Jyotiranjan Sahu

Romance Tragedy

3  

Jyotiranjan Sahu

Romance Tragedy

ତୁମ ଅପେକ୍ଷାରେ ୧୦

ତୁମ ଅପେକ୍ଷାରେ ୧୦

7 mins
253



ଗତ ଛଅ ସାତ ଘଣ୍ଟା ଧରି ବର୍ଷିଚାଲିଛି ଆକାଶରୁ ଅନବରତ ବାରିଧାରା । ଟିଭିରେ କହୁଛି ଆହୁରି ଦୁଇଦିନ ମୂଷଳଧାରାରେ ବର୍ଷା ହେବ । ସବୁଆଡ ଜନଶୂନ୍ୟ । ଶୁଣାଯାଉଛି ତ ଖାଲି ବର୍ଷାର ପଦଧ୍ୱନି । ଏହି କରୋନା କାଳରେ ଅନବରତ ବର୍ଷାର ମୂର୍ଚ୍ଛନା ମନରେ ଭରିଦେଉଛି ଭୟ ଆଉ ଛାତିତଳେ ଉନ୍ମାଦନା । ଏମିତି ବର୍ଷାର ତାଣ୍ଡବ ଭିତରେ ରାସ୍ତା ଉପରରେ ବହିଚାଲିଥିବା ପାଣିସୁଅକୁ କାଟି ଦ୍ରୁତଗତିରେ ମାଡିଚାଲିଛି କାରଟିଏ । କାର୍ କାଚରେ ବହିଚାଲିଥିବା ଧାରଧାର ବର୍ଷାପାଣି ଭିତରୁ ଝାପସା ଝାପସା ଦିଶୁଥାଏ କାର୍ ଭିତରର ନିବୃତ୍ତ କୋଠରୀଟା । ପଛସିଟରେ ବସିଥାନ୍ତି ଜଣେ ମହିଳା ! ମୁହଁଟା ପରିସ୍କାର ଭାବେ ନଦିଶିଲେବି ଶରୀରିକ ଭାବେ ଜଣାପଡୁଥାନ୍ତି ବୟସ ସେଇ ପଚାଶ ପାଖାପାଖିହେବ । ଆଗ ଡ୍ରାଇଭର ସିଟରେ ବସିଥିବା ବାବୁ ଜଣକ ଗୋଟିଏ ଲକ୍ଷ୍ୟରେ ଗାଡିକୁ ଦ୍ରୁତଗତିରେ ଆଗକୁ ମଡାଇଚାଲିଥାନ୍ତି । ସେହି ବର୍ଷା ଦିନର ଅନ୍ଧାରିଆ କଳାବାଦଲ ଭିତରେ ଚକମକ କରୁଥିବା ବିଜୁଳିର ଛିଟାକୁ ଖାତିର ନକରି ସେ ବାବୁ ଜଣକ କାରଟିକୁ ମୁହାଁଇଦେଲେ ସହରର ବସ୍ତି ଆଡକୁ । ବସ୍ତି ଭିତରେ କିଛିବାଟରେ ଯାଇ ହଠାତ୍ ଛିଡା ହୋଇଗଲା ସେହି ଦ୍ରୁତଗାମୀ କାର୍ ! ସେହି ବର୍ଷାରେ ଗାଡିରୁ ଓହ୍ଲାଇ ଭିଜିଭିଜି ନିରୀକ୍ଷଣ କରୁଥାନ୍ତି ବସ୍ତିର କିଛି ଘରମାନଙ୍କୁ । କିଛି ସମୟ ପରେ ଧୀରେଧୀରେ ଅଗ୍ରସର ହେଲେ ଗୋଟିଏ ଭଙ୍ଗା ଏଜବେଷ୍ଟସ୍ ଘର ଆଡକୁ ସେହି ବାବୁଜଣକ । ସେହି ଘର ପାଖରେ ପହଞ୍ଚି କବାଟ ଖଟ୍ ଖଟ୍ କଲେ ! କିଛି ସମୟ ପରେ କେଁ ଶବ୍ଦ କରି କବାଟଟା ଖୋଲିଲା । ଖୋଲିଥିବା ମାଉସୀ ଜଣକ ଅଚିହ୍ନା ଅଚିହ୍ନା ବାରି ସେହି ବାବୁ ଜଣଙ୍କୁ ପ୍ରଶ୍ନ କଲେ " ବାବୁ ! ତୁମେ କିଏ ? ଏ ବର୍ଷାଟାରେ ଏଠିକି କାହିଁକି ଆସିଛ "? ବୁଢୀ ମାଉସୀର କଥାରେ ଉତ୍ତର ରଖିବାକୁ ଯାଇ ବାବୁ ଜଣକ କହିଲେ " ମାଉସୀ ! ମୁଁ ଆଦି ! ଆଦିତ୍ୟ ! ଆଦିତ୍ୟ ଆଉ କଲ୍ୟାଣୀ ! ମଉସାଙ୍କୁ କୁହ ଆଦିତ୍ୟ ଆଉ କଲ୍ୟାଣୀଙ୍କ କଥା ସେ ଜାଣିପାରିବେ ! ସେ ମୋତେ ଭଲ କରି ଜାଣିଛନ୍ତି ! ଆଚ୍ଛା ମାଉସୀ ! ମଉସା ଅଛନ୍ତି " !

ବୁଢୀ ମାଉସୀ : ହଁ ଅଛନ୍ତି !  

ଆଦିତ୍ୟ : ଆଉ ତାଙ୍କ ସେହି ' ତୁମ ଅପେକ୍ଷାରେ ' ରିକ୍ସାଟା ! !

ବୁଢୀ ମାଉସୀ ( ପାକୁଆ ପାଟିରେ ହସି ଦେଇ ) : ସେଇଟା ! ହଁ ହଁ ସେଇଟା ବି ଅଛି ! ସେଇଟା କଣ ଆଉ ଚାଲୁଛି ! ମଉସାଙ୍କ ବଳବୟସ ଗଲାଣି ! ପୁଅ ଅଟୋ କିଣି ଚଲଉଛି ! ସେଇଟାକୁ ପଚାରୁଛି କିଏ ! ଅନେକ ଥର ବିକିବା ବିକିବା କହି ବିକି ହେଉନି ! ଗୋଟେ କେମିତିକା ମାୟା ଲାଗିଯାଇଛି ସେଇଟା ସହ ! ହେଇ ସେଇଠି ଅଛି ! ସେଇଠି ଖରା ବର୍ଷାରେ ପଡିପଡି ଖତ ଖାଉଛି !


ଏତିକି କହି ସେ ବୁଢୀ ମାଉସୀ ବାହାରେ ପଡିଥିବା ରିକ୍ସା ଦିଗରେ ହାତ ବଢାଇଦେଲେ ! ରିକ୍ସାଟିକୁ ଦେଖି ସେହି ବର୍ଷାରେ ଭିଜିଭିଜି ଦୌଡିଗଲେ ଆଦିତ୍ୟ ସେହି ରିକ୍ସା ପାଖକୁ । ପାଖରେ ଛିଡାହୋଇ ମନଭରି ଦେଖିଲେ ସେଇଟିକୁ । ନଚାଲି ନଚାଲି ସତେ ଯେପରି ଅସୁସ୍ଥ ହୋଇପଡିଛି ରିକ୍ସାଟା ! କିଛି ସମୟପରେ ଆଦିତ୍ୟ ଉତ୍ସାହିତ ହୋଇ ରିକ୍ସା ପଛକୁ ଚାଲିଆସିଲେ । ରିକ୍ସାର ପଛ ବାକ୍ସରେ ଆଜିବି ଅଂକା ହୋଇଛି ସେହି ଚିତ୍ର ! ସଂଧ୍ୟା ବେଳେ ଉଡିଆସୁଥିବା ଚଢେଇ ପାଖରେ ବହିଯାଉଥିବା ନଦୀ ଦୂରପାହାଡରେ ଅସ୍ତଗାମୀ ସୂର୍ଯ୍ୟ ଆଉ ସେହି ନଦୀକୂଳ ତାଳଗଛମୂଳରେ ଖୋଲାବାଳର ଆଢୁଆଳରେ ମୁହଁକୁ ଲୁଚାଇ ଆଣ୍ଠୁ ଭାଂଗି ବସିଥିବା ଗୋଟିଏ ନାରୀର ଛାୟା ଚିତ୍ର ! ଓଃ କି ଚମତ୍କାର ଏ ଚିତ୍ର ! ଖାଲି ଯାହା ରଂଗଟା ନିଜ ଗଭୀରତା ହରାଇଛି କିନ୍ତୁ ଚିତ୍ରରେ ସେହି ଶିହରଣ ଆଜିବି ବଳବତ୍ତର । ଆଉ ନିଜକୁ ଅଟକାଇ ରଖିପାରିଲେନି ଆଦିତ୍ୟ ! ଧୀରେଧୀରେ ସେହି ଚିତ୍ର ପାଖରେ ଲେଖାଥିବା ଶବ୍ଦ ଗୁଡିକୁ ନିଜ ହାତରେ ସ୍ପର୍ଶକଲେ ! ସେଥିରେ ଲେଖାଥିଲା " ତୁମ ଅପେକ୍ଷାରେ " । ଯେତେଯେତେ ଆଦିତ୍ୟ ସେ ଲେଖାଟିକୁ ସ୍ପର୍ଶ କରୁଥାନ୍ତି ସେତେସେତେ ଆଖିରୁ ଧାରଧାର ଲୁହଟା ବର୍ଷା ପାଣିରେ ମିଶିବା ଆଗରୁ ଗାଲରେ ଖେଳାଇଦେଉଥାଏ ଟିକିଏ ଉଷ୍ମତା ସତେଯେପରି କଲ୍ୟାଣୀଙ୍କ ଓଠର ସେହି ଉଷ୍ମ ସ୍ପର୍ଶର ଅନୁଭବ ! ମନେପଡିଯାଉଥାଏ ତାଙ୍କ ର ଅତୀତର ଅଭୁଲା ସ୍ମୃତି । ଯାହାକୁ ମନ ଡାଏରୀରେ ଲେଖିଲେଖି ଥାକଥାକ କରି ସଜାଇ ରଖିଛନ୍ତି ଆଦିତ୍ୟ କଲ୍ୟାଣୀଙ୍କ ପାଇଁ । ଆଜିବି ସେଦିନର ସେ ରିକ୍ସା ଅଛି ଆଉ ଅଛନ୍ତି ସେଦିନର ସେ ରିକ୍ସାବାଲା ଭାଗିରଥୀ ମଉସା । ଆଦିତ୍ୟଙ୍କ ମନେପଡେ ସେଦିନର କଥା ଯେଉଁଦିନ ସେ ପ୍ରଥମ କରି କଲ୍ୟାଣୀଙ୍କୁ ଭେଟିଥିଲେ ଏହି ରିକ୍ସାରେ । ସେଦିନବି ଠିକ୍ ଆଜିପରି ବର୍ଷୁଥିଲା ଆକାଶରୁ ବାରିଧାରା । ଚାକିରି ପାଇଁ ସାକ୍ଷାତକାର ଦେବାକୁ ଯିବାର ଥିଲା ବୋଲି ବେଳାବେଳି ଆସି ରାସ୍ତା କଡ ଗୁମୁଟିର ନୁଆଁଣିଆ ଚାଳତଳେ ଛିଡାହୋଇଥିଲେ ଆଦିତ୍ୟ । ଅନେକ ସମୟ ଧରି କୌଣସି ରିକ୍ସାର ଦେଖାନଥିଲା । ବାଧ୍ୟହୋଇ ସେହି ବର୍ଷାରେ ବର୍ଷାରେ ହାତରେ ଛତାଖଣ୍ଡେ ଧରି ଇଣ୍ଟରଭ୍ୟୁ ଦେବାକୁ ବାହାରିଗଲେ ଆଦିତ୍ୟ । ଲମ୍ବା ରାସ୍ତା ! କେହି ନଥିଲେ ତାଙ୍କୁ ଟିକିଏ ଲିଫ୍ଟ ଦେବାକୁ । ଏତିକିବେଳେ ହଠାତ୍ ଦେଖାଗଲା ନୂଆ ଚକଚକ ଦିଶୁଥିବା ରିକ୍ସାଟିଏ । ବ୍ୟସ୍ତ ହୋଇ ହାତ ଦେଖାଇ ଛିଡା କରିବାକୁ ଚେଷ୍ଟାକଲେ ଆଦିତ୍ୟ । ହେଲେ ସେ ରିକ୍ସାବାଲା ତାଙ୍କୁ ନେଇପାରିବନି ବୋଲି ରୋକଠୋକ୍ ଶୁଣାଇଦେଲା । ସେଦିନର ସେ ରିକ୍ସାବାଲା ଥିଲେ ଆଜିର ଭାଗିରଥୀ ମଉସା ! ସେ ସିନା ନେବାକୁ ମନାକରିଥିଲେ ହେଲେ ଆଦିତ୍ୟଙ୍କ ଏକା ଜିଦ୍ ସେ ଯିବେ ; ନହେଲେ ଚାକିରିଟା ହାତରୁ ଚାଲିଯିବ ଯେ ! 

ଆଦିତ୍ୟ : କଣ ମ ମଉସା ! ପାଞ୍ଚ ଟଙ୍କାର ରାସ୍ତକୁ ମୁଁ କୋଡିଏ ଟଙ୍କା ଦେବି କହୁଛି ! ଅଥଚ ମନା କଣକରୁଛମ !

ଭାଗିରଥୀ ମଉସା : ନା ! ନା ! ବାପ ନେଇହେବନି ! ତୁ ଅଲଗା ବନ୍ଦୋବସ୍ତ କର !

ହେଲେ ଆଦିତ୍ୟ ସେ ବର୍ଷାରେ ଭାଗିରଥୀ ମଉସାଙ୍କ ସହ ଖୁବ୍ ଝଗଡା କଲେ । ଶେଷରେ ଟିକିଏ ନରମ ଗଳାରେ କହିଲେ " ଆରେ ମଉସା ! ମୋ ପରୀକ୍ଷା ଅଛି ! ନଦେଇପାରିଲେ ଚାକିରିଟା ଆଉ ମିଳିବନି ! ମୋ ଉପରେ ଟିକିଏ ଦୟା କର !


   ହଠାତ୍ ସେ ରିକ୍ସାରେ ଟଣାଯାଇଥିବା ପ୍ଲାଷ୍ଟିକ୍ ପଲିଥିନ ପରଦା ସେପାଖରୁ ଶବ୍ଦ ଆସିଲା " ମଉସା ! ତାଙ୍କୁ ବସିବାକୁ ଦିଅ "! ସେ ଶବ୍ଦ ସ୍ୱରରେ ଚମକିଗଲେ ଆଦିତ୍ୟ ! ସେ ଶବ୍ଦଥିଲା କଲ୍ୟାଣୀଙ୍କର । ସେହି ମଧୁର ସ୍ୱରରେ ହିଁ ପରାସ୍ତ ହୋଇସାରିଥିଲେ ପ୍ରଥମ ପ୍ରେମ ଯୁଦ୍ଧରେ ଆମର ବୀରପୁଙ୍ଗବ ଆଦିତ୍ୟ । ପବନରେ ଉଡୁଥିବା ପଲିଥିନ୍ ପରଦାର ଫାଙ୍କରୁ ପ୍ରଥମ କରି ଝାପସା ଦେଖିଲେ ସେ ଗୋରାଗୋରା ମୁହଁରେ ଥିବା ନାଲି ଓଠ ତଳ କଳାତିଳଟିକୁ ଆଦିତ୍ୟ । ଯେତେବେଳେ ଜାଣିଲେ ସେ ରିକ୍ସାରେ ଆଗରୁ ଝିଅଟିଏ ବସିଛି ବୋଲି ସେତେବେଳେ ଟିକିଏ ଅପ୍ରସ୍ତୁତ ହୋଇପଡିଲେ ଆଦିତ୍ୟ । ତାଙ୍କ ସଂକୋଚ ଭାବକୁ ଦେଖି ଭାଗିରଥୀ ମଉସା କହିଲେ " ବୁଝିଲ ତ ମୁଁକଣ ପାଇଁ ତୁମକୁ ସେତେବେଳୁ ବୁଝାଉଛି ମୁଁ ନେଇପାରିବିନି ବୋଲି ! ଏଥର ତ ମା' କହିଲେଣି ! ଆପଣ ବସନ୍ତୁ ! ମା କଲେଜ୍ ଯାଉଛନ୍ତି ! ତାଙ୍କ ର ବି ଆଜି ପରୀକ୍ଷା ଅଛି ! ରାସ୍ତାରେ ଆପଣଙ୍କୁ ଛାଡିଦେଇ ଯିବି " ! ଏପଟେ ସମୟର ଅଭାବ ସେପଟେ ମନରେ ସଂକୋଚ ! ତେବେ କଲ୍ୟାଣୀଙ୍କ ପୁନଃ ଅନୁରୋଧରେ ଆଦିତ୍ୟ ଯାଇ ବସିଲେ ରିକ୍ସାରେ । ପଲିଥିନ୍ ପରଦାର ସେପାଖରେ କଲ୍ୟାଣୀଙ୍କ ଅତି ନିକଟରେ ବସିଥିବା ଆଦିତ୍ୟଙ୍କ ହାବଭାବରୁ ବାରିହୋଇପଡୁଥାଏ ଯେ ସେ ସଂକୋଚ କରୁଛନ୍ତି ବୋଲି ! ପରଦାର ସେପାଖରେ ବର୍ଷାର ଶୀତଳ ସ୍ପର୍ଶରେ ପୁରା ପରିବେଶରେ ଶୀତଳତା ଖେଳିଯାଇଥିଲାବେଳେ ପରଦା ଏପାଖରେ ଆଦିତ୍ୟଙ୍କ ଓଦା ପୋଷାକ ତଳ ଶୀତଳ ଶରୀରରେ ଭରିଯାଉଥିଲା ନବଯୌବନର ଉଷ୍ମତା ! କଲ୍ୟାଣୀଙ୍କ ରୂପଲାବଣ୍ୟ ତଥା ତାଙ୍କ ଉଦାରତା ଆଗରେ ସତେଯେପରି ଆତ୍ମସମର୍ପଣ କରିଦେଇଥିଲେ ଆଦିତ୍ୟ । ସେହିଦିନ ସେହି ରିକ୍ସା ଉପରେ ହିଁ ଆଦିତ୍ୟ ନିଜର ହୃଦୟକୁ ହଜାଇଦେଇଥିଲେ । ତା ପରଦିନ ଠିକ୍ ସେମିତି ଭାଗିରଥୀ ମଉସାଙ୍କ ରିକ୍ସାକୁ ହାତ ଦେଖାଇ ଅଟକାଇଲେ ଆଦିତ୍ୟ । ହାତରେ ଥିଲା ଦୁଇଟା ବଡ ମିଠା ପ୍ୟାକେଟ୍ । ହସିଦେଇ ସେଦିନ ଆଦିତ୍ୟ କହିଥିଲେ " ମଉସା ! ଗତକାଲି ପାଇଁ ଧନ୍ୟବାଦ ! ଏଇ ମିଠା ପ୍ୟାକେଟଟା ଆପଣଙ୍କ ପାଇଁ " !

ଏଥର କଲ୍ୟାଣୀଙ୍କ ଆଡକୁ ନଜର ଫେରାଇ ଆଦିତ୍ୟ ସଂକୋଚ ଗଳାରେ କହିଲେ " କାଲି ପାଇଁ ଧନ୍ୟବାଦ ! କାଲି ତମେ ସାହାଯ୍ୟ କରିନଥିଲେ ମୁଁ ବୋଧଧହୁଏ ଚାକିରିଟା ହରାଇଦେଇଥାନ୍ତି । ତୁମକୁ ଆଉ ତୁମ ସୁନ୍ଦର ହୃଦୟକୁ ଯେତେ ଧନ୍ୟବାଦ ଦେଲେବି କମ୍ ହେବ ! ଏଇ ମିଠା ପ୍ୟାକେଟ୍ ଟା ତମପାଇଁ ! କିଛି ଖରାପ ଭାବିବନି " ।

ଆଦିତ୍ୟଙ୍କୁ କିଛି ନକହି ଚୁପଚାପ ସେ ମିଠା ପ୍ୟାକେଟ୍ କୁ ଗ୍ରହଣ କରିନେଲେ କଲ୍ୟାଣୀ । ଏହାପରେ ସବୁଦିନ ସମାନ ସମୟରେ ଅପେକ୍ଷା କରିଥାନ୍ତି ଆଦିତ୍ୟ ଭାଗିରଥୀ ମଉସାଙ୍କ ରିକ୍ସାକୁ । ସବୁଦିନ ନହେଲେ ବି ଅଧିକାଂଶ ଦିନ ଭେଟ ହୁଏ ଭାଗିରଥୀ ମଉସାଙ୍କ ରିକ୍ସାସହ । ସେହି ରିକ୍ସା ଉପରେ ବସିଥିବା କଲ୍ୟାଣୀଙ୍କୁ ସିନା ଦେଖିପାରନ୍ତିନି ଆଦିତ୍ୟ ହେଲେ ସେ ପରଦା ଫାଂକରୁ କଲ୍ୟାଣୀ କିନ୍ତୁ ସବୁଦିନ ଲକ୍ଷ୍ୟ କରୁଥାନ୍ତି ଆଦିତ୍ୟଙ୍କୁ । କିଛିଦିନ ଗଲାପରେ ହଠାତ୍ ଦିନେ ଆଦିତ୍ୟ ଭାଗିରଥୀ ମଉସାଙ୍କୁ ଅଟକାଇ କହିଲେ " ମଉସା ! ତୁମ ରିକ୍ସା ପଛରେ ଅଂକାଯାଇଥିବା ସଂଧ୍ୟା ବେଳେ ଉଡିଆସୁଥିବା ଚଢେଇ ପାଖରେ ବହିଯାଉଥିବା ନଦୀ ଦୂରପାହାଡରେ ଅସ୍ତଗାମୀ ସୂର୍ଯ୍ୟ ଆଉ ସେହି ନଦୀକୂଳ ତାଳଗଛମୂଳରେ ଖୋଲାବାଳର ଆଢୁଆଳରେ ମୁହଁକୁ ଲୁଚାଇ ଆଣ୍ଠୁଭାଂଗି ବସିଥିବା ଗୋଟିଏ ନାରୀର ଛାୟା ଚିତ୍ର ! ଓଃ କି ଚମତ୍କାର ଏ ଚିତ୍ର ! ସତରେ ଯେତେଦୂରରେ ଯେଉଁଠି ଥିଲେ ବି ତୁମ ରିକ୍ସାଟା ବାରିହୋଇପଡେ " । ଏତିକି କହି ଚିଠିଟିଏ ମଉସାଙ୍କ ହାତରେ ଧରାଇଦେଇ ଚାଲିଯାଆନ୍ତି ଆଦିତ୍ୟ । ତାପରଦିନ ଆଦିତ୍ୟ ଛିଡାହୋଇଥିବା ଜାଗାରେ ଆଟକିଗଲା ଭାଗିରଥୀ ମଉସାଙ୍କ ରିକ୍ସା । ଦ୍ୱିତୀୟ ଥର ପାଇଁ ଦୂରେଇଯାଇଥିଲା ପରଦା ରୁପି ପ୍ରତିବନ୍ଧକଟା ଆଦିତ୍ୟ ଆଉ କଲ୍ୟାଣୀଙ୍କ ମଧ୍ୟରେ । ହେଲେ ପ୍ରଥମ ଥର ପାଇଁ ଆଖିରେ ଆଖି ମିଶିଥିଲା ବିନା ପ୍ରତିବନ୍ଧକରେ ଉଭୟଙ୍କ ଭିତରେ । ବୋଧଧହୁଏ ପ୍ରେମର ପଦଧ୍ୱନି ଶୁଣିପାରୁଥିଲେ ଦୁଇଟି ହୃଦୟ । ହୃଦୟର ପ୍ରେମପକ୍ଷୀ ଯୋଡିଏ ବଦଳାଇଦେଇଥିଲେ ନିଜ ନିଜ ଭିତରେ ନିଜ ନିଜର ଠିକଣା । ଏଥର ଉଭୟ ଭାଗିରଥୀ ମଉସାଙ୍କ ରିକ୍ସାରେ ସାଥୀ ହୋଇଯାଉଥିଲେ । ଯେଉଁଦିନ ପରସ୍ପର ପରସ୍ପରକୁ ବିବାହ ବନ୍ଧନରେ ବାନ୍ଧିହେଲେ ସେଦିନ ବି ସାଥିରେ ଥିଲେ ଭାଗିରଥୀ ମଉସା । ନା କାର୍ ନା ଘୋଡା ଗାଡି ! ଆଦିତ୍ୟ ଆସିଥିଲେ ଭାଗିରଥୀ ମଉସାଙ୍କ ରିକ୍ସାରେ ବରବେଶ ସାଜି ! ସେହିଦିନ କଲ୍ୟାଣୀ ନିଜ ହାତରେ ଆଦିତ୍ୟଙ୍କ ଉଦ୍ଦେଶ୍ୟରେ ଭାଗିରଥୀ ମଉସାଙ୍କ ରିକ୍ସା ପଛର ସେ ଚିତ୍ର ପାଖରେ ଆଂକି ଦେଇଥିଲେ ଯୋଡିଏ ଶବ୍ଦ " ତୁମ ଅପେକ୍ଷାରେ " । ସେଦିନ ସେହି ରିକ୍ସାରେ ଉଭୟ ବସିଥିଲେ ପତି ପତ୍ନୀ ହୋଇ ପ୍ରଥମ ଥର । ଆଉ ନଥିଲା ଦୁହିଁଙ୍କ ଭିତରେ ପଲିଥିନର ପରଦାଟା । ଉଭୟେ ଆତ୍ମହରା ହୋଇଯାଉଥିଲେ ପରସ୍ପରକୁ ପାଇ । ବଧୂବେଶରେ କଲ୍ୟାଣୀ ମୁଣ୍ଡ ଥୋଇଦେଇଥିଲେ ଆଦିତ୍ୟଙ୍କ କାନ୍ଧ ଉପରେ ଚରମ ତୃପ୍ତିରେ । ଭାଗିରଥୀ ମଉସା ଟାଣିନେଇଯାଉଥିଲେ ଦୁଇ ପ୍ରେମ ପକ୍ଷୀଙ୍କୁ ସେମାନଙ୍କ ସ୍ଥାୟୀ ଠିକଣାକୁ । ଅନେକ ସମୟ ଚୁପଚାପ୍ କାନ୍ଧରେ ମୁଣ୍ଡ ରଖି ଆଖି ବନ୍ଦ କରିଥିବା କଲ୍ୟାଣୀ ଆଦିତ୍ୟଙ୍କୁ କହୁଥାନ୍ତି " ମୁଁ ଆଜି ବହୁତ ଖୁସି ! ଏତେ ଖୁସି ଯେ ଭୟ ଲାଗୁଛି ଯେମିତି ମୋ ଖୁସିରେ କାହାରି ନଜର ନଲାଗୁ । ମୋର ଇଚ୍ଛା ହେଉଛି ମୁଁ ସବୁଦିନ ଏମିତି ତୁମ କାନ୍ଧରେ ମୁଣ୍ଡକୁ ଆଉଜେଇ ଶୋଇଥିବି ଆଉ ଭାଗିରଥୀ ମଉସା ଏମିତି ଆମକୁ ରିକ୍ସାରେ ବୁଲାଉଥିବେ । ଏମିତି ରିକ୍ସା ଚାଲୁଥିବ ଆଉ ମୁଁ ତୁମ କାନ୍ଧରେ ମୁଣ୍ଡ ରଖି ଶୋଇଯିବି ! ଏମିତି ସବୁଦିନ ପାଇଁ ତୁମ କାନ୍ଧ ଉପରେ ଶୋଇଗଲେବି ମୋର ଦୁଃଖ ନଥିବ ଆଦିତ୍ୟ " ।

ଆଦିତ୍ୟ : ନା କଲ୍ୟାଣୀ........... 

   ହଠାତ୍ ଭାବନା ରାଜ୍ୟରୁ ଫେରିଆସିଲେ ଆଦିତ୍ୟ ! ଆଖିର ଲୁହ ଅମାନିଆ ହୋଇ ବହିଚାଲିଛି ଆଦିତ୍ୟଙ୍କ ଦୁଇ ଆଖିକୋଣରୁ । ଛାତିଟା ରହିରହି ସ୍ପନ୍ଦିତ ହେଉଛି । ଦୀର୍ଘଶ୍ୱାସଟିଏ ଛାଡି ଆଦିତ୍ୟ ମନକୁ ମନ କହୁଥାନ୍ତି " ଆଜି ବି ସେହି ବର୍ଷା ସେହି ରିକ୍ସା ସେହି ଭାଗିରଥି ମଉସା ସେହି ମୁଁ ସମସ୍ତେ ଅଛୁ ; ହେଲେ କଲ୍ୟାଣୀ ତୁମେ ... ... ..." ! ଏତିକିବେଳେ ପଛରୁ ଥାଇ ଭାଗିରଥୀ ମଉସା ଡାକ ମାରିଲେ " ଆଦି କିରେ ! ବର୍ଷାରେ ଭିଜିବା କଣ ଆଜିଯାଏ ଛାଡିନୁ ! ମୋ ବୋହୂମା'ଟା କାହିଁ " ? କଣ କହିବେ ଆଦିତ୍ୟ ! ଆଜିତ ଶରୀର ନୁହେଁ ମନ ହୃଦୟ ସବୁ ଭିଜିଯାଇଛି ! ଟଳ ଟଳ ହୋଇ ଆଦିତ୍ୟ ଭାଗିରଥୀ ମଉସାଙ୍କ ପାଖକୁ ଆସିଲେ ! ଥରଥର ବାଷ୍ପ ରୁଦ୍ଧ କଣ୍ଠରେ ଖାଲି ଏତିକି କହିପାରଲେ " ତାକୁ ବ୍ଲଡ କ୍ୟାନସର ହୋଇଥିଲା..." । ଆଉ ଏହାପରେ ଟଳଟଳ ହୋଇ ଆଦିତ୍ୟ କାର୍ ପାଖକୁ ଗଲେ । ଆସିଲାବେଳେ କାନ୍ଧରେ ଶୋଇଥିଲେ କଲ୍ୟାଣୀ । ତାଙ୍କୁ ନେଇ ସାବଧାନର ସହ ବସାଇଦେଲେ ଭାଗିରଥୀ ମଉସାଙ୍କ ରିକ୍ସାରେ ଆଉ ନିଜେ ଶକ୍ତ ଭାବେ ଜାବୁଡି ଧରିଲେ ରିକ୍ସାର ହ୍ୟାଣ୍ଡେଲ୍ । ହଠାତ୍ ପଛରୁ କେହିଜଣେ ଟାଣିଧରିଲେ ଆଦିତ୍ୟଙ୍କୁ । କହିଲେ " ତୋ ଜାଗା ଏଇଟା ନୁହଁ ! ଏଇଟା ମୋ ସିଟ ! ଏବେବି ଏ ବୁଢା ଦେହରେ ବଳ ଅଛି ! ତୁ ଯା ମୋ ମା' ପାଖରେ ବସିବୁ " । ଏତିକି କହି ଭାଗିରଥୀ ମଉସା ରିକ୍ସାର ସିଟ ଉପରେ ବସିଲେ । କାନ୍ଦ କାନ୍ଦ ସ୍ୱରରେ ପଚାରିଲେ " ବାବୁ.ଉ.ଉ.ଉ... ! କେଉଁଠୁକୁ ଯିବ " ? କାନ୍ଦିକାନ୍ଦି ଆଦିତ୍ୟ କହୁଥାନ୍ତି " ସ୍ୱର୍ଗଦ୍ୱାର..." ! ଧିରେଧିରେ ରିକ୍ସା ଗଡିଚାଲିଲା ଆଗକୁ ଆଗକୁ । ସେହି ବର୍ଷାରେ ଦୂରକୁ ଝାପସା ଦିଶୁଥାଏ କଲ୍ୟାଣୀ ଲେଖିଦେଇଥିବା ସେହି ଦୁଇପଦ ଲେଖା " ତୁମ ଅପେକ୍ଷାରେ " ॥ ॥



Rate this content
Log in

Similar oriya story from Romance