ନାରୀ ମହୀୟସୀ
ନାରୀ ମହୀୟସୀ
ସକାଳ ପାଞ୍ଚଟା ବାଜିବାକୁ ଯାଉଥିଲା , ମିତାର ନିଦ ଭାଙ୍ଗିଲା। ପାଖରେ ଥିବା ମୋବାଇଲ୍ ଫୋନ୍ଟାରେ ସମୟ ଦେଖି ଧଡପଡ ହେଇ ଉଠି ବସିଲା ସେ। ଆଜି ଡେରି ହେଇଗଲାଣି ଉଠିବାକୁ। ତରବର ହେଇ ଗାଧୁଆ ଘରକୁ ପଶିଲା। ପ୍ରାୟ କୋଡିଏ ମିନିଟ୍ ଭିତରେ ନିତ୍ୟକର୍ମ ସାରି ବାହାରି ଆସିଲା। ପାଖ ରୁମ୍ରେ ଯାଇ ଦେଖିଲା ବବୁଲ୍ ଶୋଇଛି। ଶାଶୁ ଉଠି ସାରି ବିଛଣାରେ ବସିଛନ୍ତି। ସଙ୍ଗେ ସଙ୍ଗେ ରୋଷେଇ ଘରକୁ ଯାଇ ଗ୍ୟାସ୍ ଅନ୍ କରି ସସପ୍ଯାନ୍ ରେ ଚାହା ବସେଇଲା ମିତା। ସକାଳୁ ଉଠୁ ଉଠୁ ଚାହା ଟିକେ ପିଅନ୍ତି ଶାଶୁ। ଚାହା ପାଣି ଫୁଟୁ ଫୁଟୁ, ରୁଟି କରିବାକୁ ଅଟା କାଢ଼ି ଆଣିଲା। ଫ୍ରିଜ୍ରୁ ପରିବା କାଢି କାଟିବା ଯୋଗାଡ କଲା। ତାପରେ ଗଲା ଶାଶୁଙ୍କୁ ଚାହା ଓ ବିସ୍କୁଟ ଦେବାକୁ।
"ବୋଉ ଆପଣ ଟିକେ ବବୁଲ୍କୁ ଉଠେଇ ଦେବେ। ମୁଁ ଯାଉଛି ଜଳଖିଆ କରିବି। "
ଅଟା ଚକଟି ଘୋଡେଇକି ରଖି ଦେଇ ପରିବା କାଟି ନେଲା ମିତା। ଗ୍ୟାସ୍ ର ଗୋଟେପଟେ ଭଜା ଓ ଅନ୍ୟ ପଟେ ରୁଟି ଓ ପରଟା ବେଲି ସେକିବାକୁ ଆରମ୍ଭ କଲା। ପ୍ରତ୍ୟୁଷ ଅଫିସକୁ ନିଅନ୍ତି ପରଟା ଭଜା। ବବୁଲ୍ ପାଇଁ ଆଳୁ ପରଟା ଆଉ ସେ ନିଜେ ନେବ ରୁଟି ଓ ଭଜା। ଶାଶୁ ବି ସକାଳୁ ରୁଟି ଭଜା ଖାଆନ୍ତି।
ୟା ଭିତରରେ ପ୍ରତ୍ୟୁଷ ଉଠିପଡ଼ିଲେଣି। ତାଙ୍କର ବି ଚାହା ଦରକାର। ଚାହା କପ୍ଟି ତାଙ୍କୁ ଦେଇ ଶୋଇବା ଘରେ ମଶାରୀ ଖୋଲି ବିଛଣା ସଜାଡି ଦେଲା।
"ଆଜି କାହିଁକି ଚାହା ଟା ଭଲ ଲାଗିଲାନି ମ, ଆଉ କପେ ଦିଅନ୍ତନି"
ପ୍ରତ୍ୟୁଷଙ୍କ ସ୍ବର କାନରେ ବାଜୁଥିଲା ମିତାର। ଆଜି ଡେରିହେଇଯାଇ ଥିବାରୁ ଏକା ସାଙ୍ଗରେ ଅଧିକ ଚାହା କରି ଥରମ୍ ଫ୍ଲାସରେ ରଖି ଦେଇଥିଲା ସେ। ଅଗତ୍ୟା ଆଉଥରେ ଚାହା ବସେଇଲା। ମିତା ଚାହା ପିଏନି। ସେଇ ସମୟଟା ବଞ୍ଚେଇ ନିଏ ଅନ୍ଯକାମ କରିବା ପାଇଁ ।
ଖବର କାଗଜ ପଢ଼ୁଛନ୍ତି ପ୍ରତ୍ୟୁଷ। ତାଙ୍କୁ ଚାହା କପ୍ ଟି ଧରେଇ କହିଲା, "ଟିକେ ବବୁଲକୁ ରେଡି କରେଇ ଦିଅନ୍ତନି।"
"ମତେ ବି ଆଜି ଶୀଘ୍ର ଯିବାକୁ ହେବ ମିତୁ, ଆଉ ସମୟ ନାହିଁ"। ମିତା ଚୁପ୍ ରହିଲା।
କାନ୍ଥଘଣ୍ଟାରେ ଆଠଟା ତିରିଶ। ବେଶ୍ ଡେରି। ଏଥର ତାକୁ ବବୁଲକୁ ରେଡି କରିବାକୁ ପଡ଼ିବ ସ୍କୁଲ ଯିବା ପାଇଁ ଆଉ ନିଜେ ବି ପ୍ରସ୍ତୁତ ହେବାକୁ ପଡିବ, ଅଫିସ୍ ଯିବା ପାଇଁ। ପାଦ ଚଞ୍ଚଳ କଲା ମିତା ।
ବବୁଲ୍ କୁ ପ୍ରସ୍ତୁତ କରି ଗଲା ରୋଷେଇ ଘରକୁ ସମସ୍ତଙ୍କର ଟିଫିନ୍ ସଜାଡିବାକୁ। ବବୁଲ୍ ପାଇଁ ବର୍ଣ୍ଣଭିଟା ଓ ଦିଟା ବିସ୍କୁଟ ଦେଇ ଶାଶୁଙ୍କ ପାଇଁ ମଧ୍ୟ ଥାଳିରେ ରୁଟି ଭଜା ବାଢି ଘୋଡେଇ କି ଖାଇବା ଟେବୁଲ୍ ଉପରେ ରଖିଦେଲା।
"ବୋଉ ଆଜି ରାନ୍ଧୁଣିଆ ଆସିବନି। ମୁଁ ଖେଚେଡ଼ି ପାଇଁ ଚାଉଳ ଡାଲି ଧୋଇ ଦେଇଛି। ଆପଣ ଖାଲି ପ୍ରେସର ରେ ବସେଇ ଦେବେ। ଆଳୁ ସିଝାଇ ରଖିଛି।"ଶାଶୁଙ୍କର ଗରମ ଗରମ ଖାଇବା ଅଭ୍ୟାସ।
"ହଉ କରିବି ଖାଇବି" ତାଙ୍କ ସ୍ବରରେ ଅଶାନ୍ତିର ଆଭାସ।
ପ୍ରତ୍ୟୁଷ ବବୁଲକୁ ନେଇ ବାହାରିଗଲେ । ତାଙ୍କୁ ବାଟେଇ ଦେଇ ଆସି ମୁହଁ ଧୋଇ ବିନ୍ଦି ଓ କଳା ଲଗେଇଲା ମିତା। ପାଦରେ ସ୍ଯାଣ୍ଡ୍ଯାଲଟା ଗଳେଇ ଗେଟ୍ ଖୋଲୁ ଖୋଲୁ ଭାବୁଥିଲା ଶୀଘ୍ର ଅଟୋଟା ମିଳିଯାଉ, ଆଜି ଅଫିସରେ ବହୁତ କାମ।
ଅଟୋରେ ବସୁ ବସୁ ପ୍ରତ୍ୟୁଷ ଙ୍କ ମେସେଜ।
ପ୍ଲିଜ୍ ଆରେଞ୍ଜ ଟ୍ବେଣ୍ଟି ଥାଉସାଣ୍ଡ ଫର୍ ମି।
ହ୍ବାଇ ?
ଆରେ ମଣ୍ଟୁ ଝିଅର ସ୍କୁଲ ଆଡମିସନ୍। କୋଡ଼ିଏ ହଜାର ଦରକାର ପଡ଼ୁଛି। ମୋ ପାଖରେ ଏବେ ନାହିଁ। ଏଫ.ଡି ପରେ ସବୁ ସେୟାର୍ ରେ ଲଗେଇ ଦେଇଛି।
ମଣ୍ଟୁ ପ୍ରତ୍ୟୁଷଙ୍କ ସାନଭାଇ। ଦି ଭାଇଙ୍କ ଭିତରେ ବହୁତ ଭଲ ସଂପର୍କ ସାନଭାଇ ପାଇଁ ଜୀବନ ଦେଇଦେବେ ପ୍ରତ୍ୟୁଷ।
"ହଉ ପଠଉଛି" ମେସେଜ୍ ଦେଲା ମିତା।
ମିତା ଅଫିସ୍ ଯିବାକୁ ହଇରାଣ ହେଉଛି ବୋଲି ସ୍କୁଟିଟେ କିଣିବାକୁ ବର୍ଷେ ହେଲାଣି ପଇସା ସଞ୍ଚୁଥିଲା। ସମୁଦାୟ ଯୋଗାଡ଼ କରି ରଖିଥିଲା ପଚିଶ ହଜାର।
***** *****
"ବାବା ଦେହ କେମିତି ଲାଗୁଛି।" ଅସ୍ତି ବାଚକ ଭାବେ ମୁଣ୍ଡକୁ ଟୁଙ୍ଗାରିଲେ ଶଶୁର। ଏବେ ଶଶୁରଙ୍କୁ ବେଡ୍ ପ୍ଯାନ୍ ଦେଇକି ଆସିଲେ କୁନ୍ତଳା। ତାପରେ ବିଛଣା ଝାଡି ଅଏଲ କ୍ଲଥରେ ପାଉଡର ପକେଇଲେ, ବେଡ୍ ସୋର୍ ହେବନି ବୋଲି। ଦିନ ଏଗାରଟା ବାଜିଲାଣି। ଚାହା ଜଳଖିଆ ପର୍ବ ସାରିକି ଶଶୁରଙ୍କ ପାଖକୁ ଆସିଥିଲେ ସେ। ରାତି ଡ୍ୟୁଟି ରେ ଥିବା ଝିଅଟି ଶଶୁରଙ୍କୁ ଜଳଖିଆ ଖୋଇକି ଯାଏ। ବାବାଙ୍କୁ ପୋଛାପୋଛି କରି ଭାତ ଖୋଇଦେବା, ଔଷଧ ଦେବା, ଚାହା ଜଳଖିଆ ଆଦି ଦିନ ସାରା ର ଦାୟିତ୍ୱ କୁନ୍ତଳାଙ୍କର। ଠିକା ସ୍ତ୍ରୀ ଲୋକଟି ଆସି ଘର ଓଳା ପୋଛା ଓ ବାସନ ମଜା କରିଦିଏ। ଓ୍ବାସିଂ ମେସିନରୁ ଲୁଗା ନେଇ ଶୁଖାଇ ଦିଏ।। ତୋଳି ଆଣି ଲୁଗା ଚଉତେଇ ରଖିବା, ବିଛଣା ପକେଇବା, ଖାଇବାକୁ ବାଢିକି ଦେବା ଇତ୍ୟାଦି ଘରର ଅନେକ ଛୋଟ ବଡ଼ କାମ ସବୁ କରନ୍ତି କୁନ୍ତଳା।
କୁନ୍ତଳାଙ୍କ ସ୍ବାମୀ ସକାଳୁ ତାଜା ଫଳରସ ପିଅନ୍ତି। ବ୍ୟାୟାମ କରନ୍ତି। ତା ସହିତ ଗଜାମୁଗ, ବୁଟ ଇତ୍ୟାଦି ଖାଆନ୍ତି। ନିଜର ସ୍ବାସ୍ଥ୍ୟ ପାଇଁ ସେ ବହୁତ ଯତ୍ନବାନ୍। ଚାହା ଇତ୍ୟାଦି ତାଙ୍କର କୌଣସି ଅଭ୍ୟାସ ନାହିଁ। ତାଙ୍କ ପାଇଁ ଏସବୁ ଯୋଗାଡ଼ କରି ରଖନ୍ତି କୁନ୍ତଳା। ଦିନକୁ ଆଗରୁ ବୁଟ ଓ ଗୋଟିଏ ରାତି ଗୋଟା ମୁଗ ବତୁରେଇ ଦିଅନ୍ତି। ଆଜି ଜଳଖିଆରେ ସତ୍ୟବ୍ରତ ଇଡିଲି ଓ ସମ୍ବର ଖାଇକି ଗଲେ। ଶଶୁରଙ୍କ ପାଇଁ କ୍ଷୀର ଓ ଓଟ୍ସର ପରିଜ୍। ଶୀତଦିନ ଥିବାରୁ ଟିକେ ଉଷୁମ୍ ଖାଉଛନ୍ତି। ଖରାଦିନେ ଅଳ୍ପ ଥଣ୍ଡା ଓଟ୍ସ। ଶଶୁରଙ୍କ ବିନା ଚିନିବାଲା ଚାହା। କୁନ୍ତଳା ସକାଳୁ ଚିନି ଦିଆ ଚାହା ପିଅନ୍ତି । ତା ସହିତ ଖଣ୍ଡେ ବାସି ରୁଟି।
ଆଜି କାହିଁକି ଥକା ଲାଗୁଥିଲା କୁନ୍ତଳାଙ୍କୁ। ଅଧା ରୋଷେଇ ସରି ଟିକେ ବସି ପଡ଼ିଲେ। ଯାହା ହେଲେବି ବୟସଟାତ ପଚାଶ ଉପରେ ନା। ମୋବାଇଲ୍ ଫୋନ୍ଟା ବାଜି ଉଠିଲା।କଲ ରେ ନାଁ ଦେଖଉଥିଲା ରୀନା। ରୀନା ତାଙ୍କର ସାନ ନଣନ୍ଦ । ସେପଟୁ ଶୁଭିଲା
"ହାଲୋ ଭାଉଜ ଘରେ ଅଛ ? ଆଜି ତୁମ ନଣନ୍ଦେଇ ଛୁଟି ନେଇଛନ୍ତି। ଟିକେ ବାପାଙ୍କୁ ଦେଖିବାକୁ ଯିବୁ।"
"ହଁ ହଁ ଆସ ରୀନା। ତମେ ଆସିଲେ ବାପାଙ୍କୁ ବି ଟିକେ ଭଲ ଲାଗିବ।"
ଏଇଠି ଲଞ୍ଚ୍ କରିବ।"
ଆରେ ନାଇଁ ନାଇଁ ତମେ କାହିଁକି ହଇରାଣ ହେବ ?
ହଇରାଣ କଣ। ଅନେକ ଦିନ ପରେ ଦେଖା ହେବ। ସମସ୍ତେ ମିଶିକି ଖାଇବା।
ଅଣ୍ଟାରେ ଲୁଗା ଭିଡି ରୋଷେଇ ଘରେ ପଶିଲେ କୁନ୍ତଳା। ନଣନ୍ଦେଇ ଆସି ଖାଇବେ। କିଛିଟା ଭଲ ମନ୍ଦତ କରିବାକୁ ପଡ଼ିବ।ଘରଟା ବି ଟିକେ ଆଡେଇବାକୁ ପଡ଼ିବ। ସାହାଯ୍ୟ କରିବାକୁ କାମ ବାଲି ବି ଚାଲି ଗଲାଣି। ହାତ ଫୁର୍ତ୍ତି କଲେ କୁନ୍ତଳା।
କିଛି ସମୟ ପରେ ଶଶୁରଙ୍କ ଡାକ ଶୁଭିଲା। ଦୌଡିଗଲେ କୁନ୍ତଳା, ଦେଖିଲେ ବିଛଣା ଅପରିଷ୍କାର ହେଇ ଯାଇଛି । ତାକୁ ସଫାସଫି କରି ଶଶୁରଙ୍କ ପୋଷାକ ବଦଳେଇବାକୁ ପଡ଼ିବ।
********** **********
ସକାଳୁ ଚୁପ୍ ଚାପ୍ ପଡି ରହିଛି ମା। "ଉଠୁ ମା , ଉଠିକି ଦାନ୍ତ ଘସିଲେ ସିନା ଚା ପିଇବୁ।"
ହଁ ଉଠୁଛି। ମା'ର ଧୀର ସ୍ବର ଶୁଣି ପାରିଲେ ସୁରମା। ଉଷୁମ୍ ପାଣି କରି ଦାନ୍ତ ଘସେଇ ଦେଲେ ସେ। ମା ଟିକେ ସାଷ୍ଟମ ହେଇ ବସିଲା। ଆଗରୁତ ଚାହା ପାଣି ଚୁଲିରେ ବସେଇ ସାରିଥିଲେ। ସେତେବେଳକୁ ଗରମ ଚାହା ଆଣି ଖଟ ପାଖ ଟେବୁଲ୍ ଉପରେ ରଖିଲେ ସୁରମା। ମା ଖାଲି ଚାହା ପିଇବାକୁ ଭଲପାଏ। ବିସ୍କୁଟ ଖାଏନି। ଚାହା ପିଇ ସାରିଲା ପରେ ମା ପୁଣି ଶୋଇବାର ଉପକ୍ରମ କଲା।
ଆରେ ଆରେ ଶୋଉଛୁ କଣ ଜଳଖିଆ ହେଲାଣି ପରା ଖାଇବୁନି କି।
ମୁଣ୍ଡ ଟୁଙ୍ଗାରି ହଁଟିଏ ମାରି ମା କହିଲା "ପାନ ଖଣ୍ଡେ ଦେନି"
ପାନ'ଟା ମାର ପିଲାଦିନ ଅଭ୍ୟାସ । ଆଗରୁ ସେ ପାନ ପାଛିଆ ଧରି ନିଜେ ପାନ ଭାଙ୍ଗୁଥିଲ। ଆଉ ସମସ୍ତଙ୍କୁ ଦେଉଥିଲା। ମା ହାତ ଭଙ୍ଗା ପାନର ଚାହିଦା ଏ ସାଇରେ ବହୁତ ବେଶୀ। ସମସ୍ତେ ଯେତେବେଳେ ବୁଲିବାକୁ ଆସନ୍ତି ଚାହା ଜଳଖିଆ ପରେ ମା ହାତର ପାନଟିଏ ଖାଇବାକୁ ମନ କରନ୍ତି। ତା ପାଇଁ ଜାତିଆ, ମାନେ କଳା ମଚ ମଚ ସରୁ ଡେମ୍ଫ ବାଲା ପାନପତ୍ର ଖୋଜିକି ଆଣିବାକୁ ପଡ଼େ। ତା ସହିତ ପୂରୁଣା ଫାଳ ଗୁଆ ଯାହାର ମଝିଟା ଧଳା ଦାଶୁଥିବ , ସେଇଟା ବି ଯୋଗାଡ଼ କରିବାକୁ ପଡ଼େ। ଏବେ ଆଉ ମା ଏସବୁ ପାରୁନି , ତେଣୁ ସୁରମା ସେଇ ଢଙ୍ଗରେ ପାନ ଭାଙ୍ଗି କି ରଖୁଛନ୍ତି।
ସୁରମା ଘରର ମଝିଆଁ ଝିଅ । ବାହା ହେଇ ନାହାନ୍ତି। ପ୍ରଥମରୁ ମା ପାଖରେ ରହିଛନ୍ତି। ଚାକିରି ବେଳେ ଭୁବନେଶ୍ବରରେ ଥିଲାବେଳେ ମା ଥିଲା ତାଙ୍କ ପାଖରେ । ତାପରେ ଭୁବନେଶ୍ୱର ବାହାରକୁ ପୋଷ୍ଟିଂ ହେଲାବେଳେ ମା, ବଡ଼ ନାନୀ ଓ ଭିଣେଇ ଙ୍କ ପାଖରେ ରହିଥିଲା।
କେତେବେଳେ କେମିତି ଅଳ୍ପଦିନ ପାଇଁ ତାଙ୍କ ପାଖକୁ ଯାଏ। ଏବେ ଅବସର ନେଲାପରେ ନିଜେ ଗୋଟିଏ ଘର କରି ଭୁବନେଶ୍ୱରରେ ରହୁଛନ୍ତି। ଆଉ ମା ବି ତାଙ୍କ ସହିତ। ମା'ର ସବୁ କଥା ସେହିଁ ବୁଝନ୍ତି। ଏମରଜେନ୍ସି ଦରକାର ପଡିଲେ ଦୂରରେ ଥିବା ସାନଭାଇ କୁ ଓ ଏଇ ସହରରେ ଥିବା ଡ଼ାକ୍ତର ଝିଆରୀ କୁ ଫୋନ୍ କରନ୍ତି। ସେମାନେ ଡ଼ାକ୍ତର, ତେଣୁ ଝିଆରୀ ପରୀକ୍ଷା କରିବା ପରେ ସମସ୍ତେ ମିଶି ନିଷ୍ପତ୍ତି ନିଅନ୍ତି ଡାକ୍ତରଖାନା ନେବାକୁ ପଡ଼ିବ କି ନାହିଁ। ଏଇ ଦୁଇମାସ ତଳେ ମା ତିନିଦିନ ହସ୍ପିଟାଲ ରେ ରହିଛି ଆସିଥିଲା। ଅନ୍ଯ ସବୁ ଭାଇ ଭଉଣୀ ଥିଲେବି ଏବେ ନିତି ଦିନିଆ ଖବର ବୁଝିବା ଓ ମା'ର ଦାୟିତ୍ବ ନେବାଟା ହେଉଛି ସୁରମାଙ୍କ କର୍ତ୍ତବ୍ୟ।
ସୁରମା ରାତିରୁ ଗୋଟା ମୁଗ ବତୁରେଇ ରଖିଥିଲେ ସକାଳୁ ବାଟି ଟିକେ ଫୁଲିବା ପାଇଁ ଛାଡିଦେଇଛନ୍ତି। ଯଦି ରୋଷେଇ କରିବା ଝିଅ ଶୀଘ୍ର ଆସେ, ତେବେ ଚକୁଳି ଦିଟା ଲେଉଟେଇ ଦେବ। ନହେଲେ ସେ ନିଜେ ପିଠା କରିବେ।
ପାନ ଖାଇସାରି ମା ଉଠିବାକୁ ଚେଷ୍ଟା କରୁଥିଲା, ବୋଧେ ଗାଧୁଆଘରକୁ ଯିବ। ସୁରମା ମା'କୁ ଧରିକି ଆଣି ଖଟ ପାଖରେ ପଡିଥିବା ଚେୟାର କମୋଡରେ ବସେଇଲେ। ଘରଓଳା ଓ ବାସନମାଜିବା ସ୍ତ୍ରୀ ଲୋକଟି ଆସିଗଲାଣି। ତାକୁ ରୋଷେଇ ଥାକ ପୋଛିବାକୁ କହି, ଓ୍ବାସିଂ ମେସିନ୍ ରୁ ଲୁଗା କାଢିଦେଲେ ବାହାର ତାରରେ ଶୁଖେଇବାକୁ।
ଆଜି ରୋଷେଇ କରିବା ଝିଅ ଡେରି କଲାଣି ଆସିବାକୁ। ତେଣୁ ମୁଗ ଚକୁଳି ପିଠା ଦିଟା ଲେଉଟେଇ ଆଣିଲେ। ମା'କୁ ଔଷଧ ଦେଇ ଜଳଖିଆ ଦେଲେ। ତାପରେ ଯିବେ ପୂଜା କରିବାକୁ। ସୁରମା ସକାଳ ସାତଟା ଭିତରେ ଗାଧେଇ ପଡନ୍ତି। ମା ଉଠିବା ଆଗରୁ ନିତ୍ୟକର୍ମ ଛିଣ୍ଡେଇ ଦେଇଥାଆନ୍ତି।
ମା ଖାଉଛି କି ନାହିଁ ଦେଖିବାକୁ ଆସି ଦେଖିଲେ ମା ପୁଣି ଶୋଇଛି। ଆଜିକଣ ମା ପୁଣି ସେମିତି ମାନ୍ଦା ହେଉଛି। ସୋଡିୟମ୍ କମିଗଲା କି?
ପାଣିରେ ଲୁଣ ଗୋଳେଇ ପେଇବାକୁ ଚେଷ୍ଟା କଲେ ସୁରମା।
ଯାଇକି ଫୋନ୍ କଲେ ଭାଇ ଓ ଝିଆରି ପାଖକୁ।
ସାଲାଇନ୍ ଲଗେଇବା ଦରକାର, ସାନଭାଇ କହିଲା।
ଝିଆରୀ ଆସି ଦେଖିକି କହିଲା କଣ କଣ ଆଣିବାକୁ ପଡ଼ିବ ସାଲାଇନ୍ ଲଗେଇବା ପାଇଁ। ସୁରମା ତାଙ୍କ ସାଇର ଶେଷ ଘରେ ଥିବା ନର୍ସଙ୍କୁ ଫୋନ୍ କଲେ ଓ ଔଷଧ ଦୋକାନୀଠୁ ସବୁ ଔଷଧ ମଗେଇଲେ। ଝିଆରୀ ସାଲାଇଇନ୍ ଷ୍ଟାଣ୍ଡ ଅଣେଇଲା। ପଡିଶାଘର ନର୍ସ ଦିଦି ଆସି ପହଞ୍ଚିଲେ। ସାଲାଇନ୍ ଲାଗିବା ପୂର୍ବରୁ ତରତର ହେଇ ଠାକୁର ଘରେ ପଶି, "ମୋ ମା'କୁ ଏଥର ଭଲ କରିଦିଅ" ବୋଲି ପ୍ରାର୍ଥନା କରୁଥିଲେ ସୁରମା
ଉପରୋକ୍ତ ତିନୋଟି ନାରୀ ଚରିତ୍ରର ଅବତାରଣା ଥିଲା, ନାରୀ ନେଉଥିବା ଦାୟିତ୍ୱ ଓ କରୁଥିବା କର୍ତ୍ତବ୍ଯର ଉଦାହରଣ। ଏହାକୁ ଦେଖି କୁହାଯାଏ ସେ ସବୁ ପାରିବ। ସେ ପରା 'ଅପରାଜିତା'।
ନାରୀ ସର୍ବଂସହା, ମହନୀୟତାର ପ୍ରତୀକ। ନିଃସ୍ୱାର୍ଥପରତା, କର୍ତ୍ତବ୍ୟ ପରାୟଣତା ତାର ପାଥେୟ। ସ୍ନେହ ଓ ମମତାମୟୀ ସେ। ସେବା ହେଉଛି ତା ଜୀବନର ବ୍ରତ। ତାର ଜନ୍ମ ହେଉଛି ସବୁକିଛି ତ୍ୟାଗ କରି ଅନ୍ଯପାଇଁ କରିବାକୁ । ଜନନୀ, ଜାୟା, ଭିଗିନୀ, କନ୍ୟା ଏ ସବୁ ସମ୍ପର୍କ ଭିତରେ ତାକୁ ହେବାକୁ ପଡ଼େ ସହନଶୀଳ, କର୍ମବ୍ରତୀ ଓ ଅନ୍ୟର ଭରସା।
ସେଇଥିରେ ମିଳିଯାଏ ନାରୀ କୁ 'ମହୀୟସୀ' ପଦବୀ। ପଦବୀଟା ତ ମିଳିଯାଏ, କିନ୍ତୁ ଏଥିପାଇଁ ପ୍ରତିଦିନ କେତେ ଯେ ମାନସିକ ଓ ଶାରିରୀକ ଶ୍ରମ ତାକୁ କରିବାକୁ ପଡେ, ତାର କଳନା ନାହିଁ। ହୁଏନାହିଁ ସେ ସବୁ କାମର ମୂଲ୍ୟାଙ୍କନ। ମୂଲ୍ୟାଙ୍କନତ ଦୂରର କଥା ସ୍ବୀକୃତି ବି ମିଳେନାହିଁ ସେ କାମର। ଏପରିକି ବହୁତ ସମୟରେ ଅସୁବିଧା ପଡିଲେ ତାର ଦୁଃଖ ପଡିଥିଲେ ବି ପାଖରେ ଠିଆ ହେବାକୁ ନଥାନ୍ତି କେହି। ଏ ପଦବୀର ମୂଲ୍ୟ ବା କଣ ?
