରୁ ରୋଜଗାରିଆ ମୁଣ୍ଡ ଚାଲିଗଲା ପରେ ପେଟ ପୋଷିବା ଉପାୟ ଖୋଜିବାରେ ଲାଗିଲେ ଝୁମୁକୀ ଓ ତା'ମାଆ।ଦୁଆର ମୁହଁରେ ବସି ବରା, ଗୁଲୁଗୁଲା ଆରିସା ଇତ୍ୟାଦି ବିକିବା କାମ ଛଡା ଆଉ କିଛି ଉପାୟ ନଥିଲା।ଥରେ ଜଣେ ସହରୀ ବାବୁ ଗାଁକୁ ଆସିଥିବା ସମୟରେ ଝୁମୁକୀ ହାତ ତିଆରି ଆରିସା ଖାଇ ବହୁତ୍ ପ୍ରଶଂସା କଲେ। ଭୁବନେଶ୍ବରରେ ଥିବା ଜଣେ ପ୍ରସିଦ୍ଧ ଆରିସା ବ୍ୟବସାୟୀ ସହିତ ସେ ଝୁମୁକୀର ପରିଚୟ କରାଇଦେଲେ।ଝୁମୁକୀର ହାତ ତିଆରି ଆରିସାର ଚାହିଦା ଖାଲ
ି ପ୍ରଦେଶରେ କାହିଁକି ବାହାରେ ମଧ୍ୟ ବଢ଼ିବାକୁ ଲାଗିଲା।ମାଆ ଝିଅ ଦୁଇଜଣଙ୍କୁ ଫୁରୁସତ ମିଳିଲାନି ଆରିସା ଚାହିଦା ମେଣ୍ଟାଇବା ପାଇଁ।ଘରର ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଗଲା।
କର୍ମ ଜଞ୍ଜାଳ ଭିତରେ ଥାଇ ମଧ୍ୟ ରମାକନ୍ତକୁ ଭୁଲି ପାରିନାହିଁ ଝୁମୁକୀ। ମଝିରେ ମଝିରେ ରମାକାନ୍ତ ଫୋନ୍ କରେ।ରମା କହେ ... ମୁଁ ଗୋଟିଏ ବଡ଼ ବ୍ୟବସାୟ କରି ମୋଟା ପଇସା ରୋଜଗାର କରୁଛି ଝୁମୁକୀ। ଅଳ୍ପଦିନରେ ଗାଁକୁ ଆସି ତୋ ମାଆଙ୍କ ପାଖରୁ ତତେ ମାଗିନେବି।
ଦିନେ ସତକୁ ସତ ରମାକାନ୍ତ ଗାଁରେ ପହଞ୍ଚିଲା।ବେକରେ ମୋଟା ମୋଟା ପାଞ୍ଚଟା ସୁନା ଚେନ୍ ଓହଳି ଥାଏ;ହାତରେ ସୁନା ବ୍ରେସଲେଟ୍।ଚିକ୍କଣ ଚେହେରାରେ ଆଭିଜାତ୍ୟର ଛାପ।ଦେଢଲକ୍ଷ ଟଙ୍କିଆ ବୁଲେଟ୍ ୩୫୦ ଗାଡି ଧରି ରମାକାନ୍ତ ଯେତେବେଳେ ଗାଁରେ ଦୁଇ ରାଉଣ୍ଡ୍ ମାରିଦେଲା,ସମସ୍ତଙ୍କ ଆଖି ଖୋସି ହୋଇଗଲା। ରମାକାନ୍ତ ହାତରେ ଝୁମୁକୀକୁ ସମ୍ପି ଦେବାରେ କୌଣସି ଆପତ୍ତି ନଥିଲା ଝୁମୁକୀ ମାଆଙ୍କର।ତାଙ୍କର କେବଳ ଗୋଟିଏ ଚିନ୍ତା,ଝୁମୁକୀ ନଥିଲେ କେମିତି ସେ ଆରିସା ବ୍ୟବସାୟ ସମ୍ଭାଳିବେ।
ରମାକାନ୍ତକୁ ପାଇ ଝୁମୁକୀ ସତେ ଯେମିତି ଆକାଶର ଜହ୍ନ ହାତ ପାଆନ୍ତା୍ରେ ପାଇଗଲା । ସେମାନଙ୍କ ସମ୍ପର୍କକୁ ନେଇ ଗାଁରେ ଆଗରୁ ଯେତେ ସବୁ ଟୁପ୍ ଟାପ୍ ଥିଲା,ବାହାଘର ପରେ ସେ ସବୁ ଉଭେଇ ଗଲା, ସୂର୍ଯ୍ୟକିରଣ ସ୍ପର୍ଶରେ ସକାଳୁଆ କୁହୁଡି ଭଳି।
ଝୁମୁକୀକୁ ସାଙ୍ଗରେ ନେଇ ରମାକାନ୍ତ ତା' କର୍ମକ୍ଷେତ୍ର ବାଲେଶ୍ବର ଚାଲିଗଲା।ବିଶାଳ ଆଲିଶାନ୍ ପାଞ୍ଚ ମହଲା କୋଠା ; ଚାରିପଟେ ମେଘନାଦ ପାଚେରୀ। କୋଠାର ଉପରେ ମହଲାରେ ଝୁମୁକୀ ସହିତ ନିଜେ ରମାକାନ୍ତ ରହିଲା।ସବା ତଳ ମହଲାରେ ଅଫିସ୍।ତା ଉପରେ ତିନୋଟି ମହଲାରେ ପ୍ରାୟ ପଚାଶଜଣ କର୍ମଚାରୀଙ୍କ ରହଣିର ବ୍ୟବସ୍ଥା। ସେମାନଙ୍କ ଭିତରୁ ଅର୍ଦ୍ଧାଧିକ ପୁରୁଷ ଏବଂ ବାକି ଅନ୍ତେବାସୀ ତୃତୀୟଲିଙ୍ଗୀ।
ଝୁମୁକୀ ଜାଣିବାକୁ ପାଇଲା,ଲିଙ୍ଗ ନିର୍ବିଶେଷରେ ସମସ୍ତେ ସକାଳୁ ଶାଢୀ ପିନ୍ଧି, ଘରଭିତରେ ଥିବା ମଙ୍ଗଳାଙ୍କ ନିକଟରେ ମଥା ନୁଆଇଁ ପ୍ରଣାମ କରନ୍ତି ଏବଂ ଖାଇପିଇ ନିଜ ନିଜର କର୍ମକ୍ଷେତ୍ରକୁ ଚାଲି ଯାଆନ୍ତି। ସନ୍ଧ୍ୟା ସମୟକୁ ଫେରିଆସି ନିଜ ନିଜର ଅର୍ଜିତ ଅର୍ଥ ମ୍ୟାନେଜର ରମାକାନ୍ତ ଜିମାରେ ପଇଠ କରନ୍ତି। ମାସ ଶେଷରେ ସେମାନଙ୍କ ଦରମା ଏବଂ ବର୍ଷ ଶେଷରେ ଦରମା ସହିତ ବୋନସ୍ ଇତ୍ୟାଦି ଦିଆଯାଏ। ସେମାନଙ୍କ ମୁଖ୍ୟ କାମ ଥିଲା ବସ୍ ଷ୍ଟାଣ୍ଡ,ଟ୍ରାଫିକ ଛକ,ଦେବାଳୟ ଇତ୍ୟାଦି ସ୍ଥାନମାନଙ୍କରେ "ଏ ରାଜା ଦେ,ଏ ସଲମାନ୍ ଦେ,ଏ ଶାହାରୁଖ ଦେ" କହି ଭିକ ମାଗିବା;ବାହାଘର,ବ୍ରତଘର ସ୍ଵନକ୍ଷତ୍ର ଇତ୍ୟାଦି କାର୍ଯ୍ୟରେ ଉପସ୍ଥିତ ରହି ଆଶୀର୍ବାଦ ଦେଇ ମୋଟା ଦେୟ ଆଦାୟ କରିବା ଏବଂ ରାତିରେ ବେଶ୍ୟା ବୃତ୍ତି କରିବା । ଏହି ବୃତ୍ତି ବ୍ୟତୀତ ଓଡ଼ିଶାରୁ ପଶ୍ଚିମ ବଙ୍ଗ ଏବଂ ବଙ୍ଗଳାଦେଶକୁ ଗାଈଗୋରୁ ଚାଲାଣ କରିବା,ଗଞ୍ଜେଇ,ଅଫିମ ଇତ୍ୟାଦି ଚୋରା ଦେଢ଼ ନେଣ କାମ କରିବା ମଧ୍ୟ ସେମାନଙ୍କ ଅନୈତିକ ବ୍ୟବସାୟର ଅନ୍ତର୍ଭୁକ୍ତ ଥିଲା। ଏହି ଗୋରଖ ଧନ୍ଦାରେ କାରପଟଦାର (କିଙ୍ଗ୍ ପିନ୍) ଥିଲା ସ୍ବୟଂ ରମାକାନ୍ତ।ଝୁମୁକୀ ଭାବିଲା... ବାଃ ! କି ବ୍ୟବସାୟ ସତେ !!
ସ୍ୱାମୀର ଏଭଳି ଦୁଇ ନମ୍ବର କାରବାର ବିଷୟରେ ଜାଣିବାପରେ ଝୁମୁକୀ ସେଠାରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିବିକୁ ଚାହିଁଲା ନାହିଁ। ରମାକାନ୍ତ ଅଫିସକୁ ଚାଲିଯିବା ପରେ ଗୋଟିଏ ଚିଠି ଲେଖି ଶେଯ ଉପରେ ଥୋଇଦେଇ ଝୁମୁକୀ ଚାଲିଗଲା।ଝୁମୁକୀ ଲେଖିଥିଲା..
ରମାକାନ୍ତ , ମୋତେ ଭୁଲ୍ ବୁଝିବନି; ତୁମର ଏହି ଅସତ୍ୟ ରାଜମହଲରେ ମୁଁ ଅଣନିଃଶ୍ବାସୀ ହୋଇ ପଡିଲି, ସେଥିପାଇଁ ତୁମକୁ ଛାଡି ସବୁଦିନ ପାଇଁ ଚାଲି ଯାଉଛି।ତୁମର ଏ ଗୋରଖ ଧନ୍ଦାର ବେଇମାନୀ ରୋଜଗାର ଖାଇ ମୋ ଆତ୍ମାକୁ ମୁଁ ଅପବିତ୍ର କରିବାକୁ ଚାହେଁନାହିଁ। ମାଆ ପାଖରେ ରହି ଆରିସା ବିକ୍ରି କରି ମୋ ଗୁଜୁରାଣ ମୁଁ ଭଲରେ ମେଣ୍ଟାଇ ପାରିବି। ସେଥିରେ ଅଛି ଆତ୍ମସମ୍ମାନ ଓ ଆତ୍ମତୃପ୍ତି।
ମୁଁ ତ ତୁମ ପାଖକୁ ଆଉ ଫେରିବାର ପ୍ରଶ୍ନ ଉଠୁନାହିଁ; କିନ୍ତୁ ତୁମେ ଚାହିଁଲେ,କଳା କାରବାର ଛାଡି ମୋ ପାଖକୁ ଫେରିଆସି ଆରିସା ବ୍ୟବସାୟରେ ମୋତେ ସାହାଯ୍ୟ କରିପାରିବ। ସେହି ସତ୍ ବୃତ୍ତିରେ ଆମ ସଂସାର ଖୁସିରେ ଚଳିପାରିବ।