Srimani Priyadarsini

Children Stories Inspirational Others

4.7  

Srimani Priyadarsini

Children Stories Inspirational Others

ମାଆର ପ୍ରଥମ ସ୍ପର୍ଶ

ମାଆର ପ୍ରଥମ ସ୍ପର୍ଶ

4 mins
362



 କଣ ହେଲା ? ଗର୍ଭରେ ଥିବା ଝିଅ କୁ ବଞ୍ଚେଇବୁ ! ହାୟରେ ତୋ ପୋଡ଼ା ଭାଗ୍ୟରେ ଏଇଆ ଥିଲା । ମଲା ମୋ ବଂଶ ବୁଡିବ ଏବେ । ରାଗ ଗରଗର ହୋଇ ବୋହୂ ସୁନୀତା ଙ୍କୁ ତାଙ୍କର ଶାଶୁ ଗାଳି କରି ଚାଲିଥାନ୍ତି । କାହିଁକି ନା ସୁନୀତା ଚାହୁଁ ନଥିଲେ ତାଙ୍କ ଗର୍ଭରେ ଥିବା ଶିଶୁକନ୍ୟାକୁ ନଷ୍ଟ କରିବା ପାଇଁ । ସୁନୀତା କାନ୍ଦି କାନ୍ଦି ଫୋନ୍ ରଖି ଦେଲେ । ତିନି ତିନି ଥର କନ୍ୟା ଭ୍ରୁଣ ହତ୍ୟା ପରେ, ବହୁ କଷ୍ଟରେ ଗର୍ଭରେ ଥିବା ଏ ଶିଶୁ କନ୍ୟାଟିକୁ ବଞ୍ଚାଇବାକୁ ଚାହୁଁଛି । ତଥାପି, ଶାଶୁଘର ଲୋକ..! ନା, ଯେମିତି ହେଲେ ତୋତେ ବଞ୍ଚାଇବି କହି ସୁନୀତା କାନ୍ଦି ପକାନ୍ତି ।

  ସୁନୀତା ଙ୍କ ସ୍ବାମୀ ସମୀର ଡାକ୍ତରଙ୍କ ସହ ସୁନୀତା ପାଖକୁ ଆସନ୍ତି । ଡାକ୍ତର କହୁଥାନ୍ତି " ଦେଖନ୍ତୁ ଏପରି ଶିଶୁ ନଷ୍ଟ ଭଳି ଘୃଣ୍ୟ କାମ କରନ୍ତୁନି, ନହେଲେ ମୁଁ ଆଇନ୍ ର ଆଶ୍ରୟ ନେବି । ମୁଁ ରାକ୍ଷସ ନୁହଁ ଯେ ଗର୍ଭରେ ଥିବା ଶିଶୁ କନ୍ୟା ର ହତ୍ୟା କରିବି...!" ସମୀର କହୁଥାନ୍ତି -" ସାର୍, କେହି ଚାହୁଁ ନାହାନ୍ତି ଝିଅଟିଏ ହେଉ ବୋଲି, ପ୍ଲିଜ୍ ସାର୍ ପ୍ଲିଜ୍ " । ଡାକ୍ତର ରାଗି ଯାଇ ସମୀର ଓ ସୁନୀତା ଙ୍କୁ ତାଙ୍କ କ୍ଲିନିକ୍ ରୁ ଚାଲିଯିବାକୁ କୁହନ୍ତି । ସମୀର ସୁନୀତା ଙ୍କ ଉପରେ ଚିଡି ଯାଇ କୁହନ୍ତି -" କେହି ଡାକ୍ତର ବି ଚାହୁଁ ନାହାନ୍ତି, କ'ଣ କରିବି ।"

  ସୁନୀତା କହୁଥିଲେ " କଣ ତୁମେ ଚାହୁଁଛ ପୁଣି ନିଜ ଶିଶୁ ର ହତ୍ୟା କରିବା ପାଇଁ ? ଯିଏ ଦୁନିଆ କଣ ଜାଣିନି ? ଏଥର ଝିଅ ହେବ ହିଁ ହେବ । କେହି କିଛି କରିପାରିବନି ମୋର ।" ସମୀର ଆଉ କିଛି ନକହି ସୁନୀତା ଙ୍କୁ ନେଇ ଘରକୁ ଚାଲି ଆସନ୍ତି । ଘରେ ପହଞ୍ଚୁ ପହଞ୍ଚୁ ସୁନୀତା ଙ୍କ ଶାଶୁ ମଧ୍ୟ ପାଟି ତୁଣ୍ଡ କରିବା ଆରମ୍ଭ କରିଦେଲେ । ସୁନୀତା ନିଜ ବେଡ୍ ରୁମ୍ କୁ ଯାଇ ହାତ ଦୁଇଟିରେ ମୁହଁକୁ ଲୁଚେଇ କାନ୍ଦିଲେ । କଣ ସେ ପାପ କରୁଛି, ଶିଶୁକନ୍ୟା କୁ ଗର୍ଭରେ ରଖି ? ଏହା କହି ସୁନୀତା ତାଙ୍କ ଗର୍ଭ କୁ ଆଉଁସି ଦେଲେ ।

  ଗର୍ଭରେ ଥିବା ଶିଶୁକନ୍ୟା ଟି ସବୁ ଲକ୍ଷ୍ୟ କରୁଥିଲା । ସୁନୀତା ର କ୍ରନ୍ଦନ ଜାଣିପାରି କହିଲା," ଏ କିଏ ? ଏ କାହିଁ କାନ୍ଦୁଛି ? ମୁଁ କଣ ତାକୁ କଷ୍ଟ ଦେଉଛି କି ! କହି ଗୋଇଠା ଟିଏ ମାରିଲା ।" ଶିଶୁକନ୍ୟା ପେଟ ଭିତରେ ରହି ଗୋଇଠା ଟିକେ ମାରିବାରୁ ସୁନୀତା ଙ୍କ କାନ୍ଦ ବନ୍ଦ ହୋଇଗଲା , ସେ ହସିଦେଲେ । ଶିଶୁ କନ୍ୟା ଟି ସୁନୀତା ଙ୍କ ହସ କୁ ଅନୁଭବ କରି ଚକିତ ହୋଇଗଲା । ଏଁ ୟେ ପରା ଟିକେ ଆଗରୁ କାନ୍ଦୁଥିଲା, ପୁଣି ହସିଲାଣି ।"

 ଏ ଅନ୍ଧାରୁଆ ଜାଗାରେ ରହି ଅତିଷ୍ଟ ହୋଇଗଲିଣି । ବାହାର କର ହେ ମୋତେ । କେହି ଶୁଣୁନ କଣ ପାଇଁ ? ସେତିକିବେଳେ ସୁନୀତା ର ଶାଶୁ ଆସି ତାକୁ ବହୁକଥା ଶୁଣାଉଥିଲେ । ଶିଶୁକନ୍ୟା ଟି ଭାବୁଥିଲା -" ଏ ବୁଢ଼ୀ କିଏ ବା, ଏତେ ଗପି ଚାଲିଛି ! ଚୁପ୍ ରହିବାର ନା ବି ଧରୁନି । ଏଁ, ଏ ପୁଣି କାନ୍ଦିଲା କଣ ? ସୁନୀତା ର ଶାଶୁ କହୁଥିଲେ -" ଜନମ କଲେ ଏ ଝିଅ କୁ କୋଉଠି ପକେଇ ଦେବୁ, ଆମର ଲୋଡା ନାହିଁ ଝିଅ । ଶିଶୁକନ୍ୟା ଟି ସୁନୀତା ଶାଶୁ ର କଥା ଜାଣିପାରି କହିଲା -" ବୁଢ଼ୀ କଣ କହିଲୁ, ମୋତେ କୋଉଠି ପକେଇ ଦେବୁ ! ତୋର ଏତେ ସାହସ, ରହ ମୁଁ ଆଗ ବାହାରକୁ ଯାଏ ତୋ କଥା ବୁଝୁଛି ।"

 

  ଶିଶୁକନ୍ୟା ଟି " ଓଃ ଆଉ କେତେଦିନ ରହିବି ଏ ଅନ୍ଧାରୁଆ ଜାଗାରେ, କହୁଥିବା ବେଳେ ତାକୁ ଲାଗିଲା କେହି ଜଣେ ଦୌଡୁଛି । ସେ ଜାଣିଗଲା ଯେ ଯିଏ ତାକୁ ଏ ଅନ୍ଧାରୁଆ ସ୍ଥାନରେ ରଖିଛି ସେ ହିଁ ଦୌଡୁଛି । " ରୁହ ହେ, ଏମିତି ଦଉଡ଼ିଲେ ମୋ ହାତ ଗୋଡ ଭାଙ୍ଗି ଯିବ ପରା, ରହିଯାଅ ରହିଯାଅ !"ସୁନୀତା ତାର ଶାଶୁଘର ଲୋକ ଗର୍ଭରେ ଥିବା ଶିଶୁ କନ୍ୟା କୁ ମାରିବା ପାଇଁ ଯୋଜନା କରୁଥିବା ବେଳେ କୌଣସି ମତେ ଜାଣି ଦେଇଥିଲା । ସେଥିପାଇଁ ଲୁଚି କରି ଦୋୖଡି ଦୋୖଡି ଆସି ତାର ବାପ ଘରେ ପହଞ୍ଚି ଯାଇଥିଲା ।

ବାପା, ମାରିଦେବେ ମୋ ଝିଅକୁ । କିଛି ଉପାୟ ନଥିଲା ତେଣୁ ଚାଲି ଆସିଲି , କହି ସୁନୀତା କାନ୍ଦିବାକୁ ଲାଗିଲେ । ସୁନୀତା ଙ୍କ ବାପା ତାର ଆଖିରୁ ଲୁହ ପୋଛି କହିଲେ -" କ୍ଷମା କରିବୁ ମାଆ, ମୋର ଭୁଲ୍ ତୋତେ ଏଭଳି ଘରେ ବାହା ଦେଇଥିବାରୁ । ତୁ ଚିନ୍ତା କରନା ମାଆ, ତୋ ବାପା ବଞ୍ଚିଛି । ତୋର କିଛି ବି ଅସୁବିଧା ହେବନି । ତୁ ଆରାମ ରେ ରହ । ଆଉ ମାତୃତ୍ବ ଲାଭ କରି, ମାଆ ଡାକ ଶୁଣ ।"

  

  ସୁନୀତା ର ବାପା ଏତିକି କହି ସୁନୀତାର ଗର୍ଭରେ ଥିବା ଶିଶୁକନ୍ୟା କୁ କୁହନ୍ତି -" ଆମ ମହାରାଣୀ କେବେ ଆସୁଛନ୍ତି ? ମୁଁ ଅଜା ଡାକ ଶୁଣିବା ପାଇଁ ବହୁତ ବ୍ୟାକୁଳ ହେଲିଣି ।" ତାଙ୍କ କଥା ଶୁଣି ଶିଶୁକନ୍ୟା ଟି ଖୁସିରେ ଗୋଇଠା ଗୋଟେ ମାରିଲା । ସୁନୀତା ର ବାପା ହସି ହସି ଚାଲିଯାନ୍ତି । ଶିଶୁକନ୍ୟା ଟି ଶେଷରେ ଜାଣି ଗଲା ଯେ - " ଏ ଅନ୍ଧାରୁଆ ଘରେ ମୋତେ ଯିଏ ରଖିଛି, ସେ ମୋର ମାଆ । ଆରେ ! ମୋର ମାଆ ମୁଁ ଝିଅଟିଏ ବୋଲି ଏତେ କଷ୍ଟ ସହୁଛି । କେବେ ସେମାନଙ୍କୁ ପାନେ ଚଖେଇବି ରୁହ ।"

   କିଛି ଦିନ ପରେ ଶିଶୁକନ୍ୟା ଟି ପେଟ ଭିତରେ ରହି ବିରକ୍ତ ହୋଇଗଲା । ଅର୍ଥାତ୍ ସୁନୀତା ର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଗଲା । ସୁନୀତା ର ବାପା ତାକୁ ମେଡିକାଲ୍ ନେଇ ଯାଆନ୍ତି । ଶିଶୁକନ୍ୟା ମଧ୍ୟ ଜାଣିଗଲା ଯେ ତାର ମଧ୍ୟ ଏବେ ଦୁନିଆ ଦେଖିବାର ସମୟ ଆସିଗଲା । ଖୁସି ହୋଇ ହସି ପକେଇଲା । ଏହାପରେ ନିଜକୁ ଆବିଷ୍କାର କଲା ଜଣକ କୋଳରେ ! "ଏ କିଏ ! ଏତେ ସୁନ୍ଦର ଆଖି, ତଥାପି ଆଖିରୁ ଲୁହ ବହି ଚାଲିଛି । ଏ ସେଇ ନୁହେଁ ତ, ଯିଏ ମୋତେ ଅନ୍ଧାରୁଆ ଜାଗାରେ ରଖି କାନ୍ଦୁଥିଲା । ଆରେ ହଁ ! ୟେ ପରା ମୋର ମାଆ ।" ସୁନୀତା ନିଜ ଶିଶୁକନ୍ୟା ର ମୁଣ୍ଡ ଆଉଁସି ଦେଇ ତାର ମଥାରେ ଏକ ଚୁମ୍ଭନ ଦେଇ ହସିଦେଲେ । ମାଆର ପ୍ରଥମ ସ୍ପର୍ଶ ପାଇ ମଧ୍ୟ ଶିଶୁକନ୍ୟା ଟି ହସୁଥିଲା ଏକ ମନଲୋଭା ହସ ।



Rate this content
Log in