ଘୋଷ ଯାତ୍ରା ଟ୍ବେଣ୍ଟି ଟ୍ବେଣ୍ଟି
ଘୋଷ ଯାତ୍ରା ଟ୍ବେଣ୍ଟି ଟ୍ବେଣ୍ଟି
"ହେଇଟି ଶୁଣୁଛ ! ଦେଖିଲ ଦେଖିଲ ଏବର୍ଷ ରଥଟା କେମିତି ଖାଲି ଖାଲି ଲାଗୁଛି ! ଦେଖ ଭକତ ବିନା କାଳିଆର ମୁହଁଟା କେମିତି ଶୁଖିଗଲାପରି ଦିଶୁନି ! ଜୀବନରେ ଚମ ଚକ୍ଷୁ ଉଠିବା ଦିନୁ ଏଭଳିଆ ରଥ କେବେ ମୁଁ ଦେଖିନି ! କହିଲ ଦେଖି ଭକତ ବିନା ଆମ ଜଗାର ମନଟା କଣ ବୁଝୁଥିବ ! ଭକତ ପାଇଁ ତା ମନ କେତେ ଝୁରୁନଥିବ ! ଇଏ କି କରୋନା ହେଲା କେଜାଣି ! ଭକ୍ତକୁ ଭଗବାନ ଠୁ ଅଲଗା କରିଦେଲା ! କେଉଁ ଲୋକର ଛାତି ସହିବ କହିଲ ! ତୁମକୁ କହି କି ଲାଭ ! ତୁମେ ତ ଜୀବନରେ ଥରଟେ ହେଲେବି ଶ୍ରୀମନ୍ଦିର ଯାଇନ ! କେବେ ହାତ ଯୋଡି ମହାପ୍ରଭୂଙ୍କୁ ଡାକିବା ଶିଖିନ ! ତୁମେ ବୁଝିପାରିବନି ଏ ବିରହର କଷ୍ଟ " ! ପତ୍ନୀ ଚାରୁଲତାଙ୍କ ଲମ୍ବାଚଉଡା ଭାଷଣ ଶୁଣିବା ପରେ ଅବସର ପ୍ରାପ୍ତ ପୋଲିସ ଏସ୍ ଆଇ ଗୁଣନିଧି ବାବୁ ନିଜ ଅଧାଫଗଳା ପାଟିରେ ହସ ଫୁଟାଇ କହିଲେ " ବୁଝିଲ ଚାରୁ ! ଏ ବର୍ଷ ଘୋଷ ଯାତ୍ରା ଟ୍ବେଣ୍ଟି ଟ୍ବେଣ୍ଟି ମୋପରି ଲୋକଙ୍କ ପାଇଁ ଭାରି ସ୍ପେଶିଆଲ୍ ! ପାରୁଛ ଯଦି ତୁମେ ବି ଏଥରର ରଥଯାତ୍ରାକୁ ସ୍ପେଶିଆଲ କରିଦିଅ ! କିଏ ଜାଣେ ଆଗକୁ ଏଭଳି ଘୋଷ ଯାତ୍ରା ଟ୍ବେଣ୍ଟି ଟ୍ବେଣ୍ଟି ଜୀବନରେ ଆଉ ପାଇବା କି ନା " ! ସ୍ବାମୀଙ୍କ ଏଭଳି କଥାରେ ଆଶ୍ଚର୍ଯ୍ୟ ହୋଇ ଚିଡିଯାଇ ଚାରୁ କହିଲେ " କଣ ଏମିତି କହୁଛମ! ଜୀବନ ସାରା ସେ ଚୋର ଆସାମୀ ମାନଙ୍କ ସାଂଗରେ ରହିରହି ମନଟାବି ତୁମର ବିଷାକ୍ତ ହୋଇଯାଇଛି ! ଦେଖୁଛ ଭକ୍ତମାନେ ଜଗା ଦର୍ଶନ ନପାଇ ଅଥୟ ହୋଇପଡୁଛନ୍ତି ଆଉ ତୁମକୁ ମଜା ଲାଗୁଛି ! ଆଗରୁ ଜାଣିଥିଲି ତୁମେ ଜଣେ ନାସ୍ତିକ ବୋଲି ହେଲେ ଏବେ ଭାବୁଛି ତୁମେ ଜଣେ ସମ୍ବେଦନହୀନ ମଣିଷଟେ ମଧ୍ୟ " ! ଧର୍ମପତ୍ନୀଙ୍କ ଏତେ ସବୁ ଆକ୍ଷେପିକ କଟାକ୍ଷକୁ ସହିନପାରି ଦୀର୍ଘ ଶ୍ବାସଟେ ଛାଡି ଗୁଣନିଧି ବାବୁ କହିଲେ " ତୁମେ ବୋଧହୁଏ ବୁଝିପାରିବନି ଚାରୁ ! ଜାଣିଛ ତୁମକୁ ଆଉ ବିଟୁକୁ ଛାଡି ମୁଁ ଯେତେବେଳେ ଦୂରରେ ଥାଏ ; କେମିତି ଥାଏ ମୋ ମନର ଅବସ୍ଥା ! ଚାକିରି ଜୀବନଟା ଯାକ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ଟ୍ରନ୍ସଫର କର୍ମ ବ୍ୟସ୍ତତା କର୍ତ୍ତବ୍ୟର ଶିକୁଳିରେ ବନ୍ଧା
ହୋଇଥିବା ମୋ ହାତପାଦ ବିକଳ ହୋଇଉଠୁଥିବା ଗୋଟିଏ ବିବଶ ମନ ତୁମ ଦୁହିଁଙ୍କ ଅଭାବଟା କେତେଯେ ଅନୁଭବ କରେ ; ସେକଥା କେବଳ ମୁଁ ଜାଣେ ! ଇଚ୍ଛା ହେଉଥାଏ ସବୁ ବାଧା ବନ୍ଧନକୁ ଛିଣ୍ଡାଇ ସବୁ କର୍ତ୍ତବ୍ୟକୁ ଜଳାଞଳୀ ଦେଇ ତୁମ ଦୁହିଁଙ୍କ ପାଖକୁ ଚାଲିଆସନ୍ତି ! ହେଲେ ମୁଁ ପାରେନା ଚାରୁ ! କାହିଁକି ଜାଣ ! କାହିଁକିନା ମୁଁ ଅସହାୟ ଥିଲି ! ମୋ ମନ କଥା ମନର ବ୍ୟାକୁଳତା ସବୁକିଛି ମନତଳେ ଚାପିହୋଇ ରହିଯାଏ । ମନଟା ଅହରହ ଝୁରୁଥାଏ ତୁମ ଦୁହିଁଙ୍କୁ ! ସମୟ ଖୋଜୁଥାଏ କେବେ ଟିକିଏ ଏ କର୍ତ୍ତବ୍ୟର ବନ୍ଧନରୁ ମୁକ୍ତି ମିଳନ୍ତାକି ! ଯେଉଁଦିନ ସେ ସମୟ ମିଳେ ମୁଁ ଦୌଡିଆସେ ତୁମ ଦୁହିଁଙ୍କ ପାଖକୁ ! ଆଉ ଆଜିବି ଠିକ୍ ସେମିତି ମୋ ଜଗା କର୍ତ୍ତବ୍ୟର ବନ୍ଧନରୁ ମୁକ୍ତ ଭକ୍ତଗହଳି ରୁ ମୁକ୍ତ ଭକ୍ତଙ୍କ ମାନ ଅଭିମାନ ଅଭିଯୋଗରୁ ମୁକ୍ତ ଭକ୍ତ ମାଗୁଣିରୁ ମୁକ୍ତ ହୋଇଯାଇଛି ସେ ଚାରୁ ! ଡାକ ଆଜି ମନଭରି ତାକୁ ! ଆଜି ତାପାଖରେ ଅନେକ ସମୟ ; ସେ ଆଜି ଆମ ଡାକ ଶୁଣିବ ଚାରୁ ! ସେ ଆଜି ଦୌଡିଆସିବ ତା ଭକ୍ତ ପାଖକୁ ! ମନ୍ଦିର ରେ ଥିଲେସିନା କର୍ତ୍ତବ୍ୟର ଶିକୁଳିରେ ବନ୍ଧା ହୋଇଥାନ୍ତା ; ସେ ପରା ଜାଣିଜାଣି ସେହି କର୍ତ୍ତବ୍ୟରୁ ନିଜକୁ ମୁକୁଳାଇ ବାହାରକୁ ବାହାରି ଆସିଛି ! ବାହାରେ ଆଜି ଆଉ ଗହଳି ମଧ୍ୟ ନାହିଁ ! ଆଜି ଶାନ୍ତିରେ ସେ ଖୋଜୁଛି ତା ଭକ୍ତକୁ ! ଆଜି ଦୂର ରୁ ଥାଇବି ଭକ୍ତ ବଳରାମ ଦାସ ଙ୍କ ପରି ଭାବରେ ଡାକିଲେ ; ଡାକ ତା କାନରେ ନିଶ୍ଚୟ ବାଜିବ ଆଉ ସେ ନିଜ ମାନସମ୍ମାନ ସବୁକୁ ଭୁଲି ଦୌଡିଆସିବ ଭକ୍ତ ପାଖକୁ ! ଜାଣିଛ ଚାରୁ ! ବିରହରେ ବେଦନା ଅନେକ ! ବେଦନା ଭିତରେ ବି ପ୍ରେମ ଥାଏ ତାର ଚରମ ସୋପାନରେ !! ସେଭଳି ଅବସ୍ଥାରେ କଣ ହେବ ଭକ୍ତ ଆଉ ଭଗବାନର ଟିକିଏ ଭାବ ଚାରୁ ! ଟିକିଏ ଭାବ ! ତାକୁ ଏଇଠୁ ଥାଇ ଡାକ ଚାରୁ ! ସେ ଆଜି ଆମନ୍ତ୍ରଣ ଶୁଣି ଏଇଠିକୁ ଦୌଡିଆସିବ " !!! ଗୁଣନିଧି ବାବୁଙ୍କ କଥାରେ ଆବାକ୍ ହୋଇ ଚାହିଁଥିବା ଚାରୁଲତା ଆଜି ଆବିଷ୍କାର କରୁଥିଲେ ନାସ୍ତିକର ଭିନ୍ନ ଏକ ସଂଜ୍ଞା ଏହି ଘୋଷ ଯାତ୍ରା ଟ୍ବେଣ୍ଟି ଟ୍ବେଣ୍ଟିରେ ॥