STORYMIRROR

MADHU MITA

Tragedy Inspirational

4  

MADHU MITA

Tragedy Inspirational

ନିରୁତ୍ତର

ନିରୁତ୍ତର

2 mins
40


 ପିଲାବେଳେ ତାକୁ ଅତି ପାଖରୁ ଦେଖିବା ସୁଯୋଗ ପାଇଥିଲି । ତା ରୂପ ରଙ୍ଗ ଆଉ ସର୍ବୋପରି ତା ମଧୁର କଥା ମୋତେ ଏତେ ଆକୃଷ୍ଟ କରିଥିଲା । ମୁଁ ଏକରକମ ତାକୁ ପାଇବାକୁ ପାଗଳ ହେଇ ଯାଇଥିଲି । ଆଉ ମୋର ଏ ଅଦ୍ଭୁତ ନିଶା ମୋତେ ଦିନୁଦିନ ଅଥୟ କରୁଥିଲା । ତା ମସୃଣ ଶରୀର, ସ୍ନେହଭରା ଚାହାଣୀ, ସୁନ୍ଦର ଗଢଣ ଆଉ ଏତେ ଆପଣାପଣ ମୋତେ ତାର ଆହୁରି ନିକଟତର କରି ଥିଲା । ଆଉ ସେଥିପାଇଁ ବାପା ମୋ ପାଇଁ ତିନୋଟି ଶୁଆ ଏକାସଙ୍ଗେ ଆଣିଦେଲେ ।


ତଥାପି ମୋ ମନ ମାନୁ ନ ଥାଏ । କଣ କମ୍ ଥିଲା ମୁଁ ଜାଣି ପାରୁ ନ ଥାଏ । ଥରେ ମକର ସଂକ୍ରାନ୍ତି ଦିନ ବାପା ଟୁର୍ ରୁ ଆସିଲା ପରେ ପଛରେ ହାତ ଲୁଚାଇ ରଖିଥାନ୍ତି ।ମୁଁ ଦେଖିବାକୁ ଜିଦ୍ କଲା ପରେ ଦେଖେଇଲେ ଏକ ଅତିଶୟ ସୁନ୍ଦର ଶୁଆ..ଯାହା ସେ କିଣି ରୁମାଲ୍ ରେ ଧରି ଆସିଥିଲେ । ସେ ମୋ ପାଇଁ ଭାଗ୍ୟ ଉଦୟର ବାର୍ତ୍ତା ଆଣିଲା ପରି ମନେହେଲା ଆଉ ମୁଁ ତା ନାମକରଣ କଲି..ଲକି..।


 ହଁ..ଲକି..ସେ କେବଳ ଶୁଆ ନ ଥିଲା ବରଂ ଛୋଟ ଛୁଆଟେ ପରି ଆମ ଘରର ସଦସ୍ୟ ଥିଲା । ନିଜେ ଥଣ୍ଟରେ ଖାଇ ଶିଖି ନ ଥିବାରୁ ମୁଁ ତାକୁ ଚାମଚରେ ଖୁଆଇ ଦେଉଥିଲି । ସେ ମଧ୍ୟ ତାର ସୁଲଳିତ କଣ୍ଠରେ ଜଣେଇ ଦେଉଥିଲା ତା ତୃପ୍ତିକୁ ।ମୁଁ ବି ତୃପ୍ତ ହେଉଥିଲି ।ମା ତାକୁ ବହୁତ କଥା ଶିଖାଇ ଥିଲେ । ଶୁଣିବା ଲୋକ ହିଁ ଜାଣି ପାରିବ ସେ ପ୍ରଗଳ୍ଭ ହୋଇ ଗପୁଥିଲା । ଦିନରାତି ବିଭୁ ନାମ କୀର୍ତ୍ତନ କରୁ ଥିଲା । ମୋତେ ନାମ ଧରି ସମ୍ବୋଧନ କରୁଥିଲା । ଭୋକ ହେଲେ ଖାଇବା ମାଗୁଥିଲା ।ପାଠ ପଢିବାକୁ ମା କହିଲା ପରି ତାଗିଦ୍ କରୁଥିଲା ।ଆଉ ଥରେ ଏକ ନାଗସାପ ଅତର୍କିତ ଭାବେ ଘରେ ପଶି ଯାଇଥିବା ଦେଖି ଅତି ବିକଳ ଓ ଅସ୍ବାଭାବିକ ଚିତ୍କାର କରି ସେ ଦିଗକୁ ଏକ ଲୟରେ ଚାହିଁ ରହିଲା ।ଯା ଦ୍ଵାରା ଆମେ ଏକ ଆସନ୍ନ ନିଶ୍ଚିତ ବିପଦରୁ ରକ୍ଷା ପାଇ ଯାଇଥିଲୁ ।


ଲକି ମୋର ସବୁଠୁ ପ୍ରିୟ ସାଙ୍ଗ ଥିଲା । ଏକା ହେବାକୁ ଦେଇ ନ ଥିଲା କେବେ । ଭୋରରୁ ପାଠ ପଢ଼ିବା ବେଳେ ମୋ ସହ ଏଣୁ ତେଣୁ ଗପୁ ଥିଲା । ତାକୁ ଚିଡ଼େଇବା ପାଇଁ ମୁଁ ଆଉ ଗୋଟିଏ ଶୁଆ ଆଣିଲି । କିନ୍ତୁ ନା ସେ ଲକି ପରି ହେଲା ଆଉ ନା ମୁଁ ତାକୁ ରଖି ପାରିଲି ।


ମୋ ବାହାଘରକୁ କୋଡ଼ିଏ ଦିନ ବାକି ଥାଏ ।ବାପାଙ୍କ ଗୋଟିଏ ଡାକରେ ଉତ୍ତର ଦେଉଥିବା ଲକି ସେଦିନ ଅନେକ ଥର ଡାକିବା ପରେ ମଧ୍ୟ ନିରୂତ୍ତର ଥିଲା ।ବୋଧେ ସେ ଜାଣିଗଲା ମୁଁ ଚାଲିଯିବି ।ମୁଁ ତାକୁ ପର କରିବା ଆଗରୁ ସେ ମୋତେ ସବୁଦିନ ପାଇଁ ପର କରିଦେଲା ।ବହୁତ ସମୟ ଧରି କାନ୍ଦିଲି ।ସେ ଶୂନ୍ୟ ଅଗଣା ମୋତେ ଅସ୍ଵସ୍ତିକର ଲାଗିଲା ।ଆଉ ମା..ସେ କହୁଥିଲେ ଶୁଆଟି ଗଲା ପରେ ତ ଅଗଣା ଖାଲି ଲାଗୁଛି । କାଲି ମୋ ଛୁଆ ପର ଘରକୁ ଗଲା ପରେ ମୋ ମନ ଅଗଣା କେମିତି ଖାଲି ହେଇଯିବ.।

 ଭରା ମନରେ ଅଭିମାନରେ ଫୁଲି ଉଠୁଥିଲି ।ଲକି ଯଦି ଯାଇ ନ ଥାନ୍ତା ତେବେ ମୋ ବିନା ଅଗଣାରେ କିଛି ତ କୋଳାହଳ ରଖନ୍ତା.!!ଉତ୍ତର ଦେବା ପାଇଁ କିନ୍ତୁ ଲକି ଆଉ ନ ଥିଲା..କିଛି ଦିନ ପରେ ପ୍ରଶ୍ନ ପଚାରିବାକୁ ମୁଁ ବି ନ ଥିଲି...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy