Rozalini Mishra

Children Stories Tragedy Inspirational

4  

Rozalini Mishra

Children Stories Tragedy Inspirational

ମୋତି

ମୋତି

5 mins
314



     ସ୍କୁଲରୁ ଫେରି ବହି ବସ୍ତାନି ସବୁ ଖଟ ଉପରେ ଫୋପାଡ଼ି ଦେଇ ଭିତରୁ ଭୁସ୍ କରି କବାଟ ବନ୍ଦ କରିଦେଲା କାହ୍ନା। କାହ୍ନା ବୋଉ ଆସି କବାଟ ବାଡେଇ ଡାକିଲା ବହେ।

__ ଆରେ ... ଖାଇବୁନି କି ? କବାଟ କିଳି ଘରେ ପଶିଲୁ କ'ଣ ?

__ ନା ମୁଁ ଖାଇବିନି । ଦରକାର ନାହିଁ ମୋର ଖାଇବା ।


__ ଆରେ କ'ଣ ହେଲା ତୋର ? ମୋ ବାପାଟା ପରା ।ଆ... ତୋତେ ଗୁଣ୍ଡାଏ ବାଢିଦେଲେ ମୁଁ ପୁଣି ଧୁଆଧୋଇ ହୋଇ ସଞ୍ଜଦୀପ ଦେବି। ଶୀତଦିନ ... ଏଇନେ ଚାଁହୁ ଚାଁହୁ ବେଳ କୁଆଡେ ଚାଲିଯିବ।


__କହିଲି ପରା ମୋତେ ଭୋକ ନାହିଁ।ମୁଁ ଖାଇବିନି । ତୁ ନିଜେ ଖା ।

__ ଦିନ ସାଢେ ନଅଟା ବେଳେ ଗୁଣ୍ଡେ ଖାଇକି ସ୍କୁଲ ଯାଇଥିଲୁ।ଏ ଯାଏ ଭୋକ ହେଇନି ତୋତେ ?


__ ନା ... ଭୋକ ହେଇନି।ତୁ ଏବେ ବାପାଙ୍କୁ ପଚାରିକି ମୋତେ କହ ମୋ ସାଇକେଲ କେବେ କିଣାହେବ । ତା ପରେ ମୁଁ ଖାଇବି।ବାପା କହିଥିଲେ ତୋର ପଞ୍ଚମ ଶ୍ରେଣୀ ହେଲେ ମୁଁ ସାଇକେଲ କିଣିଦେବି।ପଞ୍ଚମ ଯାଇ ଷଷ୍ଠ ଯାଇ ସପ୍ତମ ସରିବାକୁ ବସିଲାଣି।କିନ୍ତୁ ମୋ ସାଇକେଲ କିଣା ହୋଇ ପାରିଲାନି।ମୋର ସବୁ ସାଙ୍ଗ ସାଇକେଲ ନେଇ ସ୍କୁଲ ଯାଉଛନ୍ତି । ମୁଇଁ ଏକା ଦି କିଲୋମିଟର ରାସ୍ତା ଚାଲିଚାଲି ଯାଉଛି।ଆଜି ଆମେ କଥା ହେଇଥିଲୁ ଯେ ସ୍କୁଲରୁ ଫେରି ସେ ପୋଖରିଆ ପଡିଆରେ କ୍ରିକେଟ ଖେଳିବୁ ବୋଲି।ମୋର ସବୁ ସାଙ୍ଗମାନେ ସାଇକେଲରେ ଆସି ଜଲଦି ପହଞ୍ଚି ଖେଳ ଆରମ୍ଭ କରି ସାରିଲେଣି।ମୁଁ ପହଁଚିଲା ବେଳକୁ ଦି ଓଭର ଖେଳି ସାରିଲେଣି। ମୋତେ ଆଉ ମିଶଉ ନାହାନ୍ତି .....କହି ବଡ଼ ପାଟିରେ କାନ୍ଦିବାକୁ ଲାଗିଲା କାହ୍ନା।


__ ମୋ ଧନଟା ପରା ... ତୁ ଆଗ ଦି ଟା କଣ ଖାଇ ଦେ ।ମୁଁ ଆଜି ରାତିରେ ସୁବିଧା ଦେଖି ବାପାଙ୍କ ଆଗରେ କଥାଟା ଉଠେଇବି ପୁଣି।


__ ଖାଇବି ନାହିଁ ମାନେ ଖାଇବି ନାହିଁ।ନ ଖାଇ ନ ପିଇ ଏଇ ଘରେ ଆଜି ମୁଁ ମରିବି।ତୁ ତୋର ସବୁ ପଇସା ରୋଷେଇ ଘରେ ମସଲା ଡବା ଭିତରେ ପୁରେଇ ରଖି ଥା ... ମୁଁ ମଲା ପରେ ଗଣିବୁ ବସି।ମୁଁ ଏତେ ବାଟ ଚାଲି ଚାଲି ଯାଉଛି , ତୁମ କାହାରି ମନରେ ଦୟା ନାହିଁ ଟିକେ ... କହି ଏଁ ..ଏଁ ..ଏଁ ହୋଇ କାନ୍ଦିବାକୁ ଲାଗିଲା କାହ୍ନା।

    ପାଖଘରେ ବସି ସବୁ ଶୁଣୁଥିଲା ଯୋଗିଆ।ଉଠିକି ଆସି କହିଲା , ' ଚୁପ୍ କର୍ ... କବାଟ ଖୋଲିବୁ ନା କଣ୍ଟେଇ କୋଳି ଛାଟିଆ ଖଣ୍ଡେ ଭାଙ୍ଗିକି ଆଣିବି ଏବେ।'

   ଡରିକି କବାଟ ଖୋଲିଲା କାହ୍ନା।

  ଯୋଗିଆ ଆଖି ବଡ଼ ବଡ଼ କରି କହିଲା , " ଚୁପଚାପ ଖାଇକି ଯାଆ ଏଠୁ।ନହେଲେ ଗୋଟେ ବ୍ରହ୍ମ ଚଟକଣିରେ ତୋ ବୁଦ୍ଧି ବାମ କରିଦେବି।ପଇସା କୋଉଠୁ କେମିତି ଆସୁଛି ଜଣା ପଡୁନି ପୁଅକୁ। କହୁଛି କ'ଣ ନା ସାଇକେଲ ଚଢି ସ୍କୁଲ ଯିବ। ନବାବ ନାତି ଟା ନା ... ଯାଃ ଏଠୁ।

    ଡରି ଡରି ଲୁହ ସିଙ୍ଘାଣି ମିଶା ପଖାଳ ଭାତକୁ ଗୋଳେଇ ପୋଳେଇ ଖାଇଦେଇ ଉଠିଗଲା କାହ୍ନା।

   ପୁଅକୁ ସିନା ଆଖି ଦେଖେଇ ଜବତ କରିଦେଲା କିନ୍ତୁ ମନଟା ଭାରି ଗୋଳେଇ ଘାଣ୍ଟି ହେଉଥିଲା ଯୋଗିଆର।ଭାରି କଷ୍ଟ ଲାଗୁଥିଲା ତାକୁ ପୁଅଟାକୁ ସାଇକେଲ ଖଣ୍ଡେ କିଣି ଦେଇ ପାରୁନି ବୋଲି।କୁକୁଡ଼ା ବେପାରରୁ ଏମିତି କେତେ ପଇସା ମିଳୁଛି ଯେ ସେ ଏତେ ଗୁଡ଼ାଏ ପଇସା ହାତ ଖୋଲି ଖର୍ଚ୍ଚ କରି ପାରିବ ? ହଉ ଦେଖିବା .... ଛୁଆଟାକୁ ଏତେ ଆଉ ଭଣ୍ଡି ହେବନି।କିଛି ଗୋଟାଏ ବ୍ୟବସ୍ଥା କରିବା।

    ସେଦିନ କାଲୁମିଆଁ ଘରେ କୁକୁଡ଼ା ଚାରିଟା ଦେଇ ପଇସା ନେଇ ଘରକୁ ଫେରୁଥିଲା ଯୋଗିଆ। ରାତି ହୋଇ ଗଲାଣି। କିଛି ଗୋଟାଏ ଖସଖସ ଶବ୍ଦ ଶୁଭିଲା ତାକୁ ରାସ୍ତା କଡ଼ ବୁଦା ପାଖରୁ । ଟିକିଏ ରହିଯାଇ ଟର୍ଚ୍ଚଲାଇଟ ଟାକୁ ପକେଇଲା ସେ ଆଡକୁ ।କୁନି ଛେଳି ଛୁଆଟାଏ। ଲାଇଟ ପଡିବାରୁ ସାଙ୍କୁଡି ହୋଇ ପଶିଗଲା ବୁଦା ଆଡକୁ ଭୟରେ।ଭୁଲରେ ବାଟବଣା ହୋଇ ଚାଲି ଆସିଛି ବୋଧେ ନହେଲେ ଗୋଠରୁ ବାହାରି ଯାଇଛି କେମିତି ଭୁଲରେ।ଅନ୍ଧାରରେ କୁଆଡେ ଯିବ ଜାଣି ପାରୁନି।

     ଯତ୍ନରେ ଛେଳି ଛୁଆଟାକୁ ଆଣି ବ୍ୟାଗ ଭିତରେ ପୁରେଇ ଘରକୁ ନେଇ ଆସିଲା ଯୋଗିଆ।ଘରେ ସବୁ କଥା କହିଲା।କାହ୍ନା ବୋଉ କହିଲା , " କାଲି ୟାକୁ କାଲୁମିଆଁ ପାଖରେ ବିକିଦିଅ।ଦି ପଇସା ହାତକୁ ଆସିବ।"

    ଯୋଗିଆ କହିଲା , " ଏଡିକି ବକଟେ ଛୁଆ ... ୟାକୁ ବିକିଲେ କେତେ ପଇସା ହେବ ? ଏ ବରଂ ଆମ ଘରେ ଥାଉ।କିଛିଦିନ ଖୁଆଇ ପିଆଇ ଟିକେ ବଡ଼ କରି ବିକିଦେବା ଯେ ହାତକୁ ଭଲ ଦି ପଇସା ଆସିବ।ସେଇ ପଇସାରେ କାହ୍ନାର ସାଇକେଲଟା ବି କିଣା ହୋଇଯିବ "।

    କାହ୍ନାର ଆଖି ଦୁଇଟା ଉଜ୍ଜ୍ୱଳ ଦିଶିଲା।ଓଠ ଫାଙ୍କରୁ ଚେନାଏ ହସ ଖସି ପଡ଼ିଲା ମନକୁ ମନ।ଭିତରେ ଭିତରେ ଶୁଖି ଯାଇଥିବା ତା ସ୍ବପ୍ନର ବୀଜଟି ପୁଣି କୁଆଁ କାଢି ମୁଣ୍ଡ ଟେକିଲା।

     ଦିନରାତି କାହ୍ନା ଲାଗିଥିଲା ଛେଳିଛୁଆ ମୋତିକୁ ବଡ଼ କରିବାରେ।ସ୍କୁଲରୁ ଆସି କଅଁଳିଆ ଘାସ କାଟି ଆଣି ଗଦା କରୁଥିଲା ମୋତି ଆଗରେ।ତା ଭାଗରୁ ସବୁ ଲୁଚେଇକି ଖୁଆଇ ଦେଉଥିଲା ମୋତିକୁ ସେ ଜଲଦି ଜଲଦି ବଡ଼ ହେବ ବୋଲି।ସନ୍ଧ୍ୟାବେଳେ ସାଙ୍ଗ ହୋଇ ଦୁହେଁ ମୁଢି , ଚୁଡାଭଜା ନହେଲେ ବିସ୍କୁଟ ଖାଉଥିଲେ।ସକାଳୁ ମୋତିକୁ ଗାଧୋଇ ଦେଉଥିଲା କାହ୍ନା।ବାରଣ୍ଡାରେ ଅଖା ଆଉ ତା ଉପରେ ତା ବୋଉର ପୁରୁଣା ଲୁଗା ଖଣ୍ଡେ ପକେଇ ନରମ ଶେଜ ତିଆରି କରିଥିଲା ମୋତି ପାଇଁ।

      ୟା ଭିତରେ ମୋତି ଟିକେ ବଡ଼ ହୋଇ ଯାଇଥିଲା।ତା ସହ କାହ୍ନାର ସ୍ୱପ୍ନବୀଜଟି ବି ଦ୍ରୁମରେ ପରିଣତ ହେଉଥିଲା ଧୀରେଧୀରେ।ସେଦିନ କାଲୁମିଆଁ ମୋତିକୁ ଦେଖି ଘଡ଼ିଏ ଚାହିଁକି ରହିଲା।ପୁରା ଗୋଲ ମଟୋଲ ମାଉଁସିଆ ଚେହେରା ସାଙ୍ଗକୁ କଳା ମଚମଚ ଚିକ୍କଣ ଦେହ।ସତେକି ଏବେଏବେ କିଏ ତେଲ ଘଷି ଦେଇ ଯାଇଛି ଦେହରେ।

      କାଲୁମିଆଁ ଚୁପଚାପ କିଛି କଥା ହେଲା ଯୋଗିଆ ସହ।କଥା ଛିଣ୍ଡିଲା ବାର ହଜାରରେ।ପଇସା ଗଣି ଯୋଗିଆ ହାତରେ ଧରେଇ ଦେଲା କାଲୁମିଆଁ।ଯୋଗିଆ ପଇସା ବିଡାଟାକୁ କାହ୍ନାବୋଉ ହାତରେ ଧରେଇ ଦେଇ କହିଲା , " ନେ ... ଆଉ ଥରେ ଗଣିକି ବାକ୍ସ ଭିତରେ ରଖି ଦେ।ପୁରା ବାର ହଜାର ଅଛି।କାଲି ଯାଇ କାହ୍ନା ପାଇଁ ସାଇକେଲ ଖଣ୍ଡେ କିଣି ଆଣିବି।ଆଉ ତୋ କାନଫୁଲଟା ବି ଦେଇଥିବୁ।ସଜାଡି ଆଣିବି।"

     କାଲି ସାଇକେଲ କିଣାହେବ ଶୁଣି ଖୁସିରେ ନାଚି ଉଠିଲା କାହ୍ନା।ଭାବିଲା ଆଜି ଖେଳ ପାଖରେ ସବୁ ସାଙ୍ଗଙ୍କ ଆଗରେ କହିବି ମୋ ନୂଆ ସାଇକେଲ କିଣା କଥା।

    କାଲୁମିଆଁ ମୋତିକୁ ଘୋଷାଡି ଘୋଷାଡି ନେଉଛି। ମେଁ ...ମେଁ ଡାକି କାନ ଅତଡା ପକାଉଛି ମୋତି।କାହ୍ନାର ଅଜାଣତରେ ତା ଗାଲ ଉପର ଦେଇ ବୋହି ଆସିଲା ଉଷୁମ ଧାରେ ଲୁହ। ସେ ଲୁହ ସାଇକେଲ କିଣା ଖୁସିର କି ମୋତିକୁ ହରେଇବା ଦୁଃଖର ଜାଣି ପାରିଲାନି ସେ।

     ସେଦିନ ଉପରଓଳି ଆଉ ଖେଳିବାକୁ ଗଲାନି କାହ୍ନା।କାହ୍ନାବୋଉ କହିଲା , " ଖେଳିବାକୁ ଯିବୁନି କି ? କହୁଥିଲୁ ପରା ଆଜି ଖେଳ ବେଳେ ତୋର ସବୁ ସାଙ୍ଗକୁ ନୂଆ ସାଇକେଲ କିଣା କଥା କହିବୁ ବୋଲି।"

 __ କହିଥିଲି ଯେ .... ଥାଉ ଇଚ୍ଛା ହେଉନି।କହିବି ଗୋଟାଏ କ'ଣ ମ ? କିଣା ହେଲେ ସେମାନେ ଦେଖିବେନି କି ?

     ସନ୍ଧ୍ୟାରେ ପାଠ ପଢିବାକୁ ବସିଲା କାହ୍ନା।ଯାହା ଗଣିତ କରୁଛି ସବୁ ଭୁଲ। ଛାଡ଼ ... ଆଜି ଗଣିତ ମୁଣ୍ଡରେ ପଶୁନି। ସରଳାର୍ଥ ଦିଟା ଘୋଷିଦେବା। ଧେତ୍ .... କିଛି ମନେ ରହୁନି । ଆଜି କଣ ହେଇଛି ମୋର କେଜାଣି।ସବୁ ପାଠ ଭୁଲ।ଏ ଭୁଲଭାଲ ପାଠ ଦେଖିଲେ କାଲି ସ୍କୁଲରେ ସାର ମୋତେ ଆଣ୍ଠୁଆ ବସେଇଦେବେ।

     ରାତିରେ ଠିକରେ ଖାଇ ପାରିଲା ନାହିଁ କାହ୍ନା। ଭାବିଲା .... ମୋତେ ଭୋକ ହେଉନି କ'ଣ ପାଇଁ କେଜାଣି ? ଅତି ଖୁସିରେ ଭୋକ ମରିଯାଏ ପରା .... ଏମିତି ଭାବି ଭାବି ଶୋଇବାକୁ ଚେଷ୍ଟା କଲା ସେ।

      କାଲୁମିଆଁ ବଡ଼ ଧାରୁଆ ଛୁରିଟାଏ ଧରି ବସିଛି ପାଖରେ ଠିଆ ହୋଇଛି ମୋତି। ମେଁ .... ମେଁ ... ବଦଳରେ ଡାକୁଛି କାହ୍ନା .... କାହ୍ନା ....।ଚାରିଆଡେ ଛିଟିକି ପଡୁଛି ତାଜାତାଜା ଲାଲରକ୍ତ ।ତଳେ ଗଡୁଛି ମୋତିର ମୁଣ୍ଡ। ଗଣ୍ଡି ଟାକୁ ଧରି ଛାଲ ଉତାରୁଛି କାଲୁମିଆଁ। ପାଖରେ ଶୁଭୁଚି କୋଳାହଳ..... ମୋତେ କିଲେ ଦିଅ.... ମୋର ଅଧକିଲେ ....ସାତ ଶ ପଚାଶ ....କଲିଜା ଦି ଖଣ୍ଡ ... ଚର୍ବି ...

    ଓଃ.....ମୋର ସାଇକେଲ ଦରକାର ନାହିଁ .... ମୋର ସାଇକେଲ ଦରକାର ନାହିଁ .... କହି ଚିଲେଇକି ନିଦରୁ ଉଠି ବସିଲା କାହ୍ନା। ଦେହ ଥରୁଛି। ମୁଣ୍ଡ ଭିତରଟା ଫାଟି ଗଲାପରି ଲାଗୁଛି। ଛାତି ଭିତରୁ ଧଡ଼ ଧଡ଼ ଶବ୍ଦ ଶୁଭୁଛି।ସାର୍ଟ ଝାଳରେ ପୁରା ଓଦା। ଆଖିରୁ ଦୁଇ ଧାର ଲୁହ ବୋହି ଆସିଛି।

    ଝରକା ବାଟେ ବାହାରକୁ ଚାହିଁଲା କାହ୍ନା।ପାହାନ୍ତା ହୋଇ ହୋଇ ଆସୁଛି। ବୋଉ ଖଟରେ ନାହିଁ।ବୋଧେ ବାଡ଼ିପଟେ ଫୁଲ ତୋଳୁଛି। ବୋଉ କୁହେ ପାହାନ୍ତି ସ୍ୱପ୍ନ ସତ ହୁଏ । ତାହେଲେ କ'ଣ ......। ନା .... ନା.... ମୋର ସାଇକେଲ ଦରକାର ନାହିଁ।

     ଚୁପଚାପ ଯାଇ ବାପାର ବାକ୍ସ ଖୋଲିଲା କାହ୍ନା। ବାର ହଜାର ଟଙ୍କାର ବଣ୍ଡଲଟି ସେମିତି ଥୁଆ ହୋଇଥିଲା ରବରଟିଏ ଗୁଡ଼ିଆ ହୋଇ। ପଇସାକୁ ପକେଟରେ ପୁରେଇ କାଲୁମିଆଁ ଘରକୁ ଧାଇଁଲା ସେ। କାଲୁମିଆଁ ଆଗରେ ପଇସାକୁ ଫୋପାଡ଼ି ଦେଇ ଖୁଣ୍ଟରୁ ମୋତିକୁ ଫିଟେଇ କାନ୍ଧରେ ପକେଇ ଏକାମୁଁହା ଘରକୁ ଦୌଡ଼ିଲା କାହ୍ନା।          


Rate this content
Log in