Pramod Kumar Jena

Others

2.0  

Pramod Kumar Jena

Others

ସ୍ୱାଦ ଏକ ଭିନ୍ନ ବ୍ୟଞ୍ଚନର

ସ୍ୱାଦ ଏକ ଭିନ୍ନ ବ୍ୟଞ୍ଚନର

3 mins
216


       ଲମ୍ବା କାର୍ ଭିତରୁ ସାହେବ୍ କାୟେଦାରେ ଓହ୍ଲେଇ ଆସିଲେ ସମ୍ବିତ୍ ଓ ତାଙ୍କ ନବ ବିବାହିତା ପତ୍ନୀ ରିୟା l ପରିପାଟୀ ଯେମିତି, ଆଭୂଷଣ ବି ସେମିତି l ଆଗେ ଆଗେ ସମ୍ବିତ୍, ପଛେ ପଛେ ରିୟା l ଅନିଚ୍ଛା ସତ୍ତ୍ୱେ ସ୍ୱାମୀଙ୍କ ସହ ଆସିଛନ୍ତି ତାଙ୍କର ଜଣେ ସାଙ୍ଗ ଉମେଶ ଘରକୁ l କୁଆଡେ ପିଲା ଦିନର ସାଙ୍ଗ l ଆଣ୍ଟି ମାନେ ଉମେଶର ମାଆ କୁଆଡେ କହିଥିଲେ ବୋହୂକୁ ନେଇ ଆସିବାକୁ l ଅଫ୍ କୋର୍ସ୍ ଏହି ମିଡିଲ୍ କ୍ଲାସ୍ ମେଣ୍ଟାଲିଟିଟା ଆଦୌ ଭଲ ଲାଗେନି ତାଙ୍କୁ l ଓlକେl ନୂଆ ନୂଆ ତ l ଭାବିଲେ ପରେ ମୌକା ଦେଖି ସମ୍ବିତର ଏହି ଅଭ୍ୟାସଟିକୁ ବଦଳେଇଦେବେ l ଦେଖା ଯାଉ l ଏଇଟା ତ ପ୍ରଥମ କମ୍ପ୍ରୋମାଇଜ୍ l ଘରେ ପଶୁ ପଶୁ ସମ୍ବିତ୍ ଆଣ୍ଟିଙ୍କ ପାଦ ତଳେ ପ୍ରଣାମ କଲେ l ଥାଉ ଥାଉ କହି ଆଣ୍ଟି ରିଆକୁ ବଞ୍ଚେଇଦେଲେ l ନମସ୍କାରରେ କାମ ଚଳିଗଲା l ଛୋଟ ଘରଟିଏ l ଅଙ୍କଲ୍, ଆଣ୍ଟି, ଆଉ ଉମେଶର ଛୋଟ ପରିବାର (ସ୍ତ୍ରୀ ଆରତୀ ଓ ପୁଅ ଗୋପାଳ............ ଗପୁ). କି ନାଆଁ....... ମୋଷ୍ଟ୍ ଇରାଟିକ୍ l ଗପୁ ଖେଳୁଛି ତା’ ଜେଜେ ବାପାଙ୍କ ସାଙ୍ଗରେ l ଆଳାପ ଆଲୋଚନା ବେଳେ ଆଣ୍ଟି ଆସି ପହଞ୍ଚିଲେ l

: ଆରେ ମାଆ ! ବାପା ବୋଉଙ୍କ ଖବର କ’ଣ ?

ରିଆ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁ ନ ଥିଲେ l ସମ୍ବିତ୍ ପରିବେଶକୁ ସମ୍ଭାଳି ନେଇ କହିଲେ, ‘ତାଙ୍କ ମମି ଏକା ରହୁଛନ୍ତି l’ ଟିକେ ଅଡୁଆ ଲାଗିଲା l ଆଣ୍ଟିଙ୍କ ସନ୍ଦେହ ଦୂର କରିବାକୁ ଯାଇ କହିଲେ, ‘ସେମାନଙ୍କର ଡିଭୋର୍ସ୍ ହୋଇଯାଇଛି l ’ 

: ଓଃ..........

: ଡାଡି ବି ଏକା ଅଛନ୍ତି l ଅଲଗା ଅଲଗା ଘରେ ରହୁଛନ୍ତି l ପୋସ୍ ଏରିଆରେ l

: ଡିଭୋର୍ସ୍ କେବେ ହେଲା ?

: ବହୁତ ଆଗରୁ l

: ଆରେ ମାଆ ଆରତୀ ! ତୁମେମାନେ ଗପ କର l ମୁଁ ରୋଷେଇ ଦେଖୁଛି l ବେଶି ଖୋଳିବାକୁ ଚାହିଁଲେନି ଉମେଶର ମାଆ l ରୋଷେଇ ଘରକୁ ଯିବାକୁ ବାହାରିଲେ l ଉମେଶର ବାପା ମଧ୍ୟ ଗପ ଛାଡି ତାଙ୍କ ପଛେ ପଛେ ଗଲେ l ଶାଶୁ ଶ୍ୱଶୁରଙ୍କୁ ରୋଷେଇ ଘରକୁ ଯିବା ଦେଖି ଆରତୀ କହିଲେ, ‘ମୋ ଶାଶୁ ଶ୍ୱଶୁର ଏ ଯୁଗର ରୋମିଓ ଜୁଲିଏଟ୍ ଠାରୁ କମ୍ ନୁହନ୍ତି l’ ସମସ୍ତେ ହସି ଉଠିଲେ l ‘କେବଳ ବେରସିକ ହେଲେ ଆମ ବାବୁ l କୁତୁ କୁତୁ କଲେ ବି ହସିବେନି l’ କଥାଟାକୁ ଆହୁରି ମଜାଦାର୍ କରିବାକୁ ଯାଇ ଉମେଶ୍ ଉତ୍ତର ଦେଲେ, ‘ମୁଁ ଲଫ୍ଟର୍ ଚ୍ୟାନେଲର ଆଙ୍କର୍ ନୁହେଁ ଯେ, ବେମତଲବରେ ହେଁ ହେଁ ହେଉଥିବି l’ ରିୟାକୁ ଆସ୍ତେ ଆସ୍ତେ ଏ ପରିବେଶ ଭଲ ଲାଗିବା ଆରମ୍ଭ କଲା l ଏମାନେ ଏତେ ସହଜ କେମିତି ? ବାପା-ବୋଉ, ସ୍ୱାମୀ-ସ୍ତ୍ରୀ, ନାତି-ଜେଜେ, ଶାଶୁ-ବୋହୁ........ ସୋ ଲାଇଭଲି l ଏଇଟା ଯେମିତି ଗୋଟିଏ ସୁନ୍ଦର ଉଦ୍ୟାନ l ନାନା ପ୍ରକାର ଫଳ ଗଛ ବି ଅଛି, ଫୁଲ ଗଛ ବି ଅଛି l ସମସ୍ତେ ମିଶି ଉଦ୍ୟାନଟିକୁ ବେଶ୍ ରମଣୀୟ କରିଛନ୍ତି l ଖାଇବା ବେଳକୁ ନାନା ପ୍ରକାର ଖାଦ୍ୟର ବାସ୍ନା ସମସ୍ତଙ୍କ ଭୋକକୁ ଦ୍ୱିଗୁଣିତ କରିଦେଲା l ସମ୍ବିତ୍ କହିଲେ, ‘ମାଉସୀ ! ପୁଣି ଥରେ ଆପଣଙ୍କ ପରଷା ଖାଇବାକୁ ମୌକା ମିଳିଗଲା l’ ଖାଇବା ସମୟ ଆରମ୍ଭ ହେଲା l ସମସ୍ତେ ଆନନ୍ଦ ମନରେ ଖାଉଥାନ୍ତି l ଖାଇବା ମଝିରେ ସମ୍ବିତ୍ କହିଲେ, ‘ରୋଷେଇର ଅନ୍ୟ ନାମ ଆଣ୍ଟି l’ ପୁରୁଣା ଡେକଚିଟିକୁ ଟେବୁଲ୍ ଉପରେ ଦେଖି ଆରତୀ ଟିକେ ଅପମାନିତ ମନେ କଲେ l ସ୍ତ୍ରୀ ସୁଲଭ ଗୁଣରେ କହିଲେ, ‘ଆକ୍ଚୁଆଲି ନନ୍-ଷ୍ଟିକର ନୂଆ ସେଟଟା ଅଛି l ବୋଉ ଭୁଲି ଯାଇଛନ୍ତି l’

ଟିକେ ହସି ଆଣ୍ଟି କହିଲେ, ‘ବୋହୁ ! ବାସନ ଦାମିକା ହୋଇଗଲେ ସୁଆଦ ଆପେ ଆପେ ଆସିଯାଏନି l କେହି କିଛି ବୁଝିଲେ ନା ନାହିଁ, ଜଣା ନାହିଁ, ରିଆଙ୍କୁ ଲାଗିଲା, ଆଣ୍ଟି ଯେମିତି କହୁଥିଲେ, ଘର ବଡ ହେଲେ ଶାନ୍ତି ଆପେ ଆପେ ଆସିଯାଏନି l ’ 


Rate this content
Log in