ସପ୍ତମ ଋତୁ
ସପ୍ତମ ଋତୁ
ସପ୍ତମ ଋତୁର ଛୁଆଁରେ ଫୁର୍ଲି ଝରନ୍ ଆଜି ଉତ୍ସବ ମୁଖର। ଯୋଡ଼ା ଯୋଡ଼ା ପ୍ରେମୀ ଯୁଗଳ ଆଉ ନବ ଦମ୍ପତ୍ତିଙ୍କ କୋଳାହଳ ହାସ୍ୟରୋଳରେ ଆଜି ଫୁର୍ଲି ଝରନ୍ ର କୋଣ ଅନୁକୋଣ ଗୁଞ୍ଜରିତ।ଲାଗୁଛି ଯେମିତି ପ୍ରତିଟି ଧୂଳିକଣାକୁ ପ୍ରେମର ରଙ୍ଗରେ ରଙ୍ଗେଇବାର ଶପଥ ନେଇଛନ୍ତି ଏଇ ପ୍ରେମପକ୍ଷୀ ମାନେ ।
କିନ୍ତୁ ଏ ସବୁକୁ ଆଢୁଆଳ କରି ଗୋଟାଏ ପଥର ଉପରେ ବସିଥିଲା ଆଦ୍ୟାନ୍ତ।ଆଖି ଆଗରେ ଧାଡି ଧାଡି ବବୁଲ , ଚନ୍ଦନ , ସାହାଜା , କେନ୍ଦୁ , ଖଇର ଗଛ ମାନଙ୍କର ସବୁଜିମା।ଚିର ସବୁଜ ଏହି ଜଙ୍ଗଲର ପତ୍ର ପତ୍ରରେ ଯେମିତି ପ୍ରକୃତିର ମହକ ନେସି ହୋଇ ଯାଇଛି।
ପକେଟରୁ ମୋବାଇଲ ବାହାର କଲା ଆଦ୍ୟାନ୍ତ ।ନିଜକୁ ନିଜେ ପଚାରିଲା ... ଅନ୍ କରିବି ?? ନା ଥାଉ ...। ପୁଣି ପକେଟ ଭିତରେ ପୁରେଇ ଦେଲା ସେ ମୋବାଇଲକୁ।କାଲି ଠାରୁ ଫୋନ ସ୍ୱିଚଅଫ୍ କରି ବୁଲୁଛି ସେ।ଫ୍ଲୋରାକୁ ଆଭଏଡ଼ କରିବାର ଏହା ହିଁ ହେଉଛି ସର୍ବୋତ୍ତମ ଉପାୟ।ଅନ୍ୟଦିନ ହୋଇଥିଲେ ଫ୍ଲୋରା ହୁଏ ତ ଘର ଯାଏ ଖୋଜି ଖୋଜି ଚାଲି ଆସିଥାନ୍ତା।କିନ୍ତୁ ଏବେ ତାହା ଅସମ୍ଭବ। ଫ୍ଲୋରା ଏବେ ହସ୍ପିଟାଲ ବେଡ଼ରେ।
ସେଦିନ ସକାଳୁ ସକାଳୁ କୁହୁଡି ଭିତରେ ଫ୍ଲୋରାର ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି ବୋଲି ଖବର ପାଇଲା ଆଦ୍ୟାନ୍ତ ।ବସିବା ଜାଗାରୁ ଉଠି ଧାଇଁ ଆସିଥିଲା ସେ। ଫ୍ଲୋରା ଶୋଇଥିଲା ହସ୍ପିଟାଲ ବେଡ଼ରେ।ସର୍ବାଙ୍ଗ ଶରୀର ଖଣ୍ଡିଆ ଖାବରା , ଗୋଡ଼ରେ ବ୍ୟାଣ୍ଡେଜ , ହାତରେ ସାଲାଇନ ଡ୍ରିପ , ମୁଣ୍ଡରେ ଷ୍ଟିଚ , ଦୁଇ ଆଖିରେ ପଟି .... ଖୁବ କାନ୍ଦିଥିଲା ଆଦ୍ୟାନ୍ତ।ରାତିଦିନ ଜଗିକି ରହିଥିଲା ସେ ଫ୍ଲୋରାର ବେଡ଼ ପାଖରେ।ଆଉ ଅଳ୍ପ ଦିନ ପରେ ତାଙ୍କ ପ୍ରେମରେ ବିବାହର ମୋହର ବସିଥାନ୍ତା।କିନ୍ତୁ ଏ ସବୁ କେମିତି ଘଟିଗଲା ?
ଦୁଇଦିନ ତଳେ ଫ୍ଲୋରାର ଆଖିରୁ ପଟି ଖୋଲା ହେବା ପରେ ଜଣା ପଡିଲା ଯେ ତାର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇ ସାରିଛି।ଝଟକା ଲାଗିଥିଲା ଆଦ୍ୟାନ୍ତକୁ। ସେଇ ଯେ ଏକମୁଁହା ହୋଇ ଘରକୁ ଆସିଥିଲା ସେ ଆଉ ଯାଇନି ଫ୍ଲୋରା ପାଖକୁ ତିନିଦିନ ହେବ।କାହିଁକି କେଜାଣି ଚେଷ୍ଟା କରି ବି ନିଜକୁ ବୁଝେଇ ପାରୁନି ସେ।ଫ୍ଲୋରା ଫୋନ କଲେ ବି ଆଉ କଥାବାର୍ତ୍ତାରେ ଆତ୍ମୀୟତା ଜମୁନି ଆଗପରି।ବାହାନା ଖୋଜୁଛି ସେ କଥା ବନ୍ଦ କରିବା ପାଇଁ । ବାହାନା ଖୋଜୁଛି ସେ ହସ୍ପିଟାଲ ନଯିବା ପାଇଁ। ମନରେ ଉଙ୍କି ମାରୁଛି ଅନେକ ଅସମାହିତ ପ୍ରଶ୍ନ।ଫ୍ଲୋରାକୁ ନେଇ ସେ ସାରା ଜୀବନ ଖୁସି ହୋଇ ପାରିବ ତ ? ସାଙ୍ଗ ସାଥି ମାନଙ୍କ ଆଗରେ ସେ ପୂର୍ବପରି କ'ଣ ଆଉ ଗର୍ଵ କରି ପାରିବ ନିଜ ସୁନ୍ଦରୀ ପ୍ରେମିକାକୁ ନେଇ ? ଆଉ ସେ ଫ୍ଲୋରା ଆଖିରେ ନିଜ ପାଇଁ ଦେଖିଥିବା ସ୍ୱପ୍ନ ସବୁ ?? ବାହାଘର ତ ଦୁଇ ତିନିଦିନର ପିଳାଖେଳ ନୁହେଁ ନା । ସମଝୌତା ରେ କଣ ସାରାଜୀବନ ଚାଲିହୁଏ ସହଜରେ ? ଆଉ ଗୋଟିଏ ଆଖି ନଥିବା ଝିଅକୁ ଏ ସଂସାର ଯେ କାଣୀ ବୋଲି କୁହେ ହେଉ ପଛେ ସେ ବିଶ୍ୱ ସୁନ୍ଦରୀ। ନା ଏବେ ବି ସମୟ ଅଛି। ନିଷ୍ପତ୍ତି ବଦଳେଇ ଦିଆଯାଇ ପାରେ।
ସେବେଠାରୁ ମୋବାଇଲ ସ୍ୱିଚଅଫ କରି ବୁଲୁଛି ସେ।ବେଳେବେଳେ ସେ ଅନୁଭବ ବି କରୁଛି ଯେ ଫ୍ଲୋରା ତାକୁ ଖୁବ ଖୋଜୁଥିବ । ଖୋଜୁଥାଉ ନା ମୋର ପୁଣି ଗୋଟାଏ ଇଚ୍ଛା ଅନିଚ୍ଛା ସ୍ୱପ୍ନ ଅଛି କି ନାହିଁ ?
ଆଗରେ ଥିବା ବବୁଲ ଗଛ ଉପରକୁ ଉଡି ଆସିଲେ ପଞ୍ଝାଏ ପକ୍ଷୀ କେଚେରେ ମେଚେରେ ଶବ୍ଦ କରି । ପକ୍ଷୀଙ୍କର କାକଳୀରେ ବଡ଼ ବିରକ୍ତି ବୋଧ କଲା ଆଦ୍ୟାନ୍ତ।ଉଠି ଆସିଲା ସେ ସେଠୁ। ଆସି ଠିଆ ହେଲା ରେଲିଂ ର ବାଡ଼ା ପାଖରେ ଜଳ ପ୍ରପାତ ଆଡକୁ ମୁହଁ କରି।ସୂର୍ଯ୍ୟଙ୍କର କିରଣ ପାଣି ଉପରେ ପ୍ରତିବିମ୍ବିତ ହୋଇ ସୃଷ୍ଟି କରୁଥିଲା ଇନ୍ଦ୍ରଧନୁର ସପ୍ତରଙ୍ଗ। ପାଣି ଛିଟକା ବେଳେବେଳେ ଛିଟକି ପଡୁଥିଲା ଉପରକୁ। ଚାରିଆଡେ ଜୀବନକୁ ଉପଭୋଗ କରିବାର ମାହୋଲ।ଟିକିଏ ଟିକିଏ କରି ସବୁ ସ୍ମୃତିକୁ ସାଉଁଟି ନେଵାର ମାହୋଲ।ଯେମିତି ପ୍ରତିଯୋଗିତା ଚାଲିଛି ଏଠି ଅଳ୍ପ ସମୟ ଭିତରେ ବହୁତ ଖୁସି ସାଉଁଟି ନେବାର।ଖୁସିର ପ୍ରତ୍ୟେକଟି କ୍ଷଣକୁ କ୍ୟାମେରା ଭିତରେ କୈଦ କରି ନେବାର।
ଓଃ ବଡ଼ ଅସହ୍ୟ ବୋଧ କଲା ଆଦ୍ୟାନ୍ତ।ନିଜକୁ ମୁକୁଳେଇ ଆଣିଲା ସେ ସେଠାର ଗହଳ ଚହଳ ଭିତରୁ।
ସାମାନ୍ୟ ମନ୍ଥର ଗତିରେ କୁଳୁକୁଳୁ ହୋଇ ବହି ଯାଉଥିବା ଝରଣାର ପାଣି ଭିତରେ ଠାଏ ଠାଏ ପଥର ମୁଣ୍ଡିଆ ଗୋଟେ ଗୋଟେ। କାଚକେନ୍ଦୁ ପାଣିର ତଳେ ତଳେ ଅଗଣିତ ବାଲି ଗରଡ଼ା।ସାମ୍ନାରେ ଛୋଟିଆ ପାର୍କଟିରେ କୁନିକୁନି ପିଲାଙ୍କର କଳରବ ମଳିନ କରି ଦେଉଥିଲା ପକ୍ଷୀଙ୍କର କାକଳୀକୁ। କୋଳାହଳକୁୁ ପଛକରି ଆଦ୍ୟାନ୍ତ ବସି ପଡିିିଲା ଗୋଟେ ପଥର ଉପରେ ପାଣିକୁ ଗୋଡ଼ ଲମ୍ବାଇ।ପଛରୁ ଶୁଭିଲା ପୁଣି ଖିଲିଖିିିଲି ହସ। ପୁୁଣି ବୁଲି ଚାହିଁଁଲା ସେ।ପଛପଟେ ଆଉ ଗୋଟେ ପଥର ଉପରେ ବସିିିଥିିଲେ ହଳେ ପୁଅ ଝିଅ ପରସ୍ପର ଭିତରେ ମସଗୁଲ ହୋଇ। ଝିିିଅଟିି ଚହଲା ପାଣିରେ ଗୋଡ଼କୁ ହଲେଇ ପାଣିର କୁୁଳୁକୁଳୁ ସହ ମିଶାଉଥିଲା ନିିଜ ପାଉଁଜିର ଛମଛମ ଶବ୍ଦକୁ।
ଧେତ୍ ଏମାନେ ମଣିଷକୁ କେଉଁଠି ବି ଶାନ୍ତିରେ ବସିବାକୁ ଦେବେନି ଟିକେ।ବିରକ୍ତ ହୋଇ ସିଆଡୁ ମୁହଁ ବୁଲେଇ ଆଣିଲା ଆଦ୍ୟାନ୍ତ।
କିଛି କଥାବାର୍ତ୍ତା ଚାଲିଥିଲା ସେମାନଙ୍କ ଭିତରେ।ଅନିଚ୍ଛା ସତ୍ତ୍ୱେ ବି କଥାସବୁ ଆସି ପଡୁଥିଲା ଆଦ୍ୟାନ୍ତର କାନରେ।ତାର ଆଖି ମନକୁ ମନ ଟାଣି ହୋଇ ଯାଉଥିଲା ସେ ଆଡକୁ।
an> ସାବେନା ରଙ୍ଗର ସାଧସିଧା ଝିଅଟିଏ।ପିନ୍ଧିଛି ସାଲୱାର୍ କମିଜ।ଦେହରେ ଘୋଡେଇ ହୋଇଛି କଳା ରଙ୍ଗର ଶାଲଟିଏ।ନଇଁପଡ଼ି ଝରଣାର କାଚକେନ୍ଦୁ ପାଣିରେ ମୁହଁ ଧୋଇଲା ଝିଅଟି।ପୁଅଟି ପୋଛିଦେଲା ତା ମୁହଁକୁ ନିଜ ରୁମାଲରେ।ମୁହଁ ପୋଛି ସାରି ନିଜ ମଥାର ବିନ୍ଦିକୁ ଟିକେ ସଜାଡି ଦେଇ ପଚାରିଲା ପୁଅଟିକୁ ଠିକ ଅଛି ? ନା ଟିକେ ବଙ୍କା ଅଛି। ଏଥର ଝିଅ ମଥାର ବିନ୍ଦିକୁ ନିଜ ହାତରେ ସଜେଇ ଦେଲା ପୁଅଟି।ତା ପରେ ମୋବାଇଲ କାଢି ଫୋଟୋ କେତୋଟି ଉଠେଇ ଦେଲା ସେ ଝିଅଟିର। ହୁଁଃ ଯେତେ ସବୁ ଲୋକ ଦେଖାଣିଆ ପ୍ରେମ କହି ମୁହଁ ବୁଲେଇନେଲା ଆଦ୍ୟାନ୍ତ। ଏଥର ପୁଅଟି ସେ ଝିଅଟିକୁ କହିଲା ମିଶିକି ଗୋଟେ ଫୁଲ ସାଇଜ ଫଟୋ ଉଠାନ୍ତେନି ଆମେ ଦୁହେଁ । ହଁ ଯେ କିନ୍ତୁ ଉଠାଇଦେଵ କିଏ ? ଏଥର ପୁଅଟିର ଦୃଷ୍ଟି ନିବଦ୍ଧ ହେଲା ଏକାଏକା ବସିଥିବା ଆଦ୍ୟାନ୍ତ ଉପରେ। ଆଜ୍ଞା ଭାଇ ଟିକେ ଶୁଣିବେ ? ମୁଣ୍ଡ ଉଠେଇ ଚାହିଁଲା ଆଦ୍ୟାନ୍ତ ।ପଚାରିଲା ହଁ କୁହ। ଯଦିଓ ସେ ଆଗରୁ ଏମାନଙ୍କ କଥା ଶୁଣି ଅନୁମାନ ଲଗେଇ ସାରିଥିଲା ଯେ ଏବେ ତାକୁ ହିଁ ଫୋଟୋଗ୍ରାଫର୍ ସାଜିବାକୁ ପଡିବ ବୋଲି। ଆମ ଦୁହିଁଙ୍କର ଗୋଟେ ଦୁଇଟା ଫୋଟୋ ଉଠେଇଦେବେ ଦୟାକରି ? ବିନା ବାକ୍ୟବ୍ୟୟରେ ପୁଅଟି ହାତରୁ ମୋବାଇଲ ନେଇ କିଛିଟା ଫୋଟୋ ଉଠେଇ ଦେଲା ସେ। ପାଣି ଭିତରେ ଥିବା ପଥର ଉପରେ ଠିଆ ହୋଇ ଫୋଟୋ ଉଠେଇବା ପାଇଁ ପଥର ଉପରେ ଚଢୁଥିଲା ଝିଅଟି ।ହଠାତ ଝିଅଟି ଦେହରୁ ଖସି ପଡ଼ିଲା ଶାଲ ଖଣ୍ଡକ।ଚମକି ପଡିଲା ଆଦ୍ୟାନ୍ତ।ଛାତି ଭିତରେ କିଛି ଗୋଟାଏ ଧଡ଼ କରି ହେଲା। ଝିଅଟିର ବାଁ ପାଖ ହାତର କଚଟି ତଳକୁ ନାହିଁ କିଛି !! ସାଙ୍ଗେସାଙ୍ଗେ ପୁଅଟି ପୁଣିଥରେ ଘୋଡେଇ ଦେଲା ଝିଅଟିକୁ ଆଉ ଫୋଟୋ ଉଠେଇବା ପାଇଁ ଠିଆ ହୋଇଗଲା।ଆଦ୍ୟାନ୍ତର କିନ୍ତୁ ଛାତିର ସ୍ପନ୍ଦନ ବଢିଯାଇ ହାତ ଥରିବା ଆରମ୍ଭ ହୋଇ ଯାଇଥିଲା।ପ୍ରଶ୍ନିଳ ଆଖିରେ ସେ ଚାହିଁଲା ପୁଅଟିକୁ। ଏମିତି କେମିତି ? ଅଳ୍ପ ଟିକେ ହସିଦେଲା ପୁଅଟି।ଆଉ କହିଲା ସେ ମୋ ଜୀବନର ଗୋଟେ ଦୁଃଖଦ ଅଧ୍ୟାୟ ଆଜ୍ଞା। ମୋର ଗୋଟିଏ ମିକ୍ସଚର ଫ୍ୟାକ୍ଟ୍ରି ଅଛି।ଏ ସେଠି କାମ କରୁଥିଲା ।ଆମେ ଦୁହେଁ ଦୁହିଁକୁ ପସନ୍ଦ କରିବା ଆରମ୍ଭ କରିଥିଲୁ। ଆଉ ପରସ୍ପରକୁ ନେଇ ସାରା ଜୀବନ ଏକାଠି ଚାଲିବାର ସ୍ୱପ୍ନ ବି ଦେଖୁଥିଲୁ।ଘରେ ଜଣେଇଲୁ ଏ କଥା। ଘରେ ବି ରାଜି ହୋଇଗଲେ। ଏଥର ଆମେ ଦୁହେଁ ହାତରେ ହାତ ମିଶାଇ ସ୍ବପ୍ନର ତାଜମହଲ ଗଢିବା ଆରମ୍ଭ କରିଦେଲୁ।କିନ୍ତୁ ଦିନେ ଝଡ଼ ଆସିଲା ଆଉ ଆମ ସ୍ବପ୍ନର ତାଜମହଲକୁ ଦୋହଲେଇ ଦେଲା। ଫ୍ୟାକ୍ଟ୍ରିରେ କାମ କରୁଥିଲା ବେଳେ ମେସିନ ଭିତରେ ହାତ ପଶି ବାଁ ହାତର ପାପୁଲିଟି କଟିଗଲା ତାର ।ଏ ଘଟଣା ପରେ ସେ ଭାଙ୍ଗି ପଡ଼ିଲା ବହୁତ।ମୋ ମା' ମୁହଁରେ କିଛି ନକହିଲେ ବି ଆଉ ଏତେଟା ଆଗ୍ରହ ଦେଖେଇଲାନି ଏ ବାହାଘରରେ।ମୁଁ କିନ୍ତୁ ସେ ଦୋହଲୁଥିବା ତାଜମହଲକୁ ଭୁଶୁଡିବାକୁ ଦେଲିନି।ସମ୍ଭାଳି ନେଲି ମୋର ଦୁଇ ହାତ ଲଗେଇ ଯତ୍ନରେ। ମା' କୁ ବୁଝେଇଲି ବହୁତ । କହିଲି , ମା' ସଂସାରର ରାସ୍ତାରେ ହାତ ଧରାଧରି ହୋଇ ବାଟ ଚାଲିବା ପାଇଁ ଦୁଇ ଯୋଡ଼ା ହାତ କ'ଣ ସବୁବେଳେ ନିହାତି ଦରକାର ? ତିନୋଟି ହାତ କ'ଣ ଯଥେଷ୍ଟ ନୁହେଁ ? ଯଦି ମୋ ବାହାଘର ପରେ ଏମିତି ହୋଇଥାନ୍ତା ? ଧୀରେ ଧୀରେ ମା' ବି ବୁଝିଗଲା।ଆର ମାସରେ ଆମ ବାହାଘର। ଏମିତି ଟିକେ ବୁଲାବୁଲି ପାଇଁ ପଳେଇ ଆସିଥିଲୁ ଏ ଆଡେ।ଆସୁଛୁ ଆମେ ଏବେ। ଫୋଟୋ ଗୁଡିକ ପାଇଁ ବହୁତ ବହୁତ ଧନ୍ୟବାଦ ଭାଇ। ଆଦ୍ୟାନ୍ତର ଆଖିରୁ ଅପସରି ଗଲେ ଦୁହେଁ ଯାକ।କିନ୍ତୁ ଛାଡି ଦେଇଗଲେ ଏମିତି କିଛି ଯାହାକି କେଞ୍ଚି ହେଉଥିଲା ତାର ଛାତି ଭିତରେ।ସେ ନିଜକୁ ନିଜେ କହିଲା ଏବେ ଯଦି ସଂସାରର ରାସ୍ତାକୁ ମିଶିକି ଅତିକ୍ରମିବା ପାଇଁ ତିନୋଟି ହାତ ଯଥେଷ୍ଟ ତାହେଲେ ମିଶିକି ଏ ଦୁନିଆ ଦେଖିବା ପାଇଁ କ'ଣ ତିନୋଟି ଆଖି ଯଥେଷ୍ଟ ନୁହେଁ ? ଏବେ ଫୁର୍ଲି ଝରନ୍ ର ବାତାବରଣ ଖୁବ ରଙ୍ଗୀନ ଦିଶୁଥିଲା ଆଦ୍ୟାନ୍ତକୁ । ପକ୍ଷୀଙ୍କର କାକଳୀରେ ଶୁଭୁଥିଲା ସଙ୍ଗୀତର ସପ୍ତସ୍ୱର।ଝରଣାର କୁଳୁକୁଳୁ ଭିତରେ ଶୁଭୁଥିଲା ପ୍ରେମିକା ପାଉଁଜିର ଛମ ଛମ ଶବ୍ଦ।ପବନ ଆଣି ଦେହରେ ବୋଳି ଦେଉଥିଲା ସପ୍ତମ ଋତୁର ଛୁଆଁ। ଏଥର ପକେଟରୁ ମୋବାଇଲ ବାହାର କରି ସ୍ୱିଚଅନ୍ କଲା ଆଦ୍ୟାନ୍ତ ଆଉ କଲଲିଷ୍ଟ ରୁ ଖୋଜିଲା ଫ୍ଲୋରାର ନମ୍ବର।