ଏକ ଶେଷ ଚମକ
ଏକ ଶେଷ ଚମକ
ସମୟର ଘଡିକୁ ଚାହିଁ ଅପେକ୍ଷା କରିଛି ଭୁବନେଶ୍ୱର ଯାଉଥିବା ବସ ଟିକୁ I ସମୟ ସକାଳ 7ଟା I ଠିକ ଏହି ସମୟରେ ସେ ବସଟା ଆସି ପ୍ରତିଦିନ ପହଁଞ୍ଚି ଯାଏ ମୋ ଗାଁ' ଛକରେ, ଆଜି କିନ୍ତୁ ବିଳମ୍ବରେ ଆସିବ ବୋଧେ I କାନ୍ଧରେ ଗୋଟେ ଲାପଟପ ବେଗ ଏବଂ ଗୋଟେ ଚାଉଳ ବସ୍ତା ଧରି ଅପେକ୍ଷା କରିଥିଲି ବସକୁ I ବସ ଆସିବାର ହର୍ଣ୍ଣ ଶବ୍ଦଟି ଶୁଣି ନିଜକୁ ସଜାଡ଼ି ନେଉଥିଲି I ବସ ପହଞ୍ଚିବା କ୍ଷଣରେ ହିଁ ଚଢିବାକୁ ହେବ, ବେଶି ସମୟ ରହିବନି I ଲୋକ ଥିଲେ ଛିଡା ହୁଏ ନଚେତ ଘଣ୍ଟାକୁ 60 ସ୍ପିଡ଼ରେ ଧାଉଁଥାଏ I ବସ ଆସି ପହଞ୍ଚିଗଲା, ମୁଁ ଚଟପଟ ହେଇ ଭିତରକୁ ଚଢ଼ିଲି, ଆଉ ଝରକା ପାଖ ସିଟ ଗୋଟେ ଖୁଜୁଥିଲି I ମତେ ଝରଖା ପାଖରେ ବସିବାକୁ ଭଲ ଲାଗେ I ମତେ ବାହାର ଦୁନିଆକୁ ଆଖି ପୁରେଇ ଦେଖିବାକୁ ଭଲ ଲାଗେ, ପକୃତିକୁ ଦେଖିବାକୁ ଭଲ ଲାଗେ I ହଁ ମିଳିଗଲା, ଟିକେ ପଛକୁ ହେଇଥିଲେ ବି ଝରକା ପାଖ ସିଟଟା ଖାଲି ଥିଲା I ବ୍ୟାଗ ଟିକୁ ଉପରେ ରଖି ସିଟରେ ବସିଲି I ପାଖରେ କିଛି କଲେଜ ପିଲା ଛିଡ଼ା ହେଇଥିଲେ, କିଛି ପୁଅ ଆଉ କିଛି ସୁନ୍ଦରୀ ଝିଅମାନେ ଥିଲେ I ନାନାଦି ଆଳାପ ଆଲୋଚନା ଚାଲିଥିଲା ସେମାନଙ୍କ ମଧ୍ୟରେ I କିଏ ମୋବାଇଲରେ ବ୍ୟସ୍ତ ତ ଆଉ କିଏ ସୁନ୍ଦରୀ ମାନଙ୍କ ସହ ଆଳାପରେ ବ୍ୟସ୍ତ I ଏସବୁ ଦେଖି ଇଛା ହଉଥିଲା କହିବାକୁ "ଟିକେ ନୀରବ ରଖ, କଣ ପାଇଁ ଏତେ କେଚେରେ ମେଚେରେ ହଉଛ" I ହେଲେ କହି ପାରିଲିନି I କଲେଜ ପିଲା ପା, କାଳେ ମୁହଁ ଉପରେ ଉତ୍ତର ଫେରେଇ ଦେବେ, କାଳେ ମୋ କଥା ଶୁଣି ହସିବେ I କିଛି ନ କହି ମଧ୍ୟ ଲକ୍ଷ କରିଥିଲି ସେମାନଙ୍କୁ, କିଛି ସୁନ୍ଦରୀ ମାନଙ୍କୁ I ଦେଖୁ ଦେଖୁ ଆସି ପହଞ୍ଚିଗଲା କଲେଜଟା, ଯେଉଁଠି ସେମାନଙ୍କୁ ଓଲ୍ହେଇବାର ଥିଲା I ଜଣେ ପରେ ଜଣେ ଓଲ୍ହେଇ ଚାଲିଥିଲେ I ସମସ୍ତେ ଓଲ୍ହେଇ ଗଲେ କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ରହିଗଲା I ବୋଧେ ତାକୁ ଆଉ କେଉଁଠିକୁ ଯିବାକୁ ଥିଲା, ବୋଧେ ଆଗ ମାର୍କେଟରେ ଓଲ୍ହେଇବ I କଲେଜ ରୁ ମାର୍କେଟ ମାତ୍ର ୨-୩ ମିନିଟର ରାସ୍ତା I କିଛି ସିଟ ଏବେବି ଖାଲି ଥିଲା I କିଛି ଲୋକେ ଏବେବି ଛିଡ଼ା ହେଇଥିଲେ I ଏହି ଗୋଟେ ବସ ଆମ ଗାଁ ରୁ ଭୁବନେଶ୍ୱର ଯାଏ I ସେଥିପାଇଁ ସବୁ ସିଟ ଆଗରୁ ବୁକିଙ୍ଗ ହେଇ ରହିଥାଏ I ବସ ଆସି ପହଁଚିଲା ମାର୍କେଟରେ I ଛିଡ଼ା ହେଇଥିବା ଲୋକମାନେ ଓଲ୍ହେଇବାକୁ ଲାଗିଲେ, ତଥାପି ସେ ଝିଅଟି ସେମିତି ଛିଡ଼ା ହେଇଥାଏ I ଲାଗୁଥିଲା ଯେମିତି ସେ ଆହୁରି ଆଗକୁ ଯିବ I ଇଛା ହଉଥିଲା ଦି ପଦ କଥା ହେବାକୁ, କଉଁଠିକୁ ଯିବ ପଚାରି ବୁଝିବାକୁ I ମନ ଯେତେ ଆଗ୍ରହ ହଉଥିଲା, ଡରବି ସେତିକି ଥିଲା I କେମିତି ଜଣେ ଅପରିଚିତଙ୍କ ସହ କଥା ହେବି, ସେ ପୁଣି ଜଣେ ଝିଅ I ମନ ଆଉ ବଳେଇଲାନି କଥା ହେବାକୁ I ଅନ୍ୟ ଲୋକମାନେ ଏଥର ବସକୁ ଚଢ଼ୁଥିଲେ ଏବଂ ନିଜ ନିଜ ସିଟରେ ବସିବାକୁ ତତ୍ପର ହଉଥିଲେ I କଣ୍ଡକ୍ଟର ଆସି ସମସ୍ତଙ୍କୁ ନିଜ ନିଜ ସିଟ ଦେଖାଇ ଦଉଥିଲା I
କଣ୍ଡକ୍ଟର:-ଆରେ ଝିଅ ତୁ କଉଠି ଓଲ୍ହେଇବୁ ?
ଝିଅ:-ଆଗ ଛକରେ
କଣ୍ଡକ୍ଟର:- ହଉ ସାଇଟି ହେଇକି ଛିଡ଼ା ହ, ଅନ୍ୟ ଲୋକମନଙ୍କୁ ଯେମତି ଯିବା ଆସିବା କରିବାରେ ଅସୁବିଧା ନହୁଏ I
ଝିଅ:- ହଁ ସେଥିପାଇଁ ତ ଏଇଠି ସାଇଟି ହେଇକି ଛିଡ଼ା ହେଇଛି I
ମୁଁ ଲକ୍ଷ କରିଥାଏ ସେମାନଙ୍କୁ, ଶୁଣୁଥାଏ ସେ ଝିଅକୁ, ଦେଖୁଥାଏ ତା’ ସୁନ୍ଦର ଚେହେରାକୁ I କଲେଜ ଡ୍ରେସ, ହାତରେ କିଛି ବହି ଖାତା, ଆଉ ମୁହଁରେ ଅଖଣ୍ଡ ନୀରବତା I ଲାଗୁଥିଲା ସେ ଯେମିତି ମତେ କଣେଇ କଣେଇ ଦେଖୁଛି I ତା ଆଖି ପଲକ ମୋ ପାଖରେ ପହଞ୍ଚିବା ପୂର୍ବରୁ ମୁଁ ଝରଖା ବାହାରକୁ ମୁହଁ ଖୋଲି ଧାଉଁଥିବା ପୃଥିବୀକୁ ଦେଖୁଥିଲି I ସେ ବୋଧେ ମତେ ଦେଖୁଥିଲା, ହେଲେ ମୁଁ କିନ୍ତୁ ନଦେଖିଲା ପରି ପୁଣି ଥରେ ଆଖିକୁ ବୁଲେଇ ଆଣିଲି ସେଇ ସୁନ୍ଦରୀ ଉପରକୁ I ଏଥର ମୁଁ ନିଜକୁ ସମ୍ଭାଳି ପାରିଲିନି I
ମୁଁ:- ଆଜ୍ଞା ଏହି ସିଟ ଖାଲି ଅଛି, ଚାହିଁଲେ ବସି ପାରିବେ I
ଝିଅ:- ନା ନା, ମୁଁ ଏଇ ଆଗରେ ଓଲ୍ହେଇବି I ବାସ ଆଉ ୧୦ମିନିଟର ରାସ୍ତା I ଛିଡ଼ା ହେବାରେ କିଛି ଅସୁବିଧା ନାହିଁ I
ବସଟା ହର୍ଣ ମାରି ଆଗେଇ ଚାଲିଥିଲା, ମୁଁ କିନ୍ତୁ ଆଗେଇ ପାରୁ ନଥିଲି, ତା ମୁହଁ ପାଖରୁ I ଆଖି ମୋର ଏକଲୟରେ ଲାଖିଥିଲା ସେ ସୁନ୍ଦରୀ ଉପରେ I ଇଛା ହଉଥିଲା ବସଟା ଏଇଠି ଅଟକି ଯାଆନ୍ତା କି ! ସମୟଟା ସ୍ଥିର ହେଇ ରହିଯାଆନ୍ତା କି !
ଏ ଆଖି ଅନେକ ସୁନ୍ଦରିଙ୍କୁ ଆଗରୁ ଦେଖିଛି, ଅନେକ ମଧ୍ୟ ଜୀବନରେ ଆସିଛନ୍ତି ହେଲେ ଏ ଏମିତି ଏକ ସୁନ୍ଦରୀ ଯାହାକୁ ବାରମ୍ବାର ଦେଖିବାକୁ ଇଛା ହଉଥିଲା I ମଥାରୁ ଧାରେ କେଶ ତା’ ଗାଲ ଉପରେ ମୁରୁଜ ବୁଣୁଥିଲେ, ଇନ୍ଦ୍ରଧନୁର ସାତ ରଙ୍ଗ ତା ଦେହରେ ବିସ୍ତାରି ହେଇ ପଡୁଥିଲେ I
ବସଟା ଆସି ଛିଡ଼ା ହେଲା ଗୋଟେ ଛୋଟ ମନ୍ଦିର ପାଖରେ I ମୁଁ ଭାବନା ଭିତରୁ ବାହାରି ଆସିଲି I ଗଣିଦେଲେ ମାତ୍ର ୩-୪ ଟି ଦୋକାନ, ମନ୍ଦିର ପାଖରେ ଗୋଟେ ବଉଳ ଗଛ I ବସ ଅଟକିବା ମାତ୍ରେ ସେ ଓଲ୍ହେଇଲା, ସେ ଧୀରେ ଧୀରେ ଚାଲି ଯାଉଥିଲା ମୋ ହୃଦୟକୁ ଭାଙ୍ଗି, ମୋ ସ୍ୱପ୍ନକୁ ଭାଙ୍ଗି I ମୁଁ ଚାହିଁ ରହିଥିଲି ତା ସଳଖ ଚାଲିକୁ, ତା’ ଛୋଟ ବେଣୀକୁ I ବସ ପୁଣି ଗଡ଼ିଲା ଆସ୍ତେ ଆସ୍ତେ ଆଗକୁ, I ମୁଁ ଏକନିଷ୍ଠ ଦୃଷ୍ଟିରେ ଦେଖୁଥିଲି ତା'କୁ I ଏବେ ସେ ମୁହଁ ବୁଲେଇ ଦେଖିଦେଲା ମତେ, ମୋ ଚେହେରାକୁ, ମୋ ଆଖିର ହତାଶ ପଣିଆକୁ I ଏଥର ସେ ହସିଲା; ଏକ ନିର୍ଦ୍ଦୋଷ ଅଭିନୟରେ ତାର ଦୁଷ୍ଟ ଚାଲାକି ଲୁଚାଇ ଦେଲା, ହଁ ସେ ହସିଲା, ହୃଦୟରେ ଲଜ୍ଜା ଓ ଆଖିରେ ଆନନ୍ଦର ଛାଇକୁ ଲୁଚାଇ ଦେଲା, ସେ ହସିଲା, ତାର ସ୍ମିତ ହସରେ ଭାବନାର ଏକ ଗଭୀର ଶବ୍ଦ ବହି ଦେଲା। ବସଟା ସେ ଛକରୁ, ଦୁରେଇ ଚାଲିଗଲା ଆଉ ଛଡେଇ ନେଇଗଲା ମୋ ଆଖିରୁ ମୋ ସ୍ବପ୍ନକୁ, ହୃଦୟରେ ବାନ୍ଧିଥିବା ମୋ ଆଶାକୁ I
ଏହି ଭିତରେ ଅନେକ ବର୍ଷ ବିତି ଯାଇଛି, କେତେ ଲହରୀ ସାଗର କୂଳରେ ମଥା ପିଟିଛନ୍ତି, କେତେ ଗ୍ରହ ନକ୍ଷେତ୍ର ଏହି ଭିତରେ ସୃଷ୍ଟି ଆଉ ଧ୍ବଂସ ହେଇଥିବେ, କେତେ ଯେ ଫଗୁଣ ଫଗୁ ବାଣ୍ଟି ଫେରି ଯାଇଥିବ I ଏହି ଭିତରେ ଅନେକ ଥର ସେ ରାସ୍ତା ଦେଇ ମୁଁ ଯାଇଛି, ସେଇ ଛକରେ ମୁଁ ଅଟକିଛି, ଅନେକ ଥର ସେଇ ବସରେ ବସିଛି ହେଲେ ତାକୁ କେବେ ଦେଖା ପାଇନି I ଅନେକ ଥର ତା ମୁହଁକୁ ଖୁଜିଛି ହେଲେ ପାଇନାହିଁ ତାକୁ, ତା ଭଳି ସୁନ୍ଦରୀକୁ I
ସେ ସୁନ୍ଦରୀ ମୋର ଆତ୍ମାର ଅଦୃଷ୍ଟ ପ୍ରତିବିମ୍ବ, ତା’ ଚେହେରାର ସ୍ନିଗ୍ଧ ପ୍ରକାଶ ଓ ଶ୍ରେଷ୍ଠତାର ଅନ୍ତର ଏକ ହୃଦୟର ଚିହ୍ନ ରୂପେ ପ୍ରକାଶିତ ହୁଏ I

