ଏମିତି ଗୋଟିଏ ଜୀବନ
ଏମିତି ଗୋଟିଏ ଜୀବନ
ରାକ୍ଷୀ ପୁର୍ଣିମା ପର୍ବଟା ପାଖେଇ ଆସିଲେ ମୋତେ ସବୁଠୁ ଅଧିକ ମନେପଡେ ଭୁବନେଶ୍ୱରରେ ଥିବା ମୋର ମାନିନୀ ପିୟୁସିଙ୍କ ଡାକକୁ ଅପେକ୍ଷା କରିଥାଏ। ବହୁତ ବଡ ପାର୍ସଲ ପଠାଉଥିଲେ ମୋ ପିୟୁସି। କେତେ ପ୍ରକାରର ବିଦେଶୀ ବ୍ରାଣ୍ଡର ଚକଲେଟ, ଖେଳନା, ମୋ ପାଇଁ ସୁନ୍ଦର ଡ୍ରେସ, ମାଆଙ୍କ ପାଇଁ ଶାଢ଼ୀ, ଆଉ ବାପାଙ୍କ ପାଇଁ କୋଉ ଗୋଟିଏ ନାମୀ ଦାମୀ କମ୍ପାନୀର ସାର୍ଟ। ଏହି ଥର ମଧ୍ୟ ବହୁତ ଗୁଡ଼ାଏ ସାମାନ ପଠାଇଥିଲେ ସେ ।
କଟକ ଆଉ ସମ୍ବଲପୁରରେ ରହୁଥିବା ପିୟୁସି ମାନେ ମଧ୍ୟ ରଙ୍ଗ ବେରଙ୍ଗର ରାକ୍ଷୀ ସହିତ ଅନେକ ଉପହାର ପଠାଉଥିଲେ। କେବଳ କୋରାପୁଟରେ ରହୁଥିବା ରୀନା ପିୟୁସିଙ୍କ ରାକ୍ଷୀ ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଗୋଟିଏ ସାଧାରଣ ଲଫାପା ଭିତରେ ଆସିଥିଲା। ଗୋଟିଏ କାଗଜରେ ରାକ୍ଷୀ ସହ ଚନ୍ଦନ, ସିନ୍ଦୁର, କିଛି ଚାଉଳ ଆଉ ଗୋଟିଏ ପଚାସ ଟଙ୍କିଆ ନୋଟ ଆସିଥିଲା।
ମାଆ ଚାରିଜଣ ପିୟୁସିଙ୍କର ସବୁ ପେକେଟ ଗୁଡିକୁ ଡାଇନିଂ ଟେବୁଲ ଉପରେ ରଖି ଦେଇଥିଲେ କାହିଁକିନା ବାପା ଅଫିସରୁ ଫେରିବା ପରେ ତାଙ୍କ ଭଉଣୀ ମାନେ ପଠାଇଥିବା ରାକ୍ଷୀ ଆଉ ଉପହାର ଯେମିତି ଦେଖି ପାରିବେ।
ବାପା ସବୁଦିନ ଭଳି ଆସି ତାଙ୍କ ଟେବୁଲ ଉପରେ ଖାଲି ଟିଫିନ ବକ୍ସ ଆଉ ଲାପଟପ ବ୍ୟାଗ ରଖିସାରି ସୋଫା ଉପରେ ବସିଗଲେ।
" ତୁମର ଚାରି ଭଉଣୀଙ୍କ ରାକ୍ଷୀ
ଆସିଯାଇଛି...." ମାଆ ବାପାଙ୍କ ପାଇଁ ରୋଷେଇ ଘରେ ଚା ପାଣି ବସାଇ କହିଲେ....
" ରୀନାର ଲଫାପା ଟିକିଏ ଦେଖାଇଲ...."
ବାପାଙ୍କର ସବୁଠୁ ଅଧିକ ଅପେକ୍ଷା ଥାଏ ରୀନା ପିୟୁସିଙ୍କ ରାକ୍ଷୀକୁ, ସର୍ବ ପ୍ରଥମେ ସେ ପଠାଇ ଥିବା ରାକ୍ଷୀଟିକୁ ହିଁ ହାତରେ ବନ୍ଧୁଥିଲେ।
ରୀନା ପିୟୁସି ସମସ୍ତ ଭାଇ ଭଉଣୀ ଠାରୁ ସବା ସାନ ଥିଲେ। କେବଳ ସେ ଜଣେ ଥିଲେ ଯିଏକି ବିବାହ ହେବା ପରେ କେବେ ସୁଖ ଦେଖି ନାହାନ୍ତି। ବିବାହ ପରେ ତାଙ୍କ ଦିଅର ସବୁ ବେପାର ଜବରଦସ୍ତି ହାତେଇ ନେଇ ତାଙ୍କୁ ଘରୁ ବାହାର କରିଦେଇଥିଲେ। ସେହି ଦିନ ଠାରୁ ପିୟୁସାଙ୍କର ମାନସିକ ସ୍ଥିତି କିଛି ଭଲ ନଥିଲା। ଗୋଟିଏ ଛୋଟିଆ କମ୍ପାନୀରେ ଚାକିରୀ କରି ପରିବାର ଚଳାଉଥିଲେ। ବହୁତ କଷ୍ଟରେ ଆଉ ମୋ ରୀନା ପିୟୁସି ଘର ଚଳାଉ ଥିଲେ। ତାଙ୍କର ଗୋଟିଏ ମାତ୍ର ପୁଅ କାହ୍ନାକୁ ସାହି ଭିତରେ ଗୋଟିଏ ସରକାରୀ ସ୍କୁଲରେ ପଢ଼ାଉଥିଲେ। ଗୋଟିଏ ବିଶ୍ୱାସ ରଖି ପିୟୁସି ଯେମିତି ସେମିତି କେବଳ ବଞ୍ଚିକି ରହିଥିଲେ।
ରୀନା ପିୟୁସି ପଠାଇଥିବା ଲଫାପାକୁ ଦେଖି ବାପା କିଛି ଭାବିବାକୁ ଲାଗିଲେ। କହିଲେ "ସାବିତ୍ରୀ ଏହି ଥର ରକ୍ଷାବନ୍ଧନକୁ ଆମେ ସବୁ ହୀରାଖଣ୍ଡ ଟ୍ରେନରେ ରୀନା ଘରକୁ ଯିବା ହେଲେ ତାକୁ କିଛି ନଜଣାଇ ଯିବା।
" ରୀନା ଘରକୁ...!!"
ମାଆ ବାପାଙ୍କ କଥା ଶୁଣି ଆଶ୍ଚର୍ଯ୍ୟରେ କହିଲେ
" ତୁମେ ଜାଣିଛ ନା ନାହିଁ ତାଙ୍କ ଘରେ କେତେ କଷ୍ଟରେ ରହୁଛନ୍ତି ଆମ ତିନି ଜଣଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିବାଟା କେତେ ବଡ଼ ଅସୁବିଧା ହେବ ସେ ଏତେସବୁ କେମିତି କରିପାରିବ। "
କିନ୍ତୁ ବାପାଙ୍କ ଚୁପ ରହିବାଟା ଯେମିତି କହୁଥିଲା ଯେ ସେ ରୀନା ପିୟୁସି ଘରକୁ ଯିବାପାଇଁ ମନ କରିଛନ୍ତି ମାନେ ସେ ନିଶ୍ଚୟ ଯିବେ ତାଙ୍କ କଥା ଘରେ ସମସ୍ତେ ଜାଣନ୍ତି ଯେ ବାପା ଥରେ ନିଶ୍ଚିତ କରିଥିବା କଥାକୁ ବଦଳାଇବା ବହୁତ କଷ୍ଟ କର।
ରକ୍ଷାବନ୍ଧନର ପୂର୍ବ ଦିନ ରାତିରେ ହୀରାଖଣ୍ଡ ଟ୍ରେନରେ ବସି ସକାଳେ ଆମେ କୋରାପୁଟରେ ପହଁଞ୍ଚି ଗଲୁ। ରୀନା ପିୟୁସି,ଘର ବାହାରେ ବାରଣ୍ଡାରେ ଲାଗିଥିବା ନଳକୂଅ ପାଖରେ ବସି ଲୁଗା ସଫା କରୁଥିଲେ। ପିୟୁସି ବୟସରେ ସମସ୍ତଙ୍କ ଠାରୁ ଛୋଟ ହେଇଥିଲେ ମଧ୍ୟ ପରିସ୍ଥିତି ତାଙ୍କୁ ଅଭାବ ଅନାଟନ ଚିନ୍ତାରେ ସେ ସବୁଠୁ ବୟସ୍କ ଜଣା ପଡୁଥିଲେ। ପୁରା ପୁରି ଦୁବୁଲି ପତଳୀ ବଳ ଶୂନ୍ୟ,ଏତେ କମ ବୟସରେ ତାଙ୍କ ଶରୀରରେ ସିରା ପ୍ରଶିରା ସବୁ ଫୁଟିକି ଦେଖା ଯାଉଥିଲା। ପିୟୁସିଙ୍କ ବାହାଘରର ଫୋଟ ଆଲବମ ମୁଁ ଅନେକ ଥର ଦେଖିଛି, ବାହା ବେଳକୁ ରୀନା ପିୟୁସିଙ୍କ ସୁନ୍ଦରତା ଅତ୍ୟନ୍ତ ମନୋରମା ଥିଲା। ବାହାଘରର ଦଶ ବର୍ଷ ପରେ ପରିସ୍ଥିତିଟା ପିୟୁସିଙ୍କୁ କେତେ ବଦଳାଇ ଦେଲା। ବହୁତ ପୁରୁଣା ଚିରା ଲୁଗାରେ ପିୟୁସିଙ୍କୁ ଦୂରରୁ ବାପା ମାଆ କିଛି ସମୟ ଦେଖୁଥିଲେ। ବାପାଙ୍କ ଆଖିର ଅମାନିଆ ଲୁହଟା ଜକେଇ ଆସିଲା।
ଆମ ସମସ୍ତଙ୍କ ଉପରେ ପିୟୁସିଙ୍କ ନଜର ପଡିଗଲା ଆଉ ସେ ଆଶ୍ଚର୍ଯ୍ୟ ହେଇଗଲେ। ସେ ବୁଝିପାରୁନଥିଲେ ଯେ ସେ କଣ ଆଉ କେମିତି ଅଭିବାଦନ କରିବେ। ନିଜର ଅଲରା ବାଳକୁ ସଜାଇବେ ନା ଅସ୍ତବ୍ୟସ୍ତ ହୋଇ ରହିଥିବା ଘରକୁ ସଜାଡ଼ିବେ ତାଙ୍କ ଘରକୁ ଅନେକ ବର୍ଷ ହେଇଗଲାଣି କେହି କୁଣିଆ ଆସିନଥିଲେ। ସେ କୋଉ କାଳରୁ ଭୂଲି ଗଲେଣି ଯେ ଅତିଥିଙ୍କୁ ଘର ଭିତରକୁ କେମିତି ଆମନ୍ତ୍ରିତ କରାଯାଏ। ପିୟୁସିଙ୍କ ବିଷୟରେ ସମସ୍ତେ କୁହନ୍ତି ଯେ ପିଲାବେଳେ ତାଙ୍କୁ ସଫା ସୁତୁରା ଆଉ ସାଜ ସଜା ବହୁତ ଭଲ ଲାଗୁଥିଲା। କିନ୍ତୁ ଆଜି ଦେଖାଯାଉଛି ଯେ ଅଭାବ ଆଉ ଚିନ୍ତା କେମିତି ମଣିଷକୁ ଭିତରୁ ଲୁଣ ଖାଇବା ଭଳି ଖାଇଯାଉଛି। ବେଳେ ବେଳେ ପିୟୁସିଙ୍କୁ ଛୋଟ ମୋଟ ଆବଶ୍ୟକ ପାଇଁ କେବେ କାହା ଆଗରେ ହାତ ପତେଇବାକୁ ପଡୁଛି। ଅବସ୍ଥା ଏମିତି ହେଇଗଲା ଯେ ଅଧିକାଂଶ ସମ୍ପର୍କୀୟ ତାଙ୍କର ଫୋନ ଟେକିବା ବନ୍ଦ କରିଦେଲେ। କେବଳ ଜଣେ ହିଁ ମୋ ବାପା ଥିଲେ ଯିଏ ତାଙ୍କର ସୀମିତ ଦରମା ସତ୍ୱେ ପିୟୁସିଙ୍କୁ କିଛି ନା କିଛି ଦେଉଥିଲେ।
ବାପା ଟିକିଏ ଆଗକୁ ଯାଇ ନିଜ ଭଉଣୀକୁ କୋଳେଇ କାନ୍ଦି ପକାଇଲେ। "ଭାଇ ଭାଉଜ ମୁନ୍ନା ଆଜି ତୁମେ ସବୁ ଅଚାନକ ? ସବୁ ଭଲ ଅଛ ତ?"
ପିୟୁସି ରୁଦ୍ଧ କଣ୍ଠରେ ପଚାରିଲେ। " ଆଜି ବହୁତ ବର୍ଷ ପରେ ମନ ହେଲା ରାକ୍ଷୀ ପାଇଁ ତୋ ଘରକୁ ଆସିବା ପାଇଁ... ସେଇଥି ପାଇଁ ଅସିଗଲୁ " ବାପା ଅତି ସହଜ ଭାବରେ ପିୟୁସିଙ୍କୁ କହିଦେଲେ।
"ଭାଉଜ ଭିତରକୁ ଆସ.. ମୁଁ ଚା ଜଳଖିଆ ନେଇ ଆସୁଛି... ତୁମେ ଭାଇ ପାଖରେ ବସିଥାଅ।" ରୀନା ପିୟୁସି, ମାଆଙ୍କ ହାତକୁ ନିଜର ଥଣ୍ଡା ହାତରେ ଧରି କହିଲେ। " ରୀନା ତୁ ବସ ମୋ ପାଖରେ, ଚା ଜଳଖିଆ ସାବିତ୍ରୀ କରି ଆଣିବ। " ଆମେ ପିୟୁସି ଘରକୁ ଯିବା ବାଟରେ ରାସ୍ତାରୁ ମିଠା, ମିକ୍ସଚର, ବରା ଆଉ ସମୋସା ନେଇ ଯାଇଥିଲୁ। ମାଆ ରୋଷେଇ ଘରକୁ ଯାଇ ସମସ୍ତଙ୍କ ପାଇଁ ପ୍ଲେଟରେ ସଜାଡି ଦେଲେ। ଏପଟେ ପିୟୁସି ତାଙ୍କ ଖଟରେ ପଡ଼ିଥିବା ପୁରୁଣା ଚିରା ଚାଦର ଉପରେ ଭାଇ ପାଖରେ ବସିଥିଲେ। ପିୟୁସିଙ୍କ ପୁଅ କାହ୍ନା ଯାଇ ପିୟୁସାଙ୍କୁ ଡାକି ଆଣିଥିଲା।
ରାକ୍ଷୀ ବାନ୍ଧିବା ମୁହୁର୍ତ୍ତ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଥିଲା, ମାଆ ତାଙ୍କ ନଣନ୍ଦଙ୍କୁ ନେଇ ବଜାରକୁ ଚାଲିଗଲେ ସମସ୍ତଙ୍କ ପାଇଁ ନୂଆଁ ଡ୍ରେସ ଆଉ ପିୟୁସିଙ୍କ ଘର ପାଇଁ କିରାଣୀ ସମାନ କିଣିବା ପାଇଁ...। ସନ୍ଧ୍ୟା ହେଉ ହେଉ ଘରର ରୂପ ରେଖ ବଦଳିଗଲା। ନୂଆଁ ଡୋରକଟନ, ଖଟରେ ନୂଆଁ ଚାଦର, ରଙ୍ଗ ବେରଙ୍ଗର ମେଟ ଆଉ ପୁରା ପରିବାରର ସମସ୍ତେ ନୂଆଁ ଡ୍ରେସ ପିନ୍ଧି ଦେଖୁଥିଲେ।ବହୁତ ବର୍ଷ ପରେ ଆଜି ରୀନା ପିୟୁସିଙ୍କ ରୋଷେଇ ଘରେ ସବୁ ରୋଷଇ ସାମାନ ପୁରା ପୁରି ଭର୍ତ୍ତି ହେଇଗଲା। ଧୀରେ ଧୀରେ ଗୋଟିଏ ଆତ୍ମବିଶ୍ୱାସ ଫେରିଆସିବା ଦେଖି ପାରୁଥିଲି ପିୟୁସିଙ୍କ ଚେହେରାରେ। କିନ୍ତୁ ସତଟା ଏୟା ଥିଲା ଯେ ତାଙ୍କୁ ଏବେ ମଧ୍ୟ ସବୁ ସ୍ବପ୍ନ ଭଳି ଲାଗୁଥିଲା।
ପିୟୁସି ଥାଳିରେ ରାକ୍ଷୀ ସଜାଇବାରେ ଲାଗିଗଲେ, ମିଠା ପେକେଟ ମଧ୍ୟ ରଖିନେଲେ ଯେତେବେଳେ ବାପାଙ୍କୁ ଟୀକା ଲଗାଇବାକୁ ଗଲେ ବାପା ପିୟୁସିଙ୍କୁ ଅଟକାଇ ରହିବାକୁ କହିଲେ। ସମସ୍ତେ ଆଶ୍ଚର୍ଯ୍ୟରେ ବାପାଙ୍କୁ ଚାହିଁଲେ। ସମସ୍ତଙ୍କ ସଂନ୍ଦେହ ଦୂର କରିବାକୁ ଯାଇ ବାପା କହିଲେ
" ଦଶ ମିନଟ ରହିଯା ତୋର ଅନ୍ୟ ଭଉଣୀ ମାନେ ମଧ୍ୟ ପହଞ୍ଚିବା ଉପରେ।" ବାପା ହସି ହସି କହିଲେ, ସମସ୍ତେ ବାପାଙ୍କୁ ଚାହିଁଥାନ୍ତି ସେତେବେଳେ ବାହାରେ ଗାଡି ଆସିବାର ହର୍ଣ ବାଜିବାର ଶୁଣି ପିୟୁସି, ମାଆ ଆଉ ପିୟୁସା ବାହାରକୁ ଦୌଡ଼ି ଆସି ଦେଖିଲେ ଆଉ ତିନି ପିୟୁସିଙ୍କ ସହ ତାଙ୍କ ପରିବାର ସାମନାରେ ଥିଲେ। ରୀନା ପିୟୁସିଙ୍କ ଘରଟା ପୁରା କୁଣିଆରେ ଖଚା ଖଚ ଭର୍ତ୍ତି ହେଇଗଲା। ଭୁବନେଶ୍ୱରର ମାନିନୀ ପିୟୁସି କହିବାକୁ ଲାଗିଲେ ଯେ, କିଛି ଦିନ ଆଗରୁ ବାପାଙ୍କୁ କହିଥିଲେ ଯେ ସମସ୍ତେ ମିଶି ଚାରିଧାମ ଯାତ୍ରା କରିବାକୁ ଯିବା। ବାପା ସେଦିନ ତିନି ଭଉଣୀଙ୍କୁ ଫୋନ କରି କହିଥିଲେ ଚାରିଧାମ ଯାତ୍ରା ଯିବାର ସମୟ ଆସିଯାଇଛି। ବାପାଙ୍କ କଥା ଉପରେ ତିନି ପିୟୁସି ରାଜି ଥିଲେ ଆଉ ସମସ୍ତେ ନିଶ୍ଚିତ କରିନେଲେ ଯେ ଏଥର ରୀନା ପିୟୁସିଙ୍କ ଘରେ ସମସ୍ତେ ଜମା ହେବେ। ଆଉ କିଛି କିଛି ପଇସା ମିଶାଇ ତାଙ୍କୁ ସହାୟତା କରିବେ।ରୀନା ପିୟୁସି କେବଳ ବଲ ବଲ କରି ଚାହିଁଥାନ୍ତି ତାଙ୍କ ତିନି ଭଉଣୀ ଆଉ ଭାଇଙ୍କ ପରିବାରଙ୍କୁ। କେତେବଡ ସରପ୍ରାଇଜ ଦେଇଦେଲେ ତାକୁ ଆଜି ସମସ୍ତେ ମିଶି। ସବୁ ଭଉଣୀ ମାନଙ୍କ ଛାତିରେ ଲୋଟି ପଡ଼ିଥିଲେ ରୀନା ପିୟୁସି। ସମସ୍ତେ ବାପାଙ୍କୁ ରାକ୍ଷୀ ବାନ୍ଧିଦେଲେ। ଏମିତି ରକ୍ଷାବନ୍ଧନ ସମ୍ଭବତ ପ୍ରଥମ ଥିଲା ସମସ୍ତଙ୍କ ପାଇଁ...।
ରାତିରେ ଗୋଟିଏ ବଡ଼ ରେଷ୍ଟରେଣ୍ଟରେ ସମସ୍ତେ ମିଶି ରାତ୍ରୀ ଭୋଜନ ସାରିଥିଲୁ। ଗପ ସପ କରୁ କରୁ କେତେବେଳେ ଅଧିକ ରାତି ହେଇଗଲା। ଏବେ ମଧ୍ୟ ରୀନା ପିୟୁସି ବେଶି କିଛି କହି ପାରୁନଥିଲେ। ସେ ବେଳେ ବେଳେ ଆଖିରେ ଆସୁଥିବା ନିଜ ଲୁହକୁ ପୋଛୁଥିଲେ। ଅଗଣା ମଝିରେ ସମସ୍ତେ ଚାଦର ପକାଇ ଶୋଇଥିଲେ। ରୀନା ପିୟୁସି ବାପାଙ୍କ ପାଖରେ ଗୋଟିଏ ଛୋଟ ଛୁଆ ଭଳି ଲାଗିକି ରହିଥିଲେ। ଯେମିତି ଏହି ସ୍ନେହ ଆଦର ପାଇଁ ତାଙ୍କୁ କାହିଁ କେତେ ବର୍ଷ ହେଲା ଅପେକ୍ଷା କରିଥିଲା। କଥା ହେଉ ହେଉ ହଟାତ ବାପାଙ୍କୁ ପିୟୁସିଙ୍କ ଦେହ ଏକଦମ ଥଣ୍ଡା ଲାଗିଲା ବାପା ପୁରା ଘାବରେଇ ଗଲେ। ସମସ୍ତେ ଉଠିଗଲେ ହେଲେ ରୀନା ପିୟୁସି ସବୁଦିନ ପାଇଁ ଶୋଇଗଲେ। ବାପାଙ୍କ କୋଳରେ ଗୋଟିଏ ଛୋଟ ପିଲା ଭଳି ଶୋଇ ଶୋଇ ବିଦାୟ ନେଇଗଲେ। ଜଣା ନାହିଁ ସେ କୋଉ ଦିନରୁ ବେମାରରେ ଥିଲେ। ଆଜି ପର୍ଯ୍ୟନ୍ତ ସେ କାହାକୁ କହି ମଧ୍ୟ ନଥିଲେ। ବୋଧେ ଆଜି ସମସ୍ତେ ମିଶିବା ପାଇଁ ଆଶା ରଖିକି କେବଳ ଜୀବିତ ଥିଲେ.....।
