Srimani Priyadarsini

Others

3  

Srimani Priyadarsini

Others

ଦୁର୍ଗା

ଦୁର୍ଗା

2 mins
225


ଷ୍ଟେସନ ରାସ୍ତାରେ ତା'ର ବାର ବର୍ଷର ଝିଅକୁ ଧରି ଖାଲି ହାତ ବଢ଼ାଇ ଯିବା ଆସିବା କରୁଥିବା ଲୋକଙ୍କୁ ଭିକ ମାଗୁଥିଲା ଦୁର୍ଗା । କେହି କେହି ସହୃଦୟ ବ୍ୟକ୍ତିମାନେ ଦୟାକରି ଟଙ୍କା ବଢ଼ାଇ ଦେଉଥିବାବେଳେ କେହି କେହି ତାକୁ ଦୂର୍ ଦୂର୍ ମାର୍ ମାର୍ କରୁଥାନ୍ତି । ଯେଉଁମାନେ କିଛି ଦେଉନଥିଲେ କି ତାକୁ ଦୂରେଇ ଯାଆ କହୁନଥିଲେ, ସେମାନେ କାହିଁକି ତା'ର ଛୋଟ ଝିଅକୁ ଭିନ୍ନ ଏକ ଦୃଷ୍ଟିରେ ଚାହିଁ ଚାଲିଯାଉଥିଲେ ସେ ବିଷୟରେ ସେ ଥିଲା ଅଜ୍ଞାତ ।

ନିତିଦିନ ଏମିତି ତା'ର ଝିଅକୁ ଚାହୁଁ ଥିବା ଲୋକଙ୍କ ଉପରେ ଦୁର୍ଗାର ଘୃଣା ଭାବ ଆସିଯାଇଥିଲା । ଚାହିଁ କରି ମଧ୍ୟ ଅନ୍ୟ ଏକ ସ୍ଥାନକୁ ଯାଇପରୁନଥିଲା କି ସେଇ ଲୋକମାନଙ୍କ ଅଢ଼ୁଆଳରୁ ତା'ର ଝିଅକୁ ଲୁଚାଇ ରଖି ପାରୁନଥିଲା ।

କିଏ ଜଣେ ବାବୁ ଆସିଥିଲେ । ତା'ର ଝିଅକୁ ଦେଖି ନିଜର ଝିଅ କରି ରଖିବା ପାଇଁ ଦୁର୍ଗାକୁ ଅନୁମତି ମାଗିଲେ । ଦୁର୍ଗା ଭାବୁଥିଲା - ରଖନ୍ତୁ, ଝିଅଟା ମୋର ଭଲ ଖାଇବ, ଭଲ ପିନ୍ଧିବ ଓ ପାଠ ପଢି ଭଲ ମଣିଷ ହେବ । ପଇସା ଦେଉଥିବା ବାବୁଙ୍କୁ ମନା କରି ତାଙ୍କ ହାତକୁ ନିଜ ଝିଅକୁ ଟେକି ଦେଇଥିଲା ଦୁର୍ଗା ଏବଂ ବାବୁ ଜଣକ ତା'ର ଝିଅକୁ ନେଇଯାଇଥିଲେ ଦୁର୍ଗା ଠାରୁ ଦୂରକୁ ଦୂରକୁ !

ସେଦିନ ଥିଲା ଦଶହରା । ଦେବୀ ଦୁର୍ଗା ପାପି ମାନଙ୍କ ବିନାଶ ପାଇଁ ମର୍ତ୍ତ୍ୟକୁ ଓହ୍ଲାଇ ଆସିଥିଲେ । ଚାରିଆଡେ ଦୁର୍ଗାଙ୍କ ଆଗମନ ପାଇଁ ଥିଲା ଖୁସିର ମହୋଲ ! ଏ ଆନନ୍ଦର ଦିନରେ ଦୂର୍ଗାର ମା ମନ ତା'ର ଝିଅକୁ ଦେଖିବା ପାଇଁ କୁରୁଳି ଉଠିଲା । ଭିକ ମାଗି ରଖିଥିବା ପଇସାରେ କିଛି ମିଠେଇ କିଣି ଆଣି ସେ ବାବୁ ଘର ଠିକଣା ପଚାରି ପଚାରି ଚାଲିଲା ।

ତା ଦେହରେ ଦେବୀ ଦୁର୍ଗାଙ୍କ ଶକ୍ତି ଆସିଗଲା, ଯେତେବେଳେ ସେ ଦେଖିଲା ସେଇ ବାବୁ ଜଣକ ତା ସାମ୍ନାରେ ଟଙ୍କା ପନ୍ଦର ହଜାର ପାଇଁ ତା'ର ବାରବର୍ଷର ଝିଅକୁ ଏକ ମଦ୍ୟପ ବୟସ୍କ ଲୋକ ସହ ବାହା କରିଦେଉଥିଲା । ତା'ର ଝିଅ ହାତଯୋଡି ଅନେକ ଅନୁରୋଧ ଓ କାନ୍ଦି କାନ୍ଦି ନୟାନ୍ତ ହୋଇଯାଇ ପଡ଼ିଥିଲା, ଯାହାକୁ ବାବୁ ଜଣକ ଅଣଦେଖା କରି ଖୁସିରେ ଟଙ୍କା ଗୁଡ଼ିକୁ ଗଣୁଥିଲା । ମଦ୍ୟପ ଲୋକଟି ତାର ଝିଅକୁ ଘୋଷାଡି ନେଇ ଚାଲି ଯାଉଥିଲା ।

ଯେତେବେଳେ ଦୁର୍ଗା ପାଖରେ ପଡିଥିବା କଟୁରୀ ଦ୍ଵାରା ମହିଷାସୁର ରୂପୀ ବାବୁକୁ ମାରି ସାରିବା ପରେ, ସେଇ ମଦ୍ୟପ ଲୋକକୁ ମାରିଦେଲା । ଦେଖଣାହାରୀଙ୍କ ହାତ ତା' ପାଇଁ ଆପେ ଆପେ ଯୋଡ଼ି ହୋଇ ଆସୁଥିଲା ।

କୋମଳ କଣ୍ଠରେ ତାର ଝିଅର ହାତ ଧରି ଚାଲି ଯାଉ ଯାଉ କହିଲା - ତୋ'ର ଭବିଷ୍ୟତ ପାଇଁ ଏହା ମୋର ଏକ ଭୁଲ୍ ଥିଲା । କିନ୍ତୁ, ଷ୍ଟେସନ ରାସ୍ତାରେ ତୋ' ସହ ମିଶି ଭିକ ମାଗିବା ମୋ ପାଇଁ ସବୁଠାରୁ ସୁଖଦ ମୁହୂର୍ତ୍ତ ଥିଲା....! 



Rate this content
Log in