STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Tragedy

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Tragedy

ଶ୍ରେଷ୍ଠ ବିବାହ ଉପହାର

ଶ୍ରେଷ୍ଠ ବିବାହ ଉପହାର

1 min
139

ଆମ ବିବାହ ବେଳେ ମୋତେ ମିଳିଥିବା ଅନେକ ଉପହାର ମଧ୍ୟରୁ ମୋ ପତ୍ନୀ ସଂଚିତା ଭାଷାରେ ସର୍ବ ଶ୍ରେଷ୍ଠ ଉପହାର ମୋ ଗଳାରେ ଶୋଭା ପାଉଥିବା ହୀରା ଲକେଟଯୁକ୍ତ ସୁନା ଚେନଟି ଯେଉଁ ଦିନ ନେଇଗଲେ ଦୁର୍ବୃତ୍ତମାନେ ଦିଲ୍ଲୀ ଉଦ୍ଦେଶ୍ୟରେ ମୋର ଏକ ଟ୍ରେନ ଯାତ୍ରା ଭିତରେ; ମୁଁ ଵିଶେଷ ମର୍ମାହତ ହୋଇ ନ ଥିଲି।ମାତ୍ର ସଂଚିତା ଆଘାତ ପାଇ ଥିଲା ବେଶୀ।ଆଶ୍ବାସମୟ ସ୍ୱରରେ କହିଥିଲା,"ମୋ ରାଣ, ପ୍ଲିଜ ତୁମେ ମନ କଷ୍ଟ କରନି।ଏଥର ଘରକୁ ଗଲେ ବାପାଙ୍କୁ କହିବି,ସେ ପୁଣି ସେମିତିକା ଚେନଟେ ଗଢ଼େଇ ତୁମକୁ ଦେବେ।"

ମୁଁ ବିରକ୍ତି ପ୍ରକାଶ କରିଥିଲି-"ତୁମେ ତ ଅଛ।ଚେନଟି କଣ ବେଶୀ ମୂଲ୍ୟବାନ ଥିଲା ତୁମ ଠାରୁ?"

ସଂଚିତା ହୁଏତ ମୋର କଥା ବୁଝି ପାରି ନଥିଲା।ଖାଲି ବଲ ବଲ କରି ଚାହିଁ ଥିଲା ମୋ ମୁହଁକୁ।

ଏହାର କିଛି ଦିନ ପରେ ଯେବେ ମସ୍ତିଷ୍କ ଜ୍ବରରେ ଆର ପାରିକୁ ଚାଲିଗଲା ସଂଚିତା ମୋତେ ଏକା କରି ଦେଇ,ପୃଥିବୀଟା ମୋତେ ଅନ୍ଧାର ଦିଶିଲା।ସବୁଠାରୁ ମୂଲ୍ୟବାନ ସମ୍ପଦକୁ ହରେଇ ଥିବାର ଦୁଃଖରେ ଭାଙ୍ଗି ପଡ଼ିଥିଲି ମୁଁ।

ବିବାହ ବେଳେ ସଂଚିତାଙ୍କ ଘର ତରଫରୁ ଅନେକ ଉପହାର ପାଇଥିଲି ମୁଁ, ନିଜେ ସଂଚିତା ସମେତ।ମୋ ଜାଣିବାରେ ସର୍ବଶ୍ରେଷ୍ଠ ଉପହାର ହିଁ ଥିଲା ସଂଚିତା, ମୋର ପରଲୋକଗତା ବାକଦତ୍ତା।ଆଜି ବି ଅନେକ ବିବାହ ଉପହାର ଅଛି ମୋ ପାଖରେ।ମାତ୍ର ସେ ସବୁ ନିର୍ଜୀବ।

ମନେପଡ଼ିଲା ମୋର ଚେନ ହରେଇ ଥିବା ବେଳର କଥା।ସେଦିନ ସଂଚିତା କହିଥିଲା,"ମୋ ରାଣ,ପ୍ଲିଜ ତୁମେ ମନ କଷ୍ଟ କରନି।ଏଥର ଘରକୁ ଗଲେ....।"

ସେତେବେଳେ ହରେଇ ଥିଲି ସାମାନ୍ୟ ଚେନଟିଏ।ଆଉ ଏବେ ହରେଇଚି ସଂଚିତାଙ୍କୁ,ମୋର ସର୍ବଶ୍ରେଷ୍ଠ ବିବାହ ଉପହାରଟିକୁ।ଅବଶିଷ୍ଟ ନିର୍ଜୀବ ଉପହାରଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ଉପହାର ଯଦି ଜୀବନ୍ୟାସ ପାଇ କହନ୍ତା ଏବେ ମୋତେ,"ପ୍ଲିଜ... ଆଦୌ ମନ କଷ୍ଟ କରନି ତୁମେ।ଏଇନେ ଈଶ୍ୱରଙ୍କୁ କହିବି,ସେ ଫେରାଇଦେବେ ତୁମ ପ୍ରାଣର ସଂଚିତାଙ୍କୁ।"

ହେଲେ ସେମିତି କିଛି ହେବାର ନ ଥିଲା।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy