STORYMIRROR

Sudeshna Misra

Classics Others

3  

Sudeshna Misra

Classics Others

ସମ୍ମାନିତ ସଭାସଦ୍

ସମ୍ମାନିତ ସଭାସଦ୍

6 mins
112


ଶ୍ରୀରାମ ଚନ୍ଦ୍ର ଭବନରେ ପ୍ରାୟତଃ ସାହିତ୍ୟ ସଭା ସବୁ ହୁଏ। ବିଭିନ୍ନ ସଂସ୍ଥା, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏଇ ହଲ୍ କୁ ଭଡାରେ ନେଇ ସଭାର ଆୟୋଜନ କରନ୍ତି। କେତେବେଳେ କାହାର‌ ବାର୍ଷିକ ଉତ୍ସବ ହୁଏତ କେବେ ସ୍କୁଲ୍ ସ୍କୁଲ୍ ମଧ୍ଯରେ ବକ୍ତୃତା ଓ ରଚନା ପ୍ରତିଯୋଗୀତା ଏଇଠି ଅନୁଷ୍ଠିତ ହେଇଥାଏ। କିଛି ପୁସ୍ତକ ପ୍ରକାଶକ ଓ ଲେଖକ ନିଜର ବହି ଉନ୍ମୋଚିତ କରିଥାଆନ୍ତି ଏଇଠି। ଏଇଟା ଏକ ସାରସ୍ୱତ ସାଧନାର ସ୍ଥଳ। ବହୁତ ଲେଖକ , ପ୍ରାବନ୍ଧିକ, କବି ମାନଙ୍କର ସମାଗମ ଏଇଠି ହେଇଥାଏ। 


ଜୀର୍ଣ୍ଣ କିନ୍ତୁ ପରିଷ୍କାର ପୋଷାକ, ବେଶଭୂଷା ସେପରି କିଛି ନାହିଁ। ସେ ପ୍ରାୟ ଧୋତି ପିନ୍ଧନ୍ତି। ଏ ଆଧୁନିକ ଯୁଗରେ ଧୋତି ପିନ୍ଧା ଲୋକ ଖୁବ୍ କମ୍। ଚନ୍ଦା ହେଇ ଆସୁଛି ତାଙ୍କ ମୁଣ୍ଡରେ ବାଳସବୁ । କିଛି ବାଳ ତେଲ ଅଭାବରୁ ଫୁରୁ ଫୁରୁ ଉଡୁଥାଏ। କିନ୍ତୁ ଆଖି ଦିଓଟି କଳା ଓ ଚିକ୍ ଚିକ୍ କରେ । ବୟସ ଷାଠିଏ ଉପରେ ହେବ। ସେ ଏଠିକି ଆସନ୍ତି, ପ୍ରାୟ ସବୁଦିନ। ଶ୍ରୀରାମ ଚନ୍ଦ୍ର ଭବନରେ ସଭାରେ ଯୋଗ ଦେବା ଥିଲା ତାଙ୍କର କାମ। ସଭା ନ ହେଉଥିଲେ ସେ ଭବନ ପୁସ୍ତକାଗାରରେ ବସି କିଛି ବହି ପଢନ୍ତି। କିଛି ନହେଲେ ପିଣ୍ଡାରେ ବସି ସେଠାରେ କର୍ମରତ କର୍ମଚାରୀ ସହିତ ଦୁଇପଦ କଥା ଭାଷା ହେଇ ଯାଆନ୍ତି। ନିୟମିତ ଆସୁଥିବା କିଛି ବ୍ୟକ୍ତି ତାଙ୍କୁ ଦେଖନ୍ତି। କିଛି ଲୋକଙ୍କ ସହ ଏହିପରି ଭାବରେ ଚିହ୍ନା ପରିଚୟ ହେଇ ଗଲାଣି। ସାହିତ୍ୟ ବିଷୟରେ ବା ପୁସ୍ତକ ବିଷୟରେ ତାଙ୍କ ସହିତ ଯାହା କିଛି ଆଲୋଚନା ହୁଏ, ସେଇଠି ବସି ବସି। ତାଠୁ ଅଧିକ ସମ୍ପର୍କ ବଢେନି। ବଢେଇବାକୁ ଚାହାଁନ୍ତି ନାହିଁ ସେ। ଏପରି ବୋଧେ ଅନେକ ବର୍ଷ ବିତିଗଲାଣି। ସେଇ ଭିତରେ, କେତେ ସଭା, ଆଲୋଚନା, କେତେ ଲୋକଙ୍କ ସହ ସାକ୍ଷାତ।


ପୋଥି ପ୍ରକାଶନୀର ପ୍ରାୟ ଅଧିକାଂଶ ପୁସ୍ତକ ଏଇଠି ଉନ୍ମୋଚିତ ହୁଏ। ପ୍ରୋପ୍ରାଇଟର୍ ଜଗଦାନନ୍ଦ ବାବୁ ଏଇଠି କାର୍ଯ୍ୟକ୍ରମ ଆୟୋଜନ କରାନ୍ତି। ଲେଖକ ମାନଙ୍କ ସହ ମିଶି ଏଇଠି କାର୍ଯ୍ୟକ୍ରମ କରିବା ଆଜକୁ ପ୍ରାୟ ଦଶବର୍ଷ ହେଲାଣି। ତାଙ୍କ ପ୍ରକାଶନୀର ସବୁ ପୁସ୍ତକର ଉନ୍ମୋଚନ ସେ ଏଇଠି କରାନ୍ତି। ବେଳେ ବେଳେ ପୁସ୍ତକ ଗୁଡିକର ଛୋଟ ପ୍ରଦର୍ଶନୀ ଟିଏ ଭବନର ପିଣ୍ଡାରେ ଲାଗିଯାଏ। କିଛି ବିକ୍ରିବଟା ବି ହୁଏ । 

ପ୍ରାୟ ପ୍ରତି ସଭାରେ ସେ ଧୋତି ପିନ୍ଧା ଭଦ୍ରଲୋକଙ୍କୁ ଦେଖନ୍ତି ଜଗଦାନନ୍ଦ ବାବୁ। ଅଳ୍ପ ସଂଖ୍ୟକ ଲୋକଙ୍କ ଭିତରେ ସେ ବେଶ୍ ବାରି ହେଇ ପଡନ୍ତି। ସମସ୍ତେ ପ୍ରାୟ ନିମନ୍ତ୍ରିତ ବ୍ୟକ୍ତି। ଅବଶ୍ୟ ଅନିମନ୍ତ୍ରିତ ବ୍ୟକ୍ତି ସଭାକୁ ଆସିବା ପାଇଁ ବାରଣ ନଥାଏ। ତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ଭଦ୍ରଲୋକଙ୍କୁ ସେ କେବେ ନିମନ୍ତ୍ରିଣ କରିନାହାନ୍ତି, କିନ୍ତୁ ପ୍ରତି ଥର ମିଟିଂ ରେ ଦେଖନ୍ତି ତାଙ୍କର ଉପସ୍ଥିତି। ଆଜିକାଲି ଲୋକଙ୍କୁ ନିମନ୍ତ୍ରଣ ପତ୍ର ଦେଇ ସାରିକି ଦୁଇ ତିନିଥର ମନେ ପକେଇଲେ ବି ଆସୁ ନାହାଁନ୍ତି ସଭାକୁ। କୌତୁହଳତା ଥିଲେ ମଧ୍ୟ ତାଙ୍କର ପରିଚୟ କେବେବି ପଚାରି ନାହାଁନ୍ତି ଜଗଦାନନ୍ଦ ବାବୁ। ପଚାରିବାକୁ ସେ ବେଳ ପାଇନାହାନ୍ତି କାମ ଭିତରେ। ଆଉ ସଭା ସରିବା ବେଳକୁ ସେ ଭଦ୍ରଲୋକ ନଥାନ୍ତି।  


ସେଦିନ ଜଗଦାନନ୍ଦ ବାବୁ ଦିନ ତିନିଟା ବେଳେ ଶ୍ରୀରାମ ଚନ୍ଦ୍ର ଭବନ ଗେଟ୍ ପାଖରେ ଠିଆ ହେଇଥିଲେ। ତାଙ୍କ ଗାଡିଟା ତାଙ୍କୁ ଏଠି ଛାଡ଼ିଦେଇ ଆଉ କୁଆଡେ କାମରେ ଯିବାର ଥିଲା। ଗାଡ଼ିରେ ସଦ୍ୟ ପ୍ରକାଶିତ ତିନିଶହ ଖଣ୍ଡ ବହି ଥିଲା। ସେ ହଲର ରକ୍ଷଣାବେକ୍ଷଣ କାରୀ ହରିଆ ପାଖରେ ଚାବିଥିଲା ଆଉ ସେ ଯାଇଥିଲା ହସ୍ପିଟାଲ । ଫେରୁ ଫେରୁ ଟିକେ ବିଳମ୍ବ ହେଉଥିବାରୁ ଜଗଦାନନ୍ଦ ବାବୁ ବାହାରେ ଠିଆହେଇ ଥିଲେ। ଖରାଦିନ, ବାହାରେ ସୂର୍ଯ୍ୟଙ୍କର ତେଜ ପ୍ରଖର। ଗାଡି ଭିତରେ ବସିଲେ ବି ଗରମରେ ରହିହେଉ ନଥାଏ। ପାଖରେ କୋଉଠି ଟିକେ ବସିପଡିବାକୁ ବି ଜାଗା ନଥାଏ, ବଡ଼ ବ୍ଯସ୍ତ ହେଉଥାନ୍ତି ସେ। ଏହି ସମୟରେ ଦେଖିଲେ ସେ ଧୋତି ପିନ୍ଧା ଭଦ୍ରଲୋକ ତାଙ୍କ ଆଡକୁ ଆସୁଛନ୍ତି।

"ନମସ୍କାର ଆଜ୍ଞା, ମୁଁ ଦାଣ୍ଡପିଣ୍ଡାରୁ ଦେଖିଲି ଆପଣଙ୍କୁ ଏଇଠି ଠିଆ ହେବାର।"

ଜଗଦାନନ୍ଦ ବାବୁ ପ୍ରତି ନମସ୍କାର ଜଣେଇ ଚାହିଁଲେ ସେ ଧୋତିପିନ୍ଧା ଭଦ୍ରବ୍ୟକ୍ତିଙ୍କ ଆଡେ। 

"ମତେ ଆପଣ ଚିହ୍ନି ନଥିବେ, ମୋ ନାଁ ସଦାଶିବ ମହାନ୍ତି। ମୋ ଘର ଏଇ ପାଖରେ। ମୁଁ ଆପଣଙ୍କୁ ଚିହ୍ନିଛି। ଏଇଠି ଅପେକ୍ଷା କରିବାର କାରଣ?"


"ଆଜିକା ମିଟିଂ ଲେଖକଙ୍କ ସୁବିଧା ଅନୁସାରେ ଠିକ୍ ସନ୍ଧ୍ୟା ୫ଟାରେ ହେବାକୁ ଅଛି। ମୁଁ ଟିକେ ଆଗରୁ ଆସିଯାଇଥିଲି, କାରଣ ଗାଡ଼ିଟା ଗୋଟେ ଯାଗାରେ ବହି ପାର୍ଶଲ୍ ନେଇକି ଯାଇ ଫେରି ଆସିବ। ତେଣୁ ଏଠିକାର କେୟାର୍ ଟେକର୍ ହରିଆ ଆସିବା ପର୍ଯ୍ୟନ୍ତ ଏଇଠି ଅପେକ୍ଷା କରିବି"।ଜଗଦାନନ୍ଦ ବାବୁଙ୍କଠୁ ଶୁଣିବା ପରେ ସଦାଶିବ ବାବୁ ତାଙ୍କୁ କହିଲେ, "ଆପଣଙ୍କର ଯଦି ଆପତ୍ତି ନଥିବ, ହରିଆ ଆସିଲା ପର୍ଯ୍ୟନ୍ତ ଏଇ ପାଖରେ ଥିବା ଆମଘରକୁ ଆସି ବସି ପାରିବେ। ଏତେ ଖରାରେ ବାହାରେ ଠିଆହେଲେ ଅଂଶୁଘାତ ହେବାର ସମ୍ଭାବନା ଅଛି। ତା ଛଡ଼ା ବହି ଗୁଡ଼ିକ ବି ଆପଣଙ୍କ ସାଙ୍ଗରେ ରହିଛି। "


ଘରଟିର‌ ସାମ୍ନାରେ ଲମ୍ବା ପିଣ୍ଡାଟିଏ। ସେଇ ଦାଣ୍ଡ ପିଣ୍ଡା କୁ ମୂଖ୍ଯଦ୍ବାରଟି ଖୋଲିଛି। ଏଇ ଘରଟିର ସାମ୍ନାରେ ଏତେ ଦୋକାନ ଓ ଘର ରହି ଯାଇଛି ଯେ ଶ୍ରୀରାମ ଚନ୍ଦ୍ର ଭବନ ରୁ ଘରଟି ଠିକ୍ ଭାବରେ ଦେଖାଯାଏନି। କିନ୍ତୁ ଘରର ଦାଣ୍ଡ ପିଣ୍ଡାରୁ ଶ୍ରୀରାମ ଚନ୍ଦ୍ର ଭବନର ମୂଖ୍ୟ ଫାଟକ ଓ କବାଟ ଦେଖାଯାଏ। ଜଗଦାନନ୍ଦ ବାବୁ ଘର ଭିତରକୁ ପଶିଲେ। ତାଙ୍କ ମ୍ୟାନେଜର ଓ ଡ୍ରାଇଭରଙ୍କୁ ବହି ସବୁ ଧରି ପଛରେ ଆସିବାକୁ କହିଲେ।

ଘର ଭିତରେ ପ୍ରଶସ୍ତ ଅଗଣା। ବହୁତ ପୁରୁଣା ସମ୍ଭ୍ରାନ୍ତ ଘରପରି ବୋଧ ହେଲା। ମୋଟା କାନ୍ଥ। କୋଠରୀ ଗୁଡ଼ିକ ବେଶ୍ ବଡ଼ ବଡ଼। କବାଟର ଉପରିସ୍ଥ ଅର୍ଦ୍ଧ ଗୋଲାକୃତି। କିନ୍ତୁ ବାହାର ରଙ୍ଗ ଓ ପଲସ୍ତରା ଠାଏ ଠାଏ ଛାଡିଗଲାଣି। ଘର ଭିତରର ରଙ୍ଗ ମଳିନ ଓ ଫଡା ଫଡା ଉଠିଯାଇଛି। ମୋଟ ଉପରେ କହିବାକୁ ଗଲେ ଘରଟି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ। ସଦାଶିବ ବାବୁ ସେମାନଙ୍କୁ ବସେଇ ଭିତରକୁ ଗଲେ । କିଛି ସମୟ ପରେ ନିଜେ ସମସ୍ତଙ୍କ ପାଇଁ ପାଣି ଗିଲାସ ଧରି ଆସିଲେ। 

ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେବି ଥଣ୍ଡା ଓ ବେଶ୍ ଆରାମ ଦାୟକ ଥିଲା। ମୁହଁରୁ ଝାଳ ପୋଛୁ ପୋଛୁ ପାଣି ପିଇ କୋଠରୀ ଓ ଖୋଲା ଅଗଣାକୁ ଚାହୁଁଥିଲେ ଜଗଦାନନ୍ଦ ବାବୁ। ତଳ ଚଟାଣ ନାଲି ଓ କଳା ସିମେଣ୍ଟ ରେ, କାରବାର ହେଇ ହେଇ ମସୃଣ ହେଇଯାଇଛି। ପାଦକୁ ଭଲ ଲାଗୁଛି। ପୁରୁଣା ଆସବାବ ପତ୍ର ଆଉ ଅସଜଡା ଜିନିଷ ସବୁ। କିନ୍ତୁ ଦକ୍ଷିଣ ପଟୁ ଅଗଣା ଦେଇ ଆସୁଥିବା ପବନ ଅଧିକ ଗରମ୍ ନୁହେଁ। ବୋଧେ ସେପଟେ ଗଛ ଓ ବଗିଚା ଥାଇପାରେ, ଯାହା ତାଙ୍କୁ ଦେଖାଯାଉ ନଥିଲା। ଘର ଭିତରେ ବଡ଼ ବଡ଼ କାଚ ଆଲମାରୀରେ ଆଇନ୍ ପୁସ୍ତକ ସବୁ ରହିଛି। ହଠାତ୍ ନଜର ପଡ଼ିଲା ରୁମର ଗୋଟିଏ କଣରେ ଥାକ ଓ ତଳେ ଅନେକ ଗୁଡ଼ିଏ ଡାଏରୀ, ଖାତା ଓ ଦିସ୍ତା କାଗଜ ସବୁ ରଖା ହେଇଛି। ଏତେବଡ ଘରଟି କିନ୍ତୁ ବେଶ୍ ଶୁନ୍ ଶାନ୍। ତାର କାରଣ ଖୋଜି ପାଉନଥିଲେ ଜଗଦାନନ୍ଦ ବାବୁ। ଏସବୁ ପରିବେଶ ଦେଖି ଲାଗୁଥିଲା ଯେପରି କେହି ସେଠି ରହୁ ନାହାଁନ୍ତି । 

"ମୁଁ ଏ ଘରେ ଏକା ରୁହେ।" ନୀରବତା ଭଙ୍ଗ କରି କହିଲେ ସଦାଶିବ ବାବୁ। ଜିଜ୍ଞାସୁ ଦୃଷ୍ଟିରେ ଆଗନ୍ତୁକ ମାନେ ଚାହିଁଲେ ତାଙ୍କ ଆଡକୁ। 


ସେ ପୁଣି ଆରମ୍ଭ କଲେ, "ମୋ ଜେଜେ ଥୁଲେ ଜଣେ ଆଇନଜୀବୀ। ତାଙ୍କର ବହୁତ ଭଲ ରୋଜଗାର ଥିଲା। ପ୍ରାୟ ଶହେ ବର୍ଷ ତଳେ ସେ ଏଇ ଘରଟି ତୋଳିଥିଲେ। ତାପରେ ମୋ ବାବା ବି ଓକିଲାତି କଲେ ଏଇ ହାଇକୋର୍ଟରେ। ଆମ ଭାଗରେ ପଡିଥିବା ଘରର ସେ ଅନେକ ଉନ୍ନତିକରଣ କରିଥିଲେ। ମୋ ବାବାଙ୍କ ଇଚ୍ଛା ଥିଲା ମୁଁ ବି ଓକିଲାତି କରିବି। ତାଙ୍କ ଇଚ୍ଛା ଅନୁଯାୟୀ ମୁଁ ଆଇନ୍ ପାଠ ପଢିଲି ଓ ପ୍ରାକ୍ଟିସ୍ ବି କଲି। କିନ୍ତୁ ମୋ ଦ୍ବାରା ଓକିଲାତି ଭଲ ହେଲାନି। ମୋର ମନ ଥିଲା ଅଧ୍ୟାପକ ହେବାକୁ। ତାତ ହେଇପାରିଲିନି।"

"ତାପରେ କଣ?" ଜଗଦାନନ୍ଦ ବାବୁ ପଚାରିଲେ।

"ବାବାଙ୍କୁ କର୍କଟ ରେଗ ହେଇଥିଲା। ସେଇଥିରେ ସେ ଚାଲିଗଲେ। ସେତ ଅଧିକ ଦିନ ବଞ୍ଚି ନଥିଲେ, ପୁଣି ଚିକିତ୍ସା ପାଇଁ ବହୁତ ପଇସା ଖର୍ଚ୍ଚ ହେଇଗଲା। ଜେଜେ ଓ ବାବାଙ୍କର ସଞ୍ଚିତ ଅର୍ଥର ବେଶୀଭାଗ ସେଥିରେ ଗଲା। ମୁଁ ନୂଆ ନୂଆ ଓକିଲାତି ଆରମ୍ଭ କରୁଥାଏ। ମୋର ରୋଜଗାର କିଛି ବି ନଥିଲା। ମୋ ବାହାଘରର କିଛି ବର୍ଷ ଭିତରେ ବାପାଙ୍କର ଦେହାନ୍ତ ହେଇଥିଲା। ମୁଁ ଚେଷ୍ଟା କରୁଥିଲି ମୋ ଆଇନ୍ ବ୍ୟବସାୟକୁ ବଢେଇବା ପାଇଁ । ବାବା ଥିଲେ, ମତେ ଗାଇଡ୍ କରି ଥାଆନ୍ତେ। ତା ତ ହେଲାନି। ତାଛଡା ମୋର ଏହି ବୃତ୍ତିରେ ଆଦୌ ଆଗ୍ରହ ନଥିଲା। ନିଜକୁ ଜବରଦସ୍ତି ଗୋଟେ କାମରେ ଭର୍ତ୍ତି କରିବା ପରି ଅବସ୍ଥା। ତେଣୁ ସେଥିରେ ମୋର ଅଧିକ ଉନ୍ନତି ହେଇ ପାରିଲାନି। 

ମୋ ଆର୍ଥିକ ଅବସ୍ଥା ଭଲ ନଥିଲା। ଦୁଇଟି ଝିଅଙ୍କୁ ପାଠ ପଢ଼େଇ ମଣିଷ କରିବାକୁ ଚେଷ୍ଟା କରୁଥାଏ। ଉଚ୍ଚଶିକ୍ଷା ଦେବାପାଇଁ ମୋର ସାମର୍ଥ୍ୟ ନଥିବାରୁ ସେମାନେ କୋଚିଂ ବି ନେଇପାରିଲେନି। ଜଣେ ବିଜ୍ଞାନ ଓ ଅନ୍ଯ ଜଣଙ୍କ କଳାରେ ୩ କରିବା ପରେ ସେମାନଙ୍କ ପାଠରେ ଡୋରି ବନ୍ଧାଗଲା। ଏହି ସମୟରେ ମୋ ସ୍ତ୍ରୀଙ୍କର ପେଟରେ ଏକ ଦୁଃସାଧ୍ୟ ବେମାରୀ ହେଲା। ଚିକିତ୍ସା ରେ ହୁଏତ ସେ ଭଲ ହେଇ ପାରି ଥାଆନ୍ତା। କିନ୍ତୁ ମୁଁ ହତଭାଗ୍ୟ ବାହାଘରର ୨୦ ବର୍ଷପରେ ମୋ ଅର୍ଦ୍ଧାଙ୍ଗିନୀଙ୍କୁ ହରେଇଲି, ଚିକିତ୍ସା ଅଭାବରୁ। ମୋ ସ୍ତ୍ରୀ ଥିଲା ମୋର ମାନସିକ ଶକ୍ତି। ମୁଁ ଏକଦମ୍ ଭାଙ୍ଗି ପଡିଲି। ନିଜକୁ ଦୋଷୀ ଭାବୁଥିଲି ସବୁବେଳେ। ମୋର ଝିଅ ଦିଜଣଙ୍କୁ ମଧ୍ଯ ବାହା ଦେଇପାରି ନଥିଲି।

 ସେମାନେ ଏବେ ଏ ସହରଠୁ ବହୁତ ଦୂରରେ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ମୁଁ ବର୍ତ୍ତମାନ ଏଠି ଏକା।" 


"ଭଗବାନ୍ ବଡଲୋକ। ଆମ ଘର ପାଖରେ ଶ୍ରୀରାମ ଚନ୍ଦ୍ର ଭବନ, ମୋ ପାଇଁ ସମୟ ବିତେଇବାର ଏକ ଭଲ ସ୍ଥାନ। ଏଇଠି ହେଉଥିବା ସାହିତ୍ୟ ସଭା କିମ୍ବା କାର୍ଯକ୍ରମରେ ଯୋଗଦେଲେ ମତେ ଅନେକ କଥା ଶିଖିବାକୁ ମିଳିବା ସହ ଭଲ ଭାବରେ ସମୟ ଅତିବାହିତ ହେଇଯାଏ। ଖୁବ୍ ଶାନ୍ତି ଲାଗେ, ମୁଁ ଭୁଲିଯାଏ ମୋ ଦୁଃଖ"


ଅପରାହ୍ନ ସାଢେ଼ ଚାରିଟା ବାଜିବାକୁ ଯାଉଥିଲା। ଜଗଦାନନ୍ଦ ବାବୁ ଚେୟାର ଛାଡି ଉଠୁ ଉଠୁ ପଚାରିଲେ , ଏ ଖାତା ଓ ଡାଏରୀ ସବୁ କଣ? 


"ଏଗୁଡିକ ମୋ ଲେଖା। କେତେବେଳେ ମନକୁ ଆସିଲେ କିଛି ଗାରେଇ ଦିଏ।"

ବେଳ ହେଲାଣି, ଉଭୟ ସଦାଶିବ ବାବୁ ଓ ଜଗଦାନନ୍ଦ ବାବୁ ଉଠି ସଭାସ୍ଥଳ କୁ ଯିବାକୁ ବାହାରି ପଡିଲେ।


ଯିବା ସମୟରେ ସଦାଶିବ ଵାବୁଙ୍କର ଲେଖାଟିଏ ମାଗିଲେ ଜଗଦାନନ୍ଦ ବାବୁ। କିଛି ଉତ୍ତର ନମିଳିବାରୁ, ଦୋ ଦୋ ପାଞ୍ଚ ହେଇ ଚୁପ୍ ରହିଲେ।


ସଦାଶିବ ଵାବୁ ପୋଷାକ ପିନ୍ଧିବା ପାଇଁ ଭିତର‌ ଶୋଇବା ଘରକୁ ଗଲା ଭିତରେ ଧୂଳି ରେ ଆଚ୍ଛାଦିତ କିଛି ପାଣ୍ଡୁଲିପି ଆଣି ନିଜ ବ୍ଯାଗରେ ପୁରେଇଲେ ଜଗଦାନନ୍ଦ ବାବୁ। ଏଇ ଭୁଲ୍ କାମଟି ପାଇଁ ମନେ ମନେ କ୍ଷମା ମାଗିଲେ ସଦାଶିବ ଵାବୁଙ୍କ ପାଖରେ। କିନ୍ତୁ ତାଙ୍କ ମନ ଭିତରେ ଏକ ଭଲ ଉଦ୍ଦେଶ୍ୟ ଥିଲା।


ଦୁଇ ତିନୋଟି କ୍ଷୁଦ୍ରଗଳ୍ପ ଥିଲା ସେ କାଗଜ ଗୁଡିକରେ। ଗପ ଗୁଡିକ ଚମତ୍କାର ଥିଲା। ଲେଖାର ଶୈଳୀ ଓ ପ୍ରବାହ ବହୁତ ସୁନ୍ଦର। ସେଇଟା ପଢ଼ିସାରି ଜଗଦାନନ୍ଦ ବାବୁ, ସଦାଶିବ ଵାବୁଙ୍କ ପ୍ରତିଭା ବିଷୟରେ ଅବଗତ ହେଇଗଲେ। ମନେ ମନେ ଭାବିଲେ, ଏଇଗପ ଗୁଡ଼ିକୁ ଗୋଟେ ବ଼ହି କଲେ କିପରି ହୁଅନ୍ତା ? ତାଙ୍କର ଏତେ ବର୍ଷର ଅନୁଭୂତି ରୁ ତାଙ୍କୁ ଲାଗୁଥିଲା, ବହିଟି ନିଶ୍ଚିତ ଭଲ ବିକ୍ରି ହେବ।

ବ଼ହି ଛପେଇବା ପାଇଁ ସେ ସଦାଶିବ ଵାବୁଙ୍କୁ ମନେଇ ପାରିବେ ବୋଲି ନିଜ ଉପରେ ଆସ୍ଥା ବି ଥିଲା।





Rate this content
Log in

Similar oriya story from Classics