STORYMIRROR

Santosh Kumar Misra

Inspirational

3  

Santosh Kumar Misra

Inspirational

ଅନୁଭୂତି – ୧୭ -ଯୁଦ୍ଧ ଏବେ ସରିନାହିଁ

ଅନୁଭୂତି – ୧୭ -ଯୁଦ୍ଧ ଏବେ ସରିନାହିଁ

7 mins
233



ନ୍ୟାୟ ପାଇଁ ଅପେକ୍ଷା କରିବା ଖୁବ୍‌ କଷ୍ଟକର। ଯେଉଁମାନେ ଜୀବନରେ କୌଣସି ପରିସ୍ଥିତିର ଚାପରେ ପଡି କେବେ ବି ଏପରି ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ବା କରୁଛନ୍ତି କିମ୍ବା କରି ସାରିଛନ୍ତି ସେହିମାନେ ହିଁ କେବଳ ଏହି ଅପେକ୍ଷା ଜନିତ କଷ୍ଟର ମାତ୍ରା ଅନୁଭବ କରିପାରିବେ। ଅନ୍ୟଥା ନୁହେଁ। ସରକାରୀ ଚାକିରିଆ ଜଣେ ତା’ର ଚାକିରୀ କାଳରେ କେବେ କୌଣସି କାରଣରୁ ଯଦି ଅନ୍ୟାୟର ଶୀକାର ହେଲା ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ତା’ର ଜୀବନ କେତେ ଯେ ଦୁର୍ବିସହ ହେଇଯାଏ ତାହା ବାସ୍ତବିକ୍‌ ବର୍ଣ୍ଣନା କରିବା ଅତ୍ୟନ୍ତ କଷ୍ଟକର। ମୁଁ ନିଜେ ମୋ ଚାକିରୀ କାଳରେ ମୋ ପ୍ରତି କରା ଯାଇଥିବା ଅନ୍ୟାୟ ବିରୁଦ୍ଧରେ ଅବସର ଗ୍ରହଣର ପ୍ରାୟ ଆଠ ବର୍ଷ ପରେ ମଧ୍ୟ ଆଜି ବି ଲଢେଇ ଜାରି ରଖିଛି, କେବଳ ଦୁନିଆ କୁ ପ୍ରମାଣିତ କରେଇ ଦେବାକୁ ଯେ ମୋ ପ୍ରତି ଅନ୍ୟାୟ କରା ଯାଇଛି ଏବଂ ମୁଁ ମଧ୍ୟ ନିଶ୍ଚିତ ନୁହେଁ ଯେ ମୋର ମୃତ୍ୟୁ ପୂର୍ବରୁ ମୁଁ ଏହି ପ୍ରୟାସରେ କୃତକାର୍ଯ୍ୟ ହେବି ଏବଂ ନ୍ୟାୟ ପାଇ ପାରିବି। କିନ୍ତୁ ମୁଁ ହତୋତ୍ସାହିତ ନହୋଇ ମୋର ଲଢେଇ ଜାରି ରଖିଛି ଓ ଏଠି ସେଠି ସବୁଠି କହିବାକୁ ଚାହୁଁଛି କି ମୋର ଯୁଦ୍ଧ ଏବେ ସରି ନାହିଁ।


ଘଟଣାଟି ଅନେକ ପୁରୁଣା। ପ୍ରାୟତଃ ଆଜିକୁ ତିରିଶ ବର୍ଷ ତଳର। ସେତେବେଳେ ମୁଁ ନୂଆ ନୂଆ ସରକାରୀ ଚାକିରୀରେ ଯୋଗ ଦେଇଥାଏ। ମୋର ଯିଏ ସେତେବେଳେ ବିଭାଗୀୟ ମୂଖ୍ୟ ଥିଲେ ତାଙ୍କୁ ସନ୍ଦେହ ହେଲା ଯେ ବିଭାଗର ଏକ ଅଧସ୍ତନ କାର୍ଯ୍ୟାଳୟରେ କିଛି ଦୁର୍ନିତୀ ହେଉଛି। ସେ ଚାହିଁଲେ ସେହି କାର୍ଯ୍ୟାଳୟରେ କାର୍ଯ୍ୟରେ ବାହେଲ ଥିବା କିଛି କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ବଦଳି କରି କିଛି ଦକ୍ଷ ଓ ସଚ୍ଚୋଟ ଅଧିକାରୀଙ୍କୁ ତାଙ୍କ ସ୍ଥାନରେ କାର୍ଯ୍ୟରେ ନିଯୁକ୍ତି କରାଯିବା ଠିକ୍‌ ରହିବ। ସେହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ମୋର ପାଳି ପଡିଥିଲା। ମୁଁ ଦିନେ ଅଫିସ୍‌ରେ ପହଞ୍ଚିଲା ବେଳକୁ ମୋତେ ଗୋଟିଏ ଆଦେଶନାମା ମିଳିଲା ଏବଂ ମୋତେ ନିର୍ଦ୍ଦେଶ ଦିଆଗଲା ତୁରନ୍ତ ଉକ୍ତ ଅଧସ୍ତନ ଅଫିସରେ ଯୋଗଦେବାକୁ। ନୁଆ ଚାକିରୀ ହେତୁ ଆଦେଶ ପାଳନ କରିବା ଛଡା ମୋର ଅନ୍ୟ କିଛି ଭାବିବାର ଅବକାଶ ନଥିଲା।

ମୁଁ ନୂଆ ଯାଗାରେ ଯୋଗଦେଲି। ସେଠି ମୋ ପୂର୍ବରୁ ରହିଥିବ କର୍ମଚାରୀ ଭାଇମାନଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଆରମ୍ଭ ହେଇ ସାରିଥିଲା ମୋ ପୋଷ୍ଟିଂ କୁ ନେଇ। ଯେଉଁ ଅଧିକାରୀ ମୋତେ ଦାୟୀତ୍ବ ହସ୍ତାନ୍ତର କରିବା କଥା ସେ ସେତେବେଳେ ବିଦେଶ ଗସ୍ତରେ ଥିଲେ। ସେ ରାଜଧାନୀରେ ଥିଲେ ହୁଏତ ମୋର ସେହି ଯାଗକୁ ପୋଷ୍ଟିଂ ଏତେ ସହଜରେ ହେଇ ପାରିନଥାଆନ୍ତା। ସେ ବିଦେଶ ଗସ୍ତରୁ ଫେରିବା ପରେ ମୋତେ ଅଫିସରେ ଦେଖି ମନେ ମନେ ରକ୍ତ ଚାଉଳ ଚୋବଇବା ଆରମ୍ଭ କରିଦେଲେ ଓ ମୁଁ କିପରି ସେଠି ନରହିପାରିବି ସେ ବିଷୟରେ ଭିତିରିଆ ଷଡଯନ୍ତ୍ର କରିବା ଆରମ୍ଭ କରିଦେଲେ। କିନ୍ତୁ ବିଭାଗୀୟ ମୂଖ୍ୟଙ୍କର ଆଦେଶନାମାକୁ ପରିବର୍ତ୍ତନ କରାଇବା ତାଙ୍କ ପାଇଁ ଏତେ ସହଜ ନଥିଲା। ମୁଁ ଅନୁଭବ କଲି ସେହି ଅଫିସରେ ମୋ ବିରୁଦ୍ଧରେ ଏକ ମେଳି ଆରମ୍ଭ ହେଇଗଲା ଯେଉଁଥିରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିଲେ। ସେମାନଙ୍କ ମନରେ ସନ୍ଦେହ ରହିଲା ସବୁବେଳେ ଯେ ମୁଁ ତତ୍‌କାଳୀନ ବିଭାଗୀୟ ମୂଖ୍ୟଙ୍କର ଜଣେ ଗୁପ୍ତଚର ଏବଂ ସେହି ଅଫିସର ସମସ୍ତ ଗୁପ୍ତ ତଥ୍ୟ ସଂଗ୍ରହ କରି ମୁଁ ତାଙ୍କୁ ଯୋଗାଇ ଦେବା ପାଇଁ ମୋତେ ପୋଷ୍ଟିଂ କରାଯାଇଛି। ଯାହାହେଉ ମୋତେ ସେହି ଅଫିସରେ ବିଦେଶ ଫେରନ୍ତା ପରିଚାଳକଙ୍କର ଜଣେ ଅଧସ୍ତନ ସହଯୋଗୀ ଭାବରେ କାର୍ଯ୍ୟ କରିବାକୁ ସେହି ଅଫିସ୍‌ର ତତ୍‌କାଳୀନ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଲେ ଏବଂ ମୁଁ ତାଙ୍କର ନିର୍ଦ୍ଦେଶ ପାଳନ କଲି। ସେହି ବିଦେଶ ଫେରନ୍ତା ଅଧିକରୀ ଜଣକ ବୟସରେ ମୋ ଠାରୁ ବଡ ଥିଲେ, ମୋରି କଲେଜରେ ମୋର ଉପର ଶ୍ରେଣୀରେ ପାଠ ପଢୁଥିଲେ, ଆଉ ଏବେ ମୋ ଠାରୁ ଜଣେ ବରିଷ୍ଠ ଅଧିକାରୀ ଭାବେ ମୋରି ବିଭାଗରେ କାର୍ଯ୍ୟରତ। ତେଣୁ ତାଙ୍କ ଅଧିନରେ କାମ କରିବାରେ ମୋତେ କୌଣସି ଅସୁବିଧା ହେବନହିଁ ବୋଲି ମୋର ପ୍ରତ୍ୟୟ ହେଇସାରିଥିଲା।


ଏମିତି କିଛି ଦିନ ଗଡିଗଲା। ଧିରେ ଧିରେ ମୁଁ ନିଶ୍ଚିତ ହେଲି ଯେ ମୋର ଉପସ୍ଥିତିକୁ ନେଇ ସେହି ଅଫିସ୍‌ରେ ଅନେକ ଲୋକ ଖୁସି ନଥିଲେ ଏବଂ ଖାସ କରି ଯେଉଁ ଅଧିକାରୀଙ୍କର ଅଧିନରେ ମୋତେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ସେ ତ ଆଦୌ ଖୁସି ନଥିଲେ। ସେ ବରଂ ଉପର ମହଲରେ ଲାଗି ପଡିଥିଲେ ଯେପରି ମୁଁ ସେହି ଅଫିସରୁ ପୁନର୍ବାର ବଦଳି ହୋଇ ମୋର ମୂଳ ବିଭାଗର ପୁରୁଣା ଯାଗାକୁ ଫେରିଆସେ। ଏହି କଥା କ୍ରମଶଃ ପ୍ରଘଟ ହେଲା ଏବଂ ହାଠାତ୍‌ ଦିନେ ବିଭାଗୀୟ ମୂଖ୍ୟଙ୍କ ନିର୍ଦ୍ଦେଶନାମା ଅସିଲା କି ସେହି ନିର୍ଦ୍ଦିଷ୍ଟ ଅଧିକାରୀ ଜଣକ ତୁରନ୍ତ ତାଙ୍କର ସମସ୍ତ ଦାୟୀତ୍ବ ଅନ୍ୟ ଜଣେ ଅଧିକାରୀଙ୍କୁ ହସ୍ତାନ୍ତର କରି ମୂଳ ବିଭାଗରେ ଯୋଗଦେବେ। ଏହି ଆଦେଶ ପହଞ୍ଚିବା ପରେ ମୋ ଅଜାଣତରେ ମୁଁ ଅନେକ କର୍ମଚାରୀ ଭାଇଙ୍କର ଶତୃ ହେଇ ସାରିଥିଲି। ଜାଣିନଥିଲି କାହିଁକି? କିନ୍ତୁ ମୁଁ ପରେ ପରେ ଯାହା ଅନୁମାନ କରିଥିଲି ତାହାର କାରଣ ଥିଲା ଯେ ସମସ୍ତଙ୍କର ସନ୍ଦେହ ଥିଲା କି ମୁଁ ସେମାନଙ୍କର ଅନୈତିକ କାର୍ଯ୍ୟ କଳାପର ଟିକିନିକି ଖବର ବିଭାଗୀୟ ମୂଖ୍ୟଙ୍କୁ ଅବଶ୍ୟ ଜଣେଇ ଦେଉଛି ବା ଦେବି।

            ବିଭାଗୀୟ ମୂଖ୍ୟଙ୍କର ନିର୍ଦ୍ଦେଶ ସେହି ଅଫିସ୍‌ର ତତ୍‌କାଳୀନ ମୁଖ୍ୟ ପ୍ରଶାସକ ତୁରନ୍ତ ତାମିଲ୍‌ କଲେ। ନିର୍ଦ୍ଦିଷ୍ଟ ଅଧିକାରୀ ଜଣଙ୍କ ମୋତେ ଦାୟୀତ୍ବ ହସ୍ତାନ୍ତର କରି ମୂଳ ବିଭାଗକୁ ଫେରିଗଲେ। ସେହି ଅଫିସ୍‌ର ତତ୍‌କାଳୀନ ମୁଖ୍ୟ ପ୍ରଶାସକ ବିଭାଗୀୟ ମୂଖ୍ୟଙ୍କର ନିର୍ଦ୍ଦେଶ ତତ୍‌କାଳ ପାଳନ କଲେ ସିନା ପରୋକ୍ଷରେ ମୋତେ କୌଣସି ଅବସ୍ଥାରେ ବି ଅଧିକ କ୍ରିୟାଶୀଳ ହେବାକୁ ଚେଷ୍ଟା ନକରିବା ପାଇଁ ତାଗିଦ୍‌ କଲେ। ବଦଳି ହେଇ ଯିବା ପରେ ମଧ୍ୟ ନିର୍ଦ୍ଦିଷ୍ଟ ଅଧିକାରୀ ଜଣଙ୍କ ସର୍ବଦା ଉକ୍ତ କାର୍ଯ୍ୟାଳୟର କିଛି କର୍ମଚାରୀ, ଯେଉଁ ମାନେ ତାଙ୍କର ନିହାତି ପଖ ଲୋକ ଅଥବା ତାଙ୍କର ସମ୍ପର୍କୀୟ ଥିଲେ, ଙ୍କୁ ହାତ କରି ମୋତେ ବାରମ୍ବାର ହଇରାଣ ହରକତ କରିବାକୁ ଚେଷ୍ଟା ଆରମ୍ଭ କରିଦେଲେ। କିନ୍ତୁ ବିଭାଗୀୟ ମୂଖ୍ୟଙ୍କ ସହିତ ମୋର ଯୋଗାଯୋଗ ରହିଥିବା ଆଶା କରି ଧିରେ ଧିରେ ସମସ୍ତ କର୍ମଚାରୀ ସହଯୋଗର ହାତ ବଢେଇବାକୁ ଆରମ୍ଭ କଲେ। ସରକାରୀ ଅଧିକାରୀ ଜଣେ ନିଜ ଚଉକିରୁ କୌଣସି କାରଣରୁ ଓହ୍ଲେଇଗଲା ପରେ ସେହି ଚଉକି ଆଳରେ ତାଙ୍କ ଦେହରେ ଘସି ହେଉଥିବା ଲୋକମାନେ ଯେ ତାଙ୍କୁ ସର୍ବାଗ୍ରେ ଗୋଡରେ ଆଡେଇ ଦିଅନ୍ତି ସେହି କଥା ଅଧିକାରୀ ମାନେ ଭୁଲି ଗଲେ ଗଭୀର ମାନସିକ ଆଘାତ ପାଇଥାଆନ୍ତି। ବଦଳି ହେଇ ଯାଇଥିବା ନିର୍ଦ୍ଦିଷ୍ଟ ଅଧିକାରୀଙ୍କର ମଧ୍ୟ ସେହି ଅବସ୍ଥା ହେଲା। ସେ ରାଗରେ ରକ୍ତ ଚାଉଳ ଚୋବାଉଥାଆନ୍ତି।

            ସେହି ସମୟ ଟି ଉକ୍ତ କାର୍ଯ୍ୟାଳୟର ବ୍ୟବସାୟିକ କ୍ଷେତ୍ର ରେ ଏକ ଜଟିଳ ସମୟ ଥିଲା। କାରଣ ସେହି ବ୍ୟବସାୟିକ ବର୍ଷ ମାତ୍ର ଆଉ ମାସେ ପରେ ସ

ରିଯିବାର ଥାଏ। ସେତେବେଳେ ରାଜ୍ୟରେ ମାତ୍ର ହାତଗଣତି ତେରଗୋଟି ଜିଲ୍ଲା ଥିଲା । ତେର ଜିଲ୍ଲା ପାଇଁ ତେର ଜଣ ଙ୍କୁ ବ୍ୟବସାୟିକ ସହଯୋଗୀ ଭାବରେ କାର୍ଯ୍ୟାଳୟ ତରଫରୁ ନିଯୁକ୍ତି ଦିଆ ଯାଇଥାଏ। ସହଯୋଗୀ ମାନେ ପ୍ରତି ମାସ ଶେଷରେ ତାଙ୍କର ବ୍ୟବସାୟିକ ବିବରଣୀ ସହିତ ତାଙ୍କର ଆକଳିତ ପ୍ରାପ୍ୟ ର ଏକ ହିସାବ ଦାଖଲ କରିବାକୁ ବିଧି ବ୍ୟବସ୍ଥା ରହିଥିଲେ ମଧ୍ୟ କାଁ ଭାଁ ଜଣେ ଦୁଇ ଜଣ ଙ୍କୁ ଛାଡିଦେଲେ ଅନ୍ୟ କେହି ତାଙ୍କର ହିସାବ ଦାଖଲ କରୁ ନଥିଲେ। ଫଳରେ କାର୍ଯ୍ୟାଳୟ ନିର୍ଦ୍ଦିଷ୍ଟ ବ୍ୟବସାୟ ର ସେହି ବର୍ଷର ଲାଭ କ୍ଷତି ସଂକ୍ରାନ୍ତରେ କୌଣସି ଆକଳନ କରିବା ସମ୍ଭବ ନଥିଲା।

            ଆମ ଓଡିଆରେ ଗୋଟେ ଋଢି ରହିଛି , ବହାଘର ବେଳେ ବାଇଗଣ ରୋଇବା। ହଠାତ୍‌ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କର ମନେ ପଡିଗଲା ଯେ ବ୍ୟବସାୟିକ ବର୍ଷ ସରି ଆସୁଥିବା ହେତୁ ସହଯୋଗୀମାନଙ୍କର ବାର୍ଷିକ ହିସାବ ପ୍ରସ୍ତୁତ ହେବା ଅବଶ୍ୟକ। କିନ୍ତୁ ବିଡମ୍ବନା ଥିଲା କି ଶତକଡା ଅଶୀ ସହଯୋଗୀ ତାଙ୍କର ହିସାବ କାର୍ଯ୍ୟାଳୟକୁ ଜଣେଇ ନଥିଲେ। କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ସହଯୋଗୀଙ୍କର ମଧୁଚନ୍ଦ୍ରିକା ରହିଥିବା ଯୋଗୁଁ କାର୍ଯ୍ୟାଳୟର କନିଷ୍ଠ ଅଧିକାରୀ ମାନଙ୍କୁ ସେମାନେ ଖାତିର କରିବା ତ ଦୂର କଥା ସେମାନଙ୍କୁ ଭଦ୍ରୋଚିତ ବ୍ୟବହାର ମଧ୍ୟ କରିବାକୁ ପସନ୍ଦ କରୁ ନଥିଲେ। ଏହି ଭଳି ଏକ ଆର୍ଥିକ ଅବସ୍ଥା ସମ୍ପର୍କରେ ଜଣେ ବରିଷ୍ଠ ଅର୍ଥ ପରାମର୍ଶଦାତା ଅବଗତ ଥାଇ ମଧ୍ୟ ସମୟୋପଯୋଗୀ ପଦକ୍ଷେପ ନନେଇଥିବା ହେତୁ ବାର୍ଷିକ ହିସାବ ଆକଳନ କରିବା ଏକ୍‌ଦମ୍‌ ଅସମ୍ଭବ ପରି ପ୍ରତ୍ୟୟ ହେଲା। ମୁଁ ଏହି ସନ୍ଧିକ୍ଷଣରେ କାର୍ଯ୍ୟାଳୟର କନିଷ୍ଠତମ ଅଧିକାରୀ ହୋଇ ମଧ୍ୟ ଉକ୍ତ ହିସାବ ଆକଳନ କରିବାର ଯେଉଁ ଗୁରୁ ଦାୟୀତ୍ବ ମୋତେ ଦିଆଗଲା ତାକୁ ଦୁଇ ଜଣ ସହକର୍ମୀ ବନ୍ଧୁଙ୍କ ସହିତ ମିଶି ସମ୍ପାଦନ କରିବାକୁ ଆରମ୍ଭ କଲି। ବହୁ କଟାକ୍ଷ ଶୁଣି ମଧ୍ୟ ଆମକୁ ଆମ କାମ କରିବାକୁ ପଡିଲା ଏବଂ ଜଣଙ୍କୁ ଛାଡିଦେଲେ ପ୍ରାୟ ସବୁ ସହଯୋଗୀଙ୍କର ହିସାବ ପାଖାପାଖି ନିର୍ଦ୍ଦିଷ୍ଟ ଭାବରେ ଆକଳିତ ହୋଇପାରିଲା। ଯେଉଁ ଜଣଙ୍କର କାମ ଶେଷ ହେଇପାରୁନଥାଏ, ସେ ବରିଷ୍ଠ ଅଧିକାରୀ ମାନଙ୍କର ନିହାତି ନିକଟତର ହୋଇଥିବାରୁ ହିସାବ ଆକଳନରେ ସହଯୋଗ କରୁନଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇପାରୁ ନଥିଲା। ଏପରିକି ବ୍ୟବସାୟିକ ବର୍ଷ ପୂର୍ତ୍ତି ପରେ ମଧ୍ୟ ତାଙ୍କୁ ସହଯୋଗୀ ଭାବରେ କାର୍ଯ୍ୟ ସମ୍ପାଦନ କରିବାର ଅନାୟାସ ସୁଯୋଗ ଦିଆଯାଉଥିଲା। ପରେ ମୁଁ ସେହି ସହଯୋଗୀଙ୍କର ହିସାବ ଫର୍ଦ୍ଦ କୁ ସ୍ବତନ୍ତ୍ର ଭାବେ ତନଖି କରିବାକୁ ସୁପାରିଶ କଲି ଯାହା ମୋତେ ପ୍ରକାରାନ୍ତରେ ବରିଷ୍ଠ ଅଧିକାରୀ ମାନଙ୍କର ଆକ୍ରୋଶର ଶୀକାର କରିଦେଲା। ସମସ୍ତେ ନିଜ ନିଜର ଭୂମିକା ବ୍ୟାଖ୍ୟା କରିବାକୁ ଆରମ୍ଭ କରିଦେଇଥିଲେ । ଉକ୍ତ ହିସାବ କୁ ସ୍ବତନ୍ତ୍ରଭାବେ ତନଖି କରୁଥିବା ଦଳ ଯେତେବେଳେ କ୍ଷୟ କ୍ଷତିର ଚିଠା ହିସାବଫର୍ଦ୍ଦ ପ୍ରସ୍ତୁତ କଲେ ସେତେବେଳେ କାର୍ଯ୍ୟାଳୟର ସମସ୍ତେ ନିଜ ନିଜ ର ଦାୟୀତ୍ବ ନିଜ କାନ୍ଧରୁ ଅନ୍ୟ କାନ୍ଧକୁ ଫିଙ୍ଗିବାକୁ ଲାଗିଲେ। ଏକ ସ୍ବରରେ ସମସ୍ତେ କହିଲେ କିଛି ଦିନ ପରେ ତ କାଗଜ ପତ୍ର ଉଈ ଖାଇ ଯାଇଥାଆନ୍ତା । ହିସାବ କଣ ହେଇଥାଆନ୍ତା । ଏହି ଲୋକ ବିଭାଗୀୟ ମୂଖ୍ୟଙ୍କ ନିକଟତ୍ତର ହେବାକୁ ଯାଇ କାଗଜ ପତ୍ର ଏକାଠି ଜମେଇ ଆମ ସମସ୍ତଙ୍କୁ ଫସେଇ ଦେଲା ତେଣୁ ତା ପାଇଁ କିଛି କରିବା ନିହାତି ଜରୁରୀ। ଆରମ୍ଭ ହେଇଗଲା ମୋ ପିଠିରେ ଛୁରୀ ଭୁଷିବାର ଏକ ଅନୂଢା ପରିକଳ୍ପନା।

            ଶେଷରେ ଏହି ଘଟଣା କୁ ନେଇ ଯେଉଁ କେତେଜଣଙ୍କ ନାମରେ ଅପରାଧିକ ମାମଲା ସହିତ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେମାନଙ୍କ ମଧ୍ୟରେ ନାଟକୀୟ ଭାବରେ ମୋ ନମ ମଧ୍ୟ ଯୋଡି ଦିଆଗଲା। ମୁ ଚିଲେଇ ଚିଲେଇ ଯେତେ କହିଲି ଯେ ସେହି ନିର୍ଦ୍ଦିଷ୍ଟ ବ୍ୟବସାୟିକ ବର୍ଷରେ ମୁଁ ମାତ୍ର କୋଡିଏ କି ପଚିଶ ଟି କାର୍ଯ୍ୟଦିବସ ଉକ୍ତ ବ୍ୟବସାୟ ବୁଝିବାକୁ ଦାୟୀତ୍ବରେ ଥିଲି ଯେଉଁ ସମୟରେ ଏତେ ପରିମାଣର ଅସଙ୍ଗତି ସମ୍ପନ୍ନ ହେବା ଅସମ୍ଭବ ଥିଲା। ମୋ ପୂର୍ବ ଅଧିକାରୀ ତିନିଶହ ଚାଳିଶ ଦିନ ଦାୟୀତ୍ବରେ ରହି ଅୟସ୍ ଜୀବନ ବିତେଇ, ବିଦେଶ ଭ୍ରମଣ କରି, ଦିନେ ହେଲେ ସହଯୋଗୀ ମାନଙ୍କର ହିସାବ ତନଖି ନକରିବାରୁ ଏହି ଅସଙ୍ଗତି ଘଟେଇବାର ସୁଯୋଗ ସହଯୋଗୀ ପାଇ ପାରିଲେ । ବିତ୍ତାଧିକାରୀ ସହଯୋଗୀ ଙ୍କର ହିସାବ ମଧ୍ୟ ତନଖି କଲେ ନାହିଁ ଓ କାର୍ଯ୍ୟାଳୟ ମୂଖ୍ୟ ତାଙ୍କର ଆବଶ୍ୟକ ପର୍ଯ୍ୟବେକ୍ଷଣ କରିବାରେ ଅସମର୍ଥ ରହିବାରୁ ବା ଉପଯୁକ୍ତ ପର୍ଯ୍ୟବେକ୍ଷଣ କରିବାକୁ ହେଳା ପ୍ରଦର୍ଶନ କରିବାରୁ ସହଯୋଗୀ ହିସାବରେ ଅସଙ୍ଗତି ସୃଷ୍ଟି କରିବାରେ ଉତ୍ସାହିତ ହେଲେ। ମୋର ଏହି କଥାକୁ ତଦନ୍ତ କାରୀ ଅଧିକାରୀ କ୍ରମାଗତ ଭାବେ ଅଣଦେଖା କଲେ ଏବଂ ମୋତେ ଏକ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପଦ୍ଧତ୍ତି ମାଧ୍ୟମରେ ଦଣ୍ଡିତ କରିବାକୁ ସୁପାରିଶ କଲେ ଯଦିଚ ଅପରାଧିକ ମାମଲାର ତଦନ୍ତ କରି ମୋ ବିରୁଦ୍ଧରେ ତଦନ୍ତକାରୀ ଅଧିକାରୀ କୌଣସି ଅପରାଧିକ ମାମଲା କୌଣସି ଅଦାଲତରେ ଦାଖଲ କରିନଥିଲେ ଯାହା ପ୍ରମାଣିତ କରୁଥିଲା କି ମୁଁ ବସ୍ତୁତଃ ନିର୍ଦ୍ଦୋଶ ଥିଲି ଏବଂ ମୋତେ ଗଭୀର ଏକ ଷଡଯନ୍ତ୍ରର ଶୀକାର ହେବାକୁ ପଡିଥିଲା।

            ମୁଁ ମୋର ଆତ୍ମ ରକ୍ଷା କରିବାକୁ ଆଇନଗତ ଯୁଦ୍ଧ ଆରମ୍ଭ କରିବାକୁ ନିଷ୍ପତ୍ତି କଲି । ଦିର୍ଘ ବର୍ଷ ହେଲା ଜଣେ ଭ୍ରଷ୍ଟାଚାରୀ ଅଧିକାରୀ ର ମୋହର ସହିତ ମୁଁ ବଞ୍ଚିଆସିଛି। ଜାଣିନି ଆଗକୁ କଅଣ ଘଟିବ ବା ଆଉ କେତେ ଦିନ, ମାସ କି ବର୍ଷ ମୋ ପିଠିରେ ସେ ମୋହର ଲାଗି ରହିଥିବ। ପୁରାଣ ଚରିତ୍ର ମହାରାଣୀ ଗାନ୍ଧାରୀଙ୍କର ଆଶୀର୍ବାଦ ସୂଚକ ଏକ ବୟାନ ‘ଯାଅ ବୀର ରଣେ ଧରଣୀ ବକ୍ଷୁ ପାପରାଶି ହେଉ କ୍ଷୟ, ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମର ହେଉ ଜୟ’ ମୋତେ ଯେତିକି ସାହାସ ଦେଉଛି ସେତିକି ମଧ୍ୟ ବିବସିତ କରୁଛି। ନ୍ୟାୟ ପାଇଁ ମୋର ଯୁଦ୍ଧ ଏବେବି ସରି ନାହିଁ। ମୁଁ ଡେରି ରେ ହେଲେବି ବୁଝି ସାରିଛି ଯେ ମୁଁ ମଝି ଆକାଶରେ ନ୍ୟାୟ ଅପେକ୍ଷାରେ ତ୍ରିଶଙ୍କୁ ପରି ଲଟକି ରହିଛି ତଥାପି ନିଜର ଆତ୍ମ ସମ୍ମାନ ବଜାୟ ରଖିବାକୁ ଯୁଦ୍ଧ ଜାରି ରଖିଛି । ଜାଣିନି ମୁଁ ବଞ୍ଚିଥିବା ଅବସ୍ଥାରେ ମୋର ଟେକ ବଜାୟ ରଖିପାରିବି କି ନାହିଁ, କିନ୍ତୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ମୋ ଯୁଦ୍ଧ ଏବେବି ସରି ନାହିଁ। ( ସମାପ୍ତ)

-----------------------------------------------------------------

ଏହା ଏକ ସମ୍ପୂର୍ଣ୍ଣ ନିଜସ୍ବ ଅନୁଭୂତି ମାତ୍ର, କେହି ଦୟାକରି ଦେହକୁ ନେବାନାହିଁ କିମ୍ବା ଘଟଣାକୁ ଅଯଥା ତର୍ଜମା କରି ମଳକୁ ଘାଣ୍ଟିଘୁଣ୍ଟି ପରିବେଶକୁ ଅଧିକ ଗନ୍ଧେଇଦେବାର ଚେଷ୍ଟା କରିବାନି (ଏହି ଲେଖାଟିର ସତ୍ତ୍ବାଧିକାରୀ ସନ୍ତୋଷ କୁମାର ମିଶ୍ର )


Rate this content
Log in

Similar oriya story from Inspirational