Pramod Kumar Jena

Drama

3  

Pramod Kumar Jena

Drama

ସ୍ନେହ

ସ୍ନେହ

2 mins
381



       ବାପା ଯେତେବେଳେ ଦୁଇ ବର୍ଷର ହୋଇଥିଲେ ଜେଜେବାବାଙ୍କର ଦେହାନ୍ତ ହୋଇଯାଇଥିଲା । ଉଭୟ ବାପା ଓ ବୋଉର ସ୍ନେହ ଦେଇ ଜେଜେ ମାଆ ମୋ ବାପାଙ୍କୁ ବଡ କରିଥିଲେ । ବାପା ଗୋଟିଏ ରାଜନୈତିକ ଦଳର ସଦସ୍ୟ ଥିଲେ । ପ୍ରାୟତଃ ତାଙ୍କର ବେଶି ସମୟ ପଞ୍ଚାୟତ ଅଫିସରେ କଟୁଥିଲା । ଏମିତିରେ ବାପା ଟିକିଏ କ୍ଷଣ କୋପୀ ଥିଲେ । ଛୋଟ ଛୋଟ କଥାରେ ରାଗି ଯାଆନ୍ତି । ବାପାଙ୍କୁ ଆମେ ଭାଇ ଭଉଣୀ ପ୍ରାଣେ ଭୟ କରୁ । ସେଦିନ କ’ଣ ହେଲା କେଜାଣି ବାପା ଜେଜେମାଆଙ୍କୁ ବିରକ୍ତ ହୋଇ ଖୁବ୍ ପାଟି କଲେ । ଆମେ ସବୁ ଭୟରେ ଲୁଚିଗଲୁ । ବାପା କିଛି ସମୟ ପରେ ବାହାରକୁ ଚାଲିଗଲେ । ଦେଖିଲି ଜେଜେମାଆ ବାଡି ପଟେ ଗଛ ମୂଳେ ବସି କାନ୍ଦୁଛି । ତା’ ପାଖେ ଗୁଞ୍ଜି ହୋଇ ବସିଲି । କିଛି ସମୟ ପରେ ଦେଖିଲି ଜେଜେମାଆ ଶାନ୍ତ ହେଲାଣି । ତା’କୁ ଟିକିଏ ଖୁସି କରିବା ପାଇଁ କହିଲି, “ଜେଜେମା’! ମୁଁ ଚାକିରି କଲେ ତମକୁ ମୋ ସାଥିରେ ନେଇ ଯିବି । ” ଭାବିଲି ସେ ଖୁସି ହୋଇଯିବ । କିନ୍ତୁ, ମୋ ମୁଣ୍ଡକୁ ସାଉଁଳି ଦେଇ କହଲା, “ନାଁରେ ପୁଅ । ମୁଁ ମୋ କାଳିଆକୁ ଛାଡି କୁଆଡେ ଯିବିନି । ”

         କିଛି ସମୟ ପରେ ଦେଖିଲି ବାପା ଫେରି ଆସିଲେଣି । ବୋଉ ହାତକୁ ମାଛ ପୁଡିଆଟା ବଢେଇ ଦେଇ କହିଲେ, “ବୋଉକୁ ଛୋଟ ମାଛ ଭଲ ଲାଗେ ତ । ତା’କୁ କହିବ ବେସର ଦେଇ ରାନ୍ଧିବ । ” ଟିକିଏ ହସି ବୋଉ କହିଲା, “ସିଏ ତ ପମି ସାଥିରେ ଚାକିରିକୁ ପଳେଇବେ । ଆଉ ମାଛ କେତେବେଳେ ରାନ୍ଧିବେ??”

: ହଉ । ମୁଁ ଯାଉଛି । ଗୋଟେ ପାଲିଙ୍କି ଡାକି ଦେଉଛି ଯେ ନାତି ଜେଜେମାଆ ସେଥିରେ ବସି ଯିବେ । ଏତିକି କହି ବାପା ସାଇକେଲ୍ ନେଇ ବାହାରକୁ ଚାଲିଗଲେ । ଜେଜେମାଆ କୋଉଠି ଥିଲା କେଜାଣି, ବୋଉ ହାତରୁ ମାଛ ପୁଡିଆଟା ନେଇ ବାଛିବାରେ ଲାଗିଗଲା ।

ଆଜି ବାପା ବି ନାହାନ୍ତି କି ଜେଜେମାଆ ବି ନାହାନ୍ତି । ଭାରି ଇଚ୍ଛା ହେଲା କାନ୍ଦିବାକୁ । ଭାବୁଥିଲି, ଯଦି ସେମାନେ ଦେଖା ହୁଅନ୍ତେ, ତା’ ହେଲେ ପଚାରନ୍ତି, “ଜେଜେମାଆ ! ତୁମେ କୁଆଡେ ଗଲ ? ତୁମେମାନେ ଗଲା ପରେ ସ୍ନେହ ମମତା ଆସ୍ତେ ଆସ୍ତେ ସଂସାରରୁ ଲୋପ ପାଇବାକୁ ବସିଲାଣି । ”



Rate this content
Log in

Similar oriya story from Drama