Swagatika Behera

Inspirational Others

3  

Swagatika Behera

Inspirational Others

ତାଙ୍କ ଘରେ ମୋର ଦି ଦିନ

ତାଙ୍କ ଘରେ ମୋର ଦି ଦିନ

6 mins
234



ସେଦିନ ପୁଅର ବଡ଼ ସହର କୁ ବଡ଼ ପୋଷ୍ଟ ରେ ବଦଳି ହୋଇଥାଏ, ଦଶ ବର୍ଷର ନାତୁଣୀ ଖୁସିରେ ଘର ବାହାରେ ଖେଳି ବୁଲୁଥାଏ। ବୋହୂ ର କେଇ ଦିନର ମାନସିକ ପୂର୍ଣ୍ଣ ଯେ ହେଇଗଲା ସେ କଥା ତାକୁ ହିଁ ଜଣା।ପୁଅ ବି ଢେର୍ ଖୁସି।


ସେପଟୁ ପୁଅ କହିଦେଲା,"ଏ ବୋଉ ତୋ ଜିନିଷ କିଛି ଦେଇ ଦେ ଆଗ ରଖି ଦଉ...."ବାପା ଯିବେନି ମୋ ସହ ସେ ତ ଜନ୍ମରୁ ଏ ଗାଁ ରେ ତୁ ସହରି ଝିଅ ତୁ ଚାଲେ ତୋତେ ରଖିବାରେ ଆମର କିଛି ଅସୁବିଧା ହେବ ନାହିଁ।


ସିଏ ସବୁଦିନ ପରି ତାଙ୍କ ପ୍ରିୟ ବାଡିକୁ ଚାଲିଗଲେ ମୁଁ ଅଚଳ ହେଇ ବସିଥାଏ,ଗାଁ ରୁ କେତେ ପାଚିଲା, କଞ୍ଚା ଓଢଣା ଦିଆ ମାଇପି ଗୁଡ଼ା ଆସି ଠିଆ ହେଲେଣି।କିଏ ତୁନିତୁନି ହେଇ ପଚାରିବାର ଶୁଣିଲି,"ସତେ ମାଉସୀ ତୁମେ ଚାଲିଯିବ?"କିଛି ଦୁଃଖ ମିଶା କାନ୍ଦଣା ବି ମାେ କାନ ସ୍ପର୍ଶ କରୁଥିଲା ଠିକ୍ ଶୀତ ଦିନିଆ ପବନ ପରି।ଅଗଣାରେ ମହିଳା ଆଉ ତାଙ୍କ ବକଟେ‌ ବକଟେ, ଛୁଆଙ୍କ କେଁ କେଁ ଶବ୍ଦରେ ଘରୁ ବାହାରି ଆସିଲା ପୁଅ। ଜୋରେ ହସି କହିଲା,ମାେ ବୋଉ ମୋ ସହ ବାହାରକୁ ଯାଉଛି ଆଉ ତେବେ ଏଠି ଶୋକ ସନ୍ତପ ପରିବେଶ କାହିଁକି ଯେ?


ଛୁଆ ଟା ପଚରିଦେଲା,ସତେ କଣ ଆମ ଠାକୁ ମା ଚାଲିଯିବେ?

ନୀରବତାର ଭିଡ଼କୁ ଭାଙ୍ଗି ମୁଁ କହିଲି,ନାଇଁ ମ ମୁଁ କୁଆଡ଼େ ଯିବି ଏଠି ହିଁ ରହିବି।ସବୁ ଭାରି ଖୁସି ହୋଇଗଲେ ଆଉ ନିଜ ନିଜ ବାଟରେ ଚାଲିଗଲେ।


ନାତୁଣୀ ଆଉ ପୁଅ ରାଗି ଏକା ସଙ୍ଗେ ପଚାରିଲେ,ତୁ ଯିବାକୁ କାହିଁକି ମନା କରିଦେଲୁ?ମୁଁ ଅଳପ ହସି କହିଦେଲି,"ମତେ ତାଙ୍କ ଘର ଛାଡ଼ି ଯିବାକୁ ଜମା ଇଚ୍ଛା ନାହିଁ।"


ନାତୁଣୀ ଗାଲ ଟାଣି କହିଲା,ଜେଜି ମା ତୁ ତ ସହରି ଝିଅ ତତେ କି ଅସୁବିଧା ହେବ ସେଠି।ତୁ ଚାଲ ମୁଁ ଅଛି ତତେ ଜମା ବୋର୍ ଲାଗିବନି।ମୁଁ କହିଲି,ଧେତ୍ ହୁଣ୍ଡି ଟା!!ଘର ଟା ସାରା ପରା ତୋ ଜେଜେ ଅଛନ୍ତି ତାଙ୍କୁ ଛାଡି କୁଆଡେ ଯିବି।ଦାନ୍ତ ନଥିବା ପାଟିରେ ହସ ଟା ଟିକେ ଅସ୍ପଷ୍ଟ ଥିଲା।


ସେ ପୁଣି କହିଲା,ତୁ କଣ ଜେଜେଙ୍କଙ୍କୁ ଭଲ ପାଇ ବାହା ହୋଇଥିଲୁ,କୋଉଠି ଦେଖିଲୁ ? କେମିତି ତୋ ବାହାଘର ଏ ଗାଁ ରେ ହେଲା ?ତୁ ଗାଁରେ କେମିତି ରହିଲୁ?ତୁ ସେତେବେଳେ ର ପଢୁଆ ଝିଅ କେମିତି ରହିଲୁ ଏଠି ଯେ!!

ମୁଁ ତା ମୁହଁରେ ହାତ ଦେଇ କହିଲି, ତୁନି ପଡ ଭଲା!!କେତେ କଥା କହି ଯାଉଛି।ତୋ ଜେଜେ ତ ମୋ ପାଇଁ ଗୋଟେ ଇତିହାସ।


ମୋର ଆଜି ବି ମାନେ ଅଛି,ଯେବେ ପ୍ରଥମ କରି ତାଙ୍କ ଘର ଲୋକ ମାେ ଘରକୁ ଆସିଥିଲେ.....କିଛି ପ୍ରଶ୍ନ ଭିତରେ ଆରମ୍ଭ ହୋଇଥିଲା ମୋ ସଂସାର।


ତୁମେ କେଜା ପଢ଼ିଚ?

ମାଟ୍ରିକ ପାସ କୋଉ ମସିଆ ରେ?

ଘର କୋରଣାରେ କେତେ ଜାଣିବାର ତୁମେ?

ପାଠ ଛଡ଼ା ଆଉ କୋଉ କଥାରେ ମନ ତୁମର?

ଏତେ ସବୁ ପ୍ରଶ୍ନ ଭିତରେ ଗୋଟେ ନଅ ବର୍ଷର ଛୋଟ ପିଲା ଟେ କହିଦେଲା,ମାଇଁ ମୋ ମନକୁ ଯାଇଛି ଜେଜେ....ଏତିକି ଭିତରେ ହାତର ଗୋଟେ ଆଙ୍ଗୁଠିରେ ପିନ୍ଧେଇ ଦେଇଥିଲେ ମାମୁଁ ଶଶୁର ଗୋଟେ ମୁଦି।


ଆମ ପୁରା ପରିବାର କଟକରେ ରହୁ।ମୋର ପଢ଼ାପଢ଼ି ସବୁ ସେଠି,ପଢ଼ିବା ଭିତରେ ବାପା, ତାଙ୍କୁ ଦେଖି ମୋ ପାଇଁ ଠିକ୍ କରିଦେଇଥିଲେ।ମୁଁ ବେଶି ଜାଣି ନଥିଲି ତାଙ୍କ ବିଷୟରେ,କୁହାଯାଇଥିଲା ପୁଅ ବାହାରେ ଚାକିରୀ କରେ।ଭଉଣୀ କହି ବୁଲିଲା,ନାନୀ ମୋର ମଫସଲର ବୋହୂ ହେବ।ମୋର ରାଗି ସ୍ଵଭାବ ଯୋଗୁଁ ବାପା ଚୁପ୍ କି ବୋଉ କୁ କହିଦେଇ ଗଲେ ତାକୁ କହି ଦିଅ, ସେଠି ତା ବାହାଘର ହେବ।ମୁଁ ରାଗରେ ଗରଗର ହେଉଥାଏ।


ଝିଅ ହେଲି ବୋଲି ମୋର କ'ଣ କିଛି ଇଚ୍ଛା ନାହିଁ।ମୁଁ କାହିଁକି କୋଉ ଗାଁ କୁ ଯିବି?କେମିତି ରହିବି?ଗାଁ କୁ ମୁଁ ଜମା ପସନ୍ଦ କରେନି ସେଠି ସବୁ କେମିତି ଲୋକ? ମୁଁ ରହିବିନି ସେଠି...ମୁଁ ପାରିବିନି ମାେ ସ୍ବପ୍ନକୁ ଛ ହାତ ଶାଢ଼ୀ ଭିତରେ ବାନ୍ଧି...ବୋଉକୁ ମନା କରିଦେବି ଭାବିଲି,ମତେ ଏବେ ବାହା ହେବାର ନାହିଁ।ହେଲେ ମୁଁ ଜାଣେ ବୋଉ କିଛି ଅଧିକ କହିବ ନାହିଁ।ସିଧା କହିବ ତୋତେ ଜନ୍ମ ଦେଇ ଭୁଲ କରିଛୁ,ଆଉ ଭାବିବ ମୁଁ ବୋଧେ କାହାକୁ ପ୍ରେମ କରୁଛି।ଏମିତି ଭାବୁ ଭାବୁ ମୁଁ ବାହା ହୋଇ ତାଙ୍କ ଘରକୁ ଆସିଗଲି।


ଦଶ ହାତ ଓଢଣା ଭିତରେ ବୋହି ଆସୁଥିବା ଲୁହକୁ ଝରେଇ କେତେ ଦିନ ଚୁପ୍ ରହିଛି ମୁଁ ଜାଣେ। ଷୋଳ ବର୍ଷ ବୟସରେ ସଂସାରର ବୋଝ ଟିକେ ବୋହିବା କଷ୍ଟ ଥିଲା।ମୁଁ ତାଙ୍କ ସହ କେବେ ସାମ୍ନାରୁ କଥା ହୋଇ ନଥିଲି।ଲାଜରେ ମୁହଁ ଖୋଲି ବି ପଦେ କଥା କହିନି କି ସେ ବି ପଚାରି ନାହାନ୍ତି। କିଛି ଦିନ ପରେ ସେ ବି ଚାଲିଗଲେ ତାଙ୍କ କର୍ମ ସ୍ଥଳ କୁ।ମୁଁ ଏକା କୁ ତାଙ୍କ ଘରେ ସତର ପ୍ରାଣୀ।କେମିତି ରୋଷେଇ କରିବି,ଘରେ ତ ଚୁଲି ମୁହଁ ବି ଦେଖି ନାହିଁ।


ବଡ଼ ନାନୀ ଗାଲ ଚିପି କହିଲେ ଜମା ବ୍ୟସ୍ତ ହବୁନି ଲୋ,ମୁଁ ଅଛି।ଶାଶୁ ଭାରି ବୁଝିବାର ,ମୁଣ୍ଡରେ ମୋର ତେଲ ମାରି ବଡ଼ ଖୋଷା କରି ଦିଅନ୍ତି, ମଲ୍ଲି ମାଳ ଟେ ଲଗେଇ ଦିଅନ୍ତି।ଶଶୁର ହାଟରୁ ଭଳିକି ଭଳି ଆଚାର ଆଣି ଦିଅନ୍ତି,ଥରେ ଜାଣି ନ ପାରି ବଡ଼ ଦେଢ଼ଶୁରଙ୍କ ଆଇଁଠା ଥାଳି କୁ ଉଠେଇ ନେଇଥିଲି ଯେ କଥା କୁଆଡ଼େ କୁଆଡ଼େ ପଳେଇଲା।ମୁହଁରେ ମୁହେଁ ଲାଜ।ଆଉ ଥରେ ଯାଇ ଗାଧେଇବା କୁ ପଡ଼ିଥିଲା।କେଜାଣି କେତେ ନାକ ଶୁଖେଇ ନ କନ୍ଦିଛି।ସାହି ମଝିରେ ଗୋଟିଏ ଚଉରା,ରାତି ଅଧରୁ ଉଠି ପୂଜା କରିବାକୁ ହୁଏ ମତେ।ଗୋଟିଏ ହିଁ ଭାଗବତ ଟୁଙ୍ଗି ପଢା ଲେଖା ଝିଅ ବୋଲି ମତେ ଡାକି ବସେଇଲେ ଦିନେ ପଢି।ଗାଁ ର କେତେ ପୁରୁଖା ଲୋକେ ଥିଲେ ମୁହଁ ଢାଙ୍କି ଗୋଟେ ନିଃଶ୍ୱାସ ରେ ପଢି ପକେଇଲି।ସେଦିନ ତୋ ଜେଜେ ନାଁ ରେ ଚାରି ଆଡ କଥା ପଡ଼ିଲା,ଅମୁକ ସ୍ତ୍ରୀ ଟି ଭାରି ପଢୁଆ ହେଲେ ଠିକ୍ ରେ ଦି ଧାଡ଼ି ଭାଗବତ ପଢି ପାରିଲା ନାହିଁ। ଶିଳରେ ମସଲା କଲାବେଳେ ଶଙ୍ଖା ଭାଙ୍ଗି ହାତରେ ଫୁଟି ଗଲା,ଥପଥପ ଲୁହ ବୋହିଗଲା।ହେଲେ ସବୁ ହସିଲେ ଖୁଡ଼ି ଶାଶୁ ମୋର ହାତକୁ ଧରି ମସଲା କରି ଶିଖେଇଲେ,କହିଲେ ଗେରସ୍ତ କୁ,କି ଏମିତି କଞ୍ଚା ସିଜା ପରସିବୁ କିଲୋ!!ଏଇ କଥା ରେ ନେ ହସିଲେ ସବୁ।


କିଏ ଅଛି ମୋର ଏଠି,କାହିଁକି ରହିବି ଏଠି ଭାବି ରାଗିଲି,ଖାଇବା ବନ୍ଦ କରି କବାଟ କିଳି ମୁହଁ ମାଡି ପଡ଼ିଲି। ସାନ ଦିଅର ହାତରେ ଘରକୁ ଗୋଟେ ଅଭିମାନ ଭରା ଚିଠି ଲେଖି ପଠେଇ ଥିଲି ଯେ,ଶଶୁର ଦେଖିଲେ। ତା ଆରଦିନ ଶଗଡ଼ ଗାଡ଼ି ରେ ତାଙ୍କ ପାଖକୁ ପଠେଇ ଦେଲେ।ରାସ୍ତା ଯାକ ଲୁହ ବୋହୁ ଥାଏ,ବୋଉ କୁ ଦୋଷ ଦେବି କି ବାପା ଙ୍କୁ ନା ମାେ ପୋଡ଼ା କପାଳକୁ।ଭାବି ନେଇଥିଲେ ସେ ମତେ ବୋଧେ ଛାଡପତ୍ର ଦେଇଦେବେ।ତାଙ୍କ ପାଖରେ ପହଞ୍ଚି ମନ ସ୍ତିର କଲି ଗାଁ ରେ ମୋ ଅସୁବିଧା ବିଷୟରେ କହିବି, ପାଦ ପଡିବି,ଭୁଲ ମାଗିବି ଘରକୁ ନ ତଡ଼ିବା କୁ ଗୁହାରି କରିବି।ହେଲେ ସେଠି ପହଞ୍ଚି ଦେଖିଲି ସେ ମତେ ଦେଖି ଢେର୍ ହସିଲେ।ମୁଁ ଭିତରେ ରାଗରେ ଜଳି ଯାଉଥାଏ ହେଲେ ମତେ ସ୍ବାମୀ ଆଗରେ ମୁହଁ ଖୋଲିବା ମନା ତେଣୁ ନିଜେ ଚୁପ୍ ରହି ସେଦିନ କାଟି ଦେଲି।ଆରଦିନ ସେ ମତେ କିଛି ନ କହି ରୋଷେଇ ସାରି ଅଫିସ୍ ଚାଲିଗଲେ,କହିଗଲେ ମୁଁ ଖାଇ ଦେଇଛି ତୁମେ ଖାଇ ନବ।ମୁଁ ଚୁପ୍ କି ଯାଇ ରୋଷେଇ ଘର ଦେଖିଲେ,ଧୂଳି ଟିଏ ବି ପାଇଲି ନାହିଁ।ଭାବି ଆଶ୍ଚର୍ଯ୍ୟ ହେଲି ପୁଅ ପିଲା ହେଇ ଏତେ କଥା କେମିତି ଶିଖିଲେ।ମାେ ପାଇଁ ରୋଷେଇ କରିଗଲେ, ଗାଳି ବି ଦେଲେନି ମୁଁ କିଛି ବୁଝି ପାରୁ ନଥାଏ। ନ ଖାଇ ସେଦିନ ସେମିତି ବସି ରହିଲି,ଆସିଲେ ପଚାରିବି ଆଉ କହିବି ମାେ ମନ କଥା।ସେ ଆସି ଦେଖିଲେ ଖାଇବା ଘୋଡ଼ା ହୋଇ ସେମିତି ରହିଛି,କିଛି ନ କହି ଆଗ ମୋତେ ନିଜ ହାତରେ ଖୁଆଇ ଦେଲେ।ମୁଁ ପୁଣି କାନ୍ଦିଲି ସେ ଲୁହ ପୋଛି ଦେଲେ।କହିଲେ ଏବେ ଶିଖିନ କାଲି ଶିଖିଯିବ ଦୁଃଖ କରନି,ମୁଁ ପରା ଅଛି।ସେଦିନ ତାଙ୍କର ସେଇ କଥା ରେ ମୁଁ ତାଙ୍କୁ ବୋଧେ ନିଜର ଭାବି ନେଇଥିଲି।ତାଙ୍କ ପାଖରୁ ମୁଁ ସବୁ ଶିଖିଲି।ହାତ ଧରି ସବୁ ଶିଖେଇ ଥିଲେ।ଦିନ କେଇଟା ଭିତରେ ମୁଁ ହେଇଗଲି କୁଶଳୀ ଗୃହିଣୀ।ତାଙ୍କ ସାଙ୍ଗରେ ମୁଁ ପୁଣି ମୋ ଶାଶୁ ଘରକୁ ଫେରିଲି।ଦି ଦିନ ଭିତରେ ମାେ ଚଳଣି ଦେଖି ସବୁ ଆଖି ତରାଟି ଚାହିଁଲେ।ବଡ଼ ନାନୀ ତାଙ୍କୁ କେତେ କଥା ଥଟା ମଜାରେ କହିଗଲେ। ସେବେଠୁ ତୋ ଜେଜେ ମୋର ସବୁ କିଛି ହୋଇଗଲେ।ସେ ବଡ଼ ଚାକିରି ଛାଡ଼ି ଗାଁରେ ମାେ ସହ ରହିଲେ।ଦୁଃଖ ର ପବନ ତାଙ୍କୁ ଛୁଇଁଲେ ମୁଁ ମୋ ପଣତ ତାଙ୍କୁ ବଢେଇ ଦିଏ।ସେ ମତେ କୋଉ କଥାକୁ ମନା କରନ୍ତି ନାହିଁ।


ଆମେ ଦୁହେଁ ମିଶି ଗାଁ ର ଛୁଆଙ୍କୁ ପାଠ ପଢ଼ାଉ।ଭାଗବତ କେବେ ମୁଁ ପଢେ ତ କେବେ ସିଏ।ମାେ ଭଲ ମନ୍ଦରେ ସେ ମୋ ଛାଇ ପରି ଛିଡ଼ା ହେଇଛନ୍ତି ତାଙ୍କୁ ଛାଡି ମୁଁ କୁଆଡେ ଯିବି।ସେ ମତେ ଗୋଟେ ନୂଆ ଜୀବନ ଦେଇଛନ୍ତି।ତାଙ୍କ ପାଖରୁ ମୁଁ ବଞ୍ଚିବା ଶିଖିଛି,ଉଡ଼ିବା ଶିଖିଛି।ମୁଁ ଯାଇ ପାରିବିନି ତୁମେ ସବୁ ଯା।


ସେ ସହର ର କାନ୍ଥ ସବୁ ପଥର ପରି ଟାଣ, ସେଠି କାହା ଘରର ଲୁହ କାହା ଘରକୁ ଭେଦି ଯାଇ ପାରନ୍ତିନି ହେଲେ ମୋ ଗାଁ ର ମାଟି କାନ୍ଥ ରେ ପ୍ରତି ଟି ଘରର ଦୁଃଖ ଗୋବର ହେଇ ଲିପି ହୁଏ।ଖଡ଼ିକା ଝାଡୁ ରେ ଏଠି ପ୍ରତିଦିନ ପୁରୁଣା କଥାକୁ ବିଦା କରାଯାଏ। ଧାନ ଖଳାରେ ସୁନା ଫଳେ ପୁଣି ଭାତ ହାଣ୍ଡିରେ ଭୋକିଲା ପେଟର ଭୋକ ମରି ଫୁଟେ।ଖାଇବା ଥାଳି ପାଖରେ ପଡିଶା ଘରର ଥାଳି ଯୋଡ଼ା ହୁଏ।ଏଠି କାହା ଘରେ ଚଟ ପକେଇ ବସିଲେ ନାଲି ଚା ସାଙ୍ଗରେ ମୁଢ଼ି ଭାସି ଆଗରେ ଥୁଆ ହୁଏ। ଏ ଗାଁ ରେ ମାେ ଜୀବନ ଅଟକି ରହିଛି ଆଉ ମୁଁ ଏ ସବୁ ତାଙ୍କ ଠୁ ଶିଖିଛି।


ନାତୁଣୀ ସବୁ ଶୁଣି ସେଠୁ ଚାଲିଗଲା। ତା ଆରଦିନ ସେ ସମସ୍ତେ ଗାଡ଼ି ରେ ସହର ବାହାରିଲେ।ବୋହୂ କହିଲା ଆପଣ ତ ଯିବାକୁ ମନା କଲେ ନହେଲେ ଭାରି ଇଚ୍ଛା ଥିଲା ନେଇ ଯିବାକୁ।ଆମେ ଆସୁଛୁ ବୋଉ।ନାତୁଣୀ କୁ କାନି ରୁ ଖୋଲି ଶହେ ଟଙ୍କା ସହ ନିର୍ମାଲ୍ୟ ବଢେଇ ଦେଲି ହେଲେ ସେ ମୋ କାନି ଟାଣି କହିଲା ଜେଜି ବୋଉ ମୋ ପାଇଁ ବି ଗୋଟେ ତୋ ବର ପରି ଗାଉଁଲି ବର ଖୋଜି ଦେବୁ ନହେଲେ ମୁଁ ତୋରି ବରକୁ କୁ ହିଁ ବାହା ହେବି ଲୋ ଜେଜୀବୋଉ। ଏତକ ଶୁଣି ମୁଁ ଆଉ ସେ ହସି ହସି ରହିଲୁ।


Rate this content
Log in

Similar oriya story from Inspirational