STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

ଘରଲୋକ ପରଲୋକ

ଘରଲୋକ ପରଲୋକ

6 mins
11



ଝଡବିଧ୍ବସ୍ତ ଜୀବନର ଅନୁଭବ ଭିନ୍ନ ପ୍ରକାରର;ସେ ଅନୁଭବରେ ନଥାଏ କଅଁଳ ଖରାର ଉନ୍ମାଦ କିମ୍ବା ଦି'ପହର ଟାଣ ଖରାର ପ୍ରକୋପ। ଗୋଠ ଲେଉଟା ବେଳର ଦାର୍ଶନିକ ଅବବୋଧ କିମ୍ବା ମନ୍ଦିର ଘଣ୍ଟା ବାଦନ ବେଳର ସନ୍ୟାସ ମନୋଭାବର ଛାୟା ସେପରି ବ୍ୟକ୍ତିର ମନକୁ ଭାବ-ଅବଗାହୀ କରାଏ।ସେ ସମୟରେ ସଂସାର ନୀଡଟି ଯଦି ଖାଲି ପଡ଼ିଯାଏ,ନୀଡରେ ଥିବା ବାଆଁରା ପକ୍ଷୀଟିର ଜୀବନ ନୀରସ ଓ ଅସହ୍ୟ ହୋଇଉଠେ।


ସେହି ଏକାନ୍ତବୋଧ ଯନ୍ତ୍ରଣାର ଶିକାର ପ୍ରଜ୍ଞାନ ମହାପାତ୍ର ଆଜି ଶାନ୍ତି-ପଥର ଠିକଣା ନପାଇ ଅନ୍ଧଗଳିରେ ଘୂରି ବୁଲୁଥିଲେ। ପୁରୁଣା ଭୁବନେଶ୍ଵର ସ୍ଥିତ ବାସଭବନ ଆଗରେ ଥିବା ପାର୍କ'ର ସିମେଣ୍ଟ ବେଞ୍ଚ ଉପରେ ବସି ସେ ଆକାଶର ଶୂନ୍ୟତାକୁ ମାପୁଥିଲେ। ଆଜି ଭଳି ଅନେକ ଥର ସେ ସେହି ପାର୍କରେ ବସି ବିଗତ ଦିନମାନଙ୍କର ଦେଣନେଣର ହିସାବ ନିକାଶରେ କିଛି ସମୟ ବିତାଇ ଘରକୁ ଫେରନ୍ତି। ଆଜି କିନ୍ତୁ ଜଣେ ସୁଦର୍ଶନ ଯୁବକଙ୍କୁ ହସହସ ମୁହଁରେ ସାମ୍ନାରେ ଦେଖି ପ୍ରଶ୍ନିଳ ଦୃଷ୍ଟିରେ ତାଙ୍କୁ ଚାହିଁଲେ ପ୍ରଜ୍ଞାନ। ଯୁବକ ଜଣକ କହିଲେ...,ମଉସା,ମୋ ନାଁ ବିଶ୍ବରଂଜନ ,ମୁଁ ଏହି ନିକଟରେ ରହୁଛି।ପ୍ରାୟ ସବୁଦିନ ଏହି ପାର୍କକୁ ବୁଲିବାକୁ ଆସେ। କିଛି ଦିନ ହେଲା ମୁଁ ଲକ୍ଷ୍ୟ କରୁଛି ଆପଣ ଭାରାକ୍ରାନ୍ତ ମନ ନେଇ ବହୁତ କିଛି ଭାବୁଛନ୍ତି;କଣ ଏମିତି ଭାବୁଛନ୍ତି ମଉସା ? କିଛି ସମସ୍ୟା ଥିଲେ ମୋତେ କହନ୍ତୁ;ମୋ ଦ୍ବାରା ସମ୍ଭବ ହେଲେ ସମାଧାନ କରିଵାକୁ ଚେଷ୍ଟା କରିବି।


ମ୍ଳାନ ହସଟିଏ ପ୍ରଜ୍ଞାନଙ୍କ ମୁହଁରେ ଚହଟିଗଲା,କହିଲେ... ଧନ୍ୟବାଦ ଯୁବକ, କିନ୍ତୁ ମୋ ସମସ୍ୟାର ସମାଧାନ ତୁମେ କରିପାରିବ ବୋଲି ମୋର ଆତ୍ମପ୍ରତ୍ୟୟ ହେଉନାହଁ। ମୁଁ ଗୋଟିଏ ଏକୁଟିଆ ବାଆଁରା ପକ୍ଷୀ;ନିସଙ୍ଗତା ମୋର ସବୁଠୁଁ ବଡ଼ ସମସ୍ୟା।ମୋର ହସିଲା ଖେଳିଲା ସଂସାର ବିଧାତାର କ୍ରୂର ବକ୍ରଦୃଷ୍ଟିର ଶିକାର ହେବାପରେ ସବୁ ସରସତା ମୋ ମନରୁ ଦୂର ହୋଇଯାଇଛି। ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନଙ୍କ ଉପରେ ମୋର ବିଶ୍ବାସ ତୁଟି ଯାଇଛି। ମାନସିକ ଯନ୍ତ୍ରଣା ଓ ସ୍ବାସ୍ଥ୍ୟହାନୀ ଯୋଗୁଁ ବର୍ତ୍ତମାନ ଅକାଳ ବାର୍ଦ୍ଧକ୍ୟ ମୋତେ ଗ୍ରାସ କରିଛି। ଏଠାରେ ମୁଁ ଯେଉଁମାନଙ୍କ ଉପରେ ନିର୍ଭର କରି ଚଳୁଛି, ସେମାନଙ୍କ ପାଖରେ ମୋ ଜୀବନ ନିରାପଦ ନୁହେଁ। ସମ୍ପତ୍ତି ଲୋଭରେ ସେମାନେ କେଉଁ ମୁହୂର୍ତ୍ତରେ ଯେ କଣ କରିବେ, କିଛି ଠିକ୍ ନାହିଁ।"


କିଛି ସମୟ ନିରବ ରହିଲେ ପ୍ରଜ୍ଞାନ ବାବୁ।ବୋଧହୁଏ ,ଜଣେ ଅଜ୍ଞାତ ଯୁବକ ଆଗରେ ଏହି ସବୁ ବ୍ୟକ୍ତିଗତ ସମସ୍ୟାର ପ୍ରଗଲ୍'ଭ ଅବତାରଣାର ପ୍ରାସଙ୍ଗିଗତା କଥା ଚିନ୍ତା କରୁଥିଲେ।ପ୍ରଜ୍ଞାନଙ୍କ ନିରବତା ଦେଖି ବିଶ୍ବରଂଜନ କହିଲେ...ଆପଣ ବିନା ସଙ୍କୋଚରେ ଆପଣଙ୍କ ସମସ୍ୟା ମୋ ଆଗରେ କହିପାରନ୍ତି ମଉସା।ଆମେ କିଛି ଯୁବକ ମିଶି ବରିଷ୍ଠ ନାଗରିକମାନଙ୍କ ସମସ୍ୟାର ସମାଧାନ ପାଇଁ ଗୋଟିଏ ସଂସ୍ଥା ଗଢିଛୁ।ଆମେ ଜାଣିବାକୁ ପାଇଲୁ ଯେ ଆପଣ ଏକା ରହୁଛନ୍ତି ଏବଂ କିଛି ବ୍ୟକ୍ତିଗତ ସମସ୍ୟା ସହିତ ଲଢେ଼ଇ କରୁଛନ୍ତି ।ଆପଣ ବିନା ସଂକୋଚରେ ଆପଣଙ୍କ ସମସ୍ୟା ଆମ ଆଗରେ ନକହିଲେ ଆମେ ତାର ସମାଧାନ କିପରି କରିବୁ ?


ବିଶ୍ବରଂଜନଙ୍କ ମୁହଁକୁ ଚାହିଁ ପ୍ରଜ୍ଞାନ କହିଲେ...ସତରେ କଣ ମୋ ସମସ୍ୟାର ସମାଧାନ ତମେ କରିପାରିବ ବିଶ୍ବରଂଜନ ! ଯଦି କରିପାରିବ ତା'ହେଲେ ମୁଁ ତୁମକୁ କେବଳ ଦରଦୀ ବନ୍ଧୁଟିଏ ନୁହେଁ ବରଂ ଅତି ଆପଣାର ପରିଜନ ବୋଲି ଭାବିବି। ଆଜିକାଲି ଆପଣାର ଲୋକଟିଏ ପାଇବା ପାଳଗଦା ଭିତରୁ ଛୁଞ୍ଚିଟିଏ ଖୋଜି ପାଇବା ସହିତ ସମାନ। ମୋ ସମସ୍ୟା ଏତେ ଜଟିଳ ଯେ ତାର ସମାଧାନ ପାଇଁ କିଛି ପଦକ୍ଷେପ ନେବାକୁ ମୋ ନିଜକୁ ଡର ଲାଗୁଛି। ସମ୍ମାନହାନୀର ଭୟ ଅନ୍ତର୍ଚେତନାକୁ ଜାବୁଡି ଧରୁଛି। ତଥାପି, ତୁମେ ମୋର ପୁଅ ବୟସର ହୋଇଥିବାରୁ କାହିଁକି କେଜାଣି ଅତି ଆପଣାର ମଣିଷ ଭଳି ଲାଗୁଛ;ମୋ ପାଖରେ ବସ, ତୁମକୁ ମୋ ସମସ୍ୟା ଟିକିନିଖି କହୁଛି...


ମ୍ୟାନେଜମେଣ୍ଟରେ ଆଇ ଆଇ ଏମ୍ ଅହମଦାବାଦରୁ ସ୍ନାତକୋତ୍ତର କରି ଗୋଟିଏ ନାମୀ ଆନ୍ତର୍ଜାତୀୟ କମ୍ପାନୀରେ ମୁଁ ସିକାଗୋ(Chicago ) ସହରରେ ମୋଟା ଦରମାରେ କାମ କଲି। କର୍ତ୍ତବ୍ୟ ଦାୟରେ ନିଜ ଦେଶକୁ ବାରମ୍ବାର ଆସିବାର ଅବସର ମିଳିଲାନି ସିନା, କିନ୍ତୁ ମୋର ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ, ସମସ୍ତଙ୍କ ସହିତ ବହୁଦିନ ପର୍ଯ୍ୟନ୍ତ ମୁଁ ଭଲ ସମ୍ପର୍କ ରଖିଥିଲି। କ୍ରମେ ମୋର ପରିବାର ବଢିଲା ଏବଂ ଆମେରିକାର ଚିକାଗୋ ସହରରେ ମୁଁ ସ୍ଥାୟୀ ବାସିନ୍ଦା ଭାବରେ ବସବାସ କଲି। 


ପିଲାମାନେ ବଡ଼ ହୋଇ ଟେକସାସ୍ ସହରରେ ଚାକିରି କଲେ।ପତ୍ନୀ ସରିତା ମଧ୍ୟ ଟେକ୍ସାସ ସହରରେ ଗୋଟିଏ କମ୍ପାନୀରେ ପ୍ରଶାସନିକ ଅଧିକାରୀ ଭାବରେ ଯୋଗଦେଲେ। ପତ୍ନୀ ଓ ଦୁଇପୁଅ ଲବ ଓ କୁଶଙ୍କ ସମୟ ଟେକ୍ସାସରେ ଆନନ୍ଦରେ ବିତିଯାଉଥିଲା।ସେ ସମୟରେ ଟେକ୍ସାସ୍ ସହରରେ ମଧ୍ୟ ମୋ ବଡ ଭାଇ ଚାକିରି କରୁଥିଲେ। ସେଠାରେ ଭାଇଙ୍କର ସପରିବାର ଉପସ୍ଥିତି ଯୋଗୁଁ ପିଲାମାନଙ୍କର ସୁରକ୍ଷାକୁ ନେଇ ମୋ ମନରେ ଚିନ୍ତା ନଥିଲା।ପ୍ରତି ସପ୍ତାହ ଶେଷରେ ସରିତା ନିଜେ କାର୍ ଚଳାଇ ପିଲାମାନଙ୍କୁ ନେଇ ମୋପାଖକୁ ସିକାଗୋ ଆସନ୍ତି।


୨୦୨୦ ମସିହା ଜୁଲାଇ ମାସର ସେ ଥିଲା ଏକ ଅଭିଶପ୍ତ ସୋମବାର ସକାଳ।ମୋ' ପତ୍ନୀ ସରିତା ଓ ଦୁଇପୁଅ ଲବ ଓ କୁଶ ସିକାଗୋ ବାସଭବନରୁ ସକାଳୁ ସକାଳୁ ଟେକ୍ସାସ ସହର ଅଭିମୁଖେ ବାହାରିଗଲେ। ପତ୍ନୀ ସରିତା ନିଜେ ଗାଡ଼ି ଚଳାଉଥିଲେ। ଟେକ୍ସାସରେ ୨୦ ଘଣ୍ଟା ଭିତରେ ପହଞ୍ଚିବା କଥା। କିନ୍ତୁ ସେଦିନ ସେମାନଙ୍କ ଯାତ୍ରା ଅଫେରନ୍ତା ଯାତ୍ରା ଥିଲା। ଦିନ ଚାରିଟା ବେଳେ ମୋତେ ସମ୍ବାଦ ମିଳିଲା ଯେ ଟେକ୍ସାସ ସହରରେ ୧୦୦ କିଲୋମିଟର ପୂର୍ବରୁ ଏକ ଗୁରୁତର ସଡ଼କ ଦୁର୍ଘଟଣାରେ ମୋର ପତ୍ନୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି;କୋଭିଡ୍ ସମୟ ହୋଇଥିବାରୁ ସେମାନଙ୍କ ଚିକିତ୍ସା ପାଇଁ କୌଣସି ଡାକ୍ତରଖାନାରେ ଦାଖିଲା ମିଳୁନଥିଲା। ମୁଁ ବଡ଼ ଭାଇଙ୍କ ପାଖକୁ ଫୋନ୍ କଲି ମୋ ଆହତ ପରିବାରର ଦାୟିତ୍ଵ ନେଇ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବାପାଇଁ । କିନ୍ତୁ ଭାଇଙ୍କୁ ବାରମ୍ବାର ଫୋନ୍ କରିବାପରେ କେହି ଜଣେ ଫୋନ୍ ଉଠାଇ ଉତ୍ତର ଦେଲେ ଯେ ସେ ବ୍ୟସ୍ତତା ଯୋଗ

ୁଁ ଫୋନ୍ ଧରିପାରିବେ ନାହିଁ।


ଟେକ୍ସାସରେ ପହଞ୍ଚି ମୋ ମଥାରେ ଆକାଶ ଛିଣ୍ଡି ପଡ଼ିଲା।ଶବାଗାର'ରେ ମୋ ପତ୍ନୀ ଓ ଦୁଇ ପୁଅଙ୍କ ଶବ ରଖାଯାଇଥିଲା। ଚିକିତ୍ସାରେ ଡେରି ହେବା ଯୋଗୁଁ ତିନୋଟି ଜୀବନ ଯେ ଅକାଳରେ ମଉଳି ଗଲା ଏଥିରେ ମୋର ତିଳେମାତ୍ର ସନ୍ଦେହ ନଥିଲା। ମୋର ଝଡବିଧ୍ବସ୍ତ ପୁଷ୍ପିତ ଉଦ୍ୟାନକୁ ଭାଇଙ୍କୁ ଦେଖାଇ ସମବେଦନା ସାଉଁଟିବାକୁ ମୋର ଇଚ୍ଛା ହେଲାନାହିଁ। ତାଙ୍କ ସହିତ ସମସ୍ତ ସମ୍ପର୍କ ତୁଟାଇ ଦେଲି। ଦୁର୍ଘଟଣା ବିଷୟରେ ଥରେ ମଧ୍ୟ ଫୋନ୍ କରି ଜଣାଇଲି ନାହିଁ। କାହିଁକି ବା ଜଣାଇଥାନ୍ତି ! 


ସିକାଗୋରେ ଜୀବନ ମୋତେ ନୀରସ ଓ ଶୂନ୍ୟ ମନେହେଲା। ମାସଟିଏ ଭିତରେ ସେଠାରେ ଥିବା ମୋର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରି କରିଦେଇ ଭୁବନେଶ୍ୱର ଆସି ଏଠାରେ ଗୋଟିଏ ଛୋଟିଆ ଘର କିଣି ଜୀବନର ଶେଷ ସମୟ ଅତିବାହିତ କରୁଛି।

ଚାରି ବର୍ଷ ତଳେ ଦିନେ ଭୁବନେଶ୍ବର ରେଳ ଷ୍ଟେସନ ପାଖରେ ଭିକ ମାଗି ବୁଲୁଥିବା ଗୋଟିଏ ମଧ୍ୟ ବୟସ୍କା ମହିଳା ଏବଂ ତାର ଚଉଦ ବର୍ଷର ଝିଅକୁ ଦୟାପରବଶ ହୋଇ ମୋ ବାହାର ଘରେ (ଆଉଟ୍ ହାଉସ୍'ରେ) ଆଶ୍ରୟ ଦେଇଥିଲି। ସେମାନେ ସମୟକ୍ରମେ ମୋ ଘରର ସବୁ ଦାୟିତ୍ଵ ନେଇ ମୋର ସେବା କରି ମୋର ଦୟା ଓ ସମବେଦନାର ପାତ୍ର ହୋଇଗଲେ। ସେମାନଙ୍କ ସେବାରେ ପ୍ରତିଦାନ ସ୍ବରୂପ ସେହି ଝିଅଟିର ବିବାହ କରାଇବା ଦାୟିତ୍ଵ ନିର୍ବାହ କରିବା ଇଚ୍ଛା ମୋ ମନରେ ରହିଥିଲା।


କିନ୍ତୁ ବିଶ୍ବରଞ୍ଜନ ! ଆଜି କୃତଘ୍ନତାର କୁତ୍ସିତ କଦାକିର ରୂପ ଦେଖି ମୁଁ ଶିହରୀ ଉଠୁଛି। ସେହି ଝିଅର ମାଆ ମୋ ନାଁ ସହିତ ତା ଝିଅର ନାଁ ଯୋଡି ବାହାରେ ମୋର ବଦନାମ କରୁଛି।ମୋର ସମ୍ପତ୍ତି ହଡ଼ପ କରିବା ତାର ମୁଖ୍ୟ ଉଦ୍ଦେଶ୍ୟ, ଏଥିରେ ସନ୍ଦେହ ନାହିଁ।

ନାଗସାପ ତଣ୍ଟିରେ ଚୁଚୁନ୍ଦ୍ରା ଅଟକି ଯାଇଛି ବିଶ୍ବ ରଞ୍ଜନ! ମୁଁ ନାଚାର,କଣ କରିବି ଜାଣିପାରୁନି।କାଲି ସେ ମହିଳା ସହିତ ଗୋଟାଏ ଗୁଣ୍ଡା ଶ୍ରେଣୀର ଲୋକ ଆସି ମତେ ଧମକ ଦେଇ ଯାଇଛି। ସମ୍ପତ୍ତି ସେ ଝିଅ ନାମରେ ଉଇଲ୍ ନକଲେ ଏବଂ ପୋଲିସର ଆଶ୍ରୟ ନେଲେ ମୋତେ ପରିଣାମ ଭୋଗ କରିବାକୁ ପଡିବ ବୋଲି ଚେତାବନୀ ଦେଇ ଯାଇଛି। ମୁଁ କଣ କରିବି ବିଶ୍ବରଂଜନ ଜାଣି ପାରୁନାହିଁ।"


ବିଶ୍ବରଂଜନ କହିଲେ...ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମଉସା।ଆମ ସଂସ୍ଥା ଆପଣଙ୍କ ଦାୟିତ୍ଵ ନେଇପାରିବ, ଆପଣଙ୍କୁ ଧମକାଉଥିବା ଲୋକମାନଙ୍କୁ ଆମେ ପୋଲିସ ହାତରେ ଦେବୁ ଏବଂ ଆପଣଙ୍କ ଦେଖାଶୁଣା ପାଇଁ ଗୋଟିଏ ନର୍ସ୍'ର ବ୍ୟବସ୍ଥା କରିପାରିବୁ। କିନ୍ତୁ ମୁଁ ଭାବୁଛି ଆପଣଙ୍କ ନିଜ ପରିବାର ପରିଜନ ଆପଣଙ୍କର ଠିକ୍ ଦାୟିତ୍ଵ ନେଇ ପାରିବେ।


ପ୍ରଜ୍ଞାନ କହିଲେ...ଟେକ୍ସାସ୍ ଘଟଣା ପରେ ମୋର ପରିବାରର ଲୋକଙ୍କ ଉପରେ ସାମାନ୍ୟତମ ବିଶ୍ବାସ ନାହିଁ ବିଶ୍ବରଞ୍ଜନ।

ଜଗତସିଂହପୁରରେ ମୋର ପୈତୃକ ସମ୍ପତ୍ତି ଅଛି, କିନ୍ତୁ ସେ ଆଡ଼କୁ ଚାହିଁବା ପାଇଁ ମଧ୍ୟ ମୋ ମନରେ ଘୃଣା ଆସୁଛି।


କିଛି ନୀରବତା ପରେ ବିଶ୍ବରଂଜନ କହିଲେ..ମଉସା,ମୋ ମନକୁ ଗୋଟିଏ କଥା ଆସୁଛି,ଆପଣ ଦୟାକରି ମନା କରିବେ ନାହିଁ। କାଲି ସକାଳେ ଆପଣଙ୍କ ଜନ୍ମମାଟି ଜଗତସିଂହପୁରକୁ ଯିବା। ସେଠାରେ ଆପଣଂକ ପରିଜନଙ୍କ ସହିତ କଥାବାର୍ତ୍ତା କରିବା। ଯଦି ନିଜ ଲୋକ କେହି ସମ୍ପତ୍ତି ବିନିମୟରେ ଆପଣଙ୍କ ଦାୟିତ୍ଵ ନେଇପାରିବେ ତାହେଲେ କାହିଁକି ଆପଣ ବୃଦ୍ଧାଶ୍ରମରେ ରହିବେ ଅଥବା ବାହାର ଲୋକଙ୍କ ଉପରେ ନିର୍ଭର କରିବେ ?"


ପ୍ରଜ୍ଞାନଙ୍କ ନୀରବତା ତାଙ୍କର ସମ୍ମତି ଜଣାଇ ଦେଉଥିଲା।ପରଦିନ ପ୍ରଜ୍ଞାନ ଓ ବିଶ୍ବରଂଜନ ଜଗତସିଂହପୁରରେ ପହଞ୍ଚିଲେ।

ସେଠାରେ ପ୍ରଜ୍ଞାନ ନିଜ ବଡ଼ ଭାଇଙ୍କୁ ଆଖି ଆଗରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ବଡ଼ଭାଇ 'ଅଭିଜ୍ଞାନ'ଙ୍କ ହୃଦୟରୁ କୋହ ଉଛୁଳି ପଡିଲା।ଆବେଗରେ ଭାଇକୁ ଆଲିଙ୍ଗନ କରି ଅଶ୍ରୁଳ ଆଖିରେ ଅଭିଜ୍ଞାନ କହିଲେ...କୁଆଡ଼େ ଚାଲି ଯାଇଥିଲୁ ବାଇଆ !

ଯେଉଁ ସମୟରେ ତୋ ପରିବାର ଉପରେ ଦୁର୍ଦ୍ଦିନ ମାଡିଆସିଲା ସେହି ସମୟରେ ଆମେ ସମସ୍ତେ କୋଭିଡ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ପଡିଥିଲୁ।ବାହାର ଜଗତ ସହିତ ଆମର ସମ୍ପର୍କ ରହିଲା ନାହିଁ। ଆରୋଗ୍ୟ ହୋଇ ଫେରିବା ପରେ ତୋ ପରିବାରର ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଲି।ତା'ପରେ ସିକାଗୋ ଯାଇ ତତେ କେତେ ଖୋଜିଲି।ଶୁଣିଲି ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରି କରି ତୁ କୁଆଡେ଼ ଚାଲିଯାଇଛୁ।ଯେତେଥର ତତେ ଫୋନ୍ କରିଛି ତୋର ଉତ୍ତର ମତେ ମିଳିନାହିଁ। କୁଆଡ଼େ ଚାଲିଗଲୁ ପାଗେଲା ! ମୋର କିନ୍ତୁ ବିଶ୍ବାସ ଥିଲା ତୁ ଦିନେ ନା ଦିନେ ଗାଁ କୁ ଫେରିବୁ। ସେଥିପାଇଁ ଟେକ୍ସାସରେ ଥିବା ମୋର ସମ୍ପତ୍ତି ବାଡ଼ି ଘରଦ୍ଵାର ସବୁ ବିକ୍ରି କରିଦେଇ ଏଠାକୁ ଚାଲି ଆସିଛି। କେବଳ ଆମେରିକା ନୁହେଁ,ଓଡ଼ିଶାରେ ସହର ସହର ଗଳିକନ୍ଦି ତତେ ଖୋଜିଛି, କେଉଁଠାରେ ମଧ୍ୟ ପାଇନାହିଁ। ଭାବୁଥିଲି.. କେମିତି ମୋ ଭାଇ ପବନରେ କୁଆଡ଼େ ମିଳେଇଯିବ?ଏଇ ଦେଖ୍ ତୋ ଭାଉଜ ଓ ପିଲାମାନେ ତୋତେ ଦେଖି ଖୁସିରେ ଅଶ୍ରୁଳ ଆଖିରେ କିପରି ଅନାଇଁ ରହିଛନ୍ତି ।"

ପ୍ରଜ୍ଞାନଙ୍କ ଆଖିରେ ଲୁହ ଲହଡ଼ି ମାରୁଥିଲା।ଅଭିଜ୍ଞାନ ତାଙ୍କୁ ଗୋଟିଏ ସ୍ବତନ୍ତ୍ର କୋଠରୀକୁ ନେଇଗଲେ। ସେହି କୋଠରୀ କାନ୍ଥରେ ଝୁଲୁଥିଲା ତାଙ୍କ ପତ୍ନୀ ଓ ଦୁଇ ପୁତ୍ରଙ୍କର ତୈଳ ଚିତ୍ର। ତାଙ୍କ ନିଜର ଗୋଟିଏ ବିଶାଳକାୟ ଫଟୋଚିତ୍ର ପଲଙ୍କ ଉପରେ କାନ୍ଥରେ ଝୁଲୁଥିଲା।ଅଭିଜ୍ଞାନ କହିଲେ...ପାଗେଲା ! ଏହି କୋଠାରୀଟି ମୁଁ ତୋ ପାଇଁ ସ୍ଵତନ୍ତ୍ର ଭାବରେ ସଜାଇ ରଖିଛି।ଏହା ଭିତରକୁ କାହାର ବି ପ୍ରବେଶ ନିଷେଧ। ଆଜିଠାରୁ ତୁ ଆମମାନଙ୍କୁ ଛାଡି କୁଆଡ଼େ ବି ଯିବୁନାହି;ଏବେ ତୁ ଆମ ସ୍ନେହ ବନ୍ଧନରେ ବନ୍ଦୀ।"

ଉତ୍ତାଳ ଆବେଗ ହୃଦୟ ସମୁଦ୍ରର ସୀମା ଲଘିଂ ଯାଇଥିଲା।ଭାଇଙ୍କ ଛାତିରେ ମଥା ରଖି ପ୍ରଜ୍ଞାନ କଇଁ କଇଁ ହୋଇ କାନ୍ଦୁଥିଲେ;କହୁଥିଲେ...ମତେ କ୍ଷମା କରିଦିଅ ଭାଇ,ମୋ ନିଜ ପରିଜନଙ୍କୁ ବୁଝିବାରେ ମୋର ବହୁତ ଭୁଲ୍ ହୋଇ ଯାଇଛି।


ନିକଟରେ ଠିଆ ହୋଇ ବିଶ୍ବ ରଞ୍ଜନ କହୁଥିଲେ...ମଉସା,ଆପଣ ଥାଆନ୍ତୁ, ଆପଣଙ୍କ ଘରକୁ ଅଧିକାର କରିଥିବା ଗୁଣ୍ଡା,ଗୁଣ୍ଡୀ ମାନଙ୍କର ହିସାବ ନିକାଶ ପାଇଁ ମୁଁ ଭୁବନେଶ୍ବର ଯାଉଛି....


Rate this content
Log in

Similar oriya story from Inspirational