Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Santosh Kumar Misra

Inspirational

4  

Santosh Kumar Misra

Inspirational

ଅଲୋଡା ମଣିଷ

ଅଲୋଡା ମଣିଷ

8 mins
71



ସଞ୍ଜୀବ କଟକରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହେଇ ଯାଇଥିଲା l ଆଜିକାଲି କଟକ ସହରର ଅବସ୍ଥା ଯାହା, ସନ୍ଧ୍ୟା ପରେ ଏକୁଟିଆ କୌଣସି ରାସ୍ତାରେ ଯିବାଟା ଆଦୌ ନିରାପଦ ନୁହେଁ l ପୁଣି ଯଦି ପାଖରେ କିଛି ଟଙ୍କା ପଇସା ଥାଏ ତେବେ କଥାଟା ସରିଲା l ସଞ୍ଜୀବ ପାଖରେ ସେଦିନ କିଛି ଟଙ୍କା ଥିଲା l ତେଣୁ ସେ ଭାରି ଚିନ୍ତିତ ଥିଲା l ମାସ ସାରା କଷ୍ଟ କରି ଅର୍ଜିଥିବା ବେତନ ଗଣ୍ଡାକ ଯଦି କୌଣସି ଦୁର୍ବୃତ୍ତ ଝାମ୍ପି ନିଏ ତେବେ ସମସ୍ୟାର ଝଡ ଭିତରେ ସେ ଯେ ଦିଗହରା ହେଇଯିବ, ଏହି ଚିନ୍ତାରେ ସଞ୍ଜୀବ ଖୁବ୍‌ ବିବ୍ରତ ହେଉଥିଲା l ସେ ତଳ ଉପର ନଦେଖି ଖୁବ୍‌ ଜୋରରେ ପାଦ ପକଉଥାଏ ଆଗକୁ ଆଗକୁ l ମୁହୁର୍ମୁହୁ ଘଣ୍ଟାକୁ ଚାହିଁ ଦେଉଥାଏ l ରାସ୍ତାରେ ଥିବା ଖାଲ ଢିପ ପାଇଁ କେତେବେଳେ ମହାନଗର ନିଗମକୁ ତ ଆଉ କେତେବେଳେ ସରକାରଙ୍କୁ ଗାଳି ଫଜିତ୍‌ କରି କରି ସେ ଚାଲିଥାଏ l ଆଜିକାଲି କଟକ ସହରରେ ଆସ୍ଥାନ ଜମେଇ ଦୌରାତ୍ମ୍ୟ ଦେଖାଉଥିବା ତେଲେଙ୍ଗା ରିକ୍ସାବାଲା ମଧ୍ୟ ତା ଆକ୍ରୋଶରୁ ବାଦ୍‌ ପଡୁନଥାଆନ୍ତି l କିନ୍ତୁ ଭୁଲିନଥାଏ ସେ ମାଆ କଟକଚଣ୍ଡୀଙ୍କୁ ଲକ୍ଷେ ଜୁହାର ହେଇ ଡଜନେ କୁକୁଡା, ଶହେ ଆଠ ନଡିଆ, କଳା ପାଟ ଶାଢୀ ଓ ଦାମୀ ନୈବେଦ୍ୟ ଯାଚଜ୍ଞା ସହିତ ମାନସିକ କରି ନିଜ ଇଲକାରେ ପଶିବା ପୂର୍ବରୁ କୌଣସି ଅଘଟଣ ନଘଟିବା ପାଇଁ ପ୍ରାର୍ଥନା କରିବାକୁ l

      ଘରେ ପହଞ୍ଚି ଲୁଗାପଟା ନବଦଳାଉଣୁ ସ୍ତ୍ରୀ ଏଲିଜା ପାଟି କରି ଗୋଟାକ ପରେ ଗୋଟେ କରି ଲଗାତର ପ୍ରଶ୍ନ ସବୁ ପଚାରି ଚାଲିଲା:

------- ଆଜି ତ ପହିଲା, ଦରମା ମିଳିଲାକି ନାହିଁ ? ନା ବ୍ୟାଙ୍କରେ ଟଙ୍କା ନଥିଲା ? ପେପରବାଲା ପଚାରି ଯାଇଛି କାଲି ପଇସା ନେଇ ପାରିବ ତ ? ଏହି ମାସରେ ପିଲାଙ୍କର ଦୁଇ ମାସର ସ୍କୁଲ ଦରମା ଏକା ସାଙ୍ଗରେ ଦେବାକୁ ପଡିବ, ଜାଣିଛ କି ନାହିଁ ?

ସଞ୍ଜୀବ ଆଗରୁ ଅନୁମାନ କରି ନେଇଥିଲା ଆଜି ପହିଲା ହେତୁ ତାକୁ ଏହି ପରି ଅନେକ ପ୍ରଶ୍ନକୁ ଘରେ ସାମ୍ନା କରିବାକୁ ପଡିବ l କାରଣ ତାର ଖରାପ ଆର୍ଥିକ ସ୍ଥିତି ଘର ଭିତରେ ସିମୀତ ନ ରହି ହାଟରେ ପଡି ଦାଣ୍ଡରେ ଗଡୁଥିଲା l ତେଣୁ ଏକଦା ବିଶ୍ୱସ୍ତ ରହି ଆସିଥିବା ଲୋକମାନେ ମଧ୍ୟ ପହିଲା ଦିନ ଓର ଉଣ୍ଡି ଆସି ପହଞ୍ଚି ଯାଉଛନ୍ତି ପଇସା ମାଗିବାକୁ l ଯାହା ବି ହେଉ ଏଲିଜାର ପ୍ରଶ୍ନଗୁଡା ବୁଲେଟ ପରି ଭେଦି ଯାଉଥିଲା ସଞ୍ଜୀବ କାନରେ l ସଞ୍ଜୀବ ବିରକ୍ତ ହେଉଥିଲା କାରଣ ସେ ବସଷ୍ଟାଣ୍ଡରୁ ଚାଲି ଚାଲି ଆସି ଏଇ ମାତ୍ର ଘରେ ପହଞ୍ଚିଛି l ଲୁଗାପଟା ପାଲଟିବାକୁ ମଧ୍ୟ ଫୁରୁସତ ପାଇନି l ଚା’ କପେ ନଦେଇ ଏଲିଜା ଖାଲି ଗୁଡେଇ ତୁଡେଇ ପ୍ରଶ୍ନ ପଚାରି ଚାଲିଛି l ଆସନ୍ନ ପାରିବାରିକ ଅଘଟଣ କିଛିକୁ ଏଡେଇ ଦେବା ପାଇଁ ସଞ୍ଜୀବ ଚୁପ ରହିବାକୁ ଇଚ୍ଛା କଲା l  

      ଏଲିଜା ଆଜିକାଲି କ୍ରମାଗତ ଭାବରେ ତା’ ପ୍ରତି କର୍କଶ ବ୍ୟବହାର କରୁଥିବାରୁ ସଞ୍ଜୀବ ଅତ୍ୟନ୍ତ ମର୍ମାହତ ହେଉଥିଲା l ବାହାଘର ପରେ ଦିନ କେତେଟା ସେମାନେ ହସ ଖୁସିରେ କାଟିଛନ୍ତି କି ନାହିଁ, ସେ କଥା ସେ ମନେ ପକେଇ ପାରେନି l  ଏହି ପରିସ୍ଥିତି ପାଇଁ ଅବଶ୍ୟ ଉଭୟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବାପାଇଁ ସବୁବେଳେ ଚେଷ୍ଟା କରିଥାଆନ୍ତି l ସେ ଯାହା ବି ହେଉ ସେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣାର ଯେ ଅନେକ ଅଭାବ ରହିଛି, ସେ କଥା ଘରେ ଗୁରୁଜନମାନଙ୍କୁ ଆଉ ଅଛପା ରହି ନାହିଁ l

      ସଞ୍ଜୀବ ହାତରୁ ଟଙ୍କା ବିଡାଟି ଝାମ୍ପି ନେଇ ଚଟାପଟ୍‌ ଗଣି ଚାଲିଲା ଏଲିଜା l ପରେ ପରେ ଟଙ୍କାତକ ସୋଫା ଉପରେ ଫୋପାଡି ଦେଇ ତମ୍‌ତମ୍‌ ହେଇ କହିଲା:

--------- ଜାଣିନ କି, ଏଇଟା ପୂଜା ମାସ ବୋଲି ? ଆମର ପଛେ ନହେଲା ନାହିଁ ପିଲାଙ୍କର ତ ଡ୍ରେସ ପତ୍ର କିଣାହେବ ? ଘରକୁ ଅତିଥି ଅଭ୍ୟାଗତଙ୍କ ସୁଅ ଛୁଟିବ l ଟଙ୍କା ତ ଏତିକି, କେମିତି ତୁଲେଇବ ଏ ସବୁର ଖର୍ଚ୍ଚ ?

ଏଲିଜାର କହିବା ଭଙ୍ଗୀରେ ସଞ୍ଜୀବର ମନେ ହେଉଥିଲା ଯେମିତି ସେ ତାର ଦୁଇ ଗାଲରେ ଯୋର କରି ଦୁଇ ଚଟକଣା ମାରି ତାର ପୌରୁଷର ଅହଂକାରକୁ ପାଦରେ ଦଳିଦେଉଛି l ଆଗରୁ ଏମିତି ଅନେକ ପହିଲା ଯାଇଛି l ହେଲେ ଏଲିଜା କେବେ ବି ଏପରି ଦୁର୍ବ୍ୟବହାର କରିନଥିଲା l କିନ୍ତୁ ତାର ଆଜିର ଏ ଅସ୍ୱାଭାବିକ ବ୍ୟବହାରରେ ସଞ୍ଜୀବ ଆଖିରେ ଲୁହ ଆସିଗଲା l ଯାହାକୁ ସେ ସ୍ତ୍ରୀ ବୋଲି ସ୍ୱୀକାର କରିଛି ତା ପ୍ରତି ସେ ନିଷ୍ଠୁର ବା ହେଇ ପାରିବ କେମିତି ? ତା ଛଡା ତୁଣ୍ଡରେ ତୁଣ୍ଡ ମିଶେଇ ଝଗଡା କରି ନିଜକୁ ବା ନିଜ ପରିବାରବର୍ଗଙ୍କୁ ଅସାମାଜିକ ସଂଜ୍ଞାର ପରିଧି ଭିତରକୁ ବା ଟାଣିନିଅନ୍ତା ସେ କିପରି? ତେଣୁ ସେ ନିରୁତ୍ତର ରହିଲା l

      ରାତ୍ରିଭୋଜନ ସାରି ସଞ୍ଜୀବ ଚିରାଚରିତ ଭାବରେ ଶୋଇବାକୁ ଗଲା l କିନ୍ତୁ ସେ ଶୋଇ ପାରିଲାନି l ତା ମନରେ ପ୍ରଶ୍ନ ଆସୁଥିଲା କି ଏଲିଜା ଭୁଲ କଅଣ କହିଲା ? ହୁଏତ ତାର କହିବାର ଭଙ୍ଗୀରେ କ୍ରୂରତା ଭରି ରହିଥିଲା  ଯାହା ସେ ଏଡେଇ ଦେଇ ପାରିଥାଆନ୍ତା l କିନ୍ତୁ ସେ ଯାହା ବି କହୁଥିଲା କିଛି ଭୁଲ କହୁନଥିଲା l ଏତେ କମ ପଇସାରେ ତାର ଘର ସଂସାର ବା ଚଳନ୍ତା କିପରି? ଜଣେ ପ୍ରଶାସନିକ ଅଧିକାରୀ ବୋଲି ତାର ଯେଉଁ ଗଉଁ ରହିଛି ସମାଜରେ ସେହି ତାଳରେ ବଞ୍ଚିବାକୁ ହେଲେ ପ୍ରକୃତରେ କଅଣ ଏତିକି ଟଙ୍କା ବୁକେଇବ ? ଏଲିଜା ହୁଏତ ଶାନ୍ତ ଭାବରେ ତାର ପ୍ରତିବାଦ ଜଣେଇଥିଲେ ସଞ୍ଜୀବ ମାନସିକ ସ୍ତରରେ ଏତେଟା ଆଘାତ ପାଇନଥାଆନ୍ତା l  ସେ ପୁଣି ଭାବୁଥିଲା ତାଠାରୁ କମ୍ ବେତନ ପାଇ ଅନେକ କର୍ମଚାରୀ ଯେତେବେଳେ ଖୁବ୍‌ ସ୍ୱାଚ୍ଛନ୍ଦ୍ୟରେ ଚଳି ପାରୁଛନ୍ତି ତାର ଚଳିବାରେ ତେବେ ଅସୁବିଧା କେଉଁଠି ରହୁଛି ?

      ଗୋଟି ଗୋଟି ପଇସା ହିସାବ କରି ଚଳେ ବୋଲି ଅନେକ ସମୟରେ ପିଲାଙ୍କ ଅଳିଅର୍ଦ୍ଦଳୀ ମେଣ୍ଟାଇ ପାରେନି ସଞ୍ଜୀବ l ପିଲାଙ୍କ ଇଚ୍ଛା ମୁତାବକ ଚକୋଲେଟ୍‌ କି ଆଇସ୍କ୍ରିମ୍‌  ତାଙ୍କ ପାଇଁ ସେ କିଣି ଦେଇ ପାରେନି l ପିଲାଙ୍କୁ ଖୁସି କରିବା ପାଇଁ ଅନ୍ତତଃ ଥରୁଟିଏ କୌଣସି ମାସରେ ସିନେମା ହଲରେ ବସେଇ ସେମାନଙ୍କୁ ସେ ସିନେମା ଦେଖେଇ ପାରିନି l ଅବଶ୍ୟ କେବେ କେମିତି ଦଶହରା କି ବାଲିଯାତ୍ରାରେ ବୁଲେଇ ନେଇଛି l ପିଲାମାନେ ଗ୍ୟାସ ବେଲୁନ୍ ମାଗିଲେ ସେ ସେମାନଙ୍କୁ ସାଧା ବେଲୁନ ଦେଇ ଭୂତେଇ ଦେଇଛି l ଆଜି କିନ୍ତୁ ସେ ଅବସ୍ଥା ନାହିଁ l ପିଲାମାନେ ବଡ ହେଇ ଗଲେଣି l ବାହାର ଦୁନିଆରେ ପାଞ୍ଚ ଜଣଙ୍କ ଭିତରେ ଜଣେ ହେଇ ଚଳିବା ଆରମ୍ଭ କଲେଣି l ତାଙ୍କର ଏବେ ଭଲ ପୋଷାକ ଦରକାର, ମୋଟର ସାଇକେଲ ଦରକାର, ଭଲ ପ୍ରସାଧାନ ସାମଗ୍ରୀ ଦରକାର l ଯଦି ଏ ସବୁ ନପାଆନ୍ତି ତେବେ ନିଜକୁ ପାଞ୍ଚ ଜଣଙ୍କ ସାଙ୍ଗରେ ଅବଶ୍ୟ ତୁଳନା କରିବେ l ଅପମାନିତ ବୋଧ କରିବେ l ସଞ୍ଜୀବ ଯେ ଏସବୁ ବୁଝିପାରେନି ତା ନୁହେଁ, କିନ୍ତୁ ସେ ନିରୂପାୟ ଥାଏ l ନିଜର ଆୟ ଦେଖି ବ୍ୟୟ କରୁ କରୁ ସେ ନିଜକୁ ଭୁଲିଯିବାକୁ ବାଧ୍ୟ ହୁଏ l ଅନିଚ୍ଛାକୃତ ଭାବରେ ସେ ସ୍ତ୍ରୀ ଓ ପିଲାମାନଙ୍କୁ ଅଣଦେଖା କରୁଥିବାରୁ ଖୁବ୍‌ ମ୍ରିୟମାଣ ହେଉଥିଲା l  

      ନିକଟ ଅତୀତର କେତେକ ଘଟଣା ସଞ୍ଜୀବକୁ ଖୁବ୍‌ ଦୁଃଖ ଦେଉଥିଲା l ଏଇ କେତେଦିନ ତଳେ ତା ସାନଝିଅ ପ୍ରଜ୍ଞା ଅଳି କରୁଥିଲା ଖଣ୍ଡେ ସାଇକେଲ ପାଇଁ l ଦାମ ଅବଶ୍ୟ ବେଶୀ ନଥିଲା l କିନ୍ତୁ ସଞ୍ଜୀବ ଆଗରେ ରହିଥିବା ଖର୍ଚ୍ଚ ତାଲିକାର ଲମ୍ବା ଧାଡିରେ ତାର ସେ ଫର୍ମାଇସ୍‌ଟି ଖାପ ଖାଇ ପାରୁନଥିଲା l ନିଜ ଅଳିଗୁଡିକର କ୍ରମାଗତ ଉପେକ୍ଷା ଫଳରେ ପ୍ରଜ୍ଞା ଆଉ ଏବେ ଇଚ୍ଛା କରୁନି ସଞ୍ଜୀବକୁ କହିବାକୁ କି ବାପା ଅଫିସ୍‌ରୁ ଫେରିବା ବେଳେ ମୋ ପାଇଁ ଚିନାବାଦାମ ଆଣିବ l ସଞ୍ଜୀବର ବଡ ଝିଅ ସ୍ୱପ୍ନା ବର୍ତ୍ତମାନ ଦଶମ ଶ୍ରେଣୀର ଛାତ୍ରୀ l ତାର ଆବଶ୍ୟକ ବହି ଟେଷ୍ଟପେପର ଓ ଟ୍ୟୁସନ୍ l ସେ ଦାବୀ ନ କଲେ ମଧ୍ୟ ତାକୁ ଏ ସବୁ ଯୋଗାଇ ଦେବା ସଞ୍ଜୀବର ନୈତିକ କର୍ତ୍ତବ୍ୟ l ତଥାପି ସେ ଟିକିଏ ଜିଦିଆ ଥିବାରୁ ତାର ଦାବୀଗୁଡିକ ସେ ହାସଲ କରି ଯାଉଥିଲା l ଏବେ କିନ୍ତୁ ଟିକିଏ ବଡ ହେଇ ଗଲା ପରେ ସେ ବୁଝିଲାଣି ତା ବାପାର ଅଭାବଟା କଅଣ l କିନ୍ତୁ ସମୟ ସମୟରେ ପାଞ୍ଚ ଜଣଙ୍କୁ ଦେଖି ସେ କେବେ କେମିତି ଭାବିନିଏ ଯେ ତାର ବାପା କେତେ ଅପାରଗ ସତେ ତାଙ୍କର ଛୋଟ ଛୋଟ ଦାବୀ ପୂରଣ କରିବାରେ l ସଞ୍ଜୀବର ମନେ ନାହିଁ ସେ କେବେ ଖଣ୍ଡେ ଦାମୀ ଶାଢୀ ଏଲିଜା ପାଇଁ କିଣି ଆଣି ପାରିଛି l ମହାଜନଙ୍କ ଭିଡ ଭିତରୁ ବହାରି ପାରେନି ବୋଲି ଦୁନିଆର ରଙ୍ଗ ମଧ୍ୟ ସେ କଳ୍ପନା କରି ପାରେନି l ଏଲିଜା ଅବଶ୍ୟ ଏନେଇ ସଞ୍ଜୀବକୁ କଥା କଥାରେ ଖୁଣ୍ଟା ଦିଏ ହେଲେ ବିଚରା ସଞ୍ଜୀବ ଏକ ନିର୍ଲିପ୍ତ ନିର୍ଲ୍ଲଜ ହସ ହସିଦେଇ ସେ ସବୁକୁ ପିଇଯାଏ l କାରଣ ସେ ଜାଣିଥିଲା ଏଲିଜା ଉଚ୍ଚ ଶିକ୍ଷିତା ହେଇ ମଧ୍ୟ ସାଧରଣ ଗୃହିଣୀଟିଏର ଜୀବନ ବଞ୍ଚୁଥିବାରୁ ସେ ଏକ ଭିନ୍ନ ମନର ମଣିଷ ପାଲଟିଯାଇଛି l

      ଏଲିଜାକୁ ଖୁସି କରିବାକୁ ଯାଇ ସଞ୍ଜୀବ ତାର ଭିଟାମାଟି ଛାଡି ଏବେ ସହରୀ ବାବୁ ସାଜି ସହରୀ ଅତରରେ ସବୁଦିନ ଗାଧୋଇବାକୁ ଚେଷ୍ଟା ଚଲେଇଛି l ଫଳରେ ଆଜି ତା’ର ପିଲାମାନେ ଜେଜେ ବାପା ଓ ଜେଜେ ମାଆ ର ସ୍ନେହ ଆଦରରୁ ବଞ୍ଚିତ ହେଇଛନ୍ତି l ସଞ୍ଜୀବର ମନକୁ ବେଳେ ବେଳେ ପ୍ରଶ୍ନ ଆସେ କି ସେ କଅଣ ସହର ଆସି ଠିକ୍‌ କରିଛି ନା ନିଜର ବାପା ଓ ମାଆଙ୍କଠାରୁ ତାଙ୍କର ବାର୍ଦ୍ଧକ୍ୟ ସମୟରେ ନାତି ନାତୁଣୀଙ୍କର ସୁଖ ଛଡେଇ ନେଇ ଉଚିତ୍‌ କରିଛି l ନିଜକୁ ନିଜ ପରିବାର ଭିତରେ କେଉଁ ଆଶାରେ ସେ ଜଣେ ବିତର୍କିତ ବ୍ୟକ୍ତିତ୍ୱ ଭାବରେ ପ୍ରକ୍ଷେପିତ କରିଛି? ହୁଏତ ଏଲିଜା ଏଯାବତ୍‌ ସଞ୍ଜୀବକୁ ଠିକ୍‌ ବୁଝିପାରିନି l ସହରକୁ ଆସିଯାଇ ସେ ନିଜେ ବା କ’ଣ ଅଧିକ ପାଇ ଯାଇଛି – ମିଛ ପତିଆରା, ନା ନିଃସଙ୍ଗତା ନା ଆଉ କିଛି?

      ଆଜିର ପରିସ୍ଥିତି ପରେ ସଞ୍ଜୀବ ତର୍ଜମା କରୁଥିଲା ସେ କ’ଣ ସତରେ ବଦଖର୍ଚ୍ଚି, ଯେଉଁଥିପାଇଁ ସେ ଘର ଓ ପରିବାରର ସମସ୍ୟା ଗୁଡିକୁ ଏଡେଇ ଯିବାକୁ ଚେଷ୍ଟା କରେ l ସେ ତେବେ କ’ଣ ନିଜର ସମସ୍ୟାଗୁଡିକ ପ୍ରତି ସଚେତନ ନୁହେଁ? ପୁରୁଷ ପ୍ରାଧନ୍ୟ ସମାଜ ଭିତରେ ପରିବାର ଚଳେଇ ନେବାଟା ତା’ର ହିଁ କର୍ତ୍ତବ୍ୟ l ସେ ତେବେ କ’ଣ ସେହି ଦାୟିତ୍ୱ   ତୁଲାଇବାକୁ ଅପାରଗ ? ପଙ୍ଗୁ ? ସଞ୍ଜୀବ ଭଳି ଅନ୍ୟ ଯେତେ ଅଧିକାରୀ ଅଛନ୍ତି ସମସ୍ତେ କ’ଣ ଏହି ଭଳି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ? ବରଂ ସେ ଜାଣିବାରେ ତା’ର ସାଥୀ ଅଧିକାରୀମାନେ ମାଛ ଦୋକାନରେ ମାଛ ଓଜନ କଲାବେଳେ ଦର ପଚାରନ୍ତି ନାହିଁ କିମ୍ବା ଓଜନ ଦେଖନ୍ତି ନାହିଁ l ମାଂସ ପାଇଁ ସ୍କୁଟରରେ ପେଟ୍ରୋଲ ପୋଡି ଗୋପାଳପୁର ଦେଇ ତ୍ରିଶୂଳିଆ ଛକ କି ଆହୁରି ଆଗକୁ ବାରଙ୍ଗ ଯାଏଁ ଭିଡି ଯାଆନ୍ତି ଅଲ୍ଲି ଖାଁଙ୍କର ଦୋକାନ ଖୋଜି ଖୋଜି l ସେମାନଙ୍କ ଘରେ ପହଞ୍ଚିଲେ ସେମାନଙ୍କର ସ୍ତ୍ରୀମାନେ ବର୍ଣ୍ଣାଢ୍ୟ ପରିବେଶରେ ପାଞ୍ଚ ପ୍ରକାର ମିଠା ପରଷି ଦିଅନ୍ତି ଆତିଥ୍ୟ ପାଇଁ l ସଞ୍ଜୀବ କିନ୍ତୁ ଏ ସବୁ କରିପାରେନି କାହିଁକି? ସେ କେଉଁ ପରି ଭାବରେ ତାର ସାଥୀ ଅଧିକାରୀମାନଙ୍କ ଅପେକ୍ଷା ଅପାରଗ ?

      ଏହି ଭଳି ଅନେକ ଅସମାହିତ ପ୍ରଶ୍ନର ଜାଲରେ ଛନ୍ଦି ହୋଇ ସଞ୍ଜୀବ ଅଣନିଃଶ୍ୱାସୀ ହେଇ ଯାଉଥିଲା l ଗୋଟାଏ ପରେ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡି ଛାଡି ଅସ୍ତ ବ୍ୟସ୍ତ ହେଲାପରେ ସେ ଖଟିଆରୁ ଉଠି ଟେରାସ୍‌ ଉପରେ ପଡିଥିବା ଆରାମ ଚୋକି ଉପରକୁ ଉଠିଗଲା l ଫର୍ଚ୍ଛା ଆକାଶରେ ଜହ୍ନ ଆଉ ତାରାମାନେ ରହି ଖୁବ୍‌ ହୁଏତ ଉପଭୋଗ କରୁଥିଲେ ସଞ୍ଜୀବର ଏହି ବିବଶତା l ସଞ୍ଜୀବର ମନେ ପଡୁଥିଲା ଗତ ମାସର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ପରେ ସେହି ଦିନ ସନ୍ଧ୍ୟାରେ ଜିଲ୍ଲା ଅତିଥିଶାଳାରେ ସମସ୍ତଙ୍କର ସହଭାଗିତାରେ ଏକ ରାତ୍ରୀଭୋଜନର ଆୟୋଜନ କରାଯିବାକୁ ସ୍ଥିର କରାଗଲା ଓ ସମସ୍ତଙ୍କୁ ପାଞ୍ଚ ଶହ ଟଙ୍କା ଲେଖାଏଁ ଚାନ୍ଦା ଦେବାକୁ କୁହାଗଲା l ଏତେ ଟଙ୍କା ଚାନ୍ଦା ଦେବାକୁ ଅସମର୍ଥ ସଞ୍ଜୀବ କିଛି ବିଶ୍ୱାସଯୋଗ୍ୟ କାରଣ ଦର୍ଶାଇ ନିଜ ଘରକୁ ଫେରି ଆସିଥିଲା l ଏହି କାରଣରୁ ଅନେକ ସମୟରେ ସଞ୍ଜୀବକୁ ତାର ସାଥୀ ଅଧିକାରୀମାନଙ୍କଠାରୁ କଟୁ ମନ୍ତବ୍ୟ କିଛି କିଛି ଶୁଣିବାକୁ ହେଉଥିଲା l ତା’ର ସଚ୍ଚୋଟତାକୁ ନେଇ ଅନେକ ଥଟ୍ଟା ଟାପରା ମଧ୍ୟ କରନ୍ତି l ହୁଏତ ସେହି ଅଧିକାରୀମାନେ ନିଜକୁ ତର୍ଜମା କରି ପାରୁନଥିବାରୁ ସଞ୍ଜୀବକୁ ତିରସ୍କୃତ କରି ତାର ଅସହାୟତାକୁ ମନଭରି ଉପଭୋଗ କରନ୍ତି l

      ଆଜି ଏଲିଜାର ସୀମାତୀତ ଦୁର୍ବ୍ୟବହାର ପରେ ସଞ୍ଜୀବର ମନରେ ଧାରଣାଟିଏ ଜନ୍ମିଲା ଯେ ତା’ର ଅପାରଗତା ଯୋଗୁଁ ସେ ଏବେ କାହା ପାଇଁ ହେଲେ ଜଣେ ଆବଶ୍ୟକ ବ୍ୟକ୍ତି ହୋଇ ନାହିଁ: ନା ତା’ର ପିଲାମାନଙ୍କ ପାଇଁ , ନା ତା’ର ସ୍ତ୍ରୀ ପାଇଁ, ନା ତା’ର ସାଙ୍ଗ ସାଥୀମାନଙ୍କ ପାଇଁ, କାହା ପାଇଁ ନୁହେଁ l ସେ ଏବେ ସମାଜର ଜଣେ ଅଲୋଡା ମଣିଷ l ବାସ୍ତବିକତାକୁ ସ୍ୱୀକାର କରିବାକୁ ଚେଷ୍ଟା କରୁଥିବା ସଞ୍ଜୀବ କିନ୍ତୁ ତା’ର ଆଖିରୁ ଗଡି ଆସୁଥିବା ଅଭିମାନର ଲୁହଧାରକୁ ଅଟକେଇ ପାରୁ ନଥିଲା l ସଞ୍ଜୀବ ତା’ର ଅବଚେତନ ମନରେ ଚିନ୍ତା କରୁଥିଲା ନିଜକୁ ସମସ୍ତଙ୍କ ପାଖରୁ ଦୂରେଇ ନେଇ ନିଜ ଅଲୋଡା ପଣରେ ଏକ ପୂର୍ଣ୍ଣଛେଦ ଟାଣିଦେବାକୁ କିନ୍ତୁ ନିଜ ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବାକୁ ସେ ସାହସ କରୁନଥିଲା l

      ଟେରାସ୍‌ ଉପରୁ ଖୁବ୍‌ ଉଜ୍ଜ୍ୱଳ ଦିଶୁଥିବା ଜହ୍ନଟି ମଝିରେ ମଝିରେ ବାଦଲ ଭିତରେ ଢଙ୍କେଇ ନେଉଥିଲା ନିଜକୁ l କିଏ ଜାଣେ ଜହ୍ନ ହୁଏତ ସଞ୍ଜୀବର ବିବଶତା ପ୍ରତି ସମବେଦନା ଜଣେଇବାକୁ ଚାହୁଁ ଥିଲା l ହୁଏତ ସେ ସଞ୍ଜୀବର ବିଷର୍ଣ୍ଣତାକୁ ଅନ୍ୟମାନଙ୍କୁ ପରଷିଦେବାକୁ ଚହୁଁନଥିଲା l

ଏମିତି ବି ହେଇପାରେ ସେ ବୁଝି ପାରିଥିଲା ସଞ୍ଜୀବର ଏହି ଅବସ୍ଥା ପାଇଁ ସଞ୍ଜୀବ ନୁହେଁ ବରଂ ତା’ ଚାରି ପାଖରେ ତା’ର ପରିସର ଭିତରେ ଘୁରି ବୁଲୁଥିବା ଭଦ୍ରମୁଖାଧାରି ମଣିଷମାନେ ହିଁ ଦାୟୀ, ସାମାଜିକ ବ୍ୟବସ୍ଥା ହିଁ ଦାୟୀ, କଳଙ୍କିତ ପ୍ରଶାସନ ହିଁ ଦାୟୀ l ସଞ୍ଜୀବ ଅନୁଭବ କରୁଥିଲା ଜହ୍ନର ପେଟ ଚିରି ଯେମିତି ଉତୁରି ଆସୁଥିଲା କଳଙ୍କିତ ସୁଖରାମମାନଙ୍କର ଏକ ଲମ୍ବା ତାଲିକା ସାଙ୍ଗକୁ କିଛି ଡକାୟତମାନଙ୍କର ମନ୍ଦିର ତୋଳା ଅଭିଯାନର ଇତିବୃତ୍ତି l ରାତି କ୍ରମଶଃ ବହୁତ ବଢି ସାରିଥିଲା l ସଞ୍ଜୀବର ରୋମାଞ୍ଚିତ ଶରୀର ଧିରେ ଧିରେ ଶାନ୍ତ ପଡୁଥିଲା l ସେ ନିଜ ଅବଚେତନରେ ଶପଥ କରୁଥିଲା ଯେଉଁ ତୁଚ୍ଛା ନୈତିକତା ପାଇଁ ସେ ତା’ର ପରିବାରର ଅଧୋଗତିର କାରଣ ସାଜିଛି ସେହି ନୈତିକତା ଓ ସଚ୍ଚୋଟ୍ଟତା ପରି ବିଶେଷଣକୁ ସମାଧିସ୍ଥ କରି ଆସନ୍ତା କାଲି ସକାଳର ସୂର୍ଯ୍ୟ ସହିତ ସେ ଜନ୍ମ ଦେବ ଭିନ୍ନ ଏକ ମଣିଷକୁ ଯିଏ ସମାଜ ପାଇଁ ହେବ ଜଣେ ଆସନ୍ନ ପ୍ରଳୟର ବାର୍ତ୍ତାବହ l

      ଖଟରେ ସଞ୍ଜୀବ ନଥିବା ଦେଖି ଏଲିଜା ଚିହିଁକି ଉଠିଲା l ତରବର ହୋଇ ଘର ସାରା ଖୋଜି ସଞ୍ଜୀବକୁ ଟେରାସ୍‌ରେ ଠାବ କଲା l ଦେଖିଲା ନିଜ ପ୍ରିୟ ଆରାମ ଚୌକିଟି ଉପରେ ଲେପ୍‌ଟେଇ ଯାଇଛି ସଞ୍ଜୀବ, ଆଉ ବାଉଳି ଚାଉଳି ହୋଇ କଅଣ ସବୁ ଗପି ଯାଉଛି l ସଞ୍ଜୀବର ମନସିକ ସନ୍ତୁଳନ ଯେ ଠିକ୍‌ ନାହିଁ ସେ କଥା ବୁଝିବାକୁ ତାକୁ ବାକିନଥିଲା l ଏଲିଜାର ସ୍ପର୍ଶରେ ଚମକି ଉଠିଲ ସଞ୍ଜୀବ ଆଉ ପାଟିକରି କହିବାକୁ ଲାଗିଲା:

------- ନା ନା ମୁଁ ଅନ୍ତତଃ ମୋ ପିଲାଙ୍କର ଅଲୋଡା ନୁହେଁ l

ସଞ୍ଜୀବର ଆଚରଣରେ ଏଲିଜା ଭୟଭୀତ ହେଲା l ତଥାପି ନିଜକୁ ସମ୍ଭାଳି ନେଇ ରାତି ପହିଲା ଯାଏଁ ଅପେକ୍ଷା କଲା l

ସେଦିନର ସକାଳ ଏକ ଭିନ୍ନ ରୂପରେ ବୋଧେ ପୃଥିବୀକୁ ଛୁଇଁଥିଲା l ଅନେକ ଡେରିରେ ନିଦରୁ ଉଠିଲା ସଞ୍ଜୀବ l ଧୁଆ ଧୋଇ ହେଇ ବୈଠକଖାନା ସୋଫା ଉପରେ ଯାଇ ବସିଲା l ଅଫିସ୍‌ ଯିବାକୁ ଆଉ କିଛି ସମୟ ପରେ ପ୍ରସ୍ତୁତ ହେବାକୁ ପଡିବ l ଏଲିଜା ଚା’ କପ ଓ ସେ ଦିନର ଖବର କାଗଜ ସଞ୍ଜୀବ ହାତକୁ ବଢେଇ ଦେଇ କହିଲା:

------ ଏ କଅଣ ତେବେ ସେହି ସଞ୍ଜୀବ ମହାପାତ୍ର ଯାହାଙ୍କୁ ରାଜ୍ୟ ସରକାର ଆସନ୍ତା ସ୍ୱାଧିନତା ଦିବସରେ ଜଣେ କୃତୀ ଅଧିକାରୀ ଭାବରେ ସମ୍ମାନିତ କରିବେ?

ଏଲିଜା ହାତରୁ ଖବର କାଗଜଟି ନେଇ ବାରମ୍ବାର ସେହି ଗୋଟିଏ ସମ୍ବାଦକୁ ପଢି ଲାଗିଲା ସଞ୍ଜୀବ l ପଚାଶ ହଜାର ଟଙ୍କା ଆଉ ଏକ ମାନପତ୍ରର ଅକ୍ଷର ଭିତରେ ସଞ୍ଜୀବ ତା’ର ପାରିବାରିକ ଅବକ୍ଷୟକୁ ପଢିବାକୁଚେଷ୍ଟା କରୁଥିଲା 



Rate this content
Log in

More oriya story from Santosh Kumar Misra

Similar oriya story from Inspirational