Pranati Panda

Tragedy

4.5  

Pranati Panda

Tragedy

ଜଗା ସାର୍

ଜଗା ସାର୍

5 mins
13



ଜଗା ସାର୍ ସବୁବେଳେ କହୁଥିଲେ - ସତ୍ ମାର୍ଗରେ ଚାଲିପାରିଲେ ଜୀବନର ପ୍ରକୃତ ଅର୍ଥ ବୁଝିପାରିବ, ଦୁଃଖର ପରଛାଇ ବି ତୁମକୁ ସ୍ପର୍ଶ କରିପାରିବ ନାହିଁ। ନିଜର ପ୍ରଚେଷ୍ଟା ଜାରି ରଖିଲେ, ଦେଖିବ ଦିନେ ତୁମେ ଦିଗ୍ ବିଜୟୀ ହୋଇ ପାରିବ।

ସାର୍ ଙ୍କ ଏ କଥା ପଦକ ମତେ ସଦା ସର୍ବଦା ସତ୍ ପଥରେ ଚାଲିବା ପାଇଁ ପ୍ରେରଣା ଯୋଗାଇ ଥାଏ। ସାର୍ କୁହନ୍ତି ନିଜକୁ ନିଜେ ବୁଝିବାରେ ଯଦି ଭୁଲ୍ କର, ତେବେ ସଂସାରକୁ ବୁଝିବା ଅସମ୍ଭବ ହୋଇଯିବ।

" ଆତ୍ମ ସମୀକ୍ଷା ହିଁ ମଣିଷ ପାଇଁ ସବୁଠାରୁ ବଡ଼ ପ୍ରାୟଶ୍ଚିତ"।


ଜୀବନରେ ଜଗା ସାର୍ ଙ୍କ ପରି ଦ୍ଵିତୀୟ ଗୁରୁ ଦେଖିନାହିଁ। ଏତେ ସ୍ନେହୀ ଆମାୟିକ ବ୍ୟକ୍ତି, ଗୁରୁ କମ୍ ପିତା ବେଶି ଥିଲେ ମୋ ପାଇଁ।


ଛୋଟ ବେଳେ , ଦ୍ଵିତୀୟଶ୍ରେଣୀରେ ପଢ଼ିବା ବେଳେ ଯେଉଁଠି ଅନ୍ୟ ଗୁରୁଜୀ ମାନେ ସାମାନ୍ୟ ଭୁଲ୍ ହେଲେ ଆଣ୍ଠୁ ତଳେ ଗୋଡ଼ି ଦେଇ ଖରାରେ ଘଣ୍ଟା ଘଣ୍ଟା ଆଣ୍ଠେଇ ଦେଉଥିବା ବେଳେ , ଜଗା ସାର୍ କେତେ ଆଦରରେ କୋଳରେ ବସେଇ ଗେଲ କରି ପକେଟ୍ ରୁ କାଢ଼ି କେତେବେଳେ କାଠି ଚୁଚୁମା ତ ,ଆଉ କେତେବେଳେ ଗୋଡ଼ି ଚୁଚୁମାଟିଏ ଦେଇ ଆଙ୍ଗୁଳିରେ ବହିର ଗୋଟିଏ ଗୋଟିଏ ପୃଷ୍ଠାକୁ କାଢ଼ି କେତେ ସୁନ୍ଦର ଭାବରେ ବୁଝେଇ ଦିଅନ୍ତି ସତରେ....।


ବିଭିନ୍ନ ପୌରାଣିକ ଆଖ୍ୟାନ ଶୁଣେଇ ସବୁବେଳେ ଏକ ଆଧ୍ୟାତ୍ମିକ ପରିବେଶରୁ ଶ୍ରେଣୀର ପ୍ରାରମ୍ଭ କରି,ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କୁ ପାଠ ପଢ଼ାନ୍ତି।


ଜୀବନ ଯାତ୍ରାରେ କେତେବେଳେ କ'ଣ ଘଟିଯାଏ, ତାହା ପରିକଳ୍ପନା କରି ହୁଏନାହିଁ। କେତେବେଳେ ସମୟ କ୍ରମେ ସୁଖ ଦୁଃଖରେ ବଦଳି ଯାଏ ତାହା ଅନୁଭବ କରିବା କଷ୍ଟକର ନିଶ୍ଚିତ ଭାବରେ।


କାଲି ପରି ସମୟ କୁଆଡ଼େ ବିତି ଯାଇଛି। ହାଇ ସ୍କୁଲ୍ ପଢ଼ିଲା ସମୟରେ ବେଳେ ବେଳେ ଜଗା ସାର୍ ଙ୍କ ସହିତ ଭେଟ ହେଲେ ମୁଣ୍ଡିଆ ଟିଏ ମାରି ତାଙ୍କ ପାଦଧୂଳି

ମଥାରେ ଲଗାଇଲେ ,ସାର୍ ଖୁସିରେ କୁଣ୍ଡେଇ ପକାଇ କୁହନ୍ତି

ଏବେ କେମିତି ପଢ଼ାପଢ଼ି ଚାଲିଛିରେ ମା? ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ମନଦେଇ ପଢ଼ିବୁ ଝିଅ।

ଆହା ! ଜଗା ସାର୍ ଙ୍କ ସେଇ ଝିଅ ଡାକ ଆଉ ତାଙ୍କ ଆଦର, ସତ୍କାର କିଏ ବା' ଭୂଲି ପାରିବ?

   ସେତେବେଳର ଜଗା ସାର୍

ଆଉ ଆଜିର ଜଗା ସାର୍ ଭିତରେ କୌଣସି ଫରକ୍ ନଥିଲା ଫରକ୍ ଏତିକି ଥିଲା ସେତେବେଳେ ସେ ଜଣେ ଶିକ୍ଷକ ଥିଲା ବେଳେ ଆଜିର ଜଗା ସାର୍ ହାତରେ ଭିକ୍ଷା ଝୁଲି ଧରି ଭିକ ମାଗୁଛନ୍ତି।

ହେ !ଭଗବାନ ତୁମେ ଏମିତି ନିଷ୍ଠୁର କିପରି ହେଲ?

ନା, ଭଗବାନ ନିଷ୍ଠୁର ନୁହନ୍ତି ନିଷ୍ଠୁର ଆଜିର ଆଧୁନିକ ସମାଜ ।

ମଣିଷ ଗଢ଼ୁଥିବା ଜଗା ସାର୍ ଘରେ ନିଜର ଏକ ମାତ୍ର ପୁଅକୁ ଉଚିତ୍ ଶିକ୍ଷା ଦେବାରେ ସତେ ଯେମିତି ଭୁଲ୍ କରି ଦେଇଥିଲେ ବୋଧହୁଏ। ସବୁବେଳେ ସମସ୍ତଙ୍କୁ ଆଦର୍ଶର ପାଠ ଶିକ୍ଷା ଦେଉଥିବା ବେଳେ ନିଜର ପୁଅକୁ ହାତ ଧରି ଆଦର୍ଶର ରାସ୍ତା ଧରି ଚଲେଇବାକୁ ଭୁଲି ଯାଇଥିଲେ ବୋଧେ।


ୟା ଭିତରେ ପ୍ରାୟ ମୋର ସ୍କୁଲ୍ ଶେଷ ହେବାର ୩୫ ବର୍ଷ ବିତିଗଲାଣି, ସାର୍ ଙ୍କ ବୟସ ୮୦ ପାଖାପାଖି ହେବ, ଆଜି ହଠାତ୍ ମୋ ଦୁଆର ମୁହଁରେ କିଏ ଭିକ ମାଗୁଥିବାର ଡାକ ଶୁଣି ମୁଁ ବାହାରି ଯାଇ ଦେଖି ହତବାକ୍ ହୋଇଗଲି।

ସାର୍ ବୁଢ଼ା ହୋଇଯାଇଥିଲେ ମଧ୍ୟ ମୋର ଆଦର୍ଶ ଶିକ୍ଷକଙ୍କୁ ମୁଁ ,ଚିହ୍ନିବାରେ ଭୁଲ୍ କରି ନଥିଲି।

ସାର୍ ଙ୍କ ସହ ହଠାତ୍ ଯେ ଏପରି ଅପ୍ରତ୍ୟାଶିତ ଭାବରେ ଭେଟ ହେବ, 

ତାହା ବିଶ୍ୱାସ ମଧ୍ୟ କରି ପାରୁ ନଥାଏ।

ହଠାତ୍ ମୋ ପାଟିରୁ ବାହାରି ଗଲା

ଆପଣ ଜଗା ସାର୍ ନା??

ହଁ ରେ ମା..! କିନ୍ତୁ ତୁମେ କିଏ??


ଆମେ ଉଭୟ ପରସ୍ପର ମୁହଁକୁ ଅନେଇ କେବଳ ସ୍ଥାଣୁ ଭଳି ଠିଆ ହୋଇଥିଲୁ।

ସାର୍ ଙ୍କ ମୁହଁରୁ ତୁ ପରିବର୍ତ୍ତେ ତୁମେ ଶୁଣି ମୁଁ ,ବୁଝିଗଲି ସାର୍ ମତେ ଚିହ୍ନି ପାରିନାହାନ୍ତି ବୋଧେ।

ସାର୍ ଙ୍କୁ ପରିଚୟ ଦେଇ ଘରକୁ ଡ଼ାକି ତାଙ୍କ ଗୋଡ଼ ଧୋଇଦେଇ ଗାମୁଛାରେ ଗୋଡ଼ ପୋଛି ସୋଫାରେ ବସେଇଲି।

ସାର୍ ଙ୍କ ଅବସ୍ଥା ଦେଖି ବୁଝି ପାରିଲି ସେ ଖୁବ୍ କ୍ଳାନ୍ତ ଆଉ ଭୋକିଲା ମଧ୍ୟ।

ରୋଷେଇ ଘରକୁ ଯାଇ ମୁଁ ଗୋଟିଏ ଟ୍ରେ ରେ ଭାତ, ଡାଲି, ତରକାରି ଆଣି ସାର୍ ଙ୍କୁ ଆସ୍ତେ ଆସ୍ତେ ଖୁଆଇ ଦେବା ବେଳେ ଦୁଇ ଜଣଙ୍କ ଅଶ୍ରୁ ରେ ସତେ ଯେପରି ଧରିଣୀ ମାଆ କାନ୍ଦି ଉଠିଥିଲା ....।


ପରେ ସାର୍ ଙ୍କ ଏପରି ଅବସ୍ଥା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିବାରୁ ସାର୍ କହିଲେ, ସାର୍ ଙ୍କ ଅବସର ପ୍ରାପ୍ତ ପେନସନ୍ ଟିକକ ତାଙ୍କ ପୁଅ ନେଇଯାଏ, ପେନସନ୍ ଟିକକ ବ୍ୟାଙ୍କ୍ ରୁ ଉଠାଇବା ଗୋଟାଏ ଦିନ ଘରେ ରଖି ତା' ପର ଦିନଠାରୁ ଘରୁ ତଡ଼ିଦିଏ, ସ୍ତ୍ରୀ ମରିବାର ଦଶ ବର୍ଷ ହେଲାଣି। ସେ ମରିବା ପରେ ତାଙ୍କ ପ୍ରତି ତାଙ୍କ ପୁଅ, ବୋହୂଙ୍କ ବ୍ୟବହାର ବଦଳି ଯାଇଛି।

ଜଗା ସାର୍ କଥା କହିଲା ବେଳେ ଧକେଇ କାନ୍ଦି ଉଠୁଥାନ୍ତି।

ସାର୍ କହି ଚାଲୁଥିଲେ ଆଉ ମୁଁ ସ୍ତବ୍ଧ ହୋଇ ଶୁଣୁଥିଲି ।

ଶେଷରେ ପଚାରିଲି ସାର୍ ଭିକ୍ଷା ବୃତ୍ତି କୁ କାହିଁକି ଆପଣେଇ ନେଲେ ଆପଣ ବୋଲି।?

ସାର୍ କହିଲେ କଣ କରିବି ଝିଅ ? ପ୍ରଥମେ ପ୍ରଥମେ ଲାଜ ଲାଗୁଥିଲା, ବହୁତ ଜାଗା ଟିଉସନ୍ କରିବା ପାଇଁ ଅନେକ ଖୋଜିଛି କିନ୍ତୁ, ଆଜିର ଇଂଲିଶ୍ ମିଡ଼ିଅମ୍ ଯୁଗରେ ଓଡ଼ିଆ ଟିଉସନ୍ ପାଇଁ କେହି ରାଜି ହେଲେନାହିଁରେ ମାଆ ।

ଏ ବୁଢ଼ା ହାଡ଼ରେ ଆଉ ଖଟିବା ପାଇଁ ଶକ୍ତି ପାଇଲା ନାହିଁ।

"ଦାନ୍ତ ଦାରି ପେଟ ଭଗାରି "

ତେଣୁ କଣ କରିବି ପେଟର ଭୋକ ମତେ ଆଜି ବାଧ୍ୟ କରିଛି ଭିକ ମାଗିବା ପାଇଁ...।


କଣ କହିବି କିଛି ବୁଝି ପାରୁ ନଥାଏ ମୁଁ , ମୋର ଉଚ୍ଚ ରକ୍ତଚାପ ଥିବାରୁ ମୁଣ୍ଡ ବୁଲାଇ ଦେଉଥାଏ।

ସାର୍ ଙ୍କ ଘର ଠିକଣା କୌଣସି ପ୍ରକାରେ ଟିପି ରଖିଲି।

ସାର୍ କେବଳ ଏତିକି କହିଲେ ମୋର ଘର ଠିକଣା କେବଳ ପେନସନ୍ ଦିନ ଅର୍ଥାତ୍ ମାସର ଦଶ ତାରିଖ ଦିନ ହୋଇଥାଏ, ବାକି ଦିନ ଫୁଟ୍ ପାଥ୍ ହିଁ ମୋର ଘର।


ଜୀବନର ପ୍ରଥମ ଶିକ୍ଷା ଯାହାଠାରୁ ପାଇଥିଲି , ସ୍ନେହ ଶ୍ରଦ୍ଧା ଯାହାଠାରୁ ପାଇଥିଲି ଯାହାକୁ ମୁଁ, ସବୁବେଳେ ପିତାର ସ୍ଥାନ ଦେଇ ଆସିଥିଲି ମୋର ସେଇ ଆଦରର ସ୍କୁଲ୍ ଜୀବନର ଆଦର୍ଶ ଶିକ୍ଷକଙ୍କ ଏପରି ଦୟନୀୟ ଅବସ୍ଥା ମତେ ବିଚଳିତ କରି ଦେଉଥିଲା। ଆଜି ଯାହା କିଛି ପଢ଼ିଛି ବା ' ଯାହା କିଛି ଲେଖୁଛି ସେଇ ସାର୍ ଙ୍କ ଅବଦାନ।


କଥାବାର୍ତ୍ତା ଭିତରେ ମୁଁ ଅନୁଭବ କଲି ସାର୍ ଗୋଟାପରି ଥରୁଛନ୍ତି।

ମୁଁ ଜୀବନରେ କିଛି ଲେଖା, ଲେଖି କରି ପ୍ରଥମ ପୁରସ୍କାର ପାଇଥିବା ଶାଲ୍ ଖଣ୍ଡକ ଆଣି ସାର୍ ଙ୍କୁ ଘୋଡେ଼ଇ ଦେଇ ସାର୍ ଙ୍କ ଲୁହ ପୋଛିଦେଇ, ସାର୍ ଙ୍କୁ ବସେଇ ତାଙ୍କ ପାଇଁ ପାନ କିଣିବା ପାଇଁ ଦୋକାନ ବାହାରିଗଲି।

କିଛି ସମୟ ପରେ ପାନ ହାତରେ ଧରି ଆସି ଘରେ ଦେଖେ ତ ସାର୍ ଆଉ ନାହାନ୍ତି, ତାଙ୍କ ସ୍ୱାଭିମାନ ତାଙ୍କୁ ମୋ ,ଘରେ ରହିବା ପାଇଁ ବୋଧହୁଏ ଅନୁମତି ଦେଇ ନଥିଲା.. ।

କିନ୍ତୁ କାହିଁକି? ମୁଁ କଣ ତାଙ୍କ ଝିଅ ହୋଇ ପାରି ନଥାନ୍ତି??

 ଚାରିଆଡ଼େ ଖୋଜା ଖୋଜି କରି ସାର୍ ଙ୍କୁ ନପାଇବାରୁ , ମୋର ମନେ ପଡ଼ିଗଲା ସାର୍ ଦେଇଥିବା ଠିକଣା କିନ୍ତୁ ଆଜି ??

ଆଜି ତ ନଅ ତାରିଖ....

କାଲି ଦଶ ତାରିଖ, ସାର୍ ସେଇ ଦେଇଥିବା ଠିକଣା ସ୍ଥଳରେ ମିଳିବେ ନିଶ୍ଚିତ ଭାବରେ।

ମନେ ମନେ ସ୍ଥିର କରିଲି ଏଥର ଆଉ ସାର୍ ଙ୍କୁ ପାଖକୁ ଆଣିଲେ ଆଉ ଛାଡ଼ିବି ନାହିଁ।


ଦଶ ତାରିଖ ସକାଳୁ ସକାଳୁ ମୁଁ , ଅଟୋ ରିକ୍ସା ଧରି ପଚାରି ପଚାରି ଚାଲିଲି ସାର୍ ଦେଇଥିବା ଠିକଣା ସ୍ଥଳକୁ।


କିନ୍ତୁ, ସମୟ ସବୁଦିନ ପରି ନଥିଲା ବୋଧହୁଏ ....

ସକାଳର ସୂର୍ଯ୍ୟୋଦୟରେ ଆଜି କାହିଁକି ପରିବର୍ତ୍ତନ ମନେ ହେଉଥିଲା , କିଛି ଅଘଟଣ ଘଟିବାର ପ୍ରୟାସ ହୋଇଥିଲା ସ୍ପଷ୍ଟ ପ୍ରମାଣିତ ।


     ସଠିକ୍ ଠିକଣାରେ ପହଞ୍ଚିଲା ପରେ ଅନେକ ଲୋକ ରୁଣ୍ଡ ହୋଇଥିବାର ଦେଖି ମୁଁ , ସାମାନ୍ୟ ଦୂରରେ ଠିଆ ହେଲି।

କିଛି ସମୟ ପରେ ମୋ କାନରେ କାହାର ଅସ୍ପଷ୍ଟ ଶଦ୍ଦ ବାଜିଲା ଆହା! ମଣିଷ ପରି ମଣିଷଟିଏ ଥିଲେ ଜଗା ସାର୍ । ଏ ,କୁଳାଙ୍ଗାର ପୁଅ ଠାରୁ ଆଜି ମୁକ୍ତି ପାଇଗଲେ।😭


କେତେବେଳେ ମୋ ,ନିଜ ଅଜାଣତରେ ମୋ ,ପାଦ ଦୁଇଟି ସେ ଭିଡ଼ ଭିତରେ ପଶି ଜଗାସାର୍ ଙ୍କ ପାର୍ଥିବ ଶରୀର ପାଖରେ ପହଞ୍ଚି ସାରିଥିଲା ମୁଁ ନିଜେ ମଧ୍ୟ ଜାଣି ପାରିନଥିଲି....।


ମୁଁ,ଏ କଣ ଦେଖୁଛି ହେ! ପ୍ରଭୁ।

ମୋ ପ୍ରିୟ ଜଗା ସାର୍ ଆଉ ଏ ଦୁନିଆରେ ନଥିଲେ ଶରୀରରେ ମୁଁ , ଆଗ ଦିନ ଘୋଡେ଼ଇ ଦେଇଥିବା ଶାଲ୍ ଟି ଦେଖି ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ, ସାର୍ ଙ୍କ ଉପରେ ମୁଣ୍ଡ ରଖି କଇଁ କଇଁ କାନ୍ଦି ଉଠିଲି....।


ନିୟତି କି ଦିନ ନଦେଖାଏ ସତରେ...।

ଅବିଶ୍ବାସ ମନେ ହେଲେ ମଧ୍ୟ 

ବିଶ୍ୱାସ କରିବା ପାଇଁ ବାଧ୍ୟ ।

ଆଜି ନିଜକୁ ନିନ୍ଦା କରୁଛି, କାହିଁକି ଗତ କାଲି ମୁଁ ସାର୍ ଙ୍କ ପାଇଁ ପାନ ଆଣିବାକୁ ଚାଲିଗଲି କାହିଁକି, କାହିଁକି ??


ମନେ ମନେ ନିଜକୁ ବହୁ ଧିକ୍କାର କଲି। ଛାତିକୁ କଠୋର କରି ସାର୍ ଙ୍କ ପାର୍ଥିବ ଶରୀରକୁ ଶ୍ମଶାନରେ ଶେଷ ଦର୍ଶନ କରି ମୁଣ୍ଡିଆ ଟିଏ ମାରି ଭଗ୍ନ ହୃଦୟ ନେଇ ଚାଲି ଆସିଲି ସତ କିନ୍ତୁ ଜଗାସାର୍ କହିବା ଅନୁଯାୟୀ,


"ଆତ୍ମସମୀକ୍ଷା କରିବା ସବୁଠାରୁ ବଡ଼ ପ୍ରାୟଶ୍ଚିତ"  ଆଜି କେତେ ଦୂର ଯଥାର୍ଥ ସମୀକ୍ଷା କରିବା ପାଇଁ ବୋଧେ ମତେ ଆହୁରି ଅନେକ ସମୟ ଲାଗିବ....।

ଜୟ ଜଗନ୍ନାଥ।


 


Rate this content
Log in

Similar oriya story from Tragedy