Rozalini Mishra

Drama Tragedy Inspirational

4.1  

Rozalini Mishra

Drama Tragedy Inspirational

ବାଳିକା ବଧୂ

ବାଳିକା ବଧୂ

6 mins
547


ଆଜିକାଲି ବେଳ ଅବେଳରେ ଛାଇ ନିଦରେ ହାରାମଣିଙ୍କୁ ଦେଖା ଦେଉଛନ୍ତି ତାଙ୍କର ସ୍ବର୍ଗତ ସ୍ୱାମୀ ନରେନ୍।ତାହେଲେ ମୃତ୍ୟୁ କ'ଣ ତାଙ୍କର ଅତି ନିକଟରେ ! ହଁ ଏଥିରେ ନୂଆ କଥା ବା କ'ଣ ? ବୟସ ଆସି ନବେ ଛୁଇଁବ ଛୁଇଁବ ହେଉଛି।ସେ ତ ଆଉ ଅମର ବର ପାଇ ନାହାନ୍ତି ଯେ ଚିରକାଳ ବଞ୍ଚିଥିବେ।ମୃତ୍ୟୁ ହିଁ ତ ଏ ସଂସାରର ଧ୍ରୁବ ସତ୍ୟ।କିନ୍ତୁ ମୃତ୍ୟୁର ଶୀତଳ ସ୍ପର୍ଶକୁ ଖୁବ ପାଖରୁ ଅନୁଭବ କରିବା ହେଉଛି ଜୀବନର ସବୁଠାରୁ କଷ୍ଟ ଦାୟକ ସମୟ।

        ରାତ୍ରିର ନିର୍ଜନ ପ୍ରହର।ଚାରିଆଡ ନିସ୍ତବ୍ଧ ଆଉ ଶୁନଶାନ୍ ଭିତରେ ଖାଲି ଯାହା ଶୁଣା ଯାଉଛି ହାରାମଣିଙ୍କ ଛାତିରେ ଜମିଥିବା କଫର ଘଡ଼ ଘଡ଼ ଶବ୍ଦ।ତା ସହ ତାଳ ଦେଉଛି ନିଃଶ୍ୱାସର ସଁ ସଁ ଶବ୍ଦ ବେସୁରା ରାଗିଣୀ ତୋଳି।

    ସ୍କାଇଲାଇଟର ଫାଙ୍କରେ ବୁଢିଆଣିଟିଏ ବସା ବାନ୍ଧି ଚାଲିଛି ନସର ପସର ହୋଇ। ସେ ଆଡକୁ ଚାହିଁଲେ ହାରାମଣି।ବୁଢିଆଣି ଜାଲର ସୂତା ଫାଙ୍କରେ ଦିଶୁଛି ତାଙ୍କର ଅଡୁଆ ତଡୁଆ ପିଲାଦିନର ଝାପସା ଚିତ୍ର।

      କେଉଁ ଏକ ଅଖ୍ୟାତ ନିପଟ ମଫସଲ ପଲ୍ଲୀରେ ଜନ୍ମ ହାରାମଣିଙ୍କର । ଭାରତ ପରାଧୀନ ସେତେବେଳେ। ଯେତେବେଳେ ସେ ମାତୃ ଗର୍ଭରେ ଥିଲେ ତାଙ୍କ ବୋଉ କେତକୀ ଗାଧୁଆ ତୁଠରେ ସକାଳର ବାଳସୂର୍ଯ୍ୟଙ୍କୁ ଅର୍ଘ୍ୟ ଟେକି କଥା ଦେଇଥିଲେ ତାଙ୍କ ସଙ୍ଗାତୁଣୀଙ୍କୁ ଯେ ଯଦି ତାଙ୍କର ଏ ଗର୍ଭସ୍ଥ ସନ୍ତାନଟି ଝିଅ ହୁଏ ତେବେ ସେ ନିଶ୍ଚୟ ତାକୁ ବାହାଦେବେ ସଙ୍ଗାତୁଣୀଙ୍କ ପୁଅ ନରେନ୍ ସହ।ଏମିତି ଭାବରେ ମାତୃ ଗର୍ଭରେ ହିଁ ତାଙ୍କର ବିବାହ ସରି ଯାଇଥିଲା ନରେନ୍ ଙ୍କ ସହ।ଖାଲି ଯାହା ସତ୍ୟ ରକ୍ଷା ପାଇଁ ବିଧିବଦ୍ଧ ଭାବରେ ବେଦୀରେ ବସି ସେ ବାହା ହୋଇଥିଲେ ନରେନଙ୍କୁ ମାତ୍ର ସାତବର୍ଷ ବୟସରେ ବାଳିକା ବଧୂଟିଏ ସାଜି।କଥା ଥିଲା ଯେ ଝିଅ ଏବେ ବାପା ମା'ଙ୍କ ପାଖରେ ହିଁ ରହିବ ଆଉ ବଡ଼ ହେଲା ପରେ ପୁଆଣି ହୋଇ ଶାଶୁ ଘରକୁ ଯିବ।

     ଝିଅ ତାଙ୍କର ପୁଆଣି ହୋଇ ଶାଶୁଘର ଯିବ ଆଉ କେଇଟା ବର୍ଷ ପରେ। ସେଥିପାଇଁ ଧୀରେ ଧୀରେ କରି କିଛି ଗହଣା ଗଢେଇ ଦେଲେ କେତକୀ।ଦାଣ୍ଡ ସୁନ୍ଦର ବୋଲି ଗୋଟେ ଜିନିଷ ପୁଣି ଅଛି ନା ନାହିଁ । ସବୁ ଗହଣା ଭିତରେ ହାରାମଣିଙ୍କର ବେଶୀ ପ୍ରିୟ ଥିଲା ନାଲି ସୁନାଶଙ୍ଖା ଚାରିପଟ। 

    ନାଲିଶଙ୍ଖା ପ୍ରତି ଖୁବ ଦୁର୍ବଳତା ହାରାମଣିଙ୍କର ବାଳୁତ କାଳରୁ।ଯେତେବେଳେ ବୁଢା ଶଙ୍ଖାରୀଟି ଦାଣ୍ଡରେ ଶଙ୍ଖା ନବ ଶଙ୍ଖା କହି ଡାକ ଛାଡେ ସେତେବେଳେ କୁନି ଝିଅ ହାରା ତାର ସବୁ କଣ୍ଢେଇ ଖେଳଣା ଛାଡି ଧାଇଁଯାଏ ଗାଁ ଦାଣ୍ଡକୁ। ଶଙ୍ଖାରୀ ବୁଢା ପାଖରେ ଥାଏ ହରେକ ରକମର ଶଙ୍ଖା ରୂପା ପାତଦିଆ ଶଙ୍ଖା, ସୁନା ପାତଦିଆ ଶଙ୍ଖା , ନାଲି ଶଙ୍ଖା , ଧଳା ଶଙ୍ଖା , ଜଉଦିଆ ଶଙ୍ଖା , ମୀନାବସା ଶଙ୍ଖା , ହାତୀମୁଁହା ଶଙ୍ଖା ଏମିତି ଆହୁରି କେତେ । ସମସ୍ତଙ୍କୁ ଆଡେଇ ହାରା ବସି ପଡେ ଶଙ୍ଖା ପସରା ପାଖରେ ଆଉ ସବୁ ଶଙ୍ଖାରୁ ପଟେ ପଟେ ନେଇ ହାତରେ ଗଳାଏ। ଶଙ୍ଖା ଗୁଡା ହାତର ମଣିବନ୍ଧ ଡେଇଁ କହୁଣୀ ଡେଇଁ ବାହୁ ପର୍ଯ୍ୟନ୍ତ ଚାଲିଆସେ ହାରାର। 

       ବେଳେବେଳେ ହାରା ବୋଉ ପାଖରେ ଅଳି କରି ସେଇ ସୁନା ଶଙ୍ଖା ଚାରିପଟକୁ ମାଗେ ପିନ୍ଧିବା ପାଇଁ। କେତକୀ ବୁଝେଇ ଦିଅନ୍ତି କୁନି ଝିଅକୁ। କୁହନ୍ତି ରହ ପହିଲି ପୁଆଣି ହୋଇ ଗଲାବେଳେ ଟିକେ ଠାକୁରାଣୀଙ୍କ ପାଖରୁ ଛୁଆଇଁ ଆଣି ତୋତେ ପିନ୍ଧେଇ ଦେବି ଯେ ତୋ ହାତର ଶଙ୍ଖା ମା' ଙ୍କ କୃପାରୁ ଚିରଦିନ ବଜ୍ର ହେବ।

     କିନ୍ତୁ ସେଦିନ ଆଉ ଆସିଲାନି।ସେତେବେଳେ ହାରାମଣୀଙ୍କୁ ନଅ ବର୍ଷ ବୟସ ଆଉ ନରେନଙ୍କୁ ତେଇଶି ବର୍ଷ।ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେବା ପାଇଁ ମହାତ୍ମାଗାନ୍ଧୀ ଗାଁ ଗାଁ ବୁଲି ଲୋକ ମାନଙ୍କୁ ଆହ୍ୱାନ ଦେଉଥାନ୍ତି । ଗାନ୍ଧୀଙ୍କ ଆନ୍ଦୋଳନ ବାର୍ତ୍ତାର ଘନଘନ ପ୍ରଚାର ହେଉଥାଏ ବେତାର ଯନ୍ତ୍ର ମାଧ୍ୟମରେ । ଗାନ୍ଧିଜୀଙ୍କ ଡ଼ାକରାରେ ଅନୁପ୍ରାଣିତ ହୋଇ ତେଇଶି ବର୍ଷର ନବଯୁବକ ନରେନ୍ ଆନ୍ଦୋଳନରେ ଯୋଗ ଦେବା ପାଇଁ ଘର ଛାଡିଲେ ଯେ ଆଉ ଘର ମୁଁହ ଦେଖି ପାରିଲେନି । 

      ଇଂରେଜ ସରକାରର ଲାଠି ମାଡ଼ରେ ନରେନ ବୀରଗତିକୁ ପ୍ରାପ୍ତ ହୋଇଛନ୍ତି ଶୁଣି ହାରାମଣିଙ୍କ ବାପା ବୋଉଙ୍କ ଆଖିରୁ ଆଉ ଲୁହ ଶୁଖିଲାନି।ଉଜୁଡି ଗଲା ଗୋଟେ କୁନି ଝିଅର ଆଦୌ ଆରମ୍ଭ ହୋଇ ନଥିବା ସଂସାରଟି।ଆଉ ତାର ପ୍ରିୟ ଶଙ୍ଖା ଚାରିପଟ ରହିଗଲା ସେମିତି ବୋଉର ଦସ୍ତା ଟ୍ରଙ୍କ ଭିତରେ ଲୁଗାପଟା ତଳେ ଗୋଲାପୀ କାଗଜ ଭିତରେ ଗୁଡ଼ିଆ ହୋଇ।

     ସାଙ୍ଗସାଥି ମାନଙ୍କୁ ଦେଖି ନଅ ବର୍ଷର ହାରାମଣି ଯେତେବେଳେ ହାତରେ ସେଇ ଶଙ୍ଖା ଚାରିପଟକୁ ପିନ୍ଧିବା ପାଇଁ ଜିଦ ଧରନ୍ତି ସେତେବେଳେ କେତକୀଙ୍କ ଆଖିରୁ ଲୁହ ବଦଳରେ ଲହୁ ବର୍ଷା ହୁଏ। ଅସହ୍ୟ ବେଦନାରେ ଛାତି ଫାଟିଯାଏ। ଲୁହକୁ ଲୁଚେଇ କଥାକୁ ବାଁରେଇ ଦିଅନ୍ତି କେତକୀ। ନହେଲେ କେମିତି ବୁଝାନ୍ତେ ସେ ଏଡ଼େ ବକଟେ ଛୁଆକୁ ଯେ ସେ ବିଧବା ବୋଲି। କେମିତି କହି ପାରନ୍ତେ ଯେ ଏ ଜନ୍ମ ପାଇଁ ତାକୁ ଶଙ୍ଖା ସିନ୍ଦୁର ମନା ବୋଲି।

     ଥରେ କେତକୀ ବାଡିର ଶାଗ ପଟାଳିରେ ପାଣି ଦେବା ବେଳେ ହାରାମଣି ଚୁପଚାପ ଖୋଲିଲେ ବୋଉର ଟ୍ରଙ୍କ। ପିଲାମନର ଅଦମ୍ୟ ଆଗ୍ରହକୁ ଆଉ କେତେଦିନ ବା ଦବେଇ ରଖିଥାନ୍ତେ ! ଟ୍ରଙ୍କ ଉପରେ କେତକୀଙ୍କ ବାହାଘର ବେଳର ନାଲି ଜରିଦିଆ ପାଟ।ସନ୍ତର୍ପଣରେ ଶାଢ଼ୀଟିକୁ କାଢି ନିଜ ମୁଣ୍ଡରେ ପକେଇ ଦର୍ପଣରେ ମୁହଁ ଦେଖିଲେ ହାରାମଣି।ଇସ୍ କେତେ ସୁନ୍ଦର ସେ । ନାଲି ଓଢଣାରେ ମୁଁହଟି ଦେବୀ ପ୍ରତିମା ପରି ଦିଶୁଛି।ଏଥର ଟ୍ରଙ୍କ ଭିତରୁ ଶଙ୍ଖା ଚାରିପଟକୁ ବାହାର କରି ଦୁଇ ହାତରେ ଗଳେଇ ନିରୀକ୍ଷଣ କଲେ ହାରାମଣି।ବାଃ ଖୁବ ସୁନ୍ଦର ମାନୁଛି ତ ତାଙ୍କ ଗୋରା ଗୋରା ହାତକୁ। ଗୋଟେ ଲକ୍ଷେ ଟଙ୍କିଆ ହସ ଝରି ପଡିଲା ହାରାମଣିଙ୍କ ଓଠରୁ।

        ଏମିତି ନିଜ ସୌନ୍ଦର୍ଯ୍ୟରେ ନିଜେ ବିଭୋର ହେଉଥିବା ବେଳେ ହଠାତ ଦେଠେଇଙ୍କ ଚିତ୍କାରରେ ଚମକି ପଡିଲେ ହାରାମଣି।ଦେଠେଇ ଯେ ସେପଟ ଖଞ୍ଜାରୁ କେତେବେଳୁ ଆସି ତାଙ୍କର କାର୍ଯ୍ୟ କଳାପକୁ ଲକ୍ଷ୍ୟ କରୁଛନ୍ତି ସେଥିପ୍ରତି ଆଉ ନଜର ନାହିଁ ତାଙ୍କର।ପାଟି ଶୁଣି ବାଡ଼ି ପଟୁ ଧାଇଁ ଆସିଲେ କେତକୀ ଆଉ ଝିଅକୁ ଦେଖି ଚମକି ପଡିଲେ ଭୁତ ଦେଖିଲା ପରି। ଦେଠେଇ ବି ଯାହା ଇଛା ତାହା ଶୁଣେଇ ଦେଇ ଗଲେ କେତକୀଙ୍କୁ।


କି ବେଳାରେ ଏ ଟୋକି ଖଣ୍ଡକକୁ ଜନମ କରିଥିଲୁ ଲୋ କେତକୀ । ଦେଖେ ତାକୁ ବିଧବା ହୋଇ କେଡେ ସଅକ। ବାହାପାଣି ପଡୁ ପଡୁ ତ ସ୍ୱାମୀ ମଲା ଆଉ ଏ ବିଧବା ଦେହରେ ଶଙ୍ଖା ଶାଢ଼ୀ ନାଉଛି କ'ଣ ବୋପା ଭାଇଙ୍କି ଖାଇବ ବୋଲି। ଛିଃ ଛିଃ ଛିଃ ଲୋ କି ଅଲଜ୍ଜା କଥା ଦେଖିଲା ଆଜି ଏ ଆଖି। ହଇଲୋ କେତକୀ ତୁ କଣ ଏତିକି ବୁଝେଇ ପାରୁନୁ ତୋ ଝିଅ କୁ ଯେ ସେ ଗୋଟେ ବିଧବା ବୋଲି।ଆଲୋ ଏ ଟୋକି ତ ମହା ଛନକୀ ଅଛି । ଆଜି ଠୁଁ ତ ଏଡ଼େ କନକନ ଆଉ ବୟସ ବେଳେ ଏ ତ ମୁହଁରେ ଚୂନକାଳି ମାରିଦେଵ। ଧିକ ତୁମ ମା ଝିଅଙ୍କୁ।

     ଅପମାନରେ ପୋଡି ଯାଇଥିଲା କେତକୀଙ୍କ ମୁହଁ।ଦେଠେଇ ଗଲା ପରେ ସବୁ ରାଗ ଅପମାନକୁ ସେ ଅଜାଡି ଦେଇଥିଲେ ହାରାମଣିଙ୍କ ଉପରେ।ଚୁଲିଫୁଙ୍କା ନଳରେ ହାତ ଗୋଡ଼ , ପିଠି ସବୁ ଫାଟି ଯାଇଥିଲା ହାରାମଣୀଙ୍କର। ବାଡେଇ ସାରିଲା ପରେ ବାହୁନି ବାହୁନି କାନ୍ଦିଥିଲେ କେତକୀ ନିଜ ଭାଗ୍ୟକୁ ନିନ୍ଦି।ସେଦିନ ରାତିରେ ଆଉ ଚୁଲି ଜଳି ନଥିଲା ତାଙ୍କ ଘରେ। ହାରାମଣି ବି ଅଧା ନିଦରୁ ଉଠି ଦେଖିଥିଲେ ବାପା ବୋଉ ମିଶିକି ବସି କାନ୍ଦୁଥିବାର ରାତି ଅଧରେ।

    ବାସ୍ ସେଇଦିନ ଠାରୁ ହଠାତ ବୟସ୍କା ପାଲଟି ଗଲେ ସେଦିନର ସେଇ କୁନି ବାଳିକା ବଧୁ ହାରାମଣି। ଚୁପଚାପ ଆଦରି ନେଲେ ବୈଧବ୍ୟର ଯନ୍ତ୍ରଣାକୁ। ଶଙ୍ଖା ତ ଦୂରର କଥା ସେଦିନ ଠାରୁ ବୋଉର ଟ୍ରଙ୍କକୁ ଦିନେ ଛୁଇଁବାକୁ ବି ସାହସ କରି ନାହାନ୍ତି ସେ। 

     ଘରେ ଯେତେବେଳେ ଗରମ ଗରମ ମାଛ ଝୋଳର ବାସ୍ନା ଘୁରିବୁଲେ ସେତେବେଳେ ନିଜ ପାଇଁ ଅଲଗା ଚୁଲିରେ କଣ ଟିକେ ସାଦାସିଧା ଖାଦ୍ୟ ବଘାରି ଦିଅନ୍ତି ହାରାମଣି।ଆଇଁଷ ଝୋଳ ଟିକେ ହାପୁଡି ଭାତ ଖାଇବାର ଇଚ୍ଛାକୁ ମନ ଭିତରେ ମାରି ଚୁପଚାପ ଖାଇଦେଇ ଉଠି ଯାଆନ୍ତି ନିଜର ସାତ୍ୱିକ ଖାଦ୍ୟକୁ ।କାର୍ତ୍ତିକ ମାସର ଜାଡ ଥଣ୍ଡାରେ ସମସ୍ତେ କମ୍ବଳ ତଳେ ଶୋଇଥିବା ବେଳେ ହାରାମଣି ରାତି ଅଧାରୁ ଉଠି ଗଡ଼ିଆର ହେମାଳ ପାଣିରେ ମୁଣ୍ଡ ବୁଡ଼େଇ ଗାଧେଇ ରାଇ ଦାମୋଦରଙ୍କ ପୂଜାର ଆୟୋଜନ କରନ୍ତି ମାସ ଗୋଟାକ।ନିର୍ଜଳା ଏକାଦଶୀ ଦିନ ମାନଙ୍କରେ ଘରର ଅନ୍ୟମାନେ ପେଟେ ପେଟେ ଖାଇ ବୁଲୁଥିବା ବେଳେ ପେଟର ଭୋକକୁ ପେଟରେ ମାରି ପାଟିର ଛେପରେ ତଣ୍ଟି ଟିକେ ଓଦା କରିବାକୁ ଚେଷ୍ଟା କରନ୍ତି ସେ।ଗାଁର ବାହାବ୍ରତ ଶୁଭ କାମରେ ତାଙ୍କର ସାଙ୍ଗସାଥି ମାନେ ମଜାମସ୍ତି କରୁଥିବା ବେଳେ ତାଙ୍କୁ ସେ ଜାଗାରେ ପାଦ ରଖିବା ପାଇଁ ମଧ୍ୟ ଦିଆଯାଏ ନାହିଁ। ଗୋଟେ ନଅ ଦଶ ବର୍ଷର ଝିଅକୁ ଏ ସବୁ କ'ଣ କଷ୍ଟ ଦିଏନି ?? ଖୁବ କଷ୍ଟ ଦିଏ । କିନ୍ତୁ ସେ କହିବେ କାହାକୁ।ସେ ସମୟର ସମାଜ ସେମିତି ହିଁ ତ ଥିଲା ।

     ଏମିତିରେ ବିତି ଚାଲିଲା ବର୍ଷ ପରେ ବର୍ଷ। ସମୟ ବଦଳିଲା। ବାପା ବୋଉ ଚାଲି ଗଲେ ଜଣେ ପରେ ଜଣେ। ଘରେ ରାଜୁତି ଚାଲିଲା ଭାଇ ଭାଉଜଙ୍କର। ଏ ସବୁ ଭିତରେ କେତେବେଳେ ଯେ ତାଙ୍କ ଦେହରେ ଯୌବନ ଆସି ଚାଲିଗଲା ସେ କଥା ବି ଜାଣି ପାରିଲେ ନାହିଁ ହାରାମଣି।

        ବଡ଼ କଷ୍ଟରେ ଜୀବନର ସବୁ ପାହାଚ ଅତିକ୍ରମ କରି ଏବେ ସେ ଶେଷ ପାହାଚରେ ଉପନୀତ।କୋଉ ମୁହୂର୍ତ୍ତରେ ପ୍ରାଣ ଛାଡିଯିବ କିଏ ଜାଣେ ? ଆଜି କାଇଁ ଖୁବ ମନେ ପଡୁଛନ୍ତି ନରେନ୍ । ଖୁବ ଇଚ୍ଛା ହେଉଛି ଶଙ୍ଖା ଚାରିପଟକୁ ମନଭରି ଦେଖିବା ପାଇଁ।ପିଲାବେଳେ ଯାହା ଦେଖିଥିଲେ ସେତିକି।ବୋଉ ମଲାପରେ ତା ଟ୍ରଙ୍କ ଆଉ ଖୋଲା ବି ହୋଇନି ।

      ଧୀରେ ଉଠି ବସିଲେ ହାରାମଣି।ଛାତିର ଘଡ଼ଘଡ଼ ଶବ୍ଦ ଆହୁରି ଜୋରରେ ଶୁଣାଗଲା। ବଡ଼ କଷ୍ଟରେ ଘୁଷୁରି ଘୁଷୁରି ଗଲେ ସେ କାନ୍ଥ ଆଲମିରା ଯାଏ। ସେଠି ଥୁଆ ହୋଇଥିବା ବୋଉର ଟ୍ରଙ୍କକୁ ଖୋଲିଲେ ଧୀରେ କରି।ଟ୍ରଙ୍କର ଲୁଗାପଟା ଉପରେ ସାତକାମୁଡ଼ା ପୋକଙ୍କର ରାଜୁତି।ଲୁଗାପଟାକୁ ଆଡ଼ଉ ଆଡଉ ଦୁଇ ତିନିଟା ଅସରପା ଚଢ଼ିଗଲେ ହାରାମଣିଙ୍କ ହାତ ଉପରକୁ।ଏକଦମ ତଳେ ଯତ୍ନରେ ସାଇତା ହୋଇଥିବା ଶଙ୍ଖା ଚାରିପଟକୁ କାଢି ଆଣି ପୁଣି ଶେଯରେ ଆସି ବସିଲେ ସେ ।ମନେ ପଡ଼ିଲା ଚୁଲି ଫୁଙ୍କାନଳୀ ରେ ବୋଉର ମାଡ଼କଥା । ମନେ ପଡ଼ିଲା ଶଙ୍ଖାରୀ ବୁଢା କଥା । ମନେ ପଡ଼ିଲା ଦେଠେଇଙ୍କ ଗାଳି ଗୁଲଜ କଥା।ଖୁବ ନିରିଖେଇ ଦେଖିଲେ ସେ ତାଙ୍କର ପ୍ରିୟ ବସ୍ତୁକୁ। ଏଇଆକୁ ପିନ୍ଧି ସେ ଦିନେ ପୁଆଣି ହୋଇ ଯାଇଥାନ୍ତେ ନରେନଙ୍କ ଘରକୁ।କିନ୍ତୁ ବିହି କିଛି ଅଲଗା ଲେଖିଥିଲା ତାଙ୍କ ଭାଗ୍ୟରେ । ପେଜୁଆ ଆଖିରୁ ଦୁଇଟୋପା ଲୁହ ଖସି ପଡ଼ିଲା ହାରାମଣିଙ୍କର।ଧୀରେ ଧୀରେ ନିଜର ଶୁଷ୍କ ଓଠକୁ ଲଗେଇଲେ ସେ ଶଙ୍ଖା ଉପରେ।ତାଙ୍କୁ ଲାଗିଲା ତାଙ୍କ ପାଖରେ ନରେନ୍ ବସିଛନ୍ତି ଆଉ ଠାରୁଛନ୍ତି ଶଙ୍ଖା ଚାରିପଟକୁ ପିନ୍ଧି ଦେବା ପାଇଁ।ନିଜର ଅସ୍ତିତ୍ୱ ଭୁଲିଗଲେ ହାରାମଣି।ଶଙ୍ଖା ଚାରିପଟକୁ ହାତରେ ଗଳେଇ ଗୋଟେ ଲାଜୁଆ ଚାହାଣୀରେ ସେ ଚାହିଁଲେ ନରେନଙ୍କ ଆଡେ । ନରେନ୍ ଖୁବ ପ୍ରେମରେ ବାହୁ ପ୍ରସାରି କୋଳକୁ ଟାଣି ଆଣିଲେ ନିଜ ବାଳିକା ବଧୂକୁ।ଢଳି ପଡିଲା ହାରାମଣିଙ୍କ ଶରୀର ଶେଜ ଉପରେ । ଛାତିର ଘଡ଼ଘଡ଼ ଶବ୍ଦ ବନ୍ଦ ହୋଇଗଲା। ମୁଁହରେ ଯନ୍ତ୍ରଣାର ଚିହ୍ନ ବଦଳରେ ଝଲକୁଥିଲା ପ୍ରଶାନ୍ତିର ଆଭା । ଓଠରେ ଲାଖି ରହିଥିଲା ସେଦିନର ସେଇ ଲକ୍ଷେ ଟଙ୍କିଆ ହସ ।ଆଉ ହାତରେ ଚିକଚିକ୍ କରୁଥିଲା ଚାରିପଟ ନାଲି ସୁନା ଶଙ୍ଖା।



Rate this content
Log in

Similar oriya story from Drama