STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

ବାପା ! ମୁଁ ତୁମର ଆତ୍ମା

ବାପା ! ମୁଁ ତୁମର ଆତ୍ମା

5 mins
11


ବାପା ! ମୁଁ ତୁମର ଆତ୍ମା...

================

ସମସ୍ତେ ପୁନର୍ଜନ୍ମ ଉପରେ ବିଶ୍ବାସ କରନ୍ତି ନାହିଁ । କିନ୍ତୁ 

କିଶୋର ଅବସ୍ଥାରୁ ଭଗବତ୍ ଗୀତା ପଢି ସାଂଖ୍ୟଯୋଗ ଭଲ ଭାବରେ ବୁଝିଥିବା ଧନଞ୍ଜୟ ବାବୁଙ୍କର ପୂର୍ଣ୍ଣ ବିଶ୍ବାସ ଥିଲା ଯେ ପ୍ରାରବ୍ଧ ଓ କର୍ମ ଅନୁଯାୟୀ ମଣିଷର ଆତ୍ମା ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଗତିକରେ। ଖାଲି ସେତିକି ନୁହେଁ ପତ୍ନୀ ସୁଚିତ୍ରାଙ୍କୁ ପ୍ରାଣଭରି ଭଲପାଉଥିବା ଧନଞ୍ଜୟଙ୍କର ମଧ୍ୟ ଦୃଢ ବିଶ୍ବାସ ଥିଲା ଯେ ତାଙ୍କର ଦିବଙ୍ଗତା ପତ୍ନୀ ତାଙ୍କ ପାଇଁ ଅପେକ୍ଷା କରିଥିବେ, ପର ଜନ୍ମରେ ତାଙ୍କ ପତ୍ନୀ ଭାବରେ ମଧୁର ଦାମ୍ପତ୍ୟ ବିତାଇବା ପାଇଁ ।


ଧନଞ୍ଜୟ ଅଶିତିପର ବୃଦ୍ଧ। ସରକାରୀ ଚାକିରୀରୁ ସେବା ନିବୃତ ହେବା ପରେ ପ୍ରାୟ ୨୧ ବର୍ଷ ବିତିଗଲାଣି । ଜୀବନ ପ୍ରତି ସକାରାତ୍ମକ ଦୃଷ୍ଟି ରଖିଥିବା ଧନଞ୍ଜୟ ଜୀବନର ଅପରାହ୍ନକୁ ବୋଝ ବୋଲି ଭାଵୁନଥିଲେ।ସେବା ନିବୃତ୍ତି ପରେ ବାଡି ବଗିଚାରେ ଗଛପତ୍ର ମାନଙ୍କର ସେବା ଓ ସେମାନଙ୍କ ସହିତ ବନ୍ଧୁତା ଯୋଗୁଁ ବୃକ୍ଷଲତାମାନେ କୃତଜ୍ଞତା ଛଳରେ ଫଳ,ଫୁଲ,ପନିପରିବା ଇତ୍ୟାଦି ଧନଞ୍ଜୟଙ୍କ କାନିରେ ନିସଙ୍କୋଚରେ ଅଜାଡ଼ି ଦେଉଥିଲେ। 


ସପତ୍ନୀକ କିଛି ଧାର୍ମିକ ଓ ସାସ୍କୃତିକ ଅନୁଷ୍ଠାନ ସହିତ ଜଡିତ ହୋଇ ଅତି ଆନନ୍ଦରେ ସେ ସମୟ ଅତିବାହିତ କରୁଥିଲେ।ପୁଅ ଅମରେଶ ସ୍ବଳ୍ପ ବେତନଭୋଗୀ ହୋଇଥିବାରୁ ନାତି 'ସମାସ'ର ପଢା ଖର୍ଚ୍ଚ ଓ ପରିବାରର ସବୁ ଆନୁସଙ୍ଗିକ ଖର୍ଚ୍ଚ ନିଜ ପେନସନ ପଇସାରୁ,ବିନା ସଙ୍କୋଚରେ ବ୍ୟୟ କରୁଥିଲେ ଧନଞ୍ଜୟ। ସେଥିପାଇଁ ତାଙ୍କ ମନରେ ସାମାନ୍ୟତମ କାର୍ପଣ୍ୟ ମଧ୍ୟ ନଥିଲା।ସେହି ଖର୍ଚ୍ଚ ଗୁଡିକ, ତାଙ୍କ ମତରେ ପାରିବାରିକ ସୁଖ ଓ ଶାନ୍ତି ପାଇଁ ଆବଶ୍ୟକୀୟ ନିବେଶ ବ୍ୟତୀତ ଅନ୍ୟ କିଛି ନଥିଲା।


କ୍ରମେ ଜୀବନର ସାୟାହ୍ନରେ ବାର୍ଦ୍ଧକ୍ୟ ଜନିତ ରୋଗ ତାଙ୍କର ଶାରୀରିକ ଚଞ୍ଚଳତା ସୀମିତ କରିଦେଲା। ମଳ ମୂତ୍ର ତ୍ୟାଗ ଉପରେ ତାଙ୍କର ନିୟନ୍ତ୍ରଣ ରହିଲା ନାହିଁ। ଶେଯରୁ ଉଠି ଗାଧୁଆଘରକୁ ଯିବା ବାଟରେ ପରିସ୍ରା ଓ ଝାଡା ହୋଇ ଯାଉଥିଲା। ପତ୍ନୀ ସୁଚିତ୍ରା ଥିବା ସମୟରେ ତାଙ୍କର କିଛି ଅସୁବିଧା ହେଉ ନଥିଲା। ଛାଇ ପରି ସେ ତାଙ୍କ ସହିତ ସବୁବେଳେ ରହିଥିଲେ। ଠିକ୍ ସମୟରେ ଖାଇବା ପିଇବା,ଚା' ଜଳଖିଆ,ଔଷଧ ପତ୍ର ଇତ୍ୟାଦି ସେ ଦେଉଥିଲେ ଏବଂ ମଳମୂତ୍ରରେ ଜୁଡୁବୁଡୁ ହୋଇଥିବା ଲୁଗାପଟା ଧୋଇ ଶୁଖାଇ,ସଫା ବେଡସିଟ୍ ବଦଳାଇବା ଇତ୍ୟାଦି କାମ ସେ ବିନା ସଙ୍କୋଚରେ କରୁଥିଲେ।ବୋହୂ ସୁଜାତା ତାଙ୍କ ପାଟିରୁ କଥା ନବାହାରୁଣୁ ପାଖରେ ପହଞ୍ଚି ଯାଉଥିଲା।


ପତ୍ନୀ ଓ ପରିବାରର ସଦସ୍ୟ ମାନଙ୍କର ସେବା ଯୋଗୁଁ ଧନଞ୍ଜୟଙ୍କୁ ବାର୍ଦ୍ଧକ୍ୟର ବୋଝ ହାଲୁକା ଲାଗୁଥିଲା। ସବୁବେଳେ ସେ କୃତଜ୍ଞତାପୂର୍ଣ୍ଣ ହୃଦୟରେ ଗୋଟିଏ ପଦ ଉଚ୍ଚାରଣ କରୁଥିଲେ... ବୈକୁଣ୍ଠ ସମାନ ଆହା ଅଟେ ସେହି ଘର/ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।


ସୁଚିତ୍ରା ଥିଲାବେଳେ ଅନେକ ସମୟରେ ଧନଞ୍ଜୟ ପତ୍ନୀଙ୍କୁ କହିଛନ୍ତି...ଆମେ ବହୁତ ଭାଗ୍ୟବାନ ସୁଚିତ୍ରା;ସୁଜାତା ଭଳି ବୋହୂ ଭାଗ୍ୟରେ ଥିଲେ ମିଳେ। ଏତେ ପାଠଶାଠ ପଢି ମଧ୍ୟ ଓଡ଼ିଆ ଘରର ସଂସ୍କାର ସେ ଭୁଲି ନାହିଁ।ଦେଖ ,ଆମ ପ୍ରତି ତାର କେତେ ଭକ୍ତି ଓ ଶ୍ରଦ୍ଧା ! ମନରେ ତିଳେମାତ୍ର ଘୃଣା ଭାବ ନରଖି ସେ ମୋର ସବୁ କାମରେ ତୁମକୁ ସାହାଯ୍ୟ କରୁଛି।


ସୁଚିତ୍ରାଙ୍କ ସ୍ମୃତି ଆଜି ଧନଞ୍ଜୟଙ୍କୁ ଭାବପ୍ରବଣ କରିଦେଲା।ଆଖି କୋଣରେ ଜକେଇ ଆସୁଥିବା ଲୁହ ପୋଛି ଦେଇ ଝରକା ବାଟେ ବାହାରକୁ ଚାହିଁଲେ ଧନଞ୍ଜୟ।ଶୀତ ସକାଳ;ବାହାରେ କଇଁଫୁଲିଆ ଖରା ଘାସ ପଡ଼ିଆରେ ଲହଡ଼ି ମାରୁଥିଲା।ଦିନ ଆଠଟା ହେବାକୁ ବସିଲାଣି।ଆଉ ଘଣ୍ଟାଏ ପରେ ଝିଅ ଶୁଭସ୍ମିତା ପହଞ୍ଚିବ।ବର୍ଷକ ତଳେ ବୋଉର ଶୁଦ୍ଧ ଘରକୁ ଯେତିକି ଆସିଥିଲା। ମଝିରେ ମଝିରେ ଫୋନକରି ବାପାଙ୍କ ଭଲମନ୍ଦ କଥା ଯାହା ବୁଝେ।ପଚାରେ...ବୋଉ ଗଲାପରେ ତମର କିଛି ଅସୁବିଧା ହଉନି ତ ବାପା ? ଭାଉଜ ତମର ସବୁ ସେବା ସୁଶ୍ରୁଷା କରୁଛି ତ? ନହେଲେ ମୁଁ ତୁମକୁ ପାଖକୁ ନେଇ ଆସିବି।"


ଧନଞ୍ଜୟ ହସିଦେଇ ସବୁବେଳେ କହନ୍ତି... ହଁ ରେ ମାଆ,ବୋହୂ ସବୁ ସେବା କରୁଛି।ତୁ ବାଇଆଣୀଟା ବାପ ପାଇଁ ଏତେ ବ୍ୟସ୍ତ କାହିଁକି ହଉଚୁ ?"

ଦୁଇଦିନ ତଳେ ଶୁଭସ୍ମିତା ଫୋନ୍ କରିଥିଲା। ଫୋନ୍ କରି ଭଲମନ୍ଦ ପଚାରିବାର କିଛି ସମୟ ପରେ ଆଉଥରେ ଫୋନ୍ କରି କହିଲା...ବାପା ମୁଁ ଦୁଇଦିନ ପରେ ଗୁରୁବାରଦିନ ତୁମକୁ ଦେଖିବାକୁ ଆସୁଛି।


ଆଜି ଶୁଭ ଆସିବ। ତାକୁ ଜୀବନରୁ ବଳି ସେ ଭଲ ପାଆନ୍ତି।ମନରେ ଅଫୁରନ୍ତ ଆନନ୍ଦ ଧନଞ୍ଜୟଙ୍କର। ଝିଅକୁ ବର୍ଷେ ପରେ ଦେଖିବେ, କେଉଁ ବାପର ଆଖିରେ ଆବେଗର ଲୁହ ନଆସିବା ! 

ଶୁଭସ୍ମିତା ଆସିବା ସମୟ ଯେତିକି ପାଖେଇ ଯାଉଥାଏ,ଧନଞ୍ଜୟଙ୍କର ମନ ରେସକୋର୍ସ ଘୋଡିପରି ସେତିକି ଚଳଚଞ୍ଚଳ ହୋଇ ଉଠୁଥାଏ।


ଶୁଭସ୍ମିତା ଘରେ ପହଞ୍ଚି ବାପାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା। ସାନଭା

ଇ ଅମରେଶ ଏବଂ ଭାଉଜ ସୁଜାତା ତା ପାଖରେ ପହଞ୍ଚି ଯଥାମାନ୍ୟ ବିନିମୟ ପରେ ଘରର ଭଲମନ୍ଦ ପଚାରିଲେ। ପୁତୁରା ସମାସ କଲେଜ ଚାଲି ଯାଇଥିଲା। ସୁଜାତା ପଚାରିଲା.. ଦିଦି ! ଏଥର କେତେ ଦିନର ରହଣି ? କାହିଁକି ପଚାରୁଥିଲି କି ଏଥର ନିଶ୍ଚୟ ପୁରୀ ଓ ଗୋପାଳପୁର ଯିବା।ମନା କରିବନି।"


ଶୁଭସ୍ମିତା କହିଲା... ମୁଁ ଆଜି ଫେରିଯିବି ସୁଜାତା।ବାପାଙ୍କୁ ନେଇ ଆଜି ହିଁ ଚାଲିଯିବି।

ଆଶ୍ଚର୍ଯ୍ୟ ହୋଇ ସୁଜାତା କହିଲା... କାହିଁକି ଆମର କଣ ଅପରାଧ ହେଲା ଦିଦି ! ବାପାଙ୍କୁ ସାଙ୍ଗରେ ନେଇ କାହିଁକି ଚାଲିଯିବ ?


ଶୁଭସ୍ମିତା କହିଲା...ତୁମମାନଙ୍କ ଅତ୍ୟଧିକ ସ୍ନେହରେ ବାପା ଅଣନିଃଶ୍ବାସୀ ହୋଇ ପଡିଲେଣି ସୁଜାତା।ବାପାଙ୍କର ପରିବର୍ତ୍ତନ ଦର୍କାର। ସେଥିପାଇଁ ମୁଁ ଆଜି ହିଁ ବାପାଙ୍କୁ ସାଙ୍ଗରେ ନେଇଯିବି।

ସୁଜାତା ଆଶ୍ଚର୍ଯ୍ୟ ହୋଇ କହିଲା... ଏମିତି କଣ କହୁଚ ଦିଦି !"


ଶୁଭସ୍ମିତା କହିଲା... ମୁଁ ଠିକ୍ କହୁଚି ସୁଜାତା;ତୋର ଅତ୍ୟଧିକ ସ୍ନେହରେ ପ୍ରମାଣ ମୁଁ ରେକର୍ଡ଼ କରି ରଖିଛି। ଦୁଇଦିନ ତଳେ ମୁଁ ଯେତେବେଳେ ବାବାଙ୍କ ସହିତ ମୋବାଇଲରେ କଥା ହେଉଥିଲି ,ସେ ସମୟରେ ତୁ ତାଙ୍କ ପାଖକୁ ଆସି ଯେଉଁ ସ୍ନେହ ଅଜାଡ଼ି ଦେଲୁ ତାହା ମୋ ଫୋନରେ ରେକର୍ଡ ହୋଇ ରହିଛି କାରଣ ସେ ସମୟରେ ମୋ ସହିତ କଥା ହୋଇ ବାପା ମୋବାଇଲ୍ ବନ୍ଦ୍ କରିବାକୁ ଭୁଲି ଯାଇଥିଲେ।


ଶୁଭସ୍ମିତା ଫୋନର ରେକର୍ଡିଙ୍ଗ୍ ଖୋଲିଦେଲା। ସୁଜାତା ଚିଲ୍ଲେଇ ଚିଲ୍ଲେଇ କହୁଥିଲା...ଏ ବୁଢା ! କେତେ ତୋର ଗୁହମୂତ ଲୁଗା ଧୋଇବି ? ଆଜିଠାରୁ ତୋର ପାଣି ପିଇବା ବନ୍ଦ୍। ବେଶି ପାଣି ପିଇଲେ ବେଶି ମୁତୁଚୁ।ଖାଇବା ମଧ୍ୟ ଗୋଟିଏ ଓଳି ଦେବି। ଘରଦ୍ଵାର ମୋର ଗନ୍ଧେଇଲାଣି। ସାଙ୍ଗ ସୁଖ ଭାଇ ବନ୍ଧୁ କେହି ବି ଘରକୁ ଆସିଲେ ନାକ ଟେକୁଛନ୍ତି। ବୁଢୀ ତ ଗଲାଣି,ତୁ କାହିଁକି ପଡିରହିଚୁ ? ମତେ ସାଧିବାକୁ ? ପୁଅ ତୋର ଆରାମରେ ଅଫିସକୁ ଚାଲିଯାଉଛି,ଘରେ ମରୁଚି ଏକା ମୁଁ।ଝିଅ ଘରକୁ ଚାଲି ଯାଉନୁ,ଏଠି କାହିଁକି ପଡିଚୁ! କାଲି ରାତିରେ ମୋ ପୁଅ ପରା ତୋ ପିଠିରେ ଦି'ପାହାର ଦେଇ ଶେଯରେ ଝାଡା କରିବାକୁ ମନାକଲା ! ଲାଜ ଲାଗୁନି ତତେ ! ନାତିଠୁ ମାଡ଼ ଖାଇ ବି ତୋ ପ୍ରକୃତି ଛାଡିଲାନି ! ପାଇଖାନା ତ ଦୁଇ ପାହୁଣ୍ଡ, ସେଠିକି ଯାଇ ଝାଡା କରୁନୁ ? ନହେଲେ ଝିଅ ପାଖକୁ ଚାଲି ଯାଉନୁ?


କାକୁତି ମିନତି ହୋଇ ଧନଞ୍ଜୟ କହୁଥିଲେ .. ମୁଁ କଣ କରିବି ବୋହୂ?ମୋର ଆଉ ଝାଡା ପରିସ୍ରା ଉପରେ ନିୟନ୍ତ୍ରଣ ରହୁନାହିଁ।

ତୁମ ଛଡା ମୋର ଆଉ କିଏ ଅଛି ମା ? ଝିଅ ଘରେ ଯାଇ ରହିଲେ ଘରର ସମ୍ମାନ ହାନି ହବ। କେମିତି ତୁ ସେକଥା କହୁଚୁ?"


ସୁଜାତା କହିଲା...ଝିଅ ପାଖକୁ ସବୁଦିନ ଫୋନ୍ କରୁଚୁ ଟି ? ନିଶ୍ଚୟ ମୋ ନାଁରେ ଏଣୁତେଣୁ କହୁଥିବୁ। କିଛି ଯଦି ମୋ ବିରୁଦ୍ଧରେ ତୋ ପୁଅକୁ କି ଝିଅକୁ କହିଚୁ, ତାପରଦିନ ଆଉ ଏ ଦୁନିଆଁରେ ତୁ ନଥିବୁ ଶଳା ମାଙ୍କଡ଼ ବୁଢା।


ଫୋନ୍ ବନ୍ଦ୍ ହେଲାପରେ ପରିବେଶରେ ଅଖଣ୍ଡ ନିରବତା।ଧାର ଧାର ଲୁହ ଝରିଯାଉଥିଲା ଧନଞ୍ଜୟଙ୍କ ଆଖିରୁ। ରୁମରୁ ଝଡବେଗରେ ବାହାରି ଯାଇଥିଲା ସୁଜାତା। କଇଁ କଇଁ ହୋଇ କାନ୍ଦି କାନ୍ଦି ଧନଞ୍ଜୟଙ୍କୁ କୋଳେଇ ଧରି ପଚାରୁ ଥିଲା ଶୁଭ ସ୍ମିତା... କାହିଁକି ବାପା, କାହିଁକି ଏତେ ମାଡଗାଳି ଖାଇ ଅସହାୟ ଅବସ୍ଥାରେ ତମେ ଏଠି ରହିଛ? କାହିଁକି ତମେ ମତେ ପର କରିଦେଲ ? କାହିଁକି ସବୁ ଦୁଃଖ, ଲୁହ ସହିତ ପିଇ ପିଇ ଅଣନିଃଶ୍ବାସୀ ହୋଇ ବଞ୍ଚିଛ ବାପା ?


ଧନଞ୍ଜୟ କହିଲେ... କାହାକୁ କହିବି ଲୋ ମାଆ ! ପୁଅ ତ ସବୁଦିନ ମଦ ପିଇ ରାତି ଅଧକୁ ଘରକୁ ଫେରେ;ତା'ପାରିବାରିକ ଜୀବନ ଅଶାନ୍ତିରେ କଟୁଛି।ତତେ କହିଲେ ଜୋଇଁ ଓ ତୋ ଶଶୁର ଘର ଲୋକଙ୍କ ଆଗରେ ମୋର ନାକ କଟିଯିବ। ଯେତିକି ସ୍ବାଭିମାନ ଅଛି ତାକୁ ମେରୁଦଣ୍ଡ କରି ବଞ୍ଚିଛି ଲୋ ମାଆ।ଘର ଚାରିକାନ୍ଥ ଭିତରୁ କଥା ବାହାରକୁ ଗଲେ ଆକାଶକୁ ଛେପ ପକାଇବା ସହିତ ସମାନ ହେବ।ସେ ଛେପ ତ ନିଜ ମୁହଁରେ ପଡିବ ନା ।


ଶୁଭସ୍ମିତା କହିଲା... ମୁଁ ତୁମର କେବଳ ଝିଅ ନୁହେଁ ବାପା ମୁଁ ତୁମର ଆତ୍ମା,ତୁମ ଅଭିମାନ ମୁଁ ବାପା। କେମିତି ତମେ ମତେ ପର କରିଦେଲ ! ପିଲାଦିନେ ତମେ ମତେ ଗୋଧୋଇଦେଇ, ଡ୍ରେସ୍ ପିନ୍ଧେଇ,ଡାଇପର ବଦଳାଇବା ଫଟୋଟି ଯତ୍ନରେ ମୁଁ ସାଇତି ରଖିଛି ବାପା।ମୋ କୁନି କୁନି ହାତ ଧରି ବଗିଚାର କଅଁଳ ଘାସ ଗାଲିଚା ଉପରେ ଠୁକୁ ଠୁକୁ ପାଦରେ ଚଲାଇବା ଫଟୋ ମୋ ଆଲବମ'ର ପ୍ରଥମ ପୃଷ୍ଠାରେ ଅଛି ବାପା।ସେହି ଋଣ ପରିଶୋଧ କରିବା ସମୟ ମୋର ଆସିଛି।ପାଠ ପଢେଇ ତମେ ମତେ ନିଜ ଗୋଡ଼ରେ ଠିଆ ହେବାର ଶକ୍ତି ଦେଇଛ। ସେଇ ଶକ୍ତ କାନ୍ଧ ଉପରେ ତୁମର ଏ ଥରଥର ହାତପାଦ,ଦୁର୍ବଳ ଶରୀରକୁ ଆଶ୍ରା ଦେଇ,ଘର ପାଖରେ ଥିବା ଘାସ ବଗିଚାରେ ବୁଲେଇ ନପାରିଲେ ମୋର ଏ ଜୀବନକୁ ଧିକ୍।ଆସ, ବାପା ଆଜି ମୋ ସହିତ ଚାଲ"।


ଧନଞ୍ଜୟଙ୍କ ଆଖିରେ କୃତଜ୍ଞତା ଦୁଇଟୋପା ଲୁହ ହୋଇ ଝରିଗଲା। ବାପାଙ୍କ ଜିନିଷପତ୍ର ସଜାଡୁଥିଲା ଶୁଭସ୍ମିତା....


 


Rate this content
Log in

Similar oriya story from Inspirational