STORYMIRROR

ବୀଣା ନାୟକ

Abstract Drama Others

4  

ବୀଣା ନାୟକ

Abstract Drama Others

ଜୀବନ ନାଟକ

ଜୀବନ ନାଟକ

12 mins
7


      ଚନ୍ଦନପୁର ଗାଁ ର କାହାଣୀ ସେହି ଗାଁରେ ଗୋଟିଏ ଗରିବ ପରିବାର ବାସକରନ୍ତି। ରଘୁନାଥ ଆଉ ତାର ସ୍ତ୍ରୀ କମଳା। ଦୁଇ ପୁଅ ଆଉ ଗୋଟିଏ ଝିଅ 

ସବା ବଡ଼ ପୁଅ ରାଜକୁମାର ଏଗାର କ୍ଲାସ ଯାଏ ଗାଁ ସ୍କୁଲରେ ପାଠ ପଢ଼ିସାରିବା ପରେ ଆଉ ଅଧିକ ପଢ଼ାଇବାର ସମ୍ବଳ ରଘୁନାଥ ପାଖରେ ନଥିଲା କାରଣ ରଘୁନାଥ ଜଣେ ରାଜମେସ୍ତ୍ରୀ ଦିନ ମଜୁରୀଆ ଭାବରେ କାମ କରୁଥିଲେ। ଗାଁରେ ଅଳ୍ପ କିଛି ଜମି ବାଡ଼ି ଥିଲା ଯୋଉଥିରେ ବର୍ଷକର ଅମଳ ତାଙ୍କ ଘର ଚଳିବା ପାଇଁ ଆସିଯାଉଥିଲା ଯେନ କେନ ପ୍ରକାରେ ରଘୁନାଥର ଘର କଷ୍ଟେ ମଷ୍ଟେ ଚଳୁଥିଲା। ରାଜକୁମାରର ଭାଇ ଭଉଣୀ ତାଠାରୁ ପ୍ରାୟ ଛ ଠାରୁ ଆଠ ବର୍ଷ ଛୋଟ ଥିଲେ। ସେ ଦୁଇ ଜଣ ଏବେ ଗାଁ ସ୍କୁଲରେ ପଢୁଥାନ୍ତି। ରାଜକୁମାର ଗାଁରେ କୋଉଠି କିଛି କାମ କରି ରୋଜଗାର କରିବା ପାଇଁ ବହୁତ ଚେଷ୍ଟା କରିଛି। ଗାଁରେ କିରାଣୀ ଦୋକାନରେ କାମ ଥିଲା, ନଚେତ ଜମିରେ ମଜୁରୀ କରିବା କାମ ଥିଲା ଯୋଉ କାମକରି ରାଜକୁମାର ଭବିଷ୍ୟତରେ ପରିବାର ପରିପୋଷଣ କରିବାଟା ବହୁତ କଷ୍ଟ କର ଥିଲା ଏହି ସବୁ କଥାକୁ ଚିନ୍ତା କରି ରାଜକୁମାର ନିଜ ବାପା ମାଆଙ୍କ ଅନୁମତି ନେଇ ସହର ଅଭିମୁଖେ ବାହାରି ପଡିଲା। ଏହି ସମୟରେ ରାଜକୁମାରକୁ କେବଳ ଗୋଟିଏ ଚିନ୍ତା ଘାରିଥିଲା ସେଇଟା ହେଲା ତାର ପରିବାର ସହ ନିଜ ଭବିଷ୍ୟତ କଥା ତାକୁ ବହୁତ ଚିନ୍ତାରେ ପକାଇ ଦେଇଥିଲା ତାସହ ସହରରେ କୋଉଠି କାମ ମିଳିବ କେମିତି ଚଳିବ ଏମିତି ଅନେକ କଥାକୁ ନେଇ ରାଜକୁମାର ଟିକିଏ ବିବ୍ରତ ହୋଇପଡୁଥିଲା। ରାଜକୁମାର କିଛି ଦିନ ଯାଏ ସହରରେ କାମ ପାଇଁ ଏପଟ ସେପଟ ହେଇ କେବଳ ବୁଲିବାକୁ ଲାଗିଲା କିନ୍ତୁ କେହି ହେଲେ ତାକୁ କାମ ଦେଲେନି କି କୋଉଠି କାମ ମିଳିଲା ନାହିଁ। ତାର ଆହୁରି ଗୋଟିଏ ଅସୁବିଧା ମଧ୍ୟ ହେଲା ସେ ସହରରେ ରହିବାର କୋଉଠି ଠିକ ଠିକଣା ନଥିଲା। ଘର ଭଡା ନେବାପାଇଁ ହାତରେ ପଇସା ନଥିଲା। କୋଉଠି କେମିତି କିଛି ଖାଇଦେଇ ଯୋଉଠି ପାରିଲା ସେଇଠି ଟିକିଏ ଶୋଇ ଯାଉଥିଲା।

    ଦିନେ ରାଜକୁମାର ସହିତ ଅଭୟ ନାମକ ଜଣେ ଯୁବକ ସହ ସାକ୍ଷାତ ହେଲା, ଯିଏକି ଏବେ କିଛି ମାସ ପୂର୍ବରୁ ଗାଁରୁ ସହରକୁ ଆସିଥିଲା ଏମିତି କଥା ବାର୍ତ୍ତା ଭିତରେ ରାଜକୁମାର ତାର ଦୁଃଖ କଥା ସବୁ ତାକୁ ଶୁଣାଇଲା। ଏହି ସବୁ ଅଭୟ ଶୁଣି ସାରିବା ପରେ କହିଲା ସେ ଏବେ ମାସ ମାସ ଧରି ବୃଦ୍ଧ ରୋଗୀଙ୍କୁ ଦେଖ ରେଖ କରିବା କାମ କରୁଛି ଆଉ ଏଇଥି ପାଇଁ ସେ ଗୋଟିଏ ମାସ ଟ୍ରେନିଙ୍ଗି ନେଇ ସାରିବା ପରେ ଏହି ସହରରେ ବୃଦ୍ଧ ରୋଗୀଙ୍କ ଦେଖ ଭାଲ କରିବା କାମ କରୁଛି। ସେ ରାଜକୁମାରକୁ କହିଲା ଯଦି ତୁମେ ଚାହିଁବ ତାହେଲେ ଗୋଟିଏ ମାସ ଟ୍ରେନିଙ୍ଗି ପରେ ତୁମେ ମଧ୍ୟ ସେହି କାମ କରିପାରିବ ଏଇଥିପାଇଁ ମୁଁ ତୁମକୁ କିଛି ସହଯୋଗ କରି ପାରିବି ତା ଛଡା ଚବିଶ ଘଣ୍ଟା ବୃଦ୍ଧ ରୋଗୀଙ୍କ ଦେଖ ରେଖ କରିବା କାମ କରିଲେ ଗୋଟିଏ ଭଲ ସୁବିଧା ଅଛି ଯାହାକି ରହିବା ଆଉ ଖାଇବା ସବୁ ମାଗଣା ରେ ମିଳିବ ଆଉ ପାରିଶ୍ରମିକରୁ ପ୍ରାୟତ ଖର୍ଚ୍ଚ ହେବନି। ଏହି କଥା ଅଭୟ ପାଖରୁ ଶୁଣି ସାରିବା ପରେ ରାଜକୁମାରକୁ ଏହି କାମଟା ନିଜ ପାଇଁ ବହୁତ ଉପଯୁକ୍ତ ଲାଗିଲା କାହିଁକିନା ଏହି କାମରେ ତାକୁ ରହିବା ଆଉ ଖାଇବା ପିଇବା ସମସ୍ୟାର ସମାଧାନ ମଧ୍ୟ ହୋଇ ଯିବ। ରୋଗୀକୁ ଦେଖ ରେଖ କରିବା ପାଇଁ ଟ୍ରେନିଙ୍ଗ ନେବା ସମୟରେ, ରାଜକୁମାର ଅଭୟ ସହିତ ତାଙ୍କ ଭଡା ଘରେ ରହିଥିଲା। ଏବେ ସେ ଦୁଇଜଣ ବହୁତ ଭଲ ବନ୍ଧୁ ହେଇଗଲେଣି। ରାଜକୁମାର ଅଭୟଙ୍କୁ ଘର ଭଡାର ଅଧା ଆଉ ଖାଇବା ପିଇବା ବାବଦକୁ ଅଧା ପଇସା ଠିକ ସମୟରେ ଦେଇ ଦେଉଥିଲା।

   ଏବେ ରାଜକୁମାରର ଗୋଟିଏ ମାସର ଟ୍ରେନିଙ୍ଗି ଶେଷ ହେଇଗଲା ଆଉ ଅଭୟ ତାଙ୍କୁ ନେଇ ସେହି ସଂସ୍ଥାର ମୁଖିଆଙ୍କ ସହିତ ପରିଚୟ କରାଇବା କାର୍ଯ୍ୟ ମଧ୍ୟ ସାରି ଦେଇଥିଲେ ଯେଉଁ ସଂସ୍ଥାରେ ମୂଳ ଦରମା ପଇସାରୁ କମିଶନ କାଟି ରଖି ଟ୍ରେନିଙ୍ଗି ସାରିଥିବା ଲୋକଙ୍କୁ ବୃଦ୍ଧ ରୋଗୀର ସେବା ନିମନ୍ତେ ହସ୍ପିଟାଲ କିମ୍ବା ରୋଗୀଙ୍କ ଘରେ ନିୟୋଜିତ କରନ୍ତି। ସେହି ସଂସ୍ଥା ମାସ ଶେଷରେ ମୂଳ ଦରମା ମିଳିଲା ପରେ ତାଙ୍କ କମିଶନ ହିସାବ କରି ସେଥିରୁ କିଛି ପଇସା କାଟି ରଖିଦିଅନ୍ତି। ଏହି ବ୍ୟବସ୍ତା ହେତୁ ଟ୍ରେନିଙ୍ଗି ନେଇଥିବା ଲୋକଙ୍କୁ କୋଉଠି କାମ ଖୋଜିବା ଦାୟିତ୍ୱରୁ ମୁକ୍ତି ମିଳିଯାଏ।

     ସେହି ସଂସ୍ଥା ରାଜକୁମାରର ଟ୍ରେନିଙ୍ଗି ସରିବା ଦିନ ହିଁ ଚବିଶ ଘଣ୍ଟା ପାଇଁ ଗୋଟିଏ ବୃଦ୍ଧ ରୋଗୀଙ୍କ ଦେଖ ରେଖ କରିବା ପାଇଁ ନିଯୁକ୍ତି ଦେଇ ଦେଇଥିଲେ। ନିଜ କାମର ପ୍ରଥମ ଦିନ, ରାଜକୁମାର ରାତି ସାରା ଅନିଦ୍ରା ରହି କାମ କରିଥିବାରୁ ବେଶି ଟିକିଏ ଥକି ଯାଇଥିଲା ତଥାପି ସେ ବହୁତ ପରିଶ୍ରମ କରି ସେହି ବୁଢ଼ାଙ୍କୁ ସକାଳୁ ଗାଧୁଆ ଠାରୁ ଆରମ୍ଭ କରି ଯାବତୀୟ ନିତ୍ୟ କର୍ମ ସାରିବା ବେଳକୁ ସେ ପୁରା ପୁରି ଥକି ପଡିଥିଲା ଯଦ୍ୱାରା ରୋଗୀ ପାଖରେ ପଡ଼ିଥିବା ଚୌକି ଉପରେ ଟିକିଏ ଢୁଳାଇ ପଡିଥିଲା। ସେତେବେଳେ ମଧ୍ୟ ତା ଆଖି ଆଗରେ ଗାଁର ଦୃଶ୍ୟ ସବୁ ନାଚି ଯାଉଥିଲା ଯାହା ତା ବାପା ନିଜେ ଇଟା ଉଠାଇ କେମିତି ବଡ ବଡ଼ କୋଠା ସବୁ ବହୁତ କଷ୍ଟରେ କରୁଛନ୍ତି ହାଡଭଙ୍ଗା କଷ୍ଟ ସହି ତାଙ୍କ ବାପାଙ୍କ କର୍ମରତ ଦୃଶ୍ୟ ସବୁ ମନ ଭିତରେ ଆନ୍ଦୋଳିତ ହେଇ ଉଠିଲା ଏମିତି ଭାବନାରେ ରାଜକୁମାରର ଆଖିରୁ ଦୁଇ ଧାର ଅଶ୍ରୁ ଝରିପଡିଲା ଆଉ ସେହି ଦୁଇ ଧାର ଲୁହ ସେଇମିତି ଶୁଖିଗଲା। ନୂଆଁ କାମ ଆଉ ସେଥିରେ ଅନୁଭୂତି ନଥିବା ହେତୁ ରାଜକୁମାରକୁ ବହୁତ କଷ୍ଟ ବି ହେଉଥାଏ। ଅନେକ ଥର ତାକୁ ରାତି ରାତି ଅନିଦ୍ରା ରହି ବୃଦ୍ଧ ରୋଗୀର ଯତ୍ନ ନେବାକୁ ମଧ୍ୟ ପଡୁଥିଲା।

କିନ୍ତୁ ଧୀରେ ଧୀରେ ଅଭ୍ୟସ୍ତ ହେବାକୁ ଲାଗିଲାଣି। ସେ ମନେ ମନେ ସ୍ଥିର କରି ନେଲା ଯେ ଏବେଠାରୁ ସେ ସାରା ଜୀବନ ଏହି କାମ ହିଁ କରିବ କାରଣ ଏହି କାମରେ ତାକୁ ମାସିକ ତିରିଶି ହଜାର ଟଙ୍କା ପାରିଶ୍ରମିକ ମିଳୁଛି ଆଉ ରାଜକୁମାର ଜାଣିଥିଲା କି ଏତେ ଟଙ୍କା ତାକୁ ଆଉ କୌଣସି କାମରେ ମିଳିବ ନାହିଁ। ଆଉରି ଗୋଟିଏ ସୁବିଧା ମଧ୍ୟ ଥିଲା ଯାହା ତାର ମାସିକ ପାରିଶ୍ରମିକ ଟଙ୍କାରୁ କିଛି ଖର୍ଚ୍ଚ ନକରି ଏହି କାମରେ ରହିବା ଆଉ ଖାଇବା ହେଇଯାଉଛି।

  ପ୍ରତି ମାସର ଶେଷରେ ଦରମା ମିଳିଲା ପରେ ସେ କିଛି ଟଙ୍କା ନିଜ ପାଖରେ ରଖି ବାକି ସବୁ ଟଙ୍କା ଗାଁରେ ଥିବା ନିଜ ମାଆ ବାପାଙ୍କ ପାଖକୁ ପଠାଇ ଦେଉଥିଲା। ଦିବର୍ଷରେ ତା ମାଆ ବାପା ଗାଁରେ ଥିବା କଚା ଘରକୁ ଭାଙ୍ଗି ଦୁଇ ବଖରାର ଗୋଟିଏ ପକା ଘର କରିଦେଲେ। ତା ସହିତ ଗୋଟିଏ ଗାଈ ମଧ୍ୟ କିଣିଦେଲେ।

   ରାଜକୁମାର କେବେ କେବେ ଗାଁରେ ଥିବା ଦୋକାନକୁ ଫୋନ କରି ତାର ବାପା ଆଉ ମାଆ ସହିତ କଥା ବାର୍ତ୍ତା କରୁଥିଲା। ତାର ମାଆ ସବୁଥର ସେହି ଗୋଟିଏ କଥା ହିଁ ପଚାରୁ ଥିଲେ "ତୁ ସହରରେ କି କାମ କରୁଛୁ "ରାଜକୁମାର ସବୁବେଳେ ତା ମାଆ ବାପାଙ୍କୁ ମିଛ ହିଁ କହୁଥିଲା 

ସେ କହୁଥିଲା "ମାଆ ମୁଁ ଗୋଟିଏ ଅଫିସରେ କାମ କରୁଛି ଆଉ ମୋର ମାଲିକ ଜଣେ ବହୁତ ଭଲ ଲୋକଟିଏ ସେ ମୋତେ ଅଫିସରେ ରହିବାକୁ ଗୋଟିଏ ଛୋଟିଆ ବଖରାଟିଏ ଦେଇଛନ୍ତି ଆଉ ମୁଁ ସେଥିରେ ବହୁତ ଭଲରେ ଅଛି " ରାଜକୁମାର ଜାଣିଥିଲା ଯଦି ସେ ତାର ମାଆ ବାପାଙ୍କୁ ସତ କଥା କହିବ କି ସେ ସହରରେ ଚବିଶ ଘଣ୍ଟା ପାଇଁ ବୃଦ୍ଧ ରୋଗୀଙ୍କ ଦେଖା ଦେଖି କରୁଛି, ତାହେଲେ ତାର ମାଆ ବାପାଙ୍କୁ ତାର କାମ କରିବା ଉପରେ ବହୁତ କଷ୍ଟ ଅନୁଭବ କରିବେ। ରାଜକୁମାର ଙ୍କ ମାଆ ଯୋଉ ଥର ତାକୁ ପଚାରନ୍ତି " ରାଜ ତୁ କେମିତି ଅଛୁ " ସେହି ସମୟରେ ରାଜ ହସି ହସି ତାଙ୍କ ମାଆଙ୍କୁ କହିଦିଏ " ମାଆ ମୁଁ ପୁରା ପୁରି ଭଲ ଅଛି ତୁମେ ମୋ ଚିନ୍ତା ଜମା କରନି, ହଁ ମୋର ଭାଇ ଭଉଣୀଙ୍କୁ ଗାଁର ପାଠ ସାରିବା ପରେ, ସହରକୁ ପଠାଇ ଦିଅ ମୁଁ ସେମାନଙ୍କୁ ସହରରେ ଅଧିକା ପଢାଇବାକୁ ଚାହୁଁଛି। " ତାଙ୍କ ମାଆ ବାପା ଏମିତି କଥା ଶୁଣି ତା ଉପରେ ବହୁତ ଗର୍ବ ଅନୁଭବ କରନ୍ତି କିନ୍ତୁ ବାସ୍ତବିକତା ଏମିତି ଅଛି ସହରରେ ରାତି ଦିନ ପରିଶ୍ରମ କରିବା ହେତୁ ରାଜକୁମାରର ସ୍ଵାସ୍ତ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡ଼ିଗଲାଣି, ଯାଦ୍ୱାରା ସେ ଟିକିଏ ଦୁର୍ବଳ ହୋଇପଡ଼ିଥିଲା। 

    ରାଜକୁମାର ମନ ଭିତରେ କେବଳ ଗୋଟିଏ ଜିଦି ଥାଏ ଯାହା ନିଜ ପରିବାରର ପରିସ୍ଥିତି ପୁରା ଭଲ କରିବାକୁ ଚାହୁଁଥିଲା କାହିଁକିନା ତାକୁ ସେହି ସମୟଟା ମନଟାକୁ ବହୁତ ଆନ୍ଦୋଳିତ କରୁଥିଲା। ଯେତେବେଳେ ତାର ପରିବାର ପଇସା ଅଭାବରୁ ଅନେକ କଷ୍ଟ ସହୁଥିଲେ, ପ୍ରାୟତ ଘରେ ତେଲ ଲୁଣ ଠାରୁ ଆରମ୍ବ କରି ଚାଉଳ ଡାଲିର ଅଭାବ ରହୁଥିଲା। ରାଜକୁମାର ତାର ପରିବାରର ଅଭାବୀ ଦୃଶ୍ୟଟା ଅତି ନିକଟରୁ ଦେଖିଥିଲା ଆଉ ଅନୁଭବ ମଧ୍ୟ କରିଥିଲା।

    ସମୟ କାହାକୁ ଅପେକ୍ଷା କରେନି। ଏମିତିରେ କିଛି ବର୍ଷ ବିତିଗଲା ଏବେ ରାଜକୁମାରର ଘରର ପରିସ୍ଥିତି ଟିକିଏ ସୁଧୁରି ଗଲାଣି, ତାର ସାନ ଭାଇ ଭଉଣୀ ସହରରେ ପାଠ ପଢ଼ା ସାରି ସହରରେ ଚାକିରୀ କଲେଣି, ରାଜକୁମାରର ବାପା ମାଆ ଗାଁରେ ଗୋଟିଏ ପକ୍କା ଘର କରିଦେଲେଣି ସେହି ଘର ଆଗରେ ଗୋଟିଏ ଛୋଟିଆ କିରାଣୀ ଦୋକାନ ମଧ୍ୟ ଖୋଲି ଦେଲେନି ଯୋଉଥିରୁ ତାଙ୍କୁ ଦିପାଇସା ରୋଜଗାର ହେଇପାରୁଥିଲା। ଏହାରି ଭିତରେ ରାଜକୁମାରର ସହିତ କଥା ବାର୍ତ୍ତା କରି ଗୋଟିଏ ଭଲ ଘର ଦେଖି ବିବାହ ପ୍ରସ୍ତାବ ମଧ୍ୟ ଠିକ କରିଦେଲେ ଆଉ ରାଜକୁମାର ନିଜ କାମରୁ ଗୋଟିଏ ସପ୍ତାହର ଛୁଟି ନେଇ ଗାଁକୁ ଆସିଗଲା ତାର ଭାବି ସ୍ତ୍ରୀ ସୁଷମାକୁ ତା କାମ ବିଷୟରେ କହିଲା ସେ ସହରରେ ଗୋଟିଏ ଅଫିସରେ କାମ କରେ ଆଉ ବିବାହ ପରେ ତାକୁ ସହରକୁ ନେଇ ପାରିବ ନାହିଁ କାହିଁକିନା ସେ ତାର ରହିବାଟା ଅଫିସର ଗୋଟିଏ କୋଣରେ ରହିବାକୁ ପଡୁଛି ତେଣୁ ତାକୁ ଗାଁରେ ରହି ପୁରା ପରିବାର ଦେଖା ଚାହାଁ କରିବାକୁ ହିଁ ପଡିବ ଆଉ ସେ ପ୍ରତି ମାସରେ ଚାରି ଛଦିନ ପାଇଁ ନିଶ୍ଚୟ ଆସିବ ଆଉ ସମସ୍ତଙ୍କ କଥା ବୁଝୁଥିବ ଏମିତି ସୁଷମାକୁ ବୁଝାଇ ଦେଲା। ସୁଷମା ମଧ୍ୟ ଗାଁ ସ୍କୁଲରେ ଦଶମ ଶ୍ରେଣୀ ଯାଏ ପାଠ ପଡିଛି ସେ ମଧ୍ୟ ଅଳ୍ପ ବହୁତ ଜାଣିଛି ଯେ ସହରରେ ରହିବା କେତେ କଷ୍ଟ ତେଣୁ ସେ ରାଜକୁମାରଙ୍କ କଥାରେ ପୁରା ରାଜି ହେଇଗଲା। ବିବାହ ପରେ ଘରକୁ ଗୋଟିଏ ପଢା ଲେଖା ବୋହୁ ଆସିବା ପରେ ଘରେ ସବୁ କିଛି ଠିକ ଠାକ ଆଉ ଶାନ୍ତିରେ ଚାଲିବାକୁ ଲାଗିଲା।

   ଏହାରି ଭିତରେ ପ୍ରାୟ ଦଶ ବର୍ଷ ହେବ ଲଗାତାର ଭାବେ ଚବିଶ ଘଣ୍ଟା କାମ କରିଆସୁଥିବା ହେତୁ ରାଜକୁମାରର ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାରେ ଲାଗିଲା, ଏପଟେ ଗାଁରେ ତା ମାଆ ପ୍ରାୟ ଅଶୁଭ ସପ୍ନ ଦେଖୁଥିଲା। ରାତି ଅଧାରେ ସପ୍ନ ଦେଖି ଭୟରେ ଉଠି ବସିଯାଉଥିଲା ସେତେବେଳକୁ ସେ କେବଳ ରାଜକୁମାର କଥା ହିଁ ଭାବୁ ଥିଲା। ସୁଷମା ଟିକିଏ ବୁଦ୍ଧିମାନ ଥିଲା ଏମିତି ସ୍ଥିତିରେ ସେ ଶାଶୁକୁ ସମ୍ଭାଳି ନେଉଥିଲା। ରାଜକୁମାର କୁଶଳରେ ଅଛନ୍ତି ଆପଣ ତାଙ୍କ ଚିନ୍ତା ଜମା କରନ୍ତୁ ନାହିଁ। ତାଙ୍କୁ ଅଫିସରୁ ଛୁଟି ମିଳିଲେ ଗାଁ କୁ ଆସିବେ ଆଉ ସମସ୍ତଙ୍କ ସହିତ ମିଶି ଯିବେ।

  ଯେତେବେଳେ ମାସ ଶେଷରେ ରାଜକୁମାର ସହରରୁ ଛୁଟି ନେଇ ଗାଁକୁ ଆସେ, ତାର ମାଆ ତାର ହାତକୁ ଧରି ତା ଆଖିର ଗଭୀରତାକୁ ଦେଖି ପଚାରି ଥାଏ" ପୁଅ ତୁ ସହରରେ ଭଲରେ ରହୁଛୁ ତ " ଏକଥା ଶୁଣି ରାଜକୁମାର ବହୁତ ଆଦର ସହ କହିପକାଏ " ମାଆ ତୁ ସବୁବେଳେ ଏମିତି ବେକାର କଥା ହିଁ ଭାବୁଛୁ, ଦେଖୁନୁ ମୁଁ ପୁରା ପୁରୀ ଭଲ ଅଚ୍ଛି ଆଉ ସହର କଥା ଜାଣିଛୁ କାମ ଟିକିଏ ଅଧିକ ରହୁଛିତ ତେଣୁ ସମସ୍ତେ ପ୍ରାୟତ ଥକିଯାନ୍ତି। ଆଉ ଗାଁ ଭଳି ଭଲ ପବନ ମିଳୁନି " ଆଜିକାଲି ରାଜକୁମାର ସହରର ଚାଲାକିରେ କଥା କହିବାର ମଧ୍ୟ ଶିଖିଗଲାଣି, ଏଇଥିପାଇଁ ସେ ତା ମାଆକୁ ବହୁତ ସୁନ୍ଦର ଭାବରେ ବୁଝାଇ ଦେଉଥିଲା। କିନ୍ତୁ ରାଜକୁମାରର କଥାକୁ ତା ମାଆ ଜମା ହଜମ କରିପାରୁନଥିଲା କାହିଁକିନା କଥାରେ ଅଛି ମାଆର ଆଖିରେ ନିଜ ପିଲାମାନଙ୍କର ହୃଦୟର ଭିତର ପର୍ଯ୍ୟନ୍ତ ଦେଖିପାରନ୍ତି।

ଏହିଭଳି ଧୀରେ ଧୀରେ କୋଡିଏ ବର୍ଷ ପାରହେଇଗଲା ଏବେ ରାଜକୁମାରର ପିଲାମାନେ ମଧ୍ୟ ଗାଁ ସ୍କୁଲରୁ ପାଠ ସାରି ସହରରେ କଲେଜରେ ପଢିବାକୁ ଲାଗିଲେଣି। ରାଜକୁମାରର ଭାଇ ଭଉଣୀଙ୍କ ବିବାହ ମଧ୍ୟ ବଡ଼ ଧୂମଧାମରେ ସାରିଦେଇଛି। ତାର ମାଆ ବାପା ମଧ୍ୟ ପିଲାମାନଙ୍କ ବିବାହରେ ହୃଦୟ ଖୋଲିକି ଖର୍ଚ୍ଚ କରିଥିଲେ। ଝିଅର ବାହାଘରରେ ଯାନୀ ଯୌତୁକ ବହୁତ ଦେଇଥିଲେ। ନିଜ ପରିବାରର ଖୁସି ଦେଖି ରାଜକୁମାର ବହୁତ ଖୁସି ଥିଲା ସେ ଯେମିତି ଅନୁଭବ କରୁଥିଲା ଜୀବନରେ ସେ ସବୁକିଛି ପାଇଯାଇଛି।

      ଆବଶ୍ୟକତା ଠାରୁ ଅଧିକ କାମ କରୁଥିବା ହେତୁ ତା ଦେହ ଟିକିଏ ଦୁର୍ବଳ ହେଇଯାଇ ଥିଲା କିନ୍ତୁ ଏହି ସବୁ କଥା ତାର ଏତେସବୁ ତ୍ୟାଗ କରିବାଟା ଘର ଲୋକ କେହି ହେଲେ ସୁରାକ ପାଇ ପାରିନଥିଲେ। କେହି ଜାଣି ପାରିନ ଥିଲେ ଯେ ଏତେ କମ ପାଠ ପଢି ମଧ୍ୟ ଏତେ ଟଙ୍କା କେମିତି କମାଇ ପାରିଲା। କେହି କେବେ ଏହି ବିଷୟ ଜାଣିବାକୁ ମଧ୍ୟ ଚେଷ୍ଟା କରି ନାହାନ୍ତି। କାହିଁକିନା ସମସ୍ତେ ରାଜକୁମାରର କହିବା କଥାକୁ ବିଶ୍ୱାସ କରୁଥିଲେ। ସମସ୍ତେ ଏତିକି ଜାଣିଥିଲେ ଯେ ସେ ସହରରେ କୋଉଠି ଗୋଟିଏ ଅଫିସରେ କାମ କରୁଛି ଆଉ ତାର ମାଲିକ ବହୁତ ଭଲ ଲୋକ। ତା ଘରରକେହି ହେଲେ ଜାଣି ନାହାନ୍ତି ଯେ ଆଜକୁ କୋଡିଏ ବର୍ଷ ହେଇଗଲା ଚବିଶ ଘଣ୍ଟା ବୃଦ୍ଧ ରୋଗୀ ମାନଙ୍କର ଦେଖ ରେଖ କରୁଛି ବୋଲି।

   ଦିନେ ରାଜକୁମାରର ମାଆ ରାତିରେ ଗୋଟିଏ ଖରାପ ସ୍ୱପ୍ନ ଦେଖିଲା ସେ ତାଙ୍କ ବୋହୁ ସୁଷମାଙ୍କୁ କହିଲା ସେ ଯେମିତି ହେଲେ ସକାଳ ଗାଡ଼ିରେ ସହର ଯାଇ ରାଜକୁମାରର ଭଲ ଅସାର ବୁଝି ଆସିବ। ତାଙ୍କ ମାଆ ଖରାପ ସ୍ବପ୍ନ ଦେଖିବା ଜାଣି ସୁଷମା ମଧ୍ୟ ଟିକିଏ ହଡ଼ ବଡ଼ ହେଇଗଲା ତେଣୁ ସେ ସକାଳ ଗାଡ଼ିରେ ସହର ଯିବାପାଇଁ ସ୍ଥିର କରିନେଲା। କିଛି ବର୍ଷ ପୂର୍ବରୁ ରାଜକୁମାର ସୁଷମାକୁ ସହରର ଠିକଣା ଦେଇଥିଲା ଆଉ କହିଥିଲା ଏଇଟା ହେଉଛି ତା ସାଙ୍ଗ ଅଭୟ ରହୁଥିବା ଘରର ଠିକଣା। ସୁଷମା ସହରର ଗଳି କନ୍ଦି ବୁଲି ଲୋକଙ୍କୁ ପଚାରି ପଚାରି ଶେଷରେ ଯାଇ ଅଭୟର ଭଡା ଘର ପର୍ଯ୍ୟନ୍ତ ପହଁଛି ଗଲା। ସେ ସେହି ଘରର କବାଟରେ ଠକ ଠକ କରିବାରୁ ଘର ଭିତରୁ ଜଣେ ମହିଳା କବାଟ ଖୋଲିଲେ ଆଉ ତାଙ୍କ ପଛରେ ଜଣେ ପୁରୁଷ ଠିଆ ହେଇଥିଲେ। ଜଣେ ଅପରିଚିତ ମହିଳା ତାଙ୍କ ଦ୍ୱାର ପାଖରେ ଥିବା ହେତୁ ସେମାନେ ଚିନ୍ତାରେ ପଡିଗଲେ। ସୁଷମା ଟିକିଏ ଥ ଥ ମ ମ ହେଇ ପଚାରିଲା "ଏଇଟା ଅଭୟ ବାବୁଙ୍କ ଘର କି?" ଅଭୟ କହିଲେ" ହଁ ଆପଣ କିଏ ମୁଁ ଜାଣିପାରିଲିନି " ସୁଷମା କହିଲା " ମୁଁ ରାଜକୁମାରଙ୍କ ପତ୍ନୀ ସୁଷମା ମୁଁ ରାଜକୁମାରଙ୍କ ବିଷୟରେ ତାଙ୍କ ଭଲ ମନ୍ଦ ବୁଝିବା ପାଇଁ ସହର ଆସିଛି, ଆଉ ସେ ମୋତେ ଏହି ଘରର ଠିକଣା ବହୁତ ବର୍ଷ ପୂର୍ବରୁ ଦେଇଥିଲେ " ରାଜକୁମାରର ନା ଶୁଣି ଅଭୟ ଆଉ ତାଙ୍କ ପତ୍ନୀ ସୁଷମାକୁ ବହୁତ ଆଦର ସହକାରେ ଘର ଭିତକୁ ଡାକି ନେଇ କହିଲେ " ମୁଁ ହେଉଛି ଅଭୟ ଆଉ ଇଏ ମୋ ସ୍ତ୍ରୀ ରାଧା " ନିଜ ପରିଚୟ ଦେଇ ସାରିବାପରେ ସ୍ୱାମୀ ସ୍ତ୍ରୀ ଦୁଇଜଣ କହିଲେ " ବୋଧେ ଆପଣ ରାଜକୁମାରର ହାଲ ଚାଲ ଜାଣିବା ପାଇଁ ସହର ଆସିଲେ " କିଛି ସମୟ ରହି ତାଙ୍କୁ ଦେଖି ସୁଷମା କହିଲା " ରାଜକୁମାରଙ୍କ ମାଆ ଗୋଟିଏ ଖରାପ ସ୍ୱପ୍ନ ଦେଖିଲେ, ସେଇଥି ପାଇଁ ମୋତେ ତାଙ୍କର ଭଲ ମନ୍ଦ ବୁଝିବା ପାଇଁ ସହରକୁ ଆସିବାକୁ ପଡିଲା।" ଅଭୟର ସ୍ତ୍ରୀ ସେପଟେ ରୋଷେଇ ପାଖରେ ଚା ଜଳଖିଆ କରିବାରେ ଲାଗିଗଲେ ଆଉ ସୁଷମାକୁ କହିଲେ " ଏଇଠି ସେ ପୁରା ଭଲ ଅଛନ୍ତି ଭାଉଜ, ଆପଣ ନିଶ୍ଚିନ୍ତ ରୁହନ୍ତୁ, ଯା ହେଉ ଆପଣ ସହର ଆସି ଭଲ କଲେ, ଏହି ବାହାନାରେ ଆପଣଙ୍କ ସହିତ ସାକ୍ଷାତ ହେଇଗଲା " ଅଭୟ କହିଲେ " ଭାଉଜ ଆପଣ ଏଇଠି ଆରାମରେ ଚା ଜଳଖିଆ ସାରି ଦିଅନ୍ତୁ ତାପରେ ମୁଁ ଆପଣଙ୍କୁ ରାଜକୁମାର ପାଖକୁ ନେଇଯିବି। ଭାଉଜ ମୁଁ ରାଜକୁମାର ଭଳି ପରିଶ୍ରମି ଆଉ ସଛୋଟ ମଣିଷ କେବେ ଦେଖିନି, ତାଙ୍କ ପାଖରେ ବହୁତ ବଢିଆ ଗୋଟିଏ ମଣିଷ ପଣିଆ ଗୁଣ ଅଛି " ତା ପରେ ରାଧା ମଧ୍ୟ କହିଲେ " ଭାଇନା ତ ହୀରା ଭଳି ମଣିଷଟିଏ ତାଙ୍କ ପାଖରେ ଛନ୍ଦ କପଟ ଟିକିଏ ହେଲେ ନାହିଁ, ପରଉପକାରୀ, ଆଉରି ସେ ଆମକୁ ମଧ୍ୟ ବହୁତ ଥର ସାହାଯ୍ୟ କରିଛନ୍ତି " ସୁଷମା ରାଜକୁମାରଙ୍କ ପ୍ରଶଂସା ଶୁଣି ଛାତିଟା କୁଣ୍ଢେ ମୋଟ ହେଇଯାଉଥିଲା। ଚା ପାଣି ବ୍ୟବସ୍ତା ସାରି ଅଭୟ ସହିତ ଘରୁ ବାହାରି ରାଜକୁମାର ଯୋଉଠି ବୃଦ୍ଧ ରୋଗୀର ସେବାରେ ଲାଗିଥିଲା ସେଇଠାକୁ ଯିବାକୁ ଲାଗିଲେ। ରାସ୍ତାରେ ସୁଷମା ପଚାରିବାରୁ ଅଭୟ ଏହିକଥା ମଧ୍ୟ କହିଦେଲା ଯେ ରାଜକୁମାର ଦୀର୍ଘ କୋଡିଏ ବର୍ଷ ହେଲାଣି ସେ ଚବିଶ ଘଣ୍ଟା କାଳ ବୁଢ଼ା ରୋଗୀ ମାନଙ୍କର ଦେଖା ଦେଖି କାମ କରୁଛି, ଆଉ ସେ କେବେହେଲେ ବିଶ୍ରାମ ନେବାପାଇଁ ଛୁଟି ମଧ୍ୟ ନିଏ ନାହିଁ। ଅଭୟ ପାଟିରୁ ଏହି ସବୁ କଥା ଶୁଣି ସୁଷମା ଅଧିକ ଭାବୁକ ହେଇଗଲା ତା ଆଖିରୁ ଅବିରତ ଅଶ୍ରୁ ଧାର ବହିବାରେ ଲାଗିଲା ନିଜ ପଣନ୍ତ କାନିରେ ପୋଛିବାରେ ଲାଗିଥିଲା। କିଛି ସମୟ ପରେ ସେହି ଜାଗାରେ ପହଞ୍ଚି ଗଲେ ଯୋଉ ଘରେ ରାଜକୁମାର ଜଣେ ବୃଦ୍ଧ ରୋଗୀଟି ର ସେବା ଶୁଶ୍ରୁଷା କରୁଥିଲେ। ସେ ସେହି ବୁଢ଼ା ରୋଗୀଟିର ଶେଯ ପାଖରେ, ତଳେ ନିଜର ଶେଯଟି ପକାଇଥିଲେ। ଏହା ଦେଖି ସୁଷମାର ଆଖିରୁ ଧାର ଧାର ଅଶ୍ରୁ ଝରିପଡିଲା। ରାଜକୁମାର ସୁଷମାକୁ ଦେଖି ପୁରା ପୁରି ବ୍ୟତୀବ୍ୟସ୍ତ ହେଇ ଦୌଡି ଆସିଲା ପାଖକୁ ସେ କାନ୍ଦୁଥିବାର ଦେଖି ତା ଆଖିରୁ ଲୁହ ପୋଛି ଦେଲା ଆଉ ରାଣ ଦେଇ କହିଲା ଘରେ ଆଉ କାହାକୁ ସେ ସହରରେ ଏହି କାମ କରୁଛି ବୋଲି ନକହିବା ପାଇଁ। ସୁଷମା କାନ୍ଦି କାନ୍ଦି ରାଜକୁମାରର ଛାତିରେ ଲୋଟି ପଡିଲା ଆଉ କାନ୍ଦି କାନ୍ଦି କହିଲା " ମାଆଙ୍କ ସ୍ୱପ୍ନ ସତ ଥିଲା, ସେ ଦିନରାତି ତୁମ ଚିନ୍ତା ଏମିତି ଖାଲି କରୁନ ଥିଲେ, ବୋଧେ ତାଙ୍କୁ ତୁମର ପରିଶ୍ରମର କଷ୍ଟ ସେ ଜାଣିପାରୁଥିଲେ " ରାଜକୁମାର ସବୁ ଶୁଣି ସୁଷମାକୁ ବହୁତ ବୁଝାଇ କହିଲା " ଆରେ ଏ ପାଗିଳି ତୁ କହିଲୁ କୋଉ ପୁଅ ନିଜ ଘର ପାଇଁ ପରିଶ୍ରମ କରୁନାହାନ୍ତି ଆଉ ଯଦିଚ ମୁଁ ଟିକିଏ ଅଧିକ ପରିଶ୍ରମ କରିଦେଲି ଏଇଟା କୋଉ ବଡ଼ କଥା ହେଇଗଲା, ସବୁ ଲୋକେ ନିଜ ପରିବାର ପାଇଁ କଠିନ ପରିଶ୍ରମ କରନ୍ତି ଆଉ ତୁ ଜାଣିଛୁ ମୁଁ ଯେତେବେଳେ ଭାଇ ଭଉଣୀ, ମାଆ ବାପା ଆଉ ମୋର ପିଲାମାନଙ୍କୁ ଟିକିଏ ସୁଖରେ ରହିବା ଦେଖିଦେଲେ ନା ଖୁସିରେ ମୋର ଛାତିଟା କୁଣ୍ଢେ ମୋଟ ହେଇଯାଏ। ମୋର କଥାକୁ ବିଶ୍ୱାସ କର ସୁଷମା ଯେତିକି ଖୁସି ମୁଁ ଆମ ପରିବାରକୁ ଦେଇଥାଏ ନା ତାଠାରୁ ଦୁଇଗୁଣା ଅଧିକ ଖୁସି ତୁମେ ମାନେ ସୁଖରେ ରହିବା ଦେଖିଦେଲେ ମୋତେ ମିଳିଯାଏ।" ଏଥର ସୁଷମା ଅଶ୍ରୁଳ ନୟନରେ ନିଜ ସ୍ୱାମୀର ଆଖିକୁ ଦେଖୁଥିଲା, ଯୋଉଠି ସେ ଦେଖି ପାରୁଥିଲା ପୁରା ପରିବାର ପାଇଁ ଆନ୍ତରିକ ପ୍ରେମ, ଶ୍ରଦ୍ଧା ଆଉ ସ୍ନେହ ଏହା ସବୁ ଦେଖି ସାରିବା ପରେ ସେ ସ୍ୱାମୀଙ୍କ ପାଦ ଛୁଇଁ ତାଙ୍କଠାରୁ ଆଶ୍ରିବାଦ ନେଇ ଥିଲା। ଏତେବେଳ ଯାଏ ସେ ଦୁଇ ଜଣକ ଅନାବିଳ ଭଲ ପାଇବା ଆଉ ରାଜକୁମାରର ପରିବାର ପାଇଁ ନିସ୍ଵାର୍ଥ ପରିଶ୍ରମର ଝଲକ ଦେଖୁଥିଲା ଅଭୟ କେତେବେଳେ ଯେ ତା ଆଖିରେ ଅମାନିଆ ଲୁହଟା ଜକେଇ ଆସିଛି ସେ ବି ଜାଣିପାରିଲା ନାହିଁ। ରାଜକୁମାରକୁ ସେ ଯେତିକି ଜାଣିଥିଲା ଏସବୁ ଶୁଣିବା ପରେ ତାପ୍ରତି ଇଜ୍ଜତ ଆହୁରି ବଢ଼ି ଯାଇଥିଲା। ସୁଷମା ଅଶ୍ରୁଳ ନୟନରେ ସହରରୁ ବିଦାୟ ନେଇ ଗାଁକୁ ଚାଲି ଆସିଲା। ସର୍ବ ପ୍ରଥମେ ମାଆଙ୍କୁ ରାଜକୁମାରଙ୍କ ସୁଖ ଖବର ଟା ଜଣାଇ ଦେଇ ନିଜ ରୁମକୁ ଯାଇ ଲୁଚି ଲୁଚି ବହେ କାନ୍ଦି ପକାଇଲା। ସେ ଏହି କଥାଟା ଭଲ ଭାବରେ ଜାଣିପାରୁଥିଲା ଯେ ଚବିଶ ଘଣ୍ଟା ବୁଢ଼ା ରୋଗୀଙ୍କ ସେବାରେ ଲାଗିବା ମାନେ ନିଜକୁ କୌଣସି ନିଆଁ କୁଣ୍ଡରେ ଝାସଦେବା ଭଳି କାମ ଥିଲା ଆଉରି ସେଇଟା ପୁଣି ଦୀର୍ଘ କୋଡିଏ ବର୍ଷ ହେଇଗଲାଣି ରାଜକୁମାର ନିଜ ପରିବାରର ଖୁସି ପାଇଁ କଠିନ ରୁ କଠିନ ପରିଶ୍ରମ କରିଛନ୍ତି ଆଉ ଦୁଃଖର କଥା ଏହା ଯେ ତାଙ୍କର ଏତେ ପରିଶ୍ରମର ଖବର ଆଜି ପର୍ଯ୍ୟନ୍ତ ତାଙ୍କ ପରିବାରରେ କେହି ବି ଜାଣି ପାରିନାହାନ୍ତି।

   ଅଭୟ ତାଙ୍କ ସ୍ତ୍ରୀ ରାଧାଙ୍କୁ ଯେତେବେଳେ ରାଜକୁମାରଙ୍କ ସବୁ କାହାଣୀ କହିଲେ, ଏମିତି କଥା ଶୁଣି ରାଧା କହିଲା " ଜମା ବିଶ୍ୱାସ ହେଉନି ଏହି ଯୁଗରେ ମଧ୍ୟ ରାଜକୁମାରଙ୍କ ଭଳି ଲୋକ ଅଛନ୍ତି ବୋଲି " ଅଭୟ ରାଧାଙ୍କ କଥାକୁ ସମର୍ଥନ କରି କହିଲେ " ତୁମେ ପୁରା ପୁରି ଠିକ କଥା କହିଲ ରାଧା ରାଜକୁମାର ବାସ୍ତବରେ ଜଣେ ଉତ୍ତମ ଚରିତ୍ରର ମଣିଷ ଟିଏ ଆଉ ଏହି ବିଶ୍ଵବ୍ରହ୍ମାଣ୍ଡରେ ତା ଭଳି ଗୋଟିଏ ଲୋକ ମିଳିବା ବହୁତ କଷ୍ଟ କର " ଏମିତି କଥା ଅଭୟ ଗତ କୋଡିଏ ବର୍ଷ ହେବ ରାଜକୁମାରଙ୍କୁ ଏମିତି କଠିନ ପରିଶ୍ରମ କରିବାଟା ନିଜ ଆଖିରେ ଦେଖିଛି ସେ ଜାଣିଛି ରାଜକୁମାର ତାର ଜୀବନ ନାଟକରେ ଯେମିତି ଗୋଟିଏ ଚରିତ୍ର।

    ଏହି ଭଳି ଆଉରି କିଛି ବର୍ଷ ବିତିଗଲା, ଏବେ ରାଜକୁମାର ସବୁଦିନ ପାଇଁ ସହର ଛାଡି ନିଜ ଗାଁକୁ ଆସିଗଲା। ସେ ନିଜ ଘରେ ଥିବା କିରାଣୀ ଦୋକାନ ଚଳାଇବା ସହ ଦଶ ବାରଟା କମ୍ପୁଟର ଆଣି କମ୍ପୁଟର ସ୍କୁଲ ଗୋଟିଏ ଖୋଲିଲା। ଗାଁର ଜଣେ ଶିକ୍ଷିତ କମ୍ପୁଟର ଜ୍ଞାନ ଥିବା ଲୋକଟିକୁ ଶିକ୍ଷକ କରି ରଖିଲା । କମ୍ପୁଟର ସ୍କୁଲ ମଧ୍ୟ ଭଲ ଚାଲିଲା। ତା ସହିତ ସେ ଗୋଟିଏ ଟ୍ରାଭେଲ ଏଜେନସି ମଧ୍ୟ କରିଲା ଯାହାଦ୍ୱାରା ସେହି ଏରିଆର ଦଶ ବାର ଖଣ୍ଡ ଗାଁର ଲୋକଙ୍କ ପାଇଁ ଟ୍ରେନ, ବସ ଆଉ ଟେକ୍ସି ପାଇଁ ବୁକିଙ୍ଗର ସୁବିଧା ଯୋଗେଇ ଦେଲା।

     ଏବେ ସେ ବହୁତ ସୁଖ ସୁବିଧାରେ ନିଜ 

ଘରେ ରହିଥିଲା, ସୁଷମା ଆଉ ପିଲାମାନେ ତାର ବହୁତ ଯତ୍ନ ନେଉଥିଲେ, ମାଆ ବାପାଙ୍କ ଆଶ୍ରିବାଦର ହାତ ଏବେ ତା ମୁଣ୍ଡରୁ ଉଠି ଯାଇଥିଲା ଏବେ ରାଜକୁମାର ନିଜ ଭାଇ, ଭଉଣୀ ଆଉ ପରିବାରର ମୁରବି ହୋଇ ଚଳାଉଥିଲେ। ରାଜକୁମାର ଆଉ ସୁଷମା ଦୁଇଜଣ ନିଜର ଦାୟିତ୍ୱ ଭଲ ଭାବରେ ଚଳାଇ ଥିବା ହେତୁ ବହୁତ ଖୁସି ଥିଲେ।

   କିନ୍ତୁ ରାଜକୁମାରଙ୍କ କଠିନ ପରିଶ୍ରମ କରି ଆଜି ଯୋଉ ସ୍ତରକୁ ଆସିଛି ଜୀବନ ନାଟକରେ କରିଥିଭା ନିଖୁଣ ଅଭିନୟର କିଛି ଲୁକ୍କାୟିତ ଦୃଶ୍ୟ ଆଜି ପର୍ଯ୍ୟନ୍ତ ସୁଷମା ଆଉ ତା ଛଡା ଆଉ କେହି ବି ଜାଣିବାର ସୁରାକ ମଧ୍ୟ ପାଇ ନାହାନ୍ତି...।


ବୀଣା ନାୟକ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract