Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance Crime

4.2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance Crime

ସିନ୍ଦୁର

ସିନ୍ଦୁର

3 mins
24K


ଅଚାନକ ଆରମ୍ଭ ହୋଇଯାଇଥିଲା ବର୍ଷା । ଝିପି ଝିପି । ଯିଏ ଯୁଆଡ଼େ ଛତ୍ରଭଂଗ ଦେଲେ ଆଶ୍ରୟର ସନ୍ଧାନରେ । ମୁଁ ବି ଉଠି ଛିଡ଼ା ହେଲି-"ଚାଲ, ପାଖ ସେଡକୁ ପଳେଇବା । '

ତୁ କିନ୍ତୁ ଉଠୁ ନଥିଲୁ । ସେମିତି ସିମେଣ୍ଟ ବେଞ୍ଚରେ ବସି ରହି ପାପୁଲି ଦେଖେଇଥିଲୁ ବର୍ଷା ଆଡ଼େ ଓ ବିଭୋର ହେଉଥିଲୁ-"ଆଃ.... କି ସୁନ୍ଦର ଏଇ ବର୍ଷା । "

ମୁଁ ତୋତେ ସତର୍କ କରିବାକୁ ଚେଷ୍ଟା କଲି-"ଦେଖ,ଆମ ପାଖରେ ଛତା ନାହିଁ । ଏଣୁ ବର୍ଷାରେ ଭିଜିବା ଅଵଶ୍ୟମ୍ଭାବୀ । ଭଲ ହେବ, ବର୍ଷାର ବେଗ ବଢ଼ିବା ଆଗରୁ ଯଦି ଆମେ ନିଜ ପାଇଁ ନିରାପଦ ଜାଗା ଖୋଜିନେବା । "

ନା, ତୁ ଉଠୁ ନଥିଲୁ । ସେମିତି ଭିଜୁ ଥିଲୁ ବର୍ଷାରେ । ମୁଁ ବି । ନିଜେ ନ ଚାହିଁବାରେ । ତୁ ବର୍ଷାକୁ ଦେଖୁଥିଲୁ ଓ ଉଲ୍ଲସିତ ହୋଇ ଉଠୁଥିଲୁ । ଛୋଟ ଝିଅଟେ ପରି । ଲାଗୁଥିଲା ଯେମିତି ଜୀବନରେ ପ୍ରଥମ କରି ଦେଖୁଥିଲୁ ବର୍ଷାକୁ । ମୁଁ ବର୍ଷାକୁ ଦେଖୁ ନ ଥିଲି । ତୋତେ ହିଁ ଦେଖୁଥିଲି । ତୋର କପାଳରୁ ଚିବୁକ ଯାଏ ବହି ଯାଉଥିବା ବର୍ଷା ଜଳରେ ତୁ ଦିଶୁଥିଲୁ ଶୁଭ୍ର, ସତେଜ । ଝିପି ଝିପି ବର୍ଷାରେ ସତେ କେତେ ରୋମାଂଚ ନ ଥାଏ!

ହଠାତ ବର୍ଷାର ପ୍ରକୋପ ବଢ଼ିଲା । ଆକାଶରେ ବିଜୁଳି, ଘଡ଼ଘଡ଼ି । ପ୍ରକୃତିସ୍ଥ ହୋଇ ତୁ ଉଠି ପଡ଼ିଲୁ ଓ ମୋ ହାତକୁ ଜାବୁଡ଼ି ଧରିଲୁ, ତୋର ଦୁଇ ହାତ ମୁଠାରେ । ଆବେଗର ଅବା ଆଶଙ୍କାରେ । ଏଇ ବର୍ଷା ଏବେ ମନେହେଲା ବେଶୀ ବେଶୀ ରୋମାଞ୍ଚକର । ଆମେ ଦୁହେଁ ଆପାତତ ସମ୍ପୂର୍ଣ୍ଣ ଓଦା ହୋଇ ସାରିଥିଲେ । ତୁ ଥରୁଥିଲୁ ଗୋଟାପଣେ । ତୋର ଏଇ କମ୍ପନର ହେତୁ କଣ କେବଳ ଥିଲା ବର୍ଷା ନା ଆଉ କିଛି?

ତୋ ହାତ ମୁଠା ଭିତରେ ମୋ ହାତ । ତୋ ଆଖିରେ ମୋ ଆଖି । କେତୋଟି ମୁହୂର୍ତ୍ତ ବା କେତୋଟି ଯୁଗ ବିତି ଯାଇଥିଲା ୟା ଭିତରେ ।

ଅଚାନକ ପହଞ୍ଚି ଯାଇଥିଲେ ସେମାନେ-"ଶଳେ,ଏଠି ଲୀଳା ଲଗେଇଚ । "

ପ୍ରକୃତିସ୍ଥ ହୋଇ ଆମେ ଛିଡ଼ା ହୋଇ ଯାଇଥିଲେ ନିଜ ନିଜ ଜାଗାରେ । ପାର୍କ ଭିତରେ ମୃଦୁ କୋଳାହଳ । ଛତ୍ରଭଂଗ ଦେଇ ଧାଇଁ ପଳେଇ ଯାଉଛନ୍ତି ପୁଅ ଝିଅ ମାନେ । କେଇ ଜଣ ମଧ୍ୟ ବୟସ୍କ ଲୋକ ଗାଳି କରୁଛନ୍ତି ଆଶ୍ରାବ୍ୟ ଭାଷାରେ । କିଏ ଏମାନେ?ଆତଙ୍କବାଦୀ?

ଆମକୁ ଘେରି ଯାଇଥିଲେ ସେମାନେ । ଧାଇଁ ପଳେଇବାର କୌଣସି ଉଦ୍ୟମ ଆମେ କରି ନ ଥିଲେ । ସେମାନଙ୍କ ମଧ୍ୟରୁ ନିଶୁଆ ଲୋକ ଜଣେ କହିଲା-"ଶଳେ କଲେଜ ନଯାଇ ଏଠି ଧନ୍ଦା ଲଗେଇଚ!"

ତୁ ହିଁ ମୁହଁ ଖୋଲିଥିଲୁ ପ୍ରଥମେ-"ମୁହଁ ସମ୍ଭାଳି କଥା ବାର୍ତ୍ତା କରନ୍ତୁ । "

ଏତିକିରେ ଗର୍ଜି ଉଠିଲା ଆଉ ଜଣେ-"ଇଏ କଣ ତୋ ଘଇତା? ଏଠି ମୁହଁକୁ ମୁହଁ ଯୋଡ଼ି ପେରେମ ହେଉଛ!"

ମୁଁ ଆପାତତ ବୁଝେଇବା ଢଙ୍ଗରେ କହିଲି-"ଦେଖନ୍ତୁ, ଏଇଟା ଗୋଟିଏ ପାର୍କ!"

-"କଣ ହେଲା ସେଇଠୁ?ତୁମେ ଏ ଟୋକିକୁ ବାହା ହେଇଛ?ପାଠ ଶାଠ ଛାଡ଼ି ଏଠି ରାସ ଲୀଳା ଚଲେଇଛ । ତୁମରିମାନଙ୍କ ପାଇଁ ଦେଶର ଭବିଷ୍ୟତ ଅନ୍ଧକାର ପ୍ରାୟ । ଆଉ ଥରେ ଯଦି ଏଠିକି ଆସିଛ, ସିଧା ନେଇ ଜେଲରେ ପୁରେଇ ଦେବୁ । "

ଏମିତି ଚେତାବନୀ ପରେ ସେମାନେ ଆମକୁ ଛାଡ଼ି ଦେଇଥିଲେ ଅବଶ୍ୟ । କେଉଁ ଏକ ଧାର୍ମିକ ସଙ୍ଗଠନର କର୍ମୀ ଥିଲେ ସେମାନେ । ସର୍ବସାଧାରଣରେ ପ୍ରେମକୁ ସେମାନେ ବିରୋଧ କରୁଥିଲେ ଓ ପାର୍କମାନଙ୍କରେ ପଇଁତରା ମାରି ପ୍ରେମୀ ଯୁଗଳଙ୍କୁ ହଇରାଣ କରୁଥିଲେ ।

★ ★ ★ ★ ★ ★

ବେଶ କିଛି ବର୍ଷ ପରେ ଅମରାବତୀ ପାର୍କ । ମୁଁ କିନ୍ତୁ ଭିତରକୁ ଯିବାକୁ ଅମଙ୍ଗ ହେଲି । କେଇ ବର୍ଷ ତଳର ସେଇ ଲାଞ୍ଛନା ଆଜି ବି କଣ ଭୁଲି ପାରିଚି?

-'ଥାଉ, ଏଇଠୁ ବରଂ ଫେରିଯିବା । "ମୁଁ ପ୍ରସ୍ତାବ ଦେଲି ।

-"କାହିଁକି.... କାହାକୁ ଡର ଆଜି?"ତୁ ମୋତେ ସାହସ ଦେବାକୁ ଚେଷ୍ଟା କଲୁ ।

-"ଏ ଦେଶରେ ପ୍ରେମ ଏବେ ବି କଟକଣା ମୁକ୍ତ ନୁହେଁ । ପାର୍କ ଭିତରେ ଆଜି ଲାଞ୍ଛନାର ଆଉ ଏକ ଅଧ୍ୟାୟ ସୃଷ୍ଟି ହେବା ମୁଁ ଚାହେଁନା । "ମୋର ଦ୍ଵିଧା ଅନେକାଂଶରେ ଯୁକ୍ତିଯୁକ୍ତ ଥିଲା ।

ତୁ କିନ୍ତୁ ମାନିବାକୁ ପ୍ରସ୍ତୁତ ନ ଥିଲୁ-"ପ୍ଲିଜ, ମନା କରନି । କେତେ ବର୍ଷ ପରେ ଏ ସୁଯୋଗ ମିଳିଚି । ଜୀବନରେ ଆଉ କେବେ ଏ ସୁଯୋଗ ମିଳିବ କି ନାହିଁ ଜାଣେନା । ଥରେ ମାତ୍ର ପାର୍କ ଭିତରୁ ଯାଇ ଫେରି ଆସିବା । "

-"ତୋର ମନେ ଅଛି, କିଛି ବର୍ଷ ତଳେ ଏଇ ପାର୍କରେ କିଛି ଲୋକ ଆମକୁ ହଇରାଣ କରିଥିଲେ । "

-"ଖାଲି ଆମକୁ ନୁହେଁ, ସମସ୍ତ ଅବିବାହିତ ପ୍ରେମୀ ଯୁଗଳଙ୍କୁ ସେମାନେ ଟାର୍ଗେଟ କରୁଥିଲେ,....ତଥାକଥିତ ସଂସ୍କୃତି ରକ୍ଷା ନାଁରେ । ହେଲେ ଆଜି ତୁମର ଏତେ ଡର କାହିଁକି?ଆଜି ତ ମୋ ସୀମନ୍ତରେ ଅଛି ସିନ୍ଦୁର!"ତୁ ଯୁକ୍ତିରେ ଦୂର କରିବାକୁ ଚାହୁଁଥିଲୁ ମୋର ଦ୍ଵିଧା ।

-"ତୋ ସୀମନ୍ତର ଏଇ ସିନ୍ଦୁର କିନ୍ତୁ ମୋ ଲାଗି ନୁହେଁ!"ମୋ କଣ୍ଠ ରୁନ୍ଧି ହୋଇ ଆସୁଥିଲା ।


Rate this content
Log in

Similar oriya story from Romance