STORYMIRROR

Kulamani Sarangi

Tragedy Inspirational

4  

Kulamani Sarangi

Tragedy Inspirational

ଶାନ୍ତିବନ

ଶାନ୍ତିବନ

5 mins
6



ଘର ଆଗରେ ଥିବା ବଗିଚାର ବିସ୍ତୃତ ଘାସ ଗାଲିଚାରେ ଆରାମ ଚଉକି ଉପରେ ବସି ସୁନୟନା ଉଦିତ ସୂର୍ଯ୍ୟର କଅଁଳ କିରଣରେ ସ୍ନାନ କରୁଥିଲେ। ଫେବୃଆରୀ ମାସର ନରମ ପ୍ରଭାତ। ସୂର୍ଯ୍ୟ ଚକ୍ରବାଳ ଅତିକ୍ରମ କରି କିଛି ଉପରକୁ ଉଠି ଯାଇଥିଲେ ମଧ୍ୟ ଘାସ ଉପରେ ଏବେ ବି ରାତିରେ ପଡିଥିବା ଶିଶିର ବିନ୍ଦୁ ଉପରେ କିରଣ ପଡି ମୋତି ଭଳି ଚିକଚିକ୍ କରୁଥିଲା।ପୋଷା ବିଲେଇଟି ଦଉଡି ଆସି କୋଳରେ ଶୋଇ ଘୁଡୁଘୁଡୁ ହେବାର ଦେଖି ପଞ୍ଜୁରୀ ଭିତରୁ ଶାରୀ ଡାକିଲା...ମତେ ନିଅ ମତେ ନିଅ। ଏଣେ ପୋଷା କୁକୁର 'ଶକିଲା' ମଧ୍ୟ ଚଉକି ପାଖକୁ ଆସି ତାଙ୍କ ମୁହଁକୁ ଚାହିଁ ,ଲାଙ୍ଗୁଡି ହଲାଇ କୁଁ କୁଁ ହେବା ଆରମ୍ଭ କଲାଣି।ତାର ମଧ୍ୟ ଆଉଁଶା ଦର୍କାର। ନିକଟସ୍ଥ ମନ୍ଦିରର ମୁଖଶାଳାରୁ ପାରା ମାନେ ଉଡିଯାଉଛନ୍ତି ଚମ୍ପୁଆ ପାହାଡ଼ ଆଡ଼କୁ। ଗାଁ'ଠାରୁ ଅନତି ଦୂରରେ ଥିବା ସୁନୟନାଙ୍କର 'ଶାନ୍ତି ନିବାସ' ନାମକ ଏହି କୁଟୀରଟି ପ୍ରକୃତିର ପ୍ରାଣପ୍ରାଚୂର୍ଯ୍ୟରେ ଆଶୀର୍ବାଦିତ; ପ୍ରଶାନ୍ତିର ଶାଶ୍ବତ ମନ୍ତ୍ରରେ ଅଭିମନ୍ତ୍ରିତ। ଏଠାରେ ଘଡ଼ିଏ ବସିଲେ ଯେ'କେହି ଭୋକଶୋଷ ଭୁଲିଯିବ। ପାଶ୍ଚାତ୍ୟ ସଭ୍ୟତାର ଯାନ୍ତ୍ରିକ ଅତ୍ୟାଚାରରୁ ମୁକ୍ତି ପାଇବାପାଇଁ ସୁନୟନା ଦୁଇବର୍ଷ ତଳେ ଆମେରିକାର ଡେଟ୍ରୟଟ୍ ସହରରୁ ଏଠାକୁ ଚାଲି ଆସିଛନ୍ତି।

ପଛରେ ଛାଡି ଆସିଛନ୍ତି ଶଠତା,ଅବିଶ୍ବାସ, ପ୍ରତାରଣା ଏବଂ ଯନ୍ତ୍ରଣାର ମହାବ୍ୟୋମ। ଏଠାରେ ଖୋଜି ପାଇଛନ୍ତି ପ୍ରଶାନ୍ତିର ମୁଠାଏ ଆକାଶ, ଶାନ୍ତିପ୍ରଦା ଶାନ୍ତିବନ।


ବିଗତ ସ୍ମୃତି ମନକୁ ତାଙ୍କର ଭାରାକ୍ରାନ୍ତ କରିଦିଏ। କେନ୍ଦ୍ରାପଡ଼ା ନିକଟସ୍ଥ ଚକ୍ରପଡା ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ।ପିଲାଦିନୁ ଉଚ୍ଚାଭିଳାଷୀ ସୁନୟନାଙ୍କ ଇଚ୍ଛା ଥିଲା ବହୁତ ପାଠ ପଢ଼ି ବିଦେଶ ଯାଇ ବିପୁଳ ଅର୍ଥ ଉପାର୍ଜନ କରି ବିଳାସ ବ୍ୟସନରେ ଜୀବନ ବିତାଇବେ। ପିଲାଦିନେ ମଧ୍ୟ ସେ ଭଲ ପାଠ ପଢ଼ୁଥିଲେ। ସମସ୍ତଙ୍କ ଆଗରେ ତାଙ୍କ ଭବିଷ୍ୟତର ରଙ୍ଗିନ ସ୍ବପ୍ନ କଥା ସେ କହିବୁଲୁଥିଲେ। ଏହା ଶୁଣି ତାଙ୍କର ଅନେକ ସାଙ୍ଗସାଥି ଓ ପରିବାରର ଲୋକ ଥଟ୍ଟା ତାମସା ଓ ପରିହାସ କରୁଥିଲେ। ଯେତିକି ପରିହାସ ସେ ଶୁଣୁଥିଲେ ସେତିକି ତାଙ୍କର ବିଦେଶ ଯିବା ଜିଦ୍ ବଢ଼ିଯାଇଥିଲା।ଘରେ ମାଆ ଓ ଜେଜେ ମାଆଙ୍କ ସମର୍ଥନ ନଥିଲେ ମଧ୍ୟ ବାପାଙ୍କ ସମର୍ଥନ ପାଇ ତାଙ୍କ ସ୍ବପ୍ନର ସୁନା ଚଢ଼େଇ ଦେହରେ ପର ଲାଗିଯାଇଥିଲା। ଯୁକ୍ତ ଦୁଇ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାପରେ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢିବା ଆରମ୍ଭ କରିଦେଲେ।


ତାଙ୍କ ବିବାହ ପାଇଁ ଅନେକ ପ୍ରସ୍ତାବ ଆସୁଥିଲା। କିନ୍ତୁ କୌଣସି ପ୍ରସ୍ତାବ ତାଙ୍କ ମନକୁ ପାଉନଥିଲା ;କାରଣ ସମସ୍ତ ପ୍ରସ୍ତାବିତ ପ୍ରାର୍ଥୀ ଓଡ଼ିଶା ଭିତରେ କିମ୍ବା ଭାରତର ଅନ୍ୟ ସହରରେ ଚାକିରି କରୁଥିଲେ। ସେମାନଙ୍କ ମଧ୍ୟରୁ କାହାକୁ ବି ବିବାହ କଲେ ତାଙ୍କ ବିଦେଶ ଯିବା ସ୍ବପ୍ନ ପୂରଣ ହୋଇପାରିବ ନାହିଁ। ସେଥିପାଇଁ ସେ ଗଣମାଧ୍ୟମରେ ବିବାହ ଆବେଦନ ପତ୍ର (matrimony) ପାଇଁ ବିଜ୍ଞାପନ ଜାରି କରିଦେଲେ;ସର୍ତ୍ତ ଥିଲା ପ୍ରାର୍ଥୀ ବିଦେଶରେ ଚାକିରି କରିଥିବା ଅନିବାର୍ଯ୍ୟ।ଅନେକ ଗୁଡ଼ିଏ ଆବେଦନ ପତ୍ରକୁ ଯାଞ୍ଚ୍ କରିବାପରେ ସେ 'ମୀନକେତନ'ଙ୍କୁ ମନୋନୀତ କରିଥିଲେ।


ଦେଖାସାକ୍ଷାତ ପାଇଁ ମୀନକେତନଙ୍କୁ ସୁଦୂର ଆମେରିକାରରୁ ଆସିବାକୁ ପଡିଥିଲେ ।ସୁନୟନାଙ୍କର ଅପୂର୍ବ ସୌନ୍ଦର୍ଯ୍ୟର ପ୍ରଥମ ପେଣ୍ଡୁଚାଳନାରେ(ବୋଲିଂ) ମୀନକେତନ ନିଜର ଧୈର୍ଯ୍ୟ ତ୍ରିକାଠି'ଟି (ଉଇକେଟ) ହରାଇ ବସିଥିଲେ।ମୀନକେତନଙ୍କର ବଳିଷ୍ଠ ସୁନ୍ଦର ଚେହେରା ସହିତ ଆମେରିକାରେ ଉଚ୍ଚ ପଦବୀରେ ଅବସ୍ଥାପନ ଏବଂ ମାର୍ଜିତ ବାକ୍ୟାଳାପ ସୁନୟନାଙ୍କୁ ଆଶାତୀତ ଭାବେ ପ୍ରଭାବିତ କରିଥିଲା। ପାରସ୍ପରିକ ଆକର୍ଷଣ ସମ୍ମତିରେ ପରିଣତ ହେବାପରେ ମୀନକେତନ କହିଥିଲେ..କେବଳ ଗୋଟିଏ ଅସୁବିଧା ଅଛି, ମୁଁ ପିତୃମାତୃହୀନ।ଆମ ବିବାହର ସମସ୍ତ ଦାୟିତ୍ବ ଶ୍ବଶୁରାଳୟକୁ ନେବାପାଇଁ ପଡିବ।" 


ଏହାଠାରୁ ବଳି ଭଲ ପ୍ରସ୍ତାବ ସୁନୟନାଙ୍କ ପାଇଁ ଆଉ କଣ ବା ଥାଏ ? ତାଙ୍କ ପିତାମାତାଙ୍କର ଏଥିରେ କିଛି ଆପତ୍ତି ନଥିଲା।ସେ ସମୟରେ ସୁନୟନାଙ୍କ ପିତା ଭୁବନେଶ୍ବରରେ ସଚୀବାଳୟରେ ଜଣେ ପଦସ୍ଥ କର୍ମଚାରୀ।ସଙ୍ଗେ ସଙ୍ଗେ ବିବାହର ତିଥି,ବାର ଠିକ୍ ହୋଇଗଲା।ବାହାଘର ପରେ ନବଦମ୍ପତି ମଧୁଚନ୍ଦ୍ରିକା ପାଳନ ପାଇଁ ସୁଇଜରଲ୍ୟାଣ୍ଡ ଚାଲିଗଲେ। ପନ୍ଦର ଦିନ ପରେ ସୁଇଜରଲ୍ୟାଣ୍ଡରୁ ଫେରି ସୁନୟାନାଙ୍କୁ ଭୁବନେଶ୍ୱରରେ ଛାଡି ମୀନକେତନ ଆମେରିକା ଫେରିଗଲେ।


ମୀନକେତନ ପ୍ରତିଶ୍ରୁତି ଦେଇଥିଲେ ମାସେ ଭିତରେ ଫେରି ଆସିବାପାଇଁ। ଛଅ ମାସ ବିତିଗଲା ତଥାପି ସେ ଫେରିଲେ ନାହିଁ। ବିରହ-ବିଧୁରା ସୁନୟନା ପ୍ରତିଦିନ ଫୋନ୍ କରି ତାଙ୍କୁ ପାଖକୁ ନେଇଯିବା ପାଇଁ ଗୁହାରୀ କରୁଥିଲେ। ମୀନକେତନଙ୍କ ଠାରୁ ସେ ସବୁବେଳେ ସେଇ ଗୋଟିଏ ଉତ୍ତର ପାଉଥିଲେ..ତୁମେ ଇଞ୍ଜିନିୟରିଂ ଶେଷକରି ଏଠାକୁ ଆସିବା ଠିକ୍ ହେବ ନୟନା। କଥାମାନ, ଜିଦ୍ କରନାହିଁ। ମୁଁ ଏଠାରେ ଏତେ କାର୍ଯ୍ୟ ବ୍ୟସ୍ତ ଯେ ତୁମ ପାଖକୁ ଏବେ ଯିବା ସମ୍ଭବ ହେଉନାହିଁ।"


ଛଅ ମାସ ପରେ ଧୈର୍ଯ୍ୟବନ୍ଧ ଭାଙ୍ଗିଗଲା ସୁନୟନାଙ୍କର। ଠିକଣା ନେଇ ଡେଟ୍ରୟେଟ୍ ସହରରେ ସେ ଦିନେ ପହଞ୍ଚିଗଲେ। ସେଠ

ାରେ ପହଞ୍ଚି ଯାହା ସେ ଦେଖିଲେ ନିଜ ଆଖିକୁ ବିଶ୍ବାସ କରିପାରିଲେ ନାହିଁ।ମୁଣ୍ଡ ଉପରେ ତାଙ୍କର ଆକାଶ ଛିଣ୍ଡି ପଡିଲା। ସେହି ଘରେ ମୀନକେତନ ଗୋଟିଏ ମେମ୍-ପତ୍ନୀ ଓ ଦୁଇଟି ଛୁଆ ସହିତ ରହୁଥିଲେ। ସେଦିନ ମୀନକେତନ ଘରେ ନଥିଲେ।ସୁନୟନା ମହିଳାଙ୍କ ଆଗରେ ନିଜ ବିବାହର ଫଟୋ ଓ ସାର୍ଟିଫିକେଟ ଦେଖାଇ ନିଜକୁ ମୀନକେତନଙ୍କ ପତ୍ନୀ ଭାବରେ ପ୍ରମାଣିତ କରିବାକୁ ଚେଷ୍ଟା କଲେ। ମହିଳା ଜଣକ ସମବେଦନା ଜଣାଇ କହିଲେ.. ତୁମେ ଫସିଯାଇଛ ଭଉଣୀ। ମୀନକେତନ ଗୋଟାଏ ମଦ୍ୟପ ସଇତାନ୍। ମଝିରେ ମଝିରେ ସେ ମାସେ ଦୁଇମାସ ପାଇଁ ଭାରତକୁ ଚାଲିଯାଏ।ତୁମ ଭଳି କେତେଜଣଙ୍କୁ ସେ ବିବାହ କରିଥିବ କିଏ ଜାଣେ ! ମୁଁ ତା ସହିତ ରହି ଏଠାରେ ଅତିଷ୍ଠ ହୋଇସାରିଲିଣି। ମଦ୍ୟପାନ କରି ସବୁଦିନ ସେ ମୋ ଉପରେ ଅତ୍ୟାଚାର କରେ। ପିଲାମାନଙ୍କ ସହିତ ଭୟଭୀତ ହୋଇ ମୁଁ ଏଠାରେ ପଡ଼ିରହିଛି।ମୋର ଅନ୍ୟ ଉପାୟ ନାହିଁ।କେବଳ ଦୁଇ ଦୁଇଟି ପିଲାଙ୍କର ଭବିଷ୍ୟତକୁ ଆଖିରେ ରଖି ମାଟିକାମୁଡି ଏଠାରେ ପଡି ରହିଛି ।


ସନ୍ଧ୍ୟା ସମୟକୁ ନିଶାରେ ଟଳମଳ ହୋଇ ମୀନକେତନ ଘରକୁ ଫେରି ଡ୍ରଇଂ ରୁମରେ ବସିଥିବା ସୁନୟନାଙ୍କୁ ଦେଖି କୂଟୀଳ ହସ ହସି କହିଲା...ଶେଷରେ ତୁମେ କାଞ୍ଜିଆ ହାଉଦା ଭିତରକୁ ପଶି ଆସିଲ ପବିତ୍ର ଧେନୁ (holy cow)। ଖୁବ୍ ଭଲ। ଏଠାରେ ମୋର ଚାକରାଣୀଟିଏ ଦର୍କାର ଥିଲା।ମୋର ଘରକାମ କର; ଦୁଇଓଳି ଦୁଇମୁଠା ଖାଇବାକୁ ପାଇବ।ନହେଲେ ଯେଉଁଠାରୁ ଆସିଛ ସେଠାକୁ ଫେରିଯାଅ।


ସୁନୟନାଙ୍କର କଣ୍ଠ ରୁଦ୍ଧ ହୋଇ ଆସୁଥିଲା।ଆଖିରୁ ଧାରଉଧାର ଲୁହ ବହି ଯାଉଥିଲା। କିଛି କହିବା ଅବସ୍ଥାରେ ସେ ନଥିଲେ।କେବଳ କଇଁ କଇଁ ହୋଇ ସେ କାନ୍ଦୁଥିଲେ। ସୁଇଜରଲ୍ୟାଣ୍ଡର ମଧୁଚନ୍ଦ୍ରିକା ଦିନମାନଙ୍କର ମୀନକେତନୀୟ ସ୍ନେହ ସୁହାଗ ତାଙ୍କର ମନେ ପଡୁଥିଲା। ଇସ୍ ! ଏତେ ପ୍ରତାରଣା ! ଛିଃ !!

କିନ୍ତୁ ଉପାୟ କଣ ! ସେଠାରେ ସେ କାହାକୁ ଜାଣନ୍ତି ନାହିଁ ବା ଚିହ୍ନନ୍ତି ନାହିଁ।ଭାବିଲେ ପରଦିନ ପୋଲିସ୍'ର ଆଶ୍ରୟ ନେଇ ନ୍ୟାୟ ମାଗିବେ। 


ସେହି ଦିନ ରାତିରେ କିନ୍ତୁ ଅଘଟଣ ଘଟିବାର ଥିବା।ନିଶାରେ ହିତାହିତ-ଜ୍ଞାନ-ଶୂନ୍ୟ ମୀନକେତନ ରାତି ଅଧରେ ସୁନୟନାଙ୍କ ଉପରେ ବଳାତ୍କାର କରିବାକୁ ଚେଷ୍ଟା କଲା। ଚିତ୍କାର କରି ନିଜକୁ ସଇତାନ କଵଳରୁ ମୁକୁଳାଇବା ପାଇଁ ସେ ଅସଫଳ ଚେଷ୍ଟା କରୁଥିଲେ।ପାଟିତୁଣ୍ଡ ଶୁଣି ମୀନକେତନର ମେମ୍-ପତ୍ନୀ ସେଠାରେ ପହଞ୍ଚିଲେ। ହାତରେ ଚିକ୍ ଚିକ୍ କରୁଥାଏ ଛଅଇଞ୍ଚ ଲମ୍ବା ଛୁରୀ।ସେ ଚିତ୍କାର କରୁଥାନ୍ତି...ଶୀଘ୍ର ଚାଲିଯାଅ ଏଠାରୁ, ନହେଲେ ଛୁରୀ ଭୂଷିଦେବି।ମୀନକେତନ କିନ୍ତୁ ଶୁଣିବା ଅବସ୍ଥାର ନଥିଲା। ଛୁରୀ ଛଡ଼ାଇବାକୁ ଚେଷ୍ଟା କଲା ମୀନକେତନ।ମେମ୍-ପତ୍ନୀ ସହିତ ତାର ଧସ୍ତାଧସ୍ତି ଆରମ୍ଭ ହୋଇଗଲା। ସେହି ଧସ୍ତାଧସ୍ତି ଭିତରେ ମୀନକେତନର ପେଟରେ ଭୁଷି ହୋଇଗଲା। ମୀନକେତନର ରକ୍ତାକ୍ତ ଶରୀରକୁ ଦେଖି ଭୟରେ ତାର ମେମ୍ ପତ୍ନୀ ପିଲା ଦୁଇଟିଙ୍କୁ ଧରି ରାତି ଅଧରେ ଘରଛାଡି ଚାଲିଗଲା।


ଘଟଣାର ଆକସ୍ମିକତାରେ କିଂକର୍ତ୍ତବ୍ୟ ବିମୂଢ ହୋଇ ସେଠାରେ ବସି ରହିଲେ ସୁନୟନା। ମୀନକେତନ ପେଟରୁ ଛୁରୀଟି ବାହାର କରି ମୁହଁରେ ପାଣି ଛାଟି ଚେତା ଆଣିବା ପାଇଁ ସେ ଚେଷ୍ଟା କଲେ। କିନ୍ତୁ କିଛି ଲାଭ ହେଲା ନାହିଁ । କିଛି ସମୟ ପରେ ମୀନକେତନର ନିଶ୍ଚଳ ଶରୀର ସେହି କୋଠରୀରେ ପଡି ରହିଲା। ଅଜଣା ଅଶୁଣା ସହରରେ କଣ କରିବେ ଜାଣି ପାରିଲେନାହି ସୁନୟନା। ସେହି ଭୟଙ୍କର ଘଟଣା ରକ୍ତଚାପ ରୋଗୀ ବାପାଙ୍କୁ ଫୋନରେ ଜଣାଇବା ସାହସ ତାଙ୍କର ନଥିଲା। ଶବ ପାଖରେ ବସି ରହି ତାଙ୍କର ରାତି ପାହିଗଲା।


ପରଦିନ ପୋଲିସ୍ ତାଙ୍କୁ ବାନ୍ଧି ନେଇଗଲା ଏବଂ ଜେଲ ହାଜତରେ ତାଙ୍କର ଦିନ କଟିବାରେ ଲାଗିଲା।ବହୁଦିନ ଧରି ମୋକଦ୍ଦମା ଚାଲିଲା। ମୀନକେତନର ପ୍ରଥମ ପତ୍ନୀ ନିରୁଦ୍ଦିଷ୍ଟ ହୋଇ ଯାଇଥିବାରୁ ନିଜକୁ ବଞ୍ଚାଇବାର କୌଣସି ସାକ୍ଷ୍ୟ ପ୍ରମାଣ ସୁନୟନାଙ୍କ ପାଖରେ ନଥିଲା। ନ୍ୟାୟାଳୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଠବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କଲେ।


ଆଠ ବର୍ଷପରେ ଜେଲରୁ ମୁକୁଳି ଅନେକ ଦୁଃଖ ଯନ୍ତ୍ରଣାର ସମ୍ମୁଖୀନ ହୋଇଛନ୍ତି ସୁନୟନା। ଦ୍ବାର ଦ୍ବାର ବୁଲି ସାହାଯ୍ୟ ମାଗିଛନ୍ତି। ଅନେକ ଜାଗାରୁ ଠୋକର୍ ଖାଇଛନ୍ତି। ଶେଷରେ ଜଣେ ବୃଦ୍ଧା ମହିଳାଙ୍କ ଦୟାରୁ ତାଙ୍କ ପାଖରେ ଗଭର୍ଣ୍ଣେସ୍ ହୋଇ ଆଶ୍ରୟ ପାଇଛନ୍ତି ସେ। ସନ୍ତାନବିହୀନା ମହିଳା ସୁନୟନାଙ୍କ ସେବାରେ ଖୁସି ହୋଇ ମୃତ୍ୟୁ ପୂର୍ବରୁ ତାଙ୍କ ନାମରେ ନିଜ ଇଷ୍ଟେଟ'ର ମାଲାକାନା ଲେଖି ଦେଇଛନ୍ତି।


ବୃଦ୍ଧାଙ୍କର ମୃତ୍ୟୁ ପରେ ଯନ୍ତ୍ରଣା ଓ ପ୍ରତାରଣାର ସହରକୁ ପରିତ୍ୟାଗ କରି ମାଟିମୋହର ଆକର୍ଷଣରେ ସେ ଫେରିଆସିଛନ୍ତି ଶାନ୍ତି ବନକୁ। ଡେଟ୍ରୟେଟ୍'ରେ ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି ଶାନ୍ତିବନ ଏବଂ ତା'ନିକଟରେ ଗୋଟିଏ ଅନାଥାଶ୍ରମ ପ୍ରତିଷ୍ଠା କରିଛନ୍ତି। ଦୁଃଖୀ,ଦରିଦ୍ର ଓ ଅସହାୟଙ୍କ ସେବାର କୈବଲ୍ୟ ପ୍ରାପ୍ତି ଭିତରେ ସେ ପାଇଛନ୍ତି ଅସୀମ ତୃପ୍ତି। ଭିଟାମାଟି ଛାଡି ବିଦେଶମୁହାଁ ମାନଙ୍କୁ ସେ କୁହନ୍ତି....


"ଅପି ସ୍ଵର୍ଣ୍ଣମୟୀ ଲଙ୍କାଃ ନ ମେ ଲକ୍ଷ୍ମଣ ରୋଚତେ

ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ।"


Rate this content
Log in

Similar oriya story from Tragedy