ନବ ପଲ୍ଲବ
ନବ ପଲ୍ଲବ
ହିମାଂଶୁ ସାର୍ ଙ୍କ ର ପାଞ୍ଚଟି ବ୍ୟାଙ୍କ୍,ଯଥା÷ ୧- ଇଉନିଅନ ୨- ବ୍ୟାଙ୍କ ଅଫ୍ ଇଣ୍ଡିଆ ୩- କାନାଡା ୪- ପଞ୍ଜାବ ନେସନାଲ ୫- ଏସ.ବି.ଆଇ.ରେ,ଦୀର୍ଘ କାଳୀନ ଏବଂ ସ୍ବଳ୍ପ କାଳୀନ ଜମା ଅଛି ।ଏଇ ପାଞ୍ଚଟି ବ୍ୟାଙ୍କ, ପଞ୍ଚ ସାଗର ତୀର୍ଥ କି? ସେ ଗାଧୋଇ ପାଧୋଇ , କଳା କରା ଯାଇଥିବା ଧଳା ବାଳରେ କୋଉଠି ଗୋଟେ ଦୁଇଟା ପାଚିଲା ଦିଶୁ ଥିଲେ,ସେଇଟାକୁ ଟାଣି ଓଟାରି ଛିଣ୍ଡେଇ ଦେବେ,ଆଇ ବ୍ରୋ ଓ କେଶ କୁ ଦଶ ଥର ପାନିଆ ରେ କୁଣ୍ଡାଉ ଥିବେ ମନ ଶାନ୍ତି ହେବା ଯାଏଁ। ମୁହଁଟାକୁ ଚିତ୍ତାକର୍ଷକ କରିବାକ ବହଳିଆ ପାଉଡର,ପ୍ରାଇମର୍,କନସେଲର,ମାସ୍କାରା,ଲିପ୍ ବମ୍ ଲଗାଉ ଥିବେ।
ଏତେ ମେକାପ ନିଅନ୍ତି ଯେ ତାଙ୍କ ପୁଅ ଝିଅ ଦେଖି ହସି ହସି କହନ୍ତି,"ବାପା ପୂରା ଟୋକା ଦେଖା ଯାଉଛ।ବିବାହ ଭୋଜି ଯାଉଛ କି,ପାର୍ଟି କୁ,କି ଆଉ ଥରେ...." ବାପାଙ୍କ କାନ ମୋଡା ଡରରେ,ବାହା ହେବକି?" ପଚାରି ପାରନ୍ତି ନାହିଁ।
ତାପରେ ଲେଟେଷ୍ଟ ମଡେଲ ର ଜିନ୍ସ,ଟି ସାର୍ଟ ପିନ୍ଧି,ଧୂପ ଦୀପ ଦେଇ ବାହାରି ପଡିବେ।
ଚେକ୍ ବୁକ୍ ଟା ଅତି ଯତ୍ନ ରେ ସିନ୍ଦୂର ଫରୁଆ ର ଅସୁରୁଣୀ ତା' ଜୀବନ ସାଇତି ରଖିବା ପରି ତିନି ପରସ୍ତ(ଫୋଲଡାର) କରି ତା' ଭିତରେ ଭିତରେ ରଖି, ଜାବୁଡି ଧରି,ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ବାହାରି ପଡିବେ ବ୍ୟାଙ୍କ କୁ।
ଏ.ଟି.ଏମ.କାର୍ଡ ରେ ନ ଉଠେଇ କାହିଁକି ଏତେ ଗହଳି ଭିତରେ ଠିଆ ହୋଇ ଚେକ ରେ ଟଙ୍କା ଆଣନ୍ତି ତାହା ସମସ୍ତଙ୍କ ପାଇଁ ଅଗମ୍ୟ।
ପ୍ରତ୍ୟେକ ଥର ଅଲଗା ଅଲଗା ବ୍ୟାଙ୍କ କୁ ଯିବେ। ଚେକ୍ ଫିଲପ୍ କରିବେନି ବସିଥିବେ।ଗ୍ରାହକ ଆସୁଥିବେ ଯାଉ ଥିବେ। ବ୍ୟାଙ୍କ ଭିତରକୁ ଗୋଡ ଦେଉ ଦେଉ ପାଦର ବ୍ୟଗ୍ରତା ବଢି ଯାଉ ଥିବ।ଫର୍ମ ଟିଏ ଆଣୁ ଥିବେ। ଲେଖୁ ଥିବେ। କାଟୁ ଥିବେ।ପୁଣି ଲେଖୁ ଥିବେ।ପୁଣି କାଟୁ ଥିବେ।ବୁଝି ନ ପାରି ପଚାରୁ ଥିବେ।ଯେତେ ଜଲଦି ଲେଖୁ ଥିବେ,ସେତେ ଜଲଦି କାଟୁ ଥିବେ।
ହିମାଂଶୁ ବାବୁ ଲେଖୁ ନ ଥିବେ କି କାଟୁ ନ ଥିବେ।
ପ୍ରତ୍ୟେକ ବ୍ୟାଙ୍କ ରେ ଲେଡିଜ୍ ଷ୍ଟାଫ ବେଶୀ। ସେ ବାରମ୍ବାର ଆସୁ ଥିବାରୁ ,ସବୁଠାରୁ ସୁନ୍ଦର ତରୁଣୀ ବସିଥିବା କାଚ ଝରକା ଭିତରେ ହାତ ପୂରାଇ ଚେକ୍ ଟା ସେଇ ସୁନ୍ଦରୀ ହାତକୁ ବଢାଉ ଥିବେ, ଫେରେଇ ଆଣୁ ଥିବେ। ତା'ମୁହଁ କୁ ଏକ ଲୟରେ ଚାହିଁ ରହି ଥିବେ। ତାଙ୍କ ପଛରେ ପ୍ରବଳ ପାଟି ଗୋଳ,
"ଆରେ ଏତେ ସମୟ କ'ଣ କରୁଛ? ଚେକ୍ ଟା ବଢେଇ ଦେଉନ।ନହେଲେ ଛାଡ।"
ହାତ ଟା ଘୋଷାରି ନେଉ ଥିଲେ ବି ଆସିବେନି।
ସିଆଡେ ତରୁଣୀ ଟି ହସି ହସି ଚେୟାର ରେ ହାତ ଦୁଇଟା ଆଗକୁ କରି ଶୋଇ ଗଲାଣି।
ବହୁତ ଚେଷ୍ଟାରେ ହସ ବନ୍ଦ କରି କହିବ," ମଉସା,ସେତିକି ରେ ଥାଉ... ମୁଁ କାଲି ଆସିବି ହେଲା,ଆପଣ ଧାଡି ଛାଡନ୍ତୁ।" ସେଇ ସିଟ୍ ରେ ବସିଥିବା ଶ୍ରଦ୍ଧା ପାଟିରୁ ମଉସା ଡାକ ଶୁଣି ଇଏ ଫ୍ୟୁଜ୍ ହୋଇ ଗଲେଣି।
ଗମ୍ ଗମ୍ ଝାଳ ବୋହି ଯାଉ ଥିବ । ଇଏ ବସି ଥିବେ। ପକେଟ୍ ରୁ ରୁମାଲ ବାହାର କରିବିନି କି ଝାଳ ପୋଛି ବେନି। ଫ୍ୟାନ ପବନ ରେ ଝାଳ ଶୁଖି ଯାଇ, କସମେଟିକ ତକ ଛାଡି ଯାଇ,ମୁହଁ ସିଠୁଆ ଦିଶୁ ଥିବ ।
ଚେକ୍ ରେ ଲେଖି ସାରିଥିଲେ ବି ଡେଟ୍ ପକେଇ ନ ଥିବେ_ଯାହା ହେଉ ରକ୍ଷା ହୋଇଗଲା।
ସେମିତି ବସିଥିବେ। ଭାବୁଥିବେ।ଖର ନିଶ୍ଵାସ ପକାଉ ଥିବେ। ଏତେ ସଜ ବାଜ ହୋଇ ଆସିଥିଲେ ଏଇ 'ମଉସା' ଡାକ ଶୁଣିବାକୁ?କୋଉ ବର୍ଷ ତା'ମାଉସୀ କୁ ବାହା ହେଲେ ତାଙ୍କର ମନେ ନାହିଁ ତ!
ଧୀରେ ଧୀରେ ଗ୍ରାହକ କମି ଯିବେ।ପ୍ରତି କାଉଣ୍ଟର ରୁ କର୍ମଚାରୀ ଆସନ ଛାଡିବେ।
ହିମାଂଶୁ ବାବୁ ଘଣ୍ଟା ଦେଖିବେ,ଅଢେଇ ଟା!
ସକାଳ ର ଚେହେରା ଅପରାହ୍ନ ବେଳକୁ ମଉଳି ଯାଇଥିବ_ସୁର୍ଯ୍ୟ ପଶ୍ଚିମାଭିମୁଖି ହେବାର ଛବି ପରି।
ନୀଳ ନୟନା ଏରିକା ବି ତା' ସିଟ୍ ରେ ନ ଥିବ।ମନେ ମନେ ଭାବୁଥିବେ ସିଏ ଗଲା ହେଲେ ଥରେ ପଛକୁ ଚାହିଁ ହସିଲା ନି!
ଆସିବାର ଆନନ୍ଦ ଯିବାରେ ଥାଏ କି?
କ୍ଳାନ୍ତ ଶରୀର ଅବସନ୍ନ ମନ ନେଇ ସେ ଉଠିବେ ଯିବା ପାଇଁ। ଶେଷ ପାହଚ ରେ ଠିଆ ହୋଇ,ଫେରି ଚାହୁଁ ଥିବେ ଏରିକା ଆସି ଯାଇଛି ଆଉ ଡାକୁଛି,"ହେଲୋ ସାର୍,ପଳେଇ ଯାଉଛନ୍ତି କି?"
କାଇଁ କେହି କୁଆଡେ ନାହାନ୍ତି ତ!ଦିନ ସ୍ୱପ୍ନ କ"ଣ ସତ ହୁଏ ?
ଘରେ ପୁଅ ଝିଅ ମାନେ ଚାହିଁ ବସି ଭାବୁଥିବେ,"ବାପା ଆଜି ଟଙ୍କା ଉଠେଇବେ ମାନେ କିଛି ଆଣିବେ।"
ସେ ଫେରିବା କ୍ଷଣି ତାଙ୍କୁ ଘେରି ଯିବେ।ବ୍ୟାଗ ରେ ପିଜୁଳି ଟିଏ ନାହିଁ କି ଗୋଲାପ ଜାମ ଟିଏ ନାହିଁ।ବାପା ଟଙ୍କା କାଢିଲେ ନି କି!
ସେ ଏକ ସନ୍ଦେହ ଜନକ ଚରିତ୍ର।ତାଙ୍କ ଫୋନ କାହାକୁ ଧରିବାକୁ ଦେବେ ନି । ଯଦି ଚାର୍ଜ ରେ ବସିଛି,ଦଶ ଥର ଉଠି ପଡି ଦେଖୁ ଥିବେ ତାଙ୍କ ଫୋନ ରେ କଲ୍ ଆସୁଛି କି?
ତାଙ୍କ ଫୋନ ଯଦି କାହାକୁ ଦେଖିବାକୁ ଦିଅନ୍ତେ,ଜାଣି ପାରନ୍ତେ କେତେ ଯୁବତୀଙ୍କ ଫଟୋ ସେଭ୍ କରିଛନ୍ତି ଆଉ ସେମାନଙ୍କ ନମ୍ବର ବି।
ସେ ପୁଅ ଝିଅ ଙ୍କ କଥା ବୁଝନ୍ତି ନି।ବନ୍ଧୁ ବାନ୍ଧବ ମାନଙ୍କ ସହ ସମ୍ପର୍କ ରଖିବାକୁ ଚାହାଁନ୍ତି ନି। ଏକୁଟିଆ ବସିଥିବେ ଏବଂ ଭାବୁଥିବେ_ ବୟସ ର ଜହ୍ନ ରାତି କେତେ ଚଟ୍ ଚାଲିଗଲା ; ପୁଣି ଭାବୁଥିବେ,ସମସ୍ତ ଙ୍କ ଦୁର୍ଦ୍ଦଶା ତାଙ୍କର ହେବାକୁ ଦେବେ ନି।ଯାବତ ଚନ୍ଦ୍ର ଚେଷ୍ଟା କରୁଥିବେ।
ହଠାତ୍ ଅପ୍ରସ୍ତୁତ ହୋଇ ଉଠିବେ ହାତ ଘଣ୍ଟାକୁ ଦେଖି।ଦଶ ଟା ବାଜି ପନ୍ଦର ମିନିଟ ହୋଇ ଗଲାଣି,ଆରେ ଆରେ ବ୍ୟାଙ୍କରେ ଭିଡ ହୋଇ ଯିବ!
ଏଥର ବ୍ୟାଗ,ଚେକ୍ ବହି,ପୂର୍ବ ପରି ଚର୍ଚ୍ଚିତ ଚେହେରା ବନେଇ ଚାଲିବେ ଏସ.ବି.ଆଇ. ଅଭିମୁଖେ। ମନି ପର୍ସରେ ମିନି ମମ୍ ପାଞ୍ଚଶହ ହଜାରେ ବି ନ ଥିବ।ଗୁଗଲ ରେ ବି ପେମେଣ୍ଟ କରିବେନି।ହିସାବ କରି ଯେତିକି ଦରକାର ବ୍ୟାଙ୍କ ରୁ ଡ୍ର କରି,କେସ ଦେବେ ଜିନିଷ କିଣିବେ। ଖାଲି ବ୍ୟାଗ ଧରି ଫେରି ପାରନ୍ତି ବି ତା'ର କିଛି ଗ୍ୟାରେଣ୍ଟି ନାହିଁ। ସେଇଟା ତାଙ୍କ ମୁଡ୍ ଉପରେ ନିର୍ଭର କରେ।
ସେଇ ମୁଡ୍ ଟା ପୁଣି ଷ୍ଟେଟ ବ୍ୟାଙ୍କର ଅଞ୍ଜଳି, ବ୍ୟାଙ୍କ ଅଫ ଇଣ୍ଡିଆ ର ରୂପାଲି,କାନାଡା ବ୍ୟାଙ୍କର ହର ପ୍ରିୟା,ପଞ୍ଜାବ ନେସନାଲ ର ବୈଶାଖୀ ମାନଙ୍କ
ବ୍ୟବହାର ଉପରେ ନିର୍ଭର ଶୀଳ। ଏମାନଙ୍କ ଭିତରୁ ଅଞ୍ଜଳି ତାଙ୍କର ଅତି ପ୍ରିୟ।
ସେ ଭାରି ମେଳାପି।
ଡାକି ପଚାରିବ ,"କ'ଣ କିଛି କାମ ଅଛି ? ଯଦି ଟଙ୍କା ଡ୍ର କରିବେ ଏକ ନମ୍ବର କାଉଣ୍ଟର କୁ ଯାଆନ୍ତୁ।ଏଇଟା ବିଲ ସେକ୍ସନ । ଆକାଉଣ୍ଟ ଟ୍ରାନ୍ସଫାର (ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କ କୁ) ତିନି ନମ୍ବର କାଉଣ୍ଟର କୁ ଯିବେ।ସେମିତି ଡିପୋଜିଟ ସେକ୍ସନ,ନୂଆ ଆକାଉଣ୍ଟ ଖୋଲିବା,ଜୀବନ ପ୍ରମାଣ ପତ୍ର,ପାନ୍ କାର୍ଡ,ଏଟିଏମ୍ କାର୍ଡ ସେକ୍ସନ,ଘର ଋଣ,ସୁନା ଋଣ,ଫିକ୍ସଡ ଡିପୋଜିଟ ,ଇନସୁରେନ୍ସ,ଇନଭେଷ୍ଟମେଣ୍ଟ,ମୋର୍ଟଗେଜ , ଏମିତି ସବୁ ବିଭିନ୍ନ କାଉଣ୍ଟର ଅଛି।ସେଇ କାଉଣ୍ଟର କୁ ଯିବେ।ସଂପୃକ୍ତ କର୍ମଚାରୀ ଙ୍କ ସହ କଥା ବାର୍ତ୍ତା କରିବେ।"
ଏତେ ସବୁ କଥା ଶୁଣିବାକୁ ତାଙ୍କର ଆଗ୍ରହ ନ ଥାଏ।ଶିକ୍ଷକ ଅଧ ଘଣ୍ଟାଏ ବକ ବକ ହେବା ପରେ,ଛାତ୍ର ଯେମିତି ନ ବୁଝିବା ପରି ମଟ ମଟ ଚାହିଁ ରହିଥାଏ,ସେମିତି ହିମାଂଶୁ ବାବୁ କାବା ହୋଇ ଅଞ୍ଜଳି ମୁହଁକୁ ଚାହିଁ ରହି ଥାଆନ୍ତି।
ତାଙ୍କର କିଛି ଦରକାର ନାହିଁ,
_ଦରକାର କେବଳ ତାକୁ। ସେ ଯଦି ଗୋଟେ ଚେୟାର ଦେଇ ପାରନ୍ତା ତା'ସାଇଡ ରେ,ସେଠି ବସି ବସି ତାକୁ ଦେଖୁ ଥାନ୍ତେ।ଯଦିଓ ସିଏ ବିଲ୍ ସେକ୍ସନ ରେ ସିଏ ତାଙ୍କ ସବୁ କାମ କରି ଦିଅନ୍ତା।ଯେଉଁଟି ତାଙ୍କ ପାଇଁ ସୁବିଧା_ ସେଇଟା ଅନ୍ୟ କାହା ପାଇଁ ସୁବିଧା ହେବାକୁ ବାଧ୍ୟ କରନ୍ତି ସେ।
ବାଧ୍ୟ ହୋଇ ତାଙ୍କୁ ସେ କୁହେ,"ସାର୍ ଟଙ୍କା ନେବେ ତ ଚେକ୍ ରେ ସାଇନ୍ କରି ଦିଅନ୍ତୁ।ବାକି ସବୁ କାମ ମୁଁ କରି ଦେଇ ଆପଣଙ୍କୁ ଟଙ୍କା ଦେଇ ଦେବି।"
ଗ୍ରାହକ ମାନେ ୟାଙ୍କୁ ବଦ୍ଧ ପାଗଳ ବୋଲି ଧରି ନେବା ପରେ ତାଙ୍କ ସାଙ୍ଗରେ ଲାଗନ୍ତି ନି।ନାତି ନାତୁଣୀ ଙ୍କ ବାହାଘର ଦେଖିବ,ଝିଅ ପାଗଳାମୀ ଯାଇନି।
କ'ଣ କହିଲା ଅଞ୍ଜଳି, "ଯିବ ତ ଯିବ ଏତେ ତରବର କାହିଁକି।ତୁମ ଛବି ଟା କୁ ହୃଦୟ ଭିତରେ ଧରି ରଖିବା ଯାଏଁ ଅପେକ୍ଷା କର।"
ଏଇଟା ସିଏ କାହିଁକି କହିବ? ତାଙ୍କ ଆଖି କହୁଥାଏ ପାଟି ନୁହେଁ।
"ଅଞ୍ଜଳି ତମେ ଥକା ଥକା ଲାଗୁଚ,କଫି ପିଇବ? ମୁଁ ବି ପିଇବି।"
"ନାଇଁ ନାଇଁ ଦରକାର ନାହିଁ,"
ବଡ ପାଟିରେ କହୁଥିଲେ ବି ଇଏ ଚା' ଲାଗି ଅର୍ଡର ଦେଇ ସାରିଲେଣି।
"ଏ ବୁଢା କେତେ ଯେ ପାଲା କରୁଚି….ତା' ସହାନୁଭୂତି କୁ ଇଏ ଭଲ ପାଇବା ଭାବୁଛି କି! ଲାଜ କୁ ପୋଡି ଖାଇ ସାରିଲାଣି।ସତୁରି ବର୍ଷ ରେ ଭାବୁଛି କି ସତର ପଶିଲା?"
କିନ୍ତୁ ତାଙ୍କ ମନ ଭାଙ୍ଗି ପାରୁନି।କର୍କଶ କଥା କହିବାକୁ କେତେ ସମୟ ଲାଗିବ କିନ୍ତୁ ଏଡେ ବଡ ବୁଢାଟା ମନରେ ଆଘାତ ଦେଇ ପାରେନି।
ଇଏ କି କଥା
"ଝିଅ ଲୋ,ମା' ଲୋ ଏଇ କାମ ଟା ଜଲଦି କରିଦେ"
କହିଲେ କେତେ ଭଲ ଲାଗନ୍ତା।ଫାଷ୍ଟ ଟାଇମ ଲଭ କରିବା ପରି ତା'ର ସଂଳାପ। ଦି'ପ୍ରାଣୀଙ୍କ ଭିତରେ ପଡୁନି କି!!କିବା ଯୌବନ-ପୁଷ୍ପ ସମୟ କ୍ରମେ ଅପହୃତ ହୋଇ ଯାଇ ଥିବାରୁ,ତଟକା ଫୁଲ ପ୍ରତି ଆଗ୍ରହ ବଢି ବଢି ଚାଲିଛି!ଚୋରା ଚଇତି ଛୁଇଁ ଛୁଇଁ ଯାଉଛି କି ଏବେ ଏବେ!!
କେମିତି ଏକ ଅହେତୁକ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ଅଞ୍ଜଳି ସହିତ ହିମାଂଶୁ।
କିନ୍ତୁ ଜାଣି ନାହାନ୍ତି ସମୟ କେତେ ନିଷ୍ଠୁର।କେତେ ଅସହିଷ୍ଣୁ ଏଇ ସମୟ! କାହାର ଆଶା ଆକାଂକ୍ଷା, ସରସ ସୁନ୍ଦର ଜୀବନ କୁ ପଲକ ରେ ଧୂଳିସାତ କରିଦିଏ ଏଇ ସମୟ!ସହି ପାରେନି ମଣିଷ ର ହସ ଖୁସି ର ଜୀବନ_ଏଇ ହାତରେ ତୋଳି ଆଣିବ ବଉଳ ପେନ୍ଥି, ହଠାତ୍ ଅବିଶ୍ରାନ୍ତ ଝଡ।
ତାଙ୍କୁ ଭଲ ପାଉ ଥିବା ମାଧୁରୀ ର ଅଜ୍ଞାତ ରେ ବିବାହ ନିଷ୍ପତ୍ତି ପୁଣି ବାରାତ୍ କାର ଟ୍ରାକ ସହ ସେ ସାମନା ସାମନି ଧକ୍କା ରେ ଆୟୁଷ ର ମୃତ୍ୟୁ ,ସତ୍ୟ ପାଠ ହୋଇ ସାରି ଥିବାରୁ ପୁରୁଖା ଲୋକ ମାନଙ୍କର ମାଧୁରୀ କୁ ବିଧବା ବୋଲି ଘୋଷଣା ଯୋଗୁଁ ସେ କୋଉ କୂଳରେ ହୋଇ ପାରି ନ ଥିଲା।
ସାମାଜିକ କଟକଣା ର ବିଶାଳ ପାଚେରୀ କୁ ଡେଇଁ ସେ ହିମାଂଶୁ ର ଜୀବନ କୁ ମଧୁମୟ କରି ପାରୁ ନ ଥିଲା।
କିନ୍ତୁ ହିମାଂଶୁ ସଂକଟ ର ଅକାତ କାତ ପାଣି ରେ ଡେଇଁ ମାଧୁରୀ ସହ ମଧୁର ମିଳନ ରେ ନିଜ ଜୀବନ କୁ ସାର୍ଥକ ମଣୁ ଥିଲା।
ପୁରୁଷ ଜୀବନ ର ବାଦଲ ଆସେ ଆଉ କେତେ କ୍ଷଣ ରେ ଚାଲି ଯାଏ।କିନ୍ତୁ ନାରୀ ଜୀବନରେ ବାଦଲ, କଳା ହାଣ୍ଡିଆ ମେଘ ହୋଇ ବରଷି ଯାଏ।ବିଦ୍ରୁପ ର ଘଡ ଘଡି ତାକୁ ସହିବାକୁ ହୁଏ ତାକୁ।
ପଦାକୁ ଆସିଲା କଥା।ମାଧୁରୀ ହିମାଂଶୁ ଭରସା ରେ ସବୁ ଦୁର୍ନାମ କୁ ମୁଣ୍ଡେଇ ବାପ ଘର ଛାଡି ଶାଶୂ ଘରକୁ ଆସିଲା।ମଥାରେ ସିନ୍ଦୂର ଥିବାରୁ କାହାରି ସାହସ ହେଉ ନ ଥିଲା ପଚାରିବାକୁ ସିଏ ହିମାଂଶୁ ର ସ୍ତ୍ରୀ କି ଆଉ କିଏ ପଳେଇ ଆସିଛି ମଙ୍ଗଳ ସୂତ୍ର ଓ ଶାଢୀ ପିନ୍ଧି। ହିମାଂଶୁ ତା'ସାଙ୍ଗରେ ଅଛି_ ତା'ର ସ୍ତ୍ରୀ ନୁହେଁ ଆଉ କାହାର? ସମସ୍ତେ ଏଥିରେ ଏକମତ ଥିଲେ ବି ଏ କଥା ମାଧୁରୀ ଶାଶୂ ବିଶ୍ଵାସ କରୁ ନ ଥିଲେ।
ମାଧୁରୀ ବାପ ଘର ଲୋକଙ୍କ ପାଟି ବନ୍ଦ।ଯେମିତି ହେଲେ ଝିଅ ବୋଝ ମୁଣ୍ଡ ଉପରୁ ଓ ଯାଇଛି; ବାପା ବୋଉ ଖୁସି।ତା'ଲାଗି କେତେ କଷ୍ଟ ପାଇ ଲେଣି। ବର ଖୋଜି ଖୋଜି ନୟାନ୍ତ ହେଲେଣି।
ତା'ଲାଗି ସାନ ଭଉଣୀ ମାନଙ୍କର କ୍ରମିକ ନମ୍ବର ପଡୁ ନଥିଲା।ଏଇଟା ଶ୍ୟାମଳୀ ଥିଲା ....ଯାଇଛି ତ,ଓହୋ ମୁଣ୍ଡକୁ ହାଲୁକା କରି ଦେଇଛି!
ହିମାଂଶୁ ବାବୁ ଙ୍କ ର ସେତେବେଳେ ନୂଆ ନୂଆ ଚାକିରି।ସେ ଭଲକି ଲକ୍ଷ୍ୟ କରୁଥିଲେ,ମାଧୁରୀ ସହ କାହାରି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ନାହିଁ।
ପରିବାର ସଦସ୍ୟ ମାନଙ୍କ ମନୋଭାବ ଇଏ ବୁଝି ପାରନ୍ତି,"ସିଏ ହିମାଂଶୁ ଙ୍କୁ ଜବରଦସ୍ତି ବାହା ହେଇଛି।ସେ ହିମାଂଶୁ ଘରେ ରହିପାରେ,ତାଙ୍କ ଘରେ ନୁହେଁ।"
ଦିନକୁ ଦିନ ପରିବାର ସହିତ ତାଙ୍କ ସମ୍ପର୍କ ତିକ୍ତ ହେଉଥିଲା।
ମାଧୁରୀ ର ପିଲା ହେବ ଜାଣି ସାରିବା ପରେ ତାକୁ ଘରୁ ବିଦା କରି ଦେବାର ସବୁ ବ୍ୟବସ୍ଥା କରି ସାରିଥିଲେ ହିମାଂଶୁ ଙ୍କ ପରିବାର ବର୍ଗ।
"ତୋ ଭିତରେ ବଢୁଥିବା ଭ୍ରୁଣ, ହିମାଂଶୁ ର ନୁହେଁ।ଏହାର ପ୍ରମାଣ ଆମ ପାଖରେ ଅଛି।ତୁ ନିଜେ ଏ ଘରୁ ବାହାରି ଯିବୁ ନା ଗଳା ଧକ୍କା ଦେଇ ନେଇ ଦାଣ୍ଡରେ ଛିଡା କରିଦେବା?"
ଏମିତି ଏକ ଘଡି ସନ୍ଧି ସମୟରେ ମାଧୁରୀ ଫୋନ୍ କରି କରି ଥକି ଯାଉଥିଲେ ବି ହିମାଂଶୁ ଜବାବ ଦେଉନଥିଲେ।
ସପ୍ତ ରଥୀ ମିଶି ଅଭିମନ୍ୟୁ କୁ ବଧ କରିବା ପରି ପରିବାର ବର୍ଗ ମାଧୁରୀ କୁ ତା'ସ୍ବାମୀ ଘରୁ ତଡି ଦେଇଥିଲେ।
ତାପର ଦିନ ସକାଳେ ଆସି ମାଧୁରୀ କୁ ନ ଦେଖି ପଚାରିଲେ,"ମାଧୁରୀ କାହିଁ?"
ପଚାରିବାରୁ ଏକ ସ୍ବରରେ ସମସ୍ତେ କହିଲେ,"ତା' ବାପା ଆସି ନେଇ ଯାଇଛନ୍ତି", ଉତ୍ତର ତାଙ୍କୁ ଦ୍ବିଧାରେ ପକାଉ ଥିଲା।
ପରିବାର ସହିତ ସବୁ ସମ୍ପର୍କ ଛିନ୍ନ କରି ସେ ପଳେଇ ଆସି,ପ୍ରଥମେ ସେ ତା' ବାପଘର, ତାପରେ ହାଟରେ,ବାଟରେ, ଜନ ସମାଗମ ସ୍ଥାନରେ ତା'ଫଟୋ ଦେଖାଇ, ଯାହାକୁ ପାଉଥିଲେ ପଚାରୁ ଥିଲେ,
"ଏଇ ଝିଅ ଟିକୁ କେହି ଦେଖିଛ?
ଏମିତି ଫଟୋ ଦେଖଉ ଦେଖଉ ଜନୈକ ବ୍ୟକ୍ତି ତାଙ୍କୁ କହିଲା,"ହଁ ଯେଉଁ ଫଟୋ ମୁଁ ଦେଖୁଛି ସିଏ ଝିଅ ନୁହେଁ,ମା; ଏକ ପୁତ୍ର ସନ୍ତାନ ର ଜନନୀ।"
"ସେ ଏବେ କୋଉଠି?"
ଅବର୍ଣ୍ଣନୀୟ ଆନନ୍ଦରେ ଶୀରା ଧମନୀ ରେ ଅପୂର୍ବ ଶିହରଣ ହିମାଂଶୁଙ୍କ ର।
"ବର୍ଷେରୁ ବେଶୀ ହୋଇଯିବ,ଏତେ ଦିନ ପରେ ମନେ ପଡୁଛି। ସେ ମରି ଯାଇଥିଲେ ତା'ର ପ୍ରଥମ ମୃତ୍ୟୁ ବାର୍ଷିକ ପାଳନ କରି ଥାନ୍ତ।"
ସାମାନ୍ୟ ଉଚ୍ଚ ଥିଲା ଆଶ୍ରୟ କର୍ତ୍ତା ଙ୍କ ଉଚ୍ଚାରଣ।
"ଖୋଲି କହିବେ କି? ସେ କୋଉଠି? ମୋ ପୁଅ କୋଉଠି?"
ଅତ୍ୟନ୍ତ ବ୍ୟାକୁଳ ହୋଇ ପଡୁଥିଲେ ହିମାଂଶୁ।
"ମା'ପୁଅ ଦି'ଜଣ ଆସୁଥିବ ।ପ୍ରଥମେ ଶୁଣନ୍ତୁ ସେ ଦିନର ବିଷାଦ ଭରା କାହାଣୀ।
ସେ ଗଳା ସଫା କରି ଆରମ୍ଭ କଲେ,"ସେ ଦିନ ବାପାଙ୍କ ଶ୍ରାଦ୍ଧ ବାର୍ଷିକ ଥିବାରୁ ମୁଁ ସଅଳ ଉଠି ନଦୀ କୁ ଗାଧୋଇ ବାକୁ ଯାଇ ଥାଏ। ପଥୁରିଆ ଘାଟ ରେ ଆସ୍ତେ ଆସ୍ତେ ପାଦ ପକେଇ ପକେଇ, ପାଣିରେ ଗୋଡ ରଖିବା ବେଳକୁ ମୋ ପାଦ ଝିଇଣ୍ଟି ପଡିଲା ଏକ ବସ୍ତୁ ସହିତ।ମୁଁ ନଇଁ ପଡି ହାତ ମାରିବା ବେଳକୁ ଗୋଟେ ହାତ। ତାପରେ ସଂପୂର୍ଣ୍ଣ ଶରୀର ଟିଏ । ମୁଁ ଏତେ ଡରିଗଲି ଯେ ଚିତ୍କାର କରି ଡାକୁ ଥାଏ,ଭାଇମାନେ କିଏ କୋଉଠି ଅଛ ଦୌଡି ଆସ।
ଆଖପାଖ ର ଲୋକ ମାନେ ଉଜାଡି ପଡିଲେ।ପାଣିରୁ ଛାଣି ଆଣି ଦେଖିଲୁ ,ନାଟି ଚାଲିଛି। ପେଟରୁ ପାଣି ବାହାର କରି ଦେବାରୁ ସେ ଆଖି ଖୋଲିଲା।ମୁଁ ତାକୁ ଘରକୁ ଘେନି ଆସି ଡାକ୍ତର ଙ୍କୁ ଡାକି ଚିକିତ୍ସା କରେଇଲି।ତାପର ର ଘଟଣା ଅନୁମାନ କରି ପାରୁ ଥିବ। ସେ ଅତୀତ କଥା ମନେ ପକେଇ ପାରୁନି।କିନ୍ତୁ ଛୁଆ ର ଯତ୍ନ ନେବାରେ ଅବହେଳା କରୁନି।"
ଭଦ୍ର ବ୍ୟକ୍ତିଙ୍କର ହାତ ଧରି ସେ ଅନୁରୋଧ କଲେ,
"ପ୍ଲିଜ ମୋ ମାଧୁରୀ କୁ ଦେଖେଇ ଦିଅନ୍ତୁ ।ମୋ ପୁଅ କୁ ଦେଖେଇ ଦିଅନ୍ତୁ......
"ସିଏ ଏଠି ନାହିଁ।"
ତାଙ୍କ ଜିଜ୍ଞାସା ବଢେଇ ଦେଉଥିଲା ସେ।
"ଏଠି ନାହିଁ ମାନେ!"
ତାଙ୍କ ଛାତି ଧଡ଼ ପଡ଼ ହେଉଥିଲା।
"ବ୍ୟସ୍ତ ହୁଅନ୍ତୁ ନି। ଆପଣଙ୍କ ସ୍ତ୍ରୀ ପୁଅ ଆସି ଯିବେ।"
କଥା ସରିନି ମାଧୁରୀ ତା'ପୁଅ କୁ କାଖେଇ ପହଞ୍ଚି ଗଲା।
"ମାଧୁରୀ, ତମେ ଆସିଗଲ ପ୍ରିୟତମା!ମାଧୁରୀ!!! କେତେ ଦିନ,କେତେ ରାତି ବିତି ଗଲାଣି ତୁମକୁ ଚାହିଁ ଚାହିଁ,ଜାଣିଚ?
ମୋ ପୁଅ କୁ ଦିଅ। ମୋ ନୟନର ତାରା କୁ ଦିଅ। "
ସିଏ ହାତ ବଢ଼ାଇ ଲେ ନେବା ପାଇଁ।
"ଆପଣ କିଏ? ମୁଁ ଆପଣଙ୍କୁ ଚିହ୍ନି ନି??"
ଶିଶୁ ଟିକୁ ଛୁଇଁ ଦେବାକୁ ଦେଲାନି ସେ।
ଉଦାର ହୃଦୟ ଭଦ୍ର ବ୍ୟକ୍ତିଙ୍କୁ କହିଲେ ହିମାଂଶୁ,"ଆପଣଙ୍କ ଋଣ ସୁଝିବାକୁ କେତେ ଜନ୍ମ ଚାଲିଯିବ ଜାଣେନି.....।"
"କେବଳ ଫଟୋ ଦେଖେଇ ଏଇ ଝିଅ ଆପଣ ଙ୍କ ସ୍ତ୍ରୀ,ପ୍ରମାଣ ପାଇଁ ଯଥେଷ୍ଟ ନୁହେଁ।" ଗୁରୁ ଗମ୍ଭୀର ସ୍ବରରେ କହିଲେ ଭଦ୍ର ବ୍ୟକ୍ତି।
"ତା'ଆଙ୍ଗୁଳି ରେ ଥିବା ମୁଦି,ବେକରେ ମଙ୍ଗଳ ସୂତ୍ର, ସୁନା ବଳା, ଏସବୁ ଠାରୁ ଅଧିକ ପ୍ରମାଣ ଆଉ କ'ଣ ଥାଇ ପାରେ?" ଯୁକ୍ତି ରଖିଲେ ହିମାଂଶୁ।
"ତାକୁ ପଚାରନ୍ତୁ ସେ ଯଦି ଯିବ,ମୋର କିଛି କହିବାର ନାହିଁ।"
ମତ ଦେଲେ ମାଧୁରୀ ର ତ୍ରାଣକର୍ତ୍ତା।
ସେ ତାଙ୍କୁ ନିରାଶ କଲା।ମସ୍ତିଷ୍କ ବିଘଟନ ଯୋଗୁଁ ସେ ତାଙ୍କୁ ମନେ ପକାଇ ପାରୁ ନ ଥିଲା।
ହିମାଂଶୁ ଫେରି ଯାଇଥିଲେ ଖାଲି ହାତରେ।
ଦୀର୍ଘ ବ୍ୟବଧାନ ପରେ ଓକିଲ ସହ ଅନ୍ୟାନ୍ୟ ପ୍ରମାଣ ଧରି ତଥା କଥିତ ଭଦ୍ରଲୋକଙ୍କ ଘରେ ପହଞ୍ଚି ,ମାଧୁରୀ କୁ ନେଇ ଯାଇଥିଲେ।
ତାଙ୍କର ଯେ ଗୋଟେ ପରିବାର ଅଛି ହିମାଂଶୁ ତାହା ଭୁଲି ଯାଇଥିଲେ।ସେ ଯୋଉଠି ଚାକିରି କରିଥିଲେ ସେଇଠି ସରକାରୀ ବାସ ଭବନ ରେ ମାଧୁରୀ ସହିତ ସିଏ ରହିଲେ।କାଳକ୍ରମେ ଘର ଟିଏ କିଣି ସେଠାରେ ସ୍ଥାୟୀ ଭାବରେ ବସ ବାସ କଲେ।
ଧୀରେ ଧୀରେ ମାଧୁରୀ ସ୍ବାଭାବିକତା କୁ ଫେରି ଆସିଥିଲା। ସେ ତାଙ୍କୁ ଆହୁରି ଦୁଇ କନ୍ୟା ଉପହାର ଦେଇଥିଲା।
ଅନେକ ସମୟରେ ଦଇବ ମଣିଷର ଖୁସି ଦେଖି ପାରେ ନାହିଁ।ତାହାହିଁ ଘଟିଥିଲା ହିମାଂଶୁଙ୍କ ଜୀବନରେ।
ଦିନେ ସକାଳେ ଉଠିବାକୁ ଡେରି ହେବାରୁ,"ବାପା ବାପା" ଡାକି ମେଦିନୀ ଫଟାଇ ଥିଲେ ତାଙ୍କ ପୁଅ ଝିଅ ମାନେ,
"ଉଠ।ଦେଖ।ମା'ଆଉ ନାହିଁ।"
ଝର ଝର ହୋଇ ବହୁଥିଲା ଝରଣା ର ଲୁହ।
ସେ ଉଠି ପଡି ପଚାରିଲେ"କୁଆଡେ ଗଲା ସେ?କୁଆଡେ ଯାଇଥିଲେ ଫେରି ଆସିବ ନି କି?"
ଖୋଜି ଖୋଜି ଥକି ପଡି ,ପୁଲିସ ରେ ଖବର ଦେଇ ଥିଲେ ସେ।
ପୁଲିସ ତା'ର ଇନଭେଷ୍ଟିଗେସନ ରୁ ଜାଣି ଥିଲା ଯୋଉ ଭଦ୍ରଲୋକ ଙ୍କ ଘରେ ମାଧୁରୀ ରହିଥିଲା ସିଏ ଜଣେ ଝିଅ ଦଲାଲ। ପୂର୍ବ ପର ଘଟଣା କୁ ମ୍ୟାଚ କରି ପୁଲିସ ଜାଣି ପାରିଥିଲା,ସେ ଦିନ ଠକ ସତ୍ୟବାଦୀ ହିମାଂଶୁ ଙ୍କୁ ଯାହା କହିଥିଲା ସେ ସବୁ ମିଛ।ମାଧୁରୀ କୁ ଏକୁଟିଆ ବୁଲୁଥିବାର ଦେଖି ତାକୁ ମେଡିସିନ ଦେଇ ପାଗଳ କରିବା ପଶ୍ଚାତରେ ସେଇ ଦଲାଲ ର ହାତ ଥିଲା।
ସିଏ ତାକୁ ସେ ନିଶା ଦେଇ,ଅଚେତ କରି,ଫେକ୍ ଡାକ୍ତର ଙ୍କ ସାହାଯ୍ୟରେ ଇଞ୍ଜେକସନ ଦେଇ, ଦେଇ ତା'ର ସ୍ମୃତି ଶକ୍ତି କୁ ବିଲୋପ କରି ଦେଇ ଥିଲା।ତାପରେ ତା' ଲୋକଙ୍କ ସାହାଯ୍ୟରେ ସେ ହିମାଂଶୁ ଙ୍କ ଘରୁ ଚୋରି କରି ନେଇ ଯାଇ,ବିକି ଦେଇଛି ଏଇ ସିଦ୍ଧାନ୍ତ ରେ ଉପନୀତ ହୋଇଥିଲା ପୁଲିସ ।ସମ୍ଭବତଃ, ସେ ସାଉଦି ଆରବ କି ମଧ୍ୟ ପ୍ରାଚ୍ୟ ର କୋଉ ଦେଶରେ ଥିବ।
ସେଇ ଦିନ ଠାରୁ ଭିନ୍ନ ଏକ ମଣିଷ ହୋଇ ଯାଇଥିଲେ ହିମାଂଶୁ।ବିଭିନ୍ନ ବ୍ୟାଙ୍କରେ ଟଙ୍କା ଉଠେଇବା ନାଁରେ ସେ ସୁନ୍ଦରୀ ମାଧୁରୀ କୁ ସେମାନଙ୍କ ଭିତରେ ଖୋଜୁଥିଲେ।
ତାଙ୍କର ଭ୍ରମ ବଶତଃ,ହେଉ କିବା ମସ୍ତିସ୍କ ବିକୃତି ରୁ,ତାକୁ ଲାଗୁଥିଲା ଇଏ ହିଁ ମାଧୁରୀ। ତାଙ୍କର କିଛି ଭୁଲ ନ ଥିଲା,ଭୁଲ ଥିଲା ତାଙ୍କ ଭାଗ୍ୟର।
........+.......
"ନା
