Madhu Mita

Classics Inspirational Children

3  

Madhu Mita

Classics Inspirational Children

ମୋ ହିରୋ

ମୋ ହିରୋ

5 mins
114



“ମୋ ସାଙ୍ଗମାନେ ମାମୁଁ ଘରକୁ ଗଲେଣି ମାମା।ଆଉ ଯିଏ ଯାଇ ନାହାନ୍ତି ତାଙ୍କ ମାମୁଁ ମାନେ କାଲି ପାଇଁ ନୂଆ ଡ୍ରେସ୍,ଖେଳନା ସବୁ ଆଣି ଦେଲେଣି”କହି କଥା ଢ଼ୋକି ଦେଲା ପିନ୍ଟୁ।ସିଏ ଜାଣିଛି ତା ସହିତ ଏମିତି କିଛି ବି ହବନି।ଛୋଟ ହେଲେବି ବହୁତ୍ କଥା ବୁଝୁଛି ସିଏ।ଅଧିକା  ତାକୁ ଆଉ କଣ କହିଥାନ୍ତି ମୁଁ? ମୋ ମୁଣ୍ଡ ତ କାମ କରୁ ନଥିଲା। କୌଣସି ପ୍ରକାରେ ତାକୁ ବୁଝେଇ ସୁଝେଇ ପଠେଇ ଦେଲି ଖେଳିବାକୁ।ହେଲେ ମୋ ମନ ଭିତର ଝଡ ମୋତେ ଉଡେଇ ନେଇ ଯାଉଥିଲା ସେଇ ଦିନଟାକୁ ଯେଉଁ ଦିନ ଭାଇ ପ୍ରଥମ କରି ଗାଡ଼ି ଶିଖୁଥିଲା।ମୁଁ ସେତେବେଳକୁ ସ୍କୁଲରେ ଥାଏ।ଭାଇ ନୂଆ ନୂଆ କଲେଜ ଯାଉଥିଲା।ତା ସାଙ୍ଗମାନେ ଗାଡ଼ି ଚଲେଇ ବୁଲି ଯାଉଥିବା ଦେଖି ତା ମନ ମଧ୍ୟ ବୋଲ ମାନୁ ନଥିଲା।ବାପାଙ୍କ ଅଜାଣତରେ ତାଙ୍କ ଗାଡ଼ି ଗଡ଼େଇ ଗଡ଼େଇ ପଡିଆ ଯାଏଁ ନେଇଯାଇ ସିଏ ଶିଖିବାକୁ ଆରମ୍ଭ କରୁଥିଲା।ମା ନିଜ କାମରେ ବ୍ୟସ୍ତ ଥିଲେ।ବାପା ତ ଘରେ ନଥିଲେ।ଭାଇର ଏସବୁ କାମ ଆଉ କିଏ ଦେଖିଥାନ୍ତା? ମୁଁ କିନ୍ତୁ ସବୁ ଜାଣିଥିଲି।ଭାଇ ସହିତ ପଡିଆକୁ ଖେଳି ଯିବି କହି ମୁଁ ବି ଆସ୍ତେ ବାହାରି ଯାଇଥିଲି ।ଭାଇ ଗାଡ଼ି ଚଳେଇବା ଆରମ୍ଭ କଲା।ମୁଁ ଲୁଚି ଲୁଚି ଦେଖୁଥାଏ।ସ୍କୁଟି ଗାଡ଼ିଟା ଷ୍ଟାର୍ଟ କରି ଯେମିତି ଏକ୍ସିଲେଟର ମୋଡ଼ିଦେଲା ଘାଏଁ କରି ଗାଡ଼ିଟା ଯାଇ ସାମ୍ନା କାନ୍ଥରେ ପିଟି ହେଇଗଲା ଆଉ ଭାଇ ଛେଚି ହେଇ ତଳେ ପଡ଼ିଗଲା।ମୁଁ ଦୌଡ଼ି ଗଲି ତା ପାଖକୁ।ତାକୁ ବେଶୀ ମାଡ ବାଜି ନଥିଲା।ସିଏ ଗୋଟିଏ ଘାସ ବୁଦା ଉପରେ ଛିଟିକି ପଡ଼ିଥିଲା।ହେଲେ ଗାଡ଼ିଟା କାନ୍ଥରେ ବାଜି ପୁରା ଚୁନା ହେଇ ଯାଇଥିଲା।ଭାଇ ମୋତେ ରାଣ ପକେଇଲା।ଏକଥା ଘରେ କାହାକୁ କହିବାକୁ ମନା କଲା।ହେଲେ ବାପା ମା ଗାଡ଼ି କଥା ପଚାରିଲେ କଣ କହିବା କହି ମୁଁ ଡରୁଥିଲି।କିନ୍ତୁ ଭାଇ କହିଲି ”ଦେଖ ମୁଁ କହିବି ଯେ ଜଣେ ଚୋର ଆମ ଗାଡ଼ି ଚୋରେଇ ନେଇ ଯାଉଥିଲା ଆଉ ମୁଁ ତା ପଛରେ ଗୋଡେଇଲି ସିଏ ଡରିକି ଯାଉ ଯାଉ କାନ୍ଥରେ ପିଟି ହେଇଗଲା।” ଭାଇ ଉପରେ ମୋର ବହୁତ୍ ବିଶ୍ଵାସ ଥାଏ।ମୁଁ ତା କଥା ଉପରେ ଆଉ କିଛି କହିବିନି ବୋଲି ରାଣ ଖାଇଲି।ଘରକୁ ଆସି ସିଏ ଯାହା ଭାବିଥିଲା ସେଇ ପ୍ରକାରେ କହିଲା।ବାପା କିନ୍ତୁ ପଚାରିଲେ”ଚୋର ଗାଡ଼ି ଚୋରେଇ ସାରି ରାସ୍ତା ଉପରକୁ ଯିବା ଜାଗାରେ ପଡିଆ ଭିତରକୁ କାହିଁକି ଗଲା ?’bhai ତା ପରେ ଯେତେ ଯାହା କହିଲେ ମଧ୍ୟ ସିଏ ଆଉ ବିଶ୍ଵାସ କଲେନି ଆଉ ମୋତେ ପାଖକୁ ଡାକି ବସେଇ ମୋ ମୁହଁକୁ ଚାହିଁ ପଚାରିଲେ କଥାଟା କଣ? ବାପା ଯେତେବେଳେ ଏମିତି ପଚାରନ୍ତି ଝିଅ ସେତେବେଳେ ଆଉ ମିଛ କେମିତି କହିପାରେ? ମୁଁ ବି କାନ୍ଦି ପକେଇ ସତ କହିଦେଲି।ଭାଇ ସେଦିନ ବାପା ଙ୍କଠୁ ବହୁତ୍ ଗାଳି ଖାଇଲା।ବାପା ହାତ ମଧ୍ୟ ଉଠେଇଲେ ହେଲେ ମା ବଞ୍ଚେଇ ଦେଲା।ବାପା ରାଗିଯାଇ ଥିବାରୁ ମା ତାଙ୍କୁ ବୁଝେଇବା କୁ ଲାଗିଲେ।।ଭାଇର ଖଣ୍ଡିଆ ଉପରେ ଔଷଧ ଲଗାଇବାକୁ ମୋତେ କହିଲେ।ମୁଁ ତା ପାଖକୁ ଯିବାରୁ ସିଏ ମୋତେ ପେଲିଦେଲା।ଆଉ କହିଲା ”ଆଜିଠୁ ତୁ ମୋର କିଏ ନୁହଁ।ମୋ ସହିତ କେବେ କଥା ହେବୁନି ”

ଭାଇର ଏଇ କଥା ଆମ ଭିତରେ ଏକ ବଡ ପାଚେରୀ ଠିଆ କରିଦେଲା।ଦିନ ସପ୍ତାହ ମାସ ପରେ ବର୍ଷ ମଧ୍ୟ ବିତୁଥିଲା।ହେଲେ ଭାଇ ଆଉ ମୋ ସହିତ କଥା ହେଲାନି।ବାପାଙ୍କ ରାଗ କମିଗଲା।ଭାଇ ପାଇଁ ସିଏ ଗାଡ଼ି କିଣିଲେ।ଭାଇ ଚାକିରି କଲା।ବାହା ହେଲା।ତାର ପିଲାପିଲି ହେଲେ।ମୋ ବାହାଘର ହେଲା।ମୋର ମଧ୍ୟ ପୁଅ ଜନ୍ମ ହେଲା।ହେଲେ ଭାଇ ଆଉ ମୋ ସହିତ କଥା ହେଲାନି।ସିଏ ସବୁ କାମ କରୁଥାଏ ହେଲେ ମୋ ସହିତ କଥା ହେଉ ନଥାଏ।ମା ବାପା କେତେ ବୁଝାଇଲେ। ରାଣ ନିୟମ ପକେଇଲେ।ହେଲେ କିଛି ଲାଭ ହେଲାନି।ବାପା ମା ଥିଲା ବେଳେ ଏଇ ପୂଜା ପର୍ବରେ ସେମାନେ ଘରକୁ ଆସି ଯାଆନ୍ତି ନହେଲେ ମୋତେ ଡାକି ଦିଅନ୍ତି। ରାକ୍ଷୀ ଆସିଲେ ମୁଁ ଥାଳିରେ ରଖିଦେଲେ ଭାଇ ନେଇଯାଏ ହେଲେ ମୋତେ ବାନ୍ଧିବାକୁ କୁହେନି।ଅଷ୍ଟମୀ ଭାର ବାପା ପଠେଇ ଦିଅନ୍ତି।ମୋ ସହିତ କଥା ନହେଲେ ବି ବାପା କହିଲେ ସବୁ ଯୋଗାଡ଼ କରୁଥାଏ ଭାଇ।ହେଲେ ଏଇ ଦୁଇବର୍ଷ ତଳେ କୋବିଡ ରେ ବାପା ମା ଚାଲିଯିବା ପରେ ଭାଇ ସହିତ ସେଇ ଅଳ୍ପ ଟିକକ ମଧ୍ୟ ସମ୍ପର୍କ ଯେମିତି କଟି ଯାଇଛି।ମୋ ସତ କହିବାଟା ଯେ ମୋର ଏତେ ବଡ ଶତ୍ରୁ ହେଇ ଯାଇଛି ସେକଥା ମୁଁ କାହାକୁ କେମିତି ବୁଝେଇବି? ପିନ୍ଟୁ କୁ କଣ ବୁଝେଇବି?ମୋ ଦୁଃଖାଠୁ ମୋ ଛୁଆର କଷ୍ଟ ବଳେଇ ପଡ଼ିଲାଣି ।ଅଜା ଆଇ ଗଲା ପରେ ମାମୁଁ ଘର ଯେ ତା ପାଇଁ ବନ୍ଦ ହେଇ ଯାଇଥାଏ।କାରଣ ଟା କିଏ କେମିତି ବୁଝିବ?ଭାଇ କଣ ଏ ଜୀବନରେ ମୋ ସହିତ ଆଉ କଥା ହେବନି?ମୋ ମୁଣ୍ଡ ଆଉ କାମ କରୁ ନଥାଏ। ଏତେ ବଡ ବଙ୍ଗଳାର ଲନ ଭିତର ଝୁଲାରେ ବସି ମୋତେ ଲାଗୁଥାଏ ମୁଁ ଯେମିତି ଗୋଟେ ଭିକାରୀ ହେଇ ଯାଇଛି। ମୁଁ ଗୋଟେ ବଡ ପାପୀ।ମୋତେ ମୋ ସତ କହିବା ଯୋଗୁଁ ସଜା ମିଳିଛି…ଆଉ ସେଇଥିପାଇଁ ମୁଁ ଆଜି ପୁରା ଏକା। ମୋର ବୋଧେ ଆଉ କିଏ ନାହାନ୍ତି… ଯଦି ଭାଇ ମୋତେ ସେଦିନ ପାଇଁ କ୍ଷମା ଦିଅନ୍ତା…ହେଲେ…!!ଅମାନିଆ ହୋଇ ବାହାରି ଯାଉଥିବା ଲୁହକୁ ଥରିଲା ହାତରେ ପୋଛିବାକୁ ଚେଷ୍ଟା କଲା ବେଳେ ହଠାତ୍ ଶୁଭିଲା ”ପିନୁ ”

ଆଶ୍ଚର୍ୟ୍ଯ ହେଇ “ଭାଇ”କହି ପଛକୁ ବୁଲିଲି।ସତକୁ ସତ ଭାଇ ଆସି ଠିଆ ହେଇଥିଲା ମୋ ପଛରେ।ଏଇ ପୀନୁ ବୋଲି ତ ସେ ହିଁ ଡାକେ।ଏତେ ବର୍ଷ ଭିତରେ ଏଇ ଡାକଟି ଶୁଣିବାକୁ କେତେ ବିକଳ ହେଇଛି ମୁଁ ଝୁଲାରୁ ଉଠିଲା ବେଳକୁ ଭାଇ ମୋତେ ପୁଣି ବସେଇ ଦେଲା ଆଉ ମୋ ପାଖରେ ବସି ମୋ ହାତକୁ ଧରି କହିଲା ”ମୋତେ କ୍ଷମା କରି ପାରିବୁ ପିନୂ Sorry ରେ”

ତା ପରେ ଗୋଟିଏ ନିଶ୍ୱାସରେ ସେ କହିଲା କେମିତି ଆଜି ତା ପୁଅ ତାକୁ ନକହି ତା କାର ନେଇ ଗ୍ୟାରେଜ ବାହାରକୁ ବାହାର୍ କଲା ବେଳକୁ ପାଖ କାନ୍ଥରେ ପିଟି ହୋଇଯାଇ ସେଇ କାମଟା ଡ୍ରାଇଭର କରିଛି ବୋଲି କହିଲା।ହେଲେ ଭାଇ ଯେତେବେଳେ ତା ଝିଅକୁ ସତକଥା ପଚାରିଲା…ସିଏ ସବୁ ସତ ସତ କହିଦେଲା।ଭାଇ ସେଇ ଘଟଣା ଭିତରେ ନିଜକୁ ଆଉ ମୋତେ ଦେଖି ପାରୁଥିଲା।ଭାଉଜ ଝିଅକୁ କହୁଥିଲେ…”ତୁ ସତ କହିବାରୁ ଦେଖ ତୋ ଭାଇ କିନ୍ତୁ ତୋ ଉପରେ ରାଗିବ ମାମା” ହେଲେ ଝିଅ ସେତେବେଳ କହିଲା”ମୁଁ ମୋ ଭାଇକୁ ଜାଣିଛି।ସତ କହିବା ପାଇଁ ସିଏ କେବେ ମୋ ଉପରେ ରାଗିବନି।ସିଏ ପରା ମୋ ହିରୋ…” 

ଭାଇ ବି କାନ୍ଦୁଥିଲା।ଲୁହ ପୋଛି ମୋତେ କହିଁଲା”ପିନୁ ଆଜି ପିଲେ ସେଇ ଜାଗାରେ ଠିଆ ହେଇଚଣ୍ଟି ରେ ଯେଉଁଠି ଆମେ ଠିଆ ହେଇଥିଲେ ସେମାନେ ମୋତେ ବତେଇ ଦେଇଛନ୍ତି ମୁଁ କେତେ ବଡ ଅପରାଧୀ !ସତ କହିଲା ରୁ ମୋ ଭଉଣୀକୁ ଜେତେ ବଡ ଦଣ୍ଡ ଦେଲି ସତରେ !! ପିନୁ ଏବେ ତୁ ମୋତେ ଦଣ୍ଡ ଦେ।ଏତେ ବର୍ଷ ଏଇ ଛୋଟ କଥା କେମିତି ଯେ ମୁଁ ବୁଝି ପାରିଲିନି…ମୋତେ ଖାଲି ଲାଗିଲା ତୁ ମୋତେ ଦେଇଥିବା କଥା ରଖିଲୁନି।ହେଲେ ମୁଁ ଭୁଲିଗଲି ଯେ ତୁ ବି ଗୋଟେ ଝିଅ ଥିଲୁ ଆଉ ବାପା ପଚାରିଲେ ଝିଅ କେବେ ମିଛ କହି ପାରେନି ପିନୁରେ କାଲି ପ୍ରଥମାଷ୍ଟମୀ।ଏଇ ମାମୁଁ ର ଭାର କଣ ତା ଭଣଜା କୁ ଦବୁନି?”ମୁଁ କଣ କହିଥାନ୍ତି ତାକୁ? ମୋ କଥା ସବୁ ଆଖିର ଲୁହ ହେଇ ଆଉ ବନ୍ଧବାଡ ନ ମାନି ବୋହି ଚାଲିଥାନ୍ତି।ଭାଇକୁ କୁଣ୍ଢେଇ ଧରି ଭୋ ଭୋ ହେଇ କାନ୍ଦିଲିi।”ଏଇ ହୁଣ୍ଡି ଏମିତି କାନ୍ଦେନା ପିନ୍ଟୁ ଭାବିବ ମୁଁ ତୋତେ ଚିମୁଟି ଦଉଛି” କହିଁ ଭାଇ ସତକୁ ସତ ମୋ ଗାଲକୁ ଚିମୁଟି ଦେଲା।ପିଲାବେଳେ ସେ ଏମିତି କଲେ ମୁଁ ତାକୁ ପିଟିବାକୁ ଦୌଡୁଥିଲି ହେଲେ ଆଜି ଖୁସିରେ ତା ପାଦ ଛୁଇଁ ଆଶୀର୍ବାଦ ମାଗିଲା ବେଳେ ଦେଖିଲି ପିନ୍ଟୁ ଖୁସିରେ ତା ମାମୁଁ ଆଣିଥିବା ଖେଳନା,ଚକଲେଟ,ମିଠା ସବୁ ଦେଖି ଖୁସିରେ ନାଚି ଯାଉଥିଲା !!ମାମୁଁ ମାମୁଁ କହି ଆସି ଭାଇର ଗଳାରେ ଝୁଲି ପଡ଼ିଲା ଭାଇ ତାକୁ ଖୁବ୍ ଗେଲ କରୁଥଲା ଆଜି ମା ବାପା ବହୁତ୍ ମନେ ପଡୁଥିଲେ ଭାଇ ମୋ କଥା ବୁଝିପାରିଲା ବୋଧେ ସ୍ନେହରେ ମୋ ମୁଣ୍ଡ ଆଉଁସି ଦେଲା।ମୋତେ ଲାଗିଲା ଯେମିତି ମୁଁ ଆଉ ମା ବାପା ଛେଉଣ୍ଡ ନୁହେଁ !ମୋର ଆଉ କିଛି ଅଭାବ ନାହିଁ !କାହିଁକି ନା ମୋ ଭାଇ ମୋ ହିରୋ ମୋ ସାଙ୍ଗରେ ଅଛି ।




Rate this content
Log in

Similar oriya story from Classics