Jyotiranjan Sahu

Tragedy

3  

Jyotiranjan Sahu

Tragedy

କାଳି ଝିଅ

କାଳି ଝିଅ

5 mins
343



କାଳିଆ କରୁଣାରୁ ବିବାହର ସାତ ବର୍ଷପରେ ମାଆ ଗର୍ଭରୁ ସିଏ ଜନ୍ମ ନେଇଥିଲା । ବୋଧହୁଏ କାଳିଆର ଆଶିଷ ତା ଉପରେ ଟିକିଏ ଅଧିକ ହୋଇଯାଇଥିଲା ସେଇଥିପାଇଁ କାଳିଆ ତାହାରି କଳାରୁ ଅସରାଏ କରୁଣା ରୂପେ ତା ଉପରେ ଢାଳିଦେଇଥିଲା ; ଆଉ ସେଇ କଳାରଙ୍ଗ ପାଇଁ ବାପା ମା ତା ନାଁ ଦେଇଥିଲେ କୃଷ୍ଣା ! ହେଲେ ତା ରଙ୍ଗ ପାଇଁ କେବେ ତାର ଏଇ ସୁନ୍ଦୁରିଆ ନାଁ ଟା କାଳି ଡାକ ନାଁ ପଛରେ ଲୁଚିଗଲା କାହାରି ମନେନାହିଁ ! ତା କଳା ରଙ୍ଗଟା ଧିରେଧିରେ ପାଲଟିଗଲା ତା ପାଇଁ ପରିଚୟ, ଏଇ ଯେପରି ଚିହ୍ନାପରିଚିତ ଲୋକମାନେ କଥାଛଳରେ କୁହନ୍ତି ' ସେଇ ମ ! ସାହୁପଡାର ସେଇ କାଳି ଝିଅଟା ' ! ସେ ଜାଣିବା ଦିନରୁ ଏଇ କାଳି ନାଁରେ ସିଏ ଆଖପାଖରେ ପରିଚିତ । କାଳିକୁ ଏହା ଭିତରେ କୋଡିଏ ପୁରି ଏକୋଇଶି ବର୍ଷ ହେଲାଣି । ଶରୀରରେ ତାର ଭରା ଯୌବନ ଲହଡି ଭାଂଗୁଛି । ବାପା ମା ମଧ୍ୟ ତା ବାହାଘର ପାଇଁ ଖୁବ୍ ବ୍ୟସ୍ତ । କାହିଁକି ନହେବେ ! ଘରେ ବଢିଲା ଝିଅ ରହିଲେ କେହି ବାପା କଣ ନିଶ୍ଚିନ୍ତରେ ଶୋଇପାରେ ! ତେଣୁ କାଳିର ବାହାଘରଟା ଯେତିକି ଚିନ୍ତାର ବିଷୟ ନୁହେଁ ତାଠାରୁ ଅଧିକ ଚିନ୍ତାର ବିଷୟ ତା ଦେହର କଳା ରଙ୍ଗ ପାଇଁ । କିଏ ବାହା ହେବ ତା ଭଳି ଗୋଟେ କାଳି ଝିଅକୁ ! ଆଜିକାଲି ବର କଣା କୁଜା କେମ୍ପା ଯେମିତି ହେଉ ପଛେ କନିଆଁ ଦରକାର ଶଂଖ ମଲମଲ ପରି ! ତେଣୁ କିଏ କାହିଁକି କାଳିକୁ ବାହା ହେବାକୁ ଯିବ ! ସେଇଥିପାଇଁ ବର କନିଆଁ ଅର୍ଥ ବୁଝିନଥିବା ବୟସରୁ କାଳି ଶୁଣିଆସୁଛି ଜେଜେମା ପାଖରୁ କେତେ କଥା" ଆରେ ! ତୋତେ କିଏ ବାହା ହେବ ! ପୋଛି ଆଣିଲେ ପରା ତୋଦେହରୁ କଳା ମୋ ହାତକୁ ଚାଲିଆସିବ ! ମୋ ପୁଅର କେତେ ଧନ ଅଛି ଯେ ତୋତେ ଯୌତୁକ ଦେଇ ବିଦା କରିବ ! ସବୁଦିନ ବାପ ବେକରେ ଝୁଲିରହିଥା " ! ପିଲାଟିବେଳୁ ଘର ଲୋକଙ୍କ ମୁହଁରୁ ଏମିତିକଥା ସବୁ ଶୁଣିଶୁଣି କାଳିର ନିଜ ରଙ୍ଗପ୍ରତି ଖୁବ୍ ଘୃଣାଭାବ ଆସିଯାଇଥିଲା । ତାର ନିଜ ଆଖିରେ ସିଏ ନିଜେ ଖୁବ୍ ତଳକୁ ଖସିଯାଇଥିଲା । ତାର ସବୁ ସୁଗୁଣ ଦକ୍ଷତା ଆଉ ଯୋଗ୍ୟତା ଫିକା ପଡିଯାଉଥିଲା ତା କଳା ରଙ୍ଗଆଗରେ । ତା ରଙ୍ଗର ବନ୍ଧନକୁ କାଟି ତା ଅନ୍ତରକୁ ଚିହ୍ନିବା ଭଳି ଦକ୍ଷତା ଏ ସମାଜର ବୋଧହୁଏ ନାହିଁ ନଚେତ୍ ଆଜିର ସମୟରେ ମଧ୍ୟ କାହିଁକି ମଣିଷ ରଙ୍ଗର ମୋହ ପଛରେ ଧାବମାନ ହୁଅନ୍ତା ! ସବୁ ବିଜ୍ଞାପନରେ ସୁନ୍ଦରତାକୁ ପ୍ରାଧାନ୍ୟ ; ସମସ୍ତଙ୍କୁ ଗୋରା କରିଦେବାର ମିଥ୍ୟା ପ୍ରପଞ୍ଚନ ; ପ୍ରତ୍ୟକ୍ଷ ବା ପରୋକ୍ଷରେ ଶାରୀରିକ ସୁନ୍ଦରତା ଯୋଗ୍ୟତାର ପ୍ରମୁଖ ମୂଲ୍ୟାଙ୍କନ ! କାହିଁକି ଆଜି ମଧ୍ୟ ବର୍ଣ୍ଣକୁ ନେଇ ଏ ବୈଷମ୍ୟତା ! ଯଦି ସଂସାରରେ ଏ କଳା ରଙ୍ଗଟା ହିଁ ନଥାନ୍ତା ତା ହେଲେ ଗୋରା ରଙ୍ଗକୁ କିଏ କାହିଁକି ସୁନ୍ଦର କହନ୍ତା ? ତେବେ ଏତେ ସବୁ କଥାରେ କଣ ସମାଜ ବଦଳିଯିବ ନା କାଳିର ବାହାଘର ହୋଇଯିବ ! ତେଣୁ କାଳି ନିଜକୁ ନିଜେ ପ୍ରସ୍ତୁତ କରୁଥାଏ ସ୍ୱାବଲମ୍ବୀ ହୋଇ ବାକିତକ ଜୀବନ ଜିଇଁଯିବ ! ହେଲେ କାଳିର ବାପା ମାଆ ! ସେମାନେ କଣ ଶାନ୍ତିରେ ରହିପାରିବେ କାଳିକୁ ବିବାହ ନଦେଇ ? ଦୁନିଆଁ କଣ କହିବ ସେମାନଙ୍କୁ ? ହେଲେ କାଳିର ଭୃକ୍ଷେପ ନଥାଏ ଦୁନିଆଁକୁ । ଦୁନିଆଁ ତ ତାକୁ ଏଇ କାଳି ନାଁଟା ପୁରସ୍କାର ଦେଇଛି ।ଏହି ବର୍ଷ କାଳିର ଗ୍ରାଜୁଏସନରେ ଶେଷବର୍ଷ । ପାଖ ଗାଁ ଗୋଚ୍ଛାୟତ ବାବୁଙ୍କ ଝିଅ ଗୋରି କଲେଜରେ କାଳିର ସବୁଠାରୁ ଭଲ ସାଂଗ । ଗୋରି ଦେଖିବାକୁ ଖୁବ୍ ସୁନ୍ଦର ବୋଲି କଲେଜରେ ତାର ଭାରି ଭାଉ ! କଲେଜର ଅନେକ ଯୁବକ ଗୋରିର ରୂପରଙ୍ଗରେ ସମ୍ପୂର୍ଣ୍ଣ ବିମୋହିତ ! ତାର ସାହଚର୍ଯ୍ୟ ପାଇବାକୁ କଲେଜରେ ଅନେକ ଯୁବକ ପାଗଳ ! ତାଂକ ପାଗଳାମି ଦେଖି ଭାରି ବିରକ୍ତ ହୁଏ କାଳି ; ହେଲେ ସେ ବି ତ ଗୋଟେ ଯୁବତୀ ; ମନର ଅସୁମାରୀ ସ୍ୱପ୍ନ ହୃଦୟରେ ତରଂଗାୟିତ ଇଚ୍ଛାକୁ ଯେତେ ମାରିଲେ ବି ମନଟା ଅନେକ ସମୟରେ କେଉଁଠି ନା କେଉଁଠି ଅମାନିଆ ହୋଇଉଠେ । ପୁଣି ପର ମୁହୂର୍ତ୍ତରେ ମନଟା ନିଜକୁ ନିଜେ ପ୍ରଶ୍ନ କରେ ' ମୋ ପାଇଁ କିଏ ଅଛି ? ମୁଁ ତ କାଳି ! ମୋର କୋଉ ସ୍ୱପ୍ନ ଦେଖିବାର ଅଛି ଯେ ! କିଏ ଚିହ୍ନିବ ମୋ ଅନ୍ତରକୁ କିଏ ବୁଝିପାରିବ ମୋ ଭାବନାକୁ ! ମୋର ଏହି କଳାରଙ୍ଗଟା ହିଁ ବୋଧହୁଏ ମୋ ଚରିତ୍ର ସାର୍ଟିଫିକେଟ୍ ' ! ଏମିତି କେତେ କଣ ପ୍ରଶ୍ନ ପଚାରିଯାଏ କାଳି ହେଲେ ତା ଉତ୍ତରଟା ଖାଲି ତାର ନିରବତା ! ତାର ନିରବତାଟା ବି ଅନେକ ସମୟରେ ପ୍ରତିବାଦର ରୁପ ନିଏ ଯେତେବେଳେ ଗୋରି ପ୍ରତି ଛଳନାତ୍ମକ ପ୍ରେମଟା କାମନାର ଲାଳସାରେ ଦୃଷ୍ଟି ନିକ୍ଷେପ କରେ ; ଯେତେବେଳେ କାମୁକତା ଭରା ପ୍ରେମର ରକ୍ତାକ୍ତ ପନ୍ଝାଟା ଗୋରି ଆଡକୁ ମାଡିଆସି ଝାମ୍ପିବାକୁ ଚେଷ୍ଟାକରେ ! ଅନେକ ଥର କାଳି , ଗୋରିକୁ ଚେତାଇ ଦେଇଛି ସମାଜର ଲକ୍ଷ୍ମଣ ରେଖା ନଲଂଘିବାକୁ ! ଚେତାଇ ଦେଇଛି ପ୍ରେମରେ ସହଚର୍ଯ୍ୟର କାମନା କେବେ ପୂର୍ଣ୍ଣତା ନୁହେଁ କି ଆଲିଂଗନରେ ତୃପ୍ତି କେବେ ପ୍ରେମର ପୂର୍ଣ୍ଣଚ୍ଛେଦ ନୁହେଁ । ପ୍ରେମତ ଗୋଟେ ସରଳ ରେଖା ନା ଆଦି ଅଛି ନା ଅଛି ତାର ଅନ୍ତ ! ସୃଷ୍ଟିର ସୃଜନରୁ ସୃଷ୍ଟିର ବିନାଶ ପର୍ଯ୍ୟନ୍ତର ବାଟ ଦେଖାଇ ଦେଇଥାଏ ଏପ୍ରେମ ! ତେଣୁ ଏ ବାଟରେ ସତର୍କତାର ସହ ଚାଲିବାକୁ ଅନେକ ଥର କହିଛି କାଳି ଗୋରିକୁ ! ହେଲେ କାହିଁକି କେଜାଣି ଗୋରି ଧିରେଧିରେ ଅନୁଭବ କଲା ବୋଧହୁଏ କାଳି ତା ରୂପ ଯୌବନରେ ଇର୍ଷାନ୍ୱିତ ! ସାଂଗ ପ୍ରତି ଏ ଧାରଣା କେବେହେଲେ ତା ନିଜର ନଥିଲା ଥିଲା ତା ଗୌର ବର୍ଣ୍ଣା ଅମାନିଆ ଯୌବନର ମତିଭ୍ରମ ମାତ୍ର ! ଆଉ ସେହିଥିରୁ ମନରେ ସୃଷ୍ଟି କାମନାର ଜ୍ୱାଳାରେ ପ୍ରେମକୁ ଭୋଗ୍ୟା ବୋଲି ବିଚାରି ବସିଲା ଗୋରି ! ଧିରେଧିରେ ଦୁଇ ସାଂଗ ଭିତରେ ଦୂରତା ବଢିଗଲା । ଯେତେ ଦୂରତା ବଢିଚାଲିଲା ସେତେସେତେ ମଳିନ ହୋଇଆସିଲା କାଳି ଗୋରି ପାଇଁ ଟାଣିଦେଇଥିବା ସଂସ୍କାରର ଲକ୍ଷ୍ମଣ ରେଖା । ଏହାଭିତରେ ବେଶ୍ କିଛିଦିନ ବିତିଯାଏ । ରାସ୍ତାଘାଟ ସାହି ପଡିଶା ଆତ୍ମୀୟ ସ୍ୱଜନ ଯିଏ ଯେଉଁଠି ଦେଖାହେଲେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ " ଆଲୋ କାଳି ! କେବେ ହାତରୁ ଦି'ହାତ ହେବୁ ! ବିଭା ବୟସ କଣ ଆଉ ଆସୁଛି " ?ଆଉ ଉତ୍ତରଟା ବି ସେଇମାନଙ୍କର " ଏ ନିପଟ କାଳିକୁ କିଏ ବାହା ହେବ " ! ତାଂକ ପ୍ରଶ୍ନ ଆଉ କାନ ଆଢୁଆଳରୁ ସେମାନଙ୍କର ଉତ୍ତରଟା ଖୁବ୍ କଷ୍ଟଦିଏ କାଳିକୁ ! ତାର ଏଇ କଳା ରଙ୍ଗ ପାଇଁ ଏ ସମାଜ ତାକୁ ତାଚ୍ଛଲ୍ୟ କରେ, ନିଜର ଅତି ପ୍ରିୟ ସାଂଗ ତାକୁ ତା ଆଖିରେ ତଳକୁ ଖସିବାକୁ ବାଧ୍ୟ କରେ । ଆଉ କେତେ ଗର୍ବିତ ହୁଅନ୍ତା କାଳି ନିଜର ଏଇ କଳା ରଙ୍ଗକୁ ନେଇ । ଏତେସବୁ ନକାରାତ୍ମକ ଚିନ୍ତା କରିକରି କାଳିର ରଙ୍ଗଟା ଆହୁରି ଗଭୀର ହୋଇଉଠିଥାଏ । ସେଦିନ କଲେଜରେ ପହନ୍ଚୁ ପହନ୍ଚୁ କଲେଜର ପରିବେଶଟା କାଳିକୁ କାହିଁକି ଅଲଗା ଅଲଗା ଲାଗୁଥାଏ । ସେତିକିବେଳେ ତାର ଅନ୍ୟଜଣେ ବାନ୍ଧବୀ ଆସି କହିଲା " ଶୁଣିଲୁଣି ଲୋକେ କଣ କହୁଛନ୍ତି "?

କାଳି : କଣ ?

ବାନ୍ଧବୀ : ଜାଣିନୁ କଣ ମ ! କଥା ପରା ଦାଣ୍ଡରେ ପଡି ହାଟରେ ଗଡିଲାଣି ! ଦେଖିନୁ କି ! ହେଇଟି ଦେଖ୍ !

ଏତିକି କହି ସେ କାଳି ନମ୍ବରରେ ଭିଡିଓଟିଏ ସେୟାର କଲା । ସେ ଭିଡିଓ କ୍ଲିପିଂ ଦେଖି କାଳି ନିଜକୁ ବିଶ୍ୱାସ କରିପାରୁନଥାଏ । ଗୋରିର ନିଜ ପୁରୁଷ ବନ୍ଧୁ ନିଜେ ବିଶ୍ୱାସଘାତକ ସାଜି ଗୋରି ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ଆଜି ଦୁନିଆଁ ଆଗରେ ପ୍ରଦର୍ଶିତ କରିଦେଇଛି । ଯାହାକୁ ଦେଖି କାଳି ମନରେ ଘୃଣା ଖେଳିଗଲା ଗୋରି ପ୍ରତି । ତାକୁ ଲାଗୁଥିଲା ସତେଯେପରି ଗୋରିର ଗୋରା ରଙ୍ଗରେ ଆଜି କଳଂକର ଅଲିଭା କାଳିମା ଗୋରିକୁ ତାଠାରୁ ଅଧିକ କୃଷ୍ଣକାୟ ସଜାଇଦେଇଛି ! କାଳି ଅନୁଭବ କରିପାରୁଥିଲା ତା ଚାରିପାଖର ପରିବେଶରେ ଖେଳିଯାଇଛି ଗୋରି ପ୍ରତି ଘୃଣାର ଭାବ ! ସମସ୍ତଙ୍କ ମୁହଁରେ ଗୋରି ପାଇଁ ଗୋଟିଏ ହିଁ ପୁରସ୍କାର " ଛିଃ " । ସମସ୍ତେ କହୁଥାନ୍ତି " କାଳି ଟା ଦେଖିବାକୁ ସିନା କଳା ହେଲେ ତା ଚରିତ୍ର ନିଷ୍କଳଂକ " ! ଆଜି କାଳିକୁ କାହିଁକି କେଜାଣି ତା ନିଜ ଦେହର କଳାରଙ୍ଗଟା ଖୁବ୍ ସୁନ୍ଦର ଦିଶୁଛି । କାହିଁକି ସୁନ୍ଦର ନଦିଶିବ ! କଳଂକର କାଳିମା ପାଖରୁ ତା ଦେହର ରଙ୍ଗଟା ପରା ଖୁବ୍ ଗୋରା ! ଆଜି ସମାଜକୁ କାଳିର ବର୍ଣ୍ଣ ନୁହେଁ ତାର ସ୍ୱଚ୍ଛ ଚରିତ୍ରଟା ଜଳଜଳ କରି ଦିଶୁଛି । ଯେଉଁ ସମାଜ କାଲି ତାକୁ ତାଚ୍ଛଲ୍ୟ କରୁଥିଲା ସେହି ସମାଜ ଆଜି ତା ଚରିତ୍ରର ମହିମା ମଣ୍ଡନ କରୁଛି । ଆଜି ଘରେ ପହଞ୍ଚୁ ପହଞ୍ଚୁ କାଳିର ମା ତାକୁ କହୁଥାନ୍ତି " ଶୁଣିଲୁଣି ଗୋରି କଥା ! ବହୁତ କହୁଥିଲେ ମୋ ଝିଅକୁ କଳା କଳା ବୋଲି ! ହେଲେ ଆଜି ଦେଖ ! ମୋ ଝିଅର ଚରିତ୍ର ଆଗରେ ସେ ଗୋରି କିଏ କି " ? ମା ଙ୍କ କଥା ଶୁଣି କାଳି ମୁହଁରେ ନା ଥିଲା କୌଣସି ପ୍ରତିକ୍ରିୟା ନା ଥିଲା କୌଣସି ଶବ୍ଦର ଉପସ୍ଥିତି । ମୁହଁରେ ଖେଳୁଥିଲା ତ ବାସ୍ ସେଇ ମୋନାଲିସାର ହସ ! ସେ ହସ ଏହି ଅସହାୟ ସମାଜକୁ କଟାକ୍ଷ ନା ପୀଡିତାକୁ ସାନ୍ତ୍ୱନା ନା ଆତ୍ମସନ୍ତୋଷର ତାହା ଏପର୍ଯ୍ୟନ୍ତ ମୋ ପାଇଁ ଅବୁଝା ବିଷୟବସ୍ତୁଟିଏ ॥



Rate this content
Log in

Similar oriya story from Tragedy