STORYMIRROR

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Action Inspirational Others

4  

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Action Inspirational Others

ଯୁଦ୍ଧ

ଯୁଦ୍ଧ

3 mins
229

ଯୁଦ୍ଧ


       ସାରାରାତି ସେ ଅନିଦ୍ରା । ଆନନ୍ଦଙ୍କ ଚିନ୍ତା ତାକୁ ଶୁଆଇ ଦିଏନି ଆଜିକାଲି । ବୋଧହୁଏ ଏ ପୃଥିବୀରେ ଯେତିକି ଯୁଦ୍ଧ ହୋଇଛି ତା' ଠାରୁ ଅଧିକ ଆନନ୍ଦ ଓ ଅନୁଭାଙ୍କ ମଧ୍ୟରେ ହୋଇଛି । ଏଇ ଝଗଡ଼ା ଏତେ ପରିମାଣରେ ହେଲାଣି ଯେ ଅନୁଭା ଏବେ ଛାଡ଼ପତ୍ର କଥା ଉଠାଇଲାଣି । ଅନୁଭା କେତେ କ'ଣ କହି ଥାକିଯାଏ । ତା' ଆଖିର ଲୁହ ପୋଛିବାକୁ ପରିବାର ଖୁବ୍ ଦୂରରେ । ଆନନ୍ଦ ସବୁଥର ନୀରବ । ଏଇ ଆନନ୍ଦ ତା' ପ୍ରେମିକ ! ଦିନେ ଆନନ୍ଦଙ୍କ ସବୁ ସମୟ କେବଳ ତା'ର ଥିଲା । ଏବେ କାଁ ଭାଁ ଆସନ୍ତି କ୍ୱାର୍ଟରକୁ, ଯଦି କିଛିଦିନ ରହିଲେ ତ ଯୁଦ୍ଧଟିଏ ହେବା ସାର ।


        ଏମିତି ଏକ ଗୋଧୂଳିବେଳାରେ ଟିୟୁସନ୍ ଯିବା ସମୟରେ ସେ ଭେଟିଥିଲା ଆନନ୍ଦଙ୍କୁ । ପ୍ରଥମ ଦେଖାରୁ ପ୍ରେମ ! ଯେବେ ଆନନ୍ଦ ଜଣାଇଥିଲେ " ଭାରତ ମା'ର ସେବା ପାଇଁ ମୋର ଜନ୍ମ । ଭାରତୀୟ ସେନାରେ ଯୋଗ ଦେବାପାଇଁ ଏବେ ପ୍ରସ୍ତୁତ ହେଉଛି । ମୋ ଦେଶ ପାଇଁ ଏ ଜୀବନ ଉସ୍ତର୍ଗିକୃତ । ଜାଣ ଯେଉଁଦିନ ମୁଁ ଶହୀଦ ହୋଇଯିବି ; ସେଇଦିନ ମୋ ଜୀବନ ଧନ୍ୟ । ଏମିତିକା ଭାଗ୍ୟ କେତେଜଣଙ୍କୁ ମିଳେ !" ରାଗିଯାଇଥିଲା ଅନୁଭା । ତା'ର ଏମିତି ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆନନ୍ଦ । 


-' ତୁମେ ତ ସବୁ ଝିଅଙ୍କ ବ୍ୟତିକ୍ରମ ! ତୁମେ ଗର୍ବ କରିବାର କଥା । ଏତେ ରଗିଯାଉଛ କାହିଁ ?'

-' ରାଗିବିନି! ରାତିସାରା ଅନିଦ୍ରା ହୋଇ ତୁମେ ସୀମାରେ ଶତ୍ରୁଙ୍କୁ ଜଗିଥିବ; ମୁଁ ଏଠାରେ ଶାନ୍ତିରେ ଶୋଇଥିବି ? ତୁମର କିଛି ହୋଇଗଲେ ମୁଁ....' କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିଲା ଅନୁଭାର । ' ହୁଣ୍ଡି ଟେ ' କହି ମୁଣ୍ଡ ଆଉଁସି ଦେଇଥିଲେ ଆନନ୍ଦ।


       ସୈନିକ ଜ୍ବାଇଁଟିଏ ପାଇଁ ସମସ୍ତେ ଖୁସିଥିଲେ । ବାହାଘର ପରେ ଆନନ୍ଦଙ୍କ ସହ ସୁଦୂର ଜାମ୍ମୁ କାଶ୍ମୀର ଚାଲିଯାଇଥିଲା ଅନୁଭା । ସେଇଦିନଠାରୁ ଅନୁଭା ଛାତି ଭିତରେ ଗୋଟେ ଅଜଣା ଭୟ ଖାଇ ଗୋଡ଼ାଏ । ନା ଦିନଟିଏ ଭଲରେ ଶୋଇଛି ନା ଖାଇଛି । ପାଦେ ପାଦେ ଭୟ । ସୈନିକ ପତ୍ନୀମାନେ ଏଇ ଅବସ୍ଥା ଦେଇ ହିଁ ଗତି କରନ୍ତି । ଅନୁଭା ବେଳେବେଳେ ଭାବେ " ଏ ପୃଥିବୀରେ ଶତ୍ରୁ ବୋଲି କିଛି ନଥାନ୍ତା କି ! ସେ ଲୋକମାନଙ୍କର ହେଉ ବା ଦେଶମାନଙ୍କର । କେତେ ଗୁଡିଏ ଅମୂଲ୍ୟ ଜୀବନ ବଞ୍ଚି ଯାଆନ୍ତା । ଆନନ୍ଦଙ୍କ ଭଳି ଅନ୍ୟମାନେ ମଧ୍ୟ ସୀମାରେ ଦିନରାତି କଷ୍ଟ ଭୋଗୁନଥାନ୍ତେ ।"


       ସେଦିନ ଆନନ୍ଦଙ୍କ ମୁଣ୍ଡ ଫାଟି ଧାରଧାର ରକ୍ତ ବୋହୁଛି ; ବୋଧହୁଏ ବରଫରେ ଅନିର୍ଦ୍ଧିଷ୍ଟ କାଳ ଛିଡା ହୋଇ ତାଙ୍କ ପାଦ ଦୁଇଟି ଫୁଲିଯାଇଛି । ତଥାପି ସେ ଛିଡ଼ା ହୋଇଛନ୍ତି ଏବଂ ହସୁଛନ୍ତି‌ । ଯେମିତିକି କଷ୍ଟ ବୋଲି ଜିନିଷଟେ ଏ ଦୁନିଆରେ ନାହିଁ । ଆନନ୍ଦଙ୍କ ବନ୍ଧୁ କହିଦେଇଗଲେ " ରାତ୍ର ଭୋଜନ ସମୟରେ କିଛି ସନ୍ଦେହ ହେବାରୁ ଆନନ୍ଦ ଦୌଡ଼ି ଯାଇଥିଲା ବରଫାବୃତ ପାହାଡ ଉପରକୁ । ସେଇଠୁ ଗୋଡ ଖସିଯାଇ ସେ ପଡିଯାଇଥିଲା ଗୋଟେ ଗାତରେ । ଦୀର୍ଘ ୪ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି ।" ଆନନ୍ଦଙ୍କ କ୍ଷତବିକ୍ଷତ ଶରୀର ଦେଖି ଅନୁଭା ବେହୋସ୍ ହୋଇଯାଇଥିଲା । ଆନନ୍ଦଙ୍କ ଉପରେ ସେ ଏତେ ରାଗି ଯାଇଥିଲା ଯେ ଅନେକ କଥା ଶୁଣାଇ ଦେଇଥିଲା । " ସେତିକିରେ ଥାଉ ତୁମର ଏ ଦେଶସେବା । ଦୁନିଆରେ କଣ ଚାକିରୀର ଅଭାବ ଅଛି ଯେ ତୁମେ କରିପାରିବନି । ଶୀଘ୍ର ଏ ସ୍ଥାନ ଛାଡି ଚାଲ ଓଡ଼ିଶା । ତୁମର ଏମିତି ଅବସ୍ଥା ମୁଁ ପୁନର୍ବାର ଦେଖିବାକୁ ଚାହେଁନା ।" ପ୍ରତ୍ୟୁତ୍ତରରେ ସେ ପାଇଥିଲା ଗୋଟେ ଚାପୁଡ଼ା ।


      "ଦେଖ ଅନୁଭା ଏଇ ଦେଶରେ ମୋର ଜନ୍ମ । ମୋର ଭାଗ୍ୟ ! ପୁଣ୍ୟଭୂମି ଭାରତର ସୁରକ୍ଷା କରିବାର ଦାୟିତ୍ବ ମୋତେ ମିଳିଛି । ହୁଏତ ତୁମେ ଜାଣନା ମୋରି ଆଖି ସାମ୍ନାରେ ଶତ୍ରୁ ଗୁଳିରେ ଟଳି ପଡ଼ିଛି ସାଙ୍ଗ । " ଯାହାକିଛି ହୋଇଯାଉ ସାଙ୍ଗ ଶେଷ ନିଃଶ୍ୱାସ ଯିବା ଯାଏଁ ତୁ ଏଇ ଶତ୍ରୁ ମାନଙ୍କ କବଳରୁ ମୋ ଭାରତ ମା କୁ ସୁରକ୍ଷିତ ରଖିଥିବୁ" ଏଇ ଶେଷ ବାକ୍ୟଟି କହି ସେ ମୋରି କୋଳରେ ଆଖି ବୁଜିଛି । ସୈନିକମାନେ ଯଦି ନଥାନ୍ତେ ତ ଶତ୍ରୁମାନେ ଏ ଦେଶକୁ କେବେଠୁ ଛାରଖାର କରିସାରନ୍ତେଣି । ଏମିତି ବି ହୋଇପାରେ ଦିନେ ଶତ୍ରୁ ତୁମ ଆଖି ଆଗରେ ଛିଡା ହୋଇଥିବ । ଏତେ ସ୍ୱାର୍ଥପର ହୁଅନି ଅନୁଭା । ମୁଁ କିଏ ! ମୋରି ପରି କେତେ ମଣିଷ ଏ ଦେଶ ପାଇଁ ଜୀବନ ଦେଇସାରିଛନ୍ତି । ଏଇ ଟିକେ କ୍ଷତ ବିକ୍ଷତ ଶରୀର ଦେଖି ନିଜ ଦେଶକୁ ନେଇ ଏମିତି କୁହନା । ମୁଁ ଜାଣେ ତୁମେ ମୋତେ ଭଲପାଅ; ମୋର ଏ ଅବସ୍ଥା ଦେଖି ତୁମେ ଖୁବ୍ ରଗିଯାଅ । କିନ୍ତୁ ଗର୍ବ କର ଅନୁଭା ଗର୍ବ କର ଏଇ ଦେଶରେ ତୁମ ଜନ୍ମ ଏବଂ ଏଇ ଦେଶର ସେବା ପାଇଁ ତୁମ ସ୍ବାମୀ ନିୟୋଜିତ । ମୋର ମୃତ୍ୟୁକୁ ଯେତେ ଭୟ ନାହିଁ ମୋ ଦେଶ ଖଣ୍ଡବିଖଣ୍ଡିତ ହୋଇଯିବାର ଭୟ ଖୁବ୍ ବେଶୀ । ମୁଁ ଚାହେଁ ଏଇ ଦେଶର ସେବା କରୁ କରୁ ହିଁ ମୋର ପ୍ରାଣ ଚାଲିଯାଉ ।"


       

       ଚୁପ୍ ହୋଇ ଯାଇଥିଲା ଅନୁଭା । ଆନନ୍ଦଙ୍କ ଦେଶପ୍ରୀତି ନିକଟରେ ସେ ହାରି ଯାଇଥିଲା । ସ୍ୱାଭାବିକ ଭାବେ ତା' ପାଟିରୁ ବାହାରି ଆସିଲା 'ହେ ଈଶ୍ୱର ! ମୋ ପାଇଁ ନହେଲେ ପଛେ ଏଇ ଆନନ୍ଦଙ୍କ ଭଳି ମଣିଷମାନେ ଭାରତ ମା' କୋଳରେ ଜନ୍ମ ନେଉଥାନ୍ତୁ ପ୍ରତିଥର ।' ମୋ ସୁନାଟା କହି ଆନନ୍ଦ ପୋଛି ଦେଇଥିଲେ ଅନୁଭା ଆଖିର ଲୁହ । ଗୋଟେ ଯୁଦ୍ଧର ଅନ୍ତ ଘଟିଥିଲା ସେଇଠି ।


రచనకు రేటింగ్ ఇవ్వండి
లాగిన్

Similar oriya story from Action