Madhu Mita

Children Stories Inspirational

3  

Madhu Mita

Children Stories Inspirational

ଟ୍ରେଜର ହଣ୍ଟ ବନାମ ଲେବିରିନ୍ଥ

ଟ୍ରେଜର ହଣ୍ଟ ବନାମ ଲେବିରିନ୍ଥ

3 mins
138


ବହୁତ୍ ବହୁତ୍ ଅନ୍ଧାର ଥିଲା। ଚାରିଆଡ଼େ ଖାଲି ପାଣି ଆଉ ପାଣି । ହଲଚଲ ହେବାକୁ ଟିକେ ବି ଜାଗା ନଥିଲା।ହେଲେ ବି ଟିକେ ଏପଟ ସେପଟ ହେବାକୁ ଯଥା ସମ୍ଭବ ପ୍ରୟାସ ଅବିରତ ଚଲେଇଥିଲି।କେଜାଣି କଣ ଇଚ୍ଛା ହେଉଥିଲା।ହେଲେ କିଛି ଗୋଟିଏ ନିଶ୍ଚୟ ଇଚ୍ଛା ହେଉଥିଲା।ଆଉ ଭାରି ପ୍ରବଳ ଇଚ୍ଛା ହେଉଥିଲା !ଅଦମ୍ୟ ଇଚ୍ଛା ହେଉଥିଲ !!ଇଚ୍ଛା ହେଉଥିଲା ଟିକେ ପରମ ପ୍ରଶାନ୍ତିର ଅନୁଭବ କରିବାକୁ !ଥରେ ମୋତେ ସୁଯୋଗ ମିଳନ୍ତାନି !!ଥରେ ମାତ୍ର ଥରେ ।


ମନ ପ୍ରାଣ ଦେଇ ବିକଳ ହୋଇ ଈଶ୍ୱରଙ୍କୁ ପ୍ରାର୍ଥନା କଲି…ଥରୁଟେ ମୋ ଉପରେ lଦୟା କରିବାକୁ…!!ବହୁତ୍ ପ୍ରାର୍ଥନା କଲି।ଆଉ ବୋଧେ ଏଇଟା ଜାଣିପାରି ସେ ଦୟା କଲେ ମୋତେ ଗୋଟିଏ ନିର୍ଦ୍ଦେଶନାମା ଧରେଇ ଦେଲେ।ସେଥିରେ ଲେଖା ହେଇଥିଲା…"ଆସ…"


କାଳ ବିଳମ୍ବ ନକରି ମୁଁ ଖୁସିରେ ଆସିଗଲି।ମୋ ଆସିବା ପରେ କିଏ କଣ ସବୁ ଅନୁଭବ କଲେ ମୁଁ ସେକଥା ଜାଣିନି ହେଲେ ମୋତେ କିନ୍ତୁ କେମିତି ଅସହଜ ଲାଗିଲା।କିଛି ଜାଣି ପାରୁ ନଥିଲି ମୁଁ…ନିଜେ ନିଜକୁ ସମ୍ଭାଳିବା କ୍ଷମତା ଟିକକ ବି ନଥିଲା ।ଆଉ ସେତିକି ବେଳେ ମୋ ହାତକୁ ଆଉ ଗୋଟିଏ ନିର୍ଦ୍ଦେଶନାମା ସେ ଧରେଇ ଦେଲେ।ଖୋଲି ଦେଖିଲି ସେଥିରେ ଲେଖା ଥିଲା…"ଉଠ ବସ ଚାଲ ଦୌଡ଼…"


ମୋତେ ଆଉ ରୋକିବ କିଏ? ମୁଁ ସେଇ ଜାଗାରୁ ସବୁ ବଳ ପ୍ରୟୋଗ କରି ଉଠିଲି…ବହୁତ୍ ଜାଗାରେ ବସିଲି…ଖାଲି ଚାଲିଲି ଆଉ ବହୁତ୍ ଦୌଡ଼ିଲି…!! ପୁଣି ନିର୍ଦ୍ଦେଶନାମା ଦେଲେ ସେ…"ଆଗକୁ ବଢ଼…ଶିଖ"


ତା' ପରେ ମୁଁ ଅନେକ କିଛି ଶିଖିଲି।ଯେତେ ଯେତେ ଶିଖିଲି ଲାଗିଲା ଆହୁରି ସେତିକି ଶିଖିବାକୁ ବାକି ଅଛି।ଆଉ ମୁଁ ଖାଲି ଆଗକୁ ବଢ଼ିଲି।ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଲି ଆଉ ବଢ଼ି ଚାଲିଲି। ଲାଗିଲା ବୋଧେ ମୋର ଏଇ ଆଗକୁ ବଢିବାଟା କେବେ ବି ସରିବନି।ଏଇ ଶିଖିବାଟା ମଧ୍ୟ କେବେ ସରିବନି।ଅବଶୋଷ ନଥିଲା ମୋର।କାରଣ ମୋତେ ଆଉ ନିର୍ଦ୍ଦେଶ ମିଳି ନଥିଲା ଏ ପର୍ଯ୍ୟନ୍ତ।ଦିନେ ହଠାତ୍ ଗୋଟିଏ ନିର୍ଦ୍ଦେଶନାମା ମିଳିଲା…ଲେଖା ଥିଲା…"ସ୍ଥିର ହୁଅ ଆଉ ଆଗେଇ ଯାଅ…"


ବୁଝିଗଲି…ମୋତେ ସେହି ସ୍ଥାନରେ ସ୍ଥିର ହେବାର ଥିଲା ଆଉ ସେଇ ଅବସ୍ଥାରେ ଆଗକୁ ବି ବଢିବାର ଥିଲା।ମୁଁ ଠିକ୍ ସେଇଟା କଲି।ଏମିତି କେତେ ସମୟ ସେହି ସ୍ଥିରତା ଭିତରେ ଆଗକୁ ବଢ଼ି ଯାଉଯାଉ ମୋ ଗୋଡହାତ ଶିଥିଳ ପଡ଼ି ଆସିଲା ଜାଣି ହେଲାନି।ଲାଗୁଥିଲା ଯେମିତି ମୋ ଶକ୍ତି ଟିକେ କମି ଯାଉଛି।ହେଲେ ମୋ ପାଦରେ ଏକ ଶକ୍ତ ବେଡ଼ି ପଡ଼ିବା ସହିତରେ ମୋ ଆଗକୁ ବଢିବା କାମଟା ଯେମିତି ନିରନ୍ତର ସେଇମିତି ଚାଲିଛି।ସେଥିରେ ଜମାରୁ ବିରାମ ହିଁ ଲାଗୁନଥିଲା।ଏମିତି କିଛି ସମୟ ଗଲାପରେ ଦିନେ ମୁଁ ଅନୁଭବ କଲି ଯେ ମୋ ଆଗ୍ରହ,ମୋ ଆବଶ୍ୟକତା କିମ୍ବା  ମୋ ସହାୟତା ସବୁକିଛି ଅଲୋଡା ହେଇ ପଡୁଛି।ଯେଉଁ ଅବସ୍ଥାରେ ସ୍ଥିର ରହିବାକୁ ନିର୍ଦ୍ଦେଶ ସେ ଦେଇଥିଲେ ସେହି ଅବସ୍ଥାଟା ଧୀରେ ଧୀରେ ମୋତେ ଗ୍ରାସ କରି ଚାଲିଲା ପରି ଅନୁଭବ ହେଲା।ଏତେ ଗ୍ରାସ କଲା ଯେ ମୁଁ ସେହି ଅବସ୍ଥାରୁ ଆଉ ବାହାରି ପାରିଲିନି କି ବାହାରିବାକୁ ବି ଚାହିଁ ପାରିଲିନାହିଁ।ତା' ପରେ ଅଚାନକ ନିର୍ଦ୍ଦେଶ ଆସିଲା ପୁଣି…"ଯିବାକୁ ଦିଅ..ଫେରି ଆସ…!!"


ହେଲେ…ସବୁଥର ପରି ଏଥର ନିର୍ଦ୍ଦେଶ ମାନିବାକୁ କାହିଁକି କେଜାଣି ବହୁତ୍ କଷ୍ଟ ହେଉଥିଲା।ଜୀବନର ଲାବରିନ୍ଥ ଭିତରେ ମୁଁ ଏମିତି ଫସି ଯାଇଥିଲି ଯେ ଟ୍ରେଜର ହଣ୍ଟ କରି ପରମ ପ୍ରଶାନ୍ତି ପାଇବା ପାଇଁ ଆଗେଇ ଯିବାକୁ ଉଦ୍ଦିଷ୍ଟ ଥିବା ଖେଳକୁ ଆଉ ସାରି ପାରୁ ନଥିଲି।ହେଲେ ହଠାତ୍ ମୋ ସମୟଟା  କିନ୍ତୁ ହଠାତ୍ ସରିଗଲା। ଟ୍ରେଜରୀ ପାଇବା ଜାଗାରେ ମୁଁ ସେଇ ଲାବରିନ୍ଥ ଭିତରେ ପୁଣି ବୁଲି ଚାଲିଲି…!!ପୁଣି ଚାରିଆଡ଼େ ଖାଲି ଅନ୍ଧାର ଆଉ ଅନ୍ଧାର ଥିଲା…ଚତୁର୍ଦ୍ଦିଗରେ ଖାଲି ପାଣି ଆଉ ପାଣି…!!ହଲଚଲ ହେବାକୁ ଟିକେ ବି ଜାଗା ନଥିଲା…!!ବୋଧେ ମୁଁ ପୁଣି ସେଇ ଜନ୍ମ ମୃତ୍ୟୁର ଲାବରିନ୍ଥ ଭିତରେ ଛନ୍ଦି ହୋଇ ମରଣ ଉପରାନ୍ତେ ମାତୃଗର୍ଭରେ ପୁନଃ ସ୍ଥାପିତ ହୋଇ ସାରିଥିଲି…!!


ଆଖି ବୁଜି ମନ ପ୍ରାଣ ଦେଇ ଈଶ୍ୱରଙ୍କୁ ବିକଳ ହୋଇ ଡାକିଲି…ମୋତେ ପରମ ପ୍ରଶାନ୍ତିର ଦୌଲତ ଟିକକ ଦେଇ ଦେବାକୁ ଆକୁଳ ପ୍ରାର୍ଥନା କଲି …ବହୁତ୍ ପ୍ରାର୍ଥନା କଲି ଆଉ ତା ପରେ ଗୋଟିଏ ନିର୍ଦ୍ଦେଶନାମା ମୋ ପାଖକୁ ଭାସି ଆସିଗଲା…"ଆସ"...!!



Rate this content
Log in