STORYMIRROR

Rozalini Mishra

Tragedy Inspirational Others

4  

Rozalini Mishra

Tragedy Inspirational Others

ଶୂନ୍ୟ ପଥର ପଥିକ

ଶୂନ୍ୟ ପଥର ପଥିକ

7 mins
566


   ଭୟଙ୍କର ବନ୍ୟା ତାର ଲହଲହ ଜିଭ ବୁଲେଇ ସାରିଥାଏ ସବୁଆଡେ।ଏବେ ଚାରିଆଡ଼ ଜଳାର୍ଣ୍ଣବ।ଦୂର ଦୂରାନ୍ତ ପର୍ଯ୍ୟନ୍ତ ଦିଶୁଛି ଖାଲି ମାଟିଆ ରଙ୍ଗର ସ୍ଥିର ଜଳରାଶି।ତାଳଗଛର ଅଧାରେ ଗଛକୁ କୁଣ୍ଢେଇ ଲଟକି ରହିଛି ଅପର୍ତ୍ତି।ଜୁଳୁଜୁଳୁ କରି ଚାହୁଁଛି ସବୁଆଡେ।ସେ ବିଶ୍ୱାସ କରିପାରୁନି ଯେ ଏଇ ପାଣି ଗତକାଲି ଏତେ ତାଣ୍ଡବ ରଚିଦେଇ ଯାଇଥିଲା ବୋଲି।ଝିପିଝିପି ବର୍ଷା ଆଉ ସୁ ସୁ ପବନକୁ ସାଙ୍ଗରେ ଧରି ଭୟଙ୍କର ରୂପରେ ଉଭା ହୋଇଥିଲା ବୋଲି।ବିକଳ ହୋଇ ଚାରି ଆଡୁ ଆଖି ବୁଲେଇ ଆଣିଲା ଅପର୍ତ୍ତି।କାଳେ ତା ସ୍ତ୍ରୀ ଲକ୍ଷ୍ମୀ ଆଉ ପୁଅ ନନ୍ଦୁ କୋଉଠି ତା ନଜରରେ ପଡିଯିବେ। ନା କେହି ବି କୁଆଡେ ନାହିଁ।ଟିକେ ଦୂରରୁ ଦିଶୁଛି ତା ବସ୍ତି। ଘର ଗୁଡିକ ବୁଡିଯାଇ ପାଣି ଭିତରୁ ମୁଣ୍ଡ ଟେକିଛନ୍ତି ଖାଲି ଚାଳ କି ଟାଇଲ ଛପର ସବୁ।ବାଁ ପାଖକୁ ଚାହିଁଲେ ଦିଶୁଛି ସେଇ ବୁଢା ତାଳଗଛ ପାଖରେ ଭାସୁଥିବା ମଲା ଗାଈ ମଇଁଷି କେତୋଟି। ଧଳା ଗାଇଟିର ଫୁଲିଯାଇଥିବା ପେଟ ଉପରେ କାଉଟିଏ ବସି ଖୁମ୍ପା ମାରିବାରେ ଲାଗିଛି।ଆଉ ଟିକେ ଆଗକୁ ଭାସି ଯାଉଛି ଜରିଗୁଡା ଗଣ୍ଠିଲି ଟିଏ। ଥାଇପାରେ ତା ଭିତରେ କାହାର ସାରା ଜୀବନ ର ସଞ୍ଚିତ ସମ୍ବଳ ! ଡାହାଣ ପାଖକୁ ମୁହଁ ବୁଲେଇଲା ସେ। ଗୋହିରୀ ପାଟ ତାଳବଣ ସେପାଖ ମହାନ୍ତି ଘରର ପ୍ରଥମ ମହଲାଟା ଅଧାରୁ ଅଧିକ ବୁଡି ଯାଇଛି ପାଣିରେ। ଉପରକୁ ଚାହିଁଲେ ଦିଶୁଛି ଫର୍ଚ୍ଚା ସ୍ଵଛ ଆକାଶ ତଳେ ଚିଲ , କାଉ , ଶାଗୁଣାଙ୍କ ଭିଡ଼।ମେଞ୍ଚା ମେଞ୍ଚା ହୋଇ ଚକ୍କର କାଟି ଚାଲିଛନ୍ତି ଠାଆକୁ ଠାଆ।ଆଉ ଟିକେ ଆଗରେ ଭାସି ଭାସି ଯାଉଛି କାହାର ନାଲି ରଙ୍ଗର ଛିଟ ଶାଢ଼ୀଟିଏ ବଢିପାଣିରେ । ହାଲକା ପବନରେ ଛୋଟ ଛୋଟ ଢେଉ ଉଠି ବେଳେବେଳେ ଚହଲେଇ ଦେଉଛି ଶାଢ଼ୀଟିକୁ। ଏ ଶାଢ଼ୀ କଣ ଲକ୍ଷ୍ମୀ ର !

 ନା ନା ଏମିତି ହୋଇ ପାରେନା। ମନକୁ ମନ କହି ହେଲା ଅପର୍ତ୍ତି। ତା ଆଖିରୁ ଠପ୍ ଠପ୍ ଲୁହ କେଇବୁନ୍ଦା ଗଳିପଡି କୁଆଡେ ମିଶିଗଲା ସେ ବନ୍ୟାପାଣିରେ।

   

     ଗତକାଲି ଦ୍ଵିପହର ବେଳର କଥା ।ଗାଧୁଆ ପାଧୁଆ ସାରି ଖାଇ ବସିଥାଏ ଅପର୍ତ୍ତି।ଚାରିଆଡ଼ ଅନ୍ଧାରୁଆ ଅନ୍ଧାରୁଆ ଲାଗୁଥାଏ ଦିନ ଦିପହରଟାରେ ସଞ୍ଜ ନଇଁ ଆସିଲା ପରି।କଳାହାଣ୍ଡିଆ ବାଦଲ ମାଳାରେ ରୁନ୍ଧି ହୋଇଥାଏ ଆକାଶ।ହଠାତ ବିରଜୁ ଆସି କହିଲା ଆଉ କାମ ନୁହେଁରେ ଅପର୍ତ୍ତିଆଇ ପାଣି ଘୁ ଘୁ ହୋଇ ବଢୁଛି। ବନ୍ଧ ଟୁଳୁଟୁଳୁ ହେଲାଣି।ତା ସାଙ୍ଗେ ଦେଖୁନୁ ଏ ମେଘର ବାଦ।କେମିତି ଗୁମ୍ ହୋଇ ରହିଛି।ଯଦି ବନ୍ଧ ଭାଙ୍ଗିଲା ଆଉ ରକ୍ଷା ନାହିଁ। କିଏ କୁଆଡେ ସବୁ ଚାଲିଗଲେଣି ଉଚ୍ଚ ଜାଗା ଦେଖି । ମୁଁ ବି ଚାଲିଲି। ତୁ ଯିବୁନି କି

  ଅପର୍ତ୍ତି ମୁଣ୍ଡରେ ଚଡକ ପଡିଲା।ହାତରେ ଧରିଥିବା ଭାତ ଗୁଣ୍ଡାଟା ପାଟି ପାଖକୁ ଯାଉ ଯାଉ ଅଟକି ଗଲା। କ'ଣ କରିବ ଏବେ ସେ ? ବନ୍ଧ ଭାଙ୍ଗିଲେ ପ୍ରଥମେ ପାଣି ପଶିବ ଏ ବସ୍ତିରେ।ଘରଦ୍ୱାର କିଛି ରହିବନି ଆଉ।ବନ୍ଧ ତଳିଆ ଏ ବସ୍ତିରେ ମୋଟ ଛଅ ଘର। ସମସ୍ତେ ବାହାରି ଗଲେଣି ଯିଏ ଯୁଆଡେ ।

    ଅପର୍ତ୍ତି ଡାକ ପକେଇଲା ଲକ୍ଷ୍ମୀକି।କହିଲା ଏ ଘରଦ୍ୱାର , ଗାଈ ବାଛୁରୀ ଛାଡି ଆମେ କୁଆଡେ ଯିବା କହିଲୁ । ସେଥିରେ ପୁଣି ତୋର ଏ ଅବସ୍ଥା । ହଉ ଅତି ଦରକାରୀ ଜିନିଷ କିଛି ସଜାଡି ଦେଇଥା।ଦେଖିବା କ'ଣ ହେଉଛି ।

    ଲକ୍ଷ୍ମୀ ଅସଜ ମଣିଷଟା। ପେଟରେ ଆଠ ମାସର ପିଲା।ଅପର୍ତ୍ତି କଥା ଶୁଣି ସେ ବସିଉଠି କିଛି ଲୁଗାପଟା ସଜଡ଼ା ସଜଡି କଲା।ଚାରିବର୍ଷର ପୁଅ ନନ୍ଦୁକୁ ପେଟେ ଖୁଆଇ ଦେଇ ଶୁଖିଲା ଖାଦ୍ୟ ସଜାଡି ଗୋଟାଏ ପୁଡା କଲା।

     ଅପର୍ତ୍ତି ଦାଣ୍ଡରୁ ଘର ଘରୁ ଦାଣ୍ଡ ହେବାରେ ଲାଗିଛି।ଜଟିଆ ମା' ପୁଟୁଳିଟାଏ ଧରି ଯାଉଥିଲା ଦାଣ୍ଡରେ।ଡକାଟେ ମାରିଦେଲା ଅପର୍ତ୍ତିକୁ ଦେଖି ଆରେ ଅପର୍ତ୍ତି ଯାଇନୁ କିରେ ? ପାଣି ଉଛୁଳିଲାଣି ପରା ଧୀରେ ଧୀରେ।ଜଟିଆ ଏଇନା ଏଇନା ଆମର ପିଲାକବିଲା ସମସ୍ତଙ୍କୁ ନେଇ ଚାଲିଗଲାଣି ମହାନ୍ତିଘର କୋଠା ଉପରକୁ।ମୁଁ ତ ହେଇ ବାହାରିଲି ଆଉ । ତୁ ଆଉ ଉଛୁର କରନାରେ।ଆଉ ଟିକକକୁ ସଞ୍ଜ ମାଡି ଆସିବ।ଲକ୍ଷ୍ମୀର ଏଣେ ଏମିତି ଅବସ୍ଥା। ଅସଜ ଅଖଞ୍ଜ ମାଇପିଟାକୁ ଧରି ରାତି ଅଧରେ କୁଆଡେ ଯିବୁ ! ଯା ଯା କବାଟ କଣ୍ଟା କିଳିଦେଇ ବାହାରି ଯାଆ  ମନଦମ୍ଭ କରି ଠିଆ ହେଲା ଅପର୍ତ୍ତି। ବସ୍ତିର ଆଉ ପାଞ୍ଚଘର ଚାଲିଗଲେଣି ଯିଏ ଯୁଆଡେ। ତାକୁ ବି ବାହାରି ଯିବାକୁ ପଡିବ। ସେ ଗୁହାଳକୁ ଗଲା।ଆଉଁଶି ଦେଲା ଟିକେ ଧୋବଲି ଆଉ ତା କଅଁଳା ବାଛୁରୀକୁ। ବର୍ଷେ ତଳେ କିଣି ଆଣିଥିଲା ସେ ଧୋବଲିକୁ ତାର ସମସ୍ତ ସଞ୍ଚିତ ଅର୍ଥ ବିନିମୟରେ।କେତେ ଯତ୍ନରେ ବଢ଼େଇଥିଲା ଆଜି ଯାଏ । ଏଇ କିଛିଦିନ ହେବ ମାଈ ବାଛୁରୀଟିଏ ଜନ୍ମ ଦେଇଛି ସେ।ଏ ଅବେଳ ରେ କେମିତି ସ୍ୱାର୍ଥପର ହୋଇଯିବ ସେ ? ଏଇ ଧୋବଲି ଆଉ ତା ଛୁଆ ପାଇଁ ତ ସେ ଏ ଯାଏ ଘର ଛାଡି ପାରିନି।

    ଏବେ କିନ୍ତୁ ତାକୁ ସ୍ୱାର୍ଥପର ହୋଇଯିବାକୁ ପଡିବ।ସେ ପଘାରୁ ଖୋଲିଦେଲା ଗାଈ ବାଛୁରୀ ଦି'ଟା ଙ୍କୁ। ଯାଆନ୍ତୁ ସେ ତାଙ୍କ ଭାଗ୍ୟ ନେଇ।ତା ହାତରେ ଆଉ କ'ଣ ଅଛି ଯେ ସେ ସେମାନଙ୍କୁ ସୁରକ୍ଷା ଦେଇ ପାରିବ ? ତା ନିଜ ଅବସ୍ଥା ତ ବର୍ତ୍ତମାନ ଅସମ୍ଭାଳ ତାକୁ।ନନ୍ଦୁ ଆଉ ଲକ୍ଷ୍ମୀକୁ ନେଇ ସେ ଏବେ ବାହାରିଯିବ କୋଉଠି ପରଘରେ କାହା ଛାତରେ ଟିକେ ଆଶ୍ରା ନେବାକୁ। ସେମାନେ ସିନା ତାକୁ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ଦେଇଦେବେ ହେଲେ ଗାଈ ବାଛୁରୀ ଦି'ଟା ଙ୍କୁ ନେଇ ସେ କୋଉଠି ରଖିବ।

    ଯା ଯା କହି ଧୋବଲି ଆଉ ତା ଛୁଆକୁ ଗୁହାଳ ଭିତରୁ ଘଉଡିଲା ଅପର୍ତ୍ତି। କିନ୍ତୁ ନିରୀହ ପ୍ରାଣୀ ଦୁଇଟା ଇଞ୍ଚେ ବି ଘୁଞ୍ଚିଲେନି କୁଆଡେ।ଓଲଟି ଅପର୍ତ୍ତି ଦେହରେ ଘଷି ହୋଇ ତା ପାଦରୁ ମୁହଁ ଯାଏ ଚାଟିବାରେ ଲାଗିଲେ।କୁନି ବାଛୁରୀଟି ପଘାରୁ ଫିଟି କେତେବେଳେ ତା ମା' ପହ୍ନାରେ ମୁହଁ ମାରୁଥାଏ ତ କେତେବେଳେ ଅପର୍ତ୍ତିର ପାଦକୁ ଚାଟୁଥାଏ। ବିକଳ ହୋଇ କାନ୍ଦି ପକେଇଲା ଅପର୍ତ୍ତି।ଛାତି ଫାଟିଯିବା ପରି ଲାଗିଲା ତାକୁ।

     ଘରର ସବୁ ମୋହମାୟାକୁ ଆଖି ବୁଜି , ଧୋବଲିର ହମ୍ବାରଡିକୁ କାନ ବୁଜି ଘରୁ ପଦାକୁ ଗୋଡ଼ କାଢ଼ିଲା ଅପର୍ତ୍ତି।ବେଳ ରତରତ ହେଲାଣି।ବର୍ଷାଟା ବି ଝିପିଝିପି ଲଗେଇଲାଣି ।ଆଉ ଘଡିକେ ସଞ୍ଜ ବୁଡିଯିବ। ଅପର୍ତ୍ତି କାନ୍ଧରେ ବସେଇଲା ନନ୍ଦୁକୁ। ଗୋଟେ ହାତରେ ଧରିଲା ଖାଦ୍ୟ ପୁଡାଟି ଆଉ କାଖରେ ଜାକିଲା ଦୁଇ ସେଲିଆ ଟର୍ଚ୍ଚଟିଏ। ପାଣି କାଟିକାଟି ଆଗକୁ ବଢ଼ିଲା ସେ।ଲକ୍ଷ୍ମୀ ବି ଆଗରେ ଆଗରେ ଚାଲିଛି ଲୁଗାପଟା ପୁଡାଟି ହାତରେ ଧରି।

    ଏଇ ବିଲଗହୀର ଟା ପାରିହେଲେ ପଡିବ ତାଳବଣ।ତାଳବଣ ଡେଇଁଗଲେ ଉଚ୍ଚା କଂକ୍ରିଟ ରାସ୍ତା ଆରପାଖେ କେତୋଟି ଦୁଇ ମହଲା କୋଠାଘର। କେହି କ'ଣ ଏ ଅସମୟରେ ଛାତ ଉପରେ ଟିକେ ଆଶ୍ରା ଦେବେନି ତାକୁ ! ବନ୍ୟାପାଣି ଛାଡିବା ଯାଏ ସେ ପଛେ ଛାତ ଉପରେ ଖୋଲା ଆକାଶ ତଳେ ରହିଯିବ।

     ବେଗି ବେଗି ପାଦ ପକେଇଲା ଅପର୍ତ୍ତି।ଘୁ ଘୁ ହୋଇ ପାଣି ବଢ଼ିବାରେ ଲାଗିଛି। ଚାହୁଁ ଚାହୁଁ ପାଣି ଆସି ପେଟ ଛୁଇଁଲାଣି ତାର।ବଡ଼ କଷ୍ଟରେ ସୁଅ କାଟି କାଟି ଆଗକୁ ଗୋଡ଼ ବଢ଼ଉଛି ଲକ୍ଷ୍ମୀ। ହଠାତ ପାଣିତଳେ ଗୋଡ଼ରେ କିଛି ବାଜି ଝୁଣ୍ଟି ପଡିଲା ସେ।ଅପର୍ତ୍ତି ହାଁ ହାଁ କରୁ କରୁ ପାଣି ଉପରେ ହାମୁଡ଼ି ପଡିଲା ଲକ୍ଷ୍ମୀ।ନିଜ ଓଜନ ଶରୀରଟାକୁ ଆଉ ଉଠେଇ ପାରିଲାନି ପାଣି ଭିତରୁ। ଅପର୍ତ୍ତି ଲକ୍ଷ୍ମୀ ଲକ୍ଷ୍ମୀ ବୋଲି ଚିତ୍କାର କରି ଉଠିଲା। ତାର ତ ହାତ ଗୋଡ଼ ବନ୍ଦ। କାନ୍ଧରେ ବସିଛି ନନ୍ଦୁ।ତାକୁ କୋଉଠି ଠିଆ କଲେ ତ ପୁଣି ସେ ପାଣି ଭିତରେ ଡୁବ ଲଗେଇ ଲକ୍ଷ୍ମୀ କୁ ଅଣ୍ଡାଳିକି ଖୋଜିବାର ଚେଷ୍ଟା କରନ୍ତା।ତଥାପି ଦୁଇ ଗୋଡ଼କୁ ବୁଲେଇ ବୁଲେଇ ପାଣି ଭିତରେ ବହୁତ ଖୋଜିଲା ଲକ୍ଷ୍ମୀକୁ ସେ।କିନ୍ତୁ ଆଉ ପାଇଲାନି।ସୁଅ ମୁହଁରେ ଭାସିଗଲା ବୋଧେ କୁଆଡକୁ। ଭେଁ ଭେଁ କରି ରଡି ଛାଡି କାନ୍ଦିଲା ଅପର୍ତ୍ତି ସେଇଠି ଠିଆ ହୋଇ।

     ପାଣି ଆସି ଛାତି ଛୁଇଁଲା ଅପର୍ତ୍ତିର। ଲକ୍ଷ୍ମୀ ଆଶା ଛାଡ଼ିଦେଇ କାନ୍ଦି କାନ୍ଦି ଆଗକୁ ବଢ଼ିଲା ସେ।ସୁଅ କାଟି କାଟି ଆଗକୁ ଯିବାକୁ ଭାରି କଷ୍ଟ ହେଲାଣି। ସୁଅର ବିପରୀତ ମୁହଁରେ ଗୁଡ଼ାଏ ବାଟ ଚାଲି ଆସିଲାଣି ସେ।ଦେହ ହାତ ଝୋଲା ମାରି ଗଲାଣି।କାନ୍ଧରେ ନନ୍ଦୁର ବୋଝ। ଉଚ୍ଚ କଂକ୍ରିଟ ରାସ୍ତା ଆହୁରି ଖଣ୍ଡେ ବାଟ ରହିଲାଣି।ସେ କ'ଣ ଏତେ ବାଟ ଯାଇ ପାରିବ ?? ତାକୁ ଯାହା ବି ହେଲେ ନନ୍ଦୁକୁ ବଞ୍ଚେଇବାକୁ ପଡିବ।ଟିକେ ଆଗରେ ଗୋଟେ ବିରାଟ ତାଳଗଛ।ଧରିଥିବା ପୁଟୁଳାଟାକୁ ପାଣିକୁ ଫୋପାଡ଼ି ଦେଇ ତାଳ ଗଛରେ ଚଢି଼ଲା ଅପର୍ତ୍ତି।ନନ୍ଦୁ କୁ ତାଗିଦା କରିଥାଏ ତା ବେକକୁ ଜାବୁଡି ଧରିବା ପାଇଁ। ନନ୍ଦୁ ବି ଏତେ ସବୁ ଭୟଙ୍କର ଦୃଶ୍ୟ ଦେଖି ଦେଖି ଭୟରେ ନିର୍ବାକ ପାଲଟି ଯାଇଥାଏ। ଅପର୍ତ୍ତିର ମୁଣ୍ଡକୁ ଜାବୁଡି ଧରି ବସିଥାଏ ଜଡ ପାଲଟି।

     ବିରାଟ ଗଛ , ମୋଟା ଗଣ୍ଡି ଅଳ୍ପ ଚଢି ଥକି ପଡିଲା ସେ ।ଅଧା ବାଟରେ ଲଟକି ରହି ଦମ ମାରିଲା ଟିକେ।ରାତି ହୋଇ ଗଲାଣି । ଚାରିଆଡ଼ କିଟିକିଟି ଅନ୍ଧାର।କାନ୍ଧ ଉପରେ ବସି ନନ୍ଦୁ ଢୁଳେଇବା ଆରମ୍ଭ କଲାଣି।ଅପର୍ତ୍ତି ଗଛକୁ କୁଣ୍ଢେଇ ନିଜକୁ ସମ୍ଭାଳିବ କି ନନ୍ଦୁ କୁ ସମ୍ଭାଳିବ କିଛି ବୁଦ୍ଧି ବାଟ ପାଉନି।ବେକମୁଣ୍ଡା ବଧିରା ଲାଗିଲାଣି। ବଡ଼ କଷ୍ଟରେ ଆଉ ଟିକେ ଉପରକୁ ଉଠୁ ଉଠୁ ଲଥ କି ଖସି ପଡ଼ିଲା ନନ୍ଦୁ ପାଣି ଭିତରେ। ଡୁବ୍ କରି ଗୋଟେ ଶବ୍ଦ ସୃଷ୍ଟି ହୋଇ ପୁଣି ନିଶବ୍ଦ ହୋଇଗଲା ଚାରିଆଡ଼। ଅଜ୍ଞାନ ଛୁଆଟା ସେ କି ଜାଣେ ନିଦ ଉପରେ ଲଗାମ ଦେବା !

     ନନ୍ଦୁ ନନ୍ଦୁ ବୋଲି ବୁକୁଫଟା ଚିତ୍କାରରେ କମ୍ପିଗଲା ଖଣ୍ଡ ମଣ୍ଡଳ। ଦୋହଲି ଗଲା ଗଛପତ୍ର , ଚହଲିଗଲା ବନ୍ୟା ଜଳରାଶି ।ଅସରା ଅସରା ଲୁହ ରାତିର ଅନ୍ଧାରରେ ବହିଯାଇ ନିଶ୍ଚିହ୍ନ ହୋଇଗଲେ ବନ୍ୟାଜଳରେ ମିଶି।

     ରାତିଯାକ ସେମିତି ଗଛରେ ଲଟକି ରହିଲା ଅପର୍ତ୍ତି।ତା ପରଦିନ ସିନ୍ଦୁରା ଫାଟିଲା ବେଳକୁ ସବୁ ଶାନ୍ତ। ତଳେ ସ୍ଥିର ଜଳରାଶି ଉପରେ ଶାନ୍ତ ଆକାଶ।ଝିପିଝିପି ବର୍ଷା କମିଯାଇ ସୂର୍ଯ୍ୟ ଧୀରେ ଧୀରେ ମୁହଁ କାଢୁଛନ୍ତି ତାଳବଣର ପଛପଟୁ।ଅପର୍ତ୍ତି ଦେହରେ ନାହିଁ ନଥିବା ଯନ୍ତ୍ରଣା।ଗଛକୁ କୁଣ୍ଢେଇ ଧରି ହାତ ଗୋଡ଼ ଅଣ୍ଟା ଲାଠି ହୋଇଗଲାଣି ତାର।ରାତିଯାକ ବର୍ଷାରେ ତିନ୍ତିତିନ୍ତି ଦେହର ରକ୍ତଯାକ ସବୁ ବରଫ ପାଲଟି ଯାଇଛି ଯେମିତି।ଜର ହେଲା ଭଳିଆ ପେଟ ଭିତରୁ ତୁହାଇ ତୁହାଇ ଉଠୁଛି କମ୍ପ ଆଉ ଦୋହଲେଇ ଦେଉଛି ତାର ସମ୍ପୂର୍ଣ୍ଣ ଶରୀରକୁ ମଝିରେ ମଝିରେ।ଏ ସବୁ ଭିତରେ ବି କୋଉଠି ନା କୋଉଠି କ୍ଷୀଣ ଆଶାଟିଏ ବଞ୍ଚି ରହିଛି ଅପର୍ତ୍ତି ମନର କେଉଁ କୋଣରେ ଯେ ତା ପୁଅ ଆଉ ସ୍ତ୍ରୀ ନିଶ୍ଚୟ ଭାସି ଭାସି ଯାଇ କୋଉଠି ଲାଗିଥିବେ।

    ଦିନ ଦ୍ୱିପ୍ରହର ବେଳକୁ ପାଣି ଟିକେ ଖସିବାରୁ ଧୀରେଧୀରେ ଗଛରୁ ଓହ୍ଲେଇଲା ସେ।ଭୋକରେ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଲାଣି।ତଥାପି ଆଣ୍ଠୁଏ ପାଣିରେ ଗୋଡ଼କୁ ବୁଲେଇ ଢେର ବେଳ ଯାଏ ଖୋଜିଲା ଅପର୍ତ୍ତି ଲକ୍ଷ୍ମୀ ଆଉ ନନ୍ଦୁକୁ। ଚାରିଆଡକୁ ଆଖି ବୁଲେଇ ଗଛଡାଳ ପତ୍ରରେ ବି ଖୋଜିଲା ନିରିଖେଇ ନିରିଖେଇ। କିଛି ପାଇଲାନି।

     ସମ୍ପୂର୍ଣ ପାଣି ଛାଡିବାକୁ ଲାଗିଲା ଚାରିଦିନ।ଚାରିଆଡେ ପଟୁ ମାଟିର ଆସ୍ତରଣ।ତାଳବଣ ଭିତରେ କାଦୁଅ ମାଟି ପାଣିକୁ ଚବର ଚବର କରି ଆଗକୁ ଆଗକୁ ଚାଲିଛି ଅପର୍ତ୍ତି।କାଳେ କେହି ମିଳିଯିବେ ? ଦୂରରୁ କିଆବୁଦା ମୁଳୁ ଦିଶୁଛି କେହି ଜଣେ ମୁହଁ ମାଡି ଶୋଇଲା ପରି। ଅପର୍ତ୍ତି ପହଁଚିଲା ସେଠି। ଛାତିରେ ଛେପ ପକେଇ ଟିକେ ଦୂରରେ ଠିଆ ହୋଇ ଚାହିଁଲା। ଖୁବ ମୋଟାସୋଟା ବଳିଷ୍ଠ ଚେହେରାର ଛୁଆଟାଏ କିଏ ସୁଅରେ ଭାସି ଆସି ଲାଗିଛି ଏଠି। ସମ୍ପୂର୍ଣ୍ଣ ଦେହରେ ଚରି ଯାଇଛି ପଟୁମାଟି। 

 ନନ୍ଦୁ ?

 ଧେତ୍ ନନ୍ଦୁ ଟା ତ ତାର ଧେଡ ଟା । ବାଉଁଶ କଣି ଭଳିଆ ନଳୀ ନଳୀ ହାତଗୋଡ଼। 

   ଅପର୍ତ୍ତି ଆଗକୁ ଗୋଡ଼ ବଢ଼େଇଲା। କାହିଁକି କେଜାଣି ଗୋଡ଼ ଦୁଇଟା ତାର ଆଉ ଆଗକୁ ଭିଡି ହେଉନି। କେହି ଯେମିତି ଭିଡି ଧରିଛି ତା ପାଦ ଦୁଇଟାକୁ। ସମସ୍ତ ବଳ ଖଟେଇ ବି ସେ ତା ପାଦ ଦୁଇଟାକୁ ମୁକୁଳେଇ ପାରୁନି। ସନ୍ଦେହରେ ପୁଣି ଥରେ ଫେରି ବୁଲି ଚାହିଁଲା ସେ।ଧୀରେ ଧୀରେ ପାଖକୁ ଯାଇ ଓଲଟେଇ ଦେଲା ମୁର୍ଦ୍ଦାରଟାକୁ।

    ନନ୍ଦୁ ନନ୍ଦୁ ବୋଲି ଚିତ୍କାର କରି ଉଠିଲା ଅପର୍ତ୍ତି।ତା ଛାତିଫଟା ଚିତ୍କାର ଦୂର ତାଳବଣ ଡେଇଁ ମିଳେଇ ଗଲା କୁଆଡେ ପବନରେ।ପାଣି ଭିତରେ ତିନିଚାରି ଦିନ ପଡ଼ିପଡି ଅସମ୍ଭବ ଭାବେ ଫୁଲି ଯାଇଥିଲା ନନ୍ଦୁ।ସେଇଠି ଆଣ୍ଠୁ ମାଡି ବସିପଡି ସେ ଘୋଷାଡି ଆଣିଲା ନନ୍ଦୁକୁ ତା କୋଳକୁ। କିନ୍ତୁ କଅଁଳ କଞ୍ଚାମାଟିର ଦେହ ଟା ଖଣ୍ଡ ଖଣ୍ଡ ହୋଇ ପୁଣି ମାଟିରେ ମିଶିବାରେ ଲାଗିଥିଲା।

       ଟିକେ ଆଗରେ ହାଲକା ପବନରେ ଉଡୁଥିଲା କାହାର ନାଲିରଙ୍ଗର ଛିଟ ଶାଢ଼ୀଟିଏ ଗୋଟିଏ କାଠ ଗଣ୍ଡିର ଅଧାରେ ଗୁଡେଇ ହୋଇ। ହୋଇପାରେ ଲକ୍ଷ୍ମୀର କିନ୍ତୁ ସେ ଯାଏ ଯିବାକୁ ନା ଅପର୍ତ୍ତି ଦେହରେ ଆଉ ବଳ ଥିଲା , ନା ମନରେ ଦମ୍ଭ ଥିଲା , ନା ଛାତିରେ ଆଉ ଦମ୍ ଥିଲା ।

                 


Rate this content
Log in

Similar oriya story from Tragedy