STORYMIRROR

Sudeshna Misra

Tragedy Others

4  

Sudeshna Misra

Tragedy Others

ସୁରକ୍ଷିତ ବାସ

ସୁରକ୍ଷିତ ବାସ

4 mins
323


ପିଠିରେ ଟ୍ରକରୁ ଚାଉଳ ବସ୍ତା ବୋହିଆଣି ଗୋଦାମ ଘରେ ସଜାଡି ରଖିବା ପରେ ଗାମୁଛାରେ ଝାଳ ପୋଛିଲା ଦୀପକ୍। ଟ୍ରକରୁ ଚାଉଳ ବସ୍ତା ଓହ୍ଲାଇବା ଓ ତାକୁ ଗୋଦାମ ଘରେ ସଜାଡ଼ିକି ରଖିବା ହେଉଛି ତାର ନିତି ଦିନିଆ କାମ। କଳିଙ୍ଗନଗର କେ ୩ ପାଖରେ ଗୋଟିଏ ଚାଉଳ ଗୋଦାମରେ କାମକରୁଥିଲା ଦୀପକ। । ଗୋଦାମ ମାଲିକ ସେମାନଙ୍କୁ ସେଇ ଗୋଦାମ ଘରର ଗୋଟିଏ କୋଣରେ ରହିବାକୁ ଜାଗା ଦେଇଥିଲା। ସେଇଠି ସେମାନେ ରହୁଥିଲେ ଓ ରନ୍ଧାବଢ଼ା କରି ଖାଉଥିଲେ। ପାଣି ଆଉ ବିଦ୍ୟୁତ ସଂଯୋଗ ଥିବାରୁ, ସେମାନଙ୍କୁ ଦିନ ଓ ରାତିରେ ଚଳିବାକୁ ଅସୁବିଧା ହେଉନଥିଲା। ସେଇଟା ଥିଲା ତାଙ୍କ ଘର। ରହିବା ସହିତ ମାଲିକର ଗୋଦାମ ଜଗିବା କାମ ବି ହେଇଯାଉ ଥିଲା। ମାଲିକ କିନ୍ତୁ ତା ଦରମାରୁ ଘରଭଡ଼ା ବାବଦ ଦୁଇ ହଜାର ଟଙ୍କା କାଟି ରଖୁଥିଲା। ସବୁ କଟିଗଲା ପରେ ଦୀପକକୁ ମିଳୁଥିଲା ମାତ୍ର ଆଠ ହଜାର ଟଙ୍କା। ସେଥିରେ ସେ ଓ ତାର ପରିବାର କୌଣସି ମତେ ଚଳି ଯାଉଥିଲେ।

  

ଦୀପକର ପରିବାର କହିଲେ, ତା ସ୍ତ୍ରୀ ଗୀତା , ପୁଅ ରୋହନ୍ ଓ ଝିଅ ଲିଜା। ପାଞ୍ଚବର୍ଷର ପୁଅ ରୋହନ୍ ସ୍କୁଲ ନଯାଇ ଥିଲେବି ଟ୍ଯଉସନ୍ ଯାଉଥିଲା। କିଛି କିଛି ପାଠ ଆରମ୍ଭ କରୁଥିଲା। ସାନ ଝିଅ ତିନିବର୍ଷର। ସେତ ଛୋଟ ଛୁଆଟା , ଖେଳେ ଓ ବେଳେ ବେଳେ ବହିରୁ ଛବି ଦେଖେ। ଛବି ଦେଖିବାକୁ ଓ ଗପ ଶୁଣିବାକୁ ବହୁତ ଭଲପାଏ କୁନିଝିଅ ଲିଜା। ଏଇ ଥିଲା ଭୁବନେଶ୍ୱରରେ ତାଙ୍କର ଛୋଟ ସଂସାର। ଗାଁ ରେ ବାପା ମାଁ ଓ ପରିବାରର ଅନ୍ୟମାନେ ରହୁଥିଲେ। ସେଠି ସେମାନଙ୍କର ଘରଟିଏ ଥିଲେବି ବର୍ଦ୍ଧିଷ୍ଣୁ ପରିବାର ଭିତରେ ସ୍ଥାନ ଓ ବଞ୍ଚିବା ପାଇଁ ସମ୍ବଳ ନିଅଣ୍ଟ ପଡ଼ିଲା। ଦୀପକ ଓ ଗୀତାଞ୍ଜଳି ବାହାରି ଆସିଲେ ନିଅଣ୍ଟିଆ ସ଼ଂସାର ଭିତରୁ। ଆଉ ବହୁତ ଲୋକଙ୍କ ପରି ମୂଲ କାମ ଖୋଜିବାକୁ ନାକାଗେଟ୍ ପାଖରେ ଠିଆହେଇଥିଲା। ସେଇଠୁ ତାକୁ ମିଳଗଲା ଏଇ କାମଟି।

  

ତିନିମାସ ଏଇ ଚାଉଳ ଗୋଦାମରେ ସୁରୁଖୁରୁରେ କଟିଗଲା ସେମାନଙ୍କ ଦିନ। ଯଦିଓ ଖଟଣି ବହୁତ ବେଶୀ ଥିଲା, କିନ୍ତୁ ମାସ ଶେଷରେ ଦରମା ଓ ରହିବା ପାଇଁ ମୁଣ୍ଡ ଉପରେ ଛାତଟିଏ ତ ଅଛି।

ଦେହ ପା ଖରାପ ପିଲାଙ୍କୁ ଭଲ ମନ୍ଦ ଟିକେ ଖାଇବାକୁ ଦେବା, ପୋଷାକ ପତ୍ର, ଟ୍ଯୁସନ୍ ଖର୍ଚ୍ଚ ଆଦି ତୁଲେଇବାକୁ ପୁଣି ନିଅଣ୍ଟ ପଡ଼ିଲା। ତେଣୁ ତା ସ୍ତ୍ରୀ ଅଧିକ ରୋଜଗାର ପାଇଁ ବାଧ୍ୟ ହେଇ ବାହାରିଲା କାମକରି।  


ଦୀପକର ସ୍ତ୍ରୀ ଗୀତାଞ୍ଜଳି ବାହାଘର ଆଗରୁ ତାମିଲନାଡୁ ପୋଷାକ ତିଆରି କାରଖାନାରେ କାମ କରୁଥିଲା। ଚାରିଆଡକୁ ତାର ବେଶ୍ ନଜର। ଭଲ ବ୍ଯବହାର। ସାଧାରଣ କାମବାଲୀ ଙ୍କୁ ଭିନ୍ନ। ତେଣୁ କାମ ପାଇଗଲା। ଗୋଦାମ ମାଲିକ ବି ଚାହୁଁ ଥିଲେ ଗୀତା ତାଙ୍କ ଘରେ କାମ କରୁ ବୋଲି। ନିଜ ଶକ୍ତିଠୁ ଅଧିକ କାମ କରି ପାରିବ ନାହି଼ଁ ବୋଲି ଗୀତା ଏଡେଇ ଦେଇ ଚୁପ୍ ରହୁଥିଲା। ଦୀପକ କେତେବେଳେ କେମିତି ନିଶାପାଣି କରେ। କାମ ଯୋର ପଡ଼ିଲେ, ଟିକେ ପିଇଦିଏ, କଷ୍ଟ ଲାଘବ ପାଇଁ। 


ସେଦିନ ବହୁତ ବସ୍ତା ବୋହିକି ଆଣିବାର ଥିଲା। ପିଠି ରେ ଯନ୍ତ୍ରଣା ଓ ଗୋଡ଼ ତାର ଚଳୁନଥାଏ। ଥକାମାରି ବସିପଡିଥାଏ। ଚାଉଳ ଆଣିଥିବା ଟ୍ରକର କ୍ଲିନର ଟିକେ ନିଛାଟିଆ ଜାଗାକୁ ତାକୁ ଡ଼ାକିନେଲା। ସେଇଠି ଚିକେନ୍ ପକୋଡା ବାଦାମ ଭଜା ଓ ସିଝା ଅଣ୍ଡା ସହିତ ସେମାନେ ଦିଟା ବୋତଲ୍ ପୁରା ସାରିଦେଲେ। ଆକାଶରେ ଉଡ଼ିବା ପରି ଲାଗୁଥାଏ ଦୀପକକୁ। ସବୁ କଷ୍ଟ ଚାଲିଗଲା ତାର। ସେଇଠି ସେ ପଡିଗଲା ଅଝାଲ୍ ନିଦରେ। ୟା ଭିତରେ କେତେବେଳେ ବିତିଯାଇଛି। ମାଲିକର ପାଟିରେ ତା ନିଦ ଭାଙ୍ଗିଲା। ଗୀତା ବି ଖୋଜି ଖୋଜି ସେଇଠି।


ବହୁତ ପାଟିତୁଣ୍ଡ ପରେ ମାଲିକ ତାକୁ କାମରୁ ଓ ଘରୁ ବାହାର କରିଦେବାକୁ ଧମକ ଦେଲା। ଘରୁ ବାହାରି ଗଲେ ଛୁଆ ଦୁଇଟିଙ୍କୁ ଧରି ଯିବ କୁଆଡେ ? ସ୍ବାମୀ ତ ଟୁଳୁ ଟୁଳୁ,ଗୀତା ଆଖୁରୁ ଜୁଳୁଜୁଳିଆ ପୋକ‌ ବାହାରିଲାଣି। 

"କାମ ନକଲେ ମୁଁ ଘରୁ ବାହାର କରିଦେବି"

"ମୁଁ କାମ କରିବି ସାର୍"


ତାଙ୍କ ପାଇଁ ମୁଣ୍ଡ ଉପରେ ତ ଗୋଟେ ଛାତ ଦରକାର ନା। ମା'ର ହିଁ ଛୁଆଙ୍କ ପାଇଁ ଚିନ୍ତା। ମାଲିକର ଘରେ ଭିଡ କାମ, ପୁଣି କିଛିବାଟ ଚାଲିକି ଯିବାକୁ ପଡ଼ିବ। ପାଖରେ ଥିଲାବେଳେ ପିଲାମାନଙ୍କୁ ଦେଖିପାରୁଥିଲା। ଏବେ ପିଲା ଦିଜଣ ଏପଟ ସେପଟ ବୁଲିଲେ। କିନ୍ତୁ ଉପାୟ ନାହିଁ । ମାଲିକର ଲୋକ ଦରକାର ଥିଲା। ଦୀପକ ଭଲ କାମ କରେ, ପୁଣି ବିନା‌ ଅଭିଯୋଗରେ। ତେଣୁ ସେ ପୁଣି ଦୀପକକୁ କାମରେ ରଖିଦେଲା। ଏଥର ତାକୁ ବାହାରକୁ ପଠେଇଲା, ବିଭିନ୍ନ କାମ ପାଇଁ।

ବାପା, ଯାହା ଟିକେ ଗୋଦାମ ରେ ଛୁଆ ମାନଙ୍କୁ ଦେଖିପାରୁଥିଲା, ଏବେ ତା ବି ବନ୍ଦ। ସେଦିନ ସାନଛୁଆଟା ଖେଳୁ ଖେଳୁ ରାସ୍ତାକୁ ଚାଲି ଆସିଥିଲେ । ଗୋଟେ ଗାଡ଼ି ମାଡି ଯାଇ ଥାଆନ୍ତା। ପାଖ ଦୋକାନର ଲୋକ ଟାଣି ଆଣିଲେ। ପରିଶ୍ରମ ସହିତ ଚିନ୍ତାର ଶେଷ ନାହିଁ ଗୀତା ପାଇଁ । ପାଖରେ କାମଟିଏ ମିଳିଲେ ଛାଡି ଦିଅନ୍ତା ଏ ଦୂର କାମଟାକୁ। ହେଲେ ଗୋଦାମ ମାଲିକ ତାକୁ ଛାଡ଼ିବାକୁ ନାରାଜ। 


ଆଉ ପାରିଲାନି, ଛାଡିଦେଲା ସେ କାମ। ଗୋଦାମ ମାଲିକର ଅସନ୍ତୋଷ, ସେଥିରୁ ରାଗରେ ପରିଣତ ହେଲା- "ତମେ ଘର ଛାଡ଼ିଦିଅ "

 

ଚାଲିଲା ଘରଖୋଜା। ସାତଦିନ ସମୟ ଅବଧି। ସେଠି ବସ୍ତି ନାହିଁ ଯେ ଘରଟିଏ ଶୀଘ୍ର ମିଳିଯିବ। ବେଶୀଭଡା ବାଲା ବଡ଼ ଘର ମିଳି ଯାଉଛି । କିନ୍ତୁ ତାର ସମ୍ବଳ ଭିତରେ ଘର କାହିଁ? ଦୁଆର ଦୁଆର ବୁଲିଲା। କିଛି ସୁଫଳ ନାହିଁ। 

"ଦିନ ସରିଗଲା, ଆଜି ଘର ଛାଡ଼ିଦିଅ।"

ଚୁଲି ଓ ଜିନିଷ ପତ୍ର ଧରି ଆଉ ଜଣଙ୍କ ପିଣ୍ଡାରେ ବସିଲେ। ଜଣେ ଲୋକ ଦୟାକରି ତାଙ୍କ ଦୋକାନ ଘରେ ରାତିରେ ରହିବାକୁ ସ୍ଥାନ ଦେଲେ। କିନ୍ତୁ ସେ ବା କେତେଦିନ ପାଇଁ। କିଛି ଲୋକ ଘର ମିଳିଯିବ କହି ଆଶା ଦେଖେଇଲେ। ଆଗୁଆ ଟଙ୍କା ନେଇ ପହଞ୍ଚିଲେ କହିବେ "ଘର ନାହିଁ"

ସେଇ ପିଣ୍ଡାରେ ରହିବା ଗୋଟେ ସପ୍ତାହ ହେଇଗଲାଣି। ଗୀତା ଓ ଛୁଆମାନଙ୍କୁ ଜର।‌ ଆଉ ଶକ୍ତି ନଥାଏ ତାର। କିଛି ଲୋକ ତାକୁ ଶୁଣିକି ଆଶ୍ବାସନା ଦେଇଛନ୍ତି ପହିଲା ବେଳେ ଖାଲି ହେବ ଘର। ତେଣୁ ସେପର୍ଯ୍ୟନ୍ତ ପିଲାଙ୍କୁ ନେଇ ଗାଁରେ ରହିବ ବୋଲି ଠିକ୍ କଲା।

ଗାଁରେ, ତାଙ୍କର ତିନି ବଖରା ଘର, ବଡ଼ ପିଣ୍ଡାଟେ। ଛୋଟ ଅଗଣା ସହ ବାଡି ଖଣ୍ଡେ। କିନ୍ତୁ ବାପା ମାଁ ଅନ୍ଯ ଭାଇ ମାନଙ୍କ ପିଲା ଓ ପରିବାର ମିଶି ଦଶଜଣ। ଗେଞ୍ଜି ଗାଞ୍ଜି ହେଇ ରହି ଯାଆନ୍ତି। ଜମିବାଡ଼ି ବେଶୀ ନଥିବାରୁ ଫସଲ ଅମଳ କମ୍‌। ତେଣୁ ରୋଜଗାରର ବ୍ଯବସ୍ଥା କମ୍ ଯୋଗୁଁ ବାଧ୍ଯ ହେଇ ସହର ଆସିବା କଥା।

 ଜିନିଷ ଗୁଡ଼ିକ ଗୋଟେ ଦୋକାନରେ ରଖି ବସ୍ ରେ ବସିଲା।


ଗାଁରୁ ଫେରି ଘର ପାଇଁ କହିଥିବା ଲୋକ ପାଖକୁ ଗଲା । ସକାଳୁ ତିନି ଘଣ୍ଟା ବସିଲା ପରେ ସେ କହିଲେ ଉପର ଓଳି ଆସ। 


ନାଁ ଘର ହେବନି,ପୁରୁଣା ଲୋକ ଛାଡୁନି। ନିରାଶ ହେଇ ଫେରିଲା।


ପାଖରେ ଗୋଟେ ଚାରି ମହଲା କୋଠା ତିଆରି ଚାଲିଛି।କବାଟ ଝରକା ଲାଗିନି। ଘର ମାଲିକ କହିଲେ 

"ଏଇଠି କିଛିଦିନ ପାଇଁ ରହିପାରିବ, କିନ୍ତୁ ତମ ରିସ୍କରେ। ଆଉ କବାଟ ଝରକା ଲାଗି ଭଡ଼ା ଲାଗିବା ପୂର୍ବରୁ ଛାଡିଦେବ" 


ଅଗତ୍ୟା ହଁ କହି ଗୀତା ଓ ଦୀପକ ସେଇଠି ରହିଗଲେ। ଦିନେ ଦୁଇଦିନ ଭିତରେ ଦଦରା ଭଙ୍ଗା ଟିଣ ଦିଖଣ୍ଡ ଆଣି ଦୁଆରରେ ଢେରାଦେଇ ବନ୍ଦ କରୁଥିଲା ବେଳେ ଗୀତା ଭାବୁଥିଲା, ଦୀପକ ଅନ୍ଯ ଜାଗାରେ କାମକୁ ଗଲାପରେ ରାତିରେ ଏଘର ତାପାଇଁ ଓ ଛୋଟ ଝିଅ ପାଇଁ କେତେ ସୁରକ୍ଷିତ। ଅତି ଶୀଘ୍ର ଘରଟେ ଖୋଜିବାକୁ ପଡ଼ିବ ତାଙ୍କୁ।


ରାତିରେ ଭଲ ନିଦ ହେଉନଥିଲା ଗୀତାକୁ। ଜାଣିନଥିଲା ଏହାର ଅନ୍ତ କୋଉଠି।




Rate this content
Log in

Similar oriya story from Tragedy