ଲେମ୍ବୁ ଗଛ
ଲେମ୍ବୁ ଗଛ
ଆଉ ପାରିବି ନାହିଁ !!
ଆଜ୍ଞା, କ୍ଷମା କର । ମୁଁ ଯଦି ମୋ କାଗଜ କଲମରୁ ଅଧା ବି ସାରିଦେବି ତଥାପି ଛିଡ଼ିବନି ଏ ହିସାବ । ଆଗରୁ ଶୁଣିଥିଲି ଏ ବାବଦରେ ତଥାପି ନିଜ ଉପରେ ଆଉ ନିଜ ଜ୍ଞାନ ଉପରେ ଯଥେଷ୍ଟ ଭରସା ଥିଲା କି ମୁଁ ଏ ବିବାଦ ତୁଟେଇ ଦେଇ ପାରିବି। ହେଲେ ମୋର ଚାଳିଶି ବର୍ଷର ଅଭିଜ୍ଞତା ବି ସଫଳତାର ସହ ବିଫଳ ହୋଇଛି । ଏତକ କହି ନିଜ ଥଳିରେ ସେ ମାପ-ଚୁପ ଯନ୍ତ୍ର ଗୁଡାକୁ ଭର୍ତ୍ତି କରିଦେଲେ ଅମିନ ମଉସା । ମଉସା ଯୋଉ ମାପ ଚୁପ କାମରେ ଯାଆନ୍ତି କେବେ ଅସଫଳ ହେଇ ଫେରନ୍ତିନି। ଏତକ ଶୁଣିବା ପରେ ହିଁ ଦାଦା ତାଙ୍କୁ ଆମ ଜାଗା ମାପିବାକୁ ଡାକିଥିଲେ, ଅଥଚ ସେ ବି ଫେରିଗଲେ !!
" ଗୋଟିଏ ବି ଟଙ୍କା ଦେବି ନାହିଁ ଯଦି ତୁମେ ଏ ବିବାଦ ନ ତୁଟେଇବ । ଦରକାର ପଡ଼ିଲେ ଅଦାଲତ ଯିବି, ବଡ଼ ବଡ଼ ଓକିଲ ଦେଖିବି ,ହେଲେ ହାର୍ ମାନିବି ନାହିଁ । ଯଦି ମୁଁ ମୁଣ୍ଡ ନୁଆଇଁ ଦେବି , ସ୍ଵର୍ଗରେ ଥିବା ମୋ ପିତୃ ପୁରୁଷ ତାଙ୍କ ଔରସରୁ ଏକ ନପୁଂସକ ଜାତ ହୋଇଛି ବୋଲି ମୋତେ ବହୁତ୍ ଧିକ୍କାର କରିବେ । ମୁଁ ସବୁ ଗ୍ରହଣ କରିପାରିବି ହେଲେ ମୋ ପୁରୁଷ ପଣିଆ ଉପରେ ପ୍ରଶ୍ନବାଚି ଏତକ ହଜମ କରି ପାରିବି ନାହିଁ । କେବେ ବି ନୁହେଁ !! "- ଚିତ୍କାର କରି କହୁ ଥାଆନ୍ତି ଦାଦା ।
ସୂର୍ଯ୍ୟ ଘର ବାହୁଡ଼ା ହେବା ସଙ୍ଗେ ସଙ୍ଗେ ଝଗଡାର ସ୍ୱର ସବୁ ଧିମା ହେଇ ଆସୁଥାଆନ୍ତି। କିଛି ଲୋକ କୁହା କୁହି ହେଉ ଥାଆନ୍ତି - " କି କଥା ଏ ସବୁ !! ଦିନ ଥିଲା ପ୍ରଧାନ ବୁଢ଼ାର କେତେ ନାଁ ଥିଲା । କହିଲା ଭଳିଆ ସେ ବୁଢ଼ା ଥିଲା ଅପ୍ରତିଦ୍ଵନ୍ଦୀ ନେତା , ପୁରୁଣା ସରପଞ୍ଚ । ବାଟି ବାଟି ସମ୍ପତ୍ତିର ମାଲିକ ସେ । କେତେ ଦେଇଛି ବୁଢ଼ା ଅନ୍ୟକୁ ସେତକର ହିସାବ ନାହିଁ କାହା ପାଖେ । ହେଲେ ଆଜି ତା'ରି ଜନ୍ମିତ ସନ୍ତାନ ହେଇ ଏମାନେ ଏମିତି ହେବେ କିଏ ଭାବିଥିଲା । ତାଙ୍କ ଭିତରୁ କିଏ ଅଯୋଗ୍ୟ କୁହ ତ !! ବଡ଼ ଟୋକା ଟା କଲେଜରେ ପାଠ ପଢ଼ାଉଛି ଆଉ ସାନଟା କୋଉଠି ଗୋଟେ ଅଫିସର୍ ହେଲେ ବି ଏଗୁଡ଼ା ଏମିତି ନିଉଁଛିଆ ଭଳି କିଆଁ କେଜାଣି । ବାସ୍ ଏପଟ ଘରରୁ ସେପଟ ଘରକୁ ମାପି ଦେଲେ ଦୁଇ କି ତିନି କଡିର ଜାଗା । ଅତି ରୁ ଅତି ହେଲେ ଚାରି - ପାଞ୍ଚେ । କୋଉ ମାଠିଆ ଜାଗା ଯେ !! ସେତକ ଜାଗା ପାଇଁ ବି ଲଢେଇ !! ମାଲି ମକଦ୍ଦମା !! ଏଗୁଡା ଭଲକୁ ନୁହେଁ ଜମା !! "
ସମସ୍ତେ ନିଜ ନିଜ ମନ୍ତବ୍ୟ ବାଢୁ ଥାଆନ୍ତି । ହେଲେ ବାସ୍ତବରେ
ଝଗଡ଼ାର ମୂଳ କାରଣ କେହି ଜାଣନ୍ତି ନାହିଁ । ସବୁରି କଳହର ମୂଳରେ ହେଉଛି ଆମ ଘର ପଛ ପଟ ପାଣି ଟାଙ୍କିକୁ ଲାଗିଥିବା ଲେମ୍ବୁ ଗଛ । ଗଛର ମୂଳଟା ସିନା ଆମ ପଟେ ହେଲେ ଗଛର ଅଧା ଡାଳ ଦାଦାଙ୍କ ଘର ଆଡ଼କୁ ଶୋଇଥାଏ । ସେତକ ଜାଗାରୁ ଅଳ୍ପ ତାଙ୍କ ଆଡେ ଆଉ ଅଳ୍ପ ଆମ ଆଡେ । କାଇଁ କୋଉ ଅମଳର ସେ ପୁରୁଣା ଗଛ । ବର୍ଷକ ବାର ମାସ ତାକୁ ବିଶ୍ରାମ ନଥାଏ । ଫଳନ୍ତି ଗଛ, ଏତେ ଫଳେ ଯେ ପତ୍ର ଦିଶେନି । ଯେତେବେଳେ ଯାହାର ଦରକାର ହୁଏ ଆମେ ନେଉ । ଭାରି ସୁଆଦ ଆମ ବାଡ଼ି ଲେମ୍ବୁ । ଜେଜେ ଯିବା ପରେ ପରେ ବୋଉ ଆଉ ମୋ ଖୁଡି ଭିତରେ ବେଶି ପଡ଼ିଲା ନାହିଁ । ଖାଲି ପଡ଼ିଲା ନାହିଁ ନୁହେଁ ଦୁହେଁ ଦୁହିଁଙ୍କ ଛାଇ ଦେଖିଲେ ବି ନିଆଁ ହେଇ ଯାଉଥିଲେ ଆଉ କାରଣ ଥିଲା ଘରର କାମ । କେତେବେଳେ ବୋଉ ଅଙ୍କ କସି ବେଶି କାମ କରୁଛି ବୋଲି କହୁଥିଲା ତ କେତେବେଳେ ଖୁଡି । ସବୁବେଳେ ତର୍କ ବିତର୍କର ମହାମଞ୍ଚ ଉପରେ ଦୁହେଁ । ପରିଶେଷରେ ଦୁହିଁଙ୍କ ମହାଭାରତରେ ଯବନିକା ଟାଣି ଗୋଟେ ପରିବାର ଦୁଇ ପରିବାରରେ ବିଭକ୍ତ ହେବାର ନିଷ୍ପତି ନିଆଗଲା । ଅଲଗା ହେବା ପରେ ବେଶି କିଛି ପରିବର୍ତ୍ତନ ଦେଖା ଯାଇ ନଥିଲା ଆମ ଘରେ । ସବୁ ନିଜ ନିଜ ବାଟରେ ଭଲରେ ଥିଲେ । କିନ୍ତୁ ଢେର୍ କାନ୍ଦିଥିଲି ମୁଁ । କାନ୍ଦି କାନ୍ଦି ଜ୍ଵର ହେଇ ଯାଇଥିଲା , ଆଉ ମୋର କାନ୍ଦିବାର ଏକମାତ୍ର କାରଣ ଥିଲା "ପୂଜା", ମୋ ଦାଦାଙ୍କ ଝିଅ । ମତେ ବାର ବର୍ଷ ହେବା ବେଳେ ପୂଜାକୁ ଦଶ ବର୍ଷ । ସେ ମୋର ବହୁତ୍ ପ୍ରିୟ ଯେମିତି କି ସେ ମୋ ଅତି ପ୍ରିୟର କଣ୍ଢେଇ ଯାହାକୁ ମୁଁ କେବେ ନିଜଠୁ ଦୂର କରିବାକୁ ଚାହିଁନଥିଲି । ମୋ ଦିନର ଅଧିକ ସମୟ ତା' ସହ ହିଁ ଯାଏ । ଏକା ସହ ଶୋଇବା,ଉଠିବା,ଖାଇବା ପଢ଼ିବା ସବୁ । ଆମେ ଦୁହେଁ ତଳ ଉପର ହେଇ ପଢୁ । ମୁଁ ତାକୁ ଯେତିକି ଭଲ ପାଏ ସେ ମୋତେ ତା' ଠୁ ବେଶି ଭଲ ପାଏ । ତେଣୁ ତା'ର ମୋ' ଠୁ ଅଲଗା ହେବା ମୋ ମନକୁ ବହୁତ୍ କଷ୍ଟ ଦେଇଥିଲା ।
କିନ୍ତୁ ତାକୁ ଆମର ଅଲଗା ହେବାରେ ବେଶି ଫରକ୍ ପଡେନି । କିଛି ନା କିଛି ବାହାନା କରି ଖୁଡିଙ୍କୁ ଲୁଚି ଆସିଯାଏ ଆମ ଘରକୁ । ଢେର୍ ଗପିବ। ମୁଁ ତାକୁ ପଚାରେ- ତୁ ମତେ ଖୋଜୁଛୁ କି ନାହିଁ ମ ? ସେ ମୋ ପ୍ରଶ୍ନ ଶୁଣି ହସି ହସି ଗଡିଯିବ ଆଉ କହିବ - କେଡେ ବୋକୀ ତୁ ଦିଦି ନିଜେ କହ ତ !! ମୁଁ ଖୋଜି ନଥିଲେ ଲୁଚି ଲୁଚି ଆସି ଥାଆନ୍ତି କାହିଁକି ? ପୂଜା ବହୁତ୍ ଭଲ । ହେଲେ ଯାହା କୁହନ୍ତି ସେ ହେଉଛି ହସକୁରୀ ଗପୁଡ଼ି ମାଉସୀ । ମତେ ପଚାରେ - ଏ ଦିଦି କହ ତ ଯେମିତି ତତେ ମୁଁ ଲୁଚି ଦେଖିବାକୁ ଆସୁଛି ସେମିତି କ'ଣ ପାପା ବି ବଡପାପାଙ୍କୁ ଦେଖା କରୁଥିବେ ?! - ଉଁ ଉଁ ଉଁ ତୋର କ'ଣ ଏତେ ପ୍ରଶ୍ନ ଯେ !! ସେ ବଡ଼ ଲୋକ ସେ ଜାଣିଥିବେ । ମୁଁ ଉତ୍ତର ଟା ଜାଣି ବି ତାକୁ ଉତ୍ତର ଦିଏନି । ସେ ତ ନନ୍ ଷ୍ଟପ୍ ରେଡ଼ିଓ ତାକୁ ବୁଝେଇବା ମୋ ପାଖେ କଷ୍ଟ ସେ ଲାଗି । ଏମିତି ଗପି ଚାଲିଥିବ ,ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିବ ଆଉ ସବୁ ଗପ ଶେଷରେ ସେ ମତେ ନିହାତି ପଚାରିବ, - ଏ ଦିଦି, ତୁ ମୋ ବାହାଘରରେ କ'ଣ ଦବୁ କହ ତ ? କହୁନୁ !!
- ଆଚାର ଟା ଦେବି !! ବୁଝିଲୁ ।
ହେ ହେ ହେଇ ହସି ଗଡିବ ପୁରା ।
ଏମିତି ଆମ ଦିନ ସବୁ ଯାଏ । ଛୁଟିଦିନ ସବୁରେ ଦି ଜଣ ମିଶି ଖଟା ଫିଷ୍ଟ୍ ରେ ଲାଗିଯାଉ । ଏ ସବୁରେ ମୋ ଠୁ ବେଶି ଆଗ୍ରହ ପୂଜାର । ଅମାନିଆ ଷଣ୍ଢ ଭଳି ଯାଏ ଆଉ ଘର ପଛ ପଟୁ ମେଞ୍ଚେ ଲେମ୍ବୁ ଛିଡାଏ । ତାକୁ ଆଣି ଆମ୍ବୁଲ,କଞ୍ଚା ଲଙ୍କା, ଓଲି ପିଆଜ ଦେଇ ଖୁବ୍ ଚକଟେ । ସେତକ ଖଟା ପାଣି ସେତେବେଳେ ଆମ ପାଇଁ ଅମୃତ ସମ । ସେଇ ଫିଷ୍ଟରେ ଖାଲି ଆମେ ତ ନଥାଉ,ପାଖ ଆଖ ଯେତେ ସାହି ଝିଅ ରହିଲେ ସବୁ ଆସି ମେଳି ହେଉ । ବେଶ୍ ମଜା ହୁଏ । କିନ୍ତୁ ସବୁଦିନ ସମାନ ଯାଏନି । ଖୁଡି ବହୁତ୍ ରାଗନ୍ତି ପୂଜାର ମୋ ସହ ମିଳା ମିଶାକୁ ନେଇ । ବୋଉର ବି ସବୁବେଳେ ସନ୍ଦେହ ଯେ ଖୁଡି ରାତି ପାହିଲେ ଲେମ୍ବୁ ଗଛରୁ ଲେମ୍ବୁ ଛିଡଉଛି । ଏଇ କଥାକୁ ନେଇ ସେ ଅନେକ ଥର ବାପାଙ୍କ ଆଗରେ କହିଛି ଅଥଚ ମୁଁ ସବୁ ସତ ଜାଣି ବି ନୀରବ ରୁହେ । କାଳେ ବୋଉ ମତେ ପିଟିବ ନହେଲେ ପୂଜାକୁ ଆମ ଘରକୁ ଆସିବା ବନ୍ଦ କରିଦେବ ସେ ଭୟରେ ମୁଁ କେବେ ମୁହଁ ଖୋଲେନି ।
ସେଦିନ ରବିବାର ଥାଏ । ପୂଜା ଝରକା ପାଖରୁ ମତେ ଡାକ ପକେଇ ଧୀରେ କରି ପଚାରିଲା - ଦିଦି ଫିଷ୍ଟ କରିବା ?!
ମୁଁ କି ତା କଥାକୁ ଟାଳି ପାରିଲି - ଆସୁନୁ କରିବା ।
ସେ ତ ବାସ୍ ମୋ " ହଁ " ଅପେକ୍ଷାରେ ଥାଏ । ମୁଁ ମୁଣ୍ଡ ହଲେଇଲା କ୍ଷଣି ସେ ଦୌଡିଲା । ସିଧା ଗଲା ଆଉ ଲଙ୍କାରେ ହନୁମତ ପଶିଲା ଭଳି ମେଞ୍ଚେ ଲେମ୍ବୁ ଧରି ଆସିଗଲା । ଆଉ ଡାକି ଆଣିଲା ତା ଅନ୍ୟ ସୈନ୍ୟ ସାମନ୍ତଙ୍କୁ । ରବିବାରଟା ପୁରା ଜମିଗଲା ଖଟା ପାଣିରେ ।
ଆର ଦିନ ସୋମବାର । ଆମେ ଦୁହେଁ ସ୍କୁଲ ଚାଲି ଯାଇଥିଲୁ , ଆଉ ଫେରିଲା ବେଳକୁ ଘରେ ଆରମ୍ଭ ହୋଇ ସାରିଥିଲା ଯୁଦ୍ଧ ତା ବି ସେ ଲେମ୍ବୁକୁ ନେଇ । ବୋଉ ବିନା ବିରାମରେ ଶୁଣେଇ ଚାଲିଥାଏ , ଆଉ ସେ ଲଢେଇରେ ପଛ ଘୁଂଚା ଦେଇ ନଥିଲେ ଖୁଡି । ଆରୋପ ପରେ ଆରୋପ ଦୁହେଁ ଦୁହିଁଙ୍କୁ ନେଇ । ଥମୁ ନଥିଲା ତାଙ୍କ ଝଗଡ଼ା । ପୂଜା ଆଉ ମୁଁ ନିରେଖି ଦେଖୁଥାଉ ଆମ ବୋଉ ମାନଙ୍କୁ । ବାସ୍ କେଇଟା ଲେମ୍ବୁ ପାଇଁ ଏତେ ଝଗଡ଼ା !! ପୂଜା ମୁଣ୍ଡକୁ କ'ଣ ଆସିଲା କେଜାଣି ମୋ ମନା କରିବା ସତ୍ତ୍ୱେ ବି ସ୍କୁଲ ବ୍ୟାଗକୁ କାନ୍ଧରୁ କାଢି ମୋ ବୋଉ ପାଖକୁ ଯାଇ କହିଲା - " ବଡ଼ ମାମା, ଲେମ୍ବୁ ମାମା ନୁହେଁ ମୁଁ ପରା ଆଣିଥିଲି । କାଲି ଦିଦି ଆଉ ମୁଁ ମିଶି ଫିଷ୍ଟ୍ କରୁଥିଲୁ ସେ ଲାଗି । ଆଉ ତୁମେ ଏ ଲେମ୍ବୁ କେଇଟା ପାଇଁ ମାଡ଼ ଗୋଳି କାହିଁକି ଲାଗୁଚ ଶୁଣେ !! ଆଉ ଦୁହେଁ ପାଟି କରନି । ମୁଁ ଚାଲିଲି , ମତେ ଜୋରରେ ଭୋକ । " ତା ଗୁଲୁରୁ ଗାଲୁରୁ ମୁହଁରୁ ଏତିକି ଶୁଣିବା ପରେ ବୋଉର ଅଶାନ୍ତ ମନ ଟିକେ ଶାନ୍ତ ହେଇ ଯାଇଥିଲା , ଏକା ମୁହଁ ହେଇ ଘର ଆଡେ ଚାଲିଗଲା । ହେଲେ ପାରା ବଢ଼ି ଯାଇଥିଲା ଖୁଡିଙ୍କର । ପୂଜାକୁ ଭିଡ଼ି ନେଇ ଖୁବ୍ ପିଟିଥିଲେ ସେଦିନ । ଏତେ ପିଟିଥିଲେ ଯେ ସନ୍ଧ୍ୟା ଯାଏଁ ତା କାନ୍ଦିବା ଶବ୍ଦ ଆମ ଘରକୁ ଆସୁଥିଲା । ମାଡ଼ ତାକୁ ହେଇଥିଲା ସତ କିନ୍ତୁ ସେଦିନ ବହୁତ୍ କାନ୍ଦିଥିଲା ବୋଉ । ତା କଟୁ କଥାର ପରିଣାମ ଯେ ଗୋଟେ ନିରୀହ କଅଁଳ ଦେହ ଭୋଗିଥିଲା ସେ ଲାଗି । ବୋଉ ସେ ରାତି ଯାକ ଶୋଇ ବି ନଥିଲା ବୋଧ ହୁଏ ଅନୁତାପର ମିଞ୍ଜି ଆଲୁଅ ତାକୁ ଶୋଇବାକୁ ଦଉ ନଥିଲା ।
ପାହାନ୍ତିଆ ପହର ହେବ କେହି ଏତେ ଉଠିନଥାନ୍ତି । ବୋଉ
ଘରୁ କଟୁରୀଟେ ଆଣି ଲେମ୍ବୁ ଗଛ ପାଖକୁ ଗଲା ସାଙ୍ଗରେ ଥାଏ ମୁଁ । ଆଖି ପିଛୁଳାକେ ବୋଉ ଲେମ୍ବୁ ଗଛଟାକୁ ପୁରା ମୂଳରୁ ହାଣି ଦେଲା । ଯୁଦ୍ଧରେ ପ୍ରାଣବଳି ଦେବା ପରେ ଯେମିତି ଜଣେ ବୀର ସୈନ୍ୟ ଟଳି ପଡେ ସେମିତି ଟଳି ପଡ଼ିଲା ଆମ ଲେମ୍ବୁ ଗଛ । ତା' ଭୁସ୍ କରି ପଡ଼ିବା ଶବ୍ଦ ଶୁଣି ଆଖି ବନ୍ଦ କରି ଦେଲି ମୁଁ । କେଇଟା ଛୋଟ ଛୋଟ ଲେମ୍ବୁ ଆସି ବୋଉ ଆଉ ମୋ ପାଦ ତଳେ ପଡ଼ିଲା । ମୁଁ ଗଛ ଆଡ଼କୁ ବୁଲି ଦେଖିଲି ଯଦି ବି ମତେ ଦେଖିବାର ଇଚ୍ଛା ନଥିଲା !! ଏବେ ବି ସେ ଗଛରେ ମେଞ୍ଚେ ଲେମ୍ବୁ ଲଦି ହେଇଥାଏ । ବୋଉ ଅତି ନିଷ୍ଠୁର ଭାବେ ଟାଣି ଟାଣି ନେଇ ତାକୁ ଗଢ଼ିଆ କୂଳେ ଫୋପାଡି ଦେଇ ଆସିଲା । ଅବଶ୍ୟ ବୋଉ ଆଖିରେ ବି ଲୁହ ଥିଲା ।
ଗଛ ଟା ଆଜି ଆମ ଘରୁ ସମ୍ପୂର୍ଣ ବିଦାୟ ନେଇ ସାରିଥିଲା । ସେଠୁ ଫେରି ଆସି ବୋଉ , ବାପାଙ୍କ ପାଇଁ ଚା' ବସେଇବାକୁ ଚାଲିଗଲା । ହେଲେ ନିଜକୁ ସ୍ଥିର କରି ପାରୁ ନଥିଲି ମୁଁ । ମନ ମାନିଲାନି ମୋର । ପୁଣି ଦଉଡ଼ି ଗଲି ଗଢିଆ କୂଳ ଆଡେ ସେ ନିସ୍ତେଜ ଗଛଟାକୁ ଦେଖିବାକୁ । ମୁଁ ଜାଣିନି କାହା ପାଇଁ ସେ ଲେମ୍ବୁ ଗଛ କ'ଣ ଥିଲା ହେଲେ ମୋ ପାଇଁ ଥିଲା ମୋ ପୂଜାର ଖୁସି । ଆମ ଅଫେରନ୍ତା ପିଲାଦିନ । ସତରେ ସାମାନ୍ୟ ଗଛ ଟା ଚାଲିଗଲେ ଏତେ କଷ୍ଟ ହୁଏ ସେଦିନ ପ୍ରଥମ କରି ଅନୁଭବ କରିଥିଲି ମୁଁ । ବୋଉର ଏ କଠୋର ନିଷ୍ପତି ପାଇଁ ବହୁତ୍ ରାଗ ଆସୁଥିଲା ମତେ ।
ସକାଳ ଆଠ ହେବ । ଶବ୍ଦ ବର୍ଷା ହେଉଥିଲା ଆମ ଘର ପଛ ପଟେ । ଯାହା ସ୍ପଷ୍ଟ ଭାବେ ଶୁଣା ଯାଉଥିଲା ଆମ ଘରକୁ ।
ପାପ ଲାଗିବ ତୁମକୁ ନାନୀ
ପାପ ଲାଗିବ !!
ଫଳନ୍ତି ଗଛଟାକୁ ନିଜ ଅହଙ୍କାର ପାଇଁ କାଟି ବଡ଼ ପଣିଆ ଦେଖେଇ ହଉଛ !?
ଲାଜ ନାହିଁ ତୁମକୁ !?
ନର୍କ ବାସ ଛଡା ଆଉ କିଛି ନାହିଁ ତୁମକୁ ।
ମନ ଇଚ୍ଛା ଗାଳି ଦେଇଥିଲେ ଖୁଡି । ଆଜ୍ଞାଵହ ସ୍ବାମୀ ଭାବେ ଦାଦା ବି ମଝିରେ ମଝିରେ ଗୋଟେ ଦୁଇ ପଦ କହି ଦେଉ ଥାଆନ୍ତି । କିନ୍ତୁ ସବୁ ପରେ ବି ବୋଉ ଥିଲା ନୀରବ । ସେ ନା ମତେ ମୋ ରାଗର ଉତ୍ତର ଦେଇଥିଲା ନା ଖୁଡିଙ୍କ ଗାଳିର ପ୍ରତିଉତ୍ତର ।
ପରେ ଦାଦା ଅମିନ ଡାକି ସେଇ ଚାରି କଡି ଜାଗାର ମାପ ଚୁପରେ ଲାଗି ଯାଇଥିଲେ । ଯେତେ ଅମିନ ଆସିଲେ କାହା ମୁନରେ ଗୋଟେ କଡ଼ି ଆମ ପଟେ ଅଧିକ ଗଲାଣି ତ ଗୋଟେ କଡ଼ି ତାଙ୍କ ପଟେ । ଦାଦାଙ୍କ କଡା ନିଷ୍ପତି କିଛି ବି ହେଇଯାଉ ଜାଗା ସମାନ ଦୁଇ ଭାଗ ହେବା ଦରକାର । କିନ୍ତୁ ବାପା ଦାଦାଙ୍କୁ କହିଥିଲେ - ସେତକ ଜାଗା ସବୁ ତୁ ରଖ , ଆଉ ଏ ଅମିନ ଡାକି ତାମସା ନ କରିବାକୁ । ହେଲେ ଦାଦା ସଫା ସଫା ମନା କରି ଦେଇଥିଲେ କି ଯାହା ପଛେ ହେଇଯାଉ ମୁଁ କାହା ଭିକ ଗ୍ରହଣ କରିବିନି । - " ତୁମେ ନିଜେ ବି ଜାଣିନ ତୁମେ କ'ଣ କରିଛ !! ତମେ ଖାଲି ଗଛ କାଟିନ ଭାଇ । ଗଛ ସହ ସବୁଦିନ ଲାଗି କାଟି ଦେଇଛ ଆମ ସମ୍ପର୍କ । ଥରେ ଆମକୁ ପଚାରିଥିଲ ଗଛ କାଟିବା ଆଗରୁ ? ସେଇଟା ଖାଲି ତୁମ ଜାଗାରେ ନଥିଲା ତ ?! ସେଥିରୁ ଦୁଇ କଡ଼ି ଜାଗା ମୋର ବି ଥିଲା !! ମୁଁ ତୁମକୁ କେବେ କ୍ଷମା କରିବିନି ଭାଇ । ତୁମେ ବଡ଼ ଭୁଲ କରିଛ । " ଦାଦାଙ୍କ ସବୁ କ୍ରୋଧର ନୀରବ ପ୍ରତିକ୍ରିୟା ଦେଇଥିଲେ ବାପା ।
ସେହି ଦିନ ଠୁ ତୁଟୁ ନଥିଲା ଆମ ଚାରି କଡ଼ି ଜାଗାର ମାପ । ଜଣେ ପରେ ଜଣେ ଅମିନ ଆସି ଫେରି ଯାଉଥିଲେ । ଆଉ ଏପଟେ ବାପାଙ୍କର ହଠାତ୍ ବଦଳି ହେଇଗଲା ସହରକୁ । ଆମକୁ ଘର ଛାଡ଼ିବାକୁ ପଡ଼ିଲା । ଘରୁ ଯିବା ସମୟରେ ବୋଉ ଟିକି ନିଖି କରି ସବୁ ଜିନିଷ ସଜାଡୁ ଥାଏ । କିନ୍ତୁ ମୋ ଆଖି ଯୋଡେ ଖାଲି ଖୋଜୁଥାଏ ପୂଜାକୁ ହେଲେ ହତାଶ ହେଇଥିଲା ମୋ ଆଖି । ସହରରେ ମୁଁ ମନ ଲଗେଇ ପାରୁ ନଥିଲି । ବହୁତ୍ ବୁଝାଇଥିଲେ ବାପା ଆଉ ପ୍ରତିଶୃତି ବି ଦେଇଥିଲେ ଆମେ ଛୁଟି ହେଲେ ଗାଁ କୁ ଯିବା । କିନ୍ତୁ ସେ ଦିନ କେବେ ଆସି ନଥିଲା । ଘର ଛାଡ଼ିବା ପରେ ଆମେ କେବେ ଆଉ ଗାଁ କୁ ଯାଇନୁ । ବେଳେବେଳେ ମୁଁ ଭାବି ଆଶ୍ଚର୍ଯ୍ୟ ହୁଏ ଯେ , ଏତେ ସହଜରେ କେମିତି ଭାଙ୍ଗିଯାଏ ରକ୍ତ ସମ୍ପର୍କ !! ନା ସେମାନେ ଆମ ସହ ଯୋଗାଯୋଗ କରୁଥିଲେ ନା ଆମେ !! ସତରେ କ'ଣ ମଣିଷ କାର୍ଯ୍ୟ ବ୍ୟସ୍ତତାର ଦ୍ୱାହୀ ଦେଇ ଆତ୍ମୀୟଙ୍କ ଠୁ ନିଜକୁ ଦୂର କରି ପାରେ !! କିନ୍ତୁ ଏପଟେ ମୁଁ ବହୁତ୍ ଚେଷ୍ଟା କରି ବି ପୂଜା ସହ ଯୋଗାଯୋଗ କରି ପାରୁ ନଥାଏ । ସବୁବେଳେ ଭାବୁଥାଏ ମୋ ଛୋଟ ଭଉଣୀ କେତେ ବଡ଼ ହେଇ ଯିବଣି । ୟା ଭିତରେ ମୁଁ ବି ପଚିଶ ଡେଇଁଲିଣି । ଆଖି ମୋର ଛଳଛଳ ହେଇ ଯାଉଥାଏ ,ସେ ପୁରୁଣା ଦିନ ପ୍ରତିବିମ୍ବ ହେଇ ମତେ ସ୍ପଷ୍ଟ ଦେଖା ଯାଉଥାଏ । ଆଖିର ଲୁହ ସବୁ ଫୋନ ଉପରେ ଲୁହ ନିଗିଡ଼ି ପଡୁଥାଆନ୍ତି । ଲୁହ ପୋଛି ମୁଁ ନିରିଖେଇ ଦେଖୁଥାଏ ମୋ ଅତି ପ୍ରିୟ ୟା କଣ୍ଢେଇର ଫଟୋକୁ । ବହୁତ୍ ବର୍ଷ ପରେ ଦେଖୁଥିଲି ନା !! ଆଉ ଠିକ୍ ସେତିକି ବେଳେ ବିରକ୍ତି ହେଇ ଶୋଇବା ଘରୁ ଡାକ ପକେଇଲେ ବାପା - ମିତା ମିତା !!
ଅଧ ଘଂଟା ହେବ ଲେମ୍ବୁ ସରବତ କରିବାକୁ କହିଥିଲି ଯେ ଏ ଯାଏଁ ଆଣି ଦେଲୁନି !! ଏତକ କହି ରୋଷେଇ ଘରେ ପଶି ଆସିଲେ ବାପା ଆଉ ଦେଖି ନେଲେ ମୋ ଓଦା ଓଦା ଆଖି ।
- " କ'ଣ ହେଲା !? ତୁ ଏଠି ଛିଡା ହେଇ କାନ୍ଦୁଛୁ କାହିଁକି ? "
ତତେ ତ କେହି କିଛି କହି ନାହାନ୍ତି ।
- ଆମ ପୂଜା ବାପା.... ପୂଜା !!!
- ପୂଜା !! ହଁ !! ହଁ !! କ'ଣ ହେଲା ତା'ର ପୁଣି ?
- ଆଜି ତା' ବାହାଘର ବାପା ।
- ବାହାଘର !! ତୁ କେମିତି ଜାଣିଲୁ ?
- ମୋର ଗୋଟେ ଅଜଣା ନମ୍ବରରୁ ମତେ ଫଟୋ ଆସିଛି .. କୋହ ମୋର ସବୁ ପାଣି ହେଇ ବହି ସିଧା ପଡୁଥାଏ ପୂଜା ଫଟୋ ଉପରେ । ଅଧିକ କିଛି କହିବା ପରିସ୍ଥିତିରେ ମୁଁ ନଥିଲି ।
ବାପା ବି କେଇ ମୁହୂର୍ତ୍ତ ପାଇଁ ଛଳଛଳ ହେଇଗଲେ । ତାଙ୍କ ଆଖି କହୁଥିଲା ଯେ ସେ ବହୁତ ଡେରି କରି ଦେଇଛନ୍ତି । କିନ୍ତୁ ମୋ ଠୁ ସେ ନିଜ ଆଖିକୁ ଲୁଚେଇ କହିଲେ - " ଯା ଠାକୁର ଘରେ କଳସ ଟେ ବସେଇ ଜଗନ୍ନାଥଙ୍କ ପାଖେ ହଳଦୀ ଲଗା ଗୋଟା ଗୁଆ ଥୋଇ ଦବୁ । " ବାହାର ପଟେ ବୋଉ ବି କାନ୍ଦୁଥିଲା ବୋଧେ ଆମ କଥା ଶୁଣି । କେଜାଣି କଇଁ କଇଁ ଶବ୍ଦ ଗୁଡ଼ା ରୋଷେଇ ଘର ଯାଏଁ ଧସେଇ ପଶୁଥିଲା......
ସ୍ୱାଗତିକା ବେହେରା
କଟକ ।
