Lokanath Rath

Others

4.2  

Lokanath Rath

Others

ମୁକ୍ତ ବିହଙ୍ଗ (ଭାଗ -ଉଣେଇଶି )

ମୁକ୍ତ ବିହଙ୍ଗ (ଭାଗ -ଉଣେଇଶି )

5 mins
173


ଆରକ୍ଷୀ ଆନନ୍ଦ ବାବୁଙ୍କ ଫୋନ ଆସିବା ପରେ ଅବିନାଶ ଓ ଅନ୍ୟ ସମସ୍ତଙ୍କ ଗାଡି ଆଗକୁ ବଢିବାକୁ ଲାଗିଲା | କିଛି ସମୟ ପରେ ଅବିନାଶଙ୍କ ସମେତ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ଗଲେ |ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା | ପୋଲିସର ଗୁଇନ୍ଦା ବିଭାଗ ଓ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ବିଭିନ୍ନ ସ୍ଥାନର ଫଟ ଉଠାଇବାରେ ଲାଗିଲେ | ସେଠାରେ ସମସ୍ତ ଛୋଟ ଠାରୁ ବଡ଼ ପଡି ରହିଥିବା ଜିନିଷକୁ ଫଟ ଉଠାଇ ରଖିବାରେ ଲାଗିଥିବା ସମୟରେ ଭିଡ଼ିଓ ରେକର୍ଡିଙ୍ଗ ବି ଚାଲିଥାଏ | ମୁଖ୍ୟ ଯନ୍ତ୍ରୀ ସେଠାରେ ଉପସ୍ଥିତ ଥିବା କନିଷ୍ଠ ଯନ୍ତ୍ରୀଙ୍କ ପାଖକୁ ଯାଇ ଅବିନାଶ ବାବୁ, ଜିଲ୍ଲାପାଳ, ଆନନ୍ଦ ବାବୁ ଓ ଦୁର୍ନୀତି ନିବାରଣ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶ୍ନ ପଚାରିବାରେ ଲାଗିଲେ |ତା ସହିତ ଏହି ନୂତନ ଜଳ ଯୋଗାଣ କେନ୍ଦ୍ର ସମ୍ବନ୍ଧରେ ଥିବା ସମସ୍ତ କାଗଜକୁ ମଧ୍ୟ ଜବତ କରାଗଲା |ସେଥିରେ କନିଷ୍ଠ ଯନ୍ତ୍ରୀଙ୍କ ଦସ୍ତଖତ ମଧ୍ୟ ନିଆଗଲା | ଅବିନାଶ ବାବୁ କନିଷ୍ଠ ଯନ୍ତ୍ରୀଙ୍କୁ ଚାହିଁ ପଚାରିଲେ, " ଆପଣଙ୍କର ମନ୍ତ୍ରୀ ବିକ୍ରମ ବାବୁଙ୍କ ଉପଦେଷ୍ଟାଙ୍କ ସହିତ ଏହି କାର୍ଯ୍ୟ ସମ୍ବନ୍ଧରେ କି ପ୍ରକାର କଥାବାର୍ତ୍ତା ହୋଇଥିଲା ? ଆପଣଙ୍କୁ ଏହି କାର୍ଯ୍ୟର ଠିକା କାହାକୁ ଦେବା ପାଇଁ କୁହା ଯାଇଥିଲା ? ଠିକା ଦେବା ସମୟରେ ଆପଣ ସମସ୍ତ ନିୟମକୁ ପାଳନ କରିଥିଲେ କି ? ଏହି କାର୍ଯ୍ୟ ଚାଲି ଥିବା ସମୟରେ ତତ୍କାଳୀନ ଅଧିକ୍ଷଣ ଯନ୍ତ୍ରୀ ଏହିଠାରେ ଆସି, କାମକୁ ତଦାରଖ କରି ସତର୍କ କରାଇ ଦେଇଥିଲେ ଯେ ଏହି କାର୍ଯ୍ୟରେ ବ୍ୟବହାର ହେଉଥିବା ଦ୍ରବ୍ୟ ନିମ୍ନ ମାନର ଓ ତାକୁ ତୁରନ୍ତ ଠିକ କରିବା ପାଇଁ, ଆପଣ ସେହି ଦିଗରେ କି ପଦକ୍ଷେପ ନେଇଥିଲେ ? ଯାହା ଖବର ଆମ ପାଖରେ ଅଛି, ଆପଣ ଏହି କାର୍ଯ୍ୟ ପାଇଁ କିଛି ମୋଟା ଅଙ୍କର ଧନ ଠିକାଦାରଙ୍କ ପାଖରୁ ନେଇ ତାଙ୍କର ସମସ୍ତ ଭୁଲ କାର୍ଯ୍ୟକୁ ଅଣଦେଖା କରି ଦେଇଛନ୍ତି | ମୁଁ ଆପଣଙ୍କୁ ଯାହା ଏବେ ପଚାରୁଛି ଓ କହୁଛି, ଏହି ସମସ୍ତର ଆମ ପାଖରେ ପ୍ରମାଣ ଅଛି | ତେଣୁ ଆପଣ ସତ କଥା କହିବେ ବୋଲି ମୋର ଆଶା ଏବଂ ଏହି ଅଘଟଣ ସହିତ ଜଡିତ ଅନ୍ୟମାନଙ୍କ ନାମ ମଧ୍ୟ କହିବେ ବୋଲି ମୋର ଆଶା |" ଏତକ କହି ଅବିନାଶ ଅପେକ୍ଷା କଲେ କନିଷ୍ଠ ଯନ୍ତ୍ରୀଙ୍କ ଉତ୍ତରକୁ |ସେହି ସମୟରେ ତତ୍କାଳୀନ ଅଧିକ୍ଷଣ ଯନ୍ତ୍ରୀ ବି ଆସି ସେଠାରେ ପହଞ୍ଚି ଗଲେ ଓ ସେ କନିଷ୍ଠ ଯନ୍ତ୍ରୀଙ୍କୁ କହିଲେ, " ଆପଣଙ୍କ ପାଖରେ ମଣିଷ ପଣିଆ ନାହିଁ | ମୁଁ ସେଦିନ ଆସି ଆପଣଙ୍କୁ ସତର୍କ କରି କହିଥିଲି, ହେଲେ ଆପଣ ମୋ କଥାକୁ ତିଳେ ମାତ୍ର ଶୁଣିଲେ ନାହିଁ | ତା ପରଦିନ ମୋର ବଦଳି ହୋଇଗଲା | ଆମେ ଲୋକମାନଙ୍କର ସେବା କରିବା ପାଇଁ ଚାକିରୀ କରିଛେ ଓ ଦରମା ପାଉଛେ | ସେମାନଙ୍କ ପାଇଁ ହେଉଥିବା କାର୍ଯ୍ୟକୁ ସଠିକ ଭାବରେ ସଠିକ ସମୟରେ କରିବା ଆମ ଦାଇତ୍ୱ, ହେଲେ ଆପଣ ସେସବୁ କିଛି ବୁଝିଲେ ନାହିଁ |ଏବେ ସାର ଯାହା ପଚାରୁଛନ୍ତି ତାହାର ଜବାବ ଦିଅନ୍ତୁ |" ଏହି ସବୁ କଥା ଶୁଣି କନିଷ୍ଠ ଯନ୍ତ୍ରୀ ବହୁତ ଭୟଭୀତ ହୋଇ ପଡିଲେ |ସେ ନିଜର ଭୁଲ ମାନିଗଲେ | ସେ ସବୁ କିଛି ବିସ୍ତାର ଭାବରେ କହିବାକୁ ପ୍ରସ୍ତୁତ ହୋଇଗଲେ | ସେତିକିବେଳେ ଅବିନାଶ ବାବୁ କହିଲେ, "ଏବେ ଆପଣ ଜିଲ୍ଲାପାଳଙ୍କ ସମ୍ମୁଖରେ ଲିଖିତ ଭାବରେ ସବୁ ଦେବେ | ଜିଲ୍ଲାପାଳଙ୍କ ସମ୍ମୁଖରେ ଯେଉଁ ବକ୍ତବ୍ୟ ଦେବେ ତାହା ଆଇନ ଦ୍ୱାରା ମାନ୍ୟତା ପାଇବ | ସେହି ସମୟରେ ଆନନ୍ଦ ବାବୁ ଆସି ଅବିନାଶଙ୍କୁ କହିଲେ, "ସାର, ମାନସ ସହିତ ତାର ସମସ୍ତ ସହଯୋଗୀଙ୍କୁ ଗିରଫ କରି ନିଆ ଯାଇଛି | ହେଲେ ଏବେ ଅଲେଖ ବାବୁଙ୍କୁ ପୋଲିସ ଖୋଜିବାରେ ଲାଗିଛି |" ଏହି କଥା ଶୁଣି କନିଷ୍ଠ ଯନ୍ତ୍ରୀ ଆହୁରି ଡରି ଗଲେ ଓ କହିଲେ, " ଆଜ୍ଞା ମୋତେ ଏହି ଜାଗାରେ ରହିବା ପାଇଁ କିଛି ଘୁସ ଦେବାକୁ ପଡିଛି | ଏହି କାର୍ଯ୍ୟ କରିବା ପାଇଁ ଯେତେବେଳେ ଯୋଜନା ହେଲା ମୋତେ ମନ୍ତ୍ରୀଙ୍କ ଉପଦେଷ୍ଟା ବାରମ୍ବାର କହିଛନ୍ତି ଯେ କାମ ଠିକାଦାର ଯେମିତି କରିବା କଥା କରିବେ, ସେଥିରେ ମୁଁ ମୁଣ୍ଡ ନ ପୁରାଇବା ଭଲ ହେବ, ନଚେତ ମୋର ବଦଳି କୋରାପୁଟ ଜିଲ୍ଲାକୁ କରିଦେବେ | ମୋତେ ଏଠିକାର ରାଜନୈତିକ ନେତା ମାନେ ଆସି ବହୁତ ଧମକ ମଧ୍ୟ ଦେଇଛନ୍ତି | ଏଠାରେ ମୋତେ ଏଠିକାର ନେତାମାନଙ୍କୁ ଅର୍ଥ ଦେବାକୁ ହୁଏ ଚାନ୍ଦା ହିସାବରେ ପ୍ରତ୍ୟେକ ମାସରେ | ଆଜ୍ଞା ମୁଁ ଗୋଟିଏ ଛୋଟ ଚାକିରୀ କରିଛି |ଘରେ ମୋର ରୋଗୀଣା ବୃଦ୍ଧ ପିତା ମାତା ଅଛନ୍ତି |ମୋର ପତ୍ନୀ ଓ ଦୁଇଟି ପିଲା ମଧ୍ୟ ଅଛନ୍ତି |ପିଲାମାନେ ପଢୁଛନ୍ତି | ଆପଣ କୁହନ୍ତୁ ମୁଁ କୋଉଠୁ ଅର୍ଥ ଆଣିବି ଏମାନଙ୍କୁ ପ୍ରତ୍ୟେକ ମାସରେ ଦେବା ପାଇଁ ?ତେଣୁ ବାଧ୍ୟ ହେଲି ମନ୍ତ୍ରୀଙ୍କ ଉପଦେଷ୍ଟାଙ୍କ କଥା ମାନିବା ପାଇଁ | ମୁଁ ମାନୁଛି ଏହି କାର୍ଯ୍ୟର ନିମ୍ନମାନର ଜିନିଷ ବ୍ୟବହାର କରା ଯାଇଛି ଏବଂ ଠିକାର ନିୟମ ସର୍ତ୍ତାବଳି ହିସାବରେ କାର୍ଯ୍ୟ ହୋଇ ନାହିଁ | ସେଥିପାଇଁ ଏହି ଦୁର୍ଘଟଣା ଘଟିଲା | ଆପଣଙ୍କୁ ମୋର ଆଉ ଗୋଟିଏ ଅନୁରୋଧ, ମୁଁ ଯାହା ଏବେ କହିଲି ଓ ଲେଖିଦେଲି ଏହା ସମ୍ପୂର୍ଣ ସତ୍ୟ, ଏହା ଯଦି ସେହି ଉପଦେଷ୍ଟା ମହୋଦୟ ଜାଣିବେ ତେବେ ମୋର ଓ ମୋ ପରିବାର ଉପରେ ବହୁତ ବିପଦ ଆସିପାରେ |ତେଣୁ ଆମ ସୁରକ୍ଷାର ଦାଇତ୍ୱ ନେବା ପାଇଁ ବିନୀତ ଅନୁରୋଧ |" ଏତକ ଶୁଣି ଅବିନାଶ କହିଲେ, " ଆପଣଙ୍କର ଏହି ବୟାନ ଆମ ପାଖରେ ସୁରକ୍ଷିତ ରହିବ | କେହି ଜାଣି ପାରିବେ ନାହିଁ କେବଳ ନୟାଧୀଶଙ୍କ ବ୍ୟତୀତ | ଆପଣ ଏବେ ପୋଲିସ ଦ୍ୱାରା ଗିରଫ ହେବେ ଓ ତାଙ୍କ ତତ୍ୱାବଧାନରେ ରହିବେ | ଆପଣଙ୍କ ପରିବାରର ସୁରକ୍ଷା ଦାଇତ୍ୱ ଆମ ଆରକ୍ଷୀ ଆନନ୍ଦ ବାବୁଙ୍କ ଉପରେ |ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ | ଆପଣ ଜଣେ ରାଜସାକ୍ଷୀ ହେବେ ବୋଲି ମୁଁ ଆଶା କରୁଛି |" ସେତିକି ବେଳେ ମୁଖ୍ୟ ଯନ୍ତ୍ରୀ ଆସି କନିଷ୍ଠ ଯନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବନ ଆଦେଶ ଧରାଇ ଦେଲେ | ଆନନ୍ଦ ବାବୁ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ ସାଙ୍ଗରେ ଚାଲିଲେ | ଅବିନାଶ ବାବୁ ତାଙ୍କ ଗାଡି ପାଖକୁ ଯାଉ ଯାଉ ଜିଲ୍ଲାପାଳଙ୍କୁ ଡାକି କହିଲେ, "ଆସନ୍ତା କାଲି ଦିନ ଏଗାରଟା ସମୟରେ ଏହି ଆମ ଅନୁସନ୍ଧାନକାରିର ସମସ୍ତେ ବସି ଏକ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବା | ସମସ୍ତଙ୍କ ହସ୍ତାକ୍ଷର ହୋଇ ତାହା ମୁଖ୍ୟମନ୍ତ୍ରୀଙ୍କ ପାଖରେ କାଲି ପହଞ୍ଚାଇବାକୁ ହେବ ସମସ୍ତ ପ୍ରମାଣ ସହିତ | ଆପଣ ସେଥିପାଇଁ ସବୁ ବ୍ୟବସ୍ଥା କରନ୍ତୁ | ମୁଁ ଆପଣଙ୍କ କାର୍ଯ୍ୟାଳୟରେ ଆସନ୍ତା କାଲି ମିଶିବି |" ଏତିକି କହି ଅବିନାଶ ନିଜ ଗାଡ଼ିରେ ବସିଲେ | ଅନ୍ୟ ସମସ୍ତେ ନିଜ ନିଜ ଗାଡ଼ିରେ ବସି ସେହି ଜାଗାରୁ ବାହାରି ଗଲେ | ସେତେବେଳକୁ ସମୟ ସନ୍ଧ୍ୟା ସାତ ବାଜି ଥିଲା | ଗାଡ଼ିରେ ବସୁ ବସୁ ଅବିନାଶ ବହୁତ ଥକି ଯାଇଥିବା ପରି ମନେ କଲେ | ନିଜେ ପାଣି ବୋତଲ ରୁ କିଛି ପାଣି ପିଇଲେ | ଭାବିଲେ ମମତାଙ୍କୁ ଫୋନ କରିବେ, କାରଣ ସମସ୍ତେ ସେଠାରେ ବହୁତ ଚିନ୍ତାରେ ଥିବେ | ଅବିନାଶ ଟିକେ ନିଶ୍ଵାସ ମାରି ମମତାଙ୍କୁ ଫୋନ କଲେ | ମମତା ତୁରନ୍ତ ଫୋନ ଉଠାଇ ପଚାରିଲେ, "ତୁମେ ଏବେ କୋଉଠି ?ସବୁ କାମ ଠିକ ଠାକ ହେଇଗଲା ତ ? ଏତେ ଡେରିରେ ଫୋନ କଲ, ଆମେ ସମସ୍ତେ ବହୁତ ବ୍ୟସ୍ତ ହେଉଥିଲୁ | ବାପା ଓ ମା ମୋତେ ପ୍ରତ୍ୟେକ ଦଶ ମିନିଟରେ କହୁଛନ୍ତି ଫୋନ କରିବାକୁ | ଆକାଶ ଓ ଆରତୀ ବି ବହୁତ ଡରି ଯାଇଛନ୍ତି |" ଏତକ କହି ମମତା ଚୁପ ହୋଇଗଲେ | ତାଙ୍କ କଣ୍ଠ ରୁଦ୍ଧ ହେବା ଅବିନାଶ ବୁଝି ପାରୁଥିଲେ | ସେ ବୁଝି ପାରୁଥିଲେ ଯେ ସବୁଠାରୁ ବହୁତ ଚିନ୍ତାରେ ତାଙ୍କ ମମତା ହିଁ ଥିଲେ | ତେଣୁ ସେ ହସି ଦେଇ କହିଲେ, " ମମତା, ଆଗ ନିଜକୁ ଠିକ କରିନିଅ | ମୁଁ ପୁରା ଠିକ ଅଛି |ସବୁ କାମ ବହୁତ ଭଲ ଭାବରେ ହେଇଗଲା | ଏବେ ମୁଁ ରାସ୍ତାରେ ଅଛି | କିଛି ଚିନ୍ତା କରିବାର ନାହିଁ |ବୋଧହୁଏ ଟି ଭିରେ ବୋମା କଥା ଶୁଣି ସମସ୍ତେ ବ୍ୟସ୍ତ ହେଉଥିବ |ସେସବୁକୁ ନିଷ୍କ୍ରିୟ କରି ଦିଆଯାଇଥିଲା | ମୁଁ ବୋଧହୁଏ ଆସନ୍ତା କାଲି ରାତିରେ ଘରେ ପହଞ୍ଚିବି | ଏବେ ତୁମେ ସମସ୍ତଙ୍କୁ ବୁଝାଇ ଦିଅ | ଏବେ ମୁଁ ଫୋନ ରଖୁଛି |ଏତକ କହି ଅବିନାଶ ଫୋନ ରଖିଦେଲେ |" ଗୋଟିଏ ଦୀର୍ଘନିଃଶ୍ଵାସ ମାରି କିଛି ସମୟ ଆଖି ବନ୍ଦ କରି ମନରୁ ସବୁ ଚିନ୍ତାକୁ ମୁକ୍ତ କରିବାକୁ ଲାଗିଲେ | ଅବିନାଶଙ୍କ ଠାରୁ ସବୁ କଥା ଶୁଣିଲା ପରେ ମମତା ନିଜର ମନକୁ ଶାନ୍ତ କରି ପାରିଲେ | ତାଙ୍କ ମନ ଭିତରେ ଘୂରି ବୁଲୁଥିବା ଚିନ୍ତା ଗୁଡିକ ଧୀରେ ଧୀରେ ମୁକ୍ତ ହେବାକୁ ଲାଗିଲେ | ସେ ଭାବିଲେ ଯାଇ ଘରେ ସମସ୍ତଙ୍କୁ ଜଣାଇ ଦେବେ ଓ ବାହାରକୁ ଯାଇ ସମସ୍ତଙ୍କୁ ଅବିନାଶଙ୍କ କୁଶଳତା ବିଷୟରେ ଜଣାଇଲେ |ସେତେବେକେ ସମସ୍ତେ ଟିକେ ଚିନ୍ତା ମୁକ୍ତ ହେଲେ ମୁହଁରେ ହସ ଫୁଟିବାକୁ ଲାଗିଲା |


Rate this content
Log in