Lokanath Rath

Horror Classics Thriller

4.3  

Lokanath Rath

Horror Classics Thriller

ମୂକ୍ତ ବିହଙ୍ଗ (ଭାଗ -ଏକୋଇଶି )

ମୂକ୍ତ ବିହଙ୍ଗ (ଭାଗ -ଏକୋଇଶି )

5 mins
313



ମନ୍ତ୍ରୀ ବିକ୍ରମ ଯେଉଁ ସାମ୍ବାଦିକ ସମ୍ମିଳନୀ କଲେ ତାକୁ ସମସ୍ତେ ଦେଖିଲେ | ଅବିନାଶ ତାକୁ ଦେଖି ବୁଝି ପାରୁଥିଲେ ଯେ ଏହା ବିକ୍ରମର ଗୋଟିଏ ନିଶ୍ଚିତ ଭାବରେ ବଡ଼ କିଛି ଚକ୍ରାନ୍ତ | ନିଜର ଅତି ଘନିଷ୍ଟ ଉପଦେଷ୍ଟା ଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ପଛରେ ସେ ନିଜକୁ ଏହି ଘଟଣାରୁ ମୂକ୍ତ କରିବାକୁ ଭାବୁଛି | ତା ଛଡା ବୋଧହୁଏ ଏବେ ସୁଦ୍ଧା ମିଳିଥିବା ପ୍ରମାଣ ସମ୍ପର୍କରେ ବିକ୍ରମ କୁ କିଛି ଖବର ମିଳି ଯାଇଛି | ତାର ପରବର୍ତ୍ତୀ ପଦକ୍ଷେପ କଣ ହେଇପାରେ, ତାକୁ ଅବିନାଶ ଭାବିବାକୁ ଲାଗିଲେ | ସେତିକି ବେଳେ ଆରକ୍ଷୀ ଆନନ୍ଦ ବାବୁଙ୍କ ଫୋନ ଆସିଲା ଓ ସେ ଅବିନାଶ ଙ୍କୁ କହିଲେ, "ସାର ଯଦି ଆପଣ ଏବେ କିଛି ସମୟ ଦେବେ, ତେବେ କିଛି ଜରୁରୀ କଥା ହେବା ପାଇଁ ଆପଣ କହିଲେ ମୁଁ ଆସି ଆପଣଙ୍କୁ ଭେଟିବି | ସେସବୁ ମୁଁ ଭାବୁଛି ଫୋନ ମାଧ୍ୟମରେ କହିବା ଉଚିତ ହେବ ନାହିଁ |" ଆନନ୍ଦ ବାବୁଙ୍କ ଠାରୁ ଏତକ ଶୁଣି ଅବିନାଶ ବାବୁ କିଛି ସମୟ ଭାବି କହିଲେ, " ଠିକ ଅଛି ଆପଣ ଏବେ ଆସନ୍ତୁ |" ତଥାପି ଅବିନାଶ ଭାବିବାରେ ଲାଗିଥାନ୍ତି ବିକ୍ରମର ରାଜନୈତକ ଚାଲ ବିଷୟରେ |

କିଛି ସମୟ ପରେ ଆରକ୍ଷୀ ଆନନ୍ଦ ବାବୁ ଆସି ଅବିନାଶ ଙ୍କ ପାଖରେ ପହଞ୍ଚି ଗଲେ | ତାଙ୍କୁ ବସିବାକୁ କହି ଅବିନାଶ ପଚାରିଲେ, " ଆପଣ ମନ୍ତ୍ରୀ ବିକ୍ରମଙ୍କ ସାମ୍ବାଦିକ ସମ୍ମିଳନୀ ଦେଖିଲେ ! ଆଛା ଏବେ ଆପଣ ଗିରଫ କରିଥିବା ଲୋକମାନେ ସବୁ କଡା ସୁରକ୍ଷା ଭିତରେ ଅଛନ୍ତି ତ ? ଏବେ ସେହି ବୋମା ବିଷୟରେ ଆପଣଙ୍କ ଅନୁସନ୍ଧାନ କେତେ ବାଟ ଗଲା ?" ଏତକ ଶୁଣି ଆନନ୍ଦ ବାବୁ କହିଲେ, " ସାର ମୁଁ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ଦେଖି ସାରିବା ପରେ ନିର୍ଣ୍ଣୟ ନେଲି ଆପଣଙ୍କୁ ସାକ୍ଷାତ କରି କିଛି ବିସ୍ତୃତ ବିବରଣୀ ଦେବି |ସମସ୍ତ ଗିରଫ ହୋଇଥୁବା ଲୋକମାନେ କଡା ସୁରକ୍ଷା ଭିତରେ ଅଛନ୍ତି | ଆମେ ଆମ ନିଜର କଡା କଡ଼ି ପ୍ରଣାଣି ଦ୍ୱାରା ସେହି ବୋମା ସମ୍ବନ୍ଧୀୟ କିଛି ଗୁରୁତ୍ୱପୁର୍ଣ ତଥ୍ୟ ପାଇଛୁ | ମାନସ ସହିତ ଗିରଫ ହୋଇଥିବା ତାର ସହଯୋଗୀ ଙ୍କ ମଧ୍ୟରୁ ଜଣେ ତାର ମୁହଁ ଖୋଲି ଦେଇଛି | ସେ ସେହି ଜାଗାରେ ବୋମା ଲଗାଇବା ବିଷୟରେ ସବୁ କଥା କହିଛି, ଯାହା ଭିଡ଼ିଓ ରେକର୍ଡିଙ୍ଗ ହେବା ସହିତ ସେହି ବ୍ୟକ୍ତି ଲିଖିତ ଭାବରେ ମଧ୍ୟ ଦେଇଛି | ସେଥିରୁ ଜଣା ପଡୁଛି ମନ୍ତ୍ରୀ ବିକ୍ରମ, ମୁଖ୍ୟ ଠିକାଦାର ଅଲେଖ ଓ ମାନସ ଏହି କାର୍ଯ୍ୟରେ ଲିପ୍ତ | ଆମେ ଘଟଣା ସ୍ଥଳରୁ ଯେଉଁ ଗୁଣ୍ଡା ମାନଙ୍କୁ ସେଦିନ ଗିରଫ କଲୁ, ସେମାନେ ସମସ୍ତେ ଆମ ରାଜ୍ୟ ବାହାରର ଲୋକ ଓ କିଛି ଆତଙ୍କୀ ମାମଲାରେ ପୂର୍ବରୁ ଜଡ଼ିତ ଅଛନ୍ତି | ମୋତେ ଲାଗୁଛି ଏବେ ମନ୍ତ୍ରୀ ବିକ୍ରମ ଏମାନଙ୍କୁ ସବୁ ମୁକୁଳାଇବା ପାଇଁ ଚେଷ୍ଟା କରିବା ଆରମ୍ଭ କରି ଥିବେ | ଅଲେଖ ର ଗୁପ୍ତ ଠିକଣା ବି ଆମର ହସ୍ତଗତ ହୋଇଛି ଓ ତାକୁ ଧରିବା ପାଇଁ ଆମର ସ୍ୱତନ୍ତ୍ର ଦଳ ବାହାରି ଯାଇଛନ୍ତି | ଆଶାକରେ ଆସନ୍ତା କାଲି ସୁଦ୍ଧା ସେ ବି ଗିରଫ ହୋଇଯିବ | ଏବେ ମୁଁ ଭାବୁଛି ଆପଣ କହିଲେ ମୁଁ ମାନସ ଓ ତାର ସହକର୍ମୀ ମାନଙ୍କୁ ଅଲଗା ଅଲଗା ଥାନାରେ ରଖି ସେମାନଙ୍କୁ ପୃଥକ ରଖିବି |ଯାହା ଦ୍ୱାରା ସମସ୍ତେ ଦ୍ବନ୍ଦରେ ରହିବେ ଓ ଭୟଭୀତ ବି ହେବେ | ସେହି ଭୟ ତାଙ୍କୁ କିଛି ସତ କହିବାକୁ ବାଧ୍ୟ କରିବ | ଆଉ ସେହି ବାହାରୁ ଆସିଥିବା ଗୁଣ୍ଡା ମାନଙ୍କୁ ଆତଙ୍କବାଦୀ ଭାବରେ ଆମ ସ୍ୱତନ୍ତ୍ର କାରାଗାର ରେ ରଖିଲେ ବି ଆହୁରି ସୁବିଧା ହେବ | ଏହି ସବୁ କରିବା ଦ୍ୱାରା ସମସ୍ତଙ୍କୁ ମୁକୁଳାଇବା ପାଇଁ ବିକ୍ରମ କୁ ସମୟ ବି ଲାଗିବ ଓ ବହୁତ ଆଇନଜୀବୀ ବି ଲାଗିବେ | ତା ଛଡା କିଏ କଣ ପୋଲିସ କୁ କହିଛି ଓ ଲେଖିକରି ଦେଇଛି ତାହା କିଛି ଦିନ ସନ୍ଦେହ ଭିତରେ ସେମାନଙ୍କୁ ରଖିବ | ଏହି ସମୟ ଭିତରେ ଆମେ ସେମାନଙ୍କ ଭିତରୁ କିଛି ଲୋକଙ୍କୁ ରାଜସାକ୍ଷୀ ବି ହେବା ପାଇଁ ପ୍ରବର୍ତ୍ତାଇ ପାରିବୁ | ମାନସ କୁ ଏକାକୀ ରଖିଲେ ତା ସହିତ ମନ୍ତ୍ରୀ ବିକ୍ରମର ବି ଚିନ୍ତା ବଢି ଯିବ | ସେଥିରେ ସେ ଆହୁରି କିଛି ଭୁଲ ବି କରି ପାରନ୍ତି |ସେଥିପାଇଁ ଆପଣ ଓ ଜିଲ୍ଲାପାଳ ଦୁଇ ଜଣଙ୍କ ଆଦେଶ ଦରକାର |ଆପଣ ଜିଲ୍ଲାପାଳ ଙ୍କୁ କହିଲେ ମୁଁ ଯାଇ ଆଦେଶନାମାରେ ଦସ୍ତଖତ କରି ଆଣିବି |ମୁଁ ଆଦେଶନାମା କୁ ସାଙ୍ଗରେ ନେଇ ଆସିଛି | ଆପଣ ଯାହା ଉଚିତ ମନେ କରିବେ |" ଆନନ୍ଦ ବାବୁଙ୍କ ଠାରୁ ଏହି ସବୁ ଶୁଣି ଅବିନାଶ କିଛି ସମୟ ଚିନ୍ତା କଲେ ଓ କହିଲେ, " ବହୁତ ଭଲ କଥା କହିଲେ ଆପଣ |ଏବେ ଆମକୁ ସମସ୍ତ ସାକ୍ଷୀ ଓ ପ୍ରମାଣକୁ ସୁରକ୍ଷିତ ରଖିବାର ଅଛି | ବହୁତ ଭଲ ଭାବରେ ଆପଣମାନେ କାର୍ଯ୍ୟ କରିଛନ୍ତି |ମୁଁ ଏବେ ଜିଲ୍ଲାପାଳଙ୍କୁ ଫୋନ କରି କହି ଦେଉଛି | ଏତିକି କହି ଅବିନାଶ ଜିଲ୍ଲାପାଳ ଙ୍କୁ ଫୋନ କରି କହିଲେ, " ଗିରଫ ହୋଇଥିବା ଲୋକମାନଙ୍କ ସଂଖ୍ୟା ଅଧିକ ହୋଇ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ କିଛି ଲୋକଙ୍କୁ ଭିନ୍ନ ଭିନ୍ନ ଥାନା ଓ କାରାଗାର କୁ ସ୍ଥାନାନ୍ତର କରିବାକୁ ହେବ |ଆମ ଆରକ୍ଷୀ ଆନନ୍ଦ ବାବୁ ଆପଣଙ୍କ ପାଖକୁ ଆଦେଶନାମା ନେଇ ଆସିବେ ଯେଉଁଥିରେ ମୁଁ ହସ୍ତାକ୍ଷର କରିଛି ଓ ଆପଣ ବି ହସ୍ତାକ୍ଷର କରିଦେଲେ ତାହା ପୋଲିସ କର୍ମୀ ଙ୍କୁ କାର୍ଯ୍ୟ କରିବାରେ ସହାୟକ ହେବ |" ଜିଲ୍ଲାପାଳ ଅବିନାଶ ବାବୁଙ୍କ କଥା ଶୁଣି ହଁ ଭରିଲେ | ଅବିନାଶ ଫୋନ ରଖିଦେଇ ଆନନ୍ଦ ବାବୁଙ୍କୁ କହିଲେ, "ଏବେ ଆପଣ ଯାଇ ଜିଲ୍ଲାପାଳଙ୍କ ଦସ୍ତଖତ ନେଇ ପାରନ୍ତି |ହଁ, ଆପଣ ଯେଉଁ ବିସ୍ତାର ଭାବରେ ମୋ ସହିତ ଚର୍ଚ୍ଚା କଲେ ସେସବୁ ତାଙ୍କୁ କହିବାର ଆବଶ୍ୟକ ନାହିଁ |କେବଳ ସୁରକ୍ଷା ପାଇଁ ଏହା ଦରକାର ବୋଲି କହିବେ |" ଏତକ ଶୁଣି ଆନନ୍ଦ ବାବୁ ବୁଝି ପାରିଲେ ତାଙ୍କୁ କଣ କରିବାକୁ ହେବ |ସେ ଅବିନାଶ ବାବୁଙ୍କ ଠାରୁ ବିଦାୟ ନେଇ ବାହାରି ଗଲେ ଜିଲ୍ଲାପାଳ ଙ୍କ ପାଖକୁ | ଆନନ୍ଦ ବାବୁ ବିଦାୟ ନେଇ ସେଠାରୁ ବାହାରି ଗଲା ପରେ ଅବିନାଶ ଙ୍କ ମୁଣ୍ଡରୁ କିଛି ଚିନ୍ତା ମୂକ୍ତ ହୋଇ ମୂକ୍ତ ବିହଙ୍ଗ ପରି ଉଡି ଗଲେ |  ଅବିନାଶ ବସିଥିବା ଜାଗାରୁ ଉଠି ହାତ ମୁହଁ ଧୋଇବାକୁ ବାହାରିଲେ, କାରଣ ତାଙ୍କୁ ଏବେ ଶୀଘ୍ର ରାତ୍ରି ଭୋଜନ ସାରି ଶୋଇବାକୁ ହେବ |ସେତିକିବେଳେ ମମତାଙ୍କ ଫୋନ ଆସିଲା ଓ ସେ କହିବାକୁ ଲାଗିଲେ, " ତୁମେ ଖାଇବା ଖାଇ ସାରିଲଣି ? ବଡ଼ ବ୍ୟସ୍ତ ଲାଗୁଛି | ଏଇ କିଛି ସମୟ ଆଗରୁ ମାନସ ଭାଇର ପତ୍ନୀ ବିନତି ଫୋନ କରିଥିଲା ବାପାଙ୍କୁ | ସେ କାନ୍ଦୁଥିଲା ଓ ରାଗରେ କହୁଥିଲା ଯେ ତୁମେ ଚକ୍ରାନ୍ତ କରି ତାର ସ୍ୱାମୀ କୁ ଗିରଫ କରାଇଛ | ସେ ତୁମ ବିରୁଦ୍ଧରେ ବହୁତ କିଛି କଥା କହି ଗଲା |ମୋତେ ବି ବହୁତ ଗାଳି କରୁଥିଲା | ସେ ବାପା ଙ୍କୁ ପ୍ରଶ୍ନ କଲା ଯେ ମାନସ ଭାଇ ତାଙ୍କର ନିଜ ପୁଅ କି ନାହିଁ ବୋଲି |ମା ଏସବୁ ଶୁଣି ବହୁତ କାନ୍ଦୁଛି | ଏସବୁ କଣ ହେଇ ଯାଉଛି ବୁଝିବା ବଡ଼ କଷ୍ଟ |ତୁମେ ବହୁତ ସାଵଧାନରେ ଥିବ |" ମମତାଙ୍କ ଠାରୁ ଏହି କଥା ଶୁଣି ଅବିନାଶ କହିଲେ, "ମମତା ତୁମେ ଫୋନ ଟିକେ ବାପାଙ୍କୁ ଦେବ କି |ମୋତେ ତାଙ୍କୁ କିଛି କହିବାର ଅଛି, ଯାହା ଶୁଣି ମା ବି କାନ୍ଦିବା ବନ୍ଦ କରିଦେବେ |" ମମତା ନିଜ ଫୋନ କୁ ନେଇ ବିକାଶ ବାବୁଙ୍କୁ ଦେଇ କହିଲେ ଅଵିନାଶ କଥା ହେବେ ବୋଲି | ବିକାଶ ବାବୁ ଫୋନ ନେଇ ଧରିଲେ ଓ ଅବିନାଶ କହିବାରେ ଲାଗିଲେ, "ବାପା ମୋତେ ବଡ଼ ଦୁଃଖର ସହିତ କହିବାକୁ ପଡୁଛି ଯେ ସେଠାକାର ସବୁ କାଣ୍ଡ ସହିତ ମାନସ ଭାଇ ଜଡ଼ିତ ଥିବାର ପ୍ରମାଣ ମିଳି ସାରିଛି |ଏବେ ସେ ଜଣେ ଅପରାଧୀ ହୋଇ ସାରିଛନ୍ତି |ତାଙ୍କୁ ଆଇନ ଯାହା ଦଣ୍ଡ ଦେବାର ଦେବ |ତେଣୁ ତାଙ୍କ ବିଷୟରେ ଆପଣମାନେ ଭାବି ମନ ଦୁଃଖ କରିବା ଉଚିତ ନୁହେଁ |ଆପଣ ମା ଙ୍କୁ ବୁଝାଇ ଦିଅନ୍ତୁ ଓ କୁହନ୍ତୁ କାନ୍ଦିଲେ ନିଜର କ୍ଷତି ହେବ |ମୁଁ ଆପଣଙ୍କୁ ଭେଟିଲେ ସବୁ କଥା କହିବି |ମୁଁ ଠିକ ଅଛି |ଆପଣ ସମସ୍ତେ କିଛି ଚିନ୍ତା କରନ୍ତୁ ନାହିଁ |ଏବେ ଫୋନ ରଖୁଛି, ଖାଇବା ପାଇଁ ମୋତେ ଡାକିକରି ଗଲାଣି |" ଏତକ କହି ଅବିନାଶ ଫୋନ ରଖି ଦେଲେ | ବିକାଶ ବାବୁଙ୍କ ମନ ଭିତରେ ଅନେକ ଅଜଣା ଆଶଙ୍କା ଓ ଭୟ ଘୁରି ବୁଲିବାକୁ ଲାଗିଲେ ଓ ରାସ୍ତା ଖୋଜୁଥିଲେ ମୂକ୍ତ ହୋଇ ମୂକ୍ତ ବିହଙ୍ଗ ପରି ଉଡି ଯିବାକୁ |


Rate this content
Log in

Similar oriya story from Horror