The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

ଅପରାଜିତା

ଅପରାଜିତା

3 mins
12K


ମୋ କଥାରେ ପିଲାଟା ଏତେ ଆଘାତ ପାଇବ ବୋଲି ଜାଣି ଥିଲେ, ମୁଁ ହୁଏତ କହି ନ ଥାନ୍ତି ସେ କଥାଟା!

ମୁଁ ଆଉ କଣ ଏମିତି ମାର ହାଣ କଥାଟିଏ କହି ପକେଇଚି କି? ଯାହା କହିଛି, ଠିକ କହିଛି। କାଣିଚାଏ ବି ଭୁଲ ନାହିଁ। ତାର ହିତ ପାଇଁ ହିଁ ମୁଁ କହିଛି ସେତକ।

ବଡ଼ ପୁଅ ପିଣ୍ଟୁର ଦେହ ଗତ ସାତ ଆଠ ଦିନ ଧରି ଭଲ ରହୁ ନଥିଲା। ସମସ୍ତ ସ୍ୱାଭାବିକ ଚିକିତ୍ସା ସତ୍ତ୍ୱେ ଜ୍ଵର ଓହ୍ଲାଉ ନ ଥିଲା ତା ଦେହରୁ। ମୁଁ ଖୁବ ମନସ୍ତାପରେ ଥିଲି। ତା ବୋଉ ବି ଭାଙ୍ଗି ପଡ଼ିଥଲା ଦୁଃଖରେ। ଅଖିଆ ଅପିଆ ଜଗି ବସୁଥିଲା ପୁଅର ଶେଯ ପାଖରେ। ପିଣ୍ଟୁର କପାଳରେ ଜଳପଟି ଦେଉଥିଲା। ଔଷଧ ଖୁଆଇ ଦେଉଥିଲା ସମୟ ଦେଖି।

ମାତ୍ର ମୁଁ ବୁଝି ପାରି ନ ଥିଲି, ଦୁଇ ଦିନ ପରେ ସେ ଝିଅଟି କାହିଁକି ନିୟମିତ ନର୍ସିଂହୋମ ଆସିବାରେ ଲାଗିଲା ଓ ଜଣେ ହିତାକାଂକ୍ଷୀ ଭଳି ପିଣ୍ଟୁର ଦେହ ପା କଥା ପଚାରି ବୁଝୁଥିଲା ସବିତାଙ୍କ ଠାରୁ। ପିଣ୍ଟୁ ତ ଆଖି ଖୋଲୁ ନ ଥିଲା ଜମା। ନହେଲେ ହୁଏତ ସେ ପିଣ୍ଟୁ ସହ କଥା ହୁଅନ୍ତା। ମୁଁ ମୂଳରୁ କଥା ହୋଇ ନ ଥିଲି ତା ସହ। ଏମିତି କି ସୌଜନ୍ୟ ଦୃଷ୍ଟିରୁ ତାର ପରିଚୟ ମଧ୍ୟ ପଚାରି ନଥିଲି ତାକୁ। ଅଥଚ ସବୁଥର ସେ ଆଗ ଆସି ମୋତେ ନମସ୍କାର କରୁଥିଲା ଓ ପରେ ପରେ ସବିତାଙ୍କୁ ବି।

ସବିତାଙ୍କ ଠାରୁ ଜାଣିଲି, ସେ ଝିଅଟି ପିଣ୍ଟୁର ସହପାଠୀନୀ। ପିଣ୍ଟୁ ସହ ସେ ବି ପଢୁଛି ଡିଏଭିରେ,ଷ୍ଟାଣ୍ଡାର୍ଡ ନାଇନରେ।

କଣ ତା ନାଁ କହୁଥିଲେ ସବିତା......! ନା, ମୁଁ ଭୁଲି ଯାଇଛି। ତେବେ ମୁଁ ଆଶ୍ଚର୍ଯ୍ୟ ହେଉଥିଲି କ୍ରମାଗତ ଭାବେ ସେ କାହିଁକି ଆସିବାରେ ଲାଗିଥିଲା ପିଣ୍ଟୁ ପାଖକୁ। ବନ୍ଧୁତାର ସୌଜନ୍ୟ ଦେଖାଇ ଜଣେ ଅତି ବେଶୀରେ ଥରେ କି ଦି ଥର ଆସି ପାରେ। ମାତ୍ର ଏମିତି କିଏ ଆସିବ ନିତି ଦିନ? ମୋ ଭିତରେ ଘୁଣ ପୋକଟେ କେଉଁଠି କାଟି ଚାଲି ଥିଲା। ସନ୍ଦେହ ର ସରହଦ ଟପି ବାସ୍ତବତାକୁ ହୃଦବୋଧ କରିବାର ଧୈର୍ଯ୍ୟ ମୁଁ ହରେଇ ବସିଥିଲି ପୁରାପୁରି।

ସେଦିନ ହିଁ ମୁଁ ପ୍ରକାଶ କରିଦେଲି ମୋର ପୁଞ୍ଜିଭୂତ ପ୍ରତିକ୍ରିୟା। ସବୁଦିନ ପରି ଝିଅଟି ଆସି ମୋତେ ନମସ୍କାର କରିବା ମାତ୍ରେ ମୁଁ କହିଲି ସିଧା ସିଧା-"ପିଣ୍ଟୁ ପାଖରେ ତୁମର କଣ କାମ ଅଛି? ଦେଖୁଛ ତ ତା ଦେହ ଭଲ ନାହିଁ। ଏମିତି ସବୁଦିନ ତୁମର ଆସିବା କଣ ଦରକାର? ଆଜି ଆସିଛ ଯେତେବେଳେ, ତାକୁ ଦେଖିଯାଅ। ମାତ୍ର ଆଉ କେବେ ଆସିବନି ଏଠିକି।"

ଝିଅଟି ତଳକୁ ପୋତି ଦେଇଥିଲା ତାର ମୁହଁ। କାନ୍ଦୁଥିଲା କି କଣ-ଠିକ ମୁଁ ଠଉରାଇ ପାରୁ ନଥିଲି। ତାର ଭାବାନ୍ତରକୁ ବୁଝିବାର ମାନସିକତା ହୁଏତ ମୋର ନ ଥିଲା। ପରେ ପରେ ସେ ନର୍ସିଂହୋମ ଭିତରକୁ ପଶିଗଲା ମୋ ଆଡ଼କୁ ଦୃଷ୍ଟି ନ ଫେରାଇ।

ସନ୍ଧ୍ୟା ବେଳକୁ ମୁଁ ଏସବୁ କଥା ସବିତାଙ୍କୁ କହିଲା ବେଳେ ସେ ମୋତେ ଭୁଲ ବୁଝିଲେ। ବିରକ୍ତି ପ୍ରକାଶ କରି କହିଲେ-"କାହିଁକି ସେମିତି ତାକୁ କହିଲ? ଭାରି ଭଲ ଝିଅଟିଏ ସେ। ବିଚାରି କେତେ ମନ କଷ୍ଟ କରିଥିବ, ଥରେ ଚିନ୍ତା କଲ। ସେଇଥିପାଇଁ ବୋଧେ ଏଠୁ ଆଜି ଗଲା ବେଳେ ତା ମୁହଁ ଥମ ଥମ ଦିଶୁଥିଲା।"

ମୁଁ ସବିତାଙ୍କୁ ବୁଝେଇବାକୁ ଚେଷ୍ଟା କଲି-"ଏତେ କମ ବୟସରୁ ଏମିତି ଭାବପ୍ରବଣତା ଭଲ ନୁହେଁ। ଆମେ ବାପା ମାଆ ହୋଇ ଜାଣି ଶୁଣି ସେମାନଙ୍କୁ ପ୍ରଶ୍ରୟ ଦେବା କେମିତି? ବିଶେଷତଃ ପିଣ୍ଟୁ ଆମର ବଡ଼ ପୁଅ। ତାର ଗୋଟିଏ ଉଜ୍ଜ୍ୱଳ ଭବିଷ୍ୟତ ଅଛି। ଆମେ ଏମିତି ଅପରିଣାମଦର୍ଶୀ ହେଲେ କେମିତି ହେବ?"

ସବିତା କିନ୍ତୁ ମାନିବାକୁ ପ୍ରସ୍ତୁତ ନ ଥିଲେ ମୋ କଥା। ସେଇ ଝିଅଟିର ପକ୍ଷ ନେଇ ଓକିଲାତି କରୁଥିଲେ ମୋ ପାଖରେ।

ମୋ କଥା ଯେ ଝିଅଟିର କଅଁଳ ମନରେ ଗହୀର କ୍ଷତଟେ ଆଙ୍କି ଦେଇଚି, ଏକଥା ଭାବି ମୁଁ ବିମର୍ଷ ହୋଇ ପଡୁଥିଲି ବେଳୁବେଳ।

ପିଣ୍ଟୁର ଅବସ୍ଥାରେ ବିଶେଷ କିଛି ଉନ୍ନତି ଘଟୁ ନ ଥିଲା। ୟୁସନଫିଲିଆ ଖୁବ ବଢି ଯାଇ ଥିଲା। ଅବଶ୍ୟ ଏବେ ଆଉ ଅଚେତ ହୋଇ ସାରା ଦିନ ଶୋଇ ରହୁ ନଥିଲା ସେ। ମଝିରେ ମଝିରେ ଉଠି ବସୁ ଥିଲା ଓ ତା ବୋଉ ସହ କଣ ଏଣୁ ତେଣୁ ଗପୁ ଥିଲା। ତାର କଅଁଳ ଗୋରା ମୁହଁଟା ଶୁଖିଯାଇ କଳା କାଠ ପଡ଼ି ଯାଇଥିଲା। ଖୁବ ଦୁର୍ବଳ ହୋଇ ପଡ଼ିଥିଲା ସେ।

ତିନି ଦିନ ହେବ ସେଇ ଝିଅଟି ଆଉ ଆସି ନ ଥିଲା। ପ୍ରକାରାନ୍ତରେ ମୁଁ କିନ୍ତୁ ଖୁସି ହୋଇ ପାରୁ ନ ଥିଲି ଆଦୌ। ଅନ୍ତକରଣରେ ମୁଁ ବୋଧେ ଚାହୁଁଥିଲି ତାର ଆସିବା।


ପିଣ୍ଟୁ ପାଇଁ ଔଷଧ କିଣିବା ଲାଗି ଆସିଲା ବେଳକୁ ବାହାରେ ପ୍ରତୀକ୍ଷାମାଣା ସେଇ ଝିଅଟି। ମୁଁ ସ୍ତମ୍ଭୀଭୂତ ହୋଇ ପଡ଼ିଲି ତାକୁ ଦେଖି। କିଛିଟା ଅପ୍ରସ୍ତୁତ ବି। ମୋତେ ଦେଖି ସେ ତଳକୁ ମୁହଁ ପୋତି ଦେଲା। ନିଜ ପାଦ ଉପରେ ନିବଦ୍ଧ ରହିଲା ତାର ଦୃଷ୍ଟି। ମୁଁ ତା ପାଖକୁ ଗଲି ଓ ଧୀର ଗଳାରେ ତାକୁ ପଚାରିଲି,"ଭିତରକୁ ନ ଯାଇ ଏଠି ଛିଡ଼ା ହୋଇଛୁ ଯେ ମାଆ?"

ସେ ବୋଧେ ଆଶ୍ଚର୍ଯ୍ୟ ହେଲା ମୋ ସ୍ୱରର ଅନ୍ତରଙ୍ଗତାରେ। ମୋ ଆଡ଼େ ଥରୁଟିଏ ଚାହିଁ ସେ ପଚାରିଲା,"ପିଣ୍ଟୁ କେମିତି ଅଛି, ଅଙ୍କଲ? କାଲି ରାତିରେ ମୁଁ ତାକୁ ସ୍ୱପ୍ନରେ ଦେଖିଲି। ସେ ଭଲ ହୋଇ ଯାଇଥିଲା ଓ କ୍ଲାସରେ ମ୍ୟାଡାମଙ୍କ ପ୍ରଶ୍ନର ଉତ୍ତର ଦେଉଥିଲା।"

ଏତେବେଳେ ଝିଅଟିର ଭାବପ୍ରବଣତା ମୋତେ କ୍ଷୁବ୍ଧ କଲା। ହେଲେ ମୁଁ ମୋର ପ୍ରତିକ୍ରିୟା ପ୍ରକାଶ କଲି ନାହିଁ ଏତେ ଶୀଘ୍ର।

ନର୍ସିଂହୋମ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ତାକୁ ଭିତରକୁ ଯିବାକୁ ଇସାରା ଦେଲି ମୁଁ। ମାତ୍ର ତା ଭଲ ପାଇବାର ମୂଲ୍ୟ ଦେବା ଲାଗି ଗୋଟିଏ ବି ଶବ୍ଦ ନ ଥିଲା ମୋ ଓଠରେ। ମୁଁ ବୋଧେ ମୂକ ପାଲଟି ଯାଇଥିଲି ଏତେ ବେଳକୁ!


Rate this content
Log in