Pramod Kumar Jena

Drama Others

3  

Pramod Kumar Jena

Drama Others

ଯାହାର ମନ ଯେଡେ

ଯାହାର ମନ ଯେଡେ

2 mins
338


: ବଉଳ ! ତୁ ଆଉ କାନ୍ଦନା ।

: କାନ୍ଦିବିନି, କ’ଣ ଆଉ କରିବି କହ ? ମୋର ତ ଭାଗ୍ୟ ଖରାପ । ମାସଟାଯାକର ଦରମା କାଟିଦେଲେ । ମୁଁ କ’ଣ କରିବି ? ବୁଢାକୁ କହିଲେ ମୋତେ ଘରୁ ବାହାର କରିଦେବ । ସେ କ’ଣ ବୁଝିବ ? ମୁଁ ପୋଡାମୁହିଁ କେମିତି ଦେଖି ପାରିଲି ନାହିଁ ? ମାଆଙ୍କର କେଡେ ସୁନ୍ଦର ଜିନିଷଟା ଭାଙ୍ଗିଗଲା । ତାଙ୍କ ପୁଅ ଆଣିଥିଲେ । ମାଆ ସବୁଦିନେ ମନେ ପକାଇ ଦିଅନ୍ତି । ବାସନ୍ତୀ ! ହୁସିଆରରେ ସଫା କରିବୁ । ହେଲେ ମୁଇଁ ଚାଣ୍ଡାଳୁଣୀ କ’ଣ କଲି ?

: ବଉଳ ! ତୁ କ’ଣ ଜାଣିଶୁଣି ଭାଙ୍ଗିଲୁ କି ? ଏତେ ନେହୁରା କାହିଁକି ହେଉଛୁ ? ବାସନ୍ତୀକୁ ତା’ ବଉଳ ଗୌରୀ ବୁଝାଉଥାଏ ।

ଦୁହେଁ ବାବୁମାନଙ୍କ ଘରେ କାମ କରି ନିଜର ପରିବାର ଚଳାଉଥାନ୍ତି । ଆଜି ମାସର ଶେଷ ଦିନ । ହେଲେ ବାସନ୍ତୀ ପାଇଁ ଆଜି ବଜ୍ର ପଡିଛି । ମହାପାତ୍ରବାବୁଙ୍କ ଘରେ ସଫା କରୁ କରୁ କାଚର ସୌଖୀନ ମୂର୍ତ୍ତିଟି ହାତରୁ ଖସି ପଡିଲା । ସାତ ହଜାର ଟଙ୍କାର ମୂର୍ତ୍ତି, ପୁଣି ତାଙ୍କ ପୁଅ ଆଣିଥିଲେ ବାହାରୁ । ତେଣୁ ରାଗରେ ଶ୍ରୀମତି ମହାପାତ୍ର ଘରୁ ବାହାର କରି ଦେଲେ । ଦରମାରୁ ସବୁ ପଇସା କାଟି ଦେଲେ । ଗଉରୀ ବୁଝାଉଥାଏ, ଆଲୋ ! ମୋ କଥା ଟିକିଏ ଶୁଣୁ । ଆମ ମାଆ ଗତ ମାସରେ କପ୍ ଭାଙ୍ଗି ଦେଲି ବୋଲି ପଚାଶ ଟଙ୍କା କାଟିଦେଲେ । ରାଗ ତ ଥିଲା ମୋର । ପୁରା ସେଟ୍ ଜାଣି ଶୁଣି ପକେଇ ଦେଲି । ରାଗିକି ମୋ ଉପରେ ନିଆଁ । ତା’ ପର ଦିନ ଠାରୁ ଗଲିନି । କହିଲି କାଟୁଥା ଏଥର । ତୁ ଗୋଟେ କାମ କର । କାଲି ଯାଇ ଏକାଥରକେ ଚାରିଟା ଭାଙ୍ଗିବୁ । ତା ମୁହଁରୁ କଥା ଛଡେଇ ନେଇ ବାସନ୍ତୀ କହିଲା, ସେ ଅଲକ୍ଷଣା କଥା ମୋତେ ଶିଖାନା । ଯାହାର ଖାଉଛି, ତା’ର ଅନିଷ୍ଟ କଲେ ମୋତେ ଧରମ ସହିବ ?

ହଠାତ୍ ଗୋଟିଏ କାର୍ ଆସି ଦୁହିଁଙ୍କ ସାମ୍ନାରେ ଠିଆ ହେଲା । ଗାଡିକୁ ଦେଖୁ ଦେଖୁ ଜାଣିଲା ବାସନ୍ତୀ ଏଇଟା ତ ବାବୁଙ୍କର ଗାଡି । ଆଉ କିଛି ଭାବିବା ପୂର୍ବରୁ ମହାପାତ୍ର ବାବୁ କାର୍ ଭିତରୁ ବାହାରି ଆସିଲେ । କହିଲେ, ଭଲ ହେଲା ତୁ ଏଇଠି ଅଛୁ । ନହେଲେ କୋଉଠି ପୁଣି ଖୋଜିଥାନ୍ତି ତୋତେ ? ତୋ ମାଆ ମୋତେ ବସେଇ ଦେଲାନି ।

: ଫେର୍ କ’ଣ ହେଲା ବାବୁ ?

: କିଛି ନାହିଁ । ହବ ଆଉ କ’ଣ ? ତତେ ଗାଳି ଦେଇ ପଇସା ନ ଦେଇ ତଡି ଦେଲା । ଏବେ ମୋତେ ପଠେଇଛି, ତୋ ହାତରେ ଟଙ୍କା ଦେଇ ଆସିବା ପାଇଁ ।ହତବାକ୍ ହୋଇ ବାସନ୍ତୀ ବାବୁଙ୍କ ହାତରୁ ଦରମା ଟଙ୍କା ନେଇ ଆସିଲା । ବାବୁ ଗାଡି ଷ୍ଟାର୍ଟ୍ କରୁ କରୁ କହିଲେ, ଆରେ ହଁ । ମାଆ କହିଛି, କାଲି ଗୁରୁବାର । ଟିକେ ଜଲଦି ଆସିବୁ । ଲୁହ ପୋଛି ମୁଣ୍ଡ ହଲେଇଲା ବାସନ୍ତୀ । ଏ ସବୁ କାଠ ଭଳି ଶୁଣୁଥିବା ଗୌରୀ କହିଲା, ତୁ ଯେମିତି, ତୋ ବାବୁଘର ବି ସେମିତି । ଯାହାର ମନ ଯେଡେ, ତାହାର ପ୍ରଭୁ ତେଡେ । ପୋଡାମୁହିଁ ତ ମୁଁ ନିଜେ ।



Rate this content
Log in

Similar oriya story from Drama