Rozalini Mishra

Romance Inspirational Others

4.5  

Rozalini Mishra

Romance Inspirational Others

ବାର ଡ୍ୟାନ୍ସର

ବାର ଡ୍ୟାନ୍ସର

5 mins
408



     ସାରା ସାରା କହି ବାଉଳି ହୋଇ ନିଦରୁ ଉଠି ବସି ପଡ଼ିଲା ସୌମ୍ୟ ସକାଳୁ ସକାଳୁ।    

 ଓଃ ଏଇ ସାରା ଆଉ ତା ସ୍ମୃତି ଏତେ ସହଜରେ ମୋ ପିଛା ଛାଡିବେନି ବୋଧେ।ସ୍ୱପ୍ନ ରେ ବି ସବାର ହୋଇ ଯାଉଛି ଏ ସ୍ମୃତି।ମୁଁ ଯେତିକି ଯେତିକି ଦୁରେଇ ଯିବାକୁ ଚାଁହୁଛି ସେ ସେତିକି ପାଖେଇ ପାଖେଇ ଆସୁଛି ଯେମିତି।

       ନିଦୁଆ ନିଦୁଆ ଆଖିକୁ ମଳିମଳି ଟେବୁଲ ଉପରେ ଥିବା ପାଣି ବୋତଲ ଆଡକୁ ହାତ ବଢ଼େଇଲା ସୌମ୍ୟ।ପାଣି ବୋତଲ ପାଖରେ ଥୁଆ ହୋଇଥିବା ଫୋଟୋ ଫ୍ରେମଟିରେ ଥିବା ସାରାର ଫୋଟୋ ଟି ଖୁବ ଅସ୍ବସ୍ତିକର ମନେହେଲା ତାକୁ।ଚଟ୍ କରି ହାତ ବଢ଼େଇ ଫୋଟୋଟିକୁ ଆଣି ଟେବୁଲ ଡ୍ରୟାର ଭିତରେ ମୁଁହମାଡି ପୁରେଇ ଦେଲା ସେ।ତା ପରେ ଚାଲିଗଲା ବାଥରୁମ।ବାଥରୁମରୁ ବାହାରି ଅଫିସ ପାଇଁ ରେଡି ହେବାକୁ କପବୋର୍ଡ ଖୋଲୁ ଖୋଲୁ ଦେଖିଲା ଉପର ଥାକରେ ସାରାର ନାଲି ରଙ୍ଗର ବନାରସୀ ଶାଢ଼ୀଟି ତାକୁ ଯେମିତି ଖତେଇ ହେଉଛି ରହି ରହି।ଜଲଦି ଜଲଦି ନିଜର ଡ୍ରେସ କାଢି କପବୋର୍ଡର ଡୋରକୁ ଧଡ଼ କରି ବନ୍ଦ କରିଦେଲା ସେ।

         ଅଫିସରୁ ଘରକୁ ଫେରି ନିଜର କ୍ଲାନ୍ତ ଅବଶ ଦେହକୁ ସୋଫା ଉପରେ ଢାଳି ଦେଉଦେଉ ସୌମ୍ୟର 

 ନଜର ପଡିଲା ସାମ୍ନା କାନ୍ଥରେ। ଠିକ ତା ନଜର ସାମ୍ନାରେ ଝୁଲୁଥିଲା ହଳଦିଆ ପାଟସୂତାରେ ତିଆରି ନୃତ୍ୟରତ ଗଣେଶଙ୍କର କାଚ ବନ୍ଧେଇ ଫୋଟୋଟି ଯାହାକୁ ସାରା ନିଜ ହାତରେ ତିଆରି କରି ଟାଙ୍ଗିଦେଇଥିଲା ଡ୍ରଇଂରୁମର କାନ୍ଥରେ। ମୁହଁ ବୁଲେଇ ଦେଇ ଡ୍ରଇଂରୁମରୁ ବେଡ଼ରୁମକୁ ଚାଲି ଆସିଲା ସେ।

  ଓଃ ଏଇ ସ୍ମୃତି ସବୁ କାହିଁକି ଏତେ କଷ୍ଟ ଦିଅନ୍ତି ଯେ !! କେତେବେଳେ ପୁରୁଣା କ୍ଷତରେ ମଲମ ସାଜନ୍ତି ତ ପୁଣି କେତେବେଳେ କ୍ଷତକୁ କେଞ୍ଚି ଉଖାରି ରକ୍ତାକ୍ତ କରନ୍ତି ବାରମ୍ବାର।

  ସାରା ତା ଜୀବନରୁ ବାହାରି ଯିବାର ମାସେ ବିତିଗଲାଣି। କିନ୍ତୁ ତା ମନ ଭିତରୁ ବାହାରି ଯାଉନି କଣ ପାଇଁ ?? ଦରକାର ନାହିଁ ତାର ସାରା କିମ୍ବା ସାରାର ସ୍ମୃତି । ପୂର୍ବରୁ ଯେତିକି ମାନସିକ ଦୁଶ୍ଚିନ୍ତା ଭୋଗିଛି ସେ ଭାବିଥିଲା ସାରା ତା ଜୀବନରୁ ଚାଲିଯିବା ପରେ ସବୁ ଠିକ ହୋଇଯିବ। ସେ ଶାନ୍ତିପୂର୍ଣ୍ଣ ସାଧାରଣ ଜୀବନଟିଏ ବଞ୍ଚି ପାରିବ। କିନ୍ତୁ ସାରା ର ସ୍ମୃତି ଯେମିତି ବୁଢିଆଣି ଜାଲ ପରି ବିଛେଇ ହୋଇ ରହିଛି ତାର ଚାରିପାଖ ଯାକ ଆଉ ଜାଲ ମଝିରେ ସେ ହେଉଛି ଅସହାୟ ଛୋଟ ପୋକଟିଏ।

       ନିଜ ମନକୁ ଭୁଲେଇବା ପାଇଁ ସୌମ୍ୟ ବାହାରିଗଲା ସେହି ଡ୍ୟାନ୍ସବାର ଆଡେ ଯେଉଁଠାକୁ ସେ ଆଗରୁ ବହୁତ ଥର ଯାଇଛି।କିନ୍ତୁ ସେଠି ପହଞ୍ଚି ନିଜ ଆଖିକୁ ନିଜେ ଵିଶ୍ଵାସ କରି ପାରିଲାନି ସେ। 

 ଏଠି ବି ସାରା ! ଓଃ ନୋ ସେ ନ ଚାହିଁକି ବି କ'ଣ ପାଇଁ ତା ଜୀବନଟା ଏମିତି ସାରାମୟ ହୋଇ ଯାଉଛି !! 

      ଅନ୍ୟ ଡ୍ୟାନ୍ସର୍ ମାନଙ୍କ ଭିତରେ ଥାଇ ତାକୁ ଟିକେ କଣେଇ ଚାହିଁଲା ସାରା ଆଉ ନ ଜାଣିଲା ପରି ମୁଁହ ବୁଲେଇ ନେଲା ଅନ୍ୟଆଡେ।


 ___ ତାହେଲେ ସାରା ପୁଣି ଆଦରି ନେଇଛି ତା ଅତୀତ ଜୀବନକୁ ଖୁବ ସହଜରେ ନିଜକୁ ତା ଠାରୁ ମୁକୁଳେଇ ନେଇ।କିନ୍ତୁ ମୁଁ କାହିଁକି ପାରୁନି ??


     ହାତରେ ଧରିଥିବା ହ୍ବିସ୍କି ଗ୍ଲାସରେ ଗୋଟେ ଚୁସକି ଦେଲା ପରେ ସୌମ୍ୟ ନିରିଖେଇ ଦେଖିଲା ଆଉ ଟିକେ ସାରାକୁ।ସାମ୍ପେନ ସ୍ପ୍ରେ ରେ ଭିଜି ଭିଜି ନାଚରେ ମସଗୁଲ ଥିଲା ସାରା।କାହିଁକି କେଜାଣି ସାରା ଖୁବ ସୁନ୍ଦର ଆଉ ଆକର୍ଷଣୀୟ ଲାଗୁଥିଲା ତାକୁ ଠିକ ଆଗ ଦିନ ମାନଙ୍କ ପରି । ଡ୍ୟାନ୍ସ ବାରରେ ଥିବା ସବୁ ଡ୍ୟାନ୍ସର୍ ଙ୍କ ଭିତରେ କେବଳ ସାରା ହିଁ ଲାଗୁଥିଲା ତାକୁ ଅଲଗା ଅଲଗା। କିନ୍ତୁ ଏଇ କିଛି ଦିନ ଆଗରୁ ତ ସାରା ପ୍ରତି ତାର ଧାରଣା କିଛି ଅଲଗା ରକମର ଥିଲା !! ନିଜ ପରିବର୍ତ୍ତନରେ ନିଜେ ଆଶ୍ଚର୍ଯ୍ୟ ହେଲା ସୌମ୍ୟ।


**** **** *****


     ଏହି ଡ୍ୟାନ୍ସ ବାରରେ ହିଁ ଦେଖା ହୋଇଥିଲା ସାରା ସହ ସୌମ୍ୟର ଆଉ ସମ୍ପର୍କର ମୁଳୁଦୁଆ ପଡିଥିଲା ଉଭୟଙ୍କ ଭିତରେ। ପ୍ରେମ ତ ସତରେ ଅନ୍ଧ । ସେ କ'ଣ ଦେଖେ କିଏ ବାର ଡ୍ୟାନ୍ସର , କିଏ କଲ ଗାର୍ଲ ଅଥବା କିଏ ରାଜାଝିଅ ??ସାରାକୁ ପ୍ରେମିକାରୁ ସ୍ତ୍ରୀ ସଜେଇ ଖୁବ ଖୁସିଥିଲା ସୌମ୍ୟ। ଜୀବନର ଚଲାପଥ ଲାଗୁଥିଲା ଖୁବ ରଙ୍ଗୀନ ଆଉ ପ୍ରେମମୟ ଉଭୟଙ୍କୁ। ଉଭୟ ଉଭୟଙ୍କ ପ୍ରେମର ଜୁଆର ଭିତରେ ହଜି ଯାଇଥିଲେ ।

        ସେମାନଙ୍କ ପ୍ରେମର ଜୁଆରରେ ଧୀରେ ଧୀରେ ଭଟ୍ଟା ପଡିବା ଆରମ୍ଭ ହୋଇଥିଲା ସେଇଦିନ ଯେଉଁଦିନ ସପିଙ୍ଗ ମଲରେ ସୌମ୍ୟ ସହ ଦେଖା ହୋଇଥିଲା ରୋନିତ ର । ପିଲାବେଳର ଦୁଇ ବନ୍ଧୁ ଅନେକ ଦିନ ପରେ ଦେଖା ହୋଇ ଖୁସି ଗପରେ ମଜ୍ଜି ଯାଇଥିଲେ ଗୁଡ଼ାଏ ସମୟ।ହସଖୁସି ଗପସପ ଭିତରେ ହଠାତ ରୋନିତ ପଚାରିଲା ...


ସୌମ୍ୟ ତୁ ସାରା ସହ ଖୁସି ଅଛୁ ??


      ଟିକେ ହସିଦେଇ ସୌମ୍ୟ କହିଲା , " ହଁ ମୁଁ ବହୁତ ଖୁସି .କିନ୍ତୁ ଏମିତି ପ୍ରଶ୍ନ କ'ଣ ପାଇଁ ???


  ସାରା ପରି ଝିଅ ଯେ ଦିନେ କାହାର ଜୀବନ ସାଥୀ ହୋଇପାରିବ ଏକଥା ମୋ କଳ୍ପନାର ବାହାରେ ଥିଲା।ମୁଁ ବି ଦିନେ ସାରାକୁ ଏକ ତରଫା ପ୍ରେମ କରୁଥିଲି। କିନ୍ତୁ ବାର ଡ୍ୟାନ୍ସର୍ କୁ ବାହା ହୋଇଥିଲେ ସାରା ଜୀବନ ଅଶାନ୍ତିରେ କାଟିଥାନ୍ତି ମୁଁ। ସତରେ ତୋ ହୃଦୟ ବହୁତ ବିଶାଳ ସୌମ୍ୟ।କେତେ ସହଜରେ ତୁ ଆପଣେଇ ନେଇଛୁ ସାରାକୁ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ମୋତେ। ହଉ ....କେତେଦିନ ସାରା ତୋ ପଞ୍ଜୁରୀ ଭିତରେ ଶାରୀ ହୋଇ ରହି ପାରୁଛି ଦେଖିବା କଥା।

     ଏତକ କହିସାରି ହୋ ହୋ ହୋଇ ହସି ଉଠିଲା ରୋନିତ । ସୌମ୍ୟକୁ ଲାଗୁଥିଲା ରୋନିତ ହସର ଆବାଜରେ ତା ଦେହର ସ୍ନାୟୁ ତନ୍ତ୍ରୀ ସବୁ ଖିନଭିନ ହୋଇଯିବ ଯେମିତି ଭିତରେ ଭିତରେ।

     ୟା ଭିତରେ ଜୀବନଟା କଡ଼ ଲେଉଟେଇବା ଆରମ୍ଭ କରିଥିଲା ।ଗୋଟାଏ ବାର୍ ଡ୍ୟାନ୍ସର୍ କୁ ସ୍ତ୍ରୀର ମାନ୍ୟତା ଦେଇ ସାଙ୍ଗସାଥି ମହଲରେ ଖୁବ ଆଦର୍ଶ ବ୍ୟକ୍ତିତ୍ୱଟିଏ ସାଜିଥିବା ସୌମ୍ୟ କିନ୍ତୁ ଖୁବ ଅସହଜ ହୋଇ ପଡ଼ିଥିଲା ନିଜ ବାସ୍ତବ ଜୀବନରେ ସାରା ଆଗରେ।ମନର କେଉଁ ନିଭୃତ କୋଣରୁ କେହି ଯେମିତି ରହି ରହି କହୁଥିଲା ତୁ ଗୋଟାଏ ବାର୍ ଗାର୍ଲର ସ୍ୱାମୀ। ନିତିନିତି ସେ ଛଟପଟ ହେଉଥିଲା ସନ୍ଦେହର ଅଡୁଆ ବୁଢିଆଣି ଜାଲ ଭିତରେ ଛନ୍ଦି ହୋଇ।ପ୍ରାଣପଣେ ଚେଷ୍ଟା କରି ବି ସେ ମୁକୁଳି ପାରୁ ନଥିଲା ସେଥିରୁ। 

      ଏମିତି ଏକ ପରିବେଶ ସହ ବର୍ଷ ବର୍ଷ ଧରି ଜଡିତ ଥିବା ଝିଅଟେ କ'ଣ କେବେ ବି ଆଉ କେଉଁ ପୁରୁଷର ସଂସ୍ପର୍ଶରେ ଆସିନି ? କିନ୍ତୁ ସାରାର ଅଙ୍ଗୀଭଙ୍ଗୀ ଯେ ଅନେକ ପୁରୁଷ ଙ୍କୁ ମତୁଆଲା କରେ ସେ ନିଜେ ତାର ପ୍ରତକ୍ଷ୍ୟଦର୍ଶୀ।ସତରେ କ'ଣ ତା ପୂର୍ବରୁ ସାରା ଆଉ କାହାର ପ୍ରେମିକା ସାଜିନି କେବେ ?? ସତରେ କ'ଣ ରୋନିତ ସାରାକୁ ଏକ ତରଫା ପ୍ରେମ କରୁଥିଲା ନା ସାରା ବି ।ସାରା କ'ଣ ତାର ଏକାନ୍ତ ନିଜସ୍ୱ ??? ସେ କ'ଣ ସାରାକୁ ବାହା ହୋଇ ଭୁଲ କରିଛି ?ଏମିତି ଅନେକ ପ୍ରଶ୍ନ ଉଙ୍କି ମାରେ ସୌମ୍ୟ ମନ ଭିତରେ ରାତ୍ରୀର ନିର୍ଜ୍ଜନ ପ୍ରହରରେ ଆଉ ନିଜ ପ୍ରଶ୍ନବାଣରେ ନିଜେ ଜର୍ଜରିତ ହୁଏ ସେ।

      ସନ୍ଦେହର ଅଡୁଆ ସୂତାଖିଅ କ'ଣ ସହଜରେ ସଜାଡି ହୁଏ ? ଗୋଟେ ଗଣ୍ଠି ଖୋଲିଲା ବେଳକୁ ଆଉ ଗୋଟେ ଗଣ୍ଠି ପଡିବାର ଉପକ୍ରମ ନେଉଥାଏ।ବେଶି ଟଣା ଓଟରା ଭିତରେ କେତେବେଳେ ଅନିଚ୍ଛାକୃତ ଭାବରେ ସୂତାଟି ଛିଣ୍ଡିଯାଏ ନହେଲେ ଜାଣିଜାଣି ସୂତାକୁ ଛିଣ୍ଡେଇ ଦିଆଯାଏ ଅଡୁଆ ତୁଟେଇବାର ବାହାନାରେ।

    ଏ ସବୁ ଅନ୍ତର୍ଦହନରୁ ମୁକ୍ତି ଚାହିଁଥିଲା ସୌମ୍ୟ । ଏମିତି ଅଣନିଃଶ୍ଵାସୀ ହୋଇ ଜୀବନଟିଏ ବଞ୍ଚି ହୁଏନା। ଏବେ ସାରା ତା ଠାରୁ ମୁକ୍ତି ଚାହୁଁ ବା ନ ଚାହୁଁ ସେ କିନ୍ତୁ ମୁକ୍ତି ଚାହେଁ ଏ ବନ୍ଧନରୁ।

     ଡିଭୋର୍ସ ପରେ ପୁଣି ନିଜ ଅତୀତକୁ ଫେରି ଆସିଛି ସାରା ପେଟ ପୋଷିବା ଦାୟରେ।ଆଜି ସେ ପୁଣି ସେଇ ବାର ଡ୍ୟାନ୍ସର୍ କିନ୍ତୁ ବାରର ସେ କଡ଼ ଟେବୁଲ ପାଖରେ ବସିଥିବା ସୌମ୍ୟ ଆଜି ତାର ସ୍ୱାମୀ ନୁହେଁ। ଜଣେ ଗ୍ରାହକ ମାତ୍ର। ଅନ୍ୟ ମାନଙ୍କ ପରି ସେ ବି ଆସିଛି କାଉଣ୍ଟରରେ ବିଲ କାଟି ତା ନାଚକୁ ଉପଭୋଗ କରିବା ପାଇଁ ମ୍ୟାରେଜ ପୂର୍ବର ଦିନ ମାନଙ୍କ ପରି।




     ଆଜିକାଲି ସୌମ୍ୟର ପ୍ରତିଟି ସନ୍ଧ୍ୟା କଟୁଛି ଏହି ବାରରେ।ତାକୁ ଲାଗୁଛି ସେ ବୋଧେ ପୁଣିଥରେ ସାରାର ପ୍ରେମରେ ପଡି ସାରିଛି।ବହୁତ ଚେଷ୍ଟା କରିଛି ସୌମ୍ୟ ଏଠାକୁ ଆଉ ନ ଆସିବା ପାଇଁ କିନ୍ତୁ ସନ୍ଧ୍ୟା ହେଲା ମାତ୍ରେ କେମିତି ଗୋଟାଏ ଅଜବ ନିଶା ସବାର ହେଉଛି ତା ଉପରେ ଆଉ ସେ ଆପେ ଆପେ ଘୋଷାଡି ହୋଇ ଚାଲି ଆସୁଛି ଏଠିକି। ଏଠି ପହଁଚିଲା ପରେ ମନକୁ ଯେତେ ଲଗାମ ଦେଲେ ବି ଆଖି ଦୁଇଟା ଖୋଜି ବୁଲୁଛନ୍ତି କେବଳ ସାରାକୁ ଅନ୍ୟମାନଙ୍କୁ ନଜର ଅନ୍ଦାଜ କରି ।

       ମନେ ମନେ ବହୁତ ଚିନ୍ତା କଲା ସୌମ୍ୟ। ଆଉ ଶେଷରେ ଏଇ ସିଦ୍ଧାନ୍ତରେ ପହଁଚିଲା ଯେ ଏହା ପ୍ରେମ ଛଡା ଆଉ କିଛି ନୁହେଁ। ଜୀବନରେ ଦୁଇଥର ପ୍ରେମ ହେବା କିଛି ନୂଆ କଥା ନୁହେଁ କିନ୍ତୁ ଜଣଙ୍କ ସହ ଦୁଇ ଦୁଇ ଥର ପ୍ରେମରେ ପଡିବା ତା ପୁଣି ଆଇନଗତ ଭାବରେ ପରସ୍ପର ଠାରୁ ଦୂରେଇ ସାରିଲା ପରେ ମଧ୍ୟ !! ନିଶ୍ଚିତ ଭାବରେ ବିରଳ ଉଦାହରଣଟିଏ। ଆଉ ତା ସହ ଏମିତି ହିଁ ଘଟିଛି।ସେ ସାରାକୁ ଭଲ ପାଇ ବସିଛି ଆଉଥରେ। ତା ମନର ଏକାକୀପଣ ଖୋଜୁଛି ସାରାର ସାନ୍ନିଧ୍ୟ।ତା ମନ ଚାଁହୁଛି ସାରା ସହ ମିଶି ତା ଭଙ୍ଗାନୀଡ଼କୁ ପୁଣି ଥରେ ସଜାଡ଼ିବାକୁ।କିନ୍ତୁ ସାରା କ'ଣ ପୁଣି ତା ଉପରେ ଭରସା କରି ପାରିବ ? ପୁଣି ଥରେ ରାଜି ହେବ ତା ଜୀବନକୁ ଫେରିବାକୁ ? ହୁଏତ ସାରା ରାଜି ନହୋଇ ପାରେ କିନ୍ତୁ ଚେଷ୍ଟା କରିବାରେ କ୍ଷତି କ'ଣ ?ଭୁଲଟା ଯେତେବେଳେ ତା ନିଜଆଡୁ ହୋଇଛି ସମାଧାନ ପାଇଁ ସେ ହିଁ ପ୍ରଥମେ ହାତ ବଢ଼େଇବାରେ ଅସୁବିଧା କୋଉଠି ?

       ହ୍ବିସ୍କି ଗ୍ଲାସର ଟୁଂ ଟାଂ ଶବ୍ଦ ଆଉ ନାଚଗୀତ ଭିତରେ ସମସ୍ତେ ଥିଲେ ମସଗୁଲ।ସୌମ୍ୟ ଉଠି ଠିଆ ହେଲା ଆଉ ଫ୍ଲାୱାର୍ ଭେସ୍ ରୁ ରକ୍ତ ଗୋଲାପଟିଏ ଧରି ଅଗ୍ରସର ହେଲା ସାରା ଆଡକୁ।ସାରା ହାତକୁ ଫୁଲଟି ବଢେଇ ଦେଇ କହିଲା , " ସାରା ..... ୱିଲ୍ ୟୁ ମ୍ୟାରି ମି ଏଗେନ୍ ......ପ୍ଲିଜ ।



Rate this content
Log in

Similar oriya story from Romance