STORYMIRROR

Pramod Kumar Jena

Inspirational

3  

Pramod Kumar Jena

Inspirational

ମୂଲ୍ୟବୋଧ

ମୂଲ୍ୟବୋଧ

2 mins
345



      ଅନେକ ଲୋକ କଳାବଜାର, କଳା ଟଙ୍କା ଆଉ ଭ୍ରଷ୍ଟାଚାର ବିଷୟରେ ଅନେକ ସମୟରେ ପ୍ରାୟ ଆଲୋଚନା କରନ୍ତି । ପାନଦୋକାନଠୁଁ ଆରମ୍ଭ କରି ସେଲୁନ୍ ପର୍ଯ୍ୟନ୍ତ । ସମସ୍ତେ ଜଣେ ଜଣେ ବିଶେଷଜ୍ଞ ଭଳି ମତ ଦିଅନ୍ତି । ଶୁଣି ଶୁଣି ବିରକ୍ତି ବି ଲାଗିଲାଣି ।

       ସେଦିନ ପଟ୍ଟନାୟକ ମଉସାଙ୍କ ସଙ୍ଗେ ଘରୁ ବାହାରିଲୁ ଆଧାରକାର୍ଡ୍ ପାଇଁ ଫଟୋ ଉଠେଇବା ନିମନ୍ତେ । ବାଟଯାକ ସେହି ଆଲୋଚନା ଆରମ୍ଭ କରିଦେଲେ । ଭାରି ଗର୍ବ ତାଙ୍କର ତାଙ୍କ ପୁଅମାନଙ୍କ ଉପରେ ଆଉ ନିଜ ଉପରେ ମଧ୍ୟ । ସଚ୍ଚୋଟତାର ଦ୍ୱିତୀୟ ନାମ ହେଲା ତାଙ୍କ ପରିବାର । ବାକି ସମସ୍ତେ ଭ୍ରଷ୍ଟାଚାରରେ ଲିପ୍ତ । ସରକାର ଏଇଟା କରିବା ଉଚିତ । ସେଇଟା ଅନୁଚିତ । ଯେତେ ପ୍ରକାର ସଜେସନ୍ ଦେଇ ପାରନ୍ତି । ସବୁ କଥାଗୁଡିକ ଯଦିଓ ଅଯୌକ୍ତିକ ଲାଗୁ ନ ଥିଲା, ତେବେ ଅନେକ ଦିନରୁ ସେଇ କଥାଗୁଡିକ ବାରମ୍ବାର ଶୁଣି ଶୁଣି ବିରକ୍ତ ଲାଗୁଥିଲା । ନିଜର ବିରକ୍ତି ଭାବକୁ ପ୍ରକାଶ କରିବାକୁ ଇଚ୍ଛା କଲିନି । ମୁଁ ମଧ୍ୟ ତାଙ୍କୁ ସମ୍ମାନ କରେ । ତା’ ଛଡା ଅନ୍ୟମାନେ ମଧ୍ୟ ମଉସାଙ୍କୁ ବେଶ୍ ସଚ୍ଚୋଟ୍ ଅଫିସର୍ ବୋଲି ଜାଣନ୍ତି । ଇତି ମଧ୍ୟରେ ଆମେ ପାଖ ସ୍କୁଲରେ ଯାଇ ପହଞ୍ଚିଲୁ । ଏତେ ଲମ୍ବା ଧାଡି ଦେଖି ମୋର ହୋସ୍ ଉଡିଗଲା । ଭାବିଲି ଆଜି ଏଇଠି ହିଁ ଦିନଟା କଟିଯିବ । ମଉସା ଆଗରେ ଠିଆ ହେଲେ । ତାଙ୍କ ପଛରେ ମୁଁ । ସେଇଠୁ ଥାଇ ଗଣିଲି, ଆମେ କେତେ ଜଣଙ୍କ ପଛରେ ଅଛୁ । ଯେତେ ଥର ଗଣୁ ଥାଏ ଭୁଲ ହୋଇ ଯାଉଥାଏ ।  ତେବେ ମୋଟାମୋଟି ଅନୁମାନ କଲି ଦେଢଶହ ଲୋକଙ୍କ ପଛରେ ।

       ଏତେ ଲମ୍ବା ଲାଇନ୍ ସ

ାଙ୍ଗକୁ ଜୁନ୍ ମାସର ଖରା । କିନ୍ତୁ ସେହି ଖରା ଭିତରେ କେହି ମଜା ଉଠାଉଥାନ୍ତି ତ କେହି ବିରକ୍ତ ହେଉ ଥାଆନ୍ତି । ହଠାତ୍ ମଉସା କହିଲେ ମୁଁ ଟିକିଏ ଆସୁଛି । ତା’ପରେ ସେ ଉଭାନ୍ ହୋଇଗଲେ । ଭାବିଲି ମଉସା ବୋଧହୁଏ ଏ ଗରମ ସହିପାରିଲେନି । ଘରେ ଏ.ସି. ପୁଣି ଅଫିସରେ ବି ଏ.ସି. ଥିଲା ନିଶ୍ଚୟ । ସେ ଅବସର ନେଇ ସାରିଲେଣି । ତେବେ ଗରମ ସହିବା ଧୈର୍ଯ୍ୟ ତାଙ୍କର କାହୁଁ ଆସିବ ?

       ମଝିରେ ମଝିରେ ଖିଆଲ ଆସୁଥାଏ ଫେରିଯିବାକୁ । ହେଲେ ଥରେ ମଉକା ଗଲେ ଆଉ କେବେ ଯେ ଆସିବ କିଏ ଜାଣେ ? ହଠାତ୍ ଦେଖିଲି ମଉସା ମୋଠୁ ଅନେକ ଆଗରେ ଠିଆ ହୋଇଛନ୍ତି । ଏମିତି କେମିତି ହେଲା ? ମୋ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡିବା ଆରମ୍ଭ କରିଦେଲେ । ନାନା ପ୍ରକାର ସମ୍ଭାବନାକୁ ତର୍ଜମା କରି ଦେଖୁଥାଏ । କିଛି ସମୟ ପରେ ତାଙ୍କ ପାଳି ବି ପଡିଗଲା ।

       ତା’ପରେ ହସି ହସି ମୋ ପାଖକୁ ଆସିଲେ । କିଛି ପଚାରିବା ପୂର୍ବରୁ ମୋତେ ହାତ ହଲେଇ ଚାଲିଗଲେ । ତାଙ୍କ ହସରେ ଯେମିତି ଗୋଟିଏ ପାରିବାର ପଣିଆ ମୁଁ ଲକ୍ଷ୍ୟ କଲି । ପଚାଶ ଜଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସେ ଆଗରୁ କାମ ହାସଲ କରି ଚାଲିଗଲେ । ଜଣେ ଲୋକର ଫଟୋ ଉଠାଇବାକୁ ଯଦି ଦଶ ମିନିଟ୍ ଲାଗେ, ତା’ହେଲେ ପଚାଶ ଜଣଙ୍କର ଦଶ ମିନିଟ୍ ଲେଖାଏ ସେ ଚୋରି କରି ନେଇଗଲେ । ଏମାନଙ୍କ ସମୟର କ’ଣ କିଛି ମୂଲ୍ୟ ନାହିଁ । ବାରମ୍ବାର ମନକୁ ପ୍ରଶ୍ନ ଆସୁଥାଏ,ମୂଲ୍ୟବୋଧ, ଭ୍ରଷ୍ଟାଚାର,କଳାବଜାରୀ.....ଉପରେ ଲମ୍ବା ଲମ୍ବା ଭାଷଣ ଦେଉଥିବା ଲୋକ ଏ ପଚାଶ ଜଣଙ୍କର ସମୟ କେମିତି ଚୋରି କଲେ ? ସଚ୍ଚୋଟତାର ସୀମା କ’ଣ କେବଳ କାର୍ଯ୍ୟାଳୟ ଭିତରେ ସୀମିତ ???



Rate this content
Log in

Similar oriya story from Inspirational