STORYMIRROR

Sudeshna Misra

Children Stories Tragedy

4  

Sudeshna Misra

Children Stories Tragedy

ଭାଇଚାରାର ଦୀପାବଳି

ଭାଇଚାରାର ଦୀପାବଳି

5 mins
243

ଅମର ତାଙ୍କ ଛାତ୍ରୀକୁ ଇଂରାଜୀର ଗୋଟେ ପାରାଗ୍ରାଫ୍ ରେ ଥିବା ଗ୍ରାମାର ବୁଝେଇ ସାରି କହିଲେ , "ଇସକୋ ଯାକେ ଘରମେ ପ୍ରାକ୍ଟିସ୍ କରନା।"। ହଁ କହି ଫରିଦା ଉଠିଲା ବହିଧରି। ପ୍ରାୟ ଦିନେ ଛଡା ଦିନେ, ସେ ପଢା ବୁଝିବାକୁ ଆସେ ଏଇଠିକି । ସେଦିନ ଦୀପାବଳି ଥିବାରୁ, ପଢ଼ାପଢ଼ି ଅଳ୍ପ ହେଲା। କାରଣ ସନ୍ଧ୍ୟାବେଳେ ସାରଙ୍କ ଘରେ ଦୀପ ସଜାହେବ। ରଙ୍ଗୋଲି କରା ହେବ। ତାଙ୍କ ଘରେ ବିଭିନ୍ନ ମିଠା ପ୍ରସ୍ତୁତ ହେଉଥାଏ। ଘରେ ସମସ୍ତେ ଦିଓ୍ବାଲି ପାଇଁ ବ୍ୟସ୍ତ। ନୂଆ ପୋଷାକ ପିନ୍ଧିଥାନ୍ତି। ଫରିଦାକୁ ବି ଏଇ ପର୍ବ ଭାରି ଭଲଲାଗେ। କିନ୍ତୁ ଫରିଦାଙ୍କ ଘରେ ଦୀପାବଳୀ ପାଳନ ହୁଏନି। 


 ଫରିଦାଙ୍କ ଘର‌ ପଠାଣକୋଟ ସହରର ଗୋଟେ ପଡାରେ। ଘରେ ତାର ଅମ୍ମି, ଅବ୍ବୁ ଓ ପାଞ୍ଚ ଭାଇ ଭଉଣୀ।  ଫରିଦା ମଝିଆଁ ଝିଅ। ତା ଉପରେ ଆଉ ତଳେ ଭଉଣୀ । ତାଛଡା ତାର ଦୁଇ ଭାଇ ଜଣେ ବଡ଼ ଓ ଜଣେ ସାନ। ଫରିଦାର ଜେଜେମା ମଧ୍ୟ ତାଙ୍କ ଘରେ ଥାଆନ୍ତି।  ସମସ୍ତେ ଏକାଠି ରୁହନ୍ତି। । ତାଙ୍କର ପଡିଶା ଘର ହେଉଛି କମଳା ଚାଚି ଓ ଅମର ଅଙ୍କଲଙ୍କ ଘର। ବଡ଼ ପରିବାର ହେଇଥିବାରୁ ଫରି ଫଟଦାର ଅମ୍ମି ସବୁବେଳେ କାମରେ ବ୍ଯସ୍ତ ରୁହନ୍ତି। ତା ଭଉଣୀମାନେ ମାଙ୍କୁ ସାହାଯ୍ୟ କରନ୍ତି। ଫରିଦାର କିନ୍ତୁ ପାଠରେ ଇଚ୍ଛା, ତେଣୁ ସେ ଘରକାମରେ ବେଶୀ ମନ ଦିଏନି। ସେଥିପାଇଁ ଘରେ ବି ତାକୁ ବିଶେଷ କେହି ପ୍ରଧାନ୍ଯ ଦିଅନ୍ତି ନାହିଁ। ତେଣୁ ଅଧିକାଂଶ ସମୟ କମଳା ଚାଚିଙ୍କ ଘରକୁ ସେ ପଳାଏ। ସେଇଠି ପଢ଼େ ଓ ବେଳେ ବେଳେ ସେଇଠି ଖାଇଦିଏ। ତାଙ୍କର ବଡ଼ ପୁଅ ଅର୍ଜୁନ ଭେୟା, ସାନ ପୁଅ ଅଜୟ ଓ ଝିଅ ଗୁଡ୍ଡି ସହିତ ସାଙ୍ଗ ହେବାକୁ ଓ ଖେଳିବାକୁ ସେ ଭାରି ଭଲ ପାଏ। ଆଉ ଅଙ୍କଲ ତ ତାକୁ ଅଙ୍କ ଓ ଇଂରାଜୀ ପଢେଇ ଦିଅନ୍ତି। 


ଅମର୍ ଓ ନାସିରୁଦ୍ଦିନ୍ ଦୁଇ ପଡୋଶୀ ଏବଂ ସେମାନେ ନିଜ ନିଜ ପରିବାରର ମୁଖ୍ୟ। । ଅମର ପାଖ ସ୍କୁଲରେ ଅଙ୍କ ଓ ଇଂରାଜୀ ଶିକ୍ଷକ। ଆଉ ନାସିରଙ୍କର ଲୁଗା ଦୋକାନ୍। ସମୟ ପାଇଲେ ଦିଜଣ ଦୁଃଖ ସୁଖ ହୁଅନ୍ତି ନିଜ ନିଜର ଦାଣ୍ଡ ପିଣ୍ଡାରେ। ଫରିଦା ଓ ତାର ବଡ଼ଭାଇ ପାଖ ଇଂରାଜୀ ମିଡିଅମ୍ ସ୍କୁଲରେ ପଢନ୍ତି। ତେଣୁ ଅମର ତାଙ୍କ ଶିକ୍ଷକ। ସ୍କୁଲଟି ବ୍ରିଟିଶ ଅମଳରୁ ଅଛି। ଅନ୍ଯ ସବୁ ଭାଇଭଉଣୀ ନୂଆକରି ଖୋଲିଥିବା  ମଦ୍ରାସାରେ ପଢନ୍ତି, ଯେଉଁଠି ଉର୍ଦ୍ଧୁ ହେଉଛି ଶିକ୍ଷାର ମାଧ୍ୟମ।  ନାସିରୁଦ୍ଦିନ୍ ଫରିଦାକୁ ଇଂରାଜୀ ମିଡିଅମ୍ ସ୍କୁଲରେ ପଢାଇବାକୁ ଚାହୁଁନଥିଲେ। କାରଣ ସେ ବେଶ୍ ପୁରୁଣାକାଳିଆ ଲୋକ। ଝିଅମାନଙ୍କ ପାଠପଢ଼ା ପ୍ରତି ଆଗ୍ରହୀ ନଥିଲେ, ସେଥିରେ ପୁଣି ଇଂରାଜୀ ଶିକ୍ଷା। ଅମର୍ ନାସିର୍ ଙ୍କୁ ବୁଝେଇ ସୁଝେଇ ଫରିଦାକୁ ଏଇ ସ୍କୁଲରେ ଭର୍ତ୍ତି କରେଇଥିଲେ। ଫରିଦାକୁ ଏଥିପାଇଁ ଆତ୍ମୀୟ ମାନଙ୍କ ଠାରୁ ବେଶ୍ କଟୁବାକ୍ଯ ଶୁଣିବାକୁ ପଡ଼େ। ଭାଇ ଭଉଣୀ ବି କେବେ କେବେ ଥଟ୍ଟା କରିଦିଅନ୍ତି। ଅବଶ୍ୟ ଫରିଦାର ଅମ୍ମି ସେ ଇଂରେଜୀ ପାଠ ପଢୁ ବୋଲି ଚାହୁଁଥିଲେ। ତେଣୁ ସେ ତାକୁ ସମର୍ଥନ କରି ଘଣ୍ଟ ଘୋଡେଇ ରଖୁଥିଲେ। ତଥାପି ଫରିଦାକୁ ବହୁ କଥାରେ ଅନ୍ୟମାନଙ୍କ ସହ ଯୁଝିବାକୁ ପଡେ। ଅନେକ ସମୟରେ ସେ ଚୁପ୍ ରହେ।

ଫରିଦାର ମନେପଡେ, କିଛି ବର୍ଷ ଆଗରୁ ସେଇ ପଡ଼ାରେ ଆହୁରି ବହୁତ ହିନ୍ଦୁ ଲୋକ ରହୁଥିଲେ। ହିନ୍ଦୁମାନେ ଏଠିତ ସଂଖ୍ୟାଲଘୁ। ତଥାପି ସେମାନେ ଦିଓ୍ବାଲି, ହୋଲି ଏପରିକି ଜନ୍ମାଷ୍ଟମୀ ମଧ୍ୟ ପାଳନ କରୁଥିଲେ। ଆଉ ସେ ଓ ତାର ସାନ ଭାଇ ଭଉଣୀ ବି ପଡ଼ାର ସାଙ୍ଗମାନଙ୍କ ସହ ଏସବୁ ପର୍ବରେ ସାମିଲ୍ ହେଉଥିଲେ। ତାର ପାଠ ପଢା ଆରମ୍ଭ କରିବା ପୂର୍ବରୁ, ଫରିଦା ତଥା ଅନ୍ଯ ମୁସଲିମ୍ ପିଲା ଓ ପଡ଼ାର ହିନ୍ଦୁ ପିଲାମାନେ ମିଶିକି ଜନ୍ମାଷ୍ଟମୀ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ତା ଛଡ଼ା ହୋଲିରେ ବି ମିଶିକି ସବୁ ମଜା କରୁଥିଲେ। ବଡ଼ି ଦିଦି ଓ ଭେୟା ହୋଲି ଖେଳିବା ସେ ଦେଖିନି। ଅବ୍ବୁ ଏଇ ହୋଲି ଓ ଏଇଭଳି ପର୍ବରେ ସାମିଲ୍ ହେବାକୁ ପସନ୍ଦ କରୁନଥିଲେ ମଧ୍ଯ ବେଶୀ ଆକଟ କରୁନଥିଲେ। ଏଇଟା ତ ପ୍ରାୟ ୭/୮ ବର୍ଷ ତଳର କଥା। ଏବେ ଖାଲି ଏଇ ପର୍ବରେ ପଡିଶା ଘରୁ ପିଠାପଣା ବି ଆସେ। ଆଉ ଇଦ୍ ରେ ଫରିଦା ଘରୁ ବି ଖାଇବା ଜିନିଷ ବି ସେମାନଙ୍କ ଘରକୁ ଯାଏ। ଏବେ ଆସ୍ତେ ଆସ୍ତେ ସାମୁହିକ ଭାବରେ ଏଇସବୁ ପର୍ବ ପାଳନ ବନ୍ଦ ହେଇଗଲାଣି। ନିଜ ନିଜ ପରିବାରରେ ଘରେ ଯିଏ ଯାହାର ପାଳନ କରୁଛନ୍ତି।


ଅମର ଓ ନାସିରୁଦ୍ଦିନ୍ ଏ ଦୁଇ ପରିବାର ଭିତରେ ବହୁତ ଭଲ ସମ୍ପର୍କ । ସୁବିଧା ଅସୁବିଧାରେ ଠିଆହେବା, ତରକାରି ପତ୍ର ଦିଆନିଆ,  ଏସବୁ ଚାଲେ ସେମାନଙ୍କ ଭିତରେ। ତାକୁ ଏସବୁ ବହୁତ ଭଲ ଲାଗୁ ଥିବାରୁ, ସବୁ ହିନ୍ଦୁ ପର୍ବପର୍ବାଣିରେ ଫରିଦା କମଳା ଚାଚି ଙ୍କ ଘରକୁ  ଚାଲିଯାଏ। ଠାକୁର ପୂଜାରେ ନମିଶି ଅନ୍ୟାନ୍ୟ ସବୁ ପାଳନ କରେ। ଅମର ଓ କମଳା ତାଙ୍କ ସହିତ ଏଇସବୁ ପର୍ବ ପାଳନ କରିବାକୁ ବାରଣ କରନ୍ତି ନାଁହି କି ଘରେ ବି ଅବ୍ବୁ ଅମ୍ମି କିଛି କୁହନ୍ତି ନାହିଁ। ଏପରିକି ସେ ଚାଚିଙ୍କୁ କାମରେ ବି ସାହାଯ୍ୟ କରିଦିଏ। ଘରେ କାମକରିବାକୁ ଅନିଚ୍ଛୁକ ଥିବା ଝିଅଟି ଯାଇ କିପରି ଅନ୍ଯ ଜଣଙ୍କ ଘରେ କାମକରେ, ସେଇଟା ହିଁ ଆଶ୍ଚର୍ଯ୍ୟ ଲାଗେ। 


ଫରିଦା 9th ଷ୍ଟାନ୍ଡାର୍ଡରେ ପଢିଲା ବେଳେ ଅମର ଓ କମଳା ବିଦେଶ ଯିବାର ସ୍ଥିର ହେଲା। ସେମାନେ ସମସ୍ତେ ଗୋଟେ ମାସ ପାଇଁ ଯିବାର ଥିଲା। ଫରିଦାର ମନ ଟିକେ ଦୁଃଖ। "ଆମେ ଶୀଘ୍ର ଆସିଯିବୁ । ତୁ ମନଦେଇ ପଢ଼ାପଢ଼ି କରୁଥିବୁ" କହି ବୁଝେଇଲେ ଦୁଇଜଣଯାକ । ଗଲାବେଳେ କମଳା ଫରିଦାର ଅମ୍ମି ଙ୍କୁ ଘରର ଚାବି ଦେଇ "ଘର ଦେଖୁଥିବ" କହି ଦୁଇ ପୁଅ ଓ ଝିଅକୁ ନେଇ ଲଣ୍ଡନ ଗଲେ।  ନାସିରୁଦ୍ଦିନ୍ ଙ୍କ ପରିବାରରେ ସମସ୍ତେ ଟିକେ ମନଦୁଃଖ କରୁଥିଲେ, କିନ୍ତୁ ସବୁଠୁ ଦୁଃଖିତ ଥିଲା ଫରିଦା। 


ଦୀପାବଳି ଥିଲା ଆଉ ଦୁଇଦିନ। ଫରିଦାର ବହୁତ ମନେ ପଡ଼ୁଥିଲା କମଳା ଚାଚିଙ୍କ କଥା। ଦୀପାବଳିର ୧୫ ଦିନ ଆଗରୁ ସେ ଘର ସଫାସଫି କରୁଥିଲେ। ତାପରେ ନୂଆ ପୋଷାକ ଓ ଉପହାର କିଣୁଥିଲେ। ସେ ବି ତାଙ୍କ ସହିତ ବଜାର ଯାଏ।   ଦୁଇ ତିନିଦିନ ଆଗରୁ ଗୁଜିଆ ଓ ଅନ୍ୟାନ୍ୟ ମିଠା ପ୍ରସ୍ତୁତ କରୁଥିଲେ। ଗୁଜିଆ ତିଆରିରେ ଫରିଦା ତାଙ୍କୁ ବହୁତ ସାହାଯ୍ୟ କରୁଥିଲା। ଆଉ ଶିଖିଯାଇଥିଲା ସେଇ ମିଠାଟି। ସେଦିନ ସକାଳୁ ଚାଚି ଓ ଗୁଡ୍ଡି ହଳଦୀ ଲଗେଇ ଗାଧେଇ ଠାକୁର ପୂଜା କରୁଥିଲେ। ଫୁଲର ତୋରଣ ସଜାଉ ଥିଲେ ଦାଣ୍ଡ ଦୁଆରେ। ତାପରେ ରଙ୍ଗୋଲି ଆଉ ଶେଷରେ ଦୀପ ଲଗଉଥିଲେ। ଘରର କାନ୍ଥ ଝରକା ଦୁଆରବନ୍ଧ ସବୁଠି ଦୀପ ଜଳେଇ ସଜଉଥିଲେ।

ଭାବୁ ଭାବୁ ମନେପଡିଗଲା, ଚାଚି, ଅମ୍ମିକୁ ତାଙ୍କ ଘରର ଚାବି ଦେଇକି ଯାଇଛନ୍ତି। ଚାଚିଙ୍କ ଘରକୁ ତାର ଅବାଧ ପ୍ରବେଶ ଥିଲା। ତାଲା ଖୋଲି ଘରେ ପଶିଲା ଫରିଦା। ଅନ୍ଧାରୁଆ ଘରୁ କିପରି ଏକ ଦୁର୍ଗନ୍ଧ ବାହାରୁଥାଏ। ଝରକା ଖୋଲିଦେଲା। ସୂର୍ଯ୍ଯଙ୍କ ତୀର୍ଯ୍ଯକ କିରଣ ଘରଭିତରେ ବିଛାଡ଼ି ହେଇ ପଡିଲା। ଚାରିଆଡ ଧୂଳି ଧୂସରିତ। ସେ ଆଗ ଦୌଡିଗଲା ସେଠିକୁ, ଯେଉଁଠି ସେ ବସି ପଢ଼ୁଥିଲା ଅଙ୍କଲଙ୍କ ପାଖରେ। ସେଇ ଟେବୁଲ୍ ଉପରେ ହାତମାରି ଆଣିଲା। ବହଳେ ଧୂଳି। ଏଇଟା ତାର ବହୁତ ପ୍ରିୟ ସ୍ଥାନ। କିଛି ବହି ସେମିତି ଥାକ ମରାହେଇ ଥୁଆ ହେଇଛି। ଫରିଦାର ଆଖିକୁ ପାଣି ଆସିଗଲା। 

ମାସକ ପାଇଁ କହିକି ଯାଇଥିଲେ, ଅମର ଅଙ୍କଲ୍। ପ୍ରାୟ ତିନିମାସ ବିତିଗଲାଣି , କାହାର ଦେଖାନାହିଁ।ଟେବୁଲ୍ ଉପରେ ଧୂଳିର ଆସ୍ତରଣକୁ ନିଜ ଦୁପଟ୍ଟାରେ ଝାଡିଦେଲା ସେ। ଫରିଦା ବହିଥାକରୁ ଅଙ୍କ ବହି କାଢି ଖୋଲିକି ଦେଖୁଥିଲା। ସେଥିରେ ଅଙ୍କଲ ଚିହ୍ନ ଦେଇଥିଲେ ମୁଖ୍ୟ ପ୍ରଶ୍ନ ଗୁଡ଼ିକରେ। ଏଥର ଷାଣ୍ମାସିକ ପରୀକ୍ଷାରେ ଠିକ୍ ସେଇ ଅଙ୍କ ସବୁ ଆସିଥିଲା।  ତାର ମନେ ପଡୁଥିଲ, ସେଇଠି ବସି ସେ କିପରି ଅଙ୍କ କଷୁଥିଲା। ଏଥର ପରୀକ୍ଷାରେ ତାର ଭଲ ବି ହେଇଛି। ତାକୁ ଆହୁରି କାନ୍ଦ ମାଡ଼ିଲା।


"ଫରି ଏ ଫରି , କାହାଁ ଗୟି ତୁ" ଫରିଦାକୁ ଶୁଭିଲା ତା ଅମ୍ମି ଙ୍କ ଡାକ। ତଳକୁ ଚାହିଁ ଦେଖିଲା ଚଟାଣର ଧୂଳି ଭିତରେ ତାର ପାଦର ଚିହ୍ନ ବେଶ୍ ପ୍ରାଞ୍ଜଳ। ଘରଟା ସଫାକରିଦେବାକୁ ଇଚ୍ଛା ହେଉଥିଲା ତାର। ନାଁ ଆମ୍ମି ଡାକିଲାଣି। ଆଉ ରହି ହେବନି। ଛାଡି ଆସିଥିବା ପାଦଚିହ୍ନକୁ ସନ୍ତକ ଭାବେ ରଖି ଦୁଆରରେ ତାଲା ପକେଇଲା ସେ।

ଆଜି  ଦୀପାବଳି, ସେ ବି ହଳଦୀ ଲଗେଇ ଗାଧେଇ ପଡ଼ିଲା ସକାଳୁ ସକାଳୁ। ତାର ମନେପଡିଗଲା ରଙ୍ଗୋଲି କରିବା କଥା। ରଙ୍ଗୋଲି କରିବାକୁ ସେ ଭାରି ଭଲପାଏ। ତା ପାଖରେତ ସାତ ରଙ୍ଗର ରଙ୍ଗୋଲି ଗୁଣ୍ଡ ନାହିଁ, ପୁଣି କୋଉଠି ପକେଇବଯେ ? ଖିଆ ପିଆ ସାରି ଖରାବେଳେ ଚୁପଚାପ୍ ବାହାରି ଗଲା ଅମର ଅଙ୍କଲଙ୍କ ଖାଲି ଘରଟାକୁ। ଚାଚି କହୁଥିଲେ ଦୀପାବଳିରେ ଘର ଅନ୍ଧାର ରହିବା କଥା ନୁହେଁ। ଖୋଜି ଖୋଜି କିଛି ପୁରୁଣା ଦୀପ ଓ ଆନୁସଙ୍ଗିକ ଜିନିଷ ସବୁ ପାଇଗଲା ସେ। ଘର ଓ ପିଣ୍ଡା ଝାଡ଼ୁମାରି ସଫା କରିଦେଲା। 

ସେଦିନ ସନ୍ଧ୍ୟା ହେଲାପରେ ଧାଡ଼ିଏ ଦୀପ ଜଳୁଥିଲା ଅମର ଅଙ୍କଲ୍ ଓ‌ କମଳା ଚାଚିଙ୍କ ଘରେ। ଫରିଦା ମୁହଁରେ ଚେନାଏ ସନ୍ତୋଷର ହସ। ଆଉ ଆଖିରୁ ଦୁଇଟୋପା ଲୁହ ବୋହି ଆସୁଥିଲା ଦୁଇଗାଲ ଦେଇ।


Rate this content
Log in