STORYMIRROR

Bikranta Behera

Abstract Romance Tragedy

4.7  

Bikranta Behera

Abstract Romance Tragedy

ସ୍ମୃତି ଆଇନା

ସ୍ମୃତି ଆଇନା

7 mins
85


"ରଙ୍ଗହୀନ ଜୀବନର ମୂଲ୍ୟ କେତେ, ପ୍ରେମ ବିନା ହୃଦୟର ମୂଲ୍ୟ କେତେ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଥାଏ, ଚିତ୍ରଲେଖା I ଉତ୍ତର ସନ୍ଧାନରେ ଝରକା ଫାଙ୍କରୁ ବାହାରକୁ ଚାହିଁ ଦେଖୁଥାଏ ମେଘାଚ୍ଛନ୍ନ ଆକାଶକୁ I ନୀଳ ଆକାଶ ଛାତିରୁ, ନୀରବତା ଡେଇଁ ଭାସି ଆସୁଥାଏ କଳା ଖଣ୍ଡ ବାଦଲ I ସେ ବାଦଲ ଆଜି, ସମସ୍ତ ଉତ୍ତରକୁ ନିଜ ପିଠିରେ ପକେଇ ଭାସୁଥାଏ ରାଜଧାନୀର ମୁକ୍ତ ଆକାଶରେ I ହାତ ବଢ଼େଇ ଉତ୍ତର ସାଉଁଟିବାକୁ ଚେଷ୍ଟା କରେ; ଚେଷ୍ଟା କରେ ଧରିବାକୁ ରଙ୍ଗବର୍ଣ ଜୀବନକୁ, ଚେଷ୍ଟା କରେ ଧରିବାକୁ ପ୍ରେମମୟ ହୃଦୟକୁ! କିନ୍ତୁ ଚାରିକାନ୍ଥ ଆବଦ୍ଧ ଘରେ ବନ୍ଦୀ ହେଇ ଅତୀତକୁ ଭସା ମେଘ ରେ ଦେଖୁଛି ସତ, କିନ୍ତୁ ମନରେ ଉଙ୍କିମାରୁଥିବା ପ୍ରଶ୍ନର ଉତ୍ତରକୁ ଧରି ସେ ପାରୁନି I ବାଦଲ ଏବେ ଏବେ ବର୍ଷୀବାକୁ ଆରମ୍ଭ କରିଦିଏ I ସତେ ଯେମିତି ନାଚୁଥାଏ ରାଜଧାନୀର ଚଲା ପଥରେ I 


ଅସରାଏ ବର୍ଷା ପରେ ଦୂର ଦିଗନ୍ତରୁ ଭାସି ଆସୁଥାଏ ଭିଜା ମାଟିର ବାସ୍ନା I ଏଥର ଝରଖା, କବାଟ ସବୁ ବନ୍ଦ କରି ନିଜକୁ ସଜେଇ ହଉଥିଲା ଆଇନା ଆଗରେ I ରଙ୍ଗ ବେରଙ୍ଗର ଡ୍ରେସ ପିନ୍ଧି ଦେଖିଲା ନିଜକୁ I ସେ ରଙ୍ଗ କିନ୍ତୁ ତା' ଦେହରେ ଲାଗୁଥିଲା ବିବର୍ଣ୍ଣ ପରି I ସ୍ମୃତିର ଆଇନାକୁ ଦେଖି, ଛାଡି ଆସିଥିବା ଅତୀତକୁ ମନେ ପକାଉଥିଲା I ସେ କେବେ କାହା ପାଇଁ ଥିଲା ପ୍ରେମର ଇନ୍ଦ୍ରଧନୁ, ତାକୁ ନେଇ କିଏ କେବେ ଅନେକ କବିତା ଲେଖିଛି I 


ଭାବନାର ଦ୍ୱାରଦେଶରେ ମଗ୍ନ ହେଇ ଏମିତି ଅନାବନା ଭାବୁଥାଏ ଚିତ୍ରଲେଖା ଦିଲ୍ଲୀର 3 ତାରକା ହୋଟେଲରେ ବସି I ଅତୀତର ସ୍ମୃତି ଯେମିତି ଖେଳୁଥାନ୍ତି ତା'ଆଖି ଆଗରେ I ସେ କଲେଜ, ସେ ସାଙ୍ଗସାଥି ଆଉ ନିଜର କରିଥିବା ଏକ ଆପଣାର ମଣିଷଟିଏ I ସ୍ନାତକ ପରେ ଇଛା କରିଥିଲା ଏମ.ବି.ଏ କରିବାକୁ, ମା ପାଖରେ ଅଳି କରି ଶେଷରେ ଏମ.ବି.ଏ କଲେଜରେ ନାମ ଲେଖେଇଲା I ବହୁ ସାଙ୍ଗ ଯୋଡ଼ି ହେଇଗଲେ ତା' ପରିଧିରେ, ଗୀତା ବି ସେଥିମଧ୍ୟରୁ ଜଣେ ଥିଲା I ଏକା ସାଙ୍ଗରେ କ୍ଲାସ, ଏକା ସାଙ୍ଗରେ ଟିଉସନ ଏମିତିକି ଏକା ହଷ୍ଟେଲରେ ରହୁଥିଲେ ମଧ୍ୟ I ସାଙ୍ଗ ହେଇ ଖାଇବା, ଗପିବା, ବୁଲାବୁଲି ଏମିତି ସବୁ କିଛି ଚାଲେ ତାଙ୍କ ମଧ୍ୟରେ I ଅତି ଆପଣାର ଲାଗୁଥିଲେ ପରସ୍ପର I ଜହ୍ନ ତାରାର ସମ୍ପର୍କ ଭଳି ଅତି ନିବିଡ ଥିଲା ସେମାନଙ୍କ ସମ୍ପର୍କ I 


ଉଭୟଙ୍କ ପରିବାର ଏବଂ ଆଭିଜାତ୍ୟ ପ୍ରାୟତଃ ସମାନ କହିଲେ ଚଳେ I ଦେଖିବାକୁ ବି କେହି କାହାଠୁ କମ ନଥିଲେ I ଏମ.ବି.ଏ ର ଦ୍ୱତୀୟ ବର୍ଷରେ କିଛି ପ୍ରୋଜେକ୍ଟ ପାଇଁ ଆରମ୍ଭ ହେଇଯାଏ ଛାତ୍ର /ଛାତ୍ରୀ ମାନଙ୍କ ଭିତରେ ପ୍ରତିଦ୍ବନ୍ଦୀ I ଗୋଟେ ଭଲ ପ୍ରୋଜେକ୍ଟ ପାଇଁ ସେମସ୍ତେ କାହାର ନା କାହାର ସାହାଯ୍ୟ ଲୋଡ଼ା କରନ୍ତି I ଗୀତା ବି ନିଜ ସ୍କୁଲ ବେଳର ସାଙ୍ଗ, ଆକାଶର ସାହାଯ୍ୟ ମାଗିଲା I ମାତ୍ର କିଛି ଘଣ୍ଟାରେ ବହୁତ ସୁନ୍ଦର ଏକ ପ୍ରୋଜେକ୍ଟ ପାଇଗଲା ଆକାଶ ଠାରୁ I ଏତେ ସୁନ୍ଦର ଭାବେ ରୁପାଙ୍କନ ହେଇଥିଲା ଯେ, ଯିଏ ବି ଦେଖିବ ନିଶ୍ଚୟ ପ୍ରଶଂସା କରିବ I ଚିତ୍ରଲେଖା ବି ନିଜ ବାନ୍ଧବୀ ଗୀତାକୁ ଅନୁରୋଧ କଲା, ନିଜ ପାଇଁ ଏମିତି ଏକ ଆଖି ଦୃଶିଆ ପ୍ରୋଜେକ୍ଟ ଆକାଶ ପାଖରୁ ବନେଇବାକୁ I ଗୀତା ପୁଣିଥରେ ଆକାଶ ପାଖରୁ ଆଉ ଏକ ଆଖି ଦୃଶିଆ ପ୍ରୋଜେକ୍ଟ ଚିତ୍ରଲେଖା ପାଇଁ ବନେଇ ଆଣିଲା I ଏହି ପ୍ରୋଜେକ୍ଟର ବାହାନାରେ, ଆକାଶ ଦୁଇ ବାନ୍ଧବୀଙ୍କ ମଝିରେ ଜଣେ Mutual Friend ହେଇଗଲା I 


ଆକାଶ, ଚିତ୍ରଲେଖାର ନମ୍ବର ନିଜ ବାନ୍ଧବୀ ଗୀତା ପାଖରୁ ଆଣିବାକୁ ପ୍ରାୟ ସମୟରେ ପ୍ରାୟସ କରେ, କିନ୍ତୁ ଗୀତା ବୋଧେ ଏହା ଚାଁହୁନଥିଲା I Facebook ଏକ ମାଧ୍ୟମ ଥିଲା, ଯେଉଁଥିରେ ଉଭୟ ଚିତ୍ରଲେଖା ଓ ଆକାଶ ସାଙ୍ଗ ହେଇ ଯାଆନ୍ତି I କିଛି ଦିନ ମେସେଜରେ କଥାହେବା ପରେ, ସମୟ କ୍ରମେ ମୋବାଇଲ ନମ୍ବର ର ଅଦଳ ବଦଳ ହୁଏ I 


ଆକାଶ ଏକ ନିମ୍ନ ମଧ୍ୟବିତ୍ତ ପରିବାର ଭିତରେ ବଡ ହେଇ ଆସିଛି I ବାପା, ମାଙ୍କର ଗୋଟେ ବୋଲି ପୁଅ, ଏଣୁ ଘରର ସମସ୍ତ ଦାଇତ୍ୱ ନିଜ ଉପରେ I କଲେଜର ଜଣେ ଭଲ student ଭାବେ ଅନେକ ପ୍ରଶଂସା ସାଉଁଟିଛି I କଲେଜ ପରେ ଏବେ ଦିଲ୍ଲୀରେ ଏକ Private କମ୍ପାନୀର ଆକାଉଣ୍ଟ ବିଭାଗରେ କାମ କରୁଛି I ସ୍କୁଲ ଦିନରୁ ଏକ ଭଲ ବନ୍ଧୁତାର ସମ୍ପର୍କ ଥିଲା ଗୀତା ସହ I ଗୀତା ବି, ଆକାଶର ଖୁବ ପ୍ରଂଶସା କରେ ଅନ୍ୟ ସାଙ୍ଗମାନଙ୍କ ପାଖରେ I 


କିନ୍ତୁ ଆକାଶ ଥିଲା ଚିତ୍ରଲେଖା ଜୀବନରେ ଏକ ନୂଆ ପୁସ୍ତକ I ଯାହାକୁ ସେ ଏବେ ଏବେ ପଢ଼ିବା ଆରମ୍ଭ କରିଥିଲା I ପୃଷ୍ଠା ପରେ ପୃଷ୍ଠା ଓଲଟାଇ ପଢ଼ୁଥିଲା ଆକାଶର ଜୀବନକୁ I ପଢ଼ିବା ଭିତରେ ପ୍ରେମର ଅଧ୍ୟାୟକୁ ହୃଦୟର ଖାତାରେ ଲେଖିବାକୁ ଆରମ୍ଭ କରେ I ସୁନୀଳ ସ୍ବପ୍ନସବୁ ଖେଳିବୁଲନ୍ତି ହୃଦୟର ପରିକ୍ରମାରେ I କିନ୍ତୁ ଏସବୁ ଗୀତା ପାଇଁ ଥିଲା ସମ୍ପୂର୍ଣ ଅଜଣା, ନା ଆକାଶ ତାକୁ କେବେ କହିଛି, ନା କେବେ ଚିତ୍ରଲେଖା I ସେ ଥିଲା ପ୍ରେମରୁ ଅନେକ ଦୂରରେ I ତା’ ପାଇଁ ପ୍ରେମ ଥିଲା; ଏକ ସ୍ବପ୍ନ ପରି I ସେ ପ୍ରେମରେ ସଫଳତା ଅପେକ୍ଷା ବିଫଳତାକୁ ଅଧିକ ଭୟ କରୁଥିଲା I ସବୁ ପରେ ବି ଆକାଶକୁ ଅନ୍ୟ କେଉଁ ଝିଅ ସହ କଥା ହେବାର ଦେଖିଲେ ମନରେ ଇର୍ଷା କରେ I କେଜାଣେ କାହିଁକି, ଆକାଶ ପ୍ରତି ମନରେ ଏକ ଦୁର୍ବଳତା ଥିବା ଅନୁଭବ କରେ I


ଆକାଶ ହୃଦୟରେ, ଚିତ୍ରଲେଖା ନିଜ ଛବି ଆଙ୍କି ସାରିଥିଲା I ଅନେକଙ୍କ ଭିତରେ ଆକାଶର ହାତ ସେ ଧରି ସାରିଥିଲା I ଆକାଶ ବି ବହୁତ ଭଲ ପାଉଥିଲା ଚିତ୍ରଲେଖାକୁ I ଫଗୁଣର ମଳୟ ଶିରି ଶିରି ବିଞ୍ଚୁଥାଏ ପ୍ରେମର ମହକ ନେଇ I ଶୂନ୍ୟ ଆକାଶର ଜହ୍ନବି ଶୁଣୁଥିଲା ପ୍ରେମର ଆଳାପକୁ I ଚିତ୍ରଲେଖା ଦେଖୁଥାଏ ଅନେକ ସ୍ବପ୍ନ ନିଶବ୍ଦ ରାତ୍ରିରେ I ଦିନ ପରେ ଦିନ ଚାଲିଯାଏ, ପ୍ରେମର ରଙ୍ଗରେ ବିଲିପ୍ତ ଥିଲେ ପ୍ରେମି ଯୁଗଳ I ଆକାଶ ପାଇଁ ପ୍ରେମ ଥିଲା ଏକ ସ୍ବପ୍ନ ଆଉ ଚିତ୍ରଲେଖା ପାଇଁ ପ୍ରେମ ଥିଲା ବିବାହର ମାନ୍ୟତା I ଉଭୟଙ୍କ ପ୍ରେମ ପୂର୍ଣ୍ଣ ହେବା ଆଗରୁ ସମୟ ବୋଧେ କିଛି ଭିନ୍ନ ରାସ୍ତା ବାଛିଥିଲା I


ହଟାତ ସେ ସମୟ ଆସି ପହଁଚିଲା ଯାହା କେବେ କେହି ପସନ୍ଦ କରନ୍ତିନି I ଚିତ୍ରଲେଖା ପରିବାର ପ୍ରେମର ପରିଭାଷା ବୁଝିବାକୁ ନାରାଜ ଥିଲେ I ବହୁ ତିକ୍ତତା ଆସୁଥିଲା, ଚିତ୍ରଲେଖାର ଭଲ ପାଇବାକୁ ଶୁଣିବା ପରେ I ଆକାଶ ବି ଗୋଟେ ନିମ୍ନ ପରିବାର ଭିତରେ ବଞ୍ଚି ଆସିଛି, ଏତେ ଆସା ଆକାଂକ୍ଷାର ସ୍ବପ୍ନ କେବେ ଦେଖିନାହିଁ I ଚିତ୍ରଲେଖାକୁ ନେଇ ସ୍ବପ୍ନ ଦେଖିଛି ସତ, କିନ୍ତୁ ସେ ସ୍ବପ୍ନ ଏକ ଦୂର ଆକାଶର ଜହ୍ନ ପରି ଭଲସେ ଜାଣି ଅନୁଭବ କରିଛି I ଚିତ୍ରଲେଖା ଏସବୁ ବିଷୟରେ ଆଗରୁ ଆକାଶକୁ ଅବଗତ କରେଇଛି ବହୁ ବାର I ଆକାଶ ସବୁ ଜାଣି ଚୁପ ରହୁଥିଲା, ଜାଣିଥିଲା ଯଦି ଜିଦ କରି ବସିବ ତେବେ ପ୍ରେମକୁ ଜୀବନସାରା ହର

େଇ ବସିବ I ମନେ ମନେ ଭାବୁଥାଏ, ସମୟ ଆସିଲେ ସବୁ ଠିକ ହେଇଯିବ I 

ହଁ ସେ ସମୟ ଆସି ସାରିଥିଲା, ଚିତ୍ରଲେଖାର ବିବାହ ବହୁ ନିକଟ ହେଇ ଆସୁଥିଲା I ପରିବାର ଲୋକେ ଏକ ସରକାରୀ ଚାକରି କରୁଥିବା ଏବଂ ସମାନ ଅଭିଜାତ୍ୟ ପରିବାର ସହ ବିବାହ ପ୍ରସ୍ତାବ ଖୋଜି ଆଣିଥିଲେ I ଚିତ୍ରଲେଖା ବି କଣ ଆଉ କରି ପାରିବ, ଜଣେ ଝିଅ ହେଇ ଚାରିକାନ୍ଥ ଘରେ ରହି କାହାକୁ କେମିତି ବୁଝେଇ ପାରିବ I ଯିଏ ପ୍ରେମକୁ ନେଇ ବଞ୍ଚିଛି କିମ୍ବା ପ୍ରେମକୁ ଅନୁଭବ କରିଛି ସେ ହିଁ ପ୍ରେମର ସଂଜ୍ଞା କଣ ବୁଝି ପାରିବ, ହେଲେ ତା ପରିବାର ତ ପ୍ରେମକୁ କେବେ ବୁଝିବାକୁ ପ୍ରୟାସ ହିଁ କରି ନାହାନ୍ତି I 


ଗୀତା ଏବେ ଭୁବନେଶ୍ୱର ରେ ରହୁଛି, କେଉଁ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରି ସରକାର ଚାକିରୀ ପାଇଁ ପ୍ରୟାସ କରୁଛି I ଚିତ୍ରଲେଖା ର ବାହାଘର ଖବର ପାଇ ଖୁସିରେ ଉଲ୍ଲସିତ ଥିଲା ସେଦିନ I ଆକାଶକୁ ନେଇ ବାହାଘରରେ ପହଂଚିବାକୁ ଚିତ୍ରଲେଖାକୁ ଖବର ଜଣେଇଲା I


ଆକାଶର ଛାତି ତଳେ କେତେଯେ କୁହ ବୋଧେ ଆଖି ଦେଖି ଜାଣିହେବ I ତା’ ପାଇଁ ପ୍ରେମ ଥିଲା; ଅପହଞ୍ଚ ଇଲାକାର ଏକ ଭଗ୍ନ ମାଟିଘର I ଯେଉଁଠି ସେ ଦିନେ ସ୍ବପ୍ନ ଦେଖିଥିଲା, ପ୍ରେମର ପବିତ୍ର ପାପକୁ ରାଜଧାନୀର ରାଜ ରାସ୍ତାରେ ଏକ ବିଫଳ ପ୍ରେମିକ ଭଳି ଠିଆ ହେଇଥାଏ ଆକାଶ I ଲକ୍ଷ୍ୟହୀନ ରାସ୍ତାର ପଥଭ୍ରଷ୍ଟ ବାଟୋଇ ସେ ଆଜି I ଅହରହ ଖୋଜିବୁଲେ ସେ ପ୍ରେମର ଠିକଣା I ସେ ରାସ୍ତାରେ ଏମିତି ଅନେକ ବାଟୋଇ ଅଛନ୍ତି, ସମସ୍ତେ ନିଜ ନିଜ ଠିକଣା ହଜେଇ ଖୋଜିବୁଲନ୍ତି ନିଜ ପ୍ରଥମ ପ୍ରେମକୁ I ଆଉ ଯିଏବି ବାଟୋଇର ହାତ ଧରି ଦିଏ, ସେ ପୁଣି ନୂଆ ଏକ ସାଥି ହେଇଯାଏ I


ଗୀତା ଆସି ପହଁଚିଲା ଚିତ୍ରଲେଖା ବାହାଘରରେ I ଖୁସିରେ ନାଚୁଥିଲା ବାହାଘର ମଣ୍ଡପ, କିନ୍ତୁ ସେ ଖୁସି ଗହଳିରେ ଚିତ୍ରଲେଖା ଆଖିରୁ ଗଡ଼ିଥିଲା କିଛି ଟୋପା ଲୁହ I ସେ ଲୁହ ଆନନ୍ଦର କିମ୍ବା ବିଚ୍ଛେଦର ଜାଣିବା ଟିକେ କଷ୍ଟ ଥିଲା ଗୀତା ପାଇଁ I କିନ୍ତୁ ଯିଏ ସାଙ୍ଗ ହେଇ ତା' ଜୀବନକୁ ବୁଝିଥିଲା, ସେ କେମିତି ଏହି ଲୁହକୁ ନ ବୁଝିବ I କିଛି କ୍ଷଣରେ ପଢିନେଲା ଲୁହର ଗଭୀରତାକୁ I ବାରିନେଲା ଚିତ୍ରଲେଖାର ହୃଦୟରେ ଭାସୁଥିବା ପ୍ରେମର ବାସ୍ନାକୁ I


ସେଦିନ ସେ ଲୁହ କେବଳ ଚିତ୍ରଲେଖାର ଆଖିରେ ବୋହିନଥିଲା, ସେ ଲୁହ ଗୀତା ଆଖିରେ ବି ବୋହିଥିଲା, ଇର୍ଷାର ବର୍ଷାରେ I ସେ ଲୁହ ବୋହିଥିଲା ଆକାଶ ଆଖିରେ ପ୍ରତାରଣାର ଜ୍ୱାଳାରେ I ସମସ୍ତେ ଝରୁଥିଲେ ଆପଣାର ସ୍ୱାର୍ଥ ନେଇ I ଲୁହକୁ ଲୁଚେଇ, ଲୁଚି ଯାଇଥିଲେ ବିବାହ ସମାରୋହରେ I   

 

ଗୀତା ସବୁ କିଛି ଅବଗତ ହେଇଥିଲା ଆକାଶ ପାଖରୁ I ପ୍ରେମ କେମିତି ଆଭିଜାତ୍ୟର ବଜାର ଭିତରେ ବନ୍ଧା ପଡ଼େ, ସବୁ ବୁଝି ସାରିଥିଲା I ପ୍ରେମ ପାଇଁ ହୃଦୟ ନୁହଁ, ପ୍ରେମ ଏକ ଉଚ୍ଚ ଅଟ୍ଟାଳିକାର ପରିଚୟ ବୋଲି ଜାଣି ସାରିଥିଲା I ଚିତ୍ରଲେଖା ଭଳି ସେ ମଧ୍ୟ ଜାଣିଥିଲା ପ୍ରେମରେ ବିଫଳତାର ପରିଣାମ I ସେଥିପାଇଁ ସେ ବି ଜାଣତରେ ଆକାଶକୁ ଏକ ଉତ୍ତମ ବନ୍ଧୁ ଭାବେ ଗ୍ରହଣ କରିଥିଲା I ପ୍ରେମ ତ କାହା ସହ ବି ହେଇ ପରେ I ପ୍ରେମ ଦେଖେନି ବ୍ୟାଙ୍କ ବାଲାନ୍ସ, ପ୍ରେମ ବୁଝେନି ଧନୀ କି ଗରିବ I ପ୍ରେମ କେବଳ ହୃଦୟକୁ ଚିହ୍ନି ପରେ I ଚିତ୍ରଲେଖା ବିବାହର ମାତ୍ର ଏକ ବର୍ଷ ବ୍ୟବଧାନରେ ଗୀତା ବି ବାହା ହେଇଗଲା I ଦୁଇ ସାଙ୍ଗ ଏବେ ରହୁଛନ୍ତି ନିଜ ନିଜ ଭାଗ୍ୟର ମହଲରେ I କିନ୍ତୁ ଆକାଶ ଏକା ଏକା ବଞ୍ଚୁଛି, ସମୟର ନିର୍ଯାତନା ସହରରେ I ଦିଲ୍ଲୀର ଘୋ ଘା ଟ୍ରାଫିକର ସହରରେ ଏକା ଏକା ଅଣନିଶ୍ୱାସୀ ହେଇ ଯାଇଛି I ପିଲା ଦିନରୁ ସ୍ବପ୍ନ ଥିଲା, ସମସ୍ତଙ୍କ ପରି ସେ ବି ଦିନେ ଖ୍ୟାତି ଅର୍ଜନ କରିବ, ଯାହା ଏବେ ଅଧିକାଂଶରେ ପୂରଣ ହେଇଛି I ଏବେ ଉଚ୍ଚ ଦରମାରେ ଏକ MNC କମ୍ପାନୀରେ ଚାକିରୀ କରୁଛି I 


ସବୁଦିନ ପରି ସେଦିନ ବି ଅଫିସରୁ ଘରକୁ ଫେରୁଥାଏ ଆକାଶ I ଟ୍ରାଫିକର ନାଲି ବତୀ ଆଗରେ ନିଜ ଗାଡ଼ି ବନ୍ଦ କରି ବଦଳୁଥିବା ଟ୍ରାଫିକର ରଙ୍ଗକୁ ଦେଖୁଥାଏ I କିଛି ସମୟରେ ଟ୍ରାଫିକର ସିଗନାଲ ବଦଳିଲା, ତା' ସହ ବଦଳିଲା ଜୀବନର ରଙ୍ଗ I ପାଖରେ ଥିବା CAR ଭିତରେ ବସିଥିବା ସେ ସୁନ୍ଦରୀକୁ ଦେଖି ଚିହ୍ନି ନେଇଥିଲା I CAR ଭିତରୁ ଭାସି ଆସୁଥିବା ନିଜ ପ୍ରେମର ମହକକୁ ବାରି ପାରୁଥିଲା I 


ଚିତ୍ରଲେଖା ଜୀବନର ରଙ୍ଗ ବି ବଦଳି ଯାଇଥିଲା ବିବାହର କିଛି ଦିନ ପରେ I ସ୍ୱାମୀ ଥିଲେ ସରକାରୀ ଚାକିରିଆ, ସବୁଦିନ ଅଫିସରୁ ଘରକୁ ଫେରି ନିଜ କାମରେ ବ୍ୟସ୍ତ ରୁହନ୍ତି I ତାଙ୍କ ପାଇଁ ଧନ ସମ୍ପତ୍ତି ହିଁ ଜୀବନର ସବୁ କିଛି ଥିଲା I ନିଜ ସମ୍ପତ୍ତିର ହିସାବ ଭିତରେ ପ୍ରେମର ହିସାବ କରିବାକୁ ସେ ଭୁଲି ଯାଅନ୍ତି I ଏମିତି ପ୍ରାୟ ସବୁଦିନ ହୁଏ, ନିଜ ଅଫିସ ଆଉ ନିଜ ବ୍ୟକ୍ତିଗତ କାମ ଭିତରେ ଚିତ୍ରଲେଖାର ବୈବାହିକ ଜୀବନ ଜଳାଞ୍ଜଳି ପଡ଼ିଯାଏ I ତଥାପି ସ୍ୱାମୀ ପ୍ରତି କେବେ ଆଦର କମି ନାହିଁ I ଏଥର ଚଞ୍ଚଳ ସମୟରୁ କିଛି ସମୟ ନିଜ ପାଇଁ ଆଣିଛନ୍ତି I ତାଜମହଲ ଦେଖିବାକୁ ସମୟ ନେଇ ଆସି ପହଁଞ୍ଚିଛନ୍ତି ଦିଲ୍ଲୀରେ I 


"ପ୍ରେମର ପ୍ରତୀକ, ତାଜମହଲ" ଦେଖିବାକୁ ଅତି ସୁନ୍ଦର I ମିଛ ଦୁନିଆରେ, କିଏ ପ୍ରେମ ପାଇଁ ତାଜମହଲ ଗଢେ, ଆଉ କିଏ ସଙ୍ଘର୍ଷର ପ୍ରତୀକରେ; ଜୀବନକୁ ଗଢ଼ି ଦିଏ I ଚିତ୍ରଲେଖା ତାଜମହଲ ଦେଖିବାକୁ ବାହାରୁଥାଏ, ସ୍ୱାମୀ କିନ୍ତୁ ନିଜ ଅଭ୍ୟାସ ମୁତାବକ ବ୍ୟସ୍ତ ରୁହନ୍ତି ଅଫିସ କାମରେ I ଛୁଟ୍ଟୀ ନେଇ ଟିକେ ଶାନ୍ତିରେ ଜୀବନ କାଟିବା ବିପରୀତେ ନିଜ ଅନାଆବଶ୍ୟକ ଖର୍ଚ୍ଚକୁ ଯୋଡନ୍ତି ରଫ ଖାତାରେ I


 ଗ୍ରୀଷ୍ମ ସକାଳର, ଅମାନିଆ ଝଡ଼ ଆଜି ନିଜ ଅଳସ ଭାଙ୍ଗୁଥାଏ ରାଜଧାନୀର ରାଜ ପଥରେ I ଚିତ୍ରଲେଖା ବାରମ୍ବାର ସଜେଇ ହେଇ ଆଇନାକୁ ଦେଖୁଥାଏ I କିନ୍ତୁ ସେ ଆଇନା ଏଥର କଥା ହୁଏ, "ସ୍ୱାମୀ ପ୍ରେମରେ ତୁ ଆଉ ସୁନ୍ଦରୀ ହେଇ ନାହୁଁ, ଦେଖି ଦେ ତ ସୁନ୍ଦରୀ ଚେହେରା ମୋ ଆଇନାରେ, ଦେଖ ତ ଅତୀତକୁ, ଦେଖ ତ ସ୍ମୃତିକୁ" I ମନ ଭିତରେ ଏମିତି କିଛି ଶବ୍ଦ ତରଙ୍ଗାୟତ ହୁଏ, ଆଇନାରେ ନିଜ ଅତୀତକୁ ଦେଖିବାକୁ ଚେଷ୍ଟା କରେ I ପାଞ୍ଚ ବର୍ଷ ତଳର କଥା ହଟାତ ମନେ ପଡ଼େ।......... ଟିକେ ପୁରୁଣା ହେଲେବି ମନରୁ କେବେବି ପୋଛିଦେଇନାହିଁ I ଏହି ଭିତରେ ଅନେକ ଋତୁର ପରିବର୍ତ୍ତନ ହେଇଛି, ଅନେକ ଶ୍ରାବଣ ପ୍ରେମିକା ଛାତିରେ କୋହ ଭରିଛି, କିନ୍ତୁ ସେ ସ୍ମୃତି ଏବେବି ବଞ୍ଚିଛି I 


ଟ୍ରାଫିକର ସେଇ ସିଗନାଲରେ ଚିତ୍ରଲେଖା ବି ଦେଖିଥିଲା ନିଜ ଅତୀତକୁ, ଦେଖିଥିଲା ଆକାଶକୁ I କେହି କିଛି କହିବା ଆଗରୁ ଉଭୟଙ୍କ ଗାଡ଼ି ଆଗେଇ ଯାଇଥିଲା I ଏବେ ବି ସେ ଅତୀତ ବୋଧେ ଖୋଜୁଥିଲା ପ୍ରେମକୁ, ସେ ଖୋଜୁଥିଲା ଧରିଥିବା ହାତକୁ I

 


Rate this content
Log in

Similar oriya story from Abstract