STORYMIRROR

Sudeshna Misra

Children Stories Tragedy

3  

Sudeshna Misra

Children Stories Tragedy

ମାୟାଧର ପଣ୍ଡିତ ନୁହେଁ, ମୋ ଅଜା

ମାୟାଧର ପଣ୍ଡିତ ନୁହେଁ, ମୋ ଅଜା

3 mins
162

ସେପ୍ଟେମ୍ବର ମାସ, ଭୋଦୁଅ ଖରା ଭିତରେ ଅଳ୍ପ ଅଳ୍ପ ବର୍ଷା ପଡୁଥାଏ। ଟିକେ ଖରା ଟିକେ ମେଘୁଆ ଛାଇ। ଗଛପତ୍ର ବେଶ୍ ସବୁଜ ଓ ସତେଜ। ଭାଦ୍ରବ ମାସରେ ଖରା ଭାରି ଟାଣ। ପୋକ ଯୋକ ଥିଲେ ମରିଯିବେ ଓ ଜୀବାଣୁ ମଧ୍ୟ ନଷ୍ଟ ହେଇଯିବେ ବୋଲି ବିରିମୁଗ, ଧାନ ଆଦି ଶସ୍ୟ ସହ ଲୁଗାପଟା ରେଜେଇ କମ୍ବଳ ବି ଖରା ଦିଆଯାଏ।  ଏପରକି, ବହିପତ୍ର ମଧ୍ୟ ଟାଣ ଖରା ଦିଆଯାଏ, ବେଶୀଦିନ ଭଲ ରହିବ ବୋଲି। ଖରା ଟାଣ ହେବା ଆଗରୁ ଘରୁ ବାହାରିପଡିଲେ ଭଲ। ତେଣୁ ସକାଳୁ ସକାଳୁ ଭୁବନେଶ୍ଵରରୁ କଟକ ବାହାରିପଡିଲେ ସେ। ଏଇ ସମୟରେ ହରଗୌରା ଫୁଲ ଫୁଟେ। ପେନ୍ଥି ପେନ୍ଥି ହେଇ ନାଲି, ନୀଳ, ବାଇଗଣୀ ଓ ଧଳା ରଙ୍ଗର ଫୁଲ ସବୁ ଛୋଟ ଛୋଟ ଗଛରେ ଭର୍ତ୍ତି ହେଇଯାଏ। ଖୁବ୍ ସୁନ୍ଦର ଦିଶେ। ତାର ବାସ୍ନା ଟିକେ ଭିନ୍ନ। ଋତୁ କାଳୀନ ଫୁଲ।ଏହାର ଆଉ ଗୋଟିଏ ଗୁଣ ରହିଛ।  ସେଟା ହେଉଛି ଏହି ଫୁଲକୁ ଖଇର, ପାନ ଚୂନ ମିଶେଇ ବାଟି ହାତରେ ମେହେନ୍ଦି ପରି ଲଗେଇଲେ ସୁନ୍ଦର ଭାବରେ ହାତ ପାଚିଯାଏ। 

ମୁଁ ସେଇ ଫୁଲରେ ହାତ ପାଚେଇବାକୁ ଭଲପାଏ ବୋଲି, ଫୁଲ ତୋଳି ସେ ବ୍ଯାଗରେ ପୁରେଇଲେ । 


ଭାଦ୍ରବ ଶୁକ୍ଳ ଚତୁର୍ଥୀ ରେ ଗଣେଶ ପୂଜା। ସବୁ ସ୍କୁଲରେ ପୂଜା ହୁଏ। ଘରେ ବି ପୂଜା ହୁଏ। ପିଲାମାନେ ନୂଆ ପୋଷାକ ପିନ୍ଧି ପୂଜା କରନ୍ତି।  ।କଳା ଧଳା ଚେକ୍ ଚେକ୍ କନାରେ ବେବୀ ଫ୍ରକ୍ ଡିଜାଇନର ଗୋଟେ ପକେଟ୍ ଥିବା ଜାମା  ମୋ ମାଉସୀ ନିଜେ ସିଲେଇ କରି ତାଙ୍କ ହାତରେ ପଠେଇଥିଲେ। ଫ୍ରକଟି ବହୁତ ସୁନ୍ଦର ହେଇଥିଲା। ଗଣେଶ ପୂଜାରେ ପିନ୍ଧିବି ବୋଲି ସେଇଟା ବି ବାକ୍ସରେ ନେଇ ଆସିଥିଲେ। ଗେଟ୍ ଖୋଲି ଆମ ଘର ଭିତରେ ପଶୁ ପଶୁ ମୁଁ ତାଙ୍କୁ ମୋ ପଢାଘର ଝରକା ବାଟେ ଦେଖିପାରି ଥିଲି। ସାଙ୍ଗେ ସାଙ୍ଗେ ଦୌଡ଼ିଗଲି ଗେଟ୍ ପାଖକୁ। ମୁଣ୍ଡିଆ ମାରି ଉଠୁ ଉଠୁ କହିଲେ ଦେଖ୍ ତୋ ପାଇଁ କଣ ଆଣିଛି କହି ହରଗୌରା ଫୁଲ ପୁଡାଟି ମତେ ଧରେଇଦେଲେ। ତାପରେ ଘରକୁ ଆସିଲା ପରେ ନୂଆ ଫ୍ରକଟା ବି କାଢିକି ଦେଲେ । ପିଲାମାନେ ନୂଆଜାମା ପାଇଲେ ତ ଖୁସୀ ହେବା କଥା। ଗଣେଶ ପୂଜାର କେତେଦିନ ଆଗରୁ ଅଜା ଆସିଥିଲେ ମନେ ପଡୁନି। ଅଜା ଆଈଙ୍କୁ ଦେଖିଲତ ମନଟା ଆନନ୍ଦିତ ହେଇଯାଏ । ପୁଣି ତା ସହିତ ନୂଆ ଡ୍ରେସ୍। ଅବଶ୍ୟ ଏଥର ଅଜା ଏକା ଆସିଥିଲେ।


ବଡ଼ ମେଡ଼ିକାଲରେ ଅଜାଙ୍କର ପେଟରେ ଅସ୍ତ୍ରୋପଚାର ହେବାର ଥିଲା ବୋଲି ସେ ଆସିଥିଲେ କଟକ। ବାବାଙ୍କ ସହିତ ସେ  ହସ୍ପିଟାଲ ଗଲେ। ପେପ୍ଟିକ ଅଲସର ବହୁତ ବଡ଼ ଅପରେସନ ବି ନୁହେଁ। ଆଗ ସବୁ ଟେଷ୍ଟ ହେବାକଥା। 

 ୟା ଭିତରେ ଗଣେଶ ପୂଜା ପାଇଁ ଯୋଗାଡ଼ ଚାଲିଥାଏ ସ୍କୁଲରେ। ତେଣୁ ପାଠ ପଢାପଢିର ଜୋର୍ କମ୍ ଥିଲା। ଘରେ ବି ଗହଳି ଥାଏ। ଆଈ , ମାମୁ, ମାଉସୀ ମାନେ ଥାଆନ୍ତି। ତେଣୁ ମୋର ସ୍କୁଲ ଯିବାକୁ ମନ ହେଉ ନଥାଏ। କିନ୍ତୁ ମୁଁ ସ୍କୁଲ ବନ୍ଦ‌ କରିବାକୁ କେବେ ଭଲ ପାଇନି। ତେଣୁ ନିୟମିତ ଯାଉଥାଏ। ତାଛଡା ଘରେ ରହିକି ବି  କରିବି କଣ ?   ମୁଁ ତ ପିଲାଟେ, ମତେ ସେତେବେଳେ ୧୨ ବର୍ଷ ବୟସ। 


ପୂଜାଦିନ ଗାଧେଇ ପାଧେଇ ସ୍କୁଲ ଗଲି। ଗଣେଶ ପୂଜା ପାଇଁ ନୂଆ ଡ୍ରେସ୍ ସିନା ପିନ୍ଧିଥିଲି କିନ୍ତୁ ମନରେ ସରସତା ନଥାଏ। ସମସ୍ତେ ହସ୍ପିଟାଲ୍ ଦୌଡା ଦୌଡି କରୁଥାଆନ୍ତି। ମୁଁ  ବି ସବୁଦିନ ହସ୍ପିଟାଲ୍ ସ୍କୁଲରୁ ଫେରି ଅଜାଙ୍କୁ ଦେଖିବାକୁ ଯାଏ। ପୂଜାଦିନ ବି ଗଲି। ଅସ୍ତ୍ରୋପଚାର ଦିଦିନ ଆଗରୁ ସରି ଯାଇଥାଏ। ଆଈ ବି ଥାଏ ଅଜାଙ୍କ ପାଖରେ। ମୁଁ ଯାଇ କ୍ଯାବିନ୍ ରେ ପହଞ୍ଚି ସେଦିନର କାର୍ଯ୍ୟ କଳାପ ସବୁ ଗପିଗଲି। ଅଜା ମତେ ଦେଖି ଟିକେ ହସିଲେ। କଥାବାର୍ତ୍ତା ହେଇ ସନ୍ଧ୍ୟା ପୂର୍ବରୁ ଫେରି ଆସିଲି। 

ଦୁଇ ଦିନ ଖଣ୍ଡେ ମୁଁ ସ୍କୁଲ ଯାଇନଥାଏ, ଘରେ ଅନେକ ଲୋକ ଥିବାଯୋଗୁଁ ମୁଁ ଏପଟ ସେପଟ ହେଉଥାଏ। ଦିଦିନ ପରେ ମୁଁ ସ୍କୁଲ ଗଲି। 

ପ୍ରାର୍ଥନା ପରେ ଶ୍ରେଣୀ ଗୃହରେ ବସିଲୁ। ମତେ ଦୁଇ ତିନିଜଣ ସାଙ୍ଗ କହିଲେ 'ଜାଣିଛୁ ମାୟାଧର ସାର୍ ଚାଲିଗଲେ।, ସମାଜରେ ବାହାରିଥିଲା।' ମାୟାଧର ସାର୍ ଯିଏକି ଆମ ସଂସ୍କୃତ ଶିକ୍ଷକ। ତାଙ୍କ ନାଁ ମାୟାଧର ନନ୍ଦ। ମୁଁ ଚଟାପଟ୍ ଧରିନେଲି କଥାଟିକୁ। ମୁଁ ସଜଳ ଆଖିରେ ସେମାନଙ୍କୁ ଚାହିଁ ବାଷ୍ପାକୁଳିତ କଣ୍ଠରେ କହିଲି, "ନାଁ ନାଁ ସେ ମୋ ଅଜା ମାୟାଧର ମିଶ୍ର। ସଂସ୍କୃତ ଶିକ୍ଷକ ମାୟାଧର ପଣ୍ଡିତ ନୁହଁନ୍ତି।" ମୋ ଆଖିରେ ଲୁହ ବାଡବତା ମାନୁ ନଥିଲା। 

ମୋ ସାଙ୍ଗମାନେ କେବଳ ବିକଳ ହେଇ ଚାହିଁଥିଲେ ମୋ ମୁହଁକୁ 


ଏକ ସାଧାରଣ ଅସ୍ତ୍ରୋପଚାରରେ ଖୁବ୍ ଅଳ୍ପ ବୟସରେ ମୋ ଅଜା ଆରପାରିକୁ ଚାଲିଯାଇଥିଲେ। ତାଙ୍କୁ ହେଇଥିଲା ମାତ୍ର ଅଠାବନ ବର୍ଷ।



Rate this content
Log in