Santosh Kumar Misra

Inspirational

4  

Santosh Kumar Misra

Inspirational

ନୂଆ ସକାଳର ପ୍ରତୀକ୍ଷାରେ

ନୂଆ ସକାଳର ପ୍ରତୀକ୍ଷାରେ

10 mins
164


      ମାଇକେଲ ଓ ଥୋମାସ, ଏ ଦୁହିଁଙ୍କର ଖୁସି ସେଦିନ କହିଲେ ନସରେ l ଦୀର୍ଘ ଦିନର ମାନସିକ ଯନ୍ତ୍ରଣା ପରେ ସେଦିନ ସେମାନେ ନିଶ୍ଚୟ ଟିକିଏ ଆଶ୍ୱସ୍ତ ଥିଲେ l ଡାକ୍ତର ଜୋନସ୍‌ଙ୍କର ସ୍ନେହସିକ୍ତ କଥାଗୁଡାକରେ ସେମାନେ ଯେପରି ମନ୍ତ୍ରମୁଗ୍ଧ ହୋଇ ଯାଉଥିଲେ l ଅଶ୍ରୁ ବିଗଳିତ ଆଖିରେ ସେମାନେ ଅବାରିତ ଭାବରେ ଚାହିଁ ରହିଥିଲେ ଡାକ୍ତର ଜୋନସ୍‌ଙ୍କୁ ଏବଂ ପୃଥିବୀର ସମସ୍ତ ଦେବାଦେବୀ ଓ ମହାପୁରୁଷମାନଙ୍କୁ ପ୍ରାର୍ଥନା କରି ମନେ ମନେ ଡାକ୍ତର ଜୋସ୍‌ଙ୍କର ମଙ୍ଗଳ ମନାସୁଥିଲେ ଖୁବ୍‌ ଅନ୍ୟମନସ୍କ ଭାବରେ l ଡାକ୍ତର ଜୋନସ୍‌ଙ୍କର ସମ୍ବୋଧନ ସେମାନଙ୍କର ଅନ୍ୟମନସ୍କତାକୁ ଭଙ୍ଗ କଲା :

-------- ଥୋମାସ୍‌, ତୁମେମାନେ କଅଣ ସବୁ ଚିନ୍ତା କରୁଛ ? ବିଶ୍ୱାସ ରଖ ପ୍ରଭୁ ଯୀଶୁଙ୍କର ଅପାର କରୁଣାରୁ ତୁମେ ମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛ l ବର୍ତ୍ତମାନ ତୁମେ ଦୁହେଁ ଅନ୍ୟ ସୁସ୍ଥ ମଣିଷମାନଙ୍କ ପରି ସ୍ୱ ଚ୍ଛନ୍ଦରେ ନିଜ ନିଜର ଜୀବିକ ନିର୍ବାହ କରି ପାରିବ l ମେ ଗଡ୍‌ ବ୍ଲେସ୍‌ ଇଉ ମାଇ ଚିଲଡ୍ରେନ୍ l 

      ପରେ ପରେ ଡାକ୍ତର ଜୋନସ୍‌ ଫେରି ଯାଇଥିଲେ ଆଶ୍ରମ ଭିତରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା କୁଡିଆ ଭିତରକୁ l ଯାଉ ଯାଉ କିନ୍ତୁ ସେ ମାଇକେଲ ଓ ଥୋମାସ୍‌ଙ୍କର ଲୁହଭିଜା ଆଖି ଦୁଇଟିରୁ ଉତୁରୁଥିବା କୃତଜ୍ଞତାକୁ ଖୁବ୍‌ ଭଲ ଭାବରେ ପରଖି ନେଇଥିଲେ l ଏକଦା ଆତ୍ମାହୁତି ଦେବା ଭଳି ଏକ ବିଷାଦମୟ ନିଷ୍ପତ୍ତି ନେଇଥିବା ଏହି ଦୁଇ ଯୁବକଙ୍କ ମନରେ ଆବଶ୍ୟକ ପରିବର୍ତ୍ତନ ଆଣି ସେମାନଙ୍କ ଓଠରେ ହସ ଫୁଟେଇ ପାରି ଥିବାରୁ ଡାକ୍ତର ଜୋନସ୍‌ ପ୍ରଭୁ ଯୀଶୁଙ୍କୁ ନତଜାନୁ ହୋଇ ପ୍ରାର୍ଥନା କରିବାକୁ ଲାଗିଲେ l 

      ମାଇକେଲ ଓ ଥୋମାସ କିନ୍ତୁ ସେଦିନ ସାରା ରାତି ଶୋଇ ପାରିନଥିଲେ l ଡାକ୍ତର ଜୋନସ୍‌ଙ୍କର ସେହି କେତେ ପଦ କଥା ବାରମ୍ବାର ସେମାନଙ୍କର କାନରେ ପ୍ରତିଧ୍ୱନିତ ହେଉଥିଲା l ସେମାନେ ଯେ ସମ୍ପୂର୍ଣ୍ଣ ସୁସ୍ଥ ସେହି କଥା ସେ ଦୁହେଁ ଯେମିତି ବିଶ୍ୱାସ କରି ପାରୁନଥିଲେ l ସେମାନେ ଆହୁରି ମଧ୍ୟ ବିଶ୍ୱାସ କରି ପାରୁନଥିଲେ କି ସେମାନେ ଅନ୍ୟ ସୁସ୍ଥ ମଣିଷମାନଙ୍କ ପରି ମଧ୍ୟ ସ୍ୱଚ୍ଛନ୍ଦରେ ନିଜ ନିଜର ଜୀବିକା ନିର୍ବାହ କରି ପାରିବେ l ଡାକ୍ତର ଜୋନସ୍‌ଙ୍କର ଚିକିତ୍ସାଧିନ ହେବା ପୂର୍ବରୁ ସେମାନେ ଭିନ୍ନ ଭିନ୍ନ ଚିକିତ୍ସକଙ୍କର ଚିକିତ୍ସାରେ ରହି ଆସିଥିଲେ l ହେଲେ କୌଣସି ନିର୍ଦ୍ଦିଷ୍ଟ ଉପଶମ ପାଇ ପାରିନଥିବାରୁ ହତୋତ୍ସାହିତ ହୋଇ ଆତ୍ମାହୁତି ଦେବା ଭଳି ଦାରୁଣ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଥିଲେ l କାରଣ ସମାଜର ସେମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ କୌଣସି ପରିବର୍ତ୍ତନ ନଥିଲା l ବରଂ ଅନ୍ଧବିଶ୍ୱାସ ଏବଂ ସାମାଜିକ କଟକଣାରେ ସେମାନେ ପେଷି ହେଇ ଯାଉଥିଲେ l 

      ସାରା ରାତି ବିଛଣାରେ ପଡି ପଡି ମାଇକେଲ ଓ ଥୋମାସ୍‌ ଉଭୟେ ସେମାନଙ୍କର ଅତୀତକୁ ରୋମନ୍ଥନ କରୁଥିଲେ l ଉଭୟ ଯେତେବେଳେ ବଞ୍ଚି ରହିବାର ମୋହ ପ୍ରତି ବୀତସ୍ପୃହ ହୋଇ ଆତ୍ମାହୁତିର କଳ୍ପନା କରୁଥିଲେ, ସେତେବେଳେ ସେମାନେ ଏକାଠି ହୋଇଥିଲେ ଏହି ଆଶ୍ରମରେ ମଦର ମେରୀଙ୍କର ଆଶୀର୍ବାଦର ପ୍ରତୀକ୍ଷାରତ ଭିକ୍ଷୁ ଭାବରେ l ସେତେବେଳେ ସେମାନଙ୍କର ମନରେ ଥିଲା ଅନେକ ଉତ୍କଣ୍ଠା l ଅନେକ ପ୍ରଶ୍ନର ଜାଲରେ ଛନ୍ଦି ହୋଇ ଆକ୍ରାନ୍ତ ହେଉଥିଲେ ସେମାନେ l ନିଜ ନିଜର କ୍ରମବର୍ଦ୍ଧିଷ୍ଣୁ ଉଦ୍‌ବିଗ୍ନତାକୁ କାବୁ କରିବାକୁ ଯାଇ ଉଭୟେ ଉଭୟଙ୍କୁ ପଚାରି ବୁଝିବାକୁ ଚେଷ୍ଟା କରିଥିଲେ ନିଜ ନିଜର ପରିଚୟ l  ସ୍ୱଳ୍ପ ପରିଚୟ ତାଙ୍କର ତାଙ୍କ ମଧ୍ୟରେ ଉଦ୍ରେକ କରିଥିଲା ସ୍ୱଳ୍ପ ଆତ୍ମୀୟତା l ଫଳରେ ଉଭୟ ପରସ୍ପରକୁ ନିର୍ବିକାର ଭାବରେ ବଖାଣି ଯାଇଥିଲେ ନିଜ ନିଜର ଦୁଃଖଦ ଇତିହାସକୁ l ସେତେବେଳେ ସେହି ଆଶ୍ରମ ଭିତରେ ମଦର ମେରୀଙ୍କର ଦର୍ଶନାଭିଳାଷୀ ଅନ୍ୟ ପ୍ରତୀକ୍ଷାରତ ମଣିଷମାନଙ୍କ ପାଇଁ ସେମାନଙ୍କ ମନରେ କୌଣସି ଉତ୍କଣ୍ଠା ନଥିଲା କିମ୍ବା ମଦର ମେରୀଙ୍କର ଆବିର୍ଭାବରେ ତୁହାକୁ ତୁହା ବିଳମ୍ବ ପାଇଁ ସେମାନଙ୍କର କୌଣସି ଅଭିଯୋଗ କରିବାର ନଥିଲା l କାରଣ ମଦର ମେରୀଙ୍କର ଆଶୀର୍ବାଦ ହିଁ ସେହି ମୁହୂର୍ତ୍ତରେ ସେମାନଙ୍କର ଏକାନ୍ତ କାମ୍ୟ ଥିଲା l  

      ପ୍ରତୀକ୍ଷାରତ ଲୋକମାନଙ୍କର ସମସ୍ତ ଉତ୍କଣ୍ଠାରେ ପୂର୍ଣ୍ଣଛେଦ ଦେଇ ଆଶ୍ରମର ଅତିଥିଶାଳାରେ ଆବିର୍ଭାବ ହେଇଥିଲେ ମଦର ମେରୀ l କୁହା ଯାଉଥିଲା ସେ ଥିଲେ ବାତ୍ସଲ୍ୟ ମମତାର ଏକ ଅସରନ୍ତି ଉତ୍ସ ଓ ମା’ ସମ୍ବୋଧନ ପାଇବାର ଏକ ଉପଯୁକ୍ତ ଉତ୍ତରାଧିକାରିଣୀ l ପାଳି ଆସିବା ପରେ ମାଇକେଲ ଓ ଥୋମାସ ଏକ ସମୟରେ ନିଜ ନିଜ ଆସନରୁ ଉଠି ଆସି ମଦର ମେରୀଙ୍କ ସାମ୍ନାରେ ନତଜାନୁ ହୋଇ ଜଣଙ୍କ ପରେ ଜଣେ ବଖାଣି ଚାଲିଲେ ନିଜ ନିଜର ସମସ୍ୟାକୁ ଏବଂ ଛଳ ଛଳ ଆଖିରେ ମଦର ମେରୀଙ୍କୁ ଚାହିଁ ରହିଥିଲେ ତାଙ୍କର ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ l ମଦର ମେରୀ ସେମାନଙ୍କ ମୁଣ୍ଡରେ ହାତ ଥାପି ଦେଇ ପଚାରିଥିଲେ:

------ ତୁମ ମାନଙ୍କର ନାଁ କଅଣ?

ମୁହଁ ପୋତି ଉଭୟ ନିଜ ନାଁ କହିଥିଲେ ତାଙ୍କୁ:

------- ମୁଁ ମାଇକେଲ୍‌

-------- ମୁଁ ଥୋମାସ୍‌

      ଏହି ଦୁଇ ଜଣଙ୍କର ନାଁ ପ୍ରକୃତରେ ମାଇକେଲ ବା ଥୋମାସ୍‌ ନଥିଲା l ଉଭୟ ନିଜ ନିଜର ପ୍ରକୃତ ପରିଚୟ ଘୋଡେଇ ରଖିବାକୁ ଯାଇ ନିଜ ନିଜକୁ ମଦର ମେରୀଙ୍କ ଆଗରେ ମାଇକେଲ୍‌ ଓ ଥୋମାସ୍‌ ଭାବରେ ଉପସ୍ଥାପନ କରିଥିଲେ l ପରେ ପରେ କିନ୍ତୁ ମିଛ କହି ମଦର ମେରୀଙ୍କୁ ପ୍ରତାରିତ କରିଥିବାରୁ ତାଙ୍କର ବିଶାଳ ବ୍ୟକ୍ତିତ୍ୱ ଆଗରେ ଆପେ ଆପେ ଝାଉଁଳି ଯାଇଥିଲେ l ସେମାନେ ନିଜ ନିଜ ଭିତରେ ଆଲୋଚନା କରି ନିଜ ନିଜର ପ୍ରକୃତ ପରିଚୟ ଲୁଚାଇ ରଖିବା ପାଇଁ ମଦରମେରୀଙ୍କୁ ମିଛ କହିବା ନିମନ୍ତେ ସିଦ୍ଧାନ୍ତ କରିଥିଲେ l ସେମାନେ ଉଭୟ ଜାଣିଥିଲେ ଯେ ସେହି ଆଶ୍ରମଟି ଏକ ଖ୍ରୀଷ୍ଟିୟ ଦାତବ୍ୟ ଅନୁଷ୍ଠାନ ଏବଂ ତାହାର ପରିଚାଳକ ଗଣ ଜଣେ ଜଣେ ନିଷ୍ଠାବାନ ଖ୍ରୀଷ୍ଟିୟାନ l ତେଣୁ ସେମାନଙ୍କର ମନରେ ଭୟ ଥିଲା କି ଯଦି କୌଣସି କାରଣରୁ ଆଶ୍ରମର କେହି ବି ପରିଚାଳକ ସେମାନଙ୍କୁ ଅଣଖ୍ରୀଷ୍ଟିୟାନ ଲୋକ ବୋଲି ଜାଣି ନିଅନ୍ତି ତେବେ ହୁଏତ ସେମାନଙ୍କୁ ଏହି ଆଶ୍ରମରେ ଆଶ୍ରୟ ମିଳି ନପାରେ l ସେମାନଙ୍କର ସେତେବେଳର ପରିସ୍ଥିତି ଯାହାଥିଲା ସେମାନେ ଚାହୁଁନଥିଲେ ମଦର ମେରୀଙ୍କର ଆଶୀର୍ବାଦରୁ ବଞ୍ଚିତ ହେବା ପାଇଁ l ଏହି ସମ୍ଭାବ୍ୟ ପରିସ୍ଥିତିକୁ ଏଡେଇ ଦେବା ପାଇଁ ସେମାନେ ଉଭୟ ନିଜ ନିଜ ଭିତରେ ପରାମର୍ଶ କରି ମିଛ କହିବାକୁ ନିଷ୍ପତ୍ତି କରିଥିଲେ l ତେଣୁ ସେମାନେ ଖ୍ରୀଷ୍ଟିୟାନ ଧର୍ମୀ ଲୋକଙ୍କ ନାମ ସହିତ ଖାପ ଖୁଆଇ ନିଜ ନିଜକୁ ମାଇକେଲ ଓ ଥୋମାସ୍‌ ବୋଲି ପରିଚୟ କରେଇ ଥିଲେ ଆଶ୍ରମରେ l 

      ମଣିଷ ସାଧାରଣ ଭାବରେ ଏକ ସାମାଜିକ ପ୍ରାଣୀ l ନିଜ ନିଜର ଆବଶ୍ୟକତାକୁ ନେଇ ସେ ପରିବର୍ତ୍ତନ କରିଥାଏ ସାମାଜିକ ରୀତି ନୀତି ସହିତ ଧାର୍ମିକ ଚିନ୍ତା ଓ ଚେତନାକୁ l ଯେଉଁ ସବୁ ଚିନ୍ତା ଓ ଚେତନା ମାନବିକତାକୁ ଖାପ ଖାଏ ନାହିଁ ସେ ତାହା ଠାରୁ ଖୁବ୍‌ ଚତୁରତାର ସହିତ ଦୂରେଇ ଯାଏ ଏବଂ ଦୂରେଇ ଗଲା ପରେ ନିଜେ ନିଜେ କିଛି ଅଜଣା ପୁଲକରେ ପୁଲକିତ ହୁଏ l ଏହା ପ୍ରାୟତଃ ଏକ ମାନବୀୟ ପ୍ରବୃତ୍ତି ବୋଲି ଧରି ନେଲେ ଭୁଲ ନହୋଇପାରେ l ନିଜ ନିଜକୁ ମାଇକେଲ ଓ ଥୋମାସ୍‌ ବୋଲି ସଫଳ ଭାବରେ ପରିଚୟ କରେଇ ସାରିବା ପରେ ଏହି ଦୁଇ ଜଣ ଯୁବକ ମଧ୍ୟ ଠିକ ସେହି ପରି ପୁଲକିତ ହେବାକୁ ଲାଗିଲେ l କାରଣ ସେହି ସମୟରେ ତାଙ୍କର ଅଣଖ୍ରୀଷ୍ଟିୟାନ ପରିଚିତିଟା ସେମାନଙ୍କ ପାଇଁ ଜରୁରୀ ଥିଲା ବୋଲି ସେମାନେ ଭାବି ନେଇଥିଲେ l ଏମାନେ ଯଦିଓ ସ୍ୱୀକାର କରୁନଥିଲେ କି ନାମ ସହିତ ଧର୍ମର କିଛି ଗୋଟାଏ ଘନିଷ୍ଠ ନିବିଡତା ରହିଛି ତଥାପି ଆବଶ୍ୟକତାର ଗୁରୁତ୍ୱ ଦୃଷ୍ଟିରୁ ନାମରେ ଧର୍ମର ପ୍ରତିଫଳିତ ପରିଚିତିକୁ ସେହି ସମୟରେ ସେମାନେ ବିରୋଧ କରିବାକୁ ଇଚ୍ଛା କରୁନଥିଲେ l ମାଇକେଲ ବା ଥୋମାସ୍‌ ନାମ ଧରି ବ୍ୟକ୍ତି କାହିଁକି ବା ଜଣେ ଅଣଖ୍ରୀଷ୍ଟିୟାନ ହେଇ ନଥିବ, ସେ ପ୍ରଶ୍ନର ଉତ୍ତର ଖୋଜିବାକୁ ମଧ୍ୟ ସେମାନେ ଆଗ୍ରହ ପ୍ରକାଶ କରୁନଥିଲେ l ସେମାନଙ୍କ ପାଇଁ ସେହି ମୁହୂର୍ତ୍ତର ସତ୍ୟ ଥିଲା ମଦର ମେରୀଙ୍କ ଆଶୀର୍ବାଦ ଓ ସାହାଯ୍ୟ ଏବଂ ତାକୁ ହାସଲ କରିବା ପାଇଁ ସେମାନଙ୍କର ସେହି ମୁହୂର୍ତ୍ତର ସମସ୍ତ ଚେଷ୍ଟାର ସଙ୍କଳିତ ଭାଗ ହିଁ ଥିଲା ସେ ସମୟରେ ସେମାନଙ୍କର ଧର୍ମ l 

      ଏହି ଦୁଇ ଯୁବକ ମିଛ କହିଥିବା ମଦର ମେରୀ କିମ୍ବା ତାଙ୍କର କେହି ପରିଚାରକ ସେଦିନ ସଠିକ ଭାବେ ଠଉରେଇ ପାରିଥିଲେ କି ନାହିଁ ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର l ତାଛଡା ମଦର ମେରୀଙ୍କର ବାତ୍ସଲ୍ୟତାର ପ୍ରଖର ସ୍ରୋତ ଯେ ସେହି ଭୁଲକୁ ଅନେକ ଦୂରକୁ ଅପସରେଇ ନେଇ ନଥିବ ସେ କଥା ମଧ୍ୟ କହି ହେବନି l କିନ୍ତୁ ଏହି ଦୁଇ ଯୁବକଙ୍କର ସେହି ସମୟର ଆବଶ୍ୟକତାକୁ ମଦର ମେରୀ ଯେ ଉପଲବ୍‌ଧି କରୁଥିଲେ ତାହା ତଙ୍କର ଆଚରଣରୁ ସ୍ପଷ୍ଟ ବାରି ହେଇ ପଡୁଥିଲା l ଆଶ୍ରମରେ ସେମାନଙ୍କୁ ଗ୍ରହଣ କରିନେବାପାଇଁ ନିର୍ଦ୍ଦେଶ ଦେଇ ସେମାନଙ୍କର ତତ୍‌କାଳ ଚିକିତ୍ସାର ଦାୟୀତ୍ୱ ଡାକ୍ତର ଜୋନସ୍‌ଙ୍କୁ ଅର୍ପଣ କରିଥିଲେ ମଦର ମେରୀ l ସେହିଦିନଠାରୁ ଏହି ଦୁଇ ଯୁବକ ନିଜର ପ୍ରକୃତ ପରିଚିତି ଉପରେ ମାଇକେଲ ଓ ଥୋମାସର ମୁଖା ପିନ୍ଧି ଏହି ଆଶ୍ରମରେ କଟେଇ ଆସିଥିଲେ ତିନି ବର୍ଷ l ଏବେ କିନ୍ତୁ ଡାକ୍ତର ଜୋନସ୍‌ଙ୍କର ଘୋଷଣା ପରେ ସେମାନଙ୍କୁ ଏହି ଆଶ୍ରମ ପରିତ୍ୟାଗ କରିବାକୁ ପଡିବ l ଅନ୍ୟ କେହି ଅସହାୟ ଲୋକ ପାଇଁ ଏହି ଆଶ୍ରମରେ ରହି ମଦର ମେରୀଙ୍କର ଆଶୀର୍ବାଦ ପ୍ରାପ୍ତି ପାଇଁ ସୁଯୋଗଟିଏ ସୃଷ୍ଟି କରିବାକୁ ପଡିବ l 

      ପରବର୍ତ୍ତି ସକାଳର ନୂଆ ସୂର୍ଯ୍ୟ ଏମାନଙ୍କ ପାଇଁ କେଉଁ ଆଶୀର୍ବାଦ ବା ଅଭିଶାପର ବାର୍ତ୍ତା ନେଇ ପୂର୍ବ ଦିଗ୍‌ବଳୟରେ ଉଇଁ ଉଠିବ ସେଥିପାଇଁ ସେମାନେ ସେହି ରାତିରେ ଆଦୌ ଚିନ୍ତିତ ନଥିଲେ l ସେମାନେ ଯେ ଏତେ ଦିନର ଘନିଷ୍ଠତାକୁ ଏଡେଇ ଦେଇ ଆଶ୍ରମ ଠାରୁ ଓ ପରସ୍ପର ଠାରୁ ଦୂରେଇ ଯିବେ ସେଥିପାଇଁ ସେମାନେ ମାନସିକ ପ୍ରସ୍ତୁତି କରୁଥିଲେ l କାରଣ ସେମାନେ ଜାଣିଥିଲେ ଯେ ଆସନ୍ତା ସକାଳର ସୂର୍ଯ୍ୟର ଆଗମନି ସହିତ ସେମାନଙ୍କୁ ରାଜଦାଣ୍ଡରେ ଅସହିଷ୍ଣୁ ତଥା ଈର୍ଷାକାତର ଓ ବୁର୍ଖାଧାରୀ ଲୋକଙ୍କ ଭିଡ ଭିତରେ ନିଜକୁ ହଜେଇ ଦେଇ ନିଜ ନିଜର ଭବିଷ୍ୟତକୁ ଆୟତ୍ତ କରିବାକୁ ପଡିବ l 

      ସକାଳର ପ୍ରାର୍ଥନା ସଭା ପରେ ଏକ ଭାବ ବିହ୍ୱଳ ପରିବେଶରେ ଆଶ୍ରମ ଠାରୁ ଏବଂ ପରସ୍ପର ଠାରୁ ବିଦାୟ ନେଇ ମାଇକେଲ ଓ ଥୋମାସ୍‌ ରାଜରାସ୍ତାର ଭିଡ ଭିତରେ ହଜିଯିବାକୁ ଆଗେଇ ଆସୁଥିଲେ l ଅନେକ ଆଶା, ପ୍ରତ୍ୟାଶା ଓ ଉତ୍କଣ୍ଠା ମଧ୍ୟରେ ସେମାନେ ଉବୁଟୁବୁ ହେଉଥିଲେ l ଉଭୟେ ନିଜ ନିଜର ଗନ୍ତବ୍ୟ ସ୍ଥଳ ବାଛିନେଇଥିଲେ ମଧ୍ୟ ନିଜ ନିଜର ଆତ୍ମ ବିଶ୍ୱାସକୁ ଜାହିର କରି ପାରୁନଥିବାରୁ ନିର୍ଦ୍ବନ୍ଦରେ ଆଗେଇ ଯାଇ ପାରୁନଥିଲେ l ନିଜେ ନିଜର ଠିକଣା ଉପରେ ସନ୍ଦିହାନ ଥିବାରୁ ଜଣେ ଅନ୍ୟକୁ ନିଜ ଠିକଣାରେ ନିମନ୍ତ୍ରଣ ଜଣେଇ ପାରୁନଥିଲେ l କୁହା ଅକୁହା ବେଦନାର ଅନ୍ତରାଳରେ ସେମାନେ କିନ୍ତୁ ପରସ୍ପର ଠାରୁ ଦୂରେଇ ଯାଉଥିଲେ l ମାଇକେଲର ଘର ମଫସଲରେ l ଅନେକ ଦିନ ପରେ ଆରୋଗ୍ୟ ଲାଭ କରି ଘରକୁ ଫେରି ଯାଉଥିବାରୁ ତା ମନରେ ଅନେକ ଆଶା ଓ ଉତ୍କଣ୍ଠା ଭରି ଯାଇଥିଲା l ତା’ ଗାଁ ଯେତେ ଯେତେ ପାଖେଇ ଆସୁଥିଲା ବନ୍ଧୁ ପରିଜନଙ୍କ ସହିତ ସାକ୍ଷାତ କରିବାର ପ୍ରବଳ ଆଗ୍ରହ ତା’ ମନରେ ଜୁଆର ଭାଙ୍ଗିବାକୁ ଲାଗିଲା l ଗାଁରେ ପହଞ୍ଚିବା କ୍ଷଣି କିନ୍ତୁ ତା’ର ସମସ୍ତ ଉତ୍କଣ୍ଠାରେ ଭଟ୍ଟା ପଡିଗଲା l ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ସେ ବୁଝି ପାରିଲା ଯେ ତା’ର ଦୀର୍ଘ ଦିନର ଅନୁପସ୍ଥିତି ଯୋଗୁଁ ସେ ମୃତ ବୋଲି ଧରି ନିଆଯାଇ, ତା’ର ଆତ୍ମାର ସଦ୍‌ଗତି ପାଇଁ ସମସ୍ତ ଧାର୍ମିକ ବିଧାନ ଯଥା ବିଦ୍ଧି ପାଳନ କରି ନିଆ ଯାଇଛି l ତାକୁ ଦେଖି ଗ୍ରାମବାସୀଙ୍କର ମଧ୍ୟ ଦ୍ୱନ୍ଦ୍ୱ ବଢିଯାଇଥାଏ l ସେମାନଙ୍କର ମନରେ ପ୍ରଶ୍ନ ଉଠୁଥିଲା ଦିନା ଓରଫ ଦୀନବନ୍ଦୁ ଓରଫ ଆଜିର ମାଇକେଲ କଅଣ ସତରେ ଆରୋଗ୍ୟ ଲାଭ କରିଛି l ବଡରୋଗ କଅଣ କେବେ ଭଲ ହେଇଥାଏ? ସମସ୍ତଙ୍କର ଭୃକୁଞ୍ଚନରୁ ଦୀନବନ୍ଧୁ ଓରଫ ମାଇକେଲ ବୁଝି ନେଲା କି ରୋଗାବସ୍ଥାରେ ତା ପ୍ରତି ରହିଥିବା ସାମାଜିକ ବାସନ୍ଦ ସେ ଆରୋଗ୍ୟ ଲାଭ କଲା ପରେ ବି କମ ହୋଇ ନାହିଁ l ଗ୍ରାମବାସୀ, ସାହି ଭାଇ, ବନ୍ଧୁବାନ୍ଧବ ଅଥବା ସ୍ତ୍ରୀ କି ପିଲାଛୁଆ ଆଦି ଆତ୍ମୀୟସ୍ୱଜନଙ୍କୁ ମାଇକେଲ ବୁଝେଇବାକୁ ଚେଷ୍ଟାକଲା ଡାକ୍ତର ଜୋନସ୍‌ଙ୍କ ଠାରୁ ସେ ଶୁଣିଥିବା ବୈଜ୍ଞାନିକ ଆବିଷ୍କାର କଥା ଓ ନିର୍ଦ୍ଦିଷ୍ଟ ଭାବରେ କହିଥିଲା କି ବଡରୋଗ ବା କୁଷ୍ଠ ରୋଗର ଦେବାଦେବୀ ବିଶେଷ କରି ମହାଦେବଙ୍କ ଅଭିଶାପ ସହିତ କୌଣସି ସମ୍ପର୍କ ନାହିଁ l ଏହା ଏକ ରୋଗ ଏବଂ ପ୍ରକୃତ ଉପଚାର ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ l କିନ୍ତୁ କେହି ବି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ତା’ର ଯୁକ୍ତିକୁ l ସେମାନେ ବରଂ ଧରିନେଲେ ଯେ ରୋଗର ପ୍ରାବଲ୍ୟ ଯୋଗୁଁ ଦୀନବନ୍ଧୁ ଓରଫ ମାଇକେଲ ପାଗଳ ହେଇ ସାରିଛି l ତେଣୁ ତାକୁ ପୁଣି ପୂର୍ବ ପରି ସଙ୍ଗରୋଧରେ ରଖିବାକୁ ଗାଁ ମୁଖିଆ ନିର୍ଦ୍ଦେଶ ଦେଲେ l ମଇକେଲ ବିଚାର କଲା ନିଜ ଘରେ କି ନିଜ ଗାଁରେ ସଙ୍ଗରୋଧରେ ରହି ପୁଣି ଏକ ଏକାକି ଜୀବନ ବଞ୍ଚିବା ଅପେକ୍ଷା ବରଂ ଆଶ୍ରମକୁ ଫେରି ଯିବା ତା’ ପାଇଁ ମଙ୍ଗଳକାରୀ ହେବ l 

ତେଣେ ଥୋମାସ ଓରଫ ଶିବଦତ୍ତ ପାଇଁ ଯାହା ସବୁ ଘଟିଗଲା ସେ ସବୁ କିଛି ବି ଅଲଗା ନଥିଲା l ଶିବଦତ୍ତର ପରିବାର ସେହି ସହରର ଲୋକ l ପ୍ରାୟତଃ ପରିବାରର ସମସ୍ତେ ଅଳ୍ପ ବହୁତେ ଶିକ୍ଷିତ l ସେମାନେ ମଧ୍ୟ ଥୋମାସ୍‌କୁ ଆପଣେଇ ନେବାରେ କୁଣ୍ଠାବୋଧ କଲେ l ଅନ୍ଧବିଶ୍ୱାସରେ ବୁଡି ରହି କୌଣସି ବୈଜ୍ଞାନିକ ତଥ୍ୟକୁ ମାନିବାକୁ ସେମାନେ ମଧ୍ୟ ପ୍ରସ୍ତୁତ ନଥିଲେ l କୁଷ୍ଠରୋଗର ଭୟାବହତାକୁ ନେଇ ସେମାନେ ମଧ୍ୟ ଆତଙ୍କିତ ଥିଲେ l ତେଣୁ ସେମାନେ ଶିବଦତ୍ତ ଓରଫ ଥୋମାସ୍‌କୁ ପୁନର୍ବାର ରୋଗମୁକ୍ତ ବୋଲି ସ୍ୱୀକାର କରି ପରିବାର ମଧ୍ୟରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରୁନଥିଲେ l ନିଜ ଆତ୍ମୀୟମାନଙ୍କର ବ୍ୟବହାରରେ ଅତିଷ୍ଠ ହୋଇ ଶିବଦତ୍ତ ମଧ୍ୟ ଇଚ୍ଛା କଲା ପୁଣି ଥରେ ସେ ଥୋମାସ ସାଜି ଫେରିଯିବ ସେହି ଆଶ୍ରମକୁ ମଦର ମେରୀଙ୍କର ବାତ୍ସଲ୍ୟତାର ଛତ୍ରଛାୟା ତଳକୁ l 

ଫେରିବା ବାଟରେ ମାଇକେଲ ଇଶ୍ୱରଙ୍କୁ ପ୍ରାର୍ଥନା କରୁଥିଲା କି ଥୋମାସ୍‌ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେଇଥାଉ l ସେ ଜାଣିଥିଲା ଥୋମାସ୍‌ର ପରିବାର ଶିକ୍ଷିତ ଓ ସହରୀ ବାସିନ୍ଦା l ସେ ଆଶା କରୁଥିଲା ଅନ୍ତତଃ ସେମାନେ ସୁସ୍ଥ ଥୋମାସକୁ ଆପଣେଇ ନେବାରେ କୁଣ୍ଠା ପ୍ରକାଶ କରିନଥିବେ l ଠିକ୍‌ ସେହି ପରି ଥୋମାସ ମଧ୍ୟ ଚିନ୍ତା କରି କରି ବାଟ ଚାଲୁଥିଲା କି ତା’ ପାଇଁ ଯାହା ଘଟିଗଲା ଅନ୍ତତଃ ମାଇକେଲ ପାଇଁ ସେପରି କିଛି ଅଘଟଣ ଘଟିନଥିବ l କାରଣ ତା’ର ଗୋଟିଏ ଧାରଣା ଥିଲା ଯେ ମଫସଲର ଲୋକମାନେ ଖୁବ୍‌ ସରଳ ଓ ସ୍ନେହୀ l ସେମାନେ ମାଇକେଲ ପ୍ରତି ନିଷ୍ଠୁର ହେଇ ନଥିବେ l ତାକୁ ପୁଣି ଥରେ ପରିବାର ଭିତରେ ସାମିଲ କରିନେଇ ଏକ ନୂଆ ଜୀବନ ଆରମ୍ଭ କରିବାରେ ନିଶ୍ଚୟ ସହଯୋଗ କରିଥିବେ l ଉଭୟ କିନ୍ତୁ ଚିନ୍ତା କରୁନଥିଲେ ଯେ ଜଣେ କୁଷ୍ଠରୋଗୀ ପ୍ରତି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ବ୍ୟବସ୍ଥା କେବେ ବି ଭିନ୍ନ ଭିନ୍ନ ନୁହେଁ ବରଂ ତାହା ଏକ ଓ ଅଭିନ୍ନ l 

      ଆଶ୍ରମର ଅତିଥିଶାଳାରେ ମାଇକେଲ ଓ ଥୋମାସ୍‌ ପରସ୍ପରକୁ ଭେଟିବା ପରେ ସବୁ କିଛି ଭୁଲି ଗଲେ କଅଣ ସବୁ ଘଟିଗଲା ସେମାନଙ୍କ ସହିତ ଆଶ୍ରମରୁ ଯିବା ଠାରୁ ପୁଣି ଆଜି ଫେରି ଆସିବା ପର୍ଯ୍ୟନ୍ତ l ଉଭୟ ଉଭୟଙ୍କୁ କୋଳେଇ ନେଇ ଅନେକ ସମୟ ପର୍ଯ୍ୟନ୍ତ ହଜିଗଲେ ଭ୍ରାତୃତ୍ୱର ଏକ ଅସୀମ ବନ୍ଧନରେ l ପରେ ପରେ ଅବଶ୍ୟ ନିଜ ସହିତ ଘଟିଥିବା ଘଟଣା ଜଣେ ଜଣଙ୍କୁ ଶୁଣାଇ ନିଜ ନିଜକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିବାକୁ ଲାଗିଲେ l ଆଶ୍ରମରେ ପୁଣି ଥରେ ମାଇକେଲ ଓ ଥୋମାସ୍‌କୁ ଦେଖି ଡାକ୍ତର ଜୋନସ୍‌ ଅଶ୍ଚର୍ଯ୍ୟ ହେଇଗଲେ l କିନ୍ତୁ ପରେ ପରେ ତାଙ୍କ ଠାରୁ ତାଙ୍କ ସହିତ ଘଟି ଯାଇଥିବା ଘଟଣା ଶୁଣି ଦୁଃଖ ପ୍ରକାଶ କଲେ l ସେହି ଦୁଇ ଜଣଙ୍କୁ ମଦର ମେରୀଙ୍କ ନିର୍ଦ୍ଦେଶରେ ସେହି ଆଶ୍ରମରେ ଅନ୍ୟ ରୋଗୀ ମାନଙ୍କର ଦେଖାଶୁଣା କରିବା ଦାୟୀତ୍ୱରେ ନିୟୋଜିତ କରିଦେଲେ ଡାକ୍ତର ଜୋନସ୍‌ l ତଥାପି ସେମାନେ କିଭଳି ଆତ୍ମ ନିର୍ଭରଶୀଳ ହୋଇ ପାରିବେ ସେଥିପ୍ରତି ମଧ୍ୟ ଆଶ୍ରମ ତରଫରୁ ବ୍ୟବସ୍ଥା ଆରମ୍ଭ କରିବାକୁ ଚେଷ୍ଟା କଲେ ସେ l କିନ୍ତୁ ଦ୍ୱନ୍ଦ୍ୱ ଥିଲା ସେମାନେ କଅଣ କରି ପାରିବେ - ଛୋଟ ବ୍ୟବସାୟ, ଚା’ କି ପାନ ଦୋକାନ ବା ଅନ୍ୟ କିଛି l କିନ୍ତୁ ଭୟ ଥିଲା ସେମାନେ କେବେ କୁଷ୍ଠ ରୋଗୀ ଥିଲେ ବୋଲି ଲୋକ ଜାଣି ଗଲା ପରେ ବ୍ୟବସାୟ ଚାଲିବ ତ ?

      ଏହି ଭଳି ଦ୍ୱନ୍ଦ୍ୱ ସମୟରେ ସେମାନଙ୍କର ସେହି ଆଶ୍ରମରେ ଭେଟ ହେଇଗଲା ଜଣେ ସମାଜସେବୀ ଅଜୟ ମିଶ୍ରଙ୍କ ସହିତ l ଅଜୟ ବାବୁ ସୁସ୍ଥ ହେଇ ସାରିଥିବା କୁଷ୍ଠରୋଗୀଙ୍କର ଥଇଥାନ ଦିଗରେ କାମ କରନ୍ତି ବୋଲି ଆଶ୍ରମରେ ସମସ୍ତେ ଜାଣିଥିଲେ l ଡାକ୍ତର ଜୋନସ୍‌ଙ୍କ ପରାମର୍ଶ କ୍ରମେ ଅଜୟ ବାବୁ ମାଇକେଲ ଓ ଥୋମାସ୍‌ ସହିତ ସେମାନଙ୍କର ଥଇଥାନ ସମ୍ବନ୍ଧରେ ଆଲୋଚନ କଲେ l ଅଜୟ ବାବୁଙ୍କର କଥା ମାଇକେଲ ଓ ଥୋମାସ୍‌ର ମାନସିକତାକୁ ବେଶ ଖାପ ଖାଇ ଯାଉଥିଲା l ଆତ୍ମନିର୍ଭରଶୀଳ ହୋଇ ବଞ୍ଚି ରହିବାର ଅନେକ ଉଦାହରଣ, ଯୋଜନା ସହିତ କିଛି ଅନୂଢା ଉପାୟ ମଧ୍ୟ ସୂଚୀତ କରୁଥାଆନ୍ତି ଅଜୟ ବାବୁ ସେମାନଙ୍କୁ l ଏକ ନୂତନ ଆଲୋକବର୍ତ୍ତିକାର ସନ୍ଧାନ ପାଇ ମାଇକେଲ ଓ ଥୋମାସ୍‌ ହଜି ଯାଉଥିଲେ ନୁତନ ଭାବେ ଅଙ୍କୁରିତ କିଛି ଆଶାର ବୈତରଣୀରେ l ହସ ହସ ହୋଇ ନିଜର କୃତଜ୍ଞତା ଜଣେଇ ଦେବା ଉଦ୍ଦେଶ୍ୟ ନେଇ ମାଇକେଲ ନିଜ ପକେଟରୁ ପାନ ଖଣ୍ଡେ ବଢେଇ ଦେଲା ଅଜୟ ବବୁଙ୍କୁ ନମ୍ରତାର ସହିତ l ଏଯାବତ୍‌ ଖୁବ୍‌ ଦୃଢତାର ସହିତ ଗପି ଚାଲିଥିବା ଅଜୟ ବାବୁ ହଠାତ୍‌ ଚୁପ୍‌ ହୋଇଗଲେ l ପାନ ଖଣ୍ଡିକ ମାଇକେଲ ହାତରୁ ଗ୍ରହଣ କରିବା ବା ନକରିବାର ଦ୍ୱନ୍ଦ୍ୱ ସ୍ପଷ୍ଟ ବାରି ହେଇ ଯାଉଥିଲା ଅଜୟ ବବୁଙ୍କ ମୁହଁରୁ l ନିଜ ଦୁଃଖକୁ ପୁଞ୍ଜି କରି ଆତ୍ମନିର୍ଭର ହେବାକୁ ଚେଷ୍ଟା ଆରମ୍ଭ କରିବାକୁ ପ୍ରୟାସ କରୁଥିବା ଦୁଇଟି ସରଳ ମନ ଗଭୀର ଆଘାତ ପାଇଲା l ସେମାନେ ଅଜୟ ବାବୁଙ୍କ କଥାର ଆତ୍ମୀୟତାକୁ ସହଜରେ ମାପି ନେଲେ l କିଛି ସରକାରୀ ଅନୁଦାନକୁ କାଗଜପତ୍ରରେ ଖର୍ଚ୍ଚ ଦେଖେଇବା ପାଇଁ ଯେ ସେ ଏମାନଙ୍କର ସହାୟତା ଲୋଡୁଥିଲେ ତାହା ଧିରେ ଧିରେ ସ୍ପଷ୍ଟ ହେଇ ଯାଉଥିଲା l ଡାକ୍ତର ଜୋନସ୍‌ ସେ ଦିନ ସନ୍ଧ୍ୟାରେ ପ୍ରାର୍ଥନା ପରେ ନିଜ ପ୍ରକୋଷ୍ଠରେ ସେମାନଙ୍କୁ ପାଖରେ ବସେଇ କହିଲେ:

-------- ଅଜୟ ବାବୁଙ୍କ କଥାକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ l ଯିଏ ନିଜ କଥା ଓ କାମ ଭିତରେ ସମନ୍ୱୟ ରକ୍ଷା କରିପାରେନା ସେଭଳି ଲୋକ ସମାଜରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବାରେ ସଫଳ ହୋଇପାରେନା l ନିଜକୁ ଜଣେ ଆଦର୍ଶ ବ୍ୟକ୍ତିତ୍ୱ ଭାବରେ ପ୍ରକ୍ଷେପିତ କରିବା ପାଇଁ ଅନେକ ନିଷ୍ଠାର ଆବଶ୍ୟତା ଜରୁରୀ ହୋଇଥାଏ l ତୁମେ ମାନେ ରୋଗାକ୍ରାନ୍ତ ହେବା ପରଠାରୁ ରୋଗମୁକ୍ତ ହେବା ପରେ ଆଜି ପର୍ଯ୍ୟନ୍ତ ଅନେକ ଭାବରେ ସମାଜକୁ ଦେଖି ପରଖି ସାରିଲଣି l ତେଣୁ ତୁମକୁ ତୁମ ନିଜ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ l ତୁମେ ନିଶ୍ଚୟ ଥିବ ତୁମ ପ୍ରୟାସରେ ପୂର୍ଣ୍ଣ ସହଯୋଗ ତୁମେ ଏହି ଆଶ୍ରମରୁ ଅବଶ୍ୟ ପାଇବ l 

      ଡାକ୍ତର ଜୋନସଙ୍କ କଥାରେ ମାଇକେଲ ଓ ଥୋମସ୍‌ ବହୁତ ଅନୁପ୍ରେରିତ ହେଲେ l ସେମାନେ କ୍ରମଶଃ ଦୃଢମନା ହେଉଥିଲେ l କୁଷ୍ଠ ରୋଗ ଓ କୁଷ୍ଠ ରୋଗୀ ପ୍ରତି ସମାଜରେ ରହି ଆସିଥିବା ମାନସିକତାକୁ ଦୂର କରିବା ପାଇଁ ସେମାନେ ଏକ ସଂଗ୍ରାମ ଆରମ୍ଭ କରିବାକୁ ନିଷ୍ପତ୍ତି କଲେ l ସେମାନେ ଲାଗି ପଡିଲେ ସମାଜରେ ଏକ ବାର୍ତ୍ତା ପ୍ରଘଟ କରେଇବାକୁ କି ଅନ୍ୟ କୌଣସି ରୋଗ ପରି କୁଷ୍ଠ ମଧ୍ୟ ଏକ ରୋଗ ଏବଂ ଉପଯୁକ୍ତ ଉପଚାର ବଳରେ କୁଷ୍ଠରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରନ୍ତି l କାଳ କ୍ରମେ ସେମାନଙ୍କର ଏହି ଅଭିଯାନରେ ଅନେକ ରୋଗମୁକ୍ତ କୁଷ୍ଠ ରୋଗୀ ଓ କିଛି ସମଭାବାପନ୍ନ ସ୍ୱେଚ୍ଛାସେବୀ ମଧ୍ୟ ଯୋଗଦେଲେ l ସେମାନେ ଅପେକ୍ଷା କରୁଥିଲେ ଏକ ନୂଆ ସକାଳକୁ ଯାହା ସମାଜରୁ ଏହି ଦୁର୍ବଳ ମାନସିକତାର ଅନ୍ଧକାରକୁ ଅବଶ୍ୟ ଦୂରେଇଦେବ l  



Rate this content
Log in

Similar oriya story from Inspirational