Krishna Mishra

Classics

4.5  

Krishna Mishra

Classics

ଅନୁଭବ

ଅନୁଭବ

4 mins
462



ସୀମା, ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଅଧ୍ୟାପିକା। ସ୍ବଭାବ ଗମ୍ଭୀର, ଶକ୍ତ ମିଜାଜ୍, ଠିକ୍ ନଡ଼ିଆ ଟିଏ ଭଳି- ଉପରକୁ ଟାଣ ହୋଇ ଭିତର କୋମଳ। ଶ୍ରେଣୀ ରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ଦୃଷ୍ଟିରେ ଦେଖେ। କେବେ ପାତର ଅନ୍ତର କରେନାହିଁ। ସବୁଠାରୁ ବୁଦ୍ଧିଆ ପିଲା ଆଉ ଆଦଉ ପଢୁନଥିବା ପିଲା, ସଭିଏଁ ସମାନ ତା' ଦୃଷ୍ଟି ରେ। ଅନୁଷ୍ଠାନ ର ନିୟମ ମାନିବାରେ ମଧ୍ୟ ସେଇଭଳି।ନିଜେ ମାନିବା ସହ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ନିୟମ ମାନିବାକୁ ଉତ୍ସାହିତ କରେ। ଆଉ ନ ମାନିଲେ, ନିଜର ସ୍ବଭାବ ସୁଲଭ ଗମ୍ଭୀର ସ୍ବରରେ, ମାନିବାକୁ ବାଧ୍ୟ କରେ। ପ୍ରାୟତଃ, ସମସ୍ତ ଛାତ୍ରଛାତ୍ରୀ ତାକୁ ଭଲ ପାଆନ୍ତି ଯଦିଓ କେତେକଙ୍କୁ ତା'ର ଟାଣୁଆ ବ୍ୟବହାର ପସନ୍ଦ ଆସେନି।

 ମାତ୍ର ପଚିଶ ବର୍ଷ ବୟସରେ ଶିକ୍ଷା ଦାନ ବୃତ୍ତି ରେ ଯୋଗ ଦେଇଛି ସେ। ତେଣୁ, ଅନୁଷ୍ଠାନ ର ଅନ୍ୟ ଅନେକ ଅଧ୍ୟାପକ/ଅଧ୍ୟାପିକା, ତା'ଠାରୁ ବୟସରେ ଅଧିକ। ଅଧିକାଂଶ ଙ୍କ ପୁତ୍ର, କନ୍ୟା, ସୀମା ର ଛାତ୍ର ଛାତ୍ରୀ।


ଦିନକର କଥା। ଶ୍ରେଣୀ କୁ ଯିବା ବାଟରେ ଦେଖା ହେଲେ, ମଞ୍ଜୁ ମ୍ୟାଡମ୍। କହିଲେ, " ସୀମା! ଗୋଟିଏ କଥା କହିବି ଶୁଣିବ?"

ଶୁଭ ସକାଳ ର ଶୁଭେଚ୍ଛା ଜଣାଇ ସୀମା ଉତ୍ତର ଦେଲା, "ନିଶ୍ଚୟ ମ୍ୟାଡମ୍, କୁହନ୍ତୁ।"

"ଆରେ! କାଲି ସୈାରଭ ମୋତେ ପଚାରୁଥିଲା।"

ସୈାରଭ, ମଞ୍ଜୁ ମ୍ୟାଡମ୍ ଙ୍କ ପୁତ୍ର। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର। ସୀମା ତା'ର କ୍ଲାସ ଟିଚର୍।

ସୀମା ଆଶ୍ଚର୍ଯ୍ୟ ଦୃଷ୍ଟି ରେ ପଚାରିଲା, "କ'ଣ ମ୍ୟାଡମ୍?"

ମଞ୍ଜୁ ମ୍ୟାଡମ୍ ହସି ହସି କହିଲେ, " ସୀମା ମ୍ୟାମ୍ ବହୁତ ଭଲ। ହେଲେ ସବୁବେଳେ ଗମ୍ଭୀର, ତାଙ୍କୁ କେବେ ହସିବାର ମୁଁ ଦେଖିନି। ମୁଁ କ'ଣ, ଆମ କ୍ଲାସ ର କେହି ଦେଖି ନାହାନ୍ତି। ତୁମେ ଦେଖିଛ ମମି? ଭୁଲ୍ ରେ ବି କେବେ ନୁହେଁ। ସତରେ ଯେମିତି ପ୍ରତିଜ୍ଞା କରିଛନ୍ତି ନ ହସିବାକୁ।" "ସୀମା! ଆଜିକାଲିକା ପିଲା, ଅଧ୍ୟାପକ, ଅଧ୍ୟାପିକା ଙ୍କ ଠେଇଁ କେତେ କ'ଣ ଲକ୍ଷ୍ୟ କରନ୍ତି। ରାଗିବ ନାହିଁ ତ କହିଲି ବୋଲି? ମୋ କଥା ମାନିବ ଯଦି, କେତେବେଳେ କେମିତି ମଜାଳିଆ କଥା କହି ହସିବ ଓ ହସାଇବ," କହି ମଞ୍ଜୁ ମ୍ୟାଡମ୍ ଆଗକୁ ପାଦ ବଢାଇଲେ।ନାଇଁ ମ୍ୟାଡମ୍! ରାଗିବି କାହିଁକି? ହେଲେ ବିନା କାରଣରେ ହସିବା ମୋତେ ଭଲ ଲାଗେନାହିଁ। ସେମିତି କିଛି ପରିସ୍ଥିତି ଥିଲେ, ନିଶ୍ଚୟ ହସେ," କହି ସୀମା ଶ୍ରେଣୀ ରେ ପ୍ରବେଶ କଲା।


ଏଇ ଭିତରେ କିଛି ବର୍ଷ ବିତିଗଲାଣି। ସୀମା ପୁଣି ଥରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର, ପ୍ରଥମ ବର୍ଷ ର କ୍ଲାସ ଟିଚର୍। ପିଲାଙ୍କ ର ପ୍ରଥମ ଦିନ, ଶ୍ରେଣୀ ରେ। ସୀମା ପ୍ରବେଶ କଲା। ହଠାତ୍ ଦୃଷ୍ଟି ପଡ଼ିଲା, ସାମ୍ନା ବେଞ୍ଚ୍ ରେ ବସିଥିବା ପିଲାଟି ଉପରେ। ଉଚ୍ଚତା କମ୍। ଛୋଟ ପିଲା ଭଳି ଦିଶୁଥିବା ସେ ଛାତ୍ର ଟି, ହସ ହସ ମୁହଁରେ ଚାହିଁ ରହିଛି ସୀମା ଆଡ଼କୁ। ସୀମା କୁ ତା'ର ଚାହାଣି, କେମିତି ଏକ କଟାକ୍ଷ ଦୃଷ୍ଟି ମନେ ହେଲା। ପିଲାଟି କୁ ଚାହିଁ, ଗମ୍ଭୀର ସ୍ବରରେ ସେ ପଚାରିଲା," ଠିଆ ହେଲ ବାବୁ! ତମ ନା କ'ଣ?""ଶୁଭମ୍", ପୂର୍ବ ଭଳି ହସ ହସ ମୁହଁରେ ଉତ୍ତର ଦେଲା ପିଲାଟି।

"ଆଛ୍ଛା! ମୁଁ କ'ଣ ଜୋକର୍ ଭଳି ଦିଶୁଛି, ନା କିଛି ମଜା ଗପ କହିଲି? ଏମିତି ହସୁଛ କାହିଁକି?" ସୀମା ପଚାରିଲା।

ଶ୍ରେଣୀ ର ସମସ୍ତ ଛାତ୍ରଛାତ୍ରୀ ହସିଉଠିଲେ।

"ନାଇଁ ମ୍ୟାମ୍! ସେମିତି କିଛି ନାହିଁ", ଉତ୍ତର ଦେଲା ଶୁଭମ୍। ହେଲେ, ମୁହଁ ରେ ସେଇଭଳି ହସ ଲାଖି ରହି ଥାଏ।

ସୀମା ର କ୍ରୋଧ ବଢିଲା। ପାଟି କରି ଶାନ୍ତ କଲା ସଭିଙ୍କୁ। ଏହା ପରେ ଆରମ୍ଭ ହେଲା, ପରିଚୟ ପର୍ବ। ଜଣେ ଜଣେ ଠିଆ ହୋଇ, ନିଜର ନାମ, କେଉଁ ବିଦ୍ୟାଳୟ ରୁ ଆସିଛନ୍ତି ଏବଂ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କେତେ ନମ୍ବର ପାଇଛନ୍ତି, ସେ ବିଷୟରେ କହିଲେ। ଶୁଭମ୍ ମଧ୍ୟ ଜଣାଇଲା ଯେ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସେ ୯୫% ନମ୍ବର ରଖିଛି। ସେତେବେଳେ ମଧ୍ୟ ତା' ମୁହଁ ରେ ସେଇ ହସ। ପିରିୟଡ଼ ଶେଷ ହେବା ମାତ୍ରେ, ସୀମା ବିରକ୍ତି ମନୋଭାବ ରେ ଶ୍ରେଣୀ ତ୍ୟାଗ କଲା। ମନେ ମନେ ଭାବୁଥାଏ, "ପିଲାଟି ର ମୁଣ୍ଡ ଠିକ୍ ଅଛି ତ!"

ତା ପରଦିନ ସୀମା ଶ୍ରେଣୀ କୁ ଗଲା। ଦେଖିଲା, ଶୁଭମ୍ ପୂର୍ବ ଦିନ ଭଳି ପ୍ରଥମ ଧାଡି ରେ, ସେମିତି ହସ ହସ ମୁହଁରେ, ତା' ଆଡ଼କୁ ଚାହିଁଛି। ଏଥର ଆଉ କିଛି ନକହି, ସେ ଦିଗରୁ ଦୃଷ୍ଟି ଫେରେଇ ନେଲା ସୀମା । ପଢ଼ାଇବା ଆରମ୍ଭ କଲା। ଏମିତି ଦିନ ପରେ ଦିନ, ମାସ ପରେ ମାସ ବିତିଲା। କିନ୍ତୁ, ଶୁଭମ୍ ର ଭାବ ଭଙ୍ଗୀରେ କୈାଣସି ପରିବର୍ତ୍ତନ ହୋଇ ନାହିଁ - ଶ୍ରେଣୀ ରେ ପ୍ରଥମ ଧାଡି ରେ ବସିବା, ସେମିତି ହସ ହସ ମୁହଁରେ ଚାହିଁଥିବା। କେବେ ହେଲେ ଅନୁପସ୍ଥିତ ହେବାର ମଧ୍ୟ କେହି ଶୁଣି ନାହାନ୍ତି।


ପ୍ରଥମ ପରୀକ୍ଷା ରେ ଖୁବ୍ ଭଲ ନମ୍ବର ରଖିଲା ଶୁଭମ୍। ସୀମା ର, ତା' ପ୍ରତି ଥିବା କ୍ରୋଧ ଶାନ୍ତ ହେଲା।


ପରୀକ୍ଷା ପରେ ପୁଣି ଥରେ ପଢା ପଢି ଆରମ୍ଭ । ସୀମା ଦେଖିଲା, ଶୁଭମ୍ ନିଶ୍ଚଳ ହୋଇ ସେଇ ଭଳି ହସ ହସ   ମୁହଁରେ, ତା'କୁ ଚାହିଁଛି। ଏଥର ସୀମା, ନିଜେ ହସି ପକେଇଲା। ଅନ୍ୟ ଛାତ୍ର ଛାତ୍ରୀ ମାନେ ମଧ୍ୟ ହସି ଉଠିଲେ। ହେଲେ ଶୁଭମ୍? ସତେକି ହସ ମୁଦ୍ରା ରେ ବସିଛି! 


ଏଇଭଳି ଦୁଇ ବର୍ଷ ବିତିଗଲା। ଶୁଭମ୍ ନିଜକୁ, ସୀମା ମ୍ୟାମ୍ ଙ୍କ ପ୍ରିୟ ଛାତ୍ର ରୂପେ ପ୍ରମାଣ କରି ସାରିଥିଲା। ଶେଷରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇ, ଫଳାଫଳ ଘୋଷଣା ହେଲା।ଏଥର ମଧ୍ୟ, ଶୁଭମ୍, ୯୬% ନମ୍ବର ରଖି ପାସ୍ ହୋଇଥିଲା। ସୀମା, ଏବର୍ଷ କ୍ଲାସ ଟିଚର୍ ହୋଇ ନାହିଁ। ଅନେକ ଅନୁରୋଧ କ୍ରମେ, ତାକୁ ଏବର୍ଷ ଛାଡ଼ ଦିଆଯାଇଛି। ଶୁଭମ୍ ମାନଙ୍କ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କ ସହିତ ଏଭଳି ମମତା ସୃଷ୍ଟି ହୋଇଥିଲା ଯେ, ସେମାନଙ୍କ ପରେ ଅନ୍ୟ ଶ୍ରେଣୀ ର କ୍ଲାସ ଟିଚର୍ ହେବାକୁ ମନ ହେଉ ନ ଥିଲା ସୀମା କୁ।


ସେଦିନ, ଅନ୍ୟ ଏକ ଶ୍ରେଣୀ ରେ ପଢ଼ାଉଥିଲା ସୀମା।ପଛରୁ ପିଲାଙ୍କ ଫୁସୁରୁ ଫାସର ଶୁଣି, ପଛକୁ ବୁଲି ଦେଖିଲା ବେଳକୁ ଶୁଭମ୍, ଶ୍ରେଣୀ ଦୁଆର ପାଖରେ, କବାଟ କୁ ଲାଗି ଠିଆ ହୋଇ ଚାହିଁଛି ସୀମା ର ପଢାଇବାକୁ ( ବ୍ଲାକ୍ ବୋର୍ଡ ଆଡ଼କୁ)।

"ଆରେ ଶୁଭମ୍! ତମେ କୁଆଡେ? ଏମିତି ଠିଆ ହୋଇଛ କାହିଁକି?" ସୀମା ପଚାରିଲା।

"ମାର୍କଶୀଟ ନେବାକୁ ଆସିଥିଲି। ଏଇ ଦେଖନ୍ତୁ। ଦୟାକରି ମୋତେ ଟିକିଏ ଆପଣଙ୍କ କ୍ଲାସ ରେ ବସିବାର ଅନୁମତି ଦେବେ? ଆଉ ତ କେବେ ଆପଣଙ୍କ କ୍ଲାସ ରେ ବସିବାର ସୁଯୋଗ ମିଳିବ ନାହିଁ," ଲୁହ ଛଳଛଳ ଆଖିରେ ଉତ୍ତର ଦେଲା ଶୁଭମ୍।

"ଆରେ ବାବୁ! ଏଇ ଶ୍ରେଣୀ ର ପଢା ସରିଲା। ତମେ ତ ଏହା ପରେ ପ୍ରଫେସନାଲ କଲେଜରେ ପଢ଼ିବ। ଆଉ ଏମିତି ମନ ଦୁଃଖ କାହିଁକି? ପ୍ରତିଦିନ, ତମ ହସ ହସ ମୁହଁକୁ ଚାହିଁ, ମୁଁ ହସିବା ଶିଖିଲି। ଆଉ ତମେ ଏମିତି....." ବୁଝାଇବାକୁ ଚେଷ୍ଟା କଲା ସୀମା।

"ମ୍ୟାଡମ୍ ପ୍ଲିଜ୍! ବାସ୍ ଆଜି ଦିନଟା ପାଇଁ କ୍ଲାସ ରେ ବସିବାକୁ ଦିଅନ୍ତୁ...."। ଶୁଭମ୍ ର ଜିଦ୍ ଆଗରେ,

ସୀମାକୁ କିଛି ବୁଦ୍ଧି ଦିଶୁ ନ ଥାଏ। ହଠାତ୍! ଦୂରରୁ ପ୍ରିନ୍ସିପାଲ୍ ଆସୁଥିବାର

ଦିଶିଲେ। ସୀମା ବାଧ୍ୟ ହୋଇ, "ସାର୍ ଆସୁଛନ୍ତି" କହି ଶୁଭମ୍ କୁ ଯିବାକୁ ନିର୍ଦ୍ଦେଶ ଦେଲା। ଦୁଇ ବର୍ଷ କାଳ, ସବୁଦିନ ହସ ହସ ଦିଶୁଥିବା ମୁହଁ ଟି , ସତେକି ମଳିନ ପଡ଼ିଯାଇଛି। 

ସୀମା ର ପାଦ ଛୁଇଁ ଆଗକୁ ଧୀରେ ପାଦ ବଢାଇଲା ଶୁଭମ୍। ଯାଉ ଯାଉ, ବାରମ୍ବାର ପଛକୁ ଫେରି ଚାହୁଥିଲା ସେ ।


   


Rate this content
Log in

Similar oriya story from Classics