Pramod Kumar Jena

Others

3  

Pramod Kumar Jena

Others

ମାମୁଁ

ମାମୁଁ

3 mins
497



         ସମସ୍ତେ ଆସିଗଲେଣି l ଝର୍କା କାନ୍ଥରେ ଠିଆ ହୋଇ ଅନେଇ ରହିଥିଲା ଝରଣା l ବାରମ୍ବାର ଘଡିକୁ ଦେଖି ଚାଲିଥିଲା l ସମୟ ଯେତେ ଗଡି ଯାଉଥିଲା, ମନ ଭିତରେ ଅସହାୟତା ସେତେ ମାଡି ଆସୁଥିଲା l ଶେଷରେ ଭାବିଲା, ଆଉ ବୋଧେ ମାମୁଁ ଆସିବେନି l ଆର ଘରେ ପୁଅ, ପୁଅର ମାଆ ବାପା ଆଉ ମଧ୍ୟସ୍ଥି ବସିଛନ୍ତି l ଆଉ ତାଙ୍କ ସାଙ୍ଗରେ ଗପ ଜମେଇଛନ୍ତି ଝରଣାଙ୍କ ବାପା ଓ ବୋଉ l ଅପ୍ୟାୟିତ କରିବା ଦାୟିତ୍ୱ ସାନ ଭଉଣୀ ସୁନିର l କଥାବାର୍ତ୍ତାରୁ ଜଣା ପଡୁଥିଲା ସମସ୍ତେ ଯେମିତି ଖୁସି ଅଛନ୍ତି l ହେଲେ ଝରଣାର ମନରେ ଘୂର୍ଣ୍ଣି ଝଡ l ଜୀବନର ଏତେ ବଡ ପରୀକ୍ଷା l ଭାରି ନର୍ଭସ୍ ଲାଗୁଥାଏ l ଏତେ ବଡ ନିଷ୍ପତ୍ତି, କିଛି କ୍ଷଣର ଦେଖା ସାକ୍ଷାତ, ଆଉ କେତୋଟି ପ୍ରଶ୍ନରେ ସୀମିତ ହୋଇ ଯାଇଛି l ସେଥିପାଇଁ ମାମୁଁଙ୍କୁ ଡକେଇ ପଠେଇଥିଲେ l ମାମୁଁଙ୍କ ପାଖରେ ତା’କୁ ଟିକେ ସହଜ ଲାଗେ l ବାପା ବୋଉଙ୍କ ପାଖରେ ମୁହଁ ଖୋଲିବା ମୁସ୍କିଲ୍ l ସେମାନେ କ’ଣ ପଚାରିବେ ? ଆଉ ସେ କ’ଣ ଉତ୍ତର ଦେବ ? ଯଦି ଇଚ୍ଛା ହୁଏ, କିଛି ପ୍ରଶ୍ନ କରିବାକୁ, ସେମାନଙ୍କୁ ମୁହଁ ଟେକି ପଚାରି ପାରିବ ତ ? ହାତ ଘଡିକୁ ଅନେଇ ଭାବିଲା, ମାମୁଁ ଆଉ ଆସିବେନି l ସେ ପଟ ଘରୁ ପୁଅର ମାଆ କହିଲେ, ଏଥର ଝିଅକୁ ଡାକନ୍ତୁ l ମନେ ମନେ ଈଶ୍ୱରଙ୍କୁ ମୁଣ୍ଡିଆ ମାରି ଡାକିଲା, ତୁମେ ହିଁ ଭରସା l ହଠାତ୍ କାର୍ ଗୋଟିଏ ଆସି ଘର ସାମ୍ନାରେ ଲାଗିଲା l ଝର୍କା ବାଟେ ଚାହିଁ ଦେଖେ ତ ମାମୁଁଙ୍କ ଗାଡି l ଦେହରେ ଜୀବନ ପଶିଲା l ଅତିଥିମାନଙ୍କ ସଙ୍ଗେ ସମ୍ୟକରେ ପରିଚୟ ହୋଇ ମାମୁଁ ଭିତରକୁ ପଶି ଆସିଲେ l

         : ଆରେ ମାଆ ! ଗୋଟେ ଜରୁରୀ କାମରେ ଅଟକିଯାଇଥିଲି l ତେଣୁ ଆସିବାକୁ ଡେରି ହେଲା l ଆଉ ଡେରି ନ କରି, ଭାଣିଞ୍ଜୀକୁ ନେଇ ସେମାନଙ୍କ ସାମ୍ନାକୁ ଆସିଲେ l ଜଣାଗଲା ସମସ୍ତଙ୍କ ମନକୁ ପାଇଛି l ମାମୁଁ କହିଲେ, ସେ ଦି ଜଣଙ୍କୁ ଏକାନ୍ତରେ କିଛି କଥାବାର୍ତ୍ତା କରିବାକୁ ଦିଆଯାଉ l ପରସ୍ପର ପରସ୍ପରକୁ ଜାଣନ୍ତୁ l ପୁଅ ଭଲ ଚାକିରି କରିଛନ୍ତି l ଝିଅ ବି ଭଲ ଚାକିରି କରିଛି l କିଛିଟା କଥା ହେଲେ କ୍ଷତି କ’ଣ ? ସେମାନେ ତ ଆଉ ଆମ ଯୁଗର ପିଲା ନୁହନ୍ତି ? ପୁଅର ମାଆ କହିଲେ, ଯୁଗ ବଦଳି ଯାଇଛି ବୋଲି କ’ଣ ଆମ ପରମ୍ପରା ବଦଳି ଯାଇଛି ? ଅଲଗା ଯାଗାରେ କଥା ହେବେ କାହିଁକି ? ଯାହା କଥା ହେବେ, ସାମ୍ନାରେ କଥା ହୁଅନ୍ତୁ l ସମସ୍ତେ ଶୁଣିବା l ସମସ୍ତଙ୍କ ସହମତି କ୍ରମେ କଥାବାର୍ତ୍ତା ଆରମ୍ଭ ହେଲା l ନାଆଁ ଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତି ପ୍ରଶ୍ନବାଣ କରି ଚାଲିଲେ l ଝରଣାର ଉତ୍ତରଗୁଡିକ ବୋଧେ ତାଙ୍କ ମନକୁ ବେଶ୍ ପାଉଥିଲା l ମାମୁଁ କହିଲେ, ଆଉ କିଛି ପଚାରିବାର ଅଛି ? ବାପା ବୋଉଙ୍କ ଠାରୁ ଇଶାରା ପାଇ ପୁଅ କହିଲା, ଆଉ ଗୋଟିଏ କଥା ପଚାରିବାର ଅଛି l ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଲେ ପୁଅ ମୁହଁକୁ l ତାଙ୍କର ଶେଷ ପ୍ରଶ୍ନ କ’ଣ ହୋଇ ପାରେ ? ଟିକିଏ ଗମ୍ଭୀର ହୋଇ ପୁଅ ପଚାରିଲେ, ‘ଯଦି ମୋ ମାଆ ବାପାଙ୍କ କିଛି ଅସୁବିଧା ହୁଏ, ତୁମେ ଚାକିରି ଛାଡିବାକୁ ପ୍ରସ୍ତୁତ

କି ?’ କିଛି ସମୟ ଚିନ୍ତା କରି ଝରଣା ସମ୍ମତି ଜଣେଇଲା l ସମସ୍ତଙ୍କ ମନରେ ଟିକେ ଖୁସିର ଛାୟା ଦେଖାଗଲା l ପୁଅର ବାପା କହିଲେ, ପ୍ରସ୍ତାବ ପକ୍କା ହେଲା ତ ? ମାମୁଁ କହିଲେ, ଗୋଟେ ମିନିଟ୍ l ଆରେ ମାଆ ଝରଣା ! ତୋ ବାହାଘର ଠିକ୍ ହେବାକୁ ଯାଉଛି l ତୋର କିଛି ପଚାରିବାର ନାହିଁ ? ମାମୁଁଙ୍କଠୁ ସାହସ ପାଇ ଝରଣା ପଚାରିଲା, ମୁଁ ଗୋଟାଏ କଥା ପଚାରି ପାରିବି ? କିଏ କ’ଣ କହିବ, ନ କହିବ ଅପେକ୍ଷା ନ କରି ମାମୁଁ କହିଲେ, ନିଶ୍ଚୟ l ଡରି ଡରି ଝରଣା ପ୍ରଶ୍ନ କଲା, ଆପଣଙ୍କ ବାପା ମାଆଙ୍କ ଅସୁବିଧା ହେଲେ ଯେ କୌଣସି ମୁହୂର୍ତ୍ତରେ ଚାକିରି ଛାଡିବାକୁ ମୁଁ ପ୍ରସ୍ତୁତ ଅଛି l ଯଦି ମୋ ବାପା ବୋଉଙ୍କର ଅସୁବିଧା ହୁଏ, ତା’ ହେଲେ ଆପଣ ଚାକିରି ଛାଡିବେକି ? ଏକା ସାଙ୍ଗରେ ରାଗରେ ଜର୍ଜରିତ ହୋଇ ସମସ୍ତେ ଉଠି ପଡିଲେ l ମଧ୍ୟସ୍ଥିଙ୍କୁ ପୁଅର ମାଆ କହିଲେ, ବହୁତ ହୋଇଗଲା l ଚାଲନ୍ତୁ l ଶିଡିରେ ଓହ୍ଲେଇଲା ବେଳେ ତାଙ୍କ ଭିତରୁ କେହି ଜଣେ କହିଥିଲେ, ଏଇଟା କଂସ ମାମୁଁ ନା ଶକୁନି ମାମୁଁ ?



Rate this content
Log in