ସର୍ତ୍ତ
ସର୍ତ୍ତ


ସର୍ତ୍ତ ତାହା ହିଁ ଥିଲା:ତୁ ତୁ ହୋଇ ରହିବୁ।ମୁଁ ମୁଁ ହୋଇ ରହିବି।ଯିଏ ଯେମିତି ଅଛି ସେମିତି ଆମେ ଗ୍ରହଣ କରିନେବା ପରସ୍ପରକୁ।ଏକଦମ ନିଃସର୍ତ୍ତ ଭାବରେ।
ଦେଖୁ ଦେଖୁ କିନ୍ତୁ ବଦଳି ଗଲା ବହୁତ କିଛି।ଯେମିତି ବଦଳେ ସମୟ।ବଦଳି ଗଲା ଆମ ଚାରି ପାଖର ପୃଥିବୀ।ଏବଂ ଶେଷରେ ବଦଳି ଗଲା ଆମର ସୁକୁମାର ମନ।ତୁ ତୁ ହୋଇ ରହିଲୁ ନାହିଁ।ମୁଁ ମୁଁ ହୋଇ ରହିଲି ନାହିଁ।ଦେଖୁ ଦେଖୁ ଅଲଗା ହୋଇଗଲା ଆମର ରାସ୍ତା।
ଏମିତି ତ ହେବାର ନଥିଲା, ନନ୍ଦିତା।କେଉଁଠୁ ଆସିଲା ଏତେ ସବୁ ସର୍ତ୍ତ;ଯାହା ପୋତି ପକେଇଲା ଆମର ପ୍ରଥମ ସର୍ତ୍ତକୁ।ଯେମିତି ବ୍ୟକ୍ତିଗତ ଅହମିକାରେ ପୋତି ହୋଇଗଲା ଆମର ପ୍ରେମ।
ଆଜି ଯେବେ ମନେ ପଡ଼େ, ନିଜେ ନିଜ ପାଖେ ଛୋଟ ହୋଇଯାଏ।ଭାବେ, ତୋର ସବୁତକ ସର୍ତ୍ତ ମାନିନେବାରେ କିଛି ଅସୁବିଧା ତ ନଥିଲା।
ତୋର କେବେ ଏସବୁ ମନେ ପଡ଼େ ନନ୍ଦିତା?