ଅନନ୍ୟ ପ୍ରେମ
ଅନନ୍ୟ ପ୍ରେମ
ହାଇଦ୍ରାବାଦ ରେ ଚାକିରି କରେ ଅମିତ।ଘର ପୋଡା ଅସ୍ମିତା ପାଖ ତେନ୍ତୁଳି ଡିଙ୍ଗା। ଏମ.ପି.ସି.ରୁ ବି.ଏସ ସି. ପାଶ କରି ଜାଭିଆର ରୁ ଏମ.ବି.ଏ. ଏବଂ କମ୍ପାନୀ ସେକ୍ରେଟାରୀ ସଫଳ ଭାବରେ ସମାପ୍ତ କରିବା ପରେ ନିଜ ପସନ୍ଦ ଅନୁଯାୟୀ ଚାକିରି ରେ ଜଏନ କଲା ସେ। ଯେମିତି ଦରମା କୁ ସେମିତି ଖଟଣି। ଗୋଟେ ଆମେରିକାନ କମ୍ପାନୀରେ ଚାକିରି କରିଥିବାରୁ,ରାତି ଦୁଇଟା ପରେ ବି କମ୍ପ୍ୟୁଟର ଖୋଲି ବସିଥିବ।ମୋବାଇଲ ଅନ କରି ଦେଖେ ବହୁତ ମିସ କଲ୍ ।ଅଚିହ୍ନା ଅଜଣା ଫୋନ କୁ ସେ କଲ୍ କରେ ନାହିଁ। ପ୍ରତିଦିନ ରାତିରେ ଫୋନ୍ କରୁଥିବା କଲ୍ କରୁଥିବା ନମ୍ବର ଗୁଡିକ ଭିତରୁ ଭାବନା ର ମିସ କଲ୍ ନିଶ୍ଚୟ ଥିବ। ସେ ଦୁହେଁ ସ୍କୁଲିଂ କଲେଜ ସାଙ୍ଗ ରେ।ପରୀକ୍ଷାରେ ଜଣେ ଫାଷ୍ଟ ହେଉଥିବ,ଜଣେ ସେକେଣ୍ଡ। ଅଳ୍ପ ତାରତମ୍ୟ ରେ ଫାଷ୍ଟ ସେକେଣ୍ଡ ହୁଅନ୍ତି ଦି'ଜଣ। କିନ୍ କମ୍ପିଟିସନ।କ୍ଲାସ ବାହାରେ କେହି କାହା ସହିତ କଥା ହୁଅନ୍ତି ନାହିଁ। ବଜାର ହାଟରେ କୋଉଠି ଦେଖା ହୋଇଗଲେ ହସରେ ହସରେ ଉତ୍ତର ଦିଅନ୍ତି।
ହସ ହୁଏତ କହୁଥିବ,"ଆମେ ଦି'ଜଣ ପରୀକ୍ଷା ଫଳରେ ଅତି ନିକଟବର୍ତ୍ତୀ ହୋଇ ଥାଉ।କିନ୍ତୁ ବାସ୍ତବ ଜୀବନରେ ପରଷ୍ପର ଠାରୁ ଅପହଞ୍ଚ ଦୂରତା ରେ।"
ଅନେକ ସମୟରେ ରୂପରେ ସୁନ୍ଦର ହୋଇ ନ ଥିବା ଝିଅଟିଏ ମନରେ ସୁନ୍ଦର ହୋଇଥିବ,ଏହା ବିଶ୍ଵାସ କରାଯାଏ,ଶତକଡା ଶହେ ନ ହୋଇ ପାରେ।
ଦୁଇଜଣ ପରଷ୍ପର ର ପ୍ରଶଂସାରେ ଶତ ମୁଖ। ମୁହଁରେ ନ କହୁଥିଲେ ବି ଭାବନା ତା'ର ଅତି ଘନିଷ୍ଟ ବନ୍ଧୁ ମାନଙ୍କୁ କହୁ ଥିବ,"ଅମିତ ମେଧାବୀ ଏବଂ ଭଦ୍ର। ଏପରି ପିଲା ମୁଁ ଦେଖି ନାହି।ପାଠ ଛାଡି ଆଉ କିଛି ଜାଣନ୍ତି ନାହିଁ।
"
ଅମିତ ବି ଭାବନା ବିଷୟରେ କିଛି କହୁ ଥିବ କି ନାହିଁ! କହୁ ଥିବ କି," ରୂପ ଦିନେ ଅରୂପ ହୋଇଯାଏ।
ଭାବନା କଥା କହୁ ନାହିଁ ତ!ଏମିତି ଲାଜୁଆ କେହି ଦେଖି ନଥିବେ। ଅର୍ଥାତ ପ୍ରତ୍ୟେକ ଜଣେ ଜଣେ ମଡେଲ।
ଖାଲି ସମୟରେ ଅମିତ ଭାବେ ଦିନେ ତ ବିଭା ହେବାକୁ ପଡିବ।ଜୀବନ ର ସବୁଠାରୁ ବଡ ନିଷ୍ପତ୍ତି ଏଇଟା।ଝିଅ ବାଛିବାରେ ଭୁଲ ହୋଇଗଲେ ସାରା ଜୀବନ ଅଶାନ୍ତି ରେ ରହିବ। ସ୍ବାମୀ ର ବଚନ ଭଗବାନ୍ ଙ୍କ ବଚନ ପରି ପାଳନ କରୁଥିବା ଝିଅ ଜିନସ୍ ପିନ୍ଧା ଝିଅ ମାନଙ୍କ ଭିତରେ ଥିବେ? ନ ଥିବେ ବୋଲି ନୁହେଁ କିନ୍ତୁ ଜାଣିବା ଖୁବ କଷ୍ଟକର।
ଯେତେ ଡିଗ୍ରୀ ଅଛି ସବୁ ଶେଷ କରିଦେଇ ଭାବନା ବି କୋଉଠି ଚାକିରି କରିଥିବ । ତାକୁ ଜାଣିଥିବା ତା'ର ଜଣେ ସାଙ୍ଗ ତାକୁ କହୁଥିଲା, କି ଭାବନା ତା' ବାପା ମା'ଙ୍କର ଗୋଟିଏ ସନ୍ତାନ। ସେ ଏଚ.ଡି.ଏଫ.ସି.ବ୍ୟାଙ୍କ ରେ ପିଅନ ଥିଲେ।କାଟି କୁଟା କି ଯାହା ଦରମା ପାଉଥିଲେ ସେଥିରେ ଘର ବି ଚଳାଇ,ଭାବନା ର ପଢା ଖର୍ଚ୍ଚ ତୁଲଉ ଥିଲେ।ଯାହା ହେଉ ଭାବନା ଚାକିରି କରିଚି ବୋଲି ଜାଣି ଅମିତ ଖୁବ ଖୁସି ହୋଇ ଯାଏ। ଇଏ ବି ବାପ ମା'ର ଏକମାତ୍ର ଦାୟାଦ।
ବାରମ୍ବାର ଫୋନ୍ କରୁଥିବା ଭାବନା ମନ ଭିତରେ କ'ଣ ତା'ପ୍ରତି ପ୍ରେମ ଭାବ ରଖିଛି ! କିଛି ତ ଜଣା ପଡୁ ନ ଥିଲା କଲେଜ ବେଳେ!
ଅମିତ ଗୋଟେ କଥା ନିଶ୍ଚିତ ଥାଏ ଜଣେ ବିଦୁଷୀ କୁ ବିଭା ହେବା ଅତି ସୁନ୍ଦରୀ ଅଥଚ ବିଦ୍ୟା ଘର ସାଧାରଣ ଠାରୁ ବି କମ୍ କୁ ବିବାହ କରି ଜୀବନ ରେ ଏକ ସୀମିତ ସମୟ ପାଇଁ ସଂପର୍କ ନିବିଡ ହୁଏ। କିନ୍ତୁ ପିଲା ଛୁଆ ର ମା'ହୋଇଗଲେ ସେଇ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରହିବ କି ନାହିଁ ତାହା ପରିସ୍ଥିତି ଓ ତତ୍କାଳୀନ ସମୟ ଉପରେ ନିର୍ଭର କରେ। ଶିକ୍ଷିତା ସ୍ତ୍ରୀ ସ୍ବାମୀ ର ମାନସିକ ଭାରସାମ୍ୟ କମ୍ କରି ଦେଇ ପାରେ। ସେହି ଦୃଷ୍ଟିରୁ ଭାବନା ମନ୍ଦ ନୁହେଁ।
ତା'ର ସେଇ ସାଙ୍ଗ ବିଜୟ ଏଥିପାଇଁ କେମିତି ସାହାଯ୍ୟ କରି ପାରିବ!
ଆରେ ଆରେ ଏତେ ବଡ ମୁଣ୍ଡ ରେ ସାଧାରଣ କଥାଟିଏ ପଶୁ ନାହିଁ! ସିଏ ଫୋନ୍ କରୁଛି ସେଇଥିପାଇଁ କି! କିନ୍ତୁ ବିବାହ କ'ଣ ନିଜ ନିଜ ଭିତରେ ସ୍ଥିର କରିବେ! ପ୍ରସ୍ତାବ ନିଜ ନିଜ ଭିତରେ ଦିଆ ନିଆ ହେବେ!!! ଏଇଟା କ'ଣ ଲଭ୍ ମ୍ୟାରେଜ୍ !!!କିନ୍ତୁ ସେ ପ୍ରଥମେ ଜାଣିବା ଦରକାର ସିଏ କାହିଁକି ଫୋନ୍ କରେ। ସ୍କୁଲ କଲେଜରେ ଏତେ ବର୍ଷ କଟିଗଲା,କେହି କାହା ସହ ପଦେ ବି କଥା ହୋଇ ନାହାନ୍ତି। ସେତେବେଳେ ପାଠ ପଢା ସମୟ। ଏବେ ଚାକିରି କରିବା ପରେ ଜୀବନକୁ ଉପଭୋଗ କରିବାର ସମୟ। ମଉଜ ମସ୍ତି କରିବାର ସମୟ। ଭାବନାର ଫୋନ୍ ଉଠେଇ ତା'ସହ କଥା ହେଲେ ଅସୁବିଧା କୋଉଠି? କିଏ କାହାକୁ ବିଭା ହେବ ନ ହେବ ସେଇଟା ଅଲଗା ପ୍ରକରଣ।
ସଂଧ୍ୟାରେ ସେ ଅଫିସ ରୁ ଫେରି ଜଳଖିଆ କରି,ଚା' ପିଇ, ତାକୁ ଫୋନ୍ ଲଗେଇଲା।ତିନି ଚାରିଥର ରିଙ୍ଗ ହେବା ପରେ ଭାବନା "ହେଲୋ,ହେଲୋ,ହେଲୋ" ତିନି ଥର ଡାକିବା ପରେ, ଅମିତ ଫୋନ୍ ଉଠେଇ ହୋଲଡ କରି ରଖିଲା। ଏତିକି ତ ସାଧାରଣ ଜ୍ଞାନ ଥିବା ଦରକାର,ଯାହା କହିବ ଆଗରୁ ପ୍ରସ୍ତୁତ ହେବ_ଗୋଟେ ଦିନ ଆଗରୁ ହେଉ ଗୋଟେ ମିନିଟ୍ ଆଗରୁ।ଫୋନ୍ ଉଠେଇ କଲବଲ ହେବାର ମାନେ କ'ଣ?
ଯାହା ବି ହେଉ ତାକୁ ଉତ୍ତର ଫେରେଇ ବାକୁ ପଡିବ?
ଭାବନା ବ୍ୟସ୍ତ ହୋଇ ପଡି କହିଲା,"ଦେହ ଭଲ ଅଛି ତ ;କି ଆଉ କାହାକୁ ଫୋନ୍ କରୁ କରୁ ମୋ ଫୋନ୍ ରେ ହାତ ବାଜିଗଲା?" ମଜାରେ କହୁଥିଲା ଭାବନା।
"ନାଇଁ ହାତ ବାଜି ନାହିଁ,ଜାଣିକରି ଫୋନ୍ କରିଛି।" ସରଳ ଉତ୍ତର ରଖିଲା ଅମିତ।
"ତାହେଲେ କ'ଣ କହୁଛ କୁହ?"ଟିକେ ଟିକେ ହସୁଥିଲା ସେ।
କଲେଜ ଛାଡିବା ଦିନଠାରୁ କେତେ ବର୍ଷ ହେଲା ଦେଖା ହୋଇନି ସେ ଆଙ୍ଗୁଳି ରେ ସାହାଯ୍ୟରେ ହିସାବ କରୁଥିଲା।ଗଣିବା ବେଳକୁ ଅଠେଇଶ।
ଖୁବ୍ ସନ୍ତର୍ପଣରେ କଥା ହେଉଥିଲା,କାଳେ ଜିଭ ରୁ ଅତର୍କିତ ଭାବରେ ଅନ୍ୟ କିଛି ବାହାରି ପଡିବ।
"ଚାକିରି ତ କରିଥିବ।କି ଚାକିରି? କୋଉଠି?" ଅପରାଧୀ କୁ ପ୍ରଶ୍ନ ପଚାରୁଛି କି?
"ଆପ ରେ,ବେଙ୍ଗଲୁରୁ।ତମେ ବିଭା....ଧେତ୍ ଏଇ କଥା କାହିଁକି ସେ ପଚାରୁଛି? "ରାସକେଲ୍।" ନିଜକୁ ନିଜେ ଗାଳି ଦେଲା ସେ।
"ହଁ,ବିଭା...କୁହ ତାପରେ। ତମ ବିବାହ କାହା ସହିତ ହେଉଛି?ନିମନ୍ତ୍ରଣ ପତ୍ର ପଠେଇ ବାକୁ ଠିକଣା ମାଗୁଛ? ଆମେ ଦି'ଜଣ କେହି କାହା ସହିତ କେବେବି କଥା ହେଇ ନାହୁଁ_ ସ୍କୁଲ ଜୀବନ କଟିଗଲା,କଲେଜ ଜୀବନ କଟିଗଲା।ପରଷ୍ପର, କିଏ କାହାକୁ ତଳେ ପକେଇ ଦେଇ ଉପରକୁ ଉଠି ଯାଉଛି,ସେଇ କାମରେ ବ୍ୟସ୍ତ ରହିଲେ। ଏବେ ମନ ଖୋଲା କଥା କହିବା।"
ଆଗକୁ ଆଗେଇବାକୁ ସାହସ ପାଇଲା ଅମିତ,"ବିବାହ କରି ସାରିଛ, ଭାବନା ?ଏଇ କଥା ପଚାରୁ ଥିଲି। ବିଜୟ କହୁଥିଲା ତମେ ବାହାଘର ହେଇନି।"
"ବିଜୟ କୁ ତମେ ଜାଣିଲ କେମିତି?" ତା'ପଚାରିବା ପଛରେ କିଛି ଉଦେଶ୍ୟ ଥିଲା କି?
"ସିଏ ବି ତମ ପରି ମୋ ସହପାଠୀ।ତାଙ୍କ ଗାଁ ପରେ ଆମ ଗାଁ। ସିଏ ବି ଭଲ ପଢୁଥିଲା। ତା'ଉତ୍ତର ସ୍ପଷ୍ଟ ଥିଲା।
"ହଁ, ସିଏ ମୋ ଷ୍ଟାଫ। ମୁଁ ଅଧ୍ୟକ୍ଷ।ସିଏ କିରାଣି।
ତୁମ ନଜର ରେ କେହି ଅଛିକି?"
"ହଁ, ମୁଁ ନିଜେ ହିଁ ଜଣେ।"
ହସରେ ମୁଖରିତ ସ୍ମାର୍ଟ ଫୋନ୍।
"ତମେ ମତେ ବାହା ହେବ? ହିହିହି। ସ୍କୁଲ ରୁ କଲେଜ ଶେଷ ହେବା ଯାଏଁ,ପଦେ କଥା ବି କେହି କାହା ସହିତ ହୋଇ ନୁ।
ନିରୋଳା ଜାଗା; ପାର୍କ ରେ ,ନଦୀ କୂଳରେ,ସାଗର ବେଳା ରେ,କୋଉଠି ବି ବସି ଆମେ ଦି'ଜଣ "ଆଇ ଲଭ ୟୁ,ମୁଁ ତୁମକୁ ଭଲ ପାଏ,ଆମେ ବିବାହ ରେ କାହାକୁ ଡାକିବା,ଆଡମ୍ବର,କି ନିରାଡାମ୍ବର ବିବାହ,କେହି ପଦ ଟିଏ ବି ଉଚ୍ଚାରଣ କରି ନାହୁଁ। ପ୍ରେମ ର ନୂଆ ଦିଗ୍ ଦର୍ଶନ _ଦେଖେଇବା ଆମେ। ଚୁପ ଚାପ ରହିଲେ ବି ପ୍ରେମ ହେବାକୁ ଥିଲେ ହୋଇ ଯାଏ।"
"ହଁ,ମତେ ବାହା ନ ହୋଇ ଯଦି ଆଉ କାହାକୁ ବି ହେବ, ତା'ନାଁ ବି କୁହ,ମୁଁ ଚେଷ୍ଟା କରିବି। ମୁଁ...."
ଚାର୍ଜ ସରି ଯାଇଥିଲା ତେଣୁ ଫୋନ୍ ରଖିଲା ଅମିତ।
ତାପର ଦିନ ସଂଧ୍ୟାରେ ବାଙ୍ଗାଲୋର ରେ ବର୍ଷା ହେଉଥିଲା।ନେଟଓ୍ବାର୍କ ନ ଥିଲା।ତହିଁ ଆର ଦିନ ବି ନିଜେ ବ୍ୟସ୍ତ ଥାଇ ଫୋନ୍ କରି ପାରିନଥିଲା। ଭାବନା ଏତେ ଫୋନ୍ କରେ,କାଇଁ କରୁନି ତ।ମନ ଛଟ ପଟ ହେଉ ଥିଲା।ପ୍ରାୟ ସପ୍ତାହେ ହେବ ଫୋନ୍ କରିନି ଅମିତ।ଆଉ ମନକୁ ଅଟକାଇ ପାରିଲାନି।ଫୋନ୍ କଲା ତାକୁ।ଉଠେଇଲା ନି ଭାବନା।
କିଛି ସମୟ ପରେ ଫୋନ କରୁଥାଏ ହସୁଥାଏ, "ତମ ସ୍ବର ଥରି ଉଠୁଛି କାହିଁକି?"
"କାଇଁ, ନାଇଁ ତ?"
କିନ୍ତୁ ସେ ଲୁଚେଇ ପାରୁ ନଥିଲା। ତା' ନିଶ୍ଵାସ ର ବେଗ ତାକୁ ଅସ୍ଥିର କରୁଥିଲା।
"ଜାଣି ଗଲି। ସ୍କୁଲ କଲେଜ ବେଳରୁ ତୁମେ ମତେ ଲୁଚି ଭଲ ପାଉ ଥିଲ। ମତେ ବି ସ୍ବପ୍ନ ଦେଖୁ ଥିବ।ସେତେବେଳେ ସମ୍ଭାଳି ନେଇ ଥିଲ। ଏବେ ଏକାକିତ୍ବକୁ ବରଦାସ୍ତ କରି ପାରୁ ନାହଁ। ଯାହା କହିଲି ଠିକ୍ କି?" ଖୁସିରେ କୁରୁଳି ଉଠୁଥିଲା ଭାବନା।
"ମୁଁ ତୁମକୁ ଦେଖା କରିବାକୁ ଚାହେଁ।"ଏତିକି ବି କହିବାକୁ ତାକୁ ବହୁତ କଷ୍ଟ ଲାଗୁଥିଲା।
"ମୁଁ ବେଙ୍ଗାଲୁରୁ ଯିବି କି ତମେ ବିଶାଖା ପାଟଣା ଆସିବ ? ବେଙ୍ଗାଲୁରୁ ରେ ବେଳା ଭୂମି ନାହିଁ। ବିଶାଖା ପାଟଣା ରସ୍କଣ୍ଡା ବିଚ୍ ଖୁବ ପ୍ରଶସ୍ତ। ପୁରୀ ଦରିଆ କୂଳ ପରି ଲାଗିବ। ସେଠି କିଛି ସମୟ ଢେଉ ସହ ଖେଳିବା। ଗୋଟେ ପଇଡ ରୁ ଦୁଇଟି ପାଇପ ଲଗେଇ ଦୁଇ ଜଣ ପିଇବା। ଝାଲ୍ ମୁଢି ଖାଇବା।ଏମିତି ଆହୁରି ଅନେକ ମଜା।" ବିଶାଖା ପଟଣା ଆସିବାକୁ ପ୍ରରୋଚିତ କରୁଥିଲା ସେ।
ଏତେ ସବୁ କଥା ଶୁଣିବାକୁ ଅମିତ ର ଧୈର୍ଯ୍ୟ ନଥିଲା।
ଗୋଟିଏ ସରଳ ଉତ୍ତର ରଖିଲା ସେ,"ମୁଁ ଯିବି।"
ନିଜ ହସରେ ନିଜେ ମୁଗ୍ଧ ହେଉଥିଲା ଭାବନା।"ତମେ ମୋର ମନର ମଣିଷ
ବିଜୟ ପରଦା ଠେଲି ଭିତର କୁ ଆସୁ ଆସୁ ପଚାରିଲା,"କାହା ସାଙ୍ଗରେ କଥା ହେଉଛ?"
ଭାବନା ବିଜୟ ର ବସ୍ ହେଲେବି ଅଫିସ ସମୟ ଛାଡି ଦି'ଜଣ ନିଜ ନିଜ ଭିତରେ ସାଙ୍ଗ ସାଥୀ ପରି କଥା ହୁଅନ୍ତି। ଦି'ଜଣ ଗୋଟିଏ ପଞ୍ଚାୟତରେ। ଦୂର ସମ୍ପର୍କିତ ବନ୍ଧୁ ବି। ବିଜୟ ତା'ପଛରେ ପଡିବା ତାକୁ ଭଲ ନ ଲାଗିଲେ ବି ମୁହଁ ରେ କିଛି କହିପାରେ ନାହିଁ।
ଅଯାଚିତ ଭାବରେ ସାହାଯ୍ୟ ନେଇ ଜଣକର ଭୁଲ କଥା କୁ ସମର୍ଥନ କରିବାକୁ ଭାବନାକୁ ଭଲ ଲାଗେ ନାହିଁ।
କେତେ ଥର ଭାବିଲାଣି କହିଦେବ,"ସାହାଯ୍ୟ ଦରକାର ହେଲେ କହିବି। ମୁଁ ସୁସ୍ଥ ସବଳ।ଚାଲି ପାରେ ।ବୁଲି ପାରେ।ତୁମେ ଯାହା କିଣି ଆଣି ଦେଉଛ,ମୋର ପଇସା ଅଛି ମୁଁ କିଣି ଆଣି ପାରିବି।" ଭାବେ ଯେ କହି ପାରେ ନି। ସେ ଠିକ୍ କରେ ସେ ଦେଇଥିବା ଉପହାର ବଦଳରେ ଆକାରରେ (ମିଠା,ଆଇସକ୍ରିମ,ଫଳ,ସ୍ମାର୍ଟ ଫୋନ,ସ୍ମାର୍ଟ ୱାଚ),ଅନ୍ୟାନ୍ୟ ଯାହା ଦେଇଥିବ ତାକୁ ସେ ନିଶ୍ଚୟ ଶୁଝି ଦେବ।
ତା'ର ଅନ୍ୟ କିଛି ହୀନ ଉବ୍ଦେଶ୍ୟ ଥାଏ ପାରେ କି!
ସେ ଚମକି ଉଠେ! ଏତେ ସାହସ। ଏତେ ସ୍ପର୍ଧା।ଭାବନା ଚପଲ ଉଠେଇବା ପୂର୍ବରୁ ସେ ଚାଲି ଯିବା ଉଚିତ।
ବିଜୟ କୁ ସତର୍କ କରି ଦେବାକୁ ଅମିତ କୁ କହିବ କି! ସିଏ କ'ଣ ନିଜେ ଯଥେଷ୍ଟ ନୁହେଁ?
ସେଦିନ ଅଚାନକ ତା' ରୁମ କୁ ପଶି ଆସିଲା ବିଜୟ ତାକୁ ଦେଖି ମୁହଁ ଟା ଅନ୍ୟ ଆଡେ ବୁଲେଇ ଦେଲା। ସେ ଆସିଲା। ଚେୟାର ଟାଣି ଆଣି ବସିଲା। କଫି ତିଆରି କରି ପିଇଲା।ତାକୁ କପେ ଦେଲା। ତଥାପି ଇଏ ତାକୁ କିଛି କହି ପାରିଲା ନାହିଁ। ଅଯଥା ଝାମେଲା ତାକୁ ଭଲ ଲାଗେ ନି।
ଅମିତ କୁ କହିବ କି ଶୀଘ୍ର ବାହା ହୋଇ ପଡିବାକୁ। 'ଝିଅ ରହିଲେ ଅଡୁଆ,ଘିଅ ରହିଲେ କଡୁଆ',କାହିଁକି କୁହାଯାଏ ସେ ନିଜେ ଉପଲବ୍ଧି କରୁଛି। ଗୋଟେ ସୁନ୍ଦର ଫୁଲ ଅନେକ ମାଳୀ।ଫୁଲ ବିଚାରୀ କ'ଣ କରିବ!
ଯେତେ ରାଗି ଥାଉ ବିଜୟ କୁ ଦେଖିଲେ ସବୁ ଭୁଲି ଯାଏ।ଖୁବ,ଧୀର,ସ୍ଥିର,ଶାନ୍ତ।ଚେହେରା ବି ଚମକେଇ ଦେବା ପରି।
ତଥାପି ଦିନେ କହିଲା,"ଏତେ କିଣି ଆଣି ଦେଉଛ କାହିଁକି? ମୁଁ ତ କିଛି ଦେଇ ପାରୁ ନି।" ଆଖିରେ ବିରକ୍ତି ଭାବ ଫୁଟି ଉଠୁଥିଲା।
"ଠିକ୍ ଅଛି,ଆଉ କେତେବେଳେ ଦବ।" କହିବାକୁ ଇଚ୍ଛା ନ ଥାଇ ବି କହିଦେଲା
ଅମିତ କୁ ଭାବନା
ବିଶାଖା ପାଟଣା ଡାକିଛି। ସିଏ ଆସିବ ବୋଲି କହିଛି। ଆସିବ ଯଦି ଛୁଟି ଦିନରେ। ବିଜୟ କୁ ମିଛ କହିବାକୁ ପଡିବ,"ମୋର ଦୁଇ ଜଣ ବାନ୍ଧବୀ ଆସୁଛନ୍ତି,ତମେ ସେ ଦିନ ନ ଆସିବା ଉଚିତ।"
ଯେ କୌଣସି କଥା ହେଉ ସେ ଶୀଘ୍ର ନିଷ୍ପତ୍ତି ନେବ ତ ନେବ ନହେଲେ ତା' ମୁଣ୍ଡ ଖରାପ ହୋଇ ଯାଏ।
ପ୍ରେମ ଯଦି ଆରମ୍ଭ କରିଛ ସିଧା କଥା କହି ଶିଖ,ନହେଲେ ଫସି ଯିବ।
ଦୁହେଁ ବିବାହ କରିବେ ଲାଜ କ'ଣ ପଚାରିବା ରେ!
ସେ ଦିନ ସଂଧ୍ୟା କୁ ଅପେକ୍ଷା କରିଥାଏ ଭାବନା। ଅମିତ ଫୋନ୍ କରୁ ନାହିଁ ପୁଅ ହୋଇ ଯଦି ଲାଜ କରିବେ ଝିଅ ମାନେ ଯିବେ କୁଆଡେ,? ହଁ,ଏଇୟା ବି ହେଉଛି। ଝିଅ ଘସି ହୋଇ ଯାଉଛି ପୁଅ ଉପରେ। ପିଠିରେ ହାତ ମାରି "ହାୟ" କହୁଛି।ଲଦି ହୋଇ ପଡୁଛି ପିଠିରେ।କେଶ ଉନ୍ମୁକ୍ତ ରଖୁଛି।ଲାଜ କୁଳି ଲତା ଆଜିକାଲି କେହି ନାହାନ୍ତି।
ତା'ଫୋନ୍ କୁ ଚାହିଁ ବସିଥିବା, ପ୍ରଥମ କଲ୍ ରେ ଅମିତ ପଚାରିଲା,"ଏତେ ଦିନ ପରେ ମନେ ପଡୁଛି ମୁଁ?" ଅଭିମାନ ଭରା ପ୍ରଶ୍ନ।
ତା'ର ଅଭ୍ୟାସ ଗତ ହସ ହସି କହିଲା ଭାବନା,"ତମେ ଯାହା କହିଲ ମୁଁ କହିବା କଥା। କୌଣସି ଝିଅ ଆଗରେ ଏମିତି ନଇଁ ପଡିବା କଥା ନୁହେଁ।ଆଜିକାଲିକା ଝିଅଙ୍କୁ ତମେ ଚିହ୍ନି ନ _ତମ ପକେଟ୍ ଖାଲି କରିଦେବେ।" ତମେ ପଚାରି ବୁଝି ପାର ମୋ ଅଫିସ୍ ରେ ଅଧା ଝିଅ ଅଧା ପୁଅ।ଝିଅମାନେ ମତେ ଦେଖିଲେ ଅଣଚାଶ ପବନ ବୋହିବା ପରି ସେମାନଙ୍କର ଅବସ୍ଥା ହୁଏ।ମୁଁ ଯାହାକୁ ବିଭା ହେବି,ତା' ସହିତ ଯେତେ ଖୋଲା ଖୋଲି ହେବ ସେତିକି ସୁନ୍ଦର ହେବ ବିବାହ ପର ଜୀବନ।
ଏଇଟା ପ୍ରଥମ ଥର ସେ ଏତେ ଖୋଲା କଥା କହିଲା ଜଣେ ଯୁବତୀ କୁ।
"ତମେ ମତେ ବାହା ହେବ ଏଇଟା ପକ୍କା।ମୁଁ ଏତେ ବଡ ଭାଗ୍ୟବତୀ....ହଉ, ତମେ କେବେ ଆସୁଛ କୁହ।"ଏହା ପଚାରିବା ବେଳେ ରୋମାଞ୍ଚିତ ହୋଇ ପଡୁଥିଲା ଭାବନା_ସତେ କି ସେଦିନ ହେବ ମଧୁ ଶଯ୍ୟା ରାତି ରଚନା କରିବ !!
"ଧରି ନିଅ ଆସନ୍ତା ରବିବାର। ସେଥିପାଇଁ କାମ ଚଉପଟ କରି ଦେଉଛି।" ଉତ୍ତର ପେସ କଲା ସେ।
"ତା'ମାନେ କାଲି ଛାଡି ପଅର ଦିନ। ମୁଁ ଫୋନ୍ ନ କରିଥିଲେ ତ ଜାଣି ପାରି ନଥାନ୍ତି!" ଅତି ବିସ୍ମୟ,ଅତି ଆନନ୍ଦ ସେ !! ପାଇଗଲା କି ହଜିଯାଇଥିବା ମାଣିକ!!!
"ଗୋଟେ ମିନିଟ୍ ଆଗରୁ ଭାବୁଥିଲି କଲ୍ କରିବି ବୋଲି।"
ମନ ଭିତରେ ଅପୂର୍ବ ଶିହରଣ। ଫୋନ ରଖିଲା ଅମିତ।
ରବିବାର ଆସିଗଲା।ବସା ପାଖ ଚିହ୍ନା ଟ୍ୟାକ୍ସି କୁ ଫୋନ୍ କରି ଡାକିଲା ସେ।
ସେ ଷ୍ଟେସନ ପହଞ୍ଚିବା ବେଳକୁ ବେଙ୍ଗାଲୁରୁ - ଭୁବନେଶ୍ଵର ଟ୍ରେନ ଛାଡିବା ଉପରେ।
ଏ.ସି.ବଗିରେ ତଳ ବାଥ୍ ରେ ବସି ଭାବନାକୁ କଲ୍ କରି କହିଲା,"ଟ୍ରେନ ରେ ବସିଗଲି।"
"ମୁଁ ଆଜ୍ଞା ଏକା ରହୁଛି। ଯାହା ଖାଇବେ ବରାଦ କରନ୍ତୁ।" ଆନନ୍ଦରେ ଆତ୍ମହରା ହେବା ପରି ଲାଗୁଥିଲା ସେ।
"ଖାଇବା ଅପେକ୍ଷା ତମକୁ ଦେଖିଲେ ମୋ କ୍ଷୁଧା ଅନେକ ପରିମାଣରେ କମି ଯାଇଥିବ।" ଜୋର ରେ ହସିଲା ଅମିତ।
"ବାଃ,ରସିକ ଶେଖର ଚୁଡ଼ାମଣି...ମୁଁ ମରିଯାଏ କି।"
ବିଶାଖା ପାଟଣା ରେ ପହଞ୍ଚିଲା ଟ୍ରେନ। ସେ ତଳକୁ ଆସି କୁଲି ଖୋଜିଲା।
ଜଣେ କିଏ ତା'ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି!
"ଆରେ ବିଜୟ,ତମେ ଏଠି ଯେ?" ହାତ ମିଳେ ଇଲା ତା'ସାଙ୍ଗରେ।
"ମୁଁ ସେଇ ପ୍ରଶ୍ନ ତମକୁ ପଚାରି ଥାନ୍ତି।ବେଙ୍ଗାଲୁରୁ ର ଅମିତ ଏଠି ଯେ? ଏମିତି ବୁଲା ବୁଲି,ମାନେ ସି ବିଚ୍ ଡାକିଲା ନା ଆଉ କେହି?"
ସାମାନ୍ୟ ହଡବଡେଇ ଯାଇ କହିଲା ଅମିତ,"ହଁ, ଦେଖା କରିବି,ବୁଲିବି।"
"ଦେଖା କରିବ, କାହାକୁ!" ତା' ହାତ ଖସି ଆସୁଥିଲା ଅମିତ ହାତରୁ।
"ଏଠି ମୋର ଜଣେ ବାନ୍ଧବୀ ଗୋଟେ ସଫ୍ଟଓୟାର ରେ ଅଧ୍ୟକ୍ଷା।" ସେତେବେଳେ ବିଜୟ ମନରେ କ'ଣ ଚାଲିଥିବ କେଜାଣି?
"ବାନ୍ଧବୀ! କିଏ ସେ? ନାଁ କ'ଣ?" ସେ ଚାହୁଁଥିଲା ସେ ଶୀଘ୍ର କହୁ ତା'ର ବାନ୍ଧବୀ ର ନାଁ।
ବିନା ଦ୍ବିଧାରେ ସେ କହିଲା,"ଭାବନା।"
"ଆରେ ୟାର, ସେ ମୋ ବସ୍। ତାକୁ ତୁ କେମିତି ଜାଣିଲୁ?" ହଠାତ୍ ତା'ଛାତିଟା ବିନ୍ଧି ଉଠିଲା କାହିଁକି!!
"ସେ ମୋ ସ୍କୁଲ ଓ କଲେଜ ବେଳର କ୍ଲାସ ମେଟ୍।" ସିଧା ଉତ୍ତର ଦେଲା ସେ।
ତାକୁ ଭାବନା କବଳରୁ ମୁକ୍ତ କରିବାକୁ ସେ କହିଲା, "ତୋ କ୍ଲାସ ମେଟ୍ ହେଉ କି ଯାହା ହେଉ,ତା'ପାଖ କୁ ଯା ନା। ତୋ ପରି ଜଣେ ନିରୀହ ପିଲା ବଦନାମ ର ଟିକା ନାଇ ଆସୁ ମୁଁ ଚାହେଁନା।"
"ତୁ କ'ଣ କହିବାକୁ ଚାହୁଁ!"ମୁହଁ ଟା ନିସ୍ତେଜ ଦିଶୁଥିଲା ଅମିତ ର।
"ସିଏ ତତେ ଡାକି ଥିଲା କି, ତୁ ପ୍ରୋଗ୍ରାମ କଲାବେଳେ ତା'କଥା ମନେ ପଡିଲା?"
"ମତେ ସେ ଡାକିଲା।କାଇଁ,କ'ଣ ହେଲାକି!"
ମୁଣ୍ଡରୁ ଗୋଡ ଯାଏଁ ଝାଳରେ ବୁଡି ଯାଇଥିଲା ସେ।ମନର ଡର ବାହାରି ଆସୁଥିଲା ଝାଳ ହୋଇ!
"ସେଇ ଝିଅ କେତେଜଣଙ୍କୁ ଯେ ପାଠ ପଢେଇଲାଣି ଯେ ତା'ର ହିସାବ ନାହିଁ।ବୟସ ହେଲାଣି ବିଭା ହେଉନି ନୂଆ ନୂଆ ସାଥୀ ବନେଇ ତା'ସହିତ ରୋମାନ୍ସ କରି ଛାଡି ଦେଉଛି।" ହସିଲା ବିଜୟ ଗୋଟେ ଖଳ ନାୟକ ର ହସ।
ଅମିତ ର ମୁହଁ ର ରେଖା ଗୁଡ଼ିକ କଠିନ ହେଉ ଆସୁଥିଲା।
"ମୁଁ ବି ତା' ଚକର ରେ ପଡି ଯାଇଥିଲି,ଅଳ୍ପରେ ଖସି ଆସିଲି। ତାକୁ ମୁଁ କ'ଣ କହିବି;ମୋ ବସ ଟି? ଯା' ଦେଖା କରିବୁ।ଦୟା କରି ମୋ କଥା କହିବୁନି।"
ଦ୍ରୁତ ଗତିରେ ସେ ପଳେଇ ଯାଇଥିଲା।
ପ୍ଳାଟଫର୍ମ ର ଗୋଟେ ଚଉତରା ରେ ବସି ଝାଳ ପୋଛିଲା ଅମିତ।ବୋତଲରୁ ପାଣି ପିଇଲା। ଘଣ୍ଟା ଦେଖୁଥିଲା। ଭାବୁଥିଲା,ବେଙ୍ଗାଲୁରୁ ଆଡକୁ କେଉଁ ଗାଡି ଅଛି?ଭୂକମ୍ପ ରେ ତାର ଆଶା ର ଅଟ୍ଟାଳିକା ଖଣ୍ଡ ଖଣ୍ଡ ହୋଇ ଖସି ପଡୁଥିଲା ଯେମିତି! କେତେ କଷ୍ଟରେ ବନେଇ ଥିବା ପ୍ରେମ ଦୁର୍ଗ ଟା ଭୁଶୁଡି ପଡୁ ଥିଲା।
ବେଙ୍ଗାଲୁରୁ ରୁ ଆସୁଥିବା ଟ୍ରେନ,ବିଶାଖା ପାଟଣା ପହଞ୍ଚିବା ସମୟ ଜାଣି ଥିବାରୁ,ବାରମ୍ବାର ଫୋନ୍ କରୁଥିଲା ଭାବନା।
ସେ ବାରମ୍ବାର ଫୋନ୍ କରୁଛି ଦେଖି ଫୋନ ଅଫ୍ କରି ଦେଇଥିଲା ଅମିତ।
ତା' ମୁଣ୍ଡଟା ଜୋର ବିନ୍ଧୁଚି।ଛାତି ଥରୁଛି।
ଆଗନ୍ତୁକ ପଚାରୁଛି "କୁଆଡେ ଯିବେ"। କୁଲି ପଚାରୁଛି ସେଇ କଥା। ଘଣ୍ଟାଏ ହେଲାଣି ବସିଚି। ଫେରନ୍ତା ଟିକେଟ କରୁ ନାହିଁ କାହିଁକି!
ଏଇ ସମୟରେ ଟ୍ରେନ ଟିଏ ଲାଗିଲା। କିଛି ନ ବୁଝି , ନ ବିଚାରି,ସେ ଉଠିଗଲା।ଭାବନା ପ୍ଲାଟଫର୍ମ ର ପହଞ୍ଚି ଦେଖୁଛି,ଅମିତ ଉଠି ଯାଇଛି ଉପର କୁ।ଏଇ ଗାଡି ଛାଡିବ। ଖୁବ ଜୋରରେ ଚିତ୍କାର କରୁଥିଲା ସେ,"ଅମିତ...ଅମିତ...ଅମିତ"।
ବିପରୀତ ଦିଗରୁ ଆସୁଥିଲା ବିଜୟ।
ସେ ପଚାରିଲା,"ଏମିତି ଚିଲ ଉଚ କାହିଁକି?"
"ପ୍ଲିଜ ଗାଡିକୁ ଉଠି ଯାଅ। ଚେନ ଟାଣ।ଅମିତ ପଳେଇ ଯାଉଛନ୍ତି.....!!!ହେ ଭଗଵାନ।"
"ସେ ଆଉ ଫେରିବ ନି। ତମେ ଅଫିସ୍ ରେ ମୋତେ ବହୁତ କଡା କଥା ଶୁଣାଅ।ସେଥିପାଇଁ ତମ କୁ ପଟେଇବା ପାଇଁ ମିଠା,ଫଳ,ଜୁସ,ବାଦାମ ପେସ୍ତା, ଆହୁରି ଅନେକ କିଛି ନେଇ କରି ଯାଏ। ତମକୁ ମୁଁ ଭଲପାଏ,ତମ ମଥାରେ ମୁଁ ସିନ୍ଦୂର ଦେବି କହି ପାରେନି।କିନ୍ତୁ ତମକୁ ଆଉ କେହି ବିଭା କରି ପାରିବେନି। ଅମିତ ହେଉ କି ସୁମିତ। ତମ ଅଫିସରେ ମୁଁ କାମ କରିବିନି।ଏଇ ନିଅ ଇସ୍ତାଫା ଦରଖାସ୍ତ।"
ତାପରେ ବିଜୟ ର ଗାଲ ଉଷୁମ ହେଉଥିଲା ଭାବନା ର ଚପଲ ରେ
ମାରୁଥିଲା ଆଉ କହୁଥିଲା,"ତୋ ବୋପା ବି ଅମିତ ସହିତ ମୋ ବାହାଘର ବନ୍ଦ କରି ପାରିବନି।"
ଯାତ୍ରୀ ମାନେ କହୁଥିଲେ "ସାବାସ। ଯେମିତି କାମକୁ ସେମିତି ଫଳ।"
.........+..........
