STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

ସମ୍ପର୍କର ନୂଆ ରୂପ

ସମ୍ପର୍କର ନୂଆ ରୂପ

4 mins
17



ସମ୍ପର୍କର ସଂଜ୍ଞା ଖୋଜୁ ଖୋଜୁ ବାଇଶି ବର୍ଷର ନିଜ ସ୍ବଳ୍ପ ଜୀବନକାଳ ଭିତରେ ଘଟିଯାଇଥିବା ଘଟଣା ଦୁର୍ଘଟଣାର ରୋମନ୍ଥନ ଭିତରେ ହଜି ଯାଇଥିଲା ଦେବାଶିଷ। ଦେବାଶିଷ ରୂପା ଚାମଚ୍ ପାଟିରେ ଧରି ଜନ୍ମ ହୋଇ ନଥିଲା। ପାଟପୁର ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ତାର ଜନ୍ମ।ବାପା ବ୍ରଜବନ୍ଧୁ ଚଉଧୁରୀ ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ ଏବଂ ଗାଁର‌ ଜଣେ ସନ୍ତୁଳିତ-ମସ୍ତିଷ୍କ ମୂରବୀ-ଶ୍ରେଣୀର ଲୋକ । ଦାଦା ଶ୍ୟାମବନ୍ଧୁ ଥିଲେ ବେକାର।


ଦେବାଶିଷର ପିଲାଦିନ ଦୁଃଖ ଆଉ ଲୁହର କାହାଣୀର ପାଣ୍ଡୁଲିପିଟିଏ ଥିଲା। ଦିନେ ଦାଦା ଓ ଖୁଡୀ ଏକ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ।ତା' ପରେ ସେମାନଙ୍କ ଏକମାତ୍ର ପୁତ୍ର ଅଂଶୁମାନର ଦାୟିତ୍ଵ ବ୍ରଜବନ୍ଧୁଙ୍କ ଉପରେ ପଡ଼ିଲା। ଅଂଶୁମାନ ଦେବାଶିଷଠାରୁ ଆଠବର୍ଷ ବୟସରେ ବଡ଼।ତାର ଲାଳନ ପାଳନ ପାଇଁ ଦାଦା କିଛି ଧନ ସମ୍ପତ୍ତି ଛାଡି ଯାଇ ନଥିଲେ। ବରଂ ଯାହାକିଛି ପୈତୃକ ସମ୍ପତ୍ତି ତାଙ୍କ ଭାଗରେ ପଡ଼ିଥିଲା ତା ଭିତରୁ ଅଧାଅଧି ବିକି ଭାଙ୍ଗି ଅୟସରେ ଉଡ଼ାଇ ଦେଇଥିଲେ।ପଛରେ ଛାଡି ଯାଇଥିଲେ ତାଙ୍କ ଭାଗରେ ବଳକା ଥିବା କିଛି ଅନାବାଦୀ ଜମି ଓ ଅଂଶୁମାନକୁ ମଣିଷ କରିବାର ଗୁରୁ ଦାୟିତ୍ବ।


 ଅଂଶୁମାନ ଭଲ ପାଠ ପଢୁଥିଲା।ଯୁକ୍ତ-ଦୁଇ ପରେ ମେଡିକାଲ କଲେଜରେ ସିଟ୍ ମଧ୍ୟ ମିଳିଗଲା।କିନ୍ତୁ ମେଡିକାଲ କଲେଜରେ ପାଠ ପଢ଼ାଇବା ଏତେ ସହଜ କଥା ନଥିଲା।ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କିପରି ପାଠ ପଢାଇବେ,ଏହି ଚିନ୍ତାରେ ଥିଲେ ଦେବାଶିଷର ବାବା ବ୍ରଜବନ୍ଧୁ।

ଅଂଶୁମାନକୁ ପାଖକୁ ଡାକି ସେ କହିଥିଲେ...ଦେଖ୍ ଅଂଶୁ, ମୁଁ ଗୋଟିଏ ସାଧାରଣ ଅଳ୍ପ ବେତନଭୋଗୀ ପ୍ରାଇମେରୀ ସ୍କୁଲ୍ ଶିକ୍ଷକ।ତତେ ଆଠ ଦଶ ବର୍ଷ କାଳ ମେଡିକାଲ୍ ପଢାଇବାର ସାମର୍ଥ୍ୟ ମୋର ନାହିଁ।ସେଥିରେ ଖର୍ଚ୍ଚ ଅପର୍ଯ୍ୟାପ୍ତ;ତୁ ବରଂ ଇଞ୍ଜିନିୟରିଂରେ ନାଁ ଲେଖେଇ ଦେ।


କିଛି ଉତ୍ତର ଦେଇ ନଥିଲା ଅଂଶୁମାନ। ମୁହଁକୁ ତଳକୁ କରି ଠିଆହୋଇ ବୁଢ଼ା ଆଙ୍ଗୁଠିରେ ମାଟି ଉଖାରିବାରେ ଲାଗିଲା; ଆଖିରୁ ଧାରଧାର ଲୁହ ବହି ଯାଉଥିଲା। ତା' ମୁହଁର ଅଭିବ୍ୟକ୍ତ ଅନେକ କିଛି କହୁଥିଲା ,କିନ୍ତୁ କେବଳ ମୁହଁରୁ କଥା ଦୁଇପଦ ବାହାରିଥିଲା...ବାବା,ବୋଉ ଥିଲେ ମୋର କଣ ଚିନ୍ତା ଥିଲା? ଜମିବାଡ଼ି ବନ୍ଧା ପକେଇ ମତେ ସେ ନିଶ୍ଚୟ ମେଡିକାଲ ପଢାଇଥାନ୍ତେ; ସେ ଯାହା ହେଉ,ଘରେ ପଛକେ ବେକାର ବସିବି,ହେଲେ ମୁଁ ଇଂଜିନିୟରିଂ ପଢିବି ନାହିଁ।


ବ୍ରଜବନ୍ଧୁଙ୍କ କଲିଜାକୁ କିଏ ଯେମିତି ବ୍ଲେଡରେ ଚିରି ଦେଇଥିଲା। ଅବ୍ୟକ୍ତ ଯନ୍ତ୍ରଣା ତାଙ୍କ ଆଖି କୋଣରେ ଲୁହ ଦୁଇଟୋପା ହୋଇ ଚିକ୍ ଚିକ୍ କରୁଥିଲା। କିନ୍ତୁ ପତ୍ନୀ ପ୍ରତିମା ସେ ସମୟରେ ଅଂଶୁମାନକୁ କୋଳକୁ ଭିଡ଼ିନେଇ ଆଶ୍ଵାସନା ଦେଇ କହିଥିଲେ...ଚିନ୍ତା କରେନା ଅଂଶୁ ,ତୁ ମେଡିକାଲ ନିଶ୍ଚୟ ପଢ଼ିବୁ। ସ୍ବାମୀଙ୍କୁ ଚାହିଁ ସେ କହିଥିଲେ ...ତମେ ଆମର ଗହଣା ଓ ଜମିବାଡ଼ି ବିକିଭାଙ୍ଗି ଅଂଶୁକୁ ମେଡିକାଲ ପଢାଅ।ଘରେ ଯେତେ ଅଭାବ ଅସୁବିଧା ହେଉ ପଛେ ସେ ମେଡିକାଲ୍ ପଢିବ ହିଁ ପଢିବ।


ଅଂଶୁମାନର ପାଠପଢାରେ ବ୍ରଜବନ୍ଧୁ ସର୍ବସ୍ବାନ୍ତ ହୋଇଗଲେ।ସବୁ ଜମିବାଡ଼ି ବନ୍ଧା ପକାଇ,ଓଳିଏ ଖାଇ ଓଳିଏ ନଖାଇ ଅଂଶୁକୁ ପାଠ ପଢାଇଲେ। ଅଂଶୁମାନ ପାଇଁ ଏତେ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ତାଙ୍କ ମନରେ ଦୁଃଖ ନଥିଲା।ସେ ସବୁବେଳେ କହୁଥିଲେ... ଅଂଶୁମାନ ଡାକ୍ତର ହେଲେ ଆମର ସବୁ ଦୁଃଖ ଚାଲିଯିବ। ଦେବାଶିଷର ଦାୟିତ୍ଵ ମଧ୍ୟ ସେ ମୁଣ୍ଡେଇବ, ତାପରେ ମୋର ଆଉ କଣ ଚିନ୍ତା?


କିନ୍ତୁ ଅଂଶୁମାନ ଉପରେ ମେଡିକାଲ୍ କଲେଜର ପ୍ରଫେସରଙ୍କର ନଜର ପଡିଗଲା।ନିଜର ଏକମାତ୍ର କନ୍ୟା ପାଇଁ ଅଂଶୁମାନକୁ ସେ ଧନଲୋଭ ଦେଖାଇ ନିଜ ଆଡକୁ ଟାଣିନେଲେ। ଅଂଶୁମାନ ଏମ୍ ବି ବିଏସ୍ ପାଶ୍ କରିବା ସଙ୍ଗେସଙ୍ଗେ ପ୍ରଫେସର ମହାଶୟ ତା' ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରି ଅତ୍ୟାଧୁନିକ ନର୍ସିଂହୋମ୍'ଟିଏ ସ୍ଥାପିତ କରିଦେଲେ। ଅଂଶୁମାନ ସବୁଦିନ ପାଇଁ ଗାଁକୁ ଭୁଲିଗଲା।ତା ସଙ୍ଗେ ସଙ୍ଗେ ମଧ୍ୟ ଭୁଲିଗଲା ବଡବାପା, ଦେଠେଇ ଓ ଦେବାଶିଷକୁ ,ଯେଉଁମାନେ ନିଜ ପେଟରେ ଓଦା କନା ପକାଇ ତାକୁ ଡାକ୍ତର କରିଥିଲେ ।


ଦେବାଶିଷର ମନେପଡେ, ମେଡିକାଲ କଲେଜରେ ଆଡ଼ମିଶନ ନେବା ପରେ ପରେ ଅଂଶୁମାନ ବଡ଼ ଆଦର୍ଶବାଦୀଙ୍କ ଭଳି କେତେ ବଡ଼ ବଡ଼ କଥା କ‌ହୁଥିଲା। କହୁଥିଲା...ସେ କୌଣସି ସରକାରୀ ଚାକିରୀ କରିବ ନାହିଁ, ଗାଁରେ କ୍ଲିନିକ୍'ଟିଏ କରି ବିନା ପଇସାରେ ଲୋକମାନଙ୍କର ସେବା କରିବ, ବଡବାପା ଦେଠେଇଙ୍କ ବାର୍ଦ୍ଧକ୍ୟ ସମୟରେ ତାଙ୍କ ପାଖରେ ରହି ସେବା କରି ସେମାନଙ୍କ ବଳିଦାନର ଋଣ ଶୁଝିବ।


ଅଂଶୁମାନର ସେହି ଆଦର୍ଶ-ବାଦୀ କଥା ଶୁଣି ବ୍ରଜବନ୍ଧୁଙ୍କ ଛାତି କୁଣ୍ଢେମୋଟ ହୋଇଯାଇଥିଲା ; ଆଖିରୁ ତାଙ୍କର ଆନନ୍ଦର ଲୁହ ଝରି

ଯାଇଥିଲା। ପତ୍ନୀଙ୍କୁ ସେ କହିଥିଲେ..ଦେଖିଲ ପ୍ରତିମା ! ଅଂଶୁମାନ'ର କି ଉଚ୍ଚ ଚିନ୍ତାଧାରା ! ଆମ ବଂଶର ନାଁ ସେ ନିଶ୍ଚୟ ରଖିବ।ତା ପାଠପଢାପାଇଁ ମୁଁ କାଙ୍ଗାଳ ହୋଇଗଲେ ମଧ୍ୟ ମୋର ଚିନ୍ତା ନାହିଁ। ମୁଁ ହସିହସି ତା'ପାଇଁ ସବୁକିଛି ତ୍ୟାଗ କରିପାରିବି।


ବାବାଙ୍କର ଭାବପ୍ରବଣତାର ଲୁହରେ ସେଦିନ ଦେବାଶିଷ ଭିଜି ଯାଇଥିଲା। ଦେବାଶିଷ ମଥାରେ ହାତ ବୁଲେଇ ସେ କହିଥିଲେ...ତୋ ପାଇଁ ଆଉ ମୋର ଚିନ୍ତା ନାହିଁ ଦେବୁ, ଅଂଶୁମାନ ଡାକ୍ତର ହୋଇ ଗାଁରେ କ୍ଲିନିକ୍ ଖୋଲିଲେ ତୁ ତାକୁ ସାହାଯ୍ୟ କରିବୁ; ଗାଁ ଲୋକଙ୍କ ଆଶୀର୍ବାଦ ତୁମ ଉପରେ ପଡ଼ିଲେ ଆମ ପରିବାର ପାଇଁ ତାହା କୋଟୀଜନ୍ମର ସୁକୃତ ସହିତ ସମାନ ହେବ।ବାହାରେ ଚାକିରି ବାକିରି କରି ଯେଉଁମାନେ ନିଜ ପରିଜନ ଓ ଗାଁ ମାଟିକୁ ଭୁଲି ଯାଉଛନ୍ତି, ସେମାନେ କଣ ମଣିଷରେ ଗଣା? ସେମାନେ ଗୋଟିଏ ଗୋଟିଏ ସ୍ବର୍ଥପର ଅକୃତଜ୍ଞ ଅପଦାର୍ଥ।


ହେଲେ ବ୍ରଜବନ୍ଧୁଙ୍କ ସ୍ବପ୍ନକୁ ପ୍ରବଳ ଧକ୍କା ଲାଗିଥିଲା ଯେଉଁ ଦିନ ଅଂଶୁମାନ ଡାକ୍ତରୀ ପାଶ କରି ତାଙ୍କୁ ପାଶ୍ କରିଥିବା ଶୁଭ ଖବର ସଙ୍ଗେ ସଙ୍ଗେ ପ୍ରଫେସରଙ୍କ ପାଖରେ ବିକି ହୋଇଯାଇଥିବାର ମହାନ ସମ୍ବାଦ ଶୁଣାଇଥିଲା।ସାଙ୍ଗରେ ନିଜେ ପ୍ରଫେସର ମହାଶୟ କନ୍ୟାରତ୍ନଙ୍କ ସହିତ ଆସିଥିଲେ ଜଣେଇ ଦେବାପାଇଁ ଯେ ଅଂଶୁମାନ ତାଙ୍କ ଝିଅକୁ ଭଲପାଏ ଏବଂ ସେ ଅତି ଶୀଘ୍ର ବାହାଘରର ଆୟୋଜନ କରିବେ।ବାହାଘର ଦିନ ଅଂଶୁମାନପାଇଁ ନିର୍ମିତ ହୋଇଥିବା ନୂଆ ଚିକିତ୍ସାଳୟର ମଧ୍ୟ ଶୁଭ ଉଦ୍ଘାଟନ ହେବ।


ସେଦିନ ଅଂଶୁମାନ, ଏ ପ୍ରସ୍ତାବ ସମ୍ବନ୍ଧରେ ବ୍ରଜବନ୍ଧୁଙ୍କୁ ତାଙ୍କର ସମ୍ମତି ପଚାରିବାକୁ ଆସି ନଥିଲା, ବରଂ ଆସିଥିଲା ତା' ନିଷ୍ପତ୍ତି ଶୁଣାଇବା ପାଇଁ।


ଦେବାଶିଷର ମନେଅଛି , ସେଦିନ ବାବାଙ୍କ ହୃଦୟକୁ ଗଭୀର ଧକ୍କା ଲାଗିଥିଲା। ତାହା,ନିଜ ଆତ୍ମୀୟଙ୍କ ଦ୍ବାରା ଜୁଆ ଖେଳରେ ଅପମାନିତ ହୋଇ , ଇନ୍ଦ୍ରପ୍ରସ୍ଥ ହରାଇ ବନବାସ ଦଣ୍ଡରେ ଦଣ୍ଡିତ ହୋଇଥିବା ଯୁଧିଷ୍ଠିରଙ୍କୁ ମଧ୍ୟ ଲାଗି ନଥିବ।


କିଛିଦିନ ପରେ ଅଂଶୁମାନର ବିବାହ ନିମନ୍ତ୍ରଣ ପତ୍ର ସହିତ ଚିକିତ୍ସାଳୟ ଉନ୍ମୋଚନର ନିମନ୍ତ୍ରଣ ପତ୍ର ବ୍ରଜବନ୍ଧୁଙ୍କ ପାଖକୁ ଆସିଥିଲା।ସେ ତାକୁ ଚିରି ଖଣ୍ଡ ଖଣ୍ଡ କରି ପବନରେ ଉଡ଼ାଇ ଦେଇଥିଲେ।


ଦେବାଶିଷର ମନେପଡେ କିପରି ଅଂଶୁ ଭାଇଙ୍କର ଏଭଳି ନିଷ୍ପତି ବାବାଙ୍କ ପାଇଁ ଅକଳ୍ପନୀୟ ଧକ୍କା ଥିଲା। ସେହି ଧକ୍କା ତା'ବାବାଙ୍କ ହୃଦୟର ସମ୍ବେଦନତମ ଅଂଶକୁ ସ୍ପର୍ଶ କଲା।ତା ପରଠାରୁ ସେ ଶଯ୍ୟାଶାୟୀ ହେଲେ ଏବଂ ଧୀରେ ଧୀରେ ଦୁର୍ବଳ ହୋଇଗଲେ।ତାଙ୍କର ଏ ଅବସ୍ଥା ଦେଖି ପ୍ରତିମାଙ୍କ ଆଖିରୁ ଲୁହ ଶୁଖୁନଥାଏ। ଦିନେ ସେ ଦେବାଶିଷକୁ ଅଶ୍ରୁଳ ଆଖିରେ କହିଲେ... ଦେବୁ !, ବାପା କଣ ସତରେ ଆଉ ଭଲ ହେବେନି ? ତୁ ଟିକିଏ ତାଙ୍କୁ କଟକ ନେଇ ଅଂଶୁମାନକୁ ଦେଖା।


ଅଂଶୁମାନ ବ୍ରଜବନ୍ଧୁଙ୍କୁ ଦେଖି ପାଦ ଛୁଇଁଲା।ଜଣେ ଆସିଷ୍ଟାଣ୍ଟଙ୍କୁ ସମସ୍ତ ପରୀକ୍ଷା ନିରୀକ୍ଷାର ଦାୟିତ୍ଵ ଦେଇ କହିଲା...ଏ ମୋର ବଡ଼ ବାପା,ତାଙ୍କର ସବୁ ପ୍ରକାର ଯତ୍ନ ନେଇ ପରୀକ୍ଷା ନିରୀକ୍ଷା କରିବ। ମୁଁ ଗୋଟାଏ ବଡ଼ ଅପରେସନ କାମରେ କଳିଙ୍ଗ ହସ୍ପିଟାଲ୍ ଯାଉଛି,ଫେରୁ ଫେରୁ ସନ୍ଧ୍ୟା ହେବ।


ସବୁ ପରୀକ୍ଷା ନିରୀକ୍ଷା ପାଇଁ ଆସିଷ୍ଟାଣ୍ଟ ମହାଶୟ ପାଞ୍ଚହଜାର ଟଙ୍କାର ବିଲ୍'ଟିଏ ଧରାଇ ଦେଇ କହିଲେ... କାଉଣ୍ଟରରେ ଡିପୋଜିଟ୍ କରିଦିଅନ୍ତୁ ଏବଂ ରସିଦ୍ ସହିତ ଅପେକ୍ଷା କରନ୍ତୁ,ଆପଣଙ୍କ ନାଁ ଡକା ହେଲେ ଭିତରକୁ ଯିବେ।" ଆଶ୍ଚର୍ଯ୍ୟ ହୋଇ ଦେବାଶିଷ ପଚାରିଥିଲା...ବିଲ୍ ପ୍ରସ୍ତୁତ କରିଥିବା ବ୍ୟକ୍ତି କଣ ଜାଣନ୍ତି ନାହିଁ ଡକ୍ଟରଙ୍କ ସହିତ ଆମର ସମ୍ପର୍କ କଣ !"


ହାତଯୋଡି ଆସିଷ୍ଟାଣ୍ଟ୍ କହିଲେ.....ଆମେ କଣ କରିବୁ ଆଜ୍ଞା ,ଆମେ ଚାକର ଲୋକ; ସମସ୍ତେ ଜାଣନ୍ତି ପେସେଣ୍ଟ୍ ସାରଙ୍କ ବଡବାପା; କିନ୍ତୁ ସାର୍ ଏବଂ ମାଡାମଙ୍କର ନିର୍ଦ୍ଦେଶ ଯେ କାହାକୁ ବି ମାଗଣା ସର୍ଭିସ୍ ଦିଆଯିବ ନାହିଁ; ବନ୍ଧୁବାନ୍ଧବଙ୍କୁ ମଧ୍ୟ ନୁହେଁ।ମାଡାମ୍ କହିଛନ୍ତି.... ଏଠି ଆମେ ଦାତବ୍ୟ ଚିକିତ୍ସାଳୟ ଖୋଲିନାହୁଁ। ଯେତେ ଅର୍ଥ ବ୍ୟୟ କରି ଆମେ ଡାକ୍ତର ହେଇଚୁ, ସେ ପଇସା ଉଠିବ କେମିତି ?"


ଏପରି ବ୍ୟବହାର ବୋଧହୁଏ ବ୍ରଜବନ୍ଧୁଙ୍କ ସମ୍ବେଦନଶୀଳ ହୃଦୟ ଉପରେ କୃତଘ୍ନତାର ଅନ୍ତିମ ପ୍ରହାର ଥିଲା। ସ୍ବାସ୍ଥ୍ୟ ପରୀକ୍ଷା ନକରି କାନ୍ଦି କାନ୍ଦି ସେ କଟକରୁ ଫେରି ଆସିଥିଲେ ।


ଜଣେ ସ୍ଵାର୍ଥପର ଲୋଭୀ ପରିଜନ ପାଇଁ ନିଜର ଉଚ୍ଚଶିକ୍ଷା ଜଳାଞ୍ଜଳି ଦେଇଥିବା ଦେବାଶିଷ ସେଦିନ ସମ୍ପର୍କର ଗିରିଗିଟ୍ (ପୋହଳା ଏଣ୍ଡୁଅ) ରୂପ ଦେଖି ଭୟଙ୍କର ଘୃଣା,କ୍ରୋଧ ଓ ଲଜ୍ଜାରେ ମୁହଁ ଉପରକୁ ଉଠାଇ ପଚାରିଥିଲା... ଭଗବାନ! ତୁମ ଅଦୃଶ୍ୟ ଲାଠି ନିରବ କାହିଁକି !!



Rate this content
Log in

Similar oriya story from Inspirational